Banner Ad

ରାମକୃଷ୍ଣଙ୍କୁ ଦେଢ ଘଣ୍ଟା ପଚରାଉଚରା

ରାମକୃଷ୍ଣଙ୍କୁ ଦେଢ ଘଣ୍ଟା ପଚରାଉଚରା
Published by : Jyotshna Kumari
#State
May 5, 2025, 8:20 AM

ପୁରୀ ( ଦ କୁଇଭର):- ପଶ୍ଚିମବଙ୍ଗ ଦୀଘାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଦାରୁ କାଠରେ ନିର୍ମାଣକୁ ନେଇ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ପଚରାଉଚରା କରୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ପଚରାଉଚରା ।2015 ନବକଳେବର ବଳକା ଦାରୁରେ ମହାପ୍ରଭୁଙ୍କ ଶ୍ରୀବିଗ୍ରହ କରି ଦୀଘା ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରିଥିବା ନେଇ ଏକ ବଙ୍ଗଳା ଟିଭି ଚ୍ୟାନେଲରେ ରାମକୃଷ୍ଣ ଦାସ ମହାପାତ୍ର ଦେଇଥିଲେ ପ୍ରତିକ୍ରିୟା । ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ଅସନ୍ତୋଷ ପରେ ସମଗ୍ର ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଆଇନମନ୍ତ୍ରୀ । ଦାରୁ' ବିବାଦ ନେଇ ପଚରାଉଚରା ଜାରି । ନିଯୋଗ ସଭାପତି ଉପସ୍ଥିତ । ନବକଳେବର ଦାରୁରେ ଦୀଘା ଦିଅଁ ନିର୍ମାଣ ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ତନାଘନା । ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ବଳକା ଦାରୁ ବାବଦରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଚରାଉଚରା । ଦଇତାପତି ନିଯୋଗ ସଭାପତି ଗଣେଶ ଦାସମହାପାତ୍ରଙ୍କୁ ବି ପଚରାଉଚରା ଜାରି ରହିଛି ।


ଅନ୍ୟପଟେପଶ୍ଚିମବଙ୍ଗର ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଓଡ଼ିଶାର ଆଇନମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତଯୋଗ୍ୟ କହିଛନ୍ତି । ବଳକା ନବକଳେବର ଦାରୁ ବ୍ୟବହାର ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ । ନିମ୍ନସ୍ତରକୁ ଖସି ଯାଇଛନ୍ତି ପଶ୍ଚିମବଙ୍ଗ ସରକାର । ଭାରତରେ ୪ଟି ଧାମ-ପୁରୀ, ଦ୍ବାରିକା, ବଦ୍ରିନାଥ ଓ ରାମେଶ୍ବରମ । ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ବୋଲି ଲେଖିବା ଭୁଲ ବୋଲି ସେସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଶୁଭେନ୍ଦୁ ।ଶ୍ରୀମନ୍ଦିର ଦାରୁ ଗୃହରୁ ଦାରୁ ଚୋରି କରିଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରାଯାଉ । ଏହି ଦାବି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି । ଦାରୁ ଚୋରି ଅଭିଯୋଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୁଦ୍ଧରେ ଥାନାରେ ସେନା ପକ୍ଷରୁ ଏତଲା ଦିଆଯାଇଛି । ତେବେ ପୂର୍ବରୁ ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା, ପ୍ରଭୁ ବଳଭଦ୍ର ରଥ ଉପରୁ ଖସି ପଡିବା ଘଟଣାତଦନ୍ତ ଫଳ ଶୂନ । ଏଣୁ ଏହି ଦାରୁ ଚୋରି ଘଟଣା ର ତଦନ୍ତ ଯଦି ଶୂନ ହୁଏ ତେବେ ଆଗାମୀ ଦିନରେ ଏହି ସରକାର ମଧ୍ୟ ଶୂନ ହୋଇଯିବ।ମହାପ୍ରଭୂ କାହାରିକୁ କ୍ଷମା ଦେବେ ନାହିଁ । ଗତ ସରକାର ଏହି ପରିଣାମ ଭୋଗି ସାରିଛି " ବୋଲି ଚର୍ଚ୍ଚା ଜୋର ଧରିଛି l

Leave a Comment

Comments

No comments yet.

Best Biofloc Fish Farming

ad
Read more

Politics,State

ନବୀନଙ୍କ ସଭାପତିତ୍ବରେ ୭୧ ଜଣିଆ ସାଂଗଠନିକ କମିଟି ଗଠନ : ହଟିଛି ସମ୍ପାଦକ ପଦ

Blog Thumbnail

ଦ କୁଇଭର ବ୍ୟୁରୋ:- ଦଳର ସଂଗଠନକୁ ନୂଆ ରୂପ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସଂଗଠନର କଳେବର ବୃଦ୍ଧି କରିବା ସହ ବହୁ ଦିଗକୁ ବିଚାର କରି କମିଟି ଗଠନ କରିଛନ୍ତି ନବୀନ। ସଂଗଠନ ସମ୍ପାଦକ ପଦକୁ ଉଚ୍ଛେଦ କରିଛନ୍ତି ବିଜେଡି ସଭାପତି। ଦୀର୍ଘ ବର୍ଷ ପରେ ବିଜୁ ଜନତା ଦଳ ସଂଗଠନକୁ ଫେରିଛି, ରାଜନୈତିକ ବ୍ୟାପାର କମିଟି- PAC। ଗଠିତ ହୋଇଛି ବିଜେଡିର ପଲିଟିକାଲ ଆଫାୟାର୍ସ କମିଟି । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। କମିଟିରେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଂଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର, ସଂତୃପ୍ତ ମିଶ୍ର ପ୍ରମୁଖ ସଦସ୍ୟ ଅଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ, ବିଭିନ୍ନ ଛାମୁଆ ସଂଗଠନର ଆବାହକଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ବିଜେଡି ସଭାପତି ୭୧ ଜଣିଆ ରାଜ୍ୟ ସ୍ତରୀୟ ସାଂଗଠନିକ କମିଟି ଗଠନ କରିଛନ୍ତି। ପୂର୍ବରୁ ସଂଗଠନ ସମ୍ପାଦକ ପଦ ଥିବା ବେଳେ ଏହାକୁ ଏଥର ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ପଦରେ ପ୍ରଣବ ପ୍ରକାଶ ଦାସ ଥିବାବେଳେ ନୂଆ ସାଙ୍ଗଠନିକ ଦାୟିତ୍ୱରେ କିନ୍ତୁ ଏହି ପଦ ଆଉ ରହିନାହିଁ। ୭୧ ଜଣିଆ ସାଂଗଠନିକ କମିଟିରେ-୭ ଜଣ ବରିଷ୍ଠ ଉପସଭାପତି,୮ ଜଣ ଉପସଭାପତି

ଜଣେ କୋଷାଧ୍ୟକ୍ଷ,୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ,୩୫ ଜଣ ସାଧାରଣ ସମ୍ପାଦକ ଙ୍କୁ ନିଯୁକ୍ତି ମିଳିଛି l


ବିଜେଡି ସଂଖ୍ୟାଲଘୁ ସେଲକୁ ମଧ୍ୟ ବିଜେଡି ସଭାପତି ପୁନର୍ଗଠନ କରିଛନ୍ତି। ବିଜେଡି ସଂଖ୍ୟାଲଘୁ ସେଲର ଆବାହକ ନିଯୁକ୍ତ ହୋଇଛନ୍ତି ଦିଲ୍ଲୀପ ତିର୍କୀ। ସେହିପରି ସହ ଆବାହକ ରିଜୱାନା ବେଗମ, ଦକ୍ଷିଣ ଜୋନର ସଂଯୋଜକ ମୁଜିବୁଲ୍ଲା ଖାଁ, ପଶ୍ଚିମ ଜୋନର ସଂଯୋଜକ ଆୟୁବ ଖାଁ, ମଧ୍ୟ ଜୋନର ସଂଯୋଜକ ହୋଇଛନ୍ତି ସେକ୍ ନିଜ୍ଜାମୁଦ୍ଦୀନ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିବା ଏହି ଟିମରେ ପ୍ରଫୁଲ ମଲ୍ଲିକ, ଶଶୀଭୂଷଣ ବେହେରା, ଭୂପିନ୍ଦର ସିଂ, ନୃସିଂହ ସାହୁଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିନାହିଁ ଏବଂ ସେମାନେ ନିରାଶ ହୋଇଥିବା ସାଧାରଣରେ ଚର୍ଚ୍ଚା ଚାଲିଛି l ବିଜେଡି ବଳକା ଥିବା ଆଉ ୬ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି। ୩୩ ସଂଗଠନ ଜିଲ୍ଲା ମଧ୍ୟରୁ ପୂର୍ବରୁ ଦଳ ୧୮ ସାଂଗଠନିକ ଜିଲ୍ଲା ସଭାପତି ନିଯୁକ୍ତି ଦେଇଛି। ବଳକା ୧୫ ସାଂଗଠନିକ ଜିଲ୍ଲାରୁ ୬ ଜିଲ୍ଲା ସଭାପତି ଘୋଷଣା ହେବା ପରେ ଆଉ ୯ଟି ଜିଲ୍ଲା ବାକି ରହିଲା। ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ୬ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦୁଝର ପାଇଁ ଆଶିଷ ଚକ୍ରବର୍ତ୍ତୀ, ଭୁବନେଶ୍ବର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୁରଭଞ୍ଜ-2 ପାଇଁ ଦେବାଶିଷ ମାର୍ଣ୍ଡି, ସମ୍ବଲପୁର ପାଇଁ ରୋହିତ ପୂଜାରୀ ଓ ବଲାଙ୍ଗିର ପାଇଁ ସରୋଜ କୁମାର ମେହେର ନିର୍ବାଚିତ ହୋଇଥିବା ସୂଚନା ମିଳିଛି l

Sports

ଅନିର୍ଦ୍ଦିଷ୍ଟ କାଳ ପାଇଁ IPL ବନ୍ଦ

Blog Thumbnail

ଦ କୁଇଭର ବ୍ୟୁରୋ:- ବନ୍ଦ ରହିଲା ଇଣ୍ଡିଆନ ପ୍ରିମିୟର ଲିଗ-IPL ୨୦୨୫ । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢୁଥିବା ବେଳେ ଅନିର୍ଦ୍ଦିିଷ୍ଟକାଳ ପାଇଁ ଚଳିତ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି । ଏନେଇ ବିସିସିଆଇ ସୁତ୍ରରୁ ସୂଚନା ମିଳିଛି । ବିସିସିଆଇର ଜଣେ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ କୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, " ଦେଶରେ ଯୁଦ୍ଧ ଚାଲିଥିବା ବେଳେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିବା ଭଲକଥା ନୁହଁ ।ପାକିସ୍ତାନ ରାଓ୍ବାଲପିଣ୍ଡି ଷ୍ଟାଡିୟମରେ ମିସାଇଲ ମାଡ଼ ପରେ ପାକିସ୍ତାନ ସୁପର ଲିଗ୍ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଖେଳାଳୀ ଏବଂ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଆଇପିଏଲକୁ ସ୍ଥଗିତ ରଖାଯାଇଛି ।ଚଳିତ ଆଇପିଏଲରେ ମୋଟ ୭୪ ମ୍ୟାଚ ମଧ୍ୟରୁ ୫୮ଟି ମ୍ୟାଚ ଶେଷ ହୋଇଛି । ଆଜି ୫୯ ତମ ମ୍ୟାଚ ଆରସିବି ଓ ଲକ୍ଷ୍ମୌ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବା ବେଳେ, ତା ପୂର୍ବରୁ ଏହି ଟି ଟ୍ବେଣ୍ଟି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ପଞ୍ଜାବ ଏବଂ ଦିଲ୍ଲୀ ମ୍ୟାଚ୍‌କୁ ଅଧାରୁ ବନ୍ଦ କରାଯାଇଥିଲା ।

State,Education

ମା'ତାରାତାରିଣୀଙ୍କ ଦର୍ଶନ ସହ ବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

Blog Thumbnail

ପୁରୁଷୋତ୍ତମପୁର, ଗାଙ୍ଗଦହଣୀ ( ଦ କୁଇଭର):- ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପୀଠରେ ପହଞ୍ଚି ମାଁ ଙ୍କୁ ଦର୍ଶନ କରି ମାଁ ତାରା ତାରିଣୀ ଙ୍କ ପୂଜାଅର୍ଚ୍ଚନା କରିବା ପରେ ଆଶିଷ ଲାଭ କରିଥିଲେ ଏବଂ ମାଁ'ଙ୍କୁ ଦର୍ଶନ କରି ପରମ ସୌଭାଗ୍ୟ ଲାଭ କରିଥିବା କହିଥିଲେ । ମାଁ'ଙ୍କ ନିକଟରେ ବିକଶିତ ଓ ସମୃଦ୍ଧ ଓଡିଶା ପାଇଁ ପ୍ରାର୍ଥନା କରିଲି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଲୋକଙ୍କ ବିକାଶ ସାଙ୍ଗକୁ ମାଆ'ଙ୍କ ନିକଟରେ ଉନ୍ନତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏହା ସହିତ ଆନୁସାଙ୍ଗିକ ବ୍ୟବସ୍ତା ପୂରଣ ଦିଗରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।




ମାଁ'ଙ୍କ ଦର୍ଶନ ସାରି ପୁରୁଷୋତ୍ତମପୁର ବ୍ଲକ ଅର୍ନ୍ତଗତ ଗାଙ୍ଗଦହଣୀ ଗ୍ରାମ ରେ ଥିବା ଉନ୍ନୀତ ସରକାରୀ ବିଦ୍ୟାଳୟ ର ଶତବାର୍ଷିକ ସମାରୋହ ରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଅନେକ ଛାତ୍ର ଛାତ୍ରୀ ଙ୍କ ସହ ଉତ୍ତମ ଭବିଷ୍ୟତ ବିଷୟରେ ଚର୍ଚ୍ଚା ପରେ ସାମୁହିକ ସମାରୋହ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ଆସିକା ସାଂସଦ ଅନିତା ଶୁଭଦର୍ଶୀନି,ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠି, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାଏକ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ତଥା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l




ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ସରକାର ବହୁ ପଦକ୍ଷେପ ଗ୍ରହଣ କରିବେ ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବିଦ୍ୟାଳୟ କୁ ଖୁବଶୀଘ୍ର " ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ" ର ମାନ୍ୟତା ଦିଆଯିବ ଏବଂ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି l ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନୁକମ୍ପା କାନୁନଗୋ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପୁରାତନ ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବିଦ୍ୟାଳୟ ର ଅନେକ ପ୍ରତିଭାବାନ ଛାତ୍ର ଛାତ୍ରୀ ତଥା ଶିକ୍ଷକ ମାନଙ୍କୁ ସେମାନଙ୍କର ପ୍ରତିଭା ପାଇଁ ସନମାନିତ କରାଯାଇଥିଲା l

State,National

ପୁରୀ ସହ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ହାଇ ଆଲର୍ଟ

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ହାଇଆଲର୍ଟରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିଛି ଓଡ଼ିଶା । ଭୁବନେଶ୍ବର ବିମାନ ବନ୍ଦର ଠାରୁ ଆରମ୍ଭ କରି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହାଇଆଲର୍ଟ ଜାରି କରାଯାଇଛି । ପୁରୀ ବଡ଼ଦାଣ୍ଡରେ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ନିକଟରେ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ଚାରି ପଟେ ସଜାଗ ରହିଛନ୍ତି ସ୍ୱତନ୍ତ୍ର ସୁରକ୍ଷା ବାହିନୀ । ପୁରୀ ପୋଲିସ ପକ୍ଷରୁ ଗତକାଲି ରାତିରୁ ବିଭିନ୍ନ ସ୍ଥାନରେ ନାକା ଲଗାଯାଇ ଜୋରଦାର ଚେକିଂ ବ୍ଲକିଙ୍ଗ କରାଯାଇଥିଲା । ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ପୁରୀରେ ଥିବା ବିଭିନ୍ନ ହୋଟେଲ ଗୁଡିକୁ ଚେକିଂ କରାଯାଇଛି । ହୋଟେଲରେ ଥିବା ପର୍ଯ୍ୟଟକମାନଙ୍କ ପରିଚୟ ଯାଞ୍ଚ କରିଛି ପୋଲିସ୍ । ସେହିପରି ଶ୍ରୀମନ୍ଦିର ସୁରକ୍ଷା ସହ ଭକ୍ତଙ୍କ ସୁରକ୍ଷା ଲାଗି ମୁତୟନ ଅଛନ୍ତି ସ୍ୱତନ୍ତ୍ର ସୁରକ୍ଷା ବାହିନୀ ।


ଏପଟେ ଦେଶରେ ସବୁ ବିମାନ ବନ୍ଦରକୁ ହାଇ ଆଲର୍ଟରେ ରଖା ଯାଇଥିବାବେଳେ ଭୁବନେଶ୍ବର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସନ୍ଧାନୀ କୁକୁର ସାହାଯ୍ୟରେ ତନ୍ନତନ୍ନ ଯାଞ୍ଚ କରାଯାଉଛି । ବିଭିନ୍ନ ସ୍ଥାନରେ CISF ଯବାନ ମୁତୟନ ରହିଥିବା ବେଳେ ସୁରକ୍ଷା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଏହାରି ଭିତରେ ଭୁବନେଶ୍ବର ବିମାନ ବନ୍ଦର ବାହାରେ ମିଳିଛି ଏକ ସନ୍ଦିଗ୍ଧ ବ୍ୟାଗ୍ । ଲଗେଜ ଟ୍ରଲିରେ ରହିଥିଲା ବ୍ୟାଗଟି । ଡଗ୍ ଓ ବମ୍ ସ୍କ୍ବାଡ ଟିମ୍ ବ୍ୟାଗ୍ କୁ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ସନ୍ଦିଗ୍ଧ ବ୍ୟାଗକୁ ଜବତ କରିଛି ପୋଲିସ । ଯାଞ୍ଚ ପରେ ଏହା ଜଣେ ହାଇଦ୍ରାବାଦର ଯାତ୍ରୀଙ୍କ ବ୍ୟାଗ ବୋଲି ଜଣାପଡ଼ିଛି । ଯିଏକି ଭୁଲରେ ବ୍ୟାଗ୍ ଛାଡ଼ି ଯାଇଛନ୍ତି । ତାଙ୍କ ସହ ଯୋଗାଯୋଗ ହୋଇଥିବା ସୂଚନା ମିଳିଛି ।ସେହିପରି ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହାଇଆଲର୍ଟ ଜାରି କରାଯାଇଛି । ଆଇଟିଆର ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଆସିଥିବା ସୂଚନା ମିଳିଛି । ଏନେଇ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ବୈଠକ କରି ସୁରକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ।


ଅନ୍ୟପଟେ ସମ୍ବଲପୁର ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ପର୍ଯ୍ୟଟକଙ୍କୁ ଡ୍ୟାମକୁ ଯିବାକୁ ବାରଣ କରାଯିବା ସହ ଡ୍ୟାମ ଚାରିପଟେ ଯବାନ ମୁତୟନ କରାଯାଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଡ୍ୟାମରେ ଜଗି ରହିଛନ୍ତି ସୁରକ୍ଷାକର୍ମୀ ।ଏପଟେ ପ୍ରତି କ୍ଷଣରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସମୟରେ ସେନାର ନିର୍ଦ୍ଦେଶ ମାନି ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି । ବର୍ତ୍ତମାନର ଯୁଦ୍ଧ ସ୍ଥିତିକୁ ଆଖି ଆଗରେ ରଖି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଏଥିରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଥିବା ସୂଚନା ରହିଛି ।

State

ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

Blog Thumbnail

ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସମସ୍ତ ତଥ୍ୟ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଅନୀଲ ଚୌହାନ ଏବଂ ସମସ୍ତ ସଶସ୍ତ୍ର ବାହିନୀର ମୁଖ୍ୟମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ସୁରକ୍ଷା ପରିସ୍ଥିତିର ସମୀକ୍ଷା ପାଇଁ ଶୀର୍ଷ ପ୍ରତିରକ୍ଷା ପ୍ରତିଷ୍ଠାନ ସହିତ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ।ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ତୀବ୍ର ହେବା ସହିତ, ମୋଦି ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ତିନି ସେନା ମୁଖ୍ୟ ଏବଂ ପ୍ରତିରକ୍ଷା କର୍ମଚାରୀ ପ୍ରମୁଖଙ୍କୁ ଭେଟିଥିଲେ l ପୂର୍ବରୁ ମୋଦି ତିନି ସେନାର ପୂର୍ବତନ ମୁଖ୍ୟଙ୍କ ସମେତ ପୂର୍ବତନ ସେନାପତିଙ୍କ ସହିତ ଆଲୋଚନା କରି, ବର୍ତ୍ତମାନର ପରିସ୍ଥିତି ଉପରେ ସେମାନଙ୍କର ମତାମତ ନେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ, ପୂର୍ବତନ ବାୟୁସେନା ମୁଖ୍ୟ, ସ୍ଥଳସେନା ମୁଖ୍ୟ, ନୌସେନା ମୁଖ୍ୟ ଏବଂ ଦେଶ ପାଇଁ ସେବା କରିଥିବା ଅନ୍ୟାନ୍ୟ ସଶସ୍ତ୍ର ବାହିନୀର ବହୁ ପୂର୍ବତନ ସୈନିକଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନର ପରିସ୍ଥିତି ସହିତ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଗତ ଦୁଇ ଦିନ ଧରି ମଧ୍ୟବର୍ତ୍ତୀ ରାତିରେ ଭାରତୀୟ ପ୍ରତିଷ୍ଠାନକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନୀ ପ୍ରୟାସକୁ ସଶସ୍ତ୍ର ବାହିନୀ ସମାନୁପାତିକ ଏବଂ ପର୍ଯ୍ୟାପ୍ତ ଜବାବ ଦେବା ସହିତ ପାକିସ୍ତାନ ସହିତ ସଂଘର୍ଷ ତୀବ୍ର ହୋଇଛି।ଏନେଇ ଆଜି ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଏକ ବ୍ରିଫିଂରେ କହିଛନ୍ତି ଯେ, ପାକିସ୍ତାନ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବା ପାଇଁ ଲେହରୁ ସାର କ୍ରିକ ପର୍ଯ୍ୟନ୍ତ ୩୬ ଟି ସ୍ଥାନରେ ୩୦୦ ରୁ ୪୦୦ ଡ୍ରୋନ ପଠାଇଥିଲା। ତେବେ ଭାରତୀୟ ସାମରିକ ସଂସ୍ଥାନ ଦ୍ୱାରା ଡ୍ରୋନଗୁଡ଼ିକୁ ସଫଳତା ପୂର୍ବକ ଖସାଇ ଦିଆଯାଇଥିଲା।

State

ବଙ୍ଗୋପସାଗର ପଟୁ ରହିଛି ଓଡ଼ିଶାକୁ ଆକ୍ରମଣ ଆଶଙ୍କା : ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା

Blog Thumbnail

ଦ କୁଇଭର ବ୍ୟୁରୋ:- ବଙ୍ଗୋପସାଗର ପଟୁ ରହିଛି ଓଡ଼ିଶାକୁ ଆକ୍ରମଣ ଆଶଙ୍କା । ତେବେ ରାଜ୍ୟବାସୀଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଥିବା କେନ୍ଦ୍ରୀୟ ସଂସ୍ଥାର ସୁରକ୍ଷା ବଢ଼ାଯାଇଛି । ଚାନ୍ଦିପୁର, ଶ୍ରୀମନ୍ଦିର, ଚିଲିକା INSରେ ସୁରକ୍ଷା ବଢିଛି । ବଙ୍ଗୋପସାଗର ପଟରୁ ଆକ୍ରମଣ ଆଶଙ୍କା ରହିଛି । ଆମେ ସେଥିପାଇଁ ସଜାଗ ରହିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀରେ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ଖୋଲା ଯାଇଛି । ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ର ଛାତ୍ରୀଙ୍କୁ ଦିଲ୍ଲୀ ଅଣାଯାଉଛି। ଭୟଭୀତ ହେବାର କୌଣସି ପ୍ରଶ୍ନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

State

ସପ୍ତାହରେ ତାତି ବଢ଼ିବ ୫ ଡିଗ୍ରି

Blog Thumbnail

ଦ କୁଇଭର ବ୍ୟୁରୋ:- ଆସନ୍ତା ୬ରୁ ୭ ଦିନ ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଉଷ୍ମ ସହ ଆର୍ଦ୍ର ଅବସ୍ଥା ଅଧିକ ହେବାର ସମ୍ଭାବନା ରହିଛି। ୧୧ରୁ ୧୩ ତାରିଖ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିପାରେ। ତାହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗତ ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଗୋଟିଏ ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୩ ଡିଗ୍ରି ବୃଦ୍ଧି ପାଇଛି। ଓଡ଼ିଶାର ଅନ୍ୟ କୌଣସି ଜିଲ୍ଲାରେ ବିଶେଷ ପରିବର୍ତ୍ତନ ହୋଇ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୨ରୁ ୩ ଡିଗ୍ରି କମ୍‌ ଥିଲା। ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସ୍ବାଭାବିକଠାରୁ ପ୍ରାୟ ୨ ଡିଗ୍ରି ଅଧିକ ଥିଲା ଏବଂ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ସ୍ବାଭାବିକ ଥିଲା।

Sports

ପ୍ଲେ-ଅଫରୁ ବାଦ ପଡ଼ିଲା ସନରାଇଜର୍ସ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ ର ୫୫ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଥିବା ଏହି ମ୍ୟାଚ୍ ସମୟରେ ପ୍ରବଳ ବର୍ଷା ହୋଇଥିଲା । ଅମ୍ପାୟାରଙ୍କ ଦ୍ୱାରା ଦୀର୍ଘ ସମୟ ଅପେକ୍ଷା କରିବା ପରେ, ମ୍ୟାଚ୍ ବାତିଲ ହୋଇଥିଲା । ଉଭୟ ଦଳ ମଧ୍ୟରେ ୧-୧ ପଏଣ୍ଟ ବଣ୍ଟାଯାଇଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ବର୍ଷା ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ IPL 2025ର 55ତମ ମ୍ୟାଚ୍ ବାତିଲ ହୋଇଯାଇଛି । ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା । ଏହା ପରେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ବନ୍ଦ ହେବା ପରେ, ଉଭୟ ଦଳର ଅମ୍ପାୟାର ଏବଂ ଅଧିନାୟକ ଗ୍ରାଉଣ୍ଡ ଯାଞ୍ଚ କରିଥିଲେ । ପରେ ଅମ୍ପାୟାର ମ୍ୟାଚ୍ ବାତିଲ ଘୋଷଣା କରିଥିଲେ ଏବଂ ଦୁଇ ଦଳ ମଧ୍ୟରେ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ ହୋଇଥିଲା । ଫଳରେ ୭ ସହ ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ଏହି ମ୍ୟାଚ୍‌ରେ ୧ ପଏଣ୍ଟ ପାଇବା ପରେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦର ପ୍ଲେଅଫ୍ ଯାତ୍ରା ଶେଷ ହୋଇଛି । ହାଇଦ୍ରାବାଦ ଦଳ ଆନୁଷ୍ଠାନିକ ଭାବରେ IPL ୨୦୨୫ ର ପ୍ଲେଅଫରୁ ବାଦ ପଡ଼ିଛି । ଦଳ ୧୧ ଟି ମ୍ୟାଚ୍ ପରେ ମୋଟ ୭ ପଏଣ୍ଟ ପାଇଛି । ଯେଉଁଥିରେ ତିନୋଟି ବିଜୟ, ଗୋଟିଏ ଡ୍ର ଏବଂ ୭ପରାଜୟ ରହିଛି । ହାଇଦ୍ରାବାଦ ବର୍ତ୍ତମାନ ପଏଣ୍ଟ ଟେବୁଲରେ ୮ମ ସ୍ଥାନରେ ରହିଛି ।


ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ୧ ପଏଣ୍ଟ ପାଇଛି । ଏହି ଗୋଟିଏ ପଏଣ୍ଟ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପଥକୁ ଜଟିଳ କରିଦେଇଛି । ୧୧ ଟି ମ୍ୟାଚ୍ ପରେ, ଦିଲ୍ଲୀ ୬ଟି ବିଜୟ, ୪ଟି ପରାଜୟ ଏବଂ ଗୋଟିଏ ଡ୍ର ସହିତ ମୋଟ ୧୩ ପଏଣ୍ଟ ପାଇଛି । ଏବେ, ପ୍ଲେଅଫରେ ସ୍ଥାନ ପାଇବାକୁ ହେଲେ, ଦିଲ୍ଲୀକୁ ପରବର୍ତ୍ତୀ ୩ଟି ମ୍ୟାଚ୍‌ରୁ ଅତି କମରେ ୨ ଟି ଜିତିବାକୁ ପଡିବ । ଏହା କରିବା ଦ୍ୱାରା ଦଳର ୧୭ ପଏଣ୍ଟ ହେବ ଏବଂ ପ୍ଲେଅଫରେ ପହଞ୍ଚିପାରିବେ । ଦିଲ୍ଲୀ ବର୍ତ୍ତମାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି ।

State

କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Blog Thumbnail

କେନ୍ଦୁଝର( ଦ କୁଇଭର):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠୁ କେନ୍ଦୁଝରକୁ ୨ ଦିନିଆ ଗସ୍ତରେ ଆସୁଛନ୍ତି । ୫ ଓ ୬ ତାରିଖରେ (ସୋମବାର ଓ ମଙ୍ଗଳବାର) ଗସ୍ତ କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନ ଧରଣୀଧର ନାଏକଙ୍କ ଜୟନ୍ତୀ ଅବସରରେ କୁସୁମିତାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିପ୍ଳବୀ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ମୁଖ୍ୟମନ୍ତ୍ରୀ । କୁସୁମିତା ଗ୍ରାମରେ ଏକ ଜନସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଏହାପରେ ଧରଣୀଧର ଭୂୟାଁଙ୍କ ଏନ୍ତୁଡିଶାଳ କୁସୁମିତାକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ନୂଆ ସରକାର ବିପ୍ଳବୀ ମାଟି ଧରଣୀଧରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଧରଣୀଙ୍କ ବିପ୍ଳବ ସମ୍ପର୍କରେ ରାଜ୍ୟ ଓ ରାଜ୍ୟ ବାହାରର ଲୋକେ ଅନେକ ବିଷୟ ଜାଣିନାହାନ୍ତି । ତେଣୁ କୁସୁମିତା ଗ୍ରାମରେ ଏକ ସ୍ମୃତି ସଂଗ୍ରାହଳୟ, ପାଠାଗାର, ଖେଳ ପଡ଼ିଆ ସହିତ ବିପ୍ଳବୀଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଶିଶୁ ଉଦ୍ୟାନ କରାଯାଇଛି। ଏହାସହ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଧରଣୀଧର ମେଡିକାଲ କଲେଜରେ ଟ୍ରମା କେୟାର ସେଣ୍ଟରର ଶୁଭାରମ୍ଭ କରିବା ସହ ନବ ନିର୍ମିତ ଟାଉନ ଥାନାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଅନୁଷ୍ଠିତ ତିନିଦିନ ବ୍ୟାପୀ ରଙ୍ଗବତୀ ମହୋତ୍ସବକୁ ମଧ୍ୟ ଉଦଘାଟନ କରିବେ ୬ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଯିବାର କାର୍ଯ୍ୟକ୍ରମ ରହିଛି ।

State

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲାକୁ ୧,୧୫୫ କୋଟିର ପ୍ରକଳ୍ପର ଭେଟି

Blog Thumbnail

କେନ୍ଦୁଝର ( ଦ କୁଇଭର):- ଜନ୍ମମାଟିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ଲୋକଙ୍କ ସୁବିଧା ପାଇଁ କେନ୍ଦୁଝର ଜିଲ୍ଲାକୁ ଗୋଟିଏ ଦିନରେ ୧ ହଜାର ୧୫୫ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ରାସ୍ତାଘାଟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜୀବିକା ସୃଷ୍ଟି ଆଦି ଅନେକ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି । ଏହି ସବୁ ପ୍ରକଳ୍ପଗୁଡ଼ିକ କେନ୍ଦୁଝର ଜିଲ୍ଲାର ଗାଁ ଗାଁରେ ବିକାଶର ଧାରାକୁ ଆଗେଇ ନେବ । କେନ୍ଦୁଝର ଜିଲ୍ଲା ରାଜ୍ୟର ଏକ ଶ୍ରେଷ୍ଠ ଜିଲ୍ଲା ଭାବରେ ରାଜ୍ୟର ବିକାଶକୁ ନେତୃତ୍ୱ ଦେବ । ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । କେନ୍ଦୁଝର ଜିଲ୍ଲାକୁ ୧୧୫୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ମୁ୍‌ଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରାୟ ୪୫୦ କୋଟି ଟଙ୍କାରେ ୨୧୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ୮୭ କୋଟି ଟଙ୍କାର ୧୦୪ ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହାସହ ୬୨୦ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଘୋଷାଣା କରିଛିନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।


କେନ୍ଦୁଝର ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମିଳିବ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା (In-Patient Service) ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମଖ୍ୟମନ୍ତ୍ରୀ । ସେହିପରି ଖଣି କାରବାର ଯୋଗୁଁ ଅଧିକ ଯାନବାହନ ଚଳାଚଳ ହେଉଥିବା କେନ୍ଦୁଝର ଭଳି ଜିଲ୍ଲାରେ ଟ୍ରମା କେୟାର ବ୍ୟବସ୍ଥା ଲୋକଙ୍କ ଜୀବନ ବଞ୍ଚାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ସବୁ ଖଣିଜ ଜିଲ୍ଲାଗୁଡ଼ିକର ମେଡିକାଲ କଲେଜ୍‌ରେ ଉନ୍ନତ ଟ୍ରମା କେୟାର ବ୍ୟବସ୍ଥା ରହିବ । ଆଗାମୀ ଦିନରେ ୫ ହଜାର ଡାକ୍ତର ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଖୁବଶୀଘ୍ର ଆଉ ୪ଟି ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ । ସେଗୁଡିକ ହେଲା ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁର l


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଟାଉନରେ ନବ ନିର୍ମିତ ଥାନାଗୃହ ଏବଂ ରିଜର୍ଭ ପୋଲିସ ଅଫିସ ଉଦ୍‍ଘାଟନ କରିଛନ୍ତି । ସମୁଦାୟ ୩ କୋଟି ୩୪ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଥାନା ଓ ୨ କୋଟି ୭୬ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟରେ ନିର୍ମିତ ରିଜର୍ଭ ପୋଲିସ ଅଫିସର ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଜନତାଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ନବନିର୍ମିତ ଥାନାରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ୍ ବ୍ୟବସ୍ଥା, ବିଲ୍ଡିଂ ଏବଂ ବାରାକ୍, ସମ୍ମିଳନୀ କୋଠରୀ, ସନ୍ଦିଗ୍ଧ ଓ ସାକ୍ଷୀ ପରୀକ୍ଷା କୋଠରୀ, ୱେୟାରଲେସ୍ ଏବଂ ଯୋଗାଯୋଗ କୋଠରୀ, ଆଧୁନିକ ମାଲଖାନା,ଅଭ୍ୟର୍ଥନା କେନ୍ଦ୍ର (Reception Centre) ଏବଂ ମହିଳା ଓ ଶିଶୁ ସହାୟତା ଡେସ୍କ (Help desk) ପ୍ରସ୍ତୁତ କରାଯାଇଛି । ଏହାବ୍ୟତୀତ ଶିଶୁସଦନ, ଯାନବାହନ ପାର୍କିଂ ବ୍ୟବସ୍ଥା, ତଥ୍ୟ ସଂରକ୍ଷଣ ସହିତ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ସତର୍କ ସୂଚନା ଘଣ୍ଟି ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଅବସରରେ ପୋଲିସ କର୍ମଚାରୀଙ୍କ ପାଇଁ ୧୭ଟି SUV ଗାଡ଼ି ଏବଂ ୮୦ଟି ମୋଟର ସାଇକେଲକୁ ସବୁଜ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।

State

ଲିଙ୍ଗରାଜ ମନ୍ଦିର ବେଢ଼ାରେ ସୁସ୍ମିତା ସେନଙ୍କ ଫଟୋ ଭାଇରାଲ

Blog Thumbnail

ଦ କୁଇଭର ବ୍ୟୁରୋ:- ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଦେଶର ସମସ୍ତ ପ୍ରମୁଖ ପର୍ଯ୍ୟଟନସ୍ଥଳ ଏବେ ହାଇ ଆଲର୍ଟରେ। ଏଥିସହ ରାଜ୍ୟର ସମସ୍ତ ମନ୍ଦିର ଓ ପର୍ଯଟନସ୍ଥଳ ଆଦି ମଧ୍ୟ ଏବେ କଡ଼ା ନଜରରେ ରହିଛି। ଆଉ ଏସବୁ ମଧ୍ୟରେ ଲିଙ୍ଗରାଜ ମନ୍ଦିର ବେଢ଼ାରେ ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଙ୍କ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସମାନ ସେବାୟତଙ୍କ ସହ ଦୁଇଟି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ସେଥିମଧ୍ୟରୁ ଗୋଟିଏ ୬ ମାସ ତଳର ହୋଇଥିବା ବେଳେ ଗୋଟିଏ ଏବେର ବୋଲି କୁହାଯାଉଛି।


ଏନେଇ ବ୍ରାହ୍ମଣ ନିଯୋଗ ସମିତିର ସମ୍ପାଦକ ବିରଞ୍ଚିନାରୟଣତ ପତିଙ୍କ କହିବା ହେଲା, "ପୁର୍ବରୁ ଅନେକ ଥର ଏପରି ମୋବାଇଲ ଭିତରକୁ ଯାଇଛି। ଆମେ ଦେଖିଛୁ ଏବେ ଅନେକେ ଲୋକ ଭିତରକୁ ମୋବାଇଲ ନେଇ ସେଲଫି ଓ ଫଟୋ ଉଠାଉଛନ୍ତି। ତେଣୁ ଏସବୁ ଉପରେ ମନ୍ଦିର ପରିଚାଳନା କମିଟିବା ଉପଜିଲ୍ଲାପାଳ ମିଶି ତଦାରଖ କରିବା ଦରକାର। ଏନେଇ ପୁର୍ବରୁ ମଧ୍ୟ ଅନେକ ଥର ସେବାୟତଙ୍କୁ ତାଗିଦ୍ କରାଯାଇଥିବା ସେ କହିଛନ୍ତି।"

National,State

ଟ୍ରେନରୁ କେନ୍ଦ୍ରମନ୍ତ୍ରୀ ନିଖୋଜ’ ଖବରରେ ପୂର୍ଣ୍ଣଚ୍ଛେଦ ଟାଣିଲେ ଜୁଏଲ ଓରାମ: କହିଲେ ମୁଁ ସୁସ୍ଥ ଅଛି, ସ୍ବାସ୍ଥ୍ୟକୁ ନେଇ ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ

Blog Thumbnail

ଦ କୁଇଭର ବ୍ୟୁରୋ:- ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମୋ ସ୍ବାସ୍ଥ୍ୟକୁ ନେଇ ହୋଇଥିବା ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଭ୍ରମାତ୍ମକ। ମୁଁ ସମସ୍ତଙ୍କୁ ସତ୍ୟ ଆଧାରିତ ତଥ୍ୟ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରୁଛି ଏବଂ ମୁଁ ମୋ କାମ ପ୍ରତି ପୂରାପୂରି ସମର୍ପିତ ଅଛି...' କହି ଚଳନ୍ତା ଟ୍ରେନରୁ କେନ୍ଦ୍ରମନ୍ତ୍ରୀ ନିଖୋଜ ହୋଇଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଜୁଏଲ ଓରାମ। ଏହି ନିଖୋଜ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସ ଏବଂ ଫେସବୁକରେ ପୋଷ୍ଟ କରି ସେ କହିଛନ୍ତି, ମୁଁ ସୁସ୍ଥ ଅଛି। ତେବେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଶନିବାର ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାଏବ ହୋଇଯାଇଥିବା ଏବଂ ତାଙ୍କ ସୁଗାର କମ୍ ହୋଇଯିବାରୁ ଟ୍ରେନରେ ଚଢିବା ବେଳେ ପଡିଯାଇ ଆହତ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଏହି ନିଖୋଜ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶେଷରେ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ଜୁଏଲ ଓରାମ। ନିଜ ସୋସିଆଲ ମିଡିଆ ଏକ୍ସ ଏବଂ ଫେସବୁକରେ ପୋଷ୍ଟ କରି ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏବଂ ସେ ଜବଲପୁରରେ କାର୍ଯ୍ୟକ୍ରମ ସାରି ଗତକାଲି ରାତିରେ ଦିଲ୍ଲୀ ଫେରିଆସି ନିଜ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହୋଇଥିବା ସୂଚନା ଦେଇଛନ୍ତି।

Sports

ଟେଷ୍ଟ କ୍ରିକେଟରୁ ଅବସର ନେଲେ ରୋହିତ ଶର୍ମା

Blog Thumbnail

ଦ କୁଇଭର ବ୍ୟୁରୋ:- ଟେଷ୍ଟ କ୍ରିକେଟରୁ ଅବସର ନେଲେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ହିଟମ୍ୟାନ ରୋହିତ ଶର୍ମା । ଆଜି ଏକ ଅପ୍ରତ୍ୟାଶିତ ଖବରକ୍ରମେ ସେ କ୍ରିକେଟର ଲମ୍ବା ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ପୂର୍ବରୁ ସେ ଟି-୨୦ରୁ ଅବସର ନେଇସାରିଛନ୍ତି। ତେବେ ସେ ଦିନିକିଆ କ୍ରିକେଟ ଖେଳିବେ । ରୋହିତ ଶର୍ମା ବିଗତ କିଛି ସମୟ ପାଇଁ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ତାଙ୍କ ଅଧିନାୟକତ୍ୱରେ, ଭାରତ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୦-୩ରେ ଟେଷ୍ଟ ସିରିଜ୍ ହାରିଥିଲା। ଏହା ପରେ, ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ ଏବଂ ହାରିଗଲା। ସେବେଠାରୁ, ଦଳରେ ତାଙ୍କର ନିରନ୍ତର ଉପସ୍ଥିତି ଉପରେ ପ୍ରଶ୍ନ ଉଠାଯାଉଥିଲା। ଏବେ ରୋହିତ ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହି ନିଷ୍ପତ୍ତି ଏପରି ଏକ ସମୟରେ ନେଇଛନ୍ତି ଯେତେବେଳେ ଭାରତୀୟ ଦଳ ଜୁନ୍ ମାସରେ ଆଇପିଏଲ ୨୦୨୫ ପରେ ଏକ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିବ।

National

ସାଇରନ୍‌ ବଜାଇ ଭାରତର ମକ୍ ଡ୍ରିଲ୍

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେ କୌଣସି ଜରୁରିକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଆଜିଠାରୁ ଦେଶର ଅନେକ ରାଜ୍ୟରେ ମକ୍ ଡ୍ରିଲ୍ ଆରମ୍ଭ ହୋଇଛି। ଦିଲ୍ଲୀ ଓ ପାଟନାଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବ୍ଲାକ୍ଆଉଟ୍ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଦେଶର ୨୪୪ଟି ଜିଲ୍ଲାରେ ଏହି ମକ୍ ଡ୍ରିଲ୍ କରାଯାଇଛି। ଏହି ଅପରେସନ୍‌ର ନାମ ‘ଅପରେସନ୍‌ ଅଭ୍ୟାସ’ ରଖାଯାଇଛି। ମକ ଡ୍ରିଲ୍ ସମୟରେ ଅନେକ ସ୍ଥାନରେ ସାଇରନ୍‌ ଶୁଣିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ, ଝାଡ଼ଖଣ୍ଡ, ହରିୟାଣା, ବିହାର, ଆନ୍ଧ୍ରପ୍ରଦେଶ ଭଳି ଅନେକ ରାଜ୍ୟରେ ଏହି ଅଭ୍ୟାସ ବ୍ୟାପକ କରାଯାଉଛି। ଏହି ରାଜ୍ୟଗୁଡ଼ିକ ବ୍ୟତୀତ ଆସାମର ୧୪ଟି ଜିଲ୍ଲା, ଓଡ଼ିଶାର ୧୨ଟି ଜିଲ୍ଲା, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ମିଜୋରାମର ଆଇଜଲରେ ମକ୍ ଡ୍ରିଲ୍ କରାଯାଇଥିଲା। ଏହି ସମୟ ମଧ୍ୟରେ ଏୟାର୍ ଷ୍ଟ୍ରାଇକ୍, ଅଗ୍ନିଶମ ଜରୁରିକାଳୀନ ପରିସ୍ଥିତି, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଭଳି ଅନେକ ପରିସ୍ଥିତିର ଆକଳନ କରାଯାଇଥିଲା। ହରିୟାଣାର ୧୧ଟି ଜିଲ୍ଲାରେ ବି ଏହି ମକ୍ ଡ୍ରିଲ୍ କରାଯାଇଥିଲା। ରାଜ୍ୟର ଗୁରୁଗ୍ରାମ, ପଞ୍ଚକୁଲା, ଅମ୍ବାଲା, ଓ ରୋହତକର ବ୍ୟସ୍ତବହୁଳ ସପିଂ ମଲ୍, ବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ଏହି ଅଭ୍ୟାସ କରାଯାଇଥିଲା। ସାଇରନ୍‌ ବାଜିବା ପରେ ବେସାମରିକ ସୁରକ୍ଷା କର୍ମୀ, ପୁଲିସ, ଅଗ୍ନିଶମ ଓ ଜରୁରିକାଳୀନ ସେବା କର୍ମଚାରୀମାନେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ହାଇଦ୍ରାବାଦର ୪ଟି ସ୍ଥାନରେ ମକ୍ ଡ୍ରିଲ୍ କରାଯାଇଥିଲା। ସିକନ୍ଦରାବାଦ, ଗୋଲକୁଣ୍ଡା, କାଞ୍ଚନବାଗ ଓ ନଚରମ ଏନ୍‌ଏଫ୍‌ସି ଅଞ୍ଚଳରେ ଏହି ଅଭ୍ୟାସ କରାଯାଇଥିଲା। ସାଇରନ୍‌ ବାଜିଲେ ନାଗରିକମାନଙ୍କୁ ଘର ଭିତରେ ରହିବା, ଆଶ୍ରୟ ନେବା ଓ ଲୁଚି ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ତାମିଲନାଡ଼ୁର ଦୁଇଟି ପ୍ରମୁଖ ପ୍ରତିଷ୍ଠାନରେ ମକ୍ ଡ୍ରିଲ୍ କରାଯାଇଥିଲା। କଳ୍ପକମ୍‌ସ୍ଥିତ ମାଡ୍ରାସ ଆଣବିକ ଶକ୍ତି କେନ୍ଦ୍ର ଓ ଚେନ୍ନାଇ ବନ୍ଦରରେ ଏହି ଅଭ୍ୟାସ କରାଯାଇଥିଲା।

International,National

ଉରି ସମେତ ବିଭିନ୍ନ ସେକ୍ଟରରେ ପାକିସ୍ତାନ ସେନାର ଗୁଳିମାଡ଼

Blog Thumbnail

ଦ କୁଇଭର ବ୍ୟୁରୋ:- ପାକିସ୍ତାନ ତାର କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ ଏବଂ ସୀମାପାର କରି ନିରନ୍ତର ଗୁଳିବର୍ଷା କରୁଛି। କେବଳ ଏତିକି ନୁହେଁ, ଗୁଳିଚାଳନା ସମୟରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଉଛି। ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ପାକିସ୍ତାନ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ସେକ୍ଟର ଏବଂ କୁପୱାଡା ଜିଲ୍ଲାର ତଙ୍ଗଧର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି)ରେ ପ୍ରବଳ ଗୁଳିଗୋଳା ଏବଂ ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳିବର୍ଷା ଆରମ୍ଭ କରିଛି। ଗୁଳିବର୍ଷା ଆରମ୍ଭ ହେବା ମାତ୍ରେ, ଅଞ୍ଚଳର ଲୋକମାନେ ଭୂତଳ ବଙ୍କରରେ ଆଶ୍ରୟ ନେଇଥିଲେ। ଭାରତୀୟ ସେନା ମଧ୍ୟ ପ୍ରତିଶୋଧ ନେଉଛି l ଉରି ସେକ୍ଟରରେ ମଧ୍ୟ ପାକିସ୍ତାନ ପୁଣି ଗୁଳିମାଡ଼ ଆରମ୍ଭ କରିଥିଲା। ଏହି ସମୟରେ ଗୁଳି ଫୁଟିବା ଏବଂ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଜମ୍ମୁ ଡିଭିଜନର ଅଖନୁରରେ ବ୍ଲାକଆଉଟ୍ ମଧ୍ୟରେ, ଭାରତୀୟ ବାୟୁ ପ୍ରତିରକ୍ଷା ବାହିନୀ ଏକ ପାକିସ୍ତାନୀ ଡ୍ରୋନକୁ ମଝି ଆକାଶରେ ଅଟକାଇ ଧ୍ୱଂସ କରିଦେଇଛି। ଏହି ସମୟରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା।


ଜମ୍ମୁ ଡିଭିଜନର ଉଧମପୁରରେ ବ୍ଲାକଆଉଟ୍ ମଧ୍ୟରେ ସାଇରନ୍ ଶବ୍ଦ ଶୁଭିଥିଲା। ଏଠାରେ ମଧ୍ୟ, ଭାରତୀୟ ବାୟୁ ପ୍ରତିରକ୍ଷା ବାହିନୀ ଆକାଶ ମାର୍ଗରେ ପାକିସ୍ତାନୀ ଡ୍ରୋନଗୁଡ଼ିକୁ ଅଟକାଇଥିଲା। ପୁଞ୍ଚର ଦେଗୱାର ସେକ୍ଟରରେ ମଧ୍ୟ ପ୍ରବଳ ଗୁଳିବର୍ଷା ହୋଇଥିବା ଜଣାପଡ଼ିଛି। ସେହି ସମୟରେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ରାଜସ୍ଥାନର ଜୈସଲମେରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଲାଗୁ କରାଯାଇଛି। ଏହା ବ୍ୟତୀତ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟ ଦେଶର ୨୮ଟି ବିମାନବନ୍ଦରର ବନ୍ଦ ଅବଧିକୁ ମେ ୧୦ରୁ ୧୫ ମେ ପର୍ଯ୍ୟନ୍ତ ବୃଦ୍ଧି କରିଛି।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ, ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି। ପୁଞ୍ଚ ପାକିସ୍ତାନରୁ ଗୁଳିବର୍ଷାର ଶିକାର ହେଉଛି, ଯେତେବେଳେ ପ୍ରଶାସନ ନିୟନ୍ତ୍ରଣ ରେଖା ଏବଂ ପୁଞ୍ଚ ସହର ନିକଟବର୍ତ୍ତୀ ଗ୍ରାମରୁ ଅଧିକାଂଶ ଲୋକଙ୍କୁ ସ୍ଥାନାନ୍ତର କରିଛି। ତଙ୍ଗଧାର ସେକ୍ଟରରେ ଅନେକ ଘର, ପଶୁପାଳନ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।


ସାମ୍ବାରେ ଭାରତୀୟ ବାୟୁ ପ୍ରତିରକ୍ଷା ବାହିନୀ ପାକିସ୍ତାନୀ ଡ୍ରୋନଗୁଡ଼ିକୁ ଅଟକାଇବା ସମୟରେ ବ୍ଲାକଆଉଟ୍ ମଧ୍ୟରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ଜମ୍ମୁ ଡିଭିଜନର ଅଖନୁରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଜାରି କରାଯାଇଛି। ଏଠାରେ ସାଇରନର ଶବ୍ଦ ମଧ୍ୟ ଶୁଣାଯାଉଛି। ସେହିପରି ଉଧମପୁରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଜାରି କରାଯାଇଛି ଏବଂ ସାଇରନର ଶବ୍ଦ ଶୁଣାଯାଉଛି।


ଶୁକ୍ରବାର ରାତିରେ ପାକିସ୍ତାନ ପୁଣି ଥରେ ଭାରତର ସେନା ଛାଉଣୀ ଏବଂ ସେନା ଶିବିରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ପଞ୍ଜାବର ଫିରୋଜପୁରରେ ପାକିସ୍ତାନ ପକ୍ଷରୁ ନିରନ୍ତର ଡ୍ରୋନ ଆକ୍ରମଣ କରାଯାଉଛି। ତଥାପି ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସେଗୁଡ଼ିକୁ ଅଟକାଇବାରେ ସମର୍ଥ ହୋଇଛି। ରିପୋର୍ଟ ଅନୁଯାୟୀ ଭାରତ ୫୦ରୁ ଅଧିକ ଡ୍ରୋନକୁ ଖସାଇ ଦେଇଛି। ଏହି ସମୟରେ ଆକାଶରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା।ଗୁଳିବର୍ଷା ଆରମ୍ଭ ହେବା ମାତ୍ରେ, ଅଞ୍ଚଳ ବାସିନ୍ଦା ଭୂତଳ ବଙ୍କରରେ ଆଶ୍ରୟ ନେଇଥିଲେ, ଯେତେବେଳେ ଭାରତୀୟ ସେନା ମଧ୍ୟ ପ୍ରତିଶୋଧ ନେଉଛି। ଅଧିକାଂଶ ଲୋକଙ୍କୁ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇସାରିଛି, କିନ୍ତୁ ଯେଉଁମାନେ ପଛରେ ରହିଗଲେ ସେମାନେ ବଙ୍କରରେ ଲୁଚି ରହିଥିବା ସୂଚନା ମିଳିଛି l

National

ମେ’ ୧୫ ଯାଏଁ ବିମାନବନ୍ଦର ବନ୍ଦ

Blog Thumbnail

ଦ କୁଇଭର ବ୍ୟୁରୋ:- ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ । ଭାରତ- ପାକ୍ ଉତ୍ତେଜନା ଭିତରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ତେବେ ଏ ନେଇ ଏୟାର ଇଣ୍ଡିଆ ମଧ୍ୟ Xରେ ପୋଷ୍ଟ କରିଛି । ଜମ୍ମୁକାଶ୍ମୀର, ଶ୍ରୀନଗର, ଲେହ, ଯୋଧପୁର, ଅମ୍ରିତସର, ଭୁଜ, ଜାମନଗର, ରାଜକୋଟରୁ ଏୟାର ଇଣ୍ଡିଆ ମଧ୍ୟ ନିଜର ସବୁ ବିମାନ ଚଳାଚଳକୁ ବନ୍ଦ କରିଛି । ଏନେଇ ଅପଡେଟ୍ ପାଇଁ ମଧ୍ୟ ବିଭାଗ ଯାତ୍ରୀଙ୍କୁ ଅନୁରୋଧ କରିଛି l ଦେଶରେ ମୋଟ ୪୮୭ ଏୟାରପୋର୍ଟ ରହିଛି । ଏଥିରୁ ୧୩୭ଟି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦ୍ବାରା ପରିଚାଳିତ ହେଉଛି । ଏଥିରେ ରହିଛି ୩୪ଟି ଅନ୍ତର୍ଜାତୀୟ ଏୟାରପୋର୍ଟ, ୧୦ଟି କଷ୍ଟମ ଏୟାରପୋର୍ଟ ଓ ୧୦୩ ଡୋମେଷ୍ଟିକ୍ ଏୟାରପୋର୍ଟ ରହିଛି । ତେବେ ଖୁବଶୀଘ୍ର ସ୍ଥିତି ସୁଧାର ହେବ ବୋଲି ଆଶା କରାଯାଉଛି ।

National,International

ପାକିସ୍ତାନରେ ଭାରତର ଏୟାର ଷ୍ଟ୍ରାଇକ୍,ଅପରେସନ ସିନ୍ଦୂର’ର ସଫଳତା : ଟଳିପଡ଼ିଲେ ୫୦ ଆତଙ୍କବାଦୀ

Blog Thumbnail

ଦ କୁଇଭର ବ୍ୟୁରୋ:- ପିଏମ୍ ଆବାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ର ସମସ୍ତ ଦୃଶ୍ୟକୁ ଦେଖୁଥିଲେ ଏବଂ ସମସ୍ତ ବିଷୟରେ ସୂଚନା ଗ୍ରହଣ କରୁଥିବା ଜଣାଯାଇଛି। ଭାରତୀୟ ସେନା ଲଶ୍କର ମୁଖ୍ୟାଳୟ ଓ ମସୁଦ ଅଜହରର ଶିବିର ଉପରେ ଆକ୍ରମଣ କରିଛି। ଏଥିରେ ପ୍ରାୟ ୫୦ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି। ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍ କରି ଭାରତୀୟସେନାକୁ ଏଭଳି ବଡ଼ ସଫଳତା ମିଳିଛି। ଅଧ ରାତିରେ ‘ଅପରେସନ ସିନ୍ଦୂର’ ଜରିଆରେ ଭାରତ ନେଲା ପହଲଗାମ୍ ପ୍ରତିଶୋଧ । ଅଧ ରାତିରେ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ । ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍ କଲେ ଭାରତୀୟ ବାୟୁବୀର । ଭାରତୀୟ ବାୟୁସେନା ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ପାକ୍ ଅଧିକୃତ କାଶ୍ମୀରର ୯ଟି ସ୍ଥାନରେ ଆକାଶପଥରୁ ଆକ୍ରମଣ କରାଯାଇଛି । ଭାରତୀୟ ବାୟୁସେନାର ଲଢୁଆ ବିମାନ ଗୁଡିକ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ସେଗୁଡିକୁ ଧ୍ବଂସ କରିଦେଇଥିବା ସୂଚନା ଦିଆଯାଇଛି । ଏହି ସାମରିକ କାର୍ଯ୍ୟାନୁଷ୍ଠାନ କୌଣସି ଅଣ ଆତଙ୍କବାଦୀ କାର୍ଯ୍ୟକଳାପ ସ୍ଥଳୀରେ ଆକ୍ରମଣ କରାଯାଇ ନାହିଁ । ଏହି କାର୍ଯ୍ୟାନୁଷ୍ଠାନପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି - "ନ୍ୟାୟ ହେଲା ଜୟ ହିନ୍ଦ୍‌"। ଏଣେ ପ୍ରତିରକ୍ଷା ମନ୍ତ୍ରୀ ‘‘ଭାରତମାତାକୀ ଜୟ’ ବୋଲି କହିଛନ୍ତି। ଠିକ୍ ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ‘ଜୟ ହିନ୍ଦ୍‌"। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ‘ଜୟ ହିନ୍ଦ୍‌ ‘ଜୟ ହିନ୍ଦ୍‌ କୀ ସେନା" କହିଛନ୍ତି।


ପାକିସ୍ତାନ ବିରୋଧରେ କଡ଼ା ପ୍ରତିଶୋଧ ନେବାକୁ ଯାଇ, ଭାରତ ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ ସଠିକ୍ ଆକ୍ରମଣ କରି 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଛି। ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯାଇଥିବାର କିଛି ଦିନ ପରେ ଏହି ଆକ୍ରମଣ କରାଯାଇଛି, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ।

National,International

ଅପରେସନ୍‌ ସିନ୍ଦୂର - ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସେନାଧ୍ୟକ୍ଷମାନଙ୍କ ସହ କରିବେ ବୈଠକ

Blog Thumbnail

ଦ କୁଇଭର ବ୍ୟୁରୋ :- ଅପରେସନ୍‌ ସିନ୍ଦୂର’କୁ ନେଇ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାଧ୍ୟକ୍ଷମାନଙ୍କ ସହ ବୈଠକ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍‌ ଅନିଲ ଚୌହାନ, ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରିତ ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର୍‌ ହରି କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ଜଣାଯାଇଛି।କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାଧ୍ୟକ୍ଷମାନଙ୍କ ସହ ବୈଠକ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍‌ ଅନିଲ ଚୌହାନ, ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରିତ ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର୍‌ ହରି କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ଜଣାଯାଇଛି। ସେ ଆଜି ଯୁଦ୍ଧସ୍ଥିତିର ସମୀକ୍ଷା କରିବେ।

Sports

ଅଧାରୁ ବନ୍ଦ ହେଲା PBKS ବନାମ DC ଆଇପିଏଲ ମ୍ୟାଚ

Blog Thumbnail

ଦ କୁଇଭର ବ୍ୟୁରୋ:- ଅଧାରୁ ବନ୍ଦ ହେଲା ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ଆଇପିଏଲ ୨୫ ର ୫୮ ତମ ମ୍ୟାଚ୍ । ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌କୁ ବନ୍ଦ କରାଯାଇଛି । ଧର୍ମଶାଳା ଷ୍ଟାଡିୟମରେ ବ୍ଲାକଆଉଟ୍ ହୋଇଯାଇଛି । ଖେଳାଳି ଓ ଦର୍ଶକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଷ୍ଟାଡିୟମରୁ ବାହାରକୁ ବାହାର କରାଯାଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଭିତରେ ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ମ୍ୟାଚ ଅଧାରୁ ବନ୍ଦ କରାଯାଇଛି । ତେବେ ମ୍ୟାଚ୍ ବନ୍ଦ ହେବା ବେଳକୁ, ପଞ୍ଜାବ ୧୦.୧ ଓଭର ଖେଳି ଗୋଟିଏ ୱିକେଟ ହରାଇ ୧୨୨ ରନ୍‌ କରିଥିଲା । ପିବିକେଏସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବର୍ଷା ଯୋଗୁଁ ଟସ୍ ପଡ଼ିବା କିଛି ସମୟ ପାଇଁ ବିଳମ୍ବିତ ହୋଇଥିଲା । ବିଳମ୍ବ ସତ୍ତ୍ବେ ଓଭରରେ କୌଣସି ହ୍ରାସ କରାଯାଇ ନଥିଲା । ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ୍ ସିଂହ ଯୋଡି ପ୍ରଥମେ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରିୟାଂଶ ଆର୍ଯ୍ୟ ୩୪ ବଲ୍ରୁ ୭୦ ରନ କରି ପେସ୍ ବୋଲର ଟି ନଟରାଜଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ପ୍ରଭସିମରନ୍ ସିଂହ ୨୮ ବଲ୍ରୁ ୫୦ ରନ୍‌ କରିଛନ୍ତି । ୧୦.୧ ଓଭର ବେଳକୁ ଖେଳକୁ ଅଧାରୁ ବନ୍ଦ କରାଯାଇଥିଲା । ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଅଛି । ୧୧ଟି ମ୍ୟାଚ୍ ଖେଳି ପଞ୍ଜାବର ୧୫ ପଏଣ୍ଟ ରହିଛି । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍‌ରୁ ୧୩ ପଏଣ୍ଟ ପାଇଛି । ଦିଲ୍ଲୀ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଥିଲା । ଏହି ମ୍ୟାଚ୍ ପୂର୍ବରୁ, ଡିସି ୬ଟି ମ୍ୟାଚ୍ରୁ ଚାରି ଥର ପରାଜୟର ସମ୍ମୁଖୀନ ହୋଇଥିଲା ।