ଦ କୁଇଭର ବ୍ୟୁରୋ :- ଆଜି ୱାର୍ଲ୍ଡ ଫ୍ରେଣ୍ଡ୍ସିପ୍ ଡେ’ ବା ବିଶ୍ୱ ବନ୍ଧୁତ୍ୱ ଦିବସ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ବନ୍ଧୁତ୍ୱ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଉପହାର। ସାମାଜିକ ଜୀବନରେ ଏହି ସମ୍ପର୍କ ହେଉଛି ଅତି ନିବିଡ଼।
ବନ୍ଧୁଙ୍କ ପାଇଁ ଆଜିର ଦିନକୁ ପାଳନ କରାଯାଏ। ବନ୍ଧୁତ୍ୱର କିଛି ସ୍ମୃତିକୁ ତାଜା କରିବାକୁ ଯୁବପିଢୀ ଏହି ଦିବସକୁ ପାଳନ କରିଥାଆନ୍ତି। ଏହି ଦିନ କାର୍ଡ, ଗିଫଟ୍ ଓ ଫୁଲ ଦୋକାନମାନଙ୍କରେ ଭିଡ଼ ଦେଖିବାକୁ ମିଳିଥାଏ। ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଦେଇ ଉପହାର ଆଦାନ ପ୍ରଦାନ କରି ଏହି ଦିବସକୁ ପାଳନ କରାଯାଏ।
ଜନ୍ମରୁ ପ୍ରତ୍ୟେକଙ୍କ ସମ୍ପର୍କ ବାପାମାଆ ଏବଂ ପରିବାର ସହିତ ଥାଏ। କିନ୍ତୁ ବନ୍ଧୁତା ହେଉଛି ଏପରି ଏକ ସମ୍ପର୍କ, ଯାହାକୁ ତିଆରି କରିବାକୁ ହୋଇଥାଏ। ଏହା ନିଜର ଭାବନା ଉପରେ ଆଧାରିତ ଏକ ସମ୍ପର୍କ। ପିଲାଟି ଦିନରୁ ଏକ ଶିଶୁ ନିଜ ହୃଦୟ ସହିତ ଅନ୍ୟ ପିଲା ସହ ଜଡିତ ହୁଏ ଓ ତା’ ସହିତ ଖେଳିବାକୁ ପସନ୍ଦ କରେ। ଉଭୟ ପରସ୍ପରର ସାଥ୍ ଦେବାକୁ ପସନ୍ଦ କରନ୍ତି, ତେଣୁ ସେମାନେ ପ୍ରତିଦିନ ପରସ୍ପର ସହିତ ଖେଳନ୍ତି।ସେମାନେ ବଡ ହେଲା ପରେ ମଧ୍ୟ ସେମାନଙ୍କ ମଧ୍ୟରେ ଏଭଳି ଭାବନା ଦେଖିବାକୁ ମିଳେ। ଘର ଏବଂ ପଡ଼ୋଶୀ ଠାରୁ ଆରମ୍ଭ କରି ସ୍କୁଲ୍-କଲେଜ ଏବଂ ଅଫିସ୍ ପର୍ଯ୍ୟନ୍ତ ଜଣେ ସବୁବେଳେ ଭଲ ବନ୍ଧୁର ସମର୍ଥନ ପାଇପାରେ। ନିଜର ସବୁ ସୁଖ ଦୁଃଖକୁ ସେ ବନ୍ଧୁ ସହିତ ଶେୟାର କରିପାରେ। ନିଜର ବିଶ୍ୱାସ, ସ୍ୱପ୍ନ ଆଉ ସବୁ ଗୁପ୍ତ କଥାକୁ ସେ ବାଣ୍ଟେ। ଜଣେ ବନ୍ଧୁ ହିଁ ସବୁବେଳେ ଉତ୍ସାହିତ କରିବା ସହ ସବୁବେଳେ ଉଚିତ ପରାମର୍ଶ ଦେଇଥାନ୍ତି।
ବନ୍ଧୁତ୍ୱର ସଂପର୍କ ବହୁତ ସୁନ୍ଦର ଓ ଖାସ୍ ହୋଇଥାଏ । ଜାତି,ଧର୍ମ, ବର୍ଣ୍ଣ ସର୍ବପରେ ଅଟେ ବନ୍ଧୁତ୍ୱର ସଂପର୍କ। ବନ୍ଧୁତ୍ୱ ଏପରି ଏକ ସଂପର୍କ ଯାହା କୈଣସି ସର୍ତ୍ତରେ ହୋଇ ନ ଥାଏ ଆଉ ହୃଦୟର ସହିତ ଏହି ସଂପର୍କ ଗଢି ଉଠିଥାଏ । ବନ୍ଧୁତା ହେଉଛି ସେହି ସୁନ୍ଦର ଅନୁଭବ ଯାହା ସମୟର ଗତି ସହିତ ଆହୁରି ନୀବିଡ ହୋଇଯାଏ । ଜଣେ ଭଲ ଏବଂ ପ୍ରକୃତ ସାଙ୍ଗ ସହିତ ଆମେ ଆମ ହୃଦୟରେ ସବୁକିଛି ବାଣ୍ଟିପାରିବା,ତାଙ୍କ ସହିତ ସମୟ ବିତାଇବା, ତାଙ୍କ ଭଲ ଏବଂ ଖରାପ ସମୟରେ ଏକାଠି ଠିଆ ହେବା ହିଁ ପ୍ରକୃତ ବନ୍ଧୁ କୁହାଯାଇଥାଏ ।
ତେବେ ଯଦି ଏହି ବନ୍ଧୁତ୍ୱ ଦିବସର ଇତିହାସ ଦେଖିବା,ଆନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବାର ପ୍ରସ୍ତାବ ୩୦ ଜୁଲାଇ ୧୯୫୮ରେ ପାରାଗ୍ୱେରେ ଉପସ୍ଥାପିତ ହୋଇଥିଲା। ୨୦୧୧ରେ ମିଳିତ ଜାତିସଂଘ ୩୦ ଜୁଲାଇରେ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଘୋଷଣା କରିଥିଲା। କିନ୍ତୁ ଆମେରିକା, ଭାରତ, ବାଂଲାଦେଶ ଭଳି ଅନେକ ଦେଶ ଅଗଷ୍ଟ ମାସର ପ୍ରଥମ ରବିବାରରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି। କୁହାଯାଏ ଯେ ଏହି ଦିନ ବିଶ୍ୱର ଅଧିକାଂଶ ଦେଶରେ ବନ୍ଧୁତା ମାଧ୍ୟମରେ ଖୁସି ଏବଂ ଏକତାର ବାର୍ତ୍ତା ବିସ୍ତାର କରାଯାଇଥାଏ।
ଅନେକ ଉଦାହରଣ ମଧ୍ୟ ରହିଛି, ଏହି ଦିବସ ଆରମ୍ଭ ହେବା ପଛରେ,ବନ୍ଧୁତ୍ୱ ଦିବସର ଆରମ୍ଭକୁ ନେଇ ଅନେକ କାହାଣୀ ରହିଛି। କୁହାଯାଏ ଯେ ୧୯୩୫ ମସିହାରେ ଆମେରିକା ସରକାର ଅଗଷ୍ଟ ପ୍ରଥମ ରବିବାରରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ଖବର ଶୁଣି ତାଙ୍କର ଜଣେ ବନ୍ଧୁ ଆତ୍ମହତ୍ୟା କରିଥିଲେ। ବନ୍ଧୁତ୍ୱର ଏପରି ଏକ ଉଦାହରଣ ସାମ୍ନାକୁ ଆସିବା ପରେ ଆମେରିକା ସରକାର ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ଜୀବନରେ ବନ୍ଧୁମାନଙ୍କ ମହତ୍ତ୍ୱ ବୁଝାଇବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ।
ଭାରତୀୟ ପରମ୍ପରାରେ ବନ୍ଧୁତାକୁ ନେଇ ଅନେକ କାହାଣୀ ରହିଛି। ବନ୍ଧୁମାନେ ଆମ ଜୀବନର ସୁଖ-ଦୁଃଖ ସହିତ ରହିଥାନ୍ତି। ଯେତେବେଳେ ବି ବନ୍ଧୁତାର କଥା ଆସେ ସେତେବେଳେ କୃଷ୍ଣ ଏବଂ ସୁଦାମାଙ୍କ ବନ୍ଧୁତ୍ୱର ଉଦାହରଣ ଦିଆଯାଏ। କୃଷ୍ଣ-ସୁଦାମାଙ୍କର ବନ୍ଧୁତାରେ ସଚ୍ଚୋଟତା, ବଳିଦାନ ଏବଂ ସମ୍ମାନର ଭାବନା ଦେଖିବାକୁ ମିଳେ। ଏହା ହିଁ ହେଉଛି ପ୍ରକୃତ ବନ୍ଧୁତାର ପ୍ରତୀକ।କୁହାଯାଏ ପରିବାର ଈଶ୍ୱରଙ୍କ ବରଦାନ, କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜଣେ ଭଲ ବନ୍ଧୁ ବାଛିବା ପାଇଁ ସୁଯୋଗ ମିଳିଥାଏ। ଜଣେ ପ୍ରକୃତ ବନ୍ଧୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଛାଇ ପରି ରହିଥାଏ। ଏହା କେବଳ ଆମ ଜୀବନକୁ ସଫଳ କରେ ନାହିଁ ବରଂ ଖୁସି ମଧ୍ୟ ବାଣ୍ଟିଥାଏ।
ତେବେ ଏହି ବନ୍ଧୁତ୍ୱ ଦିବସ ଉପଲକ୍ଷେ ଆପଣ ସମସ୍ତଙ୍କୁ ଅନେକ ଶୁଭକାମନା l
No comments yet.
State
ଦ କୁଇଭର ବ୍ୟୁରୋ :- ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜର ଟାର୍ଗେଟ୍ କରୁଥିଲେ। ଟ୍ରେନ୍ରେ ଆସି କିଛିଦିନ ଡେରା ପକାଇ ଲୁଟ୍ ପାଇଁ ଯୋଜନା କରୁଥିଲେ। ଲୁଟିବା ପରେ ଫ୍ଲାଇଟ୍ରେ ଅନ୍ୟ ରାଜ୍ୟକୁ ଚାଲିଯାଉଥିଲେ। ଏଭଳି ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍କୁ ଭୁବନେଶ୍ବର କମିସନରେଟ୍ ପୁଲିସ ଠାବ କରିଛି। ତେବେ ଦିଲ୍ଲୀରୁ ଗ୍ୟାଙ୍ଗର ୨ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ଦିଲ୍ଲୀ ସୁନ୍ଦରନଗରୀ ଅଞ୍ଚଳର ଖୁର୍ସିଦ ଖାନ୍ଓ ସୀମାପୁରୀ ଅଞ୍ଚଳର ମହମ୍ମଦ ଆରିଫ l ପୁଲିସ ସେମାନଙ୍କ ନିକଟରୁ ନଗଦ ୧୮ଲକ୍ଷ ଟଙ୍କା ଓ ଲୁଟ୍ରେ ବ୍ୟବହୃତ ଯନ୍ତ୍ରପାତି ଜବତ କରିଛି। ତେବେ ଏହି ଗ୍ୟାଙ୍ଗ୍ କେବେଠାରୁ ଭୁବନେଶ୍ବରରେ ସକ୍ରିୟ ଥିଲା ଓ ସେମାନେ କିଭଳି ଲୁଟ୍ପାଟ କରି ପୁଲିସକୁ ଚକ୍ମା ଦେଇ ଖସିଯାଉଥିଲେ, ସେ ରହସ୍ୟ ଉନ୍ମୋଚିତ ହୋଇଛି। ଆଜି ପୁଲିସ ସେବାଭବନରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଲୁଟେରା ଗ୍ୟାଙ୍ଗ୍ର ଗୁମର ଖୋଲିଛନ୍ତି।
State
ଦ କୁଇଭର ବ୍ୟୁରୋ:- ଲଗାଣ ବର୍ଷା ହେଉ କିମ୍ବା ଅଦିନିଆ ବର୍ଷା, ସ୍ୱଳ୍ପ ବର୍ଷା ମଧ୍ୟରେ ବେହାଲ ହୋଇଯାଏ ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ସହର l ଅଳ୍ପ ବର୍ଷାରେ ଖୁଦ୍ର ବନ୍ୟା ସୃଷ୍ଟି ହୁଏ ବ୍ରହ୍ମପୁର ସହରରେ l ତଳଠୁ ତଳିପା ସବୁଠି ପାଣି l ଯେକୌଣସି କାର୍ଯ୍ୟାଳୟ ଗୃହ ହେଉ କିମ୍ବା ମେଡିକାଲ ଅଥବା ବିଏମସି କାର୍ଯ୍ୟାଳୟ ସବୁଠି, ସ୍ୱଳ୍ପ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ l ଲୋକଙ୍କ କାମ ହେବ କ'ଣ,କାଗଜ ପତ୍ର ପାଣିରେ ଭାସିବାରେ ଲାଗୁଛି l ରାସ୍ତାଘାଟ କଥା ତ ନ କହିବା ଭଲ l ଯେଉଁ ଆଡେ ଦେଖ ଆଣ୍ଠୁଏ ଆଣ୍ଠୁଏ ପାଣି l ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେଉଛି, ବାଧାପ୍ରାପ୍ତ ହେଉଛି ଅନେକ କାର୍ଯ୍ୟଳୟ କାମ.. ଆଉ ସବୁଠୁ ଠପ ହୋଉଛି ମେଡିକାଲ ସ୍ଥାନ l ରୋଗୀ,ଡାକ୍ତର ଦେଖେଇବେ କ'ଣ,ବର୍ଷା ପାଣି ଦେଖି ଛାନିଆ ହୋଉଛନ୍ତି l ସହରରେ ଅନେକ ସାହିରେ ଥିବା ଘର ଗୁଡିକରେ ତ ବର୍ଷା ପାଣି ପଶି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ l
ଏସବୁର ସମାଧାନ କେବେ ହେବ ? କେବେ ସହରର ଡ୍ରେନେଜ ସିଷ୍ଟମ ସୁଧୁରିବ ? କେବେ ସିଂହାସନ ହାତେଇଥିବା ବଡ଼ ବାବୁଙ୍କ ନିଦ ଭାଙ୍ଗିବ ? ଏମିତି ପ୍ରଶ୍ନ ଭିତରେ ଅଛନ୍ତି, ବ୍ରହ୍ମପୁର ବାସୀ, ଯେଉଁମାନେ ପ୍ରତିଦିନ ଏଭଳି ସମସ୍ୟା ଘେରାରେ ସମୟ କାଟୁଛନ୍ତି l ଦିନ ପରେ ଦିନ, ବର୍ଷେ ପରେ ବର୍ଷ ବିତିଚାଲିଛି l ୨୪ ବର୍ଷର ବିଜେଡି ସରକାର ଯାଇ ୧୩/୧୪ ମାସର ବିଜେପି ସରକାର ଆସିଲେଣି, ପୁରାତନ ପ୍ରଶାସନିକ ଅଧିକାରୀ ଯାଇ ନୂତନ ଅଧିକାରୀ ଆସିଲେଣି, କିନ୍ତୁ ମିଳୁଛି କେବଳ ପ୍ରତିଶୃତି, ଆଜି,ହେବ କାଲି କହି ବର୍ଷ ବର୍ଷ ଗଡି ଚାଲିଛି ସିନା କାର୍ଯ୍ୟ ଶୂନ l ଏବେ ମଧ୍ୟ ସହର ବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ,ସୁଧୀରିବ ତ ସହରର ଡ୍ରେନେଜ ସିଷ୍ଟମ ସମାଧାନ ହେବ ତ ଏ ଜଳ ବନ୍ଦୀ ସମସ୍ୟା ନା ଅଂଚଳବାସୀଙ୍କ ସ୍ବପ୍ନ ସ୍ୱପ୍ନରେ ରହିଯିବ,ମିଳିଥିବା ପ୍ରତିଶୃତି ପାଣିର ଗାର ହେଇଜିବନୀ ତ ! ଏସବୁ ସମସ୍ୟା ପ୍ରତି ପ୍ରଶାସନ ସଚେତନ ହେବା ପାଇଁ ଅନୁରୋଧ l
State
ଦ କୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ । ଆସନ୍ତା ୧୧ ତାରିଖ ବେଳେକୁ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି। ଅନ୍ୟପଟେ ୮ ତାରିଖ ତାରିଖ ଯାଏଁ ଅଧା ଓଡ଼ିଶାକୁ ୱାର୍ଣ୍ଣିଂ।ଆଜି ଓ ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୬ ତାରିଖ ଦିନ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦-୪୦କିମି ବେଗରେ ଝଟକା ପବନ ନେଇ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୭ ତାରିଖ ଦିନ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।
ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନକେନ୍ଦ୍ର । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
State
ଦ କୁଇଭର ବ୍ୟୁରୋ :- ସ୍ପେଶାଲ ଓଟିଇଟି ପରୀକ୍ଷା ପାଇଁ ଘୋଷଣା ହେଲା ନୂଆ ତାରିଖ। ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET। ଦୁଇଟି ସିଟିଂରେ ସ୍ପେଶାଲ୍ OTET ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୯ଟାରୁ ୧୧ଟା ୩୦ ଯାଏଁ ପେପର୍-୧ ଏବଂ ଦିନ ୨ଟାରୁ ସାଢେ ୪ଟା ଯାଏଁ ପେପର୍-୨ ପରୀକ୍ଷା ହେବ। ଅଗଷ୍ଟ ୨୨ରୁ ୱେବସାଇଟରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ। ତେବେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଗତମାସ ୨୦ ତାରିଖରେ ପରୀକ୍ଷା ବାତିଲ ହୋଇଥିଲା। ଏହାକୁ ନେଇ ରାଜ୍ୟବ୍ୟାପି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବାବେଳେ ପ୍ରଶ୍ନପତ୍ର ଲିକ୍ ମାମଲାର ତନାଘନା କରୁଛି କ୍ରାଇମବ୍ରାଞ୍ଚ।
Politics,State
ବ୍ରହ୍ମପୁର( ଦ କୁଇଭର ):- ବିଜେଡି ସୁପ୍ରିମୋ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସୋମବାର ୪ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଗଞ୍ଜାମ, କେନ୍ଦ୍ରାପଡା, କଳାହାଣ୍ଡି ଓ କଟକ ଜିଲ୍ଲାର ବିଜେଡି ସଭାପତିଙ୍କ ନାଁ ଘୋଷଣା ହୋଇଛି। ଗଞ୍ଜାମ ଜିଲ୍ଲାର ବିଜେଡି ସଭାପତି ଭାବେ ବିକ୍ରମ କୁମାର ପଣ୍ଡା ନିୟୋଜିତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ସଭାପତି ଭାବେ ଶିବ ପ୍ରସାଦ ଭୋଳ, ସେହିପରି କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ପ୍ରଦୀପ ଦିଶାରୀ ହୋଇଥିବା ବେଳେ କଟକ ଜିଲ୍ଲା ସଭାପତି ହୋଇଛନ୍ତି ପ୍ରଫୁଲ୍ଲ ସିଂହ । ପୂର୍ବରୁ ବିଜେଡି ସୁପ୍ରିମୋ ୨୪ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଥିଲେ। ଆଜି ଏହି ୪ ଟି ଜିଲ୍ଲାର ନାମ ଘୋଷଣା କରିଥିବା ବେଳେ ଆଗକୁ ବଳକା ୫ଟି ଜିଲ୍ଲାର ସଭାପତି ନାଁ ଘୋଷଣା ହେବାକୁ ବାକି ରହିଛି। ସେହିପରି ବିଜେଡିର ସାଙ୍ଗଠନିକ ନିର୍ବାଚନ ପରେ ବିଜୁ ଜନତା ଦଳର ଛାତ୍ର, ଯୁବ ଓ ମହିଳା ସଙ୍ଗଠନର ସଭାପତିଙ୍କ ନାଁ ଘୋଷଣା ହେବ।
ତେବେ ଏନେଇ ବିକ୍ରମ ପଣ୍ଡାଙ୍କୁ ସମଗ୍ର ଗଞ୍ଜାମ ଜିଲ୍ଲାର କର୍ମୀମାନଙ୍କ ତଥା ରାଜ୍ୟ ବିଜେଡି କର୍ମୀଙ୍କ ଠାରୁ ସୂବେସ୍ଛା ଓ ଶୁଭକାମନାର ଶୁଅ ଛୁଟିଥିବା ଦେଖିବାକୁ ମିଳିଛି l ଏ ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରର ପ୍ରଥମ ନାଗରିକ କୁହାଯାଉଥିବା ବିଏମସି ମେୟର ସଂଘମିତ୍ରା ଦଳେଇ ମଧ୍ୟ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଫୁଲତୋଡ଼ା ଦେଇ ଶୁଭକାମନା ଜଣାଇଥିବା ଦେଖିବାକୁ ମିଳୁଛି l
State,Education
ଦ କୁଇଭର ବ୍ୟୁରୋ :- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରୁ ଜଣାଯାଇଛିଯେ, ପ୍ରଥମ ପର୍ଯ୍ୟାୟରେ ୮୩୫ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ । ଏହି ବିଦ୍ୟାଳୟ ଗୁଡିକ ରାଜ୍ୟର ଉଚ୍ଚ ବିଦ୍ୟାଳୟ ପାଇଁ ଏକ ଫିଡର ସ୍କୁଲ ଭାବରେ କାର୍ଯ୍ୟ କରିବ । ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୭ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଅଟକଳ ରଖା ଯାଇଛି ।ଯେଉଁ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବେ, ୨ ଏକରରୁ ଅଧିକ ଜମି ଉପଲବ୍ଧ ହେଉଥିବ, ଏବଂ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେଉଥିବ, ସେହି ସ୍କୁଲଗୁଡିକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ନିର୍ମାଣ କରାଯିବ।ବୈଠକରେ ମୁଖ୍ୟମନ୍ତ୍ରୀ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ହେଡକ୍ୱାର୍ଟର୍ସରେ ଭୌଗୋଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି ଗୋଟିଏ ଲେଖାଏଁ ଆଦର୍ଶ ସ୍କୁଲ ନିର୍ମାଣ କରାଯିବ ଏବଂ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରେ ଜାତୀୟ ସ୍ତରୀୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବା ଏବଂ ଛାତ୍ରଛାତ୍ରୀଙ୍କ ଯିବା ଆସିବା ସୁବିଧା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ଦୁର୍ଗମ ଓ ଦୂର ଅଂଚଳରେ ରହୁଥିବା ପିଲାଙ୍କ ଯିବା ଆସିବା ପାଇଁ ମାଗଣାରେ ପରିବହନ ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।
ପର୍ଯ୍ୟାପ୍ତ ଜମି ଥିବା ସ୍କୁଲଗୁଡ଼ିକୁ ଚୟନ କରାଯାଇ, ଭବିଷ୍ୟତରେ ହାଇସ୍କୁଲ ସ୍ତରକୁ ଅପଗ୍ରେଡ୍ ପାଇଁ ଏହାକୁ ଉନ୍ନତିକରଣ କରାଯିବ, ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷା ଫଳାଫଳକୁ ଉନ୍ନତ କରିବା ଏବଂ ଶିକ୍ଷକ ଚୟନ ପ୍ରକ୍ରିୟାରେ ଉନ୍ନତ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଭିତ୍ତିଭୂମିରେ ଉନ୍ନତି ଆଣିବା, ଆଧୁନିକ ଶିକ୍ଷାଦାନ ପଦ୍ଧତି ଗ୍ରହଣ କରିବା ଏବଂ ଅଭିଭାବକ, ପୂର୍ବତନ ଛାତ୍ର ଏବଂ ସ୍ଥାନୀୟ ଅଂଶୀଦାରଙ୍କ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବା ଜାତୀୟ ଶିକ୍ଷା ନୀତି ୨୦୨୦( NEΡ 2020 ) ସହିତ ସମନ୍ୱୟ ରଖି, ତୃତୀୟ ଶ୍ରେଣୀ ସୁଦ୍ଧା ମୌଳିକ ଶିକ୍ଷାଗତ ଦକ୍ଷତା ହାସଲ କରିବା ପାଇଁ ମୂଳଦୁଆ ସାକ୍ଷରତା ଏବଂ ସଂଖ୍ୟାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।ଏହି ବିଦ୍ୟାଳୟ ଗୁଡିକରେ STEM (Science, Technology, Engineering, and Mathematics) ପଦ୍ଧତିରେ ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଶିକ୍ଷା ସହ ବୃତ୍ତିଗତ ଦକ୍ଷତା ଓ ଅଭିଜ୍ଞତାମୂଳକ ଶିକ୍ଷା ସମେତ ବହୁବିଧ ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ଛାତ୍ରଙ୍କ ସର୍ବାଙ୍ଗୀନ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ସୃଜନଶୀଳତା, ସମାଲୋଚନାମୂଳକ ଚିନ୍ତାଧାରା ଏବଂ ଜୀବନ କୌଶଳକୁ ଉତ୍ସାହିତ କରିବା ପାଇଁ ରାଜ୍ୟସରକାରଙ୍କ ପ୍ରୟାସ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା ।
ଉକ୍ତ ବୈଠକରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ସ୍କୁଲ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ, ଶାଳିନୀ ପଣ୍ଡିତ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଯାମିନୀ ଷଡ଼ଙ୍ଗୀ, ଓସେପା ନିର୍ଦ୍ଦେଶିକା, ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
State
ଦ କୁଇଭର ବ୍ୟୁରୋ :- ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୬୦.୮ ମିମି, ଖୋର୍ଧାରେ ୪୮ ମିମି, କେନ୍ଦ୍ରାପଡ଼ାରେ ୪୧.୮ ମିମି ଓ ରାଜଧାନୀ ଭୁବନେଶ୍ବରରେ ୨୫.୬ ମିମି ବର୍ଷା ହୋଇଯାଇଛି। ଏଥିସହ ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ବି ଅଳ୍ପ ବହୁତ ବର୍ଷା ହୋଇଯାଇଛି। ମୌସୁମୀ ଟ୍ରଫ୍ ଏବେ ହାରାହାରି ସମୁଦ୍ର ପତ୍ତନରେ ଅମୃତସର, ଚଣ୍ଡିଗଡ଼, ଶାହାଜାହାନପୁର, ଲକ୍ଷ୍ନୌ, ବାଙ୍କୁରା ଦେଇ ଦକ୍ଷିଣ-ପୂର୍ବ ଦିଗରେ ବଙ୍ଗୋପସାଗରର ଉତ୍ତର-ପୂର୍ବ ଅଞ୍ଚଳକୁ ଗତି କରୁଛି। ଫଳରେ ରାଜ୍ୟରେ ବର୍ଷା ଜାରି ରହିବା ସହ ଆସନ୍ତା ୭ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଓ ପ୍ରଭାବ ବଢ଼ିବ। ୭ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ।
State
ଦ କୁଇଭର ବ୍ୟୁରୋ :- ଫସିଯିବେ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀ । ବିଭିନ୍ନ କୋର୍ଟରୁ ସୁରକ୍ଷା ପାଉଥିବା ବିଷ୍ଣୁପଦଙ୍କୁ ସୁପ୍ରିମକୋର୍ଟ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି । ଫଳରେ ଏବେ ସେ ଗିରଫ ହୋଇ ପାରନ୍ତି ବୋଲି ଆଶଙ୍କା ବଢ଼ିଛି । ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତର ସାମ୍ନା କରୁଥିବା ବିଷ୍ଣୁପଦଙ୍କୁ ଗିରଫ ସମ୍ଭାବନା ରହିଛି । ବାରମ୍ବାର ହାଇକୋର୍ଟ ଓ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଗିରଫ ଠୁ ବଞ୍ଚିବାକୁ ଉଦ୍ୟମ କରିଥିଲେ । ମାତ୍ର ତାହା ସମ୍ଭବ ହେଲା ନାହିଁ । ସୁପ୍ରିମକୋର୍ଟ ତାଙ୍କ ଗିରଫ ସମ୍ଭାବନାରୁ ସୁରକ୍ଷା ଦେବାକୁ ଅଗ୍ରାହ୍ୟ କରିଦେଇଛନ୍ତି ।
ଆଇଏଏସ ବିଷ୍ଣୁପଦ ବିଜେଡି ସରକାରରେ ବେଶ କାର୍ପଟଦାର ଅଫିସର ଥିଲେ । ଓମଫେଡ ହେଉ କି ମତ୍ସ୍ୟ ବିଭାଗ, ଉଚ୍ଚଶିକ୍ଷା ହେଉ କି ଆଦିବାସୀ ବିକାଶ ବିଭାଗ ସବୁଥିରେ ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ଥିଲା । ଏପରିକି ତାଙ୍କୁ ତତ୍କାଳୀନ ତୃତୀୟ ମହଲା ସୁରକ୍ଷା ଦେଉଥିବାରୁ ଅନେକ ଦୁର୍ନୀତି ଅଭିଯୋଗରେ ବି ସେ ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଉଥିଲେ । ଲୋକପାଳ ହୁଅନ୍ତୁ କି ସୂଚନା କମିଶନର ସମସ୍ତେ ତାଙ୍କ ଆଗରେ ଆଣ୍ଠେଇ ପଡ଼ୁଥିଲେ । ବେଶ ପ୍ରଭାବି ଥିଲେ ବିଷ୍ଣୁପଦ । ତାଙ୍କର ଆଉ ଗୋଟିଏ କାର୍ଡ ଥିଲା ସେ ଅନୁସୂଚିତ ଜାତି । ଏହାକୁ ଆଳ କରି କାଳେ ସେ ଅନେକଙ୍କୁ ପାଣି ପିଆଇଥିଲେ ।
ଦୁର୍ନୀତି ମାମଲାରେ ଟାର୍ଗେଟକୁ ଆସିଲେ ବିଷ୍ଣୁପଦ । ସିବିଆଇ ତଦନ୍ତ କରି ତାଙ୍କ ଘର, ଅଫିସ ସବୁଠି ଚଢ଼ାଉ କରିଥିଲା । ତାଙ୍କୁ ଗିରଫ କରାଯିବା ନେଇ ପ୍ରସ୍ତୁତି ବି ହୋଇଥିଲା । ଏଥିରୁ ରକ୍ଷା ପାଇବା ପାଇଁ ବିଷ୍ଣୁପଦ ବାରମ୍ବାର ହାଇକୋର୍ଟ ଯାଇଥିଲେ । ହାଇକୋର୍ଟ ବି ତାଙ୍କ ଗିରଫଦାରୀ ଉପରେ ଅନେକ ଥର ରୋକ ଲଗାଇ ତାଙ୍କୁ ସୁରକ୍ଷା ଦେଇଥିଲେ । ମାତ୍ର ସିବିଆଇ କାଳେ ହାଇକୋର୍ଟରେ ଯଥେଷ୍ଟ ପ୍ରମାଣ ଦେବା ପରେ ହାଇକୋର୍ଟ ଆଉ ଗିରଫଦାରୀକୁ ରୋକିବା ଆବେଦନକୁ ଗ୍ରହଣ କଲେ ନାହିଁ । ହାଇକୋର୍ଟ ଅଗ୍ରାହ୍ୟ କରିବା ପରେ ସେ ସୁପ୍ରିମକୋର୍ଟଙ୍କୁ ଆବେଦନ କରିଥିଲେ । ମାତ୍ର ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ଫଳରେ ଏବେ ସିବିଆଇ ତାଙ୍କୁ ଗିରଫ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । କୌଣସି ବି ମୁହୂର୍ତ୍ତରେ ବିଷ୍ଣୁପଦ ଗିରଫ ହୋଇ ପାରନ୍ତି ବୋଲି କୁହାଯାଉଛି । ଦେଖାଯାଉ ସିବିଆଇ ଏବେ କି ପଦକ୍ଷେପ ନେଉଛି ?
Education,State
ଦ କୁଇଭର ବ୍ୟୁରୋ :- ୨୦ ଦିନ ପରେ କ୍ରାଇମବ୍ରାଞ୍ଚର ଆକ୍ସନ । ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣାରେ ୨୦ ଦିନ ପରେ ଆକ୍ସନ ନେଇଛି କ୍ରାଇମବ୍ରାଞ୍ଚ । ଛାତ୍ରୀ ଆତ୍ମହୁତି ପଛରେ ଥିବା ମାଷ୍ଟର ମାଇଣ୍ଡ ୨ ଜଣ ଛାତ୍ରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ।ତା' ଭିତରୁ ଜଣେ ଏବିଭିପିର ରାଜ୍ୟ ସହ ସଂପାଦକ l ଛାତ୍ରୀ ମୃତ୍ୟୁ ଘଟଣାର ଷଡଯନ୍ତ୍ର ପଛରେ ଥିଲେ ଏହି ୨ଜଣ ଛାତ୍ରନେତା l ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ କଲେଜରେ ଲଢ଼େଇ କରୁଥିବା ବେଳେ ତାଙ୍କୁ ଜୀବନ ହାରିବା ପାଇଁ ଏହି ଦୁଇ ଛାତ୍ର ପ୍ରବର୍ତ୍ତାଇଥିଲେ ।ଛାତ୍ରୀ ଆତ୍ମହୁତି ବେଳେ ମୋବାଇଲ ଭିଡ଼ିଓ କରିବା ସହିତ ଜୀବନ ହାରିବା ଉଦ୍ୟମ ପାଇଁ ସହଯୋଗ କରିଥିଲେ l ଗିରଫ ୨ ଛାତ୍ର ହେଲେ ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତି ପ୍ରକାଶ ବିଶ୍ୱାଳ l ଜ୍ୟୋତି ପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଘଟଣା ଦିନ ନିଜେ ଆହତ ହୋଇଥିଲେ ।ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । ଏମାନଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି l ଶୁଭ୍ର ସମ୍ବିତ ନାୟକ ABVP ର ରାଜ୍ୟ ସହ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି ।
State
ଦ କୁଇଭର ବ୍ୟୁରୋ :- ଆଜି ଶ୍ରାବଣ ମାସର ଶେଷ ସୋମବାର, ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ସକାଳୁ ସକାଳୁ ଶୈବପୀଠରେ ଲାଗିଛି ଭକ୍ତଙ୍କ ଭିଡ । ଧାଡିରେ ଯାଇ ଶିବଲିଙ୍ଗରେ ଜଳାଭିଷେକ କରୁଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, କଟକର ଧବଳେଶ୍ବର, ନୀଳଗିରିର ପଞ୍ଚଲିଙ୍ଗେଶ୍ବର ଢେଙ୍କାନାଳର କପିଳାସ ମନ୍ଦିର ଆଦି ଶୈବାଳୟରେ ପାଣି ଢାଳୁଛନ୍ତି ଭକ୍ତ । ସବୁ ଶିବାଳୟରେ ଏଥିପାଇଁ ଖାସ ବ୍ୟବସ୍ଥା କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କର ଭିଡ଼ ଜମିଛି । ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ଚଳଚଞ୍ଚଳ ହୋଇ ଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ । ବାବା ଧବଳେଶ୍ୱରଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ । ସେହିପରି ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ ଭକ୍ତଙ୍କ ଭିଡ଼ ଲାଗିଛି । ଲିଙ୍ଗରାଜ ମନ୍ଦିର ବ୍ୟତିତ ଏକାମ୍ର କ୍ଷେତ୍ରର ଭାସ୍କରେଶ୍ୱର, ମେଘେଶ୍ୱର, ବ୍ରହ୍ମେଶ୍ୱର ଭଳି ଶିବାଳୟରେ ମଧ୍ୟ ସକାଳୁ ସକାଳୁ ଶ୍ରଦ୍ଧାଳୁ ଜଳଲାଗି କରୁଛନ୍ତି । ଢେଙ୍କାନାଳର କପିଳାସରେ ବି ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।
State
ବ୍ରହ୍ମପୁର( ଦ କୁଇଭର):- ଜରଡା ଥାନାର ସମ୍ପୃକ୍ତ ଆଇଆଇସି ଟୁନା ସାସମଲ, ଗୋସାନିନୁଗାଁ ଥାନା ଡିଏସ୍ପି ସ୍ମୃତି ଏବଂ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ସୌଭାଗ୍ୟ ସ୍ୱାଇଁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବ୍ରହ୍ମପୁର ପୋଲିସ ଷ୍ଟେସନ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଥିଲେ। ସ୍କୁଲ ପିଲାମାନେ ପୋଲିସ ଷ୍ଟେସନ ପରିଦର୍ଶନ କରିଥିଲେ ଏବଂ ପୋଲିସ ଷ୍ଟେସନରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କୁ ପୋଲିସର କାର୍ଯ୍ୟପନ୍ଥା, ନୂତନ ଫୌଜଦାରୀ ଆଇନ ବିଷୟରେ ଶିକ୍ଷା ଦିଆଯାଇଥିଲା। ସେମାନଙ୍କ ପରିଦର୍ଶନ ପରେ, ଛାତ୍ରଛାତ୍ରୀମାନେ ଆଇଆଇସି ଏବଂ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ପ୍ରଶ୍ନ ପଚାରି ସେମାନଙ୍କର ସନ୍ଦେହକୁ ସ୍ପଷ୍ଟ କରିଥିଲେ। ଏହି କାର୍ଯ୍ୟକ୍ରମ ପୋଲିସ ବ୍ୟବସ୍ଥା ପ୍ରତି ଛାତ୍ରଛାତ୍ରୀମାନଙ୍କର ବିଶ୍ୱାସକୁ ସୁନିଶ୍ଚିତ କରିବ ଏବଂ ସେମାନଙ୍କ କ୍ୟାରିୟରର ପସନ୍ଦ ଭାବରେ ପୋଲିସରେ ଯୋଗଦେବାକୁ ଉତ୍ସାହିତ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l
State,Politics
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ହେଲେ ଗଞ୍ଜାମ ଜିଲା ବିଜେଡ଼ି ସଭାପତି l ଏନେଇ ଵିଧି ବଦ୍ଧ ଭାବେ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l
State
କେନ୍ଦୁଝର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଜିଲ୍ଲା ପାଇଁ ବଡ ଘୋଷଣା କରିଛନ୍ତି । ଜିଲ୍ଲାରେ ପ୍ରସ୍ତାବିତ ମେଗା ଇସ୍ପାତ କାରଖାନା ପାଇଁ ଜମି ଅଧିଗ୍ରହଣ ଖୁବ୍ ଶୀଘ୍ର ଆରମ୍ଭ ହେବ । ଜିଲ୍ଲାର ସାମଗ୍ରିକ ବିକାଶ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଆଲୋଚନା କରିବା ସହ କେନ୍ଦୁଝର ସହରକୁ ଉନ୍ନତ ସହର ଯୋଜନା କରାଇବା ସହ ଟ୍ରାଫିକ ମୁକ୍ତ କରିବା ପାଇଁ ରିଙ୍ଗ୍ ରୋଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।ଜିଲ୍ଲାକୁ ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ, ମୁଖ୍ୟମନ୍ତ୍ରୀ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିଥିଲେ। ପ୍ରମୁଖ ପଦକ୍ଷେପଗୁଡ଼ିକ ସମାପ୍ତ ହେବା ପରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ସୁନିଶ୍ଚିତ କରିଛନ୍ତି ।
ଜିଲ୍ଲାର ଆରାଧ୍ୟା ଦେବୀ ମାଁ ତାରିଣୀଙ୍କର ମନ୍ଦିରର ସୋନ୍ଦର୍ଯ୍ୟକରଣ କରିବା ପାଇଁ ୩୦୦କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ କରଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହା ସହ ଜିଲ୍ଲାରେ ଅଧିକ ରୋଜଗାର ସୃଷ୍ଟି ପାଇଁ ବହୁ ପ୍ରତିକ୍ଷୀତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଦ୍ଵିତୀୟ ସୋପାନରେ ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହାସହ ସହ ଜିଲ୍ଲାରେ ଆହୁରି ସାତୋଟି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଲୋଚନା ଚାଲିଥିବା ଜିଲ୍ଲା ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । କେନ୍ଦୁଝରରେ ଖୁବ୍ଶୀଘ୍ର ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବ । ପ୍ରସ୍ତୁତି ଅଗ୍ରୀମ ପର୍ଯ୍ୟାୟରେ ଅଛି । ପ୍ରକ୍ରିୟା ଦୁଇ ପାଦ ଆଗକୁ ବଢ଼ିଛି ଏବଂ ସମ୍ପୃକ୍ତ କମ୍ପାନୀ ଆବଶ୍ୟକ ପାଣ୍ଠି ଜମା କରିଛି," ବୋଲି ବିକାଶ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ଜମି ଅଧିଗ୍ରହଣ ଖୁବ୍ଶୀଘ୍ର ଆରମ୍ଭ ହେବ ଏବଂ ତା’ପରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । "କେଉଁଝର ଜିଲ୍ଲା ବହୁ ଦିନ ଧରି ଅବହେଳିତ ଥିଲା । ଭଗବାନ ଜଗନ୍ନାଥ, ଏବଂ ମା’ ତାରିଣୀ ଆମକୁ ଜିଲ୍ଲାକୁ ବିକାଶ ପଥରେ ଆଗକୁ ନେବା ପାଇଁ ଆଶୀର୍ବାଦ ଦେଇଛନ୍ତି । ଜିଲ୍ଲାର ବିକାଶ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ବିଧାୟକମାନଙ୍କ ଉପସ୍ଥିତିରେ ଆଜି ବିକାଶ କାର୍ଯ୍ୟ ଏବଂ ଭିତ୍ତିଭୂମି ନିର୍ମାଣ ସହିତ ଶିଳ୍ପାୟନ ଉପରେ ଆଲୋଚନା କରାଯାଇଥିଲା," ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
Health & lifestyle,State
ଦ କୁଇଭର ବ୍ୟୁରୋ :- ଅଗଷ୍ଟ ୧ ଠୁ ୭ ଯାଏଁ ପାଳିତ ହେଉଛି ବିଶ୍ବ ସ୍ତନ୍ୟପାନ ସପ୍ତାହ । ଶିଶୁ ପାଇଁ ସ୍ତନ୍ୟପାନ ସହଯୋଗକୁ ପ୍ରାଥମିକତା ଦେଇ ଓଡ଼ିଶା ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ଏକ କର୍ମଶାଳା । ଚଳିତ ବର୍ଷର ଥିମ୍ ରହିଛି `ସ୍ତନ୍ୟପାନକୁ ପ୍ରାଥମିକତା ଦିଅନ୍ତୁ ତଥା ନିରନ୍ତର ସହାୟତା ପ୍ରଦାନର ବ୍ୟବସ୍ଥା କରନ୍ତୁ' ।
କୁହାଯାଏ ଯେ ମା’ କ୍ଷୀର ପିଲାମାନଙ୍କ ପାଇଁ ଅମୃତ ସଦୃଶ। ସ୍ତନ୍ୟପାନ ଶିଶୁ ପାଇଁ ପ୍ରଥମ ଟିକା ଭାବେ କାର୍ଯ୍ୟ କରିଥାଏ। ମା’ କ୍ଷୀର ଶିଶୁମାନଙ୍କ ପାଇଁ ଏକ ଆଦର୍ଶ ଖାଦ୍ୟ, କାରଣ ଏହା ଜୀବନର ପ୍ରଥମ ଛଅ ମାସରେ ଶିଶୁର ବୃଦ୍ଧି ଓ ବିକାଶ ପାଇଁ ସମସ୍ତ ଆବଶ୍ୟକ ପୁଷ୍ଟିକର ପଦାର୍ଥ ଯୋଗାଇଥାଏ। ଏଥିରେ ଆଣ୍ଟିବଡି ଥାଏ ଯାହା ପାଚନ କ୍ରିୟାକୁ ବୃଦ୍ଧି କରିଥାଏ, ଅନେକ ମାରାତ୍ମକ ରୋଗରୁ ରକ୍ଷା କରେ। ଏହା ବ୍ୟତୀତ, ସ୍ତନ୍ୟପାନ ସଂକ୍ରମଣ, ଶ୍ୱାସକ୍ରିୟା ରୋଗ ଓ ଆଲର୍ଜି ପରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ମଧ୍ୟ ହ୍ରାସ କରିପାରିଥାଏ। ଏହି କାରଣରୁ, ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ, ଯାହାଦ୍ବାରା ଲୋକଙ୍କୁ ସ୍ତନ୍ୟପାନର ଗୁରୁତ୍ୱ ବିଷୟରେ ସଚେତନ କରାଯାଇପାରିବ। ଏହି ବିଶେଷ ସପ୍ତାହର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ କୁପୋଷଣରୁ ରକ୍ଷା କରିବା ଏବଂ ସେମାନଙ୍କର ଶାରୀରିକ ଓ ମାନସିକ ବିକାଶକୁ ପ୍ରୋତ୍ସାହିତ କରିବା। ପରନ୍ତୁ ଆଜି ସାରା ବିଶ୍ୱରେ କେବଳ ୪୮ ପ୍ରତିଶତ ଶିଶୁ ଛଅ ମାସ ବୟସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ତନ୍ୟପାନ କରିପାରୁଛନ୍ତି। ଗତ ବାର ବର୍ଷ ମଧ୍ୟରେ ଏହି ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଲକ୍ଷ ଲକ୍ଷ ପିଲାଙ୍କ ଜୀବନ ରକ୍ଷା କରିଛି। ତଥାପି, ୨୦୨୫ ସୁଦ୍ଧା ୫୦ ପ୍ରତିଶତ ପିଲାଙ୍କୁ ସମ୍ପୂର୍ଣ୍ଣ ସ୍ତନ୍ୟପାନ ଯୋଗାଇବାର ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ପ୍ରୟାସ ଆବଶ୍ୟକ। ୟୁନିସେଫ୍ ତଥ୍ୟ ଅନୁଯାୟୀ, ସ୍ତନ୍ୟପାନ ହାରରେ ଉନ୍ନତି ଆଣି ପ୍ରତିବର୍ଷ ପ୍ରାୟ ୮.୨ ଲକ୍ଷ ପିଲାଙ୍କ ଜୀବନ ରକ୍ଷା କରାଯାଇପାରିବ। ଜରୁରିକାଳୀନ ପରିସ୍ଥିତିରେ ମଧ୍ୟ, ସ୍ତନ୍ୟପାନ ହେଉଛି ପିଲାମାନଙ୍କ ପାଇଁ ପୁଷ୍ଟିସାରର ସବୁଠାରୁ ନିରାପଦ ଓ ସୁଲଭ ଉତ୍ସ। ଏଥର ବିଶ୍ୱ ସ୍ତନ୍ୟପାନ ସପ୍ତାହର ମୂଳ ଲକ୍ଷ୍ୟ ହେଉଛି ‘ସ୍ତନ୍ୟପାନକୁ ପ୍ରାଥମିକତା’ ଦେବା। ଏହାର ଉଦ୍ଦେଶ୍ୟ ହେଉଛି ମା’ ଏବଂ ପିଲାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା। ଏହି ବିଷୟବସ୍ତୁ ମା’ମାନଙ୍କୁ ସ୍ତନ୍ୟପାନ କରାଇବାକୁ ଉତ୍ସାହିତ କରିବା ସହିତ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରେ। ଡବ୍ଲୁ.ଏଚ୍.ଓ ଏବଂ ୟୁନିସେଫ୍ ଅନୁଯାୟୀ, ପିଲାମାନଙ୍କୁ ସୁସ୍ଥ ରଖିବା ପାଇଁ ସ୍ତନ୍ୟପାନ ହେଉଛି ସର୍ବୋତ୍ତମ ଉପାୟ। ଏଥିରେ ଥିବା ପୁଷ୍ଟିକର ତତ୍ତ୍ୱ ପିଲାମାନଙ୍କୁ ଡାଇରିଆ ଓ ନିମୋନିଆ ଭଳି ରୋଗରୁ ରକ୍ଷା କରେ। ଏଥିସହିତ ମା’ମାନଙ୍କଠାରେ ସ୍ତନ କର୍କଟ, ଡିମ୍ବାଶୟ କର୍କଟ ଓ ମଧୁମେହର ଆଶଙ୍କା ମଧ୍ୟ ହ୍ରାସ କରେ।
State
ମାଲକାନଗିରି(ଦ କୁଇଭର):- ମାତ୍ର ୫ ହଜାର ଟଙ୍କା ପାଇଁ ଜଣେ ଠିକାଦାର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରିଥିବା ପରି ସଂଗୀନ ଅଭିଯୋଗ ମୋଟୁ ଥାନାରେ ହୋଇଛି| ଅଭିଯୋଗ ପାଇବା ପରେ ମୋଟୁ ପୁଲିସ ଠିକାଦାର ଓ ତାଙ୍କର ଜଣେ ସହଯୋଗୀଙ୍କୁ ଥାନାରେ ଅଟକ ରଖି ଅନୁସନ୍ଧାନ ଆରମ୍ଭ କରିଥିବାର ସୂଚନା ମିଳିଛି|ମୋଟୁ ଥାନା ଅନ୍ତର୍ଗତ ଏମପିଭି ୮୧ ଗ୍ରାମର ଠିକାଦାର ଅନନ୍ତ ହାଲଦାର ଓ ସହ ଯୋଗୀ ସୁଜିତ ରାୟ ଶୁକ୍ରବାର ଅପରାହ୍ନ ୫ଟା ସମୟରେ ଏମପିଭି -୧୦ ଗ୍ରାମକୁ ଆସି ବାପି ମଣ୍ଡଳ ନାମକ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଘରୁ ଜୋର ଜବରଦସ୍ତ ହାତ ବାନ୍ଧି ଏକ ବାଇକରେ ନିଜ ଘରକୁ ଅପହରଣ କରି ନେଇଯାଇଥିଲେ । ତେବେ ଶନିବାର ସକାଳୁ ବାପି ମରିଯାଇଛି ବୋଲି ଠିକାଦାର ଜଣଙ୍କ ଏମପି ଭି- ୧୦ ଗ୍ରାମର ଗାଁ ସଭାପତିଙ୍କୁ ଜଣାଇଥିଲେ |ଏହାପରେ ମୃତ ଯୁବକଙ୍କ ଅଜା ମୋଟୁ ଥାନାରେ ମୋ ନାତିକୁ ଠିକାଦାର ମାତ୍ର ୫ ହଜାର ଟଙ୍କା ପାଇଁ ଅପହରଣ କରି ହତ୍ୟା କରିଥିବାର ଅଭିଯୋଗ କରିଥିଲେ। ମୃତ ଯୁବକ ଜଣଙ୍କ ଠିକାଦାର ନିକଟରେ ରହି ଆନ୍ଧ୍ର ପ୍ରଦେଶରେ ଦାଦନ ଖଟୁଥିଲା| ମୃତ ଯୁବକ ଜଣଙ୍କ ୫ ହଜାର ଟଙ୍କା ଅଗ୍ରିମ ଆଣିଥିଲେ ମଧ୍ୟ ଆଉ ପରିଶୋଧ କରି ପାରି ନଥିଲା । ତେବେ ପୋଲିସ ଘଟଣାର ଛାନବିନ ଜାରି ରଖିଛି।
State
ଦ କୁଇଭର ବ୍ୟୁରୋ :- ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି । ୧୫ ଦିନ ଧରି ଜୀବନ ସହିତ ସଂଘର୍ଷ କରିବା ପରେ ଶେଷରେ ଆରପାରିକୁ ଚାଲିଯାଇଛନ୍ତି ପୀଡ଼ିତା । ଆଜି ଦିଲ୍ଲୀରେ କରାଯିବ ଶବ ବ୍ୟବଚ୍ଛେଦ । ପୋଷ୍ଟମର୍ଟମ ପରେ ଓଡ଼ିଶା ଆସିବ ମରଶରୀର। ପୀଡ଼ିତାଙ୍କ ମୃତ୍ୟୁ ପରେ ଗାଁରେ ବଢ଼ାଯାଇଛି ସୁରକ୍ଷା ବ୍ୟବସ୍ଥା। ତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏକପ୍ରକାର ଜନଶୂନ୍ୟ ହୋଇଯାଇଛି ତାଙ୍କ ଗାଁ। ଆରପାରିକୁ ଚାଲିଗଲେ ବଳଙ୍ଗା ପୀଡ଼ିତା। ହେଲେ ୧୫ ଦିନ ପରେ ବି ଅଭିଯୁକ୍ତଙ୍କର ଟେର୍ ପାଇଲାନି କ୍ରାଇମବ୍ରାଞ୍ଚ କି ସ୍ପେଶାଲ ପୁଲିସ ଟିମ୍। ଭୁବନେଶ୍ବର ଏମ୍ସରେ ବୟାନ ରେକର୍ଡ କରାଯାଇଥିଲା। ଦିଲ୍ଲୀ ଯାଇ ମଧ୍ୟ ବୟାନ ରେକର୍ଡ କରିଥିଲେ ପୁଲିସ ଅଧିକାରୀ। ପୀଡ଼ିତାଙ୍କ ସାଙ୍ଗ ଓ ପଡ଼ୋଶୀଙ୍କ ସମେତ ୭୦ରୁ ଅଧିକଙ୍କୁ ପଚରାଉଚରା କରିଥିଲା ପୁଲିସ। ୩୦ରୁ ଅଧିକ ମୋବାଇଲ୍ ଟ୍ରାକ୍ କରାଯାଇଥିଲା। ନିଜେ ପୁରୀ ଏସପି ପିନାକ ମିଶ୍ର, କ୍ରାଇମବ୍ରାଞ୍ଚ ଟିମ୍ ବାରମ୍ବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ବଳଙ୍ଗା ବଜାରରେ ଥିବା ଗହଣା ଦୋକାନୀଙ୍କୁ ପଚରାଉଚରା କରିଥିଲା ପୁଲିସ । ତଥାପି ଆଜି ପର୍ଯ୍ୟନ୍ତ ପୁଲିସ ହାତ ଖାଲି ରହିଛି। ତେବେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଆଜି ଯାଏଁ ଘଟଣାର ୧୫ ଦିନ ପରେ ବି ଅଭିଯୁକ୍ତକୁ ଠାବ କରିବାରେ ସଫଳ ହୋଇନି ପୁଲିସ। ପୀଡ଼ିତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗାଁରେ ଏବେ ଭୟର ବାତାବରଣ ଖେଳିଯାଇଛି।
State
ଦ କୁଇଭର ବ୍ୟୁରୋ :- ବଳଙ୍ଗା ଘଟଣାରେ ପୁଲିସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ବିସ୍ଫୋରକ ସୂଚନା ପ୍ରଦାନ କରାଯାଇଛି। ପୁଲିସ କହିଛି, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି।ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି।ଏଣୁ ସମସ୍ତଙ୍କୁ ଅନୁରୋଧ ଯେ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।
ସୂଚନାଯୋଗ୍ୟ, ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତମାସ ୧୯ ତାରିଖ ଦିନ ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଥିବା ଅଭିଯୋଗ ହୋଇଥିଲା । ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା।ନାବାଳିକାର ଶରୀର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଜୁଲାଇ ୨୨ ତାରିଖ ଦିନ ଏମ୍ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥି ପାଇଁ ଏମ୍ସ ଭୁବନେଶ୍ବରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ କରିଡ଼ର କରାଯାଇଥିଲା। ଏହି ସମ୍ବେଦନଶୀଳ ଘଟଣା ନେଇ ରାଜ୍ୟ ସରକାର ଖୁବ ତତ୍ପରତା ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଯାଇ ଏମ୍ସରେ ପୀଡ଼ିତାଙ୍କୁ ଭେଟିଥିଲେ ଓ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିଲେ। ସେ ପରିବାର ଲୋକଙ୍କ ସହିତ କଥା ହୋଇ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗର ହାତ ବଢ଼ାଇବେ ବୋଲି କହିଥିଲେ।
State,Education,Sports
ବ୍ରହ୍ମପୁର ( ଦ କୁଇଭର ):- ଖେଲୋ ଇଣ୍ଡିଆ ଦ୍ବାରା ଭଦ୍ରକ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ତାଇକୋଣ୍ଡ ପ୍ରତି ଯୋଗିତାରେ ବ୍ରହ୍ମପୁର ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ର ଛାତ୍ରୀ ମାନେ ସଫଳତା ଅର୍ଜନ କରିଛନ୍ତି । ଏଥିଲାଗି ସମସ୍ତ ଛାତ୍ରୀ ମାନଙ୍କୁ ସ୍କୁଲ ଚେୟାରମାନ ଅଧ୍ୟକ୍ଷ କେ. ସି.ପଣ୍ଡା , ନିର୍ଦ୍ଦେଶକ କୁନାଲ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା ଓ ଆମ୍ବପୁଆ ସ୍କୁଲ ଅଧ୍ୟକ୍ଷା ଉଷା ପଟ୍ଟନାୟକ ଶୁଭକାମନା ସହ ଶୁଭେଛା ଜଣାଇଛନ୍ତି । ଏହି ପ୍ରତି ଯୋଗିତାରେ ଜାଭିୟର୍ସ ସ୍କୁଲ ର ୧୧ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ଛାତ୍ରୀ ୮ଟି କାଂସ୍ୟ ପଦକ ହାସଲ କରି ସ୍କୁଲ ର ଗୌରବ ବୃଦ୍ଧି କରିଛନ୍ତି । ତେଜଲ୍ ପାଣିଗ୍ରାହୀ ୨ଟି କାଂସ୍ୟ, ସୁଧାମୟୀ ପାଢ଼ୀ ୨ଟି କାଂସ୍ୟ, ସିମ୍ରନ୍ ଗୌଡ଼ , ଡି. ଅଖିଳ, ସସ୍ମିତା, ସମିତା ପ୍ରମୁଖ ଗୋଟିଏ ଗୋଟିଏ କାଂସ୍ୟ ପଦକ ହାସଲ କରି ଏପରି ସଫଳତା ହାସଲ କରିଛନ୍ତି । କୋଚ କିରଣ ନାୟକ ଛାତ୍ରୀ ମାନଙ୍କୁ ତାଲିମ୍ ଦେଇଥିଲେ। ଛାତ୍ରୀ ମାନଙ୍କ ସଫଳତା ଲାଗି ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖୁସି ଅନୁଭବ କରିବା ସହ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
State,Health & lifestyle,Politics
ଦ କୁଇଭର ବ୍ୟୁରୋ :- ଗତ ୧୯ ତାରିଖରେ ଘଟିଯାଇଥିବା ଘଟଣା, ପୁରୀ ବଳଙ୍ଗା ବାୟାବରରେ ନିଆଁରେ ଜଳିଯାଇଥିବା ପୀଡ଼ିତାଙ୍କ ଦେହାନ୍ତ ପରେ ସୋମବାର ନିଜ ପୈତୃକ ଗାଁରେ କବର ଦିଆଯାଇଛି । ୧୫ ଦିନର ଜୀବନ ମରଣ ସହ ଲଢ଼େଇ ଭିତରେ ହାରିଯାଇଛନ୍ତି ପୀଡ଼ିତା । କିନ୍ତୁ ତାଙ୍କ ମୃତ୍ୟୁ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି । କାରଣ ପୀଡ଼ିତାଙ୍କ ମାଆ ୩ ଜଣ ନିଆଁ ଲଗାଇଥିଲେ ବୋଲି ଦାବି କରିଥିଲେ । ପୀଡ଼ିତାଙ୍କ ଚିକିତ୍ସା ଠିକ ଭାବେ ଚାଲିଥିଲା । ତଦନ୍ତ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । କିନ୍ତୁ ହଠାତ୍ ମୃତ୍ୟୁ ଓ ପରେ ପୁଲିସର ସ୍ପଷ୍ଟୀକରଣ ଅନେକ ଦ୍ବନ୍ଦ୍ବ ସୃଷ୍ଟି କରିଛି । ସବୁ କିଛି ସନ୍ଦେହ ଘେରକୁ ଚାଲିଯାଇଛି । ପୁଲିସର ତଦନ୍ତ ଅନୁସାରେ, ଘଟଣାରେ କାହାର ସଂପୃକ୍ତି ନାହିଁ । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଅନେକ ସନ୍ଦେହ ସୃଷ୍ଟି କରିଥିବାବେଳେ ରାଜନୀତି କିନ୍ତୁ ଥମୁନାହିଁ । ଯୁବ କଂଗ୍ରେସ ପକ୍ଷରୁ ସୋମବାର ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ପିସିସି ସଭାପତି କହିଛନ୍ତି, ଘଟଣା ଉପରେ ରଙ୍ଗ ବୋଳାଯାଉଛି ।
ସେହିପରି ରବିବାର ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ମହିଳା ନେତ୍ରୀ ପ୍ରମିଳା ମଲ୍ଲିକ, ଟୁକୁନି ସାହୁ ଓ ଲେଖାଶ୍ରୀ ସାମନ୍ତ ସିଂହାର ସାମ୍ବାଦିକ ସମ୍ମିଳନୀ କରିବା ସହିତ ଏହି ପ୍ରସଙ୍ଗରେ ମୋହନ ସରକାର ଏବଂ ସମଗ୍ର ପ୍ରଶାସନ ଉପରେ ବହେ ବର୍ଷିଛନ୍ତି। ତେଣୁ ଆସନ୍ତା ୭ ତାରିଖରେ ବିଜେଡି ପୁରୀ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ହରତାଳ କରିବାକୁ ଘୋଷଣା କରିଛି । ତେବେ ପୁଲିସ ତଦନ୍ତ ଉପରେ ବିଜେଡି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସତ୍ୟ ସାମ୍ନାକୁ ନ ଆସିଲେ ଆନ୍ଦୋଳନ ଚେତାବନୀ ଦେଇଛି ଦଳ । ବିଜେପି ସରକାରଙ୍କର ନୂଆ ନାରା ହେଉଛି ବେଟି ପଢ଼ାଓ, ବେଟି ଜଳାଓ । ଏସବୁ କରିବା ପଛରେ ଦାୟୀ କିଏ...? କାହାକୁ ଘଣ୍ଟ ଘୋଡାଉଛି ବିଜେପି...? ଉପ ମୁଖ୍ୟମନ୍ତ୍ରୀଙ୍କ ସ୍ୱାମୀ କୁଆଡେ ପୀଡିତାଙ୍କ ପରିବାରକୁ ଅଜ୍ଞାତରେ ରଖିଥିଲେ, କହିପାରିବେ ଏହା ପଛରେ କାରଣ କ'ଣ..? ଉପ ମୁଖ୍ୟମନ୍ତ୍ରୀ ଜଣେ ନାରୀ ହୋଈ ମଧ୍ୟ ନାରୀ ବିରୋଧି କାର୍ଯ୍ୟ କିଭଳି କରୁଛନ୍ତି... ଯଦି ରାଜ୍ୟ ଶାସନ ଚଳାଇ ପାରୁନାହାନ୍ତି ତେବେ ଗାଦି ଛାଡିଦିଅନ୍ତୁ ବୋଲି କଡ଼ା ଭାଷାରେ ନିନ୍ଦା କରି ବର୍ଷିଛନ୍ତି ବିଜେଡି କର୍ମୀ....
ଏସବୁ ପରେ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠୁଛି, ପୀଡ଼ିତା କ’ଣ ନିଜ ଦେହରେ ନିଜେ ନିଆଁ ଲଗାଇଦେଇଥିଲେ କି ? ପୁଲିସ ସ୍ପଷ୍ଟୀକରଣ ପାଇଁ କାହିଁକି ୧୫ ଦିନ ଲାଗିଲା ? ଘଟଣାସ୍ଥଳରୁ ଜବତ ରୁପା ମୁଦି ଓ ଚୁଡ଼ି କାହାର ? କେଉଁ ଆଧାରରେ ପୀଡ଼ିତାଙ୍କ ମା’ ୩ ଜଣ ଦୁର୍ବୃତ୍ତ ତାଙ୍କ ଝିଅକୁ ନେଇ କିରୋସିନି ଢାଳି ନିଆଁ ଲଗାଇଦେଲେ ବୋଲି ଅଭିଯୋଗ ଆଣିଥିଲେ ? ଆଉ ପୋଲିସ ର ବୟାନ ଘଟଣାରେ କୁଆଡେ ଆଉ କାହାର ସମ୍ପୃକ୍ତି ନାହିଁ..... ଏସବୁ ପଛରେ ବିଚରା ଝିଅଟା ଦୁନିଆ ଛାଡିଦେଲା ସିନା, କିନ୍ତୁ ନ୍ୟାୟ ପାଇପାରିଲାଣି...... ଦେଖାଯାଉ ଆଉ କେତେ ନାରୀଙ୍କ ଏଭଳିଆ ଘଟଣା ପରେ ବିଜେପି ସରକାରଙ୍କ ଆଖି ଖୋଲୁଛି ବୋଲି, ସାଧାରଣରେ ଚର୍ଚ୍ଚା ହେଉଛି....