ଭୁବନେଶ୍ୱର(ଦ କୁଇଭର): ବିଧାନସଭାରେ ଆଜି ବହିଛି ଛତୁଆ ଝଡ଼ । ଦୀର୍ଘବର୍ଷ ଧରି ଚାଲିଥିବା ପୋକା ଛତୁଆକୁ ନେଇ ଗୃହ କମ୍ପିଛି । ଛୋଟ ପିଲା, ଗର୍ଭବତୀ ମହିଳା ଓ କିଶୋରୀ ମାନେ ଅତି ନିମ୍ନମାନର ଛତୁଆ ଖାଉଛନ୍ତି । ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତିରେ ହେଉଥିଲା ରାଜନୀତି । ନେତାଙ୍କୁ ଚାନ୍ଦା ଦେଇ ଅତି ନିମ୍ନମାନର ଛତୁଆ ଯୋଗାଇ ଦିଆଯାଉଥିଲା । ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କିଛି ହେଉ ନଥିଲା । ସରକାର କେବେ ବି ଏହାର ନିରାକରଣ କରିପାରୁ ନଥିଲେ । ଚାନ୍ଦା ନେଉଥିବା ନେତା ଓ ଅଫିସର ଗର ଗର ସିନା ହୁଅନ୍ତି, ବାସ୍ତବରେ ଲାଙ୍ଗୁଡ଼ ଯାକନ୍ତି । ମାତ୍ର ଏବେ ସରକାର ବଦଳିଛି । କ୍ଷମତାରେ ବସିଛନ୍ତି ବିରୋଧୀ ।
ନିଜ ସରକାର ସମୟରେ ଛତୁଆ କେଳେଙ୍କାରୀକୁ ଜାଣିଥିଲେ, ତେଣୁ ଏବେ ସେହି କେଳେଙ୍କାରୀକୁ ଧରି ଗୃହକୁ ହୁଲୁସ୍ତୁଲ କଲେ । ଶୁଣ୍ଢି କୁ ସାକ୍ଷୀ ମାତାଲ ଭଳି କଂଗ୍ରେସ ବି ଏଥିରେ ସାମିଲ ହୋଇଗଲା । ଅବଶ୍ୟ ବିରୋଧୀ ଉଠାଇଥିଲେ ବାସ୍ତବ ସମସ୍ୟା । ସେହି ସମସ୍ୟାକୁ ନେଇ ଗୃହରେ କମ୍ପନ ସୃଷ୍ଟି କରିଥିଲେ ବିରୋଧୀ । ବହୁ ବାଦ ବିବାଦ ହୋ ହଲ୍ଲା ପରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏହର ତଦନ୍ତ କରି ପଦକ୍ଷେପ ନେବାକୁ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଏହାପରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମ୍ନମାନର ଛତୁଆ ନେଇ ତଦନ୍ତ କରାଯିବ ବୋଲି ଗୃହକୁ ଜଣାଇଥିଲେ । ଯେଉଁମାନେ ନିମ୍ନମାନର ଛତୁଆ ପ୍ରସ୍ତୁତ କରୁଥିବେ, ସେମାନଙ୍କୁ କଳା ତାଲିକାଭୂକ୍ତ କରାଯିବା ସହ ଆବଶ୍ୟକ ହେଲେ ଜେଲ ଜରିମାନା ବି ଲାଗୁ କରାଯିବ । ହେଲେ ମନ୍ତ୍ରୀ ଜାଣି ନଥିବେ ଏପରି କଳା ବେପାରୀଙ୍କ ପଛରେ ଚତୁର ନେତା ଓ ଅଫିସର ରହିଛନ୍ତି । ଯେଉଁ କମ୍ପାନୀ ଧରାପଡ଼ିବ, ତାଙ୍କ ସମ୍ପର୍କୀୟଙ୍କ ନାମରେ ଆଉଏକ କମ୍ପାନୀ କରି ସେହି ଭିତ୍ତିଭୂମିରେ ପୁଣି ନିମ୍ନମାନର ଛତୁଆ ପ୍ରସ୍ତୁତ କରି ପ୍ରଦାନ କରିବେ । ଏହା ଏକ ବିରାଟ ର୍ୟାକେଟ ବୋଲି କୁହାଯାଉଛି । ଏଥିରେ ପ୍ରତିବର୍ଷ ୫୦୦କୋଟିର ଘୋଟାଲା କରାଯାଉଛି । ତେଣୁ ବଡ଼ ବଡ଼ ମୁଣ୍ଡ ଓ ଚତୁର ରାଜନେତା ଏବଂ ଅଫିସରମାନେ ସାମିଲ ରହିଛନ୍ତି । ତଦନ୍ତ ବାସ୍ତବବାଦୀ ନହେଲେ ପୁଣି ସେହି ପ୍ରହସନ ହେବ ଓ ମୋହନ ମାଝୀ ସରକାର ବଦନାମ ହେବେ । ଦେଖାଯାଉ ଉପମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ଛତୁଆ କଳାକାରନାମାକୁ ଧରି ପାରୁଛି ନା କଳାବେପାରୀମାନେ ସରକାରଙ୍କୁ ଭୂଆଁ ବୁଲାଇ ଦେଉଛନ୍ତି?