ଦ କୁଇଭର ବ୍ୟୁରୋ:- ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ରହିବ ଗ୍ରାଜୁଏସନ । ଆଗରୁ ମାଟ୍ରିକ ଥିଲା । ବୁଧବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହା ସହ ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃ ଗଠନ କରାଯାଇ ୨୪ ପଦବୀ ସୃଷ୍ଟି କରାଯାଇଛି ।ଅବକାରୀ ବିଭାଗର କନେଷ୍ଟବଲ ମାନଙ୍କୁ ଜିଲ୍ଲା କ୍ୟାଡର କରାଯାଇଛି । ଜଳସମ୍ପଦ ବିଭାଗର ୧୦୮ କୋଟିର ବୈତରଣୀ ଲେଫ୍ଟ ଏବଂ ରାଇଟ କେନାଲ ହେବ । ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝରର ୬୦ ହଜାର ହେକ୍ଟର ଜମି ଜଳ ସେଚିତ ହେବ । ସ୍ୱାସ୍ଥ୍ୟ ବିଭାଗର ୧୦୮ ସେବା ପାଇଁ ଆଗାମୀ ୫ ବର୍ଷ ପାଇଁ ୨୩୯୮ କୋଟି କ୍ୟାବିନେଟ ମଂଜୁର କରିଛି । ୮୬୬ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ରମ ଚାଲିବ। ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟରେ ୬ ଟି ପ୍ରସ୍ତାବ ଅନୁମୋଦିତ ହୋଇଛି ।ମହିଳା ଏବଂ ଶିଶୁ କଲ୍ୟାଣ ସେବାକୁ ଆଗକୁ ବଢାଇବା ପାଇଁ ଓଡ଼ିଶା ଶିଶୁ ଏବଂ ମହିଳା କଲ୍ୟାଣ ସେବା ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ଯାହା ଦ୍ୱାରା ଜୁନିଅର ଗ୍ରେଡ୍ ପଦବୀ ପାଇଁ ଆବେଦନ କରୁଥିବା ଅଙ୍ଗନୱାଡି କର୍ମୀଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହାଇସ୍କୁଲ ପାସ୍ ପରିବର୍ତ୍ତେ ସ୍ନାତକ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
No comments yet.
Politics,State
ଦ କୁଇଭର ବ୍ୟୁରୋ:- ଆଟାଚ ହେବ ରାଜା ଚକ୍ରଙ୍କ ସମ୍ପତ୍ତି । ରାଜା ଚକ୍ରଙ୍କ କ୍ରସର ୟୁନିଟ ଓ ଅନ୍ୟ ଜାଗାରେ STFର ଚଢ଼ାଉ । କେନ୍ଦୁଝର ଓ ଆଖପାଖ ଅଞ୍ଚଳରେ STFର ସ୍ବତନ୍ତ୍ର ଟିମ୍ ଚଢ଼ାଉ କରୁଛି। ରାଜା ଚକ୍ରଙ୍କ ସମ୍ପତ୍ତି ଆଟାଚ ହେବା ନେଇ ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାରେ ତଦନ୍ତ କରୁଛି କ୍ରାଇମ ବ୍ରାଞ୍ଚ । ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ରାଜା ଚକ୍ର ସମେତ ୪ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ତେବେ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ରାଜା ଚକ୍ରଙ୍କୁ ଅଧିକ ପଚରାଉଚରା କରିବାକୁ ଶୁକ୍ରବାର ସ୍ଥାନୀୟ ଏସଡିଜେଏମ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି । ତେବେ କେନ୍ଦୁଝର ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ରାଜା ଚକ୍ର ଓ ତାଙ୍କ ସହଯୋଗୀ କୋଟି କୋଟି ଟଙ୍କା ଅତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ପଚରା ଉଚରା ପରେ ରାଜାଚକ୍ରଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।
Sports
ଦ କୁଇଭର ବ୍ୟୁରୋ:- ଅଧାରୁ ବନ୍ଦ ହେଲା ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ଆଇପିଏଲ ୨୫ ର ୫୮ ତମ ମ୍ୟାଚ୍ । ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍କୁ ବନ୍ଦ କରାଯାଇଛି । ଧର୍ମଶାଳା ଷ୍ଟାଡିୟମରେ ବ୍ଲାକଆଉଟ୍ ହୋଇଯାଇଛି । ଖେଳାଳି ଓ ଦର୍ଶକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଷ୍ଟାଡିୟମରୁ ବାହାରକୁ ବାହାର କରାଯାଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଭିତରେ ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ମ୍ୟାଚ ଅଧାରୁ ବନ୍ଦ କରାଯାଇଛି । ତେବେ ମ୍ୟାଚ୍ ବନ୍ଦ ହେବା ବେଳକୁ, ପଞ୍ଜାବ ୧୦.୧ ଓଭର ଖେଳି ଗୋଟିଏ ୱିକେଟ ହରାଇ ୧୨୨ ରନ୍ କରିଥିଲା । ପିବିକେଏସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବର୍ଷା ଯୋଗୁଁ ଟସ୍ ପଡ଼ିବା କିଛି ସମୟ ପାଇଁ ବିଳମ୍ବିତ ହୋଇଥିଲା । ବିଳମ୍ବ ସତ୍ତ୍ବେ ଓଭରରେ କୌଣସି ହ୍ରାସ କରାଯାଇ ନଥିଲା । ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ୍ ସିଂହ ଯୋଡି ପ୍ରଥମେ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରିୟାଂଶ ଆର୍ଯ୍ୟ ୩୪ ବଲ୍ରୁ ୭୦ ରନ କରି ପେସ୍ ବୋଲର ଟି ନଟରାଜଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ପ୍ରଭସିମରନ୍ ସିଂହ ୨୮ ବଲ୍ରୁ ୫୦ ରନ୍ କରିଛନ୍ତି । ୧୦.୧ ଓଭର ବେଳକୁ ଖେଳକୁ ଅଧାରୁ ବନ୍ଦ କରାଯାଇଥିଲା । ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଅଛି । ୧୧ଟି ମ୍ୟାଚ୍ ଖେଳି ପଞ୍ଜାବର ୧୫ ପଏଣ୍ଟ ରହିଛି । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍ରୁ ୧୩ ପଏଣ୍ଟ ପାଇଛି । ଦିଲ୍ଲୀ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଥିଲା । ଏହି ମ୍ୟାଚ୍ ପୂର୍ବରୁ, ଡିସି ୬ଟି ମ୍ୟାଚ୍ରୁ ଚାରି ଥର ପରାଜୟର ସମ୍ମୁଖୀନ ହୋଇଥିଲା ।
State,Politics
ଦ କୁଇଭର ବ୍ୟୁରୋ:- ଦଳର ସଂଗଠନକୁ ନୂଆ ରୂପ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସଂଗଠନର କଳେବର ବୃଦ୍ଧି କରିବା ସହ ବହୁ ଦିଗକୁ ବିଚାର କରି କମିଟି ଗଠନ କରିଛନ୍ତି ନବୀନ। ସଂଗଠନ ସମ୍ପାଦକ ପଦକୁ ଉଚ୍ଛେଦ କରିଛନ୍ତି ବିଜେଡି ସଭାପତି। ଦୀର୍ଘ ବର୍ଷ ପରେ ବିଜୁ ଜନତା ଦଳ ସଂଗଠନକୁ ଫେରିଛି, ରାଜନୈତିକ ବ୍ୟାପାର କମିଟି- PAC। ଗଠିତ ହୋଇଛି ବିଜେଡିର ପଲିଟିକାଲ ଆଫାୟାର୍ସ କମିଟି । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। କମିଟିରେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଂଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର, ସଂତୃପ୍ତ ମିଶ୍ର ପ୍ରମୁଖ ସଦସ୍ୟ ଅଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ, ବିଭିନ୍ନ ଛାମୁଆ ସଂଗଠନର ଆବାହକଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ବିଜେଡି ସଭାପତି ୭୧ ଜଣିଆ ରାଜ୍ୟ ସ୍ତରୀୟ ସାଂଗଠନିକ କମିଟି ଗଠନ କରିଛନ୍ତି। ପୂର୍ବରୁ ସଂଗଠନ ସମ୍ପାଦକ ପଦ ଥିବା ବେଳେ ଏହାକୁ ଏଥର ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ପଦରେ ପ୍ରଣବ ପ୍ରକାଶ ଦାସ ଥିବାବେଳେ ନୂଆ ସାଙ୍ଗଠନିକ ଦାୟିତ୍ୱରେ କିନ୍ତୁ ଏହି ପଦ ଆଉ ରହିନାହିଁ। ୭୧ ଜଣିଆ ସାଂଗଠନିକ କମିଟିରେ-୭ ଜଣ ବରିଷ୍ଠ ଉପସଭାପତି,୮ ଜଣ ଉପସଭାପତି
ଜଣେ କୋଷାଧ୍ୟକ୍ଷ,୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ,୩୫ ଜଣ ସାଧାରଣ ସମ୍ପାଦକ ଙ୍କୁ ନିଯୁକ୍ତି ମିଳିଛି l
ବିଜେଡି ସଂଖ୍ୟାଲଘୁ ସେଲକୁ ମଧ୍ୟ ବିଜେଡି ସଭାପତି ପୁନର୍ଗଠନ କରିଛନ୍ତି। ବିଜେଡି ସଂଖ୍ୟାଲଘୁ ସେଲର ଆବାହକ ନିଯୁକ୍ତ ହୋଇଛନ୍ତି ଦିଲ୍ଲୀପ ତିର୍କୀ। ସେହିପରି ସହ ଆବାହକ ରିଜୱାନା ବେଗମ, ଦକ୍ଷିଣ ଜୋନର ସଂଯୋଜକ ମୁଜିବୁଲ୍ଲା ଖାଁ, ପଶ୍ଚିମ ଜୋନର ସଂଯୋଜକ ଆୟୁବ ଖାଁ, ମଧ୍ୟ ଜୋନର ସଂଯୋଜକ ହୋଇଛନ୍ତି ସେକ୍ ନିଜ୍ଜାମୁଦ୍ଦୀନ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିବା ଏହି ଟିମରେ ପ୍ରଫୁଲ ମଲ୍ଲିକ, ଶଶୀଭୂଷଣ ବେହେରା, ଭୂପିନ୍ଦର ସିଂ, ନୃସିଂହ ସାହୁଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିନାହିଁ ଏବଂ ସେମାନେ ନିରାଶ ହୋଇଥିବା ସାଧାରଣରେ ଚର୍ଚ୍ଚା ଚାଲିଛି l ବିଜେଡି ବଳକା ଥିବା ଆଉ ୬ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି। ୩୩ ସଂଗଠନ ଜିଲ୍ଲା ମଧ୍ୟରୁ ପୂର୍ବରୁ ଦଳ ୧୮ ସାଂଗଠନିକ ଜିଲ୍ଲା ସଭାପତି ନିଯୁକ୍ତି ଦେଇଛି। ବଳକା ୧୫ ସାଂଗଠନିକ ଜିଲ୍ଲାରୁ ୬ ଜିଲ୍ଲା ସଭାପତି ଘୋଷଣା ହେବା ପରେ ଆଉ ୯ଟି ଜିଲ୍ଲା ବାକି ରହିଲା। ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ୬ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦୁଝର ପାଇଁ ଆଶିଷ ଚକ୍ରବର୍ତ୍ତୀ, ଭୁବନେଶ୍ବର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୁରଭଞ୍ଜ-2 ପାଇଁ ଦେବାଶିଷ ମାର୍ଣ୍ଡି, ସମ୍ବଲପୁର ପାଇଁ ରୋହିତ ପୂଜାରୀ ଓ ବଲାଙ୍ଗିର ପାଇଁ ସରୋଜ କୁମାର ମେହେର ନିର୍ବାଚିତ ହୋଇଥିବା ସୂଚନା ମିଳିଛି l
State
ଗଞ୍ଜାମ ( ଦ କୁଇଭର):- ଆରମ୍ଭ ହେଲା ପୋଲିସ ର ଅପରାଧ ସଫେଇ ଅଭିଯାନ! ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କ କାର୍ଯ୍ଯକଳାପ କୁ ନେଇ ବାରମ୍ବାର ପୋଲିସ ର ସୁରକ୍ଷା ବ୍ଯବସ୍ଥା ଉପରକୁ ଅଙ୍ଗୁଳି ଉଠିବା ପରେ ଏବେ ଆକ୍ସନ ମୋଡ ରେ ପୋଲିସ। ଜିଲ୍ଲାରେ ବନ୍ଧୁକ ଧରି ଆତଙ୍କ ରଚିବା ସହ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେବାର ଯୋଜନା କରୁଥିବା ୧୮ ଅଭିଯୁକ୍ତ କୁ କାବୁ କରି ୧୭ ଟି ବନ୍ଧୁକ ୬୬ ଟି ଅଫୁଟା ଗୁଳି ସହ ବହୁ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗଞ୍ଜାମ ପୋଲିସ ଜିଲ୍ଲାର ଏହି ଅଭିଯାନ ପୋଲିସ କୁ ଆଗକୁ ସାମନ୍ଯ ଆଶ୍ବସ୍ତ ଦେବ ବୋଲି ଅନୁମାନ କରାଯାଉଥିବା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଏହି ଅଭିଯାନ କେବେ ହାତକୁ ନିଆଯିବ ତାହା ଉପରେ ସମସ୍ତଙ୍କ ନଜର।
Shree Jagannath
ପୁରୀ ( ଦ କୁଇଭର):-: ଜଗନ୍ନାଥ ପ୍ରେମୀଙ୍କ ପ୍ରବଳ ବିରୋଧ ପରେ ମୁଣ୍ଡ ନୁଆଇଁଲେ ମମତା l ଚାରିଆଡୁ ତୀବ୍ର ବିରୋଧ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ପଶ୍ଚିମବଙ୍ଗ ସରକାର । ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ‘ଧାମ’ ନାମକରଣକୁ ନେଇ ବିବାଦ ଦେଖାଯାଇଥିଲା । ଏହାକୁ ଜଗନ୍ନାଥ ପ୍ରେମୀ ତୀବ୍ର ବିରୋଧ କରିଥିଲେ । ଶେଷରେ ମନ୍ଦିରରୁ ‘ଧାମ’ ଶବ୍ଦ ଉଠାଇ ଦେଇଛନ୍ତି । ସେପଟେ ଦୀଘା ଜଗନ୍ନାଥ ମନ୍ଦିର ଦାରୁ ବିବାଦ ନେଇ ଆସିଛି ତଦନ୍ତ ରିପୋର୍ଟ । ଦୀଘା ଜଗନ୍ନାଥ ମନ୍ଦିରରେ ବଳକା ଦାରୁରୁ ମୂର୍ତ୍ତି ନିର୍ମାଣ ଦ୍ବନ୍ଦ୍ବ ଦୂର କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପରେ ଦୀଘା ଜଗନ୍ନାଥ ଧାମ ନାମକରଣକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତ୍ୟାହାର କରିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିରକୁ ଗତ ଅକ୍ଷୟ ତୃତୀୟାରେ ଉଦଘାଟନ କରାଯାଇଥିଲା । ଏହାକୁ ଜଗନ୍ନାଥ ଧାମ ନାମ ଦେଇଥିଲେ ମମତା ବାନାର୍ଜୀ । ଏହାକୁ ନେଇ ସବୁ ମହଲରେ ବିରୋଧ ଆରମ୍ଭ ହୋଇଥିଲା । ପୁରୀ ସହ ଦେଶରେ ଥିବା ଚାରି ଧାମକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ଥାପନ କରିଥିଲେ। ତେବେ ଦୀଘାରେ ହୋଇଥିବା ନବ ନିର୍ମିତ ଜଗନ୍ନାଥ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଜଗନ୍ନାଥ ଧାମ’ ନାମ କରଣ ଦେବା ପରେ ବିବାଦ ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର ସେବାୟତଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥ ପ୍ରେମୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଦକ୍ଷେପକୁ କଡା ବିରୋଧ କରିଥିଲେ । ତେବେ ଶେଷରେ ଚାପ ଆଗରେ ମୁଣ୍ଡ ନୂଆଁଇ ଦୀଘାକୁ ଜଗନ୍ନାଥ ଧାମ ନାମକରଣକୁ ହଟାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଶ୍ରୀମନ୍ଦିର ପ୍ରଶାସନକୁ ତଦନ୍ତ ପାଇଁ ଚିଠି ଲେଖିଥିଲେ ଆଇନ ମନ୍ତ୍ରୀ । ତଦନ୍ତ ରିପୋର୍ଟରେ କଣ କଣ ଆସିଛି ତାହାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ l ମହାପ୍ରଭୁଙ୍କ ଦୈନିଦିନ କଣ କାର୍ଯ୍ୟ ରହିବ ଏନେଇ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ପକ୍ଷରୁ ଖୁବ ଶୀଘ୍ର ମାର୍ଗଦର୍ଶିକା ଜାରିହେବ । ଜଗନ୍ନାଥ ଧାମ ଯାହା ଉଲ୍ଲେଖ କରାଯାଇଛି ସେଥିରେ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଧାମ ଶବ୍ଦର ନାମ କେବଳ ଚାରି ଧାମରେ ଲାଗିବ । ପଶ୍ଚିମ ବଙ୍ଗ ସରକାରଙ୍କୁ ସରକାରଙ୍କ ତରଫରୁ ଲେଖା ଯିବ ଏବଂ ଦୀଘା ଠାରେ ମହାଦୋଧି ନାମକୁ କାଟିବା ପାଇଁ ଜଣାଇବୁ ଯଦି ନ ମାନିଲେ ଆଇନଗତ ଆଶ୍ରୟ ନେବୁ । ସେବାୟତ ମାନେ କେଉଁଠିକୁ ଯିବେ ନ ଯିବେ ମାର୍ଗଦର୍ଶିକା ଜାରି ହେବ ।’ ସେ କହିଛନ୍ତି, ‘ଯାହାକୁ ନେଇ ଏତେ ଚର୍ଚ୍ଚା ଆଲୋଚନା ହୋଇଥିଲା ଯେ ବଳକା ଦାରୁ କାଠ ଯାଇକି ମୂର୍ତ୍ତି ତିଆରି ହୋଇଥିଲା ବୋଲି ଯେଉଁ କଥା ଆସିଥିଲା ଏହା ସମ୍ପୂର୍ଣ୍ଣ ମିଛ ।’ଆଇନମନ୍ତ୍ରୀ ଆହୁରି କହିଛନ୍ତି, ‘ଦଇତାପତି ନିଯୋଗ ସଭାପତିଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଥିଲା ସମାନ ଦିଆଯାଇଥିଲା ସେ କହିଛନ୍ତି ମୋର କୌଣସି ଉଦ୍ଦେଶ୍ୟ ନଥିଲା, ଭୁବେନେଶ୍ୱରର ଗୋଟିଏ ସୁଦର୍ଶନ ମହାରଣା ପାଖରୁ ତିଆରି କରିକି ନେଇଛନ୍ତି ସେ ଲିଖିତ ଜଣାଇଛନ୍ତି । ନିମ୍ବ କାଠରେ ମୂର୍ତ୍ତି ତିଆରି କରିକି ଦେଇଛନ୍ତି ବୋଲି ମହାରଣା ସ୍ୱୀକାର କରିଛନ୍ତି । ଶ୍ରୀମନ୍ଦିର ଆକ୍ଟ ଅନୁଯାଇ ପୁଣି 7 ଦିନ ଭିତରେ ଜଣାଇବା ପାଇଁ କୁହାଯାଇଛି ସେଥିରେ ସନ୍ତୁଷ୍ଟ ନ ହେଲେ ମନ୍ଦିର ପ୍ରଶାସନ ଦଣ୍ଡିତ କରିବ । ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଵାଧିଛି । ଜଗନ୍ନାଥଙ୍କ କୌଣସି ଜିନିଷ ନେଇ କେହି ବଞ୍ଚିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି l
National
ଦ କୁଇଭର ବ୍ୟୁରୋ:- ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେ କୌଣସି ଜରୁରିକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଆଜିଠାରୁ ଦେଶର ଅନେକ ରାଜ୍ୟରେ ମକ୍ ଡ୍ରିଲ୍ ଆରମ୍ଭ ହୋଇଛି। ଦିଲ୍ଲୀ ଓ ପାଟନାଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବ୍ଲାକ୍ଆଉଟ୍ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଦେଶର ୨୪୪ଟି ଜିଲ୍ଲାରେ ଏହି ମକ୍ ଡ୍ରିଲ୍ କରାଯାଇଛି। ଏହି ଅପରେସନ୍ର ନାମ ‘ଅପରେସନ୍ ଅଭ୍ୟାସ’ ରଖାଯାଇଛି। ମକ ଡ୍ରିଲ୍ ସମୟରେ ଅନେକ ସ୍ଥାନରେ ସାଇରନ୍ ଶୁଣିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ, ଝାଡ଼ଖଣ୍ଡ, ହରିୟାଣା, ବିହାର, ଆନ୍ଧ୍ରପ୍ରଦେଶ ଭଳି ଅନେକ ରାଜ୍ୟରେ ଏହି ଅଭ୍ୟାସ ବ୍ୟାପକ କରାଯାଉଛି। ଏହି ରାଜ୍ୟଗୁଡ଼ିକ ବ୍ୟତୀତ ଆସାମର ୧୪ଟି ଜିଲ୍ଲା, ଓଡ଼ିଶାର ୧୨ଟି ଜିଲ୍ଲା, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ମିଜୋରାମର ଆଇଜଲରେ ମକ୍ ଡ୍ରିଲ୍ କରାଯାଇଥିଲା। ଏହି ସମୟ ମଧ୍ୟରେ ଏୟାର୍ ଷ୍ଟ୍ରାଇକ୍, ଅଗ୍ନିଶମ ଜରୁରିକାଳୀନ ପରିସ୍ଥିତି, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଭଳି ଅନେକ ପରିସ୍ଥିତିର ଆକଳନ କରାଯାଇଥିଲା। ହରିୟାଣାର ୧୧ଟି ଜିଲ୍ଲାରେ ବି ଏହି ମକ୍ ଡ୍ରିଲ୍ କରାଯାଇଥିଲା। ରାଜ୍ୟର ଗୁରୁଗ୍ରାମ, ପଞ୍ଚକୁଲା, ଅମ୍ବାଲା, ଓ ରୋହତକର ବ୍ୟସ୍ତବହୁଳ ସପିଂ ମଲ୍, ବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ଏହି ଅଭ୍ୟାସ କରାଯାଇଥିଲା। ସାଇରନ୍ ବାଜିବା ପରେ ବେସାମରିକ ସୁରକ୍ଷା କର୍ମୀ, ପୁଲିସ, ଅଗ୍ନିଶମ ଓ ଜରୁରିକାଳୀନ ସେବା କର୍ମଚାରୀମାନେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ହାଇଦ୍ରାବାଦର ୪ଟି ସ୍ଥାନରେ ମକ୍ ଡ୍ରିଲ୍ କରାଯାଇଥିଲା। ସିକନ୍ଦରାବାଦ, ଗୋଲକୁଣ୍ଡା, କାଞ୍ଚନବାଗ ଓ ନଚରମ ଏନ୍ଏଫ୍ସି ଅଞ୍ଚଳରେ ଏହି ଅଭ୍ୟାସ କରାଯାଇଥିଲା। ସାଇରନ୍ ବାଜିଲେ ନାଗରିକମାନଙ୍କୁ ଘର ଭିତରେ ରହିବା, ଆଶ୍ରୟ ନେବା ଓ ଲୁଚି ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ତାମିଲନାଡ଼ୁର ଦୁଇଟି ପ୍ରମୁଖ ପ୍ରତିଷ୍ଠାନରେ ମକ୍ ଡ୍ରିଲ୍ କରାଯାଇଥିଲା। କଳ୍ପକମ୍ସ୍ଥିତ ମାଡ୍ରାସ ଆଣବିକ ଶକ୍ତି କେନ୍ଦ୍ର ଓ ଚେନ୍ନାଇ ବନ୍ଦରରେ ଏହି ଅଭ୍ୟାସ କରାଯାଇଥିଲା।
National,State
ଦ କୁଇଭର ବ୍ୟୁରୋ:- ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମୋ ସ୍ବାସ୍ଥ୍ୟକୁ ନେଇ ହୋଇଥିବା ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଭ୍ରମାତ୍ମକ। ମୁଁ ସମସ୍ତଙ୍କୁ ସତ୍ୟ ଆଧାରିତ ତଥ୍ୟ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରୁଛି ଏବଂ ମୁଁ ମୋ କାମ ପ୍ରତି ପୂରାପୂରି ସମର୍ପିତ ଅଛି...' କହି ଚଳନ୍ତା ଟ୍ରେନରୁ କେନ୍ଦ୍ରମନ୍ତ୍ରୀ ନିଖୋଜ ହୋଇଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଜୁଏଲ ଓରାମ। ଏହି ନିଖୋଜ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସ ଏବଂ ଫେସବୁକରେ ପୋଷ୍ଟ କରି ସେ କହିଛନ୍ତି, ମୁଁ ସୁସ୍ଥ ଅଛି। ତେବେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଶନିବାର ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାଏବ ହୋଇଯାଇଥିବା ଏବଂ ତାଙ୍କ ସୁଗାର କମ୍ ହୋଇଯିବାରୁ ଟ୍ରେନରେ ଚଢିବା ବେଳେ ପଡିଯାଇ ଆହତ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଏହି ନିଖୋଜ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶେଷରେ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ଜୁଏଲ ଓରାମ। ନିଜ ସୋସିଆଲ ମିଡିଆ ଏକ୍ସ ଏବଂ ଫେସବୁକରେ ପୋଷ୍ଟ କରି ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏବଂ ସେ ଜବଲପୁରରେ କାର୍ଯ୍ୟକ୍ରମ ସାରି ଗତକାଲି ରାତିରେ ଦିଲ୍ଲୀ ଫେରିଆସି ନିଜ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହୋଇଥିବା ସୂଚନା ଦେଇଛନ୍ତି।
State
ଦ କୁଇଭର ବ୍ୟୁରୋ:- ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି । ଆଗାମୀ ୧୦ ତାରିଖ ଯାଏଁ ବର୍ଷା ଲାଗି ରହିବ । କିନ୍ତୁ ଆଗାମୀ ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବାର ଆଶଙ୍କା ରହିଛି । ଆସନ୍ତା ୪୮ ଘଣ୍ଟା ପାଇଁ ବର୍ଷା ନେଇ ସାରା ରାଜ୍ୟକୁ ସତର୍କ କରାଯାଇଛି । ସେହିପରି ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ବହିବ । ଯାହାକୁ ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ସତର୍କ କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପରେ ଧିରେଧିରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Sports
ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ ର ୫୫ ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଥିବା ଏହି ମ୍ୟାଚ୍ ସମୟରେ ପ୍ରବଳ ବର୍ଷା ହୋଇଥିଲା । ଅମ୍ପାୟାରଙ୍କ ଦ୍ୱାରା ଦୀର୍ଘ ସମୟ ଅପେକ୍ଷା କରିବା ପରେ, ମ୍ୟାଚ୍ ବାତିଲ ହୋଇଥିଲା । ଉଭୟ ଦଳ ମଧ୍ୟରେ ୧-୧ ପଏଣ୍ଟ ବଣ୍ଟାଯାଇଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ବର୍ଷା ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ IPL 2025ର 55ତମ ମ୍ୟାଚ୍ ବାତିଲ ହୋଇଯାଇଛି । ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା । ଏହା ପରେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ବନ୍ଦ ହେବା ପରେ, ଉଭୟ ଦଳର ଅମ୍ପାୟାର ଏବଂ ଅଧିନାୟକ ଗ୍ରାଉଣ୍ଡ ଯାଞ୍ଚ କରିଥିଲେ । ପରେ ଅମ୍ପାୟାର ମ୍ୟାଚ୍ ବାତିଲ ଘୋଷଣା କରିଥିଲେ ଏବଂ ଦୁଇ ଦଳ ମଧ୍ୟରେ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ ହୋଇଥିଲା । ଫଳରେ ୭ ସହ ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ଏହି ମ୍ୟାଚ୍ରେ ୧ ପଏଣ୍ଟ ପାଇବା ପରେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦର ପ୍ଲେଅଫ୍ ଯାତ୍ରା ଶେଷ ହୋଇଛି । ହାଇଦ୍ରାବାଦ ଦଳ ଆନୁଷ୍ଠାନିକ ଭାବରେ IPL ୨୦୨୫ ର ପ୍ଲେଅଫରୁ ବାଦ ପଡ଼ିଛି । ଦଳ ୧୧ ଟି ମ୍ୟାଚ୍ ପରେ ମୋଟ ୭ ପଏଣ୍ଟ ପାଇଛି । ଯେଉଁଥିରେ ତିନୋଟି ବିଜୟ, ଗୋଟିଏ ଡ୍ର ଏବଂ ୭ପରାଜୟ ରହିଛି । ହାଇଦ୍ରାବାଦ ବର୍ତ୍ତମାନ ପଏଣ୍ଟ ଟେବୁଲରେ ୮ମ ସ୍ଥାନରେ ରହିଛି ।
ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ୧ ପଏଣ୍ଟ ପାଇଛି । ଏହି ଗୋଟିଏ ପଏଣ୍ଟ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପଥକୁ ଜଟିଳ କରିଦେଇଛି । ୧୧ ଟି ମ୍ୟାଚ୍ ପରେ, ଦିଲ୍ଲୀ ୬ଟି ବିଜୟ, ୪ଟି ପରାଜୟ ଏବଂ ଗୋଟିଏ ଡ୍ର ସହିତ ମୋଟ ୧୩ ପଏଣ୍ଟ ପାଇଛି । ଏବେ, ପ୍ଲେଅଫରେ ସ୍ଥାନ ପାଇବାକୁ ହେଲେ, ଦିଲ୍ଲୀକୁ ପରବର୍ତ୍ତୀ ୩ଟି ମ୍ୟାଚ୍ରୁ ଅତି କମରେ ୨ ଟି ଜିତିବାକୁ ପଡିବ । ଏହା କରିବା ଦ୍ୱାରା ଦଳର ୧୭ ପଏଣ୍ଟ ହେବ ଏବଂ ପ୍ଲେଅଫରେ ପହଞ୍ଚିପାରିବେ । ଦିଲ୍ଲୀ ବର୍ତ୍ତମାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି ।
International,National
ଦ କୁଇଭର ବ୍ୟୁରୋ :- ଅପରେସନ୍ ସିନ୍ଦୂର’କୁ ନେଇ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାଧ୍ୟକ୍ଷମାନଙ୍କ ସହ ବୈଠକ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍ ଅନିଲ ଚୌହାନ, ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରିତ ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ଜଣାଯାଇଛି।କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାଧ୍ୟକ୍ଷମାନଙ୍କ ସହ ବୈଠକ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍ ଅନିଲ ଚୌହାନ, ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରିତ ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ଜଣାଯାଇଛି। ସେ ଆଜି ଯୁଦ୍ଧସ୍ଥିତିର ସମୀକ୍ଷା କରିବେ।
Politics
ଦ କୁଇଭର ବ୍ୟୁରୋ:- ଏପ୍ରିଲ ୩୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ବିଜେଡି, ନିର୍ବାଚନ କମିଶନଙ୍କ ଠାରୁ ସମୟରେ ମାଗିଥିଲା। କିନ୍ତୁ ଡେଡ୍ ଲାଇନ୍ ସରିଥିଲେ ବି ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ହୋଇପାରୁ ନାହିଁ। ଗତ ଏପ୍ରିଲ ୧୯ ରେ ବିଜେଡି ସଭାପତି ନିର୍ବାଚନ ହୋଇଥିଲା। ଯେଉଁଥିରେ ନବୀନ ନିର୍ଦ୍ବନ୍ଦ୍ବରେ ନବମ ଥର ପାଇଁ ନିର୍ବାଚିତ ହେଲେ। ଦଳର ନିୟମ କହୁଛି ୩୫୫ ଜଣ ସଦସ୍ୟଙ୍କୁ ନେଇ ରାଜ୍ୟ ପରିଷଦ ଓ ୮୧ଜଣ ସଦସ୍ୟଙ୍କୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ଗଠନ ହେବ। ରାଜ୍ୟ କାର୍ଯ୍ୟକାରିଣୀରେ ସଭାପତି ନିର୍ବାଚନ ହେବ। କିନ୍ତୁ ସଭାପତି ନିର୍ବାଚନ ସରିଥିଲେ ବି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦରେ କିଏ ଅଛନ୍ତି ତାହା କେହି ଜାଣିନାହାନ୍ତି। ଖୋଦ୍ ଦଳ ଭିତରୁ ଏହାକୁ ନେଇ ଉଠିଲାଣି ଅସନ୍ତୋଷର ସ୍ବର। ଭୁବନେଶ୍ବରର ବିଜେଡି ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, କିଛି ତୋଷାମୋଦିଆଙ୍କ କବଳରେ ଦଳ ଅଛି। ଜାଣିଶୁଣି କାର୍ଯ୍ୟକାରିଣୀ ତାଲିକାକୁ ଲୁଚାଯାଉଛି। ସେପଟେ ଦଳ କହୁଛି, ଦକ୍ଷ ଲୋକଙ୍କୁ ଦାୟିତ୍ବ ଦିଆଯିବ, ଠିକ୍ ସମୟରେ ନବୀନ ବାବୁ ନିଷ୍ପତ୍ତି ନେବେ। ଖାଲି ବିଜେଡି ନୁହେଁ। ବିଜେପି ଓ କଂଗ୍ରେସର ବି ରାଜ୍ୟରେ ସମାନ ଅବସ୍ଥା। ଶାସକ ବିଜେପିର ନୂଆ ରାଜ୍ୟ ସଭାପତି ଚୟନ ଏଯାଏ ହୋଇନି। ସେହିପରି ପ୍ରଥମ ଥରେ ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିଥିଲେ ବି ବୋର୍ଡ ଓ ନିଗମ ଅଙ୍କ ଏଯାଏ ଛିଡିନି। ନୂଆ ସରକାରକୁ ଆସନ୍ତା ଜୁନ ୧୨ରେ ବର୍ଷେ ପୂରିବ, ତଥାପି ପଦବି ଖାଲି ପଡିଛି। ଅନ୍ୟପଟେ ପ୍ରାୟ ବର୍ଷେ ଖାଲି ପଡିବା ପରେ ପିସିସି ସଭାପତି ଦାୟିତ୍ବ ଭକ୍ତ ଦାସଙ୍କୁ ମିଳିଛି। କିନ୍ତୁ ଏହା ପରେ ବି ଦଳର ରାଜ୍ୟ କମିଟି ଓ ଛାମୁଆ ସଂଗଠନ ଗଠନ ହୋଇପାରିନି। ଦଳ ପାଇଁ ବଡ଼ ସମସ୍ୟା ହେଉଛି ଅସଜଡା ଘର ଓ ଅମାନିଆ ନେତା। ତେବେ ଖୁବ ଶୀଘ୍ର ବିବାଦ ଦୂର କରି କମିଟି ଘୋଷଣା ହେବ ବୋଲି କଂଗ୍ରେସ କହିଛି।
Sports
ଦ କୁଇଭର ବ୍ୟୁରୋ:- ଚଳିତ ଆଇପିଏଲ ସିଜିନର ୫୪ ତମ ମ୍ୟାଚରେ ପଞ୍ଜାବ କିଙ୍କ୍ସ ର ଦମଦାର ବିଜୟ । ୩୭ ରନରେ ଲକ୍ଷ୍ନୌକୁ ହରାଇଲା ପଞ୍ଜାବ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ ସୁପରଜାଏଣ୍ଟ୍ସ । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌକୁ ୨୩୭ ରନ୍ର ଟାର୍ଗେଟ ଦେଇଥିଲା । ପଞ୍ଜାବର ପ୍ରଭସିମରନ ସିଂହ ଧୂଆଁଧାର ବ୍ୟାଟିଂ କରି ୪୮ ବଲରେ ୯୧ ରନ କରିଥିଲେ । ୨୦ ଓଭରରେ ୭ ୱିକେଟ ହରାଇ ୧୯୯ ରନ୍ କରି ୩୭ ରନରେ ପଞ୍ଜାବଠାରୁ ପରାଜିତ ହୋଇଛି ଲକ୍ଷ୍ନୌ । ମ୍ୟାଚ ଆରମ୍ଭରୁ ପଞ୍ଜାକୁ ଝଟକା ଲାଗିଥିଲା । ପ୍ରଥମ ଓଭରରେ ହିଁ ପ୍ରିୟାଂଶ ଆର୍ଯ୍ୟଙ୍କୁ ନିଜର ଶିକାର କରିଥିଲେ ଆକାଶ ସିଂହ । ମାତ୍ର ୧ ରନ କରି ଆଉଟ ହୋଇଥିଲେ ଆର୍ଯ୍ୟ । ପରେ ଜୋଶ ଇଙ୍ଗଲିସ୍ ପଡିଆକୁ ଓହ୍ଲାଇଥିଲେ । ପ୍ରଭସିମରନ ସିଂହ ଓ ଇଙ୍ଗଲିସ୍ ମିଳିତ ୪୮ ରନ କରିଥିଲେ । ଆକାଶ ସିଂହ, ୱିକେଟକିପର ବ୍ୟାଟସମ୍ୟାନ୍ ଇଙ୍ଗଲିସ୍ଙ୍କୁ ଆଉଟ କରିଥିଲେ । ଇଙ୍ଗଲିସ୍ ଗୋଟିଏ ଚୌକା ଏବଂ ୪ ଟି ଛକା ସହାୟତାରେ ୩୦ ରନ କରିବା ପରେ ଆଉଟ ହୋଇଥିଲେ । ଲକ୍ଷ୍ନୌ ପାଇଁ ଆକାଶ ସିଂହ ଏବଂ ଦିଗବେଶ ରାଠି ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପ୍ରିନ୍ସ ଯାଦବଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା । ରିଷଭ ପନ୍ତ ୧୭ ବଲ୍ ଖେଳି ୨ ଟି ଚୌକା ଓ ଗୋଟିଏ ଛକା ସହ ୧୮ ରନ କରି ଆଉଟ ହୋଇଥିଲେ । ମୋଟ ୨୦ ଓଭର ଖେଳି ୭ ୱିକେଟ ହରାଇ ୩୭ ରନରେ ପଞ୍ଜାବ ଠାରୁ ପରାଜିତ ହୋଇଛି ଲକ୍ଷ୍ନୌ ।
State
କେନ୍ଦୁଝର ( ଦ କୁଇଭର):- ଜନ୍ମମାଟିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ଲୋକଙ୍କ ସୁବିଧା ପାଇଁ କେନ୍ଦୁଝର ଜିଲ୍ଲାକୁ ଗୋଟିଏ ଦିନରେ ୧ ହଜାର ୧୫୫ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ରାସ୍ତାଘାଟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜୀବିକା ସୃଷ୍ଟି ଆଦି ଅନେକ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି । ଏହି ସବୁ ପ୍ରକଳ୍ପଗୁଡ଼ିକ କେନ୍ଦୁଝର ଜିଲ୍ଲାର ଗାଁ ଗାଁରେ ବିକାଶର ଧାରାକୁ ଆଗେଇ ନେବ । କେନ୍ଦୁଝର ଜିଲ୍ଲା ରାଜ୍ୟର ଏକ ଶ୍ରେଷ୍ଠ ଜିଲ୍ଲା ଭାବରେ ରାଜ୍ୟର ବିକାଶକୁ ନେତୃତ୍ୱ ଦେବ । ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । କେନ୍ଦୁଝର ଜିଲ୍ଲାକୁ ୧୧୫୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ମୁ୍ଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରାୟ ୪୫୦ କୋଟି ଟଙ୍କାରେ ୨୧୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ୮୭ କୋଟି ଟଙ୍କାର ୧୦୪ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ଏହାସହ ୬୨୦ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଘୋଷାଣା କରିଛିନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
କେନ୍ଦୁଝର ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମିଳିବ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା (In-Patient Service) ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମଖ୍ୟମନ୍ତ୍ରୀ । ସେହିପରି ଖଣି କାରବାର ଯୋଗୁଁ ଅଧିକ ଯାନବାହନ ଚଳାଚଳ ହେଉଥିବା କେନ୍ଦୁଝର ଭଳି ଜିଲ୍ଲାରେ ଟ୍ରମା କେୟାର ବ୍ୟବସ୍ଥା ଲୋକଙ୍କ ଜୀବନ ବଞ୍ଚାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ସବୁ ଖଣିଜ ଜିଲ୍ଲାଗୁଡ଼ିକର ମେଡିକାଲ କଲେଜ୍ରେ ଉନ୍ନତ ଟ୍ରମା କେୟାର ବ୍ୟବସ୍ଥା ରହିବ । ଆଗାମୀ ଦିନରେ ୫ ହଜାର ଡାକ୍ତର ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଖୁବଶୀଘ୍ର ଆଉ ୪ଟି ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ । ସେଗୁଡିକ ହେଲା ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁର l
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଟାଉନରେ ନବ ନିର୍ମିତ ଥାନାଗୃହ ଏବଂ ରିଜର୍ଭ ପୋଲିସ ଅଫିସ ଉଦ୍ଘାଟନ କରିଛନ୍ତି । ସମୁଦାୟ ୩ କୋଟି ୩୪ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଥାନା ଓ ୨ କୋଟି ୭୬ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟରେ ନିର୍ମିତ ରିଜର୍ଭ ପୋଲିସ ଅଫିସର ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଜନତାଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ନବନିର୍ମିତ ଥାନାରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ୍ ବ୍ୟବସ୍ଥା, ବିଲ୍ଡିଂ ଏବଂ ବାରାକ୍, ସମ୍ମିଳନୀ କୋଠରୀ, ସନ୍ଦିଗ୍ଧ ଓ ସାକ୍ଷୀ ପରୀକ୍ଷା କୋଠରୀ, ୱେୟାରଲେସ୍ ଏବଂ ଯୋଗାଯୋଗ କୋଠରୀ, ଆଧୁନିକ ମାଲଖାନା,ଅଭ୍ୟର୍ଥନା କେନ୍ଦ୍ର (Reception Centre) ଏବଂ ମହିଳା ଓ ଶିଶୁ ସହାୟତା ଡେସ୍କ (Help desk) ପ୍ରସ୍ତୁତ କରାଯାଇଛି । ଏହାବ୍ୟତୀତ ଶିଶୁସଦନ, ଯାନବାହନ ପାର୍କିଂ ବ୍ୟବସ୍ଥା, ତଥ୍ୟ ସଂରକ୍ଷଣ ସହିତ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ସତର୍କ ସୂଚନା ଘଣ୍ଟି ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଅବସରରେ ପୋଲିସ କର୍ମଚାରୀଙ୍କ ପାଇଁ ୧୭ଟି SUV ଗାଡ଼ି ଏବଂ ୮୦ଟି ମୋଟର ସାଇକେଲକୁ ସବୁଜ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।
State
ଦ କୁଇଭର ବ୍ୟୁରୋ:- ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଦେଶର ସମସ୍ତ ପ୍ରମୁଖ ପର୍ଯ୍ୟଟନସ୍ଥଳ ଏବେ ହାଇ ଆଲର୍ଟରେ। ଏଥିସହ ରାଜ୍ୟର ସମସ୍ତ ମନ୍ଦିର ଓ ପର୍ଯଟନସ୍ଥଳ ଆଦି ମଧ୍ୟ ଏବେ କଡ଼ା ନଜରରେ ରହିଛି। ଆଉ ଏସବୁ ମଧ୍ୟରେ ଲିଙ୍ଗରାଜ ମନ୍ଦିର ବେଢ଼ାରେ ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଙ୍କ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସମାନ ସେବାୟତଙ୍କ ସହ ଦୁଇଟି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ସେଥିମଧ୍ୟରୁ ଗୋଟିଏ ୬ ମାସ ତଳର ହୋଇଥିବା ବେଳେ ଗୋଟିଏ ଏବେର ବୋଲି କୁହାଯାଉଛି।
ଏନେଇ ବ୍ରାହ୍ମଣ ନିଯୋଗ ସମିତିର ସମ୍ପାଦକ ବିରଞ୍ଚିନାରୟଣତ ପତିଙ୍କ କହିବା ହେଲା, "ପୁର୍ବରୁ ଅନେକ ଥର ଏପରି ମୋବାଇଲ ଭିତରକୁ ଯାଇଛି। ଆମେ ଦେଖିଛୁ ଏବେ ଅନେକେ ଲୋକ ଭିତରକୁ ମୋବାଇଲ ନେଇ ସେଲଫି ଓ ଫଟୋ ଉଠାଉଛନ୍ତି। ତେଣୁ ଏସବୁ ଉପରେ ମନ୍ଦିର ପରିଚାଳନା କମିଟିବା ଉପଜିଲ୍ଲାପାଳ ମିଶି ତଦାରଖ କରିବା ଦରକାର। ଏନେଇ ପୁର୍ବରୁ ମଧ୍ୟ ଅନେକ ଥର ସେବାୟତଙ୍କୁ ତାଗିଦ୍ କରାଯାଇଥିବା ସେ କହିଛନ୍ତି।"
State,Shree Jagannath,National
ଦ କୁଇଭର ବ୍ୟୁରୋ:- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ମାଝୀ ଚିଠି ଲେଖବାର କାରଣ ହେଲା ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ କୁହାନଯାଉ। ପଶ୍ଚିମବଙ୍ଗ ସରକାର ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରୁହନ୍ତୁ। ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ। ପୁରୀ ଜଗନ୍ନାଥଧାମର ସ୍ଥାନ ସ୍ବତନ୍ତ୍ର ଓ ପବିତ୍ର। ଅନ୍ୟ କେଣସି ସ୍ଥାନରେ ‘ଜଗନ୍ନାଥ ଧାମ ବ୍ୟବହାର ଶ୍ରଦ୍ଧାଳୁଙ୍କୁ ଆଘାତ ଦେଉଛି। କୋଟିକୋଟି ଭକ୍ତ, ତୀର୍ଥଯାତ୍ରୀଙ୍କ ଭାବାବେଗକୁ ଏହା କୁଠାରଘାତ କରୁଛି। ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କୁହାଯିବା ଏବଂ ପ୍ରଚାରରେ ବ୍ୟବହାର ଦ୍ବନ୍ଦ୍ବ ସୃଷ୍ଟି କରୁଛି।
ସେହିପରି ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଓ ‘ଜଗନ୍ନାଥ ଧାମ’ ନାମକରଣ ପ୍ରସଙ୍ଗରେ ସୋମବାର ବଡ଼ ମନ୍ତବ୍ୟ ଦେଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ମହାରାଜା କହିଛନ୍ତି, ପୁରୀ କେବଳ ‘ଜଗନ୍ନାଥ ଧାମ’। ଅନ୍ୟ କୌଣସି ସ୍ଥାନକୁ ‘ଜଗନ୍ନାଥ ଧାମ’ କୁହାଯାଇପାରିବ ନାହିଁ। ଏହା ଶାସ୍ତ୍ରସମ୍ମତ ମତ ଓ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତସଭା ବି ସ୍ପଷ୍ଟ କରିଛି। ଏଣୁ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା, ଟ୍ରଷ୍ଟି ଏବଂ ପୃଷ୍ଠପୋଷକମାନେ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କିମ୍ବା ‘ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବେ ନାମିତ କରିବାରୁ ନିବୃତ୍ତ ରହିବାକୁ ଗଜପତି ନିବେଦନ କରିଛନ୍ତି।
Education
ଦ କୁଇଭର ବ୍ୟୁରୋ:- ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଆରମ୍ଭ ହୋଇଯାଇଛି ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ (NEET UG) ଟେଷ୍ଟ ପରୀକ୍ଷା । ଅପରାହ୍ନ ୨ ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ଯାଏଁ ୩ ଘଣ୍ଟା ଧରି ପରୀକ୍ଷା ଜାରି ରହିବ । ପେନ ଓ ପେପର ଫର୍ମାଟରେ ପରୀକ୍ଷା ଦେଉଛନ୍ତି ଆଶାୟୀ ଛାତ୍ରଛାତ୍ରୀ । ଜୁନ ୧୪ ତାରିଖରେ ଫଳ ପ୍ରକାଶ ପାଇବ । ଚଳିତ ବର୍ଷ ପରୀକ୍ଷା ପାଇଁ ୨୨. ୭ ଲକ୍ଷରୁ ଅଧିକ ଡାକ୍ତରୀ ଆଶାୟୀ ପଞ୍ଜିକରଣ କରିଥିଲେ ।ଓଡ଼ିଶାରୁ ପ୍ରାୟ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନୀଟ ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି। ଓଡିଶାରେ ଭୁବନେଶ୍ବର,କଟକ ,ବରଗଡ଼, ଭଦ୍ରକ, ବାଲେଶ୍ଵର, ଢେଙ୍କାନାଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ଯାଜପୁର ଜଗତସିଂହପୁର, ନବରଙ୍ଗପୁର, କେନ୍ଦ୍ରାପଡ଼ା, ନୂଆପଡ଼ା, ଅନୁଗୋଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ମାଲକାନଗିରି, ପୁରୀ ଗଂଜାମ, ରାୟଗଡ଼ା, ପାରଳାଖେମୁଣ୍ଡି, ସୁନରଗଡ ବଲାଙ୍ଗୀର ଓ କଳାହାଣ୍ଡି ଭଳି ଜିଲ୍ଲାରେ ନିଟ ପରୀକ୍ଷା ପାଇଁ କେନ୍ଦ୍ର ରହିଛି। ଏହା ସହିତ ବିଶେଷ ଭାବରେ କେନ୍ଦ୍ରକୁ ଅତ୍ୟାଧୁନିକ ଯନ୍ତ୍ରପାତି, ମୋବାଇଲ ଡିଜିଟାଲ ଘଣ୍ଟା ଓ କାଲକୁଲଟତର ନେବା ପାଇଁ ନିଷେଧ କରାଯାଇଛି।ଦେଶର 5ଶହରୁ ଅଧିକ ସହରରେ ୫୪୫୩ କେନ୍ଦ୍ର ଏବଂ ବିଦେଶର ୧୩ଟି ସହରରେ NEET(UG) ୨୦୨୫ ପରୀକ୍ଷା ଆରମ୍ଭ ହୋଇଛି ।
National,International
ଦ କୁଇଭର ବ୍ୟୁରୋ:- ପିଏମ୍ ଆବାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ର ସମସ୍ତ ଦୃଶ୍ୟକୁ ଦେଖୁଥିଲେ ଏବଂ ସମସ୍ତ ବିଷୟରେ ସୂଚନା ଗ୍ରହଣ କରୁଥିବା ଜଣାଯାଇଛି। ଭାରତୀୟ ସେନା ଲଶ୍କର ମୁଖ୍ୟାଳୟ ଓ ମସୁଦ ଅଜହରର ଶିବିର ଉପରେ ଆକ୍ରମଣ କରିଛି। ଏଥିରେ ପ୍ରାୟ ୫୦ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି। ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍ କରି ଭାରତୀୟସେନାକୁ ଏଭଳି ବଡ଼ ସଫଳତା ମିଳିଛି। ଅଧ ରାତିରେ ‘ଅପରେସନ ସିନ୍ଦୂର’ ଜରିଆରେ ଭାରତ ନେଲା ପହଲଗାମ୍ ପ୍ରତିଶୋଧ । ଅଧ ରାତିରେ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ । ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍ କଲେ ଭାରତୀୟ ବାୟୁବୀର । ଭାରତୀୟ ବାୟୁସେନା ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ପାକ୍ ଅଧିକୃତ କାଶ୍ମୀରର ୯ଟି ସ୍ଥାନରେ ଆକାଶପଥରୁ ଆକ୍ରମଣ କରାଯାଇଛି । ଭାରତୀୟ ବାୟୁସେନାର ଲଢୁଆ ବିମାନ ଗୁଡିକ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ସେଗୁଡିକୁ ଧ୍ବଂସ କରିଦେଇଥିବା ସୂଚନା ଦିଆଯାଇଛି । ଏହି ସାମରିକ କାର୍ଯ୍ୟାନୁଷ୍ଠାନ କୌଣସି ଅଣ ଆତଙ୍କବାଦୀ କାର୍ଯ୍ୟକଳାପ ସ୍ଥଳୀରେ ଆକ୍ରମଣ କରାଯାଇ ନାହିଁ । ଏହି କାର୍ଯ୍ୟାନୁଷ୍ଠାନପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି - "ନ୍ୟାୟ ହେଲା ଜୟ ହିନ୍ଦ୍"। ଏଣେ ପ୍ରତିରକ୍ଷା ମନ୍ତ୍ରୀ ‘‘ଭାରତମାତାକୀ ଜୟ’ ବୋଲି କହିଛନ୍ତି। ଠିକ୍ ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ‘ଜୟ ହିନ୍ଦ୍"। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ‘ଜୟ ହିନ୍ଦ୍ ‘ଜୟ ହିନ୍ଦ୍ କୀ ସେନା" କହିଛନ୍ତି।
ପାକିସ୍ତାନ ବିରୋଧରେ କଡ଼ା ପ୍ରତିଶୋଧ ନେବାକୁ ଯାଇ, ଭାରତ ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ ସଠିକ୍ ଆକ୍ରମଣ କରି 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଛି। ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯାଇଥିବାର କିଛି ଦିନ ପରେ ଏହି ଆକ୍ରମଣ କରାଯାଇଛି, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ।
International,National
ଦ କୁଇଭର ବ୍ୟୁରୋ:- ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ତ୍ରିପୁରା ସୁନ୍ଦରୀ ଏକ୍ସପ୍ରେସରେ ରେଳ ସୁରକ୍ଷା ବଳ ଟିମ୍ ଦ୍ୱାରା ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହେବା ପରେ ସମଗ୍ର ରେଳ ନେଟୱାର୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେହିପିର ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ବିମାନବନ୍ଦରରୁ ବିମାନ ସେବା ବନ୍ଦ କରାଯାଇଛି । ସେପଟେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଜମ୍ମୁ ଓ କାଶ୍ମୀର ସହ ଚଣ୍ଡିଗଡ଼ ଓ ରାଜସ୍ଥାନର କିଛି ସ୍ଥାନରେ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ଶିକ୍ଷା ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି (ଗୁରୁବାର) ତ୍ରିପୁରା ସୁନ୍ଦରୀ ଏକ୍ସପ୍ରେସ ଟ୍ରେନ୍ ବଦରପୁରରୁ ଅଗରତାଲା ଅଭିମୁଖେ ଯାଉଥିଲା । ନିୟମିତ ଯାଞ୍ଚ କରୁଥିବା ଆଲର୍ଟ RPF କର୍ମଚାରୀମାନେ ଏକ ଜେନେରାଲ କୋଚ୍ର ଉପର ବର୍ଥରେ ସନ୍ଦେହଜନକ ଭାବରେ ପଡ଼ିଥିବା ଦୁଇଟି ପରିତ୍ୟକ୍ତ ବ୍ୟାକପ୍ୟାକ୍ ଭିତରେ ବେଆଇନ ଅସ୍ତ୍ରଶସ୍ତ୍ରର ଗଚ୍ଛିତ ସ୍ଥାନ ଚିହ୍ନଟ କରିଥିଲେ । ଅଗରତାଲା RPF ପୋଷ୍ଟର ଏକ ଏସ୍କର୍ଟ ଦଳ ଲଗେଜଗୁଡ଼ିକୁ ଦେଖି ତୁରନ୍ତ ଯାଞ୍ଚ କରିବା ଆରମ୍ଭ କରିଥିଲେ । ଯାଞ୍ଚ ସମୟରେ ଆଠଟି ହାତ ତିଆରି ଲୁହା ପିସ୍ତଲ ଏବଂ ୧୬ଟି ମାଗାଜିନକୁ ମାଟିଆ ସେଲୋ ଟେପରେ ସାବଧାନତାର ସହିତ ଗୁଡ଼ାଯାଇଥିବା ପାଇଥିଲେ । ଅବୈଧ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ହଉଥିବା ନେଇ ଅଧିକାରୀମାନେ ସନ୍ଦେହ କରୁଛନ୍ତି । ଏହି ମାମଲାକୁ ଅଧିକ ତଦନ୍ତ ପାଇଁ GRPS ଅଗରତାଲାକୁ ହସ୍ତାନ୍ତର କରାଯାଇଥିବା ରେଳ ଅଧିକାରୀ କହିଛନ୍ତି । ଏହାସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ଯାତ୍ରୀ, କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭାରତର 24ଟି ବିମାନବନ୍ଦରରୁ ବିମାନ ଚଳାଚଳ ଅସ୍ଥାୟୀ ଭାବରେ ବନ୍ଦ କରିଛନ୍ତି । ଏହି ନିଷ୍ପତ୍ତି ନୋଟିସ୍ ଟୁ ଏୟାରମ୍ୟାନ୍ (NOTAM) ଦ୍ୱାରା କାର୍ଯ୍ୟକାରୀ କରାଯାଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ଇଣ୍ଡିଗୋ, ଆକାସା ଏୟାର, ସ୍ପାଇସଜେଟ୍ ଏବଂ ଏୟାର ଇଣ୍ଡିଆ ସମେତ ପ୍ରମୁଖ ଭାରତୀୟ ଏୟାରଲାଇନଦେଶବ୍ୟାପୀ ଯାତ୍ରୀମାନଙ୍କୁ ନିର୍ଦ୍ଧାରିତ ପ୍ରସ୍ଥାନର ଅତି କମରେ ତିନି ଘଣ୍ଟା ପୂର୍ବରୁ ସେମାନଙ୍କ ନିଜ ନିଜ ବିମାନବନ୍ଦରରେ ପହଞ୍ଚିବାକୁ ଅନୁରୋଧ କରି ଟ୍ରାଭେଲ ଆଡଭାଇଜରି ଜାରି କରିଛନ୍ତି ।
ସେପେଟ ଜମ୍ମୁରେ ପାକିସ୍ତାନ ଦ୍ୱାରା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଯେକୌଣସି ସମ୍ଭାବ୍ୟ ବିପଦକୁ ଏଡାଇବା ପାଇଁ ଗୁରୁବାର ରାତିରେ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଜଧାନୀ ଶ୍ରୀନଗର ଏବଂ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ, ପ୍ରମୁଖ ଜଙ୍କସନଗୁଡ଼ିକରେ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଉପସ୍ଥିତି ବୃଦ୍ଧି କରାଯାଇଛି । ଗୁରୁବାର ଜମ୍ମୁ ଏବଂ କାଶ୍ମୀରର ଅନ୍ତର୍ଜାତୀୟ ସୀମାରେ ଜମ୍ମୁ, ପଠାଣକୋଟ ଏବଂ ଉଧମପୁରରେ ସାମରିକ ଷ୍ଟେସନଗୁଡ଼ିକୁ ଟାର୍ଗେଟ କରି ପାକିସ୍ତାନର ଏକାଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ପରେ ସତର୍କତା ବୃଦ୍ଧି କରାଯାଇଛି । ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଆକ୍ରମଣରେ କୌଣସି ମୃତାହତ କିମ୍ବା ସାମଗ୍ରୀକ କ୍ଷତିର ରିପୋର୍ଟ ହୋଇନାହିଁ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, କର୍ତ୍ତୃପକ୍ଷ ଶୁକ୍ରବାର ଜମ୍ମୁ ଓ କାଶ୍ମୀରର ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ଶିକ୍ଷା ପ୍ରତିଷ୍ଠାନ ବନ୍ଦ କରିଦେଇଛନ୍ତି । ଜମ୍ମୁ ଶିକ୍ଷା ମନ୍ତ୍ରୀ ସକିନା ଇଟିଭି ଭାରତକୁ କହିଛନ୍ତି ଯେ, ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ସେପେଟ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ ପ୍ରଶାସନ ୯ ଏବଂ ୧୦ ତାରିଖରେ ସମସ୍ତ ସ୍କୁଲ ପାଇଁ ଛୁଟି ଘୋଷଣା କରିଛି । ସ୍କୁଲ ପରିଚାଳନା ଏବଂ ପ୍ରଧାନଶିକ୍ଷକମାନେ ସ୍କୁଲ ହ୍ୱାଟସଆପ୍ ଗ୍ରୁପ୍ ଏବଂ ୱେବସାଇଟ୍ ମାଧ୍ୟମରେ ପରିବାରଗୁଡ଼ିକୁ ସୂଚନା ଦେଇଛନ୍ତି l ପଞ୍ଚକୁଲ ଜିଲ୍ଲାରେ ମଧ୍ୟ, ଡେପୁଟି କମିଶନର ମୋନିକା ଗୁପ୍ତା ସୋମବାର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଏବେ ସତର୍କ ରୁହନ୍ତୁ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ସୂଚନାକୁ ଅନୁସରଣ କରନ୍ତୁ ଏବଂ ସାବଧାନ ରୁହନ୍ତୁ ।
Sports
ଦ କୁଇଭର ବ୍ୟୁରୋ:- ବନ୍ଦ ରହିଲା ଇଣ୍ଡିଆନ ପ୍ରିମିୟର ଲିଗ-IPL ୨୦୨୫ । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢୁଥିବା ବେଳେ ଅନିର୍ଦ୍ଦିିଷ୍ଟକାଳ ପାଇଁ ଚଳିତ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି । ଏନେଇ ବିସିସିଆଇ ସୁତ୍ରରୁ ସୂଚନା ମିଳିଛି । ବିସିସିଆଇର ଜଣେ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ କୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, " ଦେଶରେ ଯୁଦ୍ଧ ଚାଲିଥିବା ବେଳେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିବା ଭଲକଥା ନୁହଁ ।ପାକିସ୍ତାନ ରାଓ୍ବାଲପିଣ୍ଡି ଷ୍ଟାଡିୟମରେ ମିସାଇଲ ମାଡ଼ ପରେ ପାକିସ୍ତାନ ସୁପର ଲିଗ୍ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଖେଳାଳୀ ଏବଂ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଆଇପିଏଲକୁ ସ୍ଥଗିତ ରଖାଯାଇଛି ।ଚଳିତ ଆଇପିଏଲରେ ମୋଟ ୭୪ ମ୍ୟାଚ ମଧ୍ୟରୁ ୫୮ଟି ମ୍ୟାଚ ଶେଷ ହୋଇଛି । ଆଜି ୫୯ ତମ ମ୍ୟାଚ ଆରସିବି ଓ ଲକ୍ଷ୍ମୌ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବା ବେଳେ, ତା ପୂର୍ବରୁ ଏହି ଟି ଟ୍ବେଣ୍ଟି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ପଞ୍ଜାବ ଏବଂ ଦିଲ୍ଲୀ ମ୍ୟାଚ୍କୁ ଅଧାରୁ ବନ୍ଦ କରାଯାଇଥିଲା ।