Banner Ad

ଇନଷ୍ଟାଣ୍ଟ୍ ନୁଡୁଲ୍ସ ଖାଇ ଜଣେ ମୃତ,୫ ଜଣ ଗୁରୁତର

ଇନଷ୍ଟାଣ୍ଟ୍ ନୁଡୁଲ୍ସ ଖାଇ ଜଣେ ମୃତ,୫ ଜଣ ଗୁରୁତର
Published by : Jyotshna Kumari
#Health & lifestyle
May 12, 2024, 1:14 PM
ଉତ୍ତରପ୍ରଦେଶ ( ଦ କୁଇଭର ):- ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲାରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନୁଡୁଲ୍ସ ଖାଇ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅସୁସ୍ଥ ହୋଇପଡିଥିବା ଜଣେ ଜଣେ ୬ ବର୍ଷୀୟ ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଅସୁସ୍ଥମାନଙ୍କର ଚିକିତ୍ସା ଜାରି ରହିଛି । ପରିବାରର ଏଭଳି ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ରାଜ୍ୟ ପିଲିଭିତ ଜିଲ୍ଲାର ପୁରନପୁର ତହସିଲ କ୍ଷେତ୍ର ଅନ୍ତର୍ଗତ ରାହୁଲ ନଗର ଅଞ୍ଚଳରେ ସୀମା ନାମକ ଜଣେ ମହିଳା ବହୁ ବର୍ଷ ପୂର୍ବେ ଡେରାଡୁନର ସୋନୁ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଗୁରୁବାର ଦିନ ସୀମା ନିଜ ପୁଅ ରୋହନ ଓ ବିବେକ, ଝିଅ ସନ୍ଧ୍ୟା ସହ ରାହୁଲ ନଗର ସ୍ଥିତ ବାପଘରକୁ ଆସିଥିଲେ ।
ଗୁରୁବାର ରାତିରେ ପରିବାରର ସମସ୍ତ ସଦସ୍ୟ ଭାତ ସହ ଇନଷ୍ଟାଣ୍ଟ୍ ନୁଡୁଲ୍ସ ଖାଇ ଶୋଇବାକୁ ଚାଲିଯାଇଥିଲେ । ବିଳମ୍ବିତ ରାତିରେ ହଠାତ ସୀମାଙ୍କ ସହ ତାଙ୍କ ୩ ସନ୍ତାନ, ଭଉଣୀ ସଞ୍ଜୁ ଓ ଭାଉଜ ସଞ୍ଜନାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଶୁକ୍ରବାର ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ଘରକୁ ଫେରି ଆସିଥିଲେ l ହେଲେ ପୁଣି ଶୁକ୍ରବାର ବିଳମ୍ବିତ ରାତିରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାମଧ୍ୟରେ ସୀମାଙ୍କ ୬ ବର୍ଷୀୟ ପୁଅ ରୋହନର ଖୁବ ଜୋରରେ ପେଟରେ ଯନ୍ତ୍ରଣା ହୋଇଥିଲା । ରୋହନ ପାଣି ପିଇ ତଳେ ଶୋଇପଡିଥିଲା । କିଛି ସମୟ ପରେ ରୋହନର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ କହିଛନ୍ତି । ତେବେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡିବାରୁ ଶନିବାର ଦିନ ସେମାନଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ବର୍ଷାଙ୍କୁ ଅନୁଭବ ଦେବେନାହିଁ କ୍ଷତିପୂରଣ : କଟକ ଜେଏମ୍ଏ‌ଫ୍‌ସି

Blog Thumbnail

ଦ କୁଇଭର ବ୍ୟୁରୋ:- ବର୍ଷାଙ୍କୁ ଭରଣପୋଷଣ କିମ୍ବା କ୍ଷତିପୂରଣ ଦେବେନି ଅନୁଭବ, ଏନେଇ ରାୟ ଶୁଣାଇଛନ୍ତି କଟକ ଜେଏମ୍ଏ‌ଫ୍‌ସି କୋର୍ଟ । ବାହାଘର କିଛି ବର୍ଷ ପରେ ଘରୋଇ ନିର୍ଯାତନା ନେଇ ଅନୁଭବ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଅଭିଯୋଗ ଆଣିଥିଲେ ବର୍ଷା । କୋର୍ଟରେ ଏନେଇ ମାମଲା ହୋଇଥିଲା କିନ୍ତୁ ଦୀର୍ଘ ଦିନ ଶୁଣାଣି ପରେ ମଧ୍ୟ କୋର୍ଟରେ ଏନେଇ ପ୍ରମାଣ ଦେଇପାରି ନାହାନ୍ତି ବର୍ଷା । ଏବେ ବର୍ଷାଙ୍କୁ ଅନୁଭବ ଭରଣପୋଷଣ ଦେବେ ନାହିଁ ବୋଲି କୋର୍ଟ କହିଛନ୍ତି । ଏହା ପୂର୍ବରୁ ଭରଣପୋଷଣ ମାମଲା ସମ୍ପର୍କରେ ରାୟ ଦେଇ ସୁପ୍ରିମକୋର୍ଟ କହିଥିଲେ ଯେ କେବଳ ସ୍ବାମୀଙ୍କ ସମ୍ପତି ଦେଖି ଭରଣପୋଷଣ ମାଗି ପାରିବେନି ପତ୍ନୀ । ଭରଣପୋଷଣକୁ ସ୍ବାମୀଙ୍କ ବିରୋଧରେ ଅସ୍ତ୍ର ଭଳି ବ୍ୟବହାର କରାଯାଇ ପାରିବ ନାହିଁ ।

State

୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

Blog Thumbnail

ଗଞ୍ଜାମ( ଦ କୁଇଭର):- ଗଞ୍ଜାମ ଜିଲ୍ଲାରେ ଏକ ବୀଭତ୍ସ ଘଟଣା ସବୁ ମହଲକୁ ସ୍ତମ୍ଭୀଭୂତ କରିଛି। ଏକ ୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ଶ୍ବାସରୁଦ୍ଧ କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପାଟପୁର ଥାନା ତଥା ସାନଖେମୁଣ୍ଡି ବ୍ଲକ୍‌ର ଖଲିଙ୍ଗି ଗ୍ରାମରେ ଘଟିଛି ଏହି ହୃଦୟବିଦାରକ ଘଟଣା। ଗତକାଲି ସନ୍ଧ୍ୟାରୁ ନିଖୋଜ ଥିବା ଶିଶୁକନ୍ୟାର କ୍ଷତାକ୍ତ ମୃତଦେହକୁ ଆଜି ଭୋରରେ ଉଦ୍ଧାର କରାଯାଇଛି। ମୃତକ ହେଲେ ମହାନଳା ଗ୍ରାମର ଅଶୋକ ସ୍ବାଇଁଙ୍କ ଝିଅ। ପାଟପୁର ଥାନା ପୁଲିସ ମୃତ ଦେହ ଜବତ କରି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରୁଛି। ମୃତକଙ୍କ ମାମୁ ଚନ୍ଦନ ନାହାକ ପାଟପୁର ଥାନାରେ ଦେଇଥିବା ଏତଲା ଆଧାରରେ କେସ୍ ନମ୍ବର ୨୨୯/୨୫ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ମହାନଳାର ଅଶୋକ ଖଲିଙ୍ଗି ଚନ୍ଦନନଗରର ରାଧା ନାହାକଙ୍କ ଝିଅକୁ ବିବାହ କରିଛନ୍ତି। ଗତ ୧୯ ତାରିଖରୁ ଚାଲିଥିବା ମନ୍ଦିରପ୍ରତିଷ୍ଠା ଯାତ୍ରା ଦେଖିବାକୁ ଅଶୋକଙ୍କ ପତ୍ନୀ ଝିଅକୁ ନେଇ ଅଜା ଘରକୁ ଆସିଥିଲେ। ଶୁକ୍ରବାର ଥିଲା ଯାତ୍ରାର ଉଦ୍‌ଯାପନୀ ଦିବସ। ସନ୍ଧ୍ୟାରେ ଶିଶୁକନ୍ୟାଟି ଘର ଆଗରେ ଖେଳୁଥିବା ବେଳେ ଅଚାନକ ନିଖୋଜ ହୋଇଯାଇଥିଲା। ପରିବାରବର୍ଗ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।ଯାତ୍ରା କମିଟି ପକ୍ଷରୁ ମାଇକ୍‌ ଯୋଗେ ଘୋଷଣା କରାଯାଇଥିଲା। ପତ୍ତା ନମିଳିବାରୁ ପାଟପୁର ଥାନାକୁ ଖବର ଦିଆଯାଇଥିଲା। ପୁଲିସ ଗାଁରେ ପହଞ୍ଚି ତଦନ୍ତ କରି ଫେରିଥିଲେ। ପରିବାର ଲୋକେ ରାତିସାରା ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ସନ୍ଧାନ ପାଇନଥିଲେ। ଗ୍ରାମର କିଛି ବ୍ୟକ୍ତି ସକାଳେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟସ୍ଥ ନିର୍ମାଣାଧୀନ ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ଶିଶୁକନ୍ୟାର ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର କରିଥିଲେ। ପାଟପୁର ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା, ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା ଓ ଛତ୍ରପୁରରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ସ୍କ୍ବାଡ୍‌ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅମାନବୀୟ ଲୋମହର୍ଷଣକାରୀ ହତ୍ୟାଘଟଣାର ତୁରନ୍ତ ପର୍ଦ୍ଦାଫାସ୍‌ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଶବ ବ୍ୟବଚ୍ଛେଦ ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଅଭିଯୁକ୍ତକୁ ତୁରନ୍ତ ଠାବ କରି କଠୋର ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ସାଧରଣରେ ଦାବି ଉଠିଛି l

State

କର୍ମଜୀବୀ ମହିଳାଙ୍କୁ ବାନ୍ଧି ଗଣଦୁଷ୍କର୍ମ

Blog Thumbnail

ଯାଜପୁର( ଦ କୁଇଭର):- ଯାଜପୁର ଜିଲ୍ଲାର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ହୋଇଛି। ପୀଡ଼ିତା ଏ ନେଇ ଥାନାରେ ଅଭିଯୋଗ କରିଥିବାବେଳେ ଘଟଣାର ୭୨ ଘଣ୍ଟା ପରେ ମଧ୍ୟ ପୁଲିସ କୌଣସି ସଫଳତା ପାଇନାହିଁ। ଗତ ୨୨ ତାରିଖ ସନ୍ଧ୍ୟାରେ ଏହି ମହିଳାଙ୍କୁ ସହର ଉପକଣ୍ଠକୁ ଟେକିନେଇ କିଛି ଅସାମାଜିକ ଯୁବକ ଦୁଷ୍କର୍ମ କରିଥିଲେ। ପ୍ରତିରୋଧ କରିବାରୁ ତାଙ୍କୁ ମାରଣାସ୍ତ୍ର‌ରେ ହାଣି ପକାଇଥିଲେ। ଯାଜପୁର ଟାଉନ ଥାନାଠାରୁ ୩ଶହ ମିଟର ଦୂର ଗାନ୍ଧୀଛକଠାରେ ମହିଳାଜଣକ ଘରକୁ ଯିବା ଲାଗି ଗାଡ଼ିକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ‌ଅଟୋ ଚାଳକ ତାଙ୍କୁ ଘର ପାଖ ବଜାରରେ ଛାଡ଼ିଦେବ କହି ଡାକିଥିଲା। ପୂର୍ବରୁ ସେଥିରେ ଦୁଇଜଣ ଯୁବକ ବସିଥିଲେ। କିଛି ବାଟ ଗଲା ପରେ ଯୁବକଦ୍ବୟ ଅଟୋ ଭିତରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ମହିଳାଜଣକ ଏହାକୁ ବିରୋଧ କରିଥିଲେ ବି ଅଟୋ ଚାଳକ କିଛି ଶୁଣିନଥିଲେ। ପରେ ଦୁର୍ବୃତ୍ତଦ୍ବୟ ମହିଳାଙ୍କୁ ତାଙ୍କ ଓଢ଼ଣୀରେ ବାନ୍ଧି ପକାଇ ସହର ଉପକଣ୍ଠ ଏକ ନିଛାଟିଆ ଜାଗାକୁ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ଥିବା ୩ ଜଣ ମଦ୍ୟପ ଯୁବକଙ୍କ ସହ ମିଶି ମହିଳାଙ୍କୁ ନିର୍ଯାତନା ଦେବା ସହ ପ୍ରବଳ ମାଡ଼ ମାରିଥିଲେ। ଦୁଷ୍କର୍ମ କରିବା ପରେ ତାଙ୍କ ପିଠି, ହାତକୁ ହାଣି ପକାଇବା ସହ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତାକ୍ତ କରିଥିବା ମହିଳା ଅଭିଯୋଗ ଆଣିଛନ୍ତି। କୌଣସିପ୍ରକାର ସେ ଖସି ଆସି ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପହଞ୍ଚି ସାହାଯ୍ୟ ମାଗିବା ସହ ନିଜ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ‌ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଯାଜପୁର ସହରରେ ଏଭଳି ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

State

ଆହୁରି ୪ ଦିନ ନିଆଁ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ:- ଜଳୁଛି ସାରା ଓଡିଶା, ତାତିର ତାଉରେ ସିଜୁଛନ୍ତି ଓଡ଼ିଶାବାସୀ। ରାଜ୍ୟରେ ଅସମ୍ଭାଳ ତାତିକୁ ନେଇ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆହୁରି ୪ ଦିନ କଲବଳ କରିବ ଅସହ୍ୟ ଗରମ ଓ ଗୁଳୁଗୁଳି। ୨ ଦିନ ଯାଏ ସିଭିୟର ହିଟ ୱେଭକୁ ନେଇ ଝାରସୁଗୁଡା ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ତାତିରୁ ନାହିଁ ନିସ୍ତାର । ୪୬ ଡିଗ୍ରୀ ପାର କରିବ ଦିନର ତାପମାତ୍ରା l ସେହିପରି ନୂଆପଡା, ବରଗଡ଼, କଳାହାଣ୍ଡି, ଦେଓଗଡ ଓ ଅନୁଗୁଳ ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, କେନ୍ଦୁଝର ,ଢେଙ୍କାନାଳ ଓ ଗଜପତି ଏହି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ଯାଜପୁର, କଟକ, ଜଗସିଂହପୁର, ପୁରୀ ଖୋର୍ଦ୍ଧା, ନୟାଗଡ,ଗଂଜାମ, କେନ୍ଦୁଝର, ଢେଙ୍କାନାଳ ଓ ଗଜପତି ଏହି ୧୩ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ଉଷ୍ମ ରାତ୍ରି ପାଇଁ ସମ୍ବଲପୁର, ସୁନ୍ଦରଗଡ ଓ ବଲାଙ୍ଗୀର ପାଇଁ ଅରେଞ୍ଜ ସହ ମୟୁରଭଞ୍ଜ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୨୭ ତାରିଖ ଯାଏଁ ଅସମ୍ଭାଳ ଗରମ ସହ ଗୁଳୁଗୁଳି ଜାରି ରହିବା ସହ ଆଗାମୀ ୪ ଦିନ ଯାଏ ୨ ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୭ ପରେ ପାଗରେ ପରିବର୍ତ୍ତନ ସହ ପୁଣି କାଳବୈଶାଖୀ ବର୍ଷାର ସମ୍ଭାବନା ଦେଇଛି ବିଭାଗ ।

State

ସବୁଠି ଆତଙ୍କୀଙ୍କୁ ଦୃଢ଼ ନିନ୍ଦା, କ୍ୟାଣ୍ଡେଲ ଶୋଭାଯାତ୍ରା

Blog Thumbnail

ଦ କୁଇଭର ବ୍ୟୁରୋ:- ଜାମ୍ମୁ କାଶ୍ମୀର ର ପହଲଗାମରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ସାରା ଦେଶ ଆଜି ସ୍ତବ୍ଧ। ଏଭଳି ଏକ ବର୍ବରଚିତ ହମଲା କୁ ଦୃଢ଼ ନିନ୍ଦା କରିଛି ଉଦଳା ୟୁନିକ ପ୍ରେସ କ୍ଲବ। ଯାହାକୁ ନେଇ ଆଜି ଉଦଳା ୟୁନିକ ପ୍ରେସ କ୍ଳବର ସଦସ୍ୟଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଏକତ୍ରିତ ହୋଇ ଏକ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଉଦଳା ବସଷ୍ଟାଣ୍ଡ ଜଗଦ୍ଧାତ୍ରୀ ମନ୍ଦିର ନିକଟରୁ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ସ୍ଥାନୀୟ ହନୁମାନ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମୃତକ ପରିବାର ପ୍ରତି ସମବେଦନା ସହିତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ କ୍ୟାଣ୍ଡେଲ ଜାଳିବା ସହିତ ନିରବ ପ୍ରାର୍ଥନା କରିଥିଲେ। ଭାରତ ସରକାର ଏହି ଘଟଣା କୁ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଚିହ୍ନଟ ଆତଙ୍କୀ ମାନଙ୍କୁ ତୁରନ୍ତ ମାରି ଦେବା ସହିତ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ଜରୁରୀ ବୋଲି ମତ ଦେଇଥିଲେ ସଦସ୍ୟ। ଏହା ବ୍ୟତୀତ ଇଟା ର ଜବାବ ପଥରରେ ଦେବା ଜରୁରୀ ବୋଲି କହିଛନ୍ତି।


State

ସପ୍ତାହେ ତାତିରୁ ନିସ୍ତାର ନାହିଁ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ସବୁଠି ପାରଦ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ। ଗୋଟିଏ ଦୁଇଟି ସ୍ଥାନରେ ତାତି ୪୮ ଡିଗ୍ରି ଛୁଇଁପାରେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ, ନୂଆପଡ଼ା, ବରଗଡ, କଳାହାଣ୍ଡି, ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା‌, ଜଗତ୍‌ସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ପାଗ ରହିବାର ସମ୍ଭାବନା ରହିଛି। ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଜିଲ୍ଲାରେ ଉଷ୍ମ ରାତି ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ/ସନ୍ଧ୍ୟାରେ ୩୦ରୁ ୪୦ କିମି ବେଗରେ ପବନ ସହିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପରିସ୍ଥିତିର ଗମ୍ଭୀରତା ଦେଖି ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

Education

ଛୁଟି ହେଲା ଅଙ୍ଗନବାଡି, ଶିଶୁବାଟିକାରୁ ଦ୍ବାଦଶ ପର୍ଯ୍ୟନ୍ତ ; ଖୋଲା ରହିବ ହଷ୍ଟେଲ ଓ ଚାଲିବ ପରୀକ୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜିଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଏପ୍ରିଲ ୨୩ରୁ ଅଙ୍ଗନବାଡି, ଶିଶୁବାଟିକାଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଏ ସଂପର୍କରେ ସମୀକ୍ଷା କରିବା ପରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ଅଙ୍ଗନବାଡି ପିଲାମାନଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଏପ୍ରିଲ ୨୩ ତାରିଖରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ। ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ହଷ୍ଟେଲ ପିଲାମାନେ ଚାହିଁଲେ, ଏହି ଛୁଟି ସମୟରେ ହଷ୍ଟେଲରେ ରହିପାରିବେ।

State

ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ୪୦ ଛୁଇଁଲା

Blog Thumbnail

ଦ କୁଇଭର ବ୍ୟୁରୋ:- ଶିମିଳିପାଳରେ ବଢୁଛି ମହାବଳ ବାଘ ବଂଶ। ବର୍ତ୍ତମାନ ଶିମିଳିପାଳରେ ଅଛନ୍ତି ୪୦ ମହାବଳ। । ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି। ବର୍ଷକରେ ମହାବଳ ବାଘ ସଂଖ୍ୟା ୧୦ ବଢିଲା । ଚଳିତ ବର୍ଷ କ୍ୟାମେରା ଟ୍ରାପରୁ ଏହା ସ୍ପଷ୍ଟ ହୋଇଛି। ଜିନତ୍ ଓ ଯମୁନା ବ୍ୟତିତ ଶିମିଳିପାଳରେ ଥିବା ଆଡଲ୍ଟ ମହାବଳ ମଧ୍ୟରୁ ଯମୁନା ଓ ଜୀନତ ବ୍ୟତିତ ୧୩ ଟି ପୁରୁଷ ମହାବଳ ଓ ୧୭ ଟି ବାଘୁଣୀ ଅଛନ୍ତି। ଅନ୍ୟ ଦୁଇଟି ମହାବଳ ପୁରୁଷ ନା ବାଘୁଣୀ ତାହା ସ୍ପଷ୍ଟ ହୋଇପାରିନି। ସେହିପରି ଶିମିଳିପାଳରେ ଥିବା ମହାବଳ ମଧ୍ୟରୁ ୧୮ ଟି କଳା ମହାବଳ ଅଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଏ ସଂଖା ୧୦୦ କୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ । ଏନେଇ କହିଛନ୍ତି ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା। ଅନ୍ୟପଟେ ଗୁରୁବାର ମୟୂରଭଞ୍ଜର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଥିଲେ ରାଜ୍ୟ ସରକାର । ଦୀର୍ଘ ୪୫ ବର୍ଷ ପରେ ପୂରଣ ହୋଇଛି ଦାବି । ୧୯୮୦ ମସିହାରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରଦାନ ନେଇ ପ୍ରସ୍ତାବ ରଖାଯାଇଥିଲା ।

State

ଆଜିଠୁ ୪ ଦିନ କାଳବୈଶାଖୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଜିଠୁ ୪ ଦିନ କାଳବୈଶାଖୀ ବର୍ଷା । ଆଜି ଅପରାହ୍ଣରେ ମାଲକାନଗିରି, ଗଞ୍ଜାମ, କୋରାପୁଟ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ିର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ସେହିପରି ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର ଓ ବଲାଙ୍ଗୀରକୁ ହିଟୱେଭ ପାଇଁ ୟେଲୋ ଚେତାବନୀ ଜାରି କରାଯାଇଛି । ତାତି ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି କାଳବୈଶାଖୀ ପାଇଁ ୭ ଜିଲ୍ଲା କୋରାପୁଟ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର ଓ ଭଦ୍ରକକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ବିଜୁଳି, ଘଡ଼ଘଡ଼ି ଓ ପବନ ପାଇଁ ୧୮ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ୨୯ ତାରିଖ ଯାଏ କାଳବୈଶାଖୀ ଆଶଙ୍କା ରହିଛି । ୩ ଦିନରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଏହାପରେ ଦିନ ତାପମାତ୍ରାରେ ୩ରୁ ୫ ଡିଗ୍ରି ସେଲସିୟସ ହ୍ରାସ ହୋଇପାରେ ।

State

ବ୍ରହ୍ମପୁର ପ୍ରସିଦ୍ଧ ମା'ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Blog Thumbnail

ବ୍ରହ୍ମପୁର( ଦ କୁଇଭର) :- ଦକ୍ଷିଣ ଓଡ଼ିଶା ର ପ୍ରମୁଖ ବ୍ରହ୍ମପୁର ସହର ରେ ଚାଲିଛି ମା ବୁଢ଼ୀ ଠାକୁରାଣୀ ଙ୍କ ଦୁଇ ବାର୍ଷିକ ଯାତ୍ରା l ପ୍ରାୟ ମାସେ ଧରି ଏହି ଯାତ୍ରା ଚାଲିଥିବା ବେଳେ ଅନେକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ମା'ଙ୍କ ଦର୍ଶନ ପାଈବା ପାଇଁ l ପ୍ରତିଦିନ ଲକ୍ଷାଧିକ ଭକ୍ତ ମା'ଙ୍କ ଅପାର କୃପା ଲାଭ କରିବା ପାଇଁ ଅନତୀ ଦୂରରୁ ଧାଇଁ ଆସନ୍ତି l ତେବେ ଏହି ଅଭିମୁଖେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବ୍ରହ୍ମପୁର ଆସି ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଲାଭ କରିବା ସହ ଗଞ୍ଜାମ ପ୍ରସିଦ୍ଧ ତଥା ମା'ଙ୍କ ଯାତ୍ରାରେ ପ୍ରମୁଖ ବେଶ ବାଘନାଚ ଦେଖି ଖୁସି ହୋଇଛନ୍ତି ମୁଖ୍ୟମନ୍ତ୍ରୀ l

State

ମୁଖ୍ୟମନ୍ତ୍ରୀଙ୍କ ଆସିକା ବିଧାୟକଙ୍କୁ ଅଣଦେଖା : ସାଧାରଣରେ ଚର୍ଚ୍ଚା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆସିକା ବିଧାୟକଙ୍କ କଥା ପସନ୍ଦ ଆସୁନି କି.... ଆସିକା ବିଧାୟକ ଯାହା କହିବାକୁ ଚାହୁଁଛନ୍ତି ତାହା ମୁଖ୍ୟମନ୍ତ୍ରୀ ଶୁଣିବାକୁ ଚାହୁଁନାହାନ୍ତି କି... ଏମିତି କ'ଣ କହିଲେ ବିଧାୟକ ଯେ ମୁଖ୍ୟମନ୍ତ୍ରୀ ସିଧା ତାଙ୍କ ହାତକୁ ଟାଣିଦେଲେ... ପ୍ରତ୍ୟେକ ଥର ଭଳି ଆଜି ମଧ୍ୟ ଆସିକା ବିଧାୟକଙ୍କୁ ଜାଣିଶୁଣି କୋଣଠେସା କରୁନାହାନ୍ତି ତ... ଏମିତି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ଚାଲିଛି l


ରବିବାର ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁର ପ୍ରସିଦ୍ଧ ମା'ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରାରେ ପହଞ୍ଚି ମା'ଙ୍କ ଆଶୀର୍ବାଦ କାମନା କରିଥିଲେ l ସମଗ୍ର ରାଜ୍ୟ ତଥା ଜିଲ୍ଲାବାସୀଙ୍କ ଶୁଭ ମନାସି ପୂଜା କରିବା ସହ ପାରମ୍ପରିକ ପ୍ରସିଦ୍ଧ ବେଶ ବାଘ ନାଚ ଦେଖି ବେଶ ଖୁସିବ୍ୟକ୍ତ କରିଥିଲେ l ସାଙ୍ଗରେ ଥିଲେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ସମେତ ଅନେକ ବିଧାୟକ ଏବଂ ବିଜେପି କର୍ମୀ ଉପସ୍ଥିତ ରହିଥିଲେ l ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ବାଘ ବେଶ ଧାରୀ ତଥା ମାନସିକଧାରୀ ବାଘ ବେଶ ପଡ଼ିଥିବା ଭକ୍ତମାନେ ନୃତ୍ୟ ପରିବେଶଣ କରୁଥିବା ସମୟରେ ହଟାତ କିଛି କହିବାକୁ ଚେଷ୍ଟା କରୁଥିଲେ ହାତ ଦେଖାଇ, ଠିକ ସେହି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସରୋଜ ବାବୁଙ୍କ କଥା ନ ଶୁଣି ଓଲଟା ତାଙ୍କ ହାତକୁ ପଛ ଆଡୁ ଟାଣି ନେଇଥିଲେ l ଯାହାକି ପ୍ରବଳ ଜନ ସମାଗମ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ପ୍ରକାଶ ହୋଇଥିବା ପରିଲକ୍ଷିତ ହୋଇଥିଲା l ଜଣେ ରାଜ୍ୟର ମୁଖିଆ, ନିଜ ଦଳୀୟ ବିଧାୟକଙ୍କୁ ଏମିତି ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଏହି ପ୍ରକାର ବ୍ୟବହାର କରିବା... ଅନେକେ ସହ୍ୟ କରିପାରୁନାହାନ୍ତି ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପରିଲକ୍ଷିତ ହୋଇଛି l


ପୂର୍ବରୁ ମଧ୍ୟ ଏମିତି ଅନେକ ଥର ଆସିକା ବିଧାୟକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୋଣଠେସା କରିବା ନଜିର ରହିଛି l ମୁଖ୍ୟମନ୍ତ୍ରୀଙ୍କ ଏହିଭଳି କିଛି କାର୍ଯ୍ୟ ସମାଜକୁ ଅନ୍ୟ ଦିଗକୁ ପ୍ରେରିତ କରିଥିବା ଲୋକ ଅଭିଯୋଗ କରୁଛନ୍ତି l ତେବେ ଏମିତି ବ୍ୟବହାର ନ ରଖି ସମସ୍ତଙ୍କୁ ନିଜର କରି ଏକ କରି ଆଗକୁ ବଢିବାପାଇଁ ଜନ ସମାଜ ରେ ଦାବି ଉଠୁଛି l

International,National

ଭାରତୀୟ ନାଗରିକଙ୍କୁ ପାକିସ୍ତାନ ନଯିବାକୁ ପରାମର୍ଶ

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତୀୟ ନାଗରିକଙ୍କୁ ପାକିସ୍ତାନ ନଯିବାକୁ ସତର୍କ କରାଇବା ସହ ପରାମର୍ଶ ଦେଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । କୌଣସି ପରିସ୍ଥିତିରେ ବି ପାକିସ୍ତାନ ଗସ୍ତ ନକରିବାକୁ କୁହାଯାଇଛି ଏଥିସହ ଯେଉଁମାନେ ପାକିସ୍ତାନରେ ଅଛନ୍ତି ସେମାନଙ୍କ ମଧ୍ୟ ଭାରତ ତୁରନ୍ତ ଫେରି ଆସିବାକୁ କୁହାଯାଇଛି । ସୁରକ୍ଷା କ୍ୟାବିନେଟ କମିଟିର ପାକିସ୍ତାନ ବିରୁଦ୍ଧରେ କୂଟନୀତି ଆକ୍ରମଣ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଏହି ପରାମର୍ଶ ଜାରି କରାଯାଇଛି । ଅନ୍ୟପଟେ ପହଲଗାମ୍ ହମଲା ପରେ ଆକ୍ସନ ମୋଡରେ ସରକାର ଆସିଥିବା ବେଳେ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଛି ଭାରତ । ଯେଉଁ ପାକିସ୍ତାନୀ ନାଗରିକ ଭିସା ପାଇଛନ୍ତି ତାର ସମୟସୀମା ଏପ୍ରିଲ ୨୭ ଯାଏଁ ରହିଛି । ମାନେ ୨୭ ତାରିଖ ପରେ ଭିସା ରଦ୍ଦ । ସେହିପରି ଯେଉଁ ପାକିସ୍ତାନୀ ନାଗରିକଙ୍କୁ ମେଡିକାଲ ଭିସା ମିଳିଛି ତାହା ୨୯ ତାରିଖ ପରେ ରଦ୍ଦ ହେବ । ତେଣୁ ଯେଉଁ ପାକିସ୍ତାନୀ ଭାରତରେ ରହିଛନ୍ତି ୭୨ ଘଣ୍ଟା ଭିତରେ ଭାରତ ଛାଡନ୍ତୁ । ଭିସା ଅବଧି ଶେଷ ହେବା ପୂର୍ବରୁ ଭାରତ ଛାଡି ସ୍ବଦେଶ ଫେରିଯିବାରୁ କଡା ନିର୍ଦ୍ଦେଶ ଦିଆଯାଇଛି ।

State,National

ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା

Blog Thumbnail

ଶିମିଳିପାଳ( ଦ କୁଇଭର):- ଦୀର୍ଘ ଦିନର ବ୍ୟବଧାନ ପରେ ଶିମିଳିପାଳକୁ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା। ଯାହା ଓଡ଼ିଶାର ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇ ରହିବ ବୋଲି କହିଛନ୍ତି, ପିସିସିଏଫ ପ୍ରେମ କୁମାର ଝା। ଆମ ଶିମିଳିପାଳ ଯୋଜନା ପାଇଁ ଚଳିତ ବର୍ଷ ୨୦୨୫ ବଜେଟ୍‌ରେ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶିମିଳିପାଳ ଆମ ରାଜ୍ୟର ଗର୍ବ ଓ ଗୌରବ। କେବଳ ଆମ ରାଜ୍ୟ ନୁହେଁ, ଏପରି କି ସମଗ୍ର ଭାରତରେ ଶିମିଳିପାଳ ଏକ ଅନନ୍ୟ ଜୈବବିବିଧତା ସୁନାମ ଆଣି ଦେଇଛି। ୧୯୮୦ ମସିହାରେ ଆରମ୍ଭ ହୋଇଥିବା ଏହି ଦୀର୍ଘକାଳୀନ ପ୍ରସ୍ତାବ ଏବେ ସାକାର ହୋଇଛି। ଏହା ଓଡ଼ିଶାରେ ସଂରକ୍ଷଣ ପାଇଁ ଏକ ବଡ଼ ପଦକ୍ଷେପ" ବୋଲି କହିଛନ୍ତି ପିସିସିଏଫ ପ୍ରେମ କୁମାର ଝା। ଅଞ୍ଚଳ ଜଙ୍ଗଲ କ୍ଷୟ, ବିସ୍ଥାପନ ଏବଂ ସ୍ଥାନୀୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପାଇଁ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଉପଲବ୍ଧତାର ଅଭାବ ଆଦି ଚ୍ୟାଲେଞ୍ଜର ମଧ୍ୟ ସମ୍ମୁଖୀନ ହେଉଛି।

State

ବିଧାୟକଙ୍କ ନାମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟଙ୍ଗ : ସାଧାରଣରେ ଅସନ୍ତୋଷ

Blog Thumbnail

ଗଞ୍ଜାମ( ଦ କୁଇଭର):- ରବିବାର ଗଞ୍ଜାମ ଗସ୍ତ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ ପ୍ରଥମେ ବ୍ରହ୍ମପୁର ମା' ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ରେ ପହଞ୍ଚି ମା'ଙ୍କ ଆଶୀର୍ବାଦ ଭିକ୍ଷା କରି ରାଜ୍ୟର ଶୁଭମନାସି ଥିଲେ l ପରେ ବାଘ ନାଚ ଦେଖିବା ସମୟରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କୁ ଅଣଦେଖା କରିବା ନଜର ଆସିଥିଲା l ପରେ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ବିଦ୍ୟାଳୟ ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଅପମାନ କରୁଥିବା ପରିଲକ୍ଷିତ ହୋଇଛି l ନିଜେ ମୁଖ୍ୟମନ୍ତ୍ରୀ, ନିଜ ଦଳୀୟ ନେତା ତଥା ଚିକିଟି ବିଧାୟକଙ୍କ ନାମକୁ ଠିକ ଭାବରେ ଉଚ୍ଚାରଣ ନ କରି ଅନ୍ୟ ପ୍ରକାରେ ବିଧାୟକଙ୍କ ନାମକୁ କହିଥିଲେ,ତଥା ବିଧାୟକ ଙ୍କ ନାମକୁ ନେଇ ବ୍ୟଙ୍ଗ କରିବା, ଆଉ ସେହି ଭିଡିଓ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି l ଯାହାକୁ ଦେଖିବା ମାତ୍ରେ ଯେ କେହି ଭି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଡାକିବା ଶୈଳୀ କୁ ନାପସନ୍ଦ କରିବା ସହ ଦୃଢ଼ ନିନ୍ଦା କରୁଛନ୍ତି, ବିଶେଷ କରି ଚିକିଟି ବାସୀ ଦୃଢ଼ ନିନ୍ଦା କରୁଛନ୍ତି। ମୁର୍ଖ ମୁଖ୍ୟମନ୍ତ୍ରୀ ହାଏ ହାଏ ବୋଲି ଚିକିଟି ଅଞ୍ଚଳ ରେ ନାରାବାଜି ହୋଇଥିବା ପରିଲକ୍ଷିତ ହୋଇଛି l ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଥିବା ପରିଲକ୍ଷିତ ହୋଇଛି l ତେବେ ଏନେଇ ଚିକିଟି ବିଧାୟକଙ୍କ କୌଣସି ପ୍ରତିକ୍ରିୟା ଏଯାବତ ମିଳିପାରିନାହିଁ l

Shree Jagannath

ଆତଙ୍କୀ ଘଟଣା ପରେ ପୁରୀ ରେ କଡାକଡି ସୁରକ୍ଷା

Blog Thumbnail

ପୁରୀ( ଦ କୁଇଭର):- ପହଲଗାମ୍‌ରେ ପର୍ଯ୍ୟଟକଙ୍କୁ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ନିୟୋଜିତ ହେଲେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟଙ୍କ ସହ ଦୁଇଜଣ ଡେପୁଟି କମାଣ୍ଡାଣ୍ଟ ଓ ତିନିଜଣ ଆସାଷ୍ଟାଣ୍ଟ କମାଣ୍ଡାଣ୍ଟ । ଆସନ୍ତା ୨୮ ତାରିଖ ପୂର୍ବରୁ ଏମାନଙ୍କୁ ଡ୍ୟୁଟିରେ ଯୋଗଦେବାକୁ ବା ଦାୟିତ୍ୱ ନେବାକୁ ପୋଲିସ ହେଡକ୍ୱର୍ଟରର ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଭାବେ ତାପସ ରଞ୍ଜନ ଦାସଙ୍କୁ ନିୟୋଜିତ କରାଯାଇଛି । ଦିନକୁଦିନ ଶ୍ରମନ୍ଦିରରେ ଭକ୍ତଙ୍କ ସଂଖ୍ୟାବୃଦ୍ଧି ସରକାର ଓ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ତେଣୁ ଆଗକୁ ଦର୍ଶନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣି ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଯୋଗାଇଦେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ନାଁରେ ସ୍ୱତନ୍ତ୍ର ଟିମ୍ ଶ୍ରୀମନ୍ଦିର ସୁରକ୍ଷା ଓ ଶୃଙ୍ଖଳା ଦାୟିତ୍ୱରେ ରହିବ । ବାଟାଲିୟନରେ ଅଭିଜ୍ଞତା ଥିବା ପୋଲିସଙ୍କୁ ୩ ବର୍ଷ ପାଇଁ ଡେପୁଟେସନରେ ଅଣାଯିବ ।


ରାଜ୍ୟ ଶସସ୍ତ୍ର କ୍ୟାଡରର ଜଣେ କମାଣ୍ଡାଣ୍ଟ, ଦୁଇ ଜଣ ଡେପୁଟି କମାଣ୍ଡାଣ୍ଟ, ତିନିଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ, ୮ ଇନ୍ସପେକ୍ଟର, ୩୧ ସବ୍ ଇନ୍ସପେକ୍ଟର , ୨୪ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ନିଯୁକ୍ତ ହେବ।ତେଵେ ଏହି ସୁରକ୍ଷା ବାହିନୀ ଆଣ୍ଟି ଟେରରିଷ୍ଟ ଅପରେସନ ସହ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ,ଶ୍ରୀଗୁଣ୍ଡିଚା ମନ୍ଦିର, ପରିକ୍ରମା ପ୍ରକଳ୍ପ, ମାଉସୀ ମା’ ମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ । ୧୦୮୩ ଜଣଙ୍କୁ ନିଯୁକ୍ତି ଦେବାକୁ ପୂର୍ବରୁ ଯୋଜନା ହୋଇଥିଲେ ହେଁ ଏବେ ଏହି ସଂଖ୍ୟା ୧୨ ଶହରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଆଗକୁ ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା କରିବାକୁ ଯାଉଥିବା ବେଳେ ଏହି ସଶସ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି ଫଳପ୍ରଦ ହେବ ବୋଲି ମତ ପ୍ରକାଶ ପାଇଛି ।

State

ଅଙ୍ଗନବାଡି ସୁପରଭାଇଜର ପାଇଁ ଯୋଗ୍ୟତା ଗ୍ରାଜୁଏସନ

Blog Thumbnail

ଦ କୁଇଭର ବ୍ୟୁରୋ:- ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ରହିବ ଗ୍ରାଜୁଏସନ । ଆଗରୁ ମାଟ୍ରିକ ଥିଲା । ବୁଧବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହା ସହ ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃ ଗଠନ କରାଯାଇ ୨୪ ପଦବୀ ସୃଷ୍ଟି କରାଯାଇଛି ।ଅବକାରୀ ବିଭାଗର କନେଷ୍ଟବଲ ମାନଙ୍କୁ ଜିଲ୍ଲା କ୍ୟାଡର କରାଯାଇଛି । ଜଳସମ୍ପଦ ବିଭାଗର ୧୦୮ କୋଟିର ବୈତରଣୀ ଲେଫ୍ଟ ଏବଂ ରାଇଟ କେନାଲ ହେବ । ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝରର ୬୦ ହଜାର ହେକ୍ଟର ଜମି ଜଳ ସେଚିତ ହେବ । ସ୍ୱାସ୍ଥ୍ୟ ବିଭାଗର ୧୦୮ ସେବା ପାଇଁ ଆଗାମୀ ୫ ବର୍ଷ ପାଇଁ ୨୩୯୮ କୋଟି କ୍ୟାବିନେଟ ମଂଜୁର କରିଛି । ୮୬୬ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ରମ ଚାଲିବ। ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟରେ ୬ ଟି ପ୍ରସ୍ତାବ ଅନୁମୋଦିତ ହୋଇଛି ।ମହିଳା ଏବଂ ଶିଶୁ କଲ୍ୟାଣ ସେବାକୁ ଆଗକୁ ବଢାଇବା ପାଇଁ ଓଡ଼ିଶା ଶିଶୁ ଏବଂ ମହିଳା କଲ୍ୟାଣ ସେବା ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ଯାହା ଦ୍ୱାରା ଜୁନିଅର ଗ୍ରେଡ୍ ପଦବୀ ପାଇଁ ଆବେଦନ କରୁଥିବା ଅଙ୍ଗନୱାଡି କର୍ମୀଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହାଇସ୍କୁଲ ପାସ୍ ପରିବର୍ତ୍ତେ ସ୍ନାତକ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

State

ହାଇଆଲର୍ଟ ଜାରି : ଓଡ଼ିଶା ଛାଡିବେ ୧୨ ପାକିସ୍ତାନୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଦୀର୍ଘ କାଳୀନ ଭିସାରେ ଓଡିଶାରେ ଅଛନ୍ତି ୧୨ ପାକିସ୍ତାନୀ ନାଗରିକ । ସେମାନଙ୍କୁ ଭାରତ ଛାଡିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଭାରତ ଛାଡିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପହଲଗାମ ଘଟଣା ପରେ ଓଡିଶାରେ ଅନୁପ୍ରବେଶକାରୀଙ୍କୁ ନେଇ ଚ୍ୟାଲେଞ୍ଜ ରହିଛି । ଏ ନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଦେଶରେ ପାକିସ୍ତାନ ଓ ପାକିସ୍ତାନୀଙ୍କୁ ନେଇ ସମ୍ବେଦନଶୀଳ ସ୍ଥିତି ଥିବାବେଳେ ସେମାନଙ୍କ ନାଁ ଓ ପରିଚୟ ଗୋପନ ରଖିଛନ୍ତି ସରକାର ।


କାଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣ ଘଟଣାରେ ଅନେକ ପର୍ଯ୍ୟଟକ ଓ ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ପରେ ଏବେ ଓଡ଼ିଶାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଏନେଇ ପୋଲିସ ମୁଖ୍ୟାଳୟରୁ ରାଜ୍ୟର ସମସ୍ତ ଜିଲ୍ଲା ଏସପି ଓ ଡିସିପି ଓ ସ୍ପେଶାଲ ସିକୁରିଟି ବାଟଲିୟନ ମାନଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି। ଏଥିପାଇଁ ଯଥା ସମ୍ଭବ ଆଗୁଆ ପ୍ରସ୍ତୁତ ରହିବା ପାଇଁ କିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ବିଶେଷ କରି ଏନେଇ ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିକୁ ଧ୍ୟାନ ଦେବାକୁ ପରାମର୍ଶ କରାଯାଇଛି। ବିଶେଷ କରି ରାଜ୍ୟକୁ ଆସୁଥିବା ପର୍ଯଟକ ଓ ସେମାନଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ସେମାନଙ୍କ ଗନ୍ତବ୍ୟ ସ୍ଥଳ ଓ ରହଣିସ୍ଥଳ ମାନଙ୍କ ଉପରେ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ନିର୍ଦେଶାବଳୀ ଜାରି କରାଯାଇଛି । ବିଶେଷ କରି ପର୍ଯଟନସ୍ଥଳୀ ମାନଙ୍କରେ ହାଇଆଲର୍ଟ ରହିବା ପାଇଁ ନିର୍ଦେଶ ରହିଛି। ସାଧା ପୋଷାକରେ ଅଫିସର ବା ପୋଲିସ କର୍ମଚାରୀ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ସ୍ଥାନୀୟ ପୋଲିସ ସେସବୁ ସ୍ଥାନ ମାନଙ୍କ ପର୍ଯ୍ୟାୟକ୍ରମେ ସୁରକ୍ଷାକୁ ଗୁରୁତ୍ବ ଦେଇ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ନିର୍ଦେଶ ରହିଛି। ଏପରିକି ପର୍ଯଟଙ୍କ ମନରେ ଯେପରି ଭୟ ଓ ଆତଙ୍କ ସୃଷ୍ଟି ହେଲା ଭଳି ପରିସ୍ଥିତି ନ ଉପୁଜେ ସେନେଇ ପୋଲିସ ମୁତୟନ କରିବା ପାଇଁ ଓ ଗୁଇନ୍ଦା ନଜର ରଖିବା ପାଇଁଁ ମଧ୍ୟ କୁହାଯାଇଛି। ଏଥି ସହ ଜନଗହଳିପୂର୍ଣ୍ଣ ସ୍ଥାନ ତଥା ସଂପି ମଲ ଓ ହସ୍ପିଟାଲ ଓ ସିନେମା ହଲ ଭଳି ଅନେକ ଭିଡଭାଡ ଅଞ୍ଚଳକୁ ମଧ୍ୟ ଫୋକସ ଦେଇ ସେସବୁ ସ୍ଥାନ ଉପରେ ନଜର ଦେବାକୁ ମଧ୍ୟ କୁହାଯାଇଛି। ଅଧିକ ଆତାଯାତ ନଥିବା ବା ଦୂର ଥିବା ପର୍ଯଟନ ସ୍ଥଳୀ ଗୁଡିକରେ ମଧ୍ୟ ସୁରକ୍ଷାକୁ ପ୍ରାଧାନ୍ୟ ଦେବାକୁ କୁହାଯାଇଛି।ପୋଲିସ ବିଟ୍ ପାଟ୍ରୋଲିଂ ବଢାଇବା ପାଇଁ ଫୋକସ ଦିଆଯାଇଛି ।


ଏନେଇ ସମସ୍ତ ଥାନା ମାନଙ୍କରେ ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍ ସହ ଏମରଜେନସି ରେସପ୍ସ ଟିମ୍ ଓ ଥାନା ଷ୍ଟାଫ୍ ମଧ୍ୟ ରାତ୍ରି କାଳୀନ ହେଉ ବା ଦିନରେ ବିଶେଷ କରି ପୋଲିସ ପାଟ୍ରୋଲିଂକୁ କଡାକଡି ପାଇଁ ନିର୍ଦେଶ ଦିଆଯାଇଛି। ଏଥି ସହ ବିଭିନ୍ନ ସମ୍ବେଦନଶୀଳପୂର୍ଣ୍ଣ ସ୍ଥାନ ଜାତୀୟ ସୁରକ୍ଷାକୁ ପ୍ରଧାନ୍ୟ ଦେଉଥିବା ସ୍ଥାନ ସହ ରେଳ ଷ୍ଟେସନ ,ଏୟାରପୋର୍ଟ ଓ ବସଷ୍ଟାଣ୍ଡ ଗୁଡିକ ଆଦି ସ୍ଥାନରେ ମଧ୍ୟ ପୋଲିସ ପାଟ୍ରୋଲିଂ ବଢ଼ାଇବାକୁ କୁହାଯାଇଛି । ଜନଗହଳି ସ୍ଥାନ ଓ ପର୍ଯଟକଙ୍କ ଭିଡ଼ ଥିବା ସ୍ଥାନ ସହ ବିଭିନ୍ନ ହୋଟେଲ ଓ ଅଧିକ ଜନସମାଗମ ସ୍ଥାନ ବା ଲୋକଙ୍କ ସମାଗମ କାର୍ଯକ୍ରମ ଓ ସଭାସ୍ଥଳୀ ଓ ପ୍ରାର୍ଥନାସଭା ବା ସଭାଗୃହ ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ସ୍ଥଳି ଆଦି ସ୍ଥାନ ମାନଙ୍କରେ ପୋଲିସ ପ୍ରହରା ବା ପାଟ୍ରୋଲିଂକୁ ଗୁରୁତ୍ବ ଦେବାକୁ କୁହାଯାଇଛି।ଓଡ଼ିଶାର ସୀମାକୁ ଲାଗିଥିବା ୪ଟି ରାଜ୍ୟ ହେଉଛନ୍ତି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ । ୧୫ ସୀମାବର୍ତ୍ତୀ ଜିଲ୍ଲାରେ ଅନେକ ଚେକ ପୋଷ୍ଟ ରହିଛି। ଚେକ୍ ପୋଷ୍ଟ ଉପରେ କଡା ନଜର ରହିବାକୁ ସୀମାବର୍ତ୍ତୀ ଜିଲ୍ଲାର ଏସପି ମାନଙ୍କୁ କଡ଼ା ନିର୍ଦେଶ ରହିଛି । ସିସିଟିଭି କଭରେଜ ଦ୍ବାରା ନଜର ରଖିବା ସହ ଜିଲ୍ଲା ଗୁଡିକ ଭିତରେ ମଧ୍ୟ ସୀମା ଭିତରେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ସୀମାରେ ମଧ୍ୟ ଚେକ ପୋଷ୍ଟ ରହିଛି । ଯେଉଁଠି ଯାନାବାହାନ ତନଖିବା ଓ ଅନ୍ୟ ଦିଗ ପ୍ରତି ନଜର ଦେବାକୁ କୁହାଯାଇଛି। ଏଥି ସହ ରାତ୍ରି କାଳିନ ସହରରେ ବ୍ଲକିଂ ଓ ଚେକିଂ ମଧ୍ୟ କରିବା ପାଇଁ ପ୍ରାଧାନ୍ୟ ଦିଆଯାଇଛି। ବିଶେଷ କରି ସହର ମାନଙ୍କରେ ରାତ୍ରି କାଳିନ ଗାଡି ଯିବାଆସିବା ଉପରେ ନଜର‌ ରଖିବା ସହ ଯଦି କୋୖଣସି ସଂଦେହ ଜନକ ଅବସ୍ଥାରେ କିଛି ଯାତାୟତ ହେଉଥିଲେ ମଧ୍ୟ ସେସବୁ ଦିଗ ପ୍ରତି ଧ୍ୟାନ ଦେବା ପାଇଁ କୁହାଯାଇଛି। ସାଧାରଣ ଲୋକଙ୍କ ଯାତାୟାତରେ ଯେପରି ବାଧା ସୃଷ୍ଟି ନ ହୁଏ ସେଥିପ୍ରତି ସଜାଗ ହେବାକୁ ମଧ୍ୟ କୁହାଯାଇଛି । ସେମାନଙ୍କର ମୁଖିଆ ଓ ସେମାନଙ୍କର ସଙ୍ଘ କର୍ମକର୍ତା ମାନଙ୍କ ସହ ମଧ୍ୟ ଯୋଗାଯୋଗରେ ରହିବା ପାଇଁ କୁହାଯାଇଛି। ବିଭିନ୍ନ ହୋଟେଲ ଓ ମୋଟରଯାନ ସଙ୍ଘ ବା ସଂସ୍ଥା ସହ ବିଭିନ୍ନ ସଂଗଠନ ସହ ଭାବରେ ଆଦାନ ପ୍ରଦାନର ମାଧ୍ୟମରେ ଯୋଗାଯୋଗ କରି ବିଭିନ୍ନ ଗତ ବିଧି ଉପରେ ନଜର ରଖିବାକୁ କୁହାଯାଇଛି। ଯଦି କୌଣସି ଅସ୍ବଭାବନୀୟ ଗତିବିଧି ବା ପରିସ୍ଥିତ ନଜରକୁ ଆସେ ପୋଲିସ ସହ ଯୋଗାଯୋଗରେ ରହି କିପରି ସେସବୁ ମୁକାବିଲା କରିହେବ ସେନେଇ ମଧ୍ୟ ଆଲୋଚନା କରାଯାଇଛି। ଏଥିସହ କୁଇକ ରେସପ୍ସ ଟିମକୁ ଆଲର୍ଟ ରହିବା ସହ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦେଶ ରହିଛି । ଏପରିକି କୋୖଣସି ଅପ୍ରିତୀକର ପରିସ୍ଥିତି ଉପୁଜିଲେ ଆତଙ୍କି ମୁକାବିଲା ପାଇଁ ପ୍ରସ୍ତୁତ ଥିବ ସ୍ବତନ୍ତ୍ର ଟିମ୍ । କୁଇକ ରେସପନ୍ସ ଟିମ୍, କାଉଣ୍ଟର ଟେରୋରିଷ୍ଟ ସ୍କ୍ୱାର୍ଡ, ସ୍ପେଶାଲ ଟାକ୍ଟିକାଲ ୟୁନିଟ , ବ୍ଲାକ କମାଣ୍ଡ ଭଳି ଦୁଶଧ ଯବାନ ମାନେ ଯେଉଁମାନେ ଏଭଳି ପରିସ୍ଥିତି ମୁକାବିଲା ପାଇଁ ତାଲିମ ପ୍ରାପ୍ତ ସେମାନଙ୍କୁ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି। ଏଥି ସହ ଜିଲ୍ଲାର ଫୋର୍ସ ଓ ବାଟାଲିୟନ ମାନଙ୍କୁ ମଧ୍ୟ ପୁରା ଆଲର୍ଟ ସହ କୋୖଣସି ପରିସ୍ଥିତିରେ କେଉଁଠିକୁ ଯିବା ପାଇଁ ମଧ୍ୟ ଅସ୍ତ୍ରଶସ୍ତ୍ର ସହ ସବୁ ସଜାଗ ରହିବା ପାଇଁ ଜିଲ୍ଲାର ଆରଆଇ ଓ କମାଣ୍ଡାଟ ମାନଙ୍କୁ ଆଲର୍ଟ ରହିବା ପାଇଁ ଜିଲ୍ଲାର ଏସପି ମାନଙ୍କୁ ନିର୍ଦେଶ କରାଯାଇଛି। ସମସ୍ତ ପ୍ରକାର ଗତିବିଧି ସହ ଗୁଇନ୍ଦା ଆଧାର କରି ବିଭିନ୍ନ ସୂଚନା ଓ ପଡୋଶୀ ଜିଲ୍ଲା ମାନଙ୍କ ସହ ସୂଚନା ଆଦାନ ପ୍ରଦାନ କରି ଆଲର୍ଟ ରହିବା ପାଇଁ ନିର୍ଦେଶ ରହିଛି । ଏଥି ସହ ଏଭଳି ସମୟରେ ସର୍ବଦା ପ୍ରସ୍ତୁତ ଓ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଧାନ୍ୟ କରି ସବୁ ପ୍ରକାର ବ୍ୟବସ୍ଥା ପାଇଁ ଆଗୁଆ ପ୍ରସ୍ତୁତ ରହିବା ପାଇଁ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ରାଜ୍ୟ ଆଇନ ଶୃଙ୍ଖଳା ଅତିରିକ୍ତ ଡ଼ିଜିଙ୍କ ପକ୍ଷରୁ ଏନେଇ ମଧ୍ୟ ଜିଲ୍ଲାର ଏସପି ଓ ଡିସିପି ମାନଙ୍କ ସହ ରିତିମତ ଭାବେ ଯୋଗାଯୋଗ ରହିବାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି । ପୋଲିସ ଡିଜି କହିଛନ୍ତି ‘‘ଏନେଇ‌ କେନ୍ଦ୍ର ଗୃହ ବିଭାଗ ସହ ଆଲୋଚନା କରାଯାଇଛି। ଯାହା ନିର୍ଦେଶ ରହିଛି ସେନେଇ‌ ପ୍ରକ୍ରିୟା ଚାଲୁ ରହିଛି।

Sports

୫ ଓ୍ବିକେଟରେ ଚେନ୍ନାଇକୁ ପରାସ୍ତ କରିଛି ହାଇଦ୍ରାବାଦ

Blog Thumbnail

ଦ କୁଇଭର ବ୍ୟୁରୋ:-: ଚେପକ ଷ୍ଟାଡିୟମରେ ଆଜି ହାଇଦ୍ରାବାଦ ଓ ଚେନ୍ନାଇ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ l ଆଇପିଏଲରେ ବିଜୟ ଧାରାକୁ ଫେରିଲା ସନରାଇଜର୍ସ ହାଇଦ୍ରାବାଦ । ଚେନ୍ନାଇକୁ ଘରେ ପଶି ହରାଇଲା ଏସଆରଏଚ । ହର୍ଷ ପଟ୍ଟେଲଙ୍କ ଘାତକ ବୋଲି ଯୋଗୁଁ ଆଇପିଏଲରେ ତୃତୀୟ ବିଜୟ ହାସଲ କରିଛି କମିନ୍ସ ବାହିନୀ । ଆଇପିଏଲର ୪୩ ତମ ମୁକାବିଲାରେ ୫ ଓ୍ବିକେଟରେ ଚେନ୍ନାଇକୁ ପରାସ୍ତ କରିଛି ହାଇଦ୍ରାବାଦ । ଫଳରେ ତୃତୀୟ ବିଜୟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନକୁ ଉଠିଛି ଏସଆରଏଚ । ଚେନ୍ନାଇ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖି ଶେଷ ସ୍ଥାନରେ ହିଁ ରହିଛି । ଘାତକ ବୋଲି କରି ଆଜି ରନ କରିବାରେ ଧୋନି ବାହିନୀକୁ ଅଟକାଇଥିଲେ ହର୍ଷ ପଟ୍ଟେଲ । ସର୍ବାଧିକ ୪ ଓ୍ବିକେଟ ନେଇଥିବାରୁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି । ଶେଷ ଦୁଇଟି ମ୍ୟାଚ ପରାଜିତ ହୋଇଥିଲା ହାଇଦ୍ରାବାଦ । ଆଜି ପୁଣି ଦଳ ବିଜୟ ଟ୍ରାକକୁ ଫେରିଛି ।

Sports

୧୧ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି ଆରସିବି

Blog Thumbnail

ଦ କୁଇଭର ବ୍ୟୁରୋ :- ଘରୋଇ ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଜବରଦସ୍ତ ବିଜୟ । ବିରାଟ କୋହଲି, ଦେବଦତ୍ତ ପାଡିକ୍କଲଙ୍କ ଜବରଦସ୍ତ ବ୍ୟାଟିଂ ଓ ହେଜେଲଉଡଙ୍କ ଘାତକ ବୋଲିଂ ବଳରେ ଆଇପିଏଲରେ ଷଷ୍ଠ ବିଜୟ ହାସଲ କଲା ଆରସିବି । ଚଳିତ ଆଇପିଏଲର ୪୨ ତମ ମୁକାବିଲାରେ ୧୧ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି ଆରସିବି । ଗୁରୁବାର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରାଜସ୍ଥାନ ଓ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାୟାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ ପାଇଁ ଆରସିବିକୁ ଆମନ୍ତ୍ରଣ କରିଥିଲା । ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୫ କରିଥିଲା ବେଙ୍ଗାଲୁରୁ । ଜବାବରେ ରାଜସ୍ଥାନ ବିଜୟ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୯୪ ରନରେ ଅଟକି ଯାଇଥିଲା । ଷଷ୍ଠ ବିଜୟ ସହ ପଏଣ୍ଟ ଟେବୁଲ ତୃତୀୟରେ ଆରସିବି, ସପ୍ତମ ପରାଜୟ ସହ ଅଷ୍ଟମ ସ୍ଥାନକୁ ଖସିଲା ଆରଆର । ଚଳିତ ଆଇପିଏଲରେ କୋହଲି ପୁରା ଫର୍ମରେ ରହିଛନ୍ତି ବ୍ୟାକ ଟୁ ବ୍ୟାକ ସେ ଅର୍ଦ୍ଧଶତକ ହାସଲ କରିଚାଲିଛନ୍ତି ।