ଦ କୁଇଭର ବ୍ୟୁରୋ:- ନିୟନ୍ତ୍ରଣକୁ ଆସୁନି ଡାଇରିଆ । ଆଜି ପୁଣି ଯାଜପୁର ଯାଇ ଗ୍ରାଉଣ୍ଡ ଜିରୋରେ ହଇଜାର ସ୍ଥିତି ପରଖିବେ କେନ୍ଦ୍ରୀୟ ଟିମ । ଜିଲ୍ଲାରେ ହଇଜା ଉଦବେଗ ଜନକ ସ୍ଥିତିରେ ଥିବାବେଳେ ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟର ୭ଜିଲ୍ଲାକୁ ବ୍ୟାପିଛି ଝାଡାବାନ୍ତି । ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରୁ ଡାଇରିଆ ମାଡିଗଲାଣି । ସବୁଠୁ ଅଧିକ ପ୍ରଭାବିତ ଯାଜପୁର ଜିଲ୍ଳାର କୋରେଇ, ବଡ଼ଚଣା । ଧର୍ମଶାଳାରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାବେଳେ, ଯାଜପୁର ଓ ବରୀ ବ୍ଲକରେ ହଇଜା ବ୍ୟାପୁଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଏବେ ବି ୨୫୦ରୁ ଅଧିକ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥିତି ଗମ୍ଭୀର ଥିବାରୁ ଯାଜପୁରର ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ସଚିବ । କେନ୍ଦ୍ର ଓ ରାଜ୍ୟର ଟିମ୍ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛି । ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ଗ୍ରାଉଣ୍ଡର ସ୍ଥିତି ଅନୁଧ୍ୟାନ କରିବା ପରେ ଜଣାପଡିଛି କଲେରା ଜୀବାଣୁ ଯୋଗୁଁ ବ୍ୟାପିଛି ହଇଜା । ଏଥିରେ ୫ ଜଣ ପ୍ରାଣ ହରାଇଛନ୍ତି । କିନ୍ତୁ ହଇଜା ଏବେ ପାଣ୍ଡେମିକ୍ ନୁହେଁ, ଏଣ୍ଡେମିକ୍ ଷ୍ଟେଜ୍ରେ ଅଛି । ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ୧୪ ଜଣିଆ କେନ୍ଦ୍ରୀୟ ଟିମ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛି । ପିଇବା ପାଣି , ଖାଦ୍ୟ ନିରାପତ୍ତା ସହ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ପରାମର୍ଶ ଦିଆଯାଇଛି । ଏବେସୁଦ୍ଧା ରାଜ୍ୟରେ ୯ଟି ଜିଲ୍ଲାକୁ ବ୍ୟାପିଲାଣି ଡାଇରିଆ l କଟକର ବାଙ୍କୀ ପରେ ନରସିଂହପୁର, ଚୌଦ୍ବାର-ଟାଙ୍ଗୀ ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଏପରିକି ନରସିଂହପୁରର ଡିମିରିଆ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶାନ୍ତିଲତା ନାଏକ । ଗୁରୁତର ଅବସ୍ଥାରେ ତାଙ୍କୁ ନରସିଂହପୁର ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଗାଁର ଅନ୍ୟ କିଛି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ତଦନ୍ତ କରିବା ସହ ପାଣି ନମୁନା ସଂଗ୍ରହ କରିଛନ୍ତି । ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତରୀ ଟିମ୍ । ଏହାଛଡ଼ା ଲୋକଙ୍କୁ ସଚେତନ କରିବାକୁ ଅଞ୍ଚଳରେ ସଚେତନ ରଥ ବୁଲିବ ବୋଲି କହିଛନ୍ତି ଡାକ୍ତର ।
No comments yet.
State,Shree Jagannath
ଦ କୁଇଭର ବ୍ୟୁରୋ:- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିୟମ, ନିଷ୍ଠାର ସହ ରଥଯାତ୍ରାରେ ସାମିଲ ହୋଇ ରଥାରୁଢ଼ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି ଆଶୀର୍ବାଦ ଲାଭ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟପାଳ ହରିବାବୁ କମ୍ଭମ୍ପତି ମଧ୍ୟ ମଧ୍ୟ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶାନ୍ତି ଓ ସୁଖ ସମୃଦ୍ଧିର କାମନା କରିବା ସହ ପ୍ରଭୁଙ୍କର ସ୍ବର୍ଗୀୟ ଆଶୀର୍ବାଦ କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।
ସେହିପରି ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇ କୋକିଳାବେନ ଧୀରୁଭାଇ ଅମ୍ବାନୀ ମେଡିକାଲରୁ ଶୁଭେଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସର୍ଜରୀ ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ନବୀନ। ଗତକାଲି ଆଇସିୟୁରୁ ରୁମକୁ ସିଫ୍ଟ ହୋଇଥିଲେ। ରବିବାର ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନ ପଟ୍ଟନାୟକଙ୍କ ସଫଳତାର ସହ ସର୍ଭାଇକାଲ ଆର୍ଥ୍ରାଇଟିସ ଅପରେସନ ହୋଇଥିଲା। ଆଜି ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ବହୁ ଜାତୀୟ ସ୍ତରର ନେତା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
State
ଭୁବନେଶ୍ୱର ( ଦ କୁଇଭର ):- BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ ଚାମ୍ବର ଭିତରେ ମରାଣାନ୍ତକ ଆକ୍ରମଣ ହୋଇଥିବା ଭିଡିଓ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲିବାରେ ଲାଗିଛି । BMC ଅଫିସ୍ ଭିତରେ ସୋମବାର ଜନଶୁଣାଣି ଚାଲିଥିବା ବେଳେ ୬ ରୁ ୭ ଜଣ ଦୁର୍ବୃତ୍ତ ଅତି ଅମାନୁଷିକ ଭାବେ ଅତିରିକ୍ତ କମିଶନରଙ୍କୁ ପିଟିଥିଲେ। ତାଙ୍କୁ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାରିବାକୁ ପଛାଇନଥିଲେ। ଏପଟେ ଘଟଣା ପରେ ରତ୍ନାକର ସାହୁ ଥାନାରେ ଏତଲା ଦେଇଛନ୍ତି। ଖାରବେଳ ନଗର ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଘଟଣାର ଅନୁସଂଧାନ କରୁଛି l
ସୂଚନା ଅନୁସାରେ,ସମୟ ଦିନ ପ୍ରାୟ ସାଢ଼େ ୧୧ଟା। ଭୁବନେଶ୍ବର ସତ୍ୟନଗର ସ୍ଥିତ ବିଏମସି ଅଫିସ ଭିତରେ ଚାଲିଥିଲା ଜନଶୁଣାଣି। ଏହି ସମୟରେ ହଠାତ ଅଫିସ ଭିତରକୁ ପଶିଆସି ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ୫ରୁ ୬ ଜଣ ଦୁର୍ବୃତ୍ତ। ଧଳା ସାର୍ଟ୍ ପିନ୍ଧା ଯୁବକମାନେ ସଂଘବଦ୍ଧ ଆକ୍ରମଣ ବେଳେ ଏତେ ହିଂସ୍ର ହୋଇ ପଡ଼ିଥିଲେ ଯେ, ଜଣେ ଓଏଏସ୍ ଅଧିକାରୀଙ୍କୁ ତଳେ ପକାଇ ତାଙ୍କ ମୁହଁକୁ ଗୋଇଠା ମାରିବାକୁ ବି ପଛାଇ ନଥିଲେ। ଲୋକସେବା ଭବନଠୁ ଅଳ୍ପ ଦୂର ଆଉ ଖାରବେଳ ନଗର ଥାନାଠୁ ମାତ୍ର କେଇ ମିଟର ଦୂରରେ ଥିବା ବିଏମସି ଅଫିସ ଭିତରେ ସବୁ ହିତାହିତ ଜ୍ଞାନ ଭୁଲି ଜଣେ ସରକାରୀ ଅଧିକାରୀଙ୍କୁ ଅମଣିଷ ଭଳି ପିଟି ଚାଲିଥିଲେ। ଘଟଣା ପରେ ଥାନାରେ ଏତଲା ଦେଇଛନ୍ତି ଅତିରିକ୍ତ କମିଶନର ରତ୍ନାକର ସାହୁ। ଦର୍ଶାଇଛନ୍ତି, ୬ରୁ ୭ ଜଣ ଅଜଣା ବ୍ୟକ୍ତି ହଠାତ୍ ଅଫିସ୍ ଭିତରକୁ ପଶିଆସି, ଜଗନ୍ନାଥ ପ୍ରଧାନଙ୍କ ସହ କଥା ହୋଇଥିଲେ କି ବୋଲି ବଡ଼ ପାଟିରେ ପଚାରିଥିଲେ। ସେ ଟେଲିଫୋନ୍ରେ କଥା ହୋଇଥିବା କହିବା ପରେ, ହଠାତ୍ ସେମାନେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। ୨୯ ନମ୍ବର ୱାର୍ଡର କର୍ପୋରେଟର ଜୀବନ ରାଉତଙ୍କ ସାମ୍ନାରେ ସେମାନେ ତାଙ୍କୁ ପିଟିଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଯୁବକମାନେ ତାଙ୍କୁ ଜୋରଜବରଦସ୍ତ ଟାଣି ନେଇ ଜଗନ୍ନାଥ ପ୍ରଧାନଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରୁଥିଲେ ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି l
ଅନ୍ୟପଟେ ଅତିରିକ୍ତ କମିଶନରଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଏମସି କର୍ମଚାରୀ। ଯେ ପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ସେପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଘଟଣାକୁ ନିନ୍ଦା କରିବା ସହ ସୁରକ୍ଷା ଦାବି କରିଛନ୍ତି। ସେପଟେ ସ୍ଥିତିକୁ ଦେଖି ବିଏମସି ଅଫିସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି l
ତେବେ ପୋଲିସ ବର୍ତମାନ ୩ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି l
Shree Jagannath
ପୁରୀ( ଦ କୁଇଭର):- ଆଜି ହେଉଛି ପବିତ୍ର ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା । ସେ କୋଟି ବ୍ରହ୍ମାଣ୍ଡର ମଉଡମଣି । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ବାହାରି ପଡିବେ କାଳିଆ ସାଆନ୍ତେ । ରଥ ପଥ ସବୁ କିଛି ପ୍ରସ୍ତୁତ । ଆକାଶରୁ ଝରି ପଡୁଛି ପୁଷ୍ପରୂପି ବର୍ଷା । ଆଉ ମହାପ୍ରଭୁଙ୍କ ଆଗମନ ପାଇଁ ଯେମିତି ଚାହିଁ ରହିଛି ଏ ଜଗତ ହଜାର ହଜାର ଭକ୍ତଙ୍କ ଲାଗିଲାଣି ଗହଳି । ସେପଟେ ବଡଦାଣ୍ଡ ଭକ୍ତିମୟ ହୋଇ ଉଠିଛି । ଝାଞ୍ଜ, କୀର୍ତ୍ତନ, ଜୟ ଜଗନ୍ନାଥ ଧ୍ବନିରେ ବଡ ଦାଣ୍ଡ କମ୍ପୁଛି । ଅନେକ ଭକ୍ତ ଭଗବାନ ବିଭିନ୍ନ ସ୍ଵରୂପ ବେଶ ହୋଇ ମହାପ୍ରଭୁଙ୍କ ରଥ ଆଗରେ ନୃତ୍ୟ ପରିବେଷଣ କରି ମହାପ୍ରଭୁଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦେଇଛନ୍ତି । ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନେ ମହାପ୍ରଭୁଙ୍କ ରଥ ଆଗରେ ନିଜର ନୃତ୍ୟ ପରିବେଷଣ କରି ନିଜକୁ ଧନ୍ୟ ମନେ କରୁଛନ୍ତି ।
ମହାପ୍ରଭୁଙ୍କ ପାଇଁ ପୁରୀରେ ପ୍ରବଳ ଭିଡ । ଭକ୍ତଙ୍କ ସମାଗମ ଦେଖି ଏମିତି ଲାଗୁଛି ସତେ ଯେମିତି ଜଗା ପାଇଁ ଜନଜୁଆର ବଡଦାଣ୍ଡରେ ଲହଡି ପିଟୁଛି । ଭକ୍ତିର ବଡଦାଣ୍ଡରେ ଭକ୍ତର ଭାବର ଜୁଆର ମହାପ୍ରଭୁଙ୍କ ଆଡକୁ ମାଡି ଯାଉଛି । କିଲୋମିଟର କିଲୋମିଟର ଯାଏଁ ଭିଡ । ଯୁଆଡେ ଚାହିଁଲେ ମାଳମାଳ ମୁଣ୍ଡ । କିଏ ଜଗା ପାଇଁ ଅପେକ୍ଷା କରିଛି ତ କିଏ ଜଗା ପାଇଁ ନାଚୁଛି । ପୁଣି କିଏ ରଥ ଦଉଡି ଛୁଇଁ ପୂଣ୍ୟ ଅର୍ଜିବ ବୋଲି ଅପେକ୍ଷା କରିଛି । ଶ୍ରୀମନ୍ଦିର ଆଗରେ, ତିନି ରଥ ସାମ୍ନାରେ ଏତେ ଭିଡ ଜନଜୁଆର ସୃଷ୍ଟି କରିଛି ।
ଏପଟେ ଆରମ୍ଭ ହୋଇଯାଇଛି ଶ୍ରୀଜିଉଙ୍କ ପହଣ୍ଡି । ଧାଡି ପହଣ୍ଡିରେ ପ୍ରଥମ ପ୍ରଭୁ ସୁଦର୍ଶନ ରଥରେ ବିରାଜମାନ କରିଛନ୍ତି । ପରେ ପରେ ପ୍ରଭୁ ବଡ ଠାକୁର ପହଞ୍ଚି ସାରିଛନ୍ତି । ପଛକୁ ପଛ ମାଆ ସୁଭଦ୍ରା ଆସିଲେଣି ଏବଂ ଶେଷରେ ମହାବାହୁ ଆସୁଛନ୍ତି ଏବଂ ବର୍ତ୍ତମାନ ରଥରେ ବିଜେ କରୁଛନ୍ତି । ଏଥିପାଇଁ ଖାଲି ନନ୍ଦିଘୋଷ ନୁହେଁ କୋଟି କୋଟି ଭକ୍ତ ଅପେକ୍ଷା କରିଛନ୍ତି ମହାବାହୁଙ୍କ ମହାଲୀଳା ଦେଖିବା ପାଇଁ l
State
ଦ କୁଇଭର ବ୍ୟୁରୋ:- ଗିରଫ ହେଲେ କୋଟିପତି ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକ୍ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କୁ ଗିରଫ କଲା ଭିଜିଲାନ୍ସ । ଯାଞ୍ଚ ବେଳେ ସୁଶୀଲ ମିଳିଛି ଅମାପ ସମ୍ପତ୍ତି। ଭିଜିଲାନ୍ସ ଯାଞ୍ଚ ବେଳେ ଠାବ ହୋଇଛି ଏକ ବହୁତଳ କୋଠା, ଦୁଇଟି ଫ୍ଲାଟ, ୬ ଟି ବହୁମୁଲ୍ୟ ପ୍ଲଟ, ୧୨୬ ଗ୍ରାମର ସୁନା ଗହଣା ସହ ନଗଦ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା। ଏହା ସହିତ ଏକ କୋଟିର ବ୍ୟାଙ୍କ ଓ ଇନସ୍ୟୁରାନ୍ସ ଜମା ଥିବା ଜବତ କରିଛି ଭିଜିଲାନ୍ସ। ଆଉ ୨ ଦିନ ପରେ ଅବସର ନେଇଥାନ୍ତେ ସୁଶୀଲ ପଣ୍ଡା।
State,Shree Jagannath
ଦ କୁଇଭର ବ୍ୟୁରୋ:- ଆଜି ପବିତ୍ର ହେରା ପଞ୍ଚମୀ । ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସାଙ୍ଗରେ ଆଣିନଥିବାରୁ ରଥ କାଠ ଭାଙ୍ଗିବେ ଅଭିମାନିନୀ ମା ଲଷ୍ମୀ । ଭାଇ ଭଉଣୀଙ୍କୁ ରଥରେ ନେଇ ଜନ୍ମବେଦୀକୁ ଆସିଛନ୍ତି । ଅଥଚ ହଟିଆ ଠାକୁର ନିଜ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଥିରେ ଆଣି ନାହାଁନ୍ତି । ଏଣେ ସ୍ବାମୀଙ୍କ ଅନୁପସ୍ଥିତିରେ ବିରହ ବିଧୁରା ଲକ୍ଷ୍ମୀ ଠାକୁରାଣୀ ମନର ବ୍ୟଥା ଭଉଣୀ ସ୍ବରୂପା ମା ବିମଳା ଦେବୀଙ୍କ ନିକଟରେ ବଖାଣିଛନ୍ତି । ପ୍ରତିକାର ବି ଲୋଡ଼ିଛନ୍ତି । ପରାମର୍ଶ ପାଇବା ପରେ ରଥ ନିକଟକୁ ଆସି ଲକ୍ଷ୍ମୀ ଠାକୁରାଣୀ ଗୋଡ଼ ଟେକି ବସିଲେଣି । ହେରା ପଞ୍ଚମୀରେ ମା ଖାଲି ମହାପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରିବେ ନାହିଁ, ବରଂ ଆସିଲା ବେଳେ ଅଭିମାନରେ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଦେଇ ଫେରିବେ । ପତି-ପତ୍ନୀଙ୍କ ମଧ୍ୟରେ ଅଭିମାନ ଓ ରୋଷର ଏହି ମାନବୀୟ ଲୀଳା ଦର୍ଶନ କରିବାକୁ ଭକ୍ତମାନେ ବି ଚାହିଁ ବସିଛନ୍ତି । ଆଜି ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରିବେ । ପରେ ବନକଲାଗି ହୋଇ ପାଟ ଶାଢ଼ି ଏବଂ ଅଳଙ୍କାର ଲାଗି ହୋଇ ବେଶ ବଢ଼େ । ପୂଜାପଣ୍ଡା ସେବକଙ୍କ ଦ୍ବାରା ପନ୍ତି ଭୋଗ କରାଯାଏ । ପରେ ବଟ ବୃକ୍ଷ ତଳେ ଥିବା ବିମାନକୁ ଲକ୍ଷ୍ମୀ ବିଜେ କରିଥାଆନ୍ତି । ମାଁଙ୍କୁ ବିମାନରେ ବିମାନ ବଡ଼ୁ ସେବକମାନେ ଘଣ୍ଟ, କାହାଳି, ଛତା ମଧ୍ୟରେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଖକୁ ଆଣିଥାଆନ୍ତି । ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟ ବିଜୟ ଦ୍ବାର ନିକଟକୁ ଆସିଥାଆନ୍ତି । ଶ୍ରୀଜଗନ୍ନାଥଙ୍କ ଅଙ୍ଗରୁ ଆଜ୍ଞାମାଳ ଆସି ମହାଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢ଼ି ଟେରା ପଡ଼େ । ନୀତି ଶେଷ ହେବା ପରେ ମହାଲକ୍ଷ୍ମୀଙ୍କ ବିମାନ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡେ ଭାଙ୍ଗିବା ପରେ ହେରା ଗୋହିରୀ ବାଟେ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରକୁ ନିଆଯାଏ l
Shree Jagannath,Health & lifestyle,State
ଗଞ୍ଜାମ, ପୁରୁଷୋତ୍ତମପୁର ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରଥ ଟାଣିବା ବେଳେ ବଡ଼ ଅଘଟଣ ଘଟିଛି। ରଥଚକ ମାଡ଼ିଯିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଶିବରାମ ବେହେରା(୩୦)। ଶୁକ୍ରବାର ଅପରାହ୍ଣରେ ଶିକୁଳାରେ ରଥଟଣା ଆରମ୍ଭ ହୋଇଥିଲା। ରଥ ଟାଣିବା ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ସେହି ଭିଡ଼ ଭିତରେ ଶିବରାମ ମଧ୍ୟ ଥିଲେ। ରଥ ଗଡ଼ୁଥିବା ବେଳେ ହଠାତ୍ ଭିଡ଼ରେ ଅସାବଧାନତା ଯୋଗୁଁ ସେ ତଳେ ପଡ଼ି ଯାଇଥିଲେ। ଫଳରେ ରଥଚକ ତାଙ୍କ ଉପରେ ଚଢ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ଜବତ କରି ଅନୁସଂଧାନ କରୁଛି।
State,Shree Jagannath
ପୁରୀ( ଦ କୁଇଭର ):- ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା l ଆଜି ପବିତ୍ର ରଥଯାତ୍ରାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଆଜି ରଥଯାତ୍ରାରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଝାରସୁଗୁଡା ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ,ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଏହି ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଏହିପରି ବର୍ଷା ଜୁଲାଇ ୨ ତାରିଖ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
State
ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁରରେ ପୁଣି ଏକ ହତ୍ୟା। ପୁଷ୍ପାଞ୍ଜଳି ଲଜରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ପରେ ଥାନାରେ ଅଭିଯୁକ୍ତ ପ୍ରେମିକ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ଜଣକ ବ୍ରହ୍ମପୁର ଲଞ୍ଜିପାଲ୍ଲି ସ୍ଥିତ ଉମା ନାଗର ପ୍ରଥମ ଗଳିର ଅଭୟ କୁମାର ମହାରଣା ବୋଲି ଜଣାପଡିଥିବା ବେଳେ ମୃତ୍ୟୁ ବରଣ କରିଥିବା ପୀଡିତା ହେଉଛନ୍ତି ପ୍ରିୟା କୁମାରୀ ମହାରଣା, ସେ ଲଞ୍ଜିପାଲ୍ଲୀ ଆଉଟପୋଷ୍ଟ ନିକଟର ବୋଲି ସୂଚନା ମିଳିଛି | ତେବେ ଦୁହେଁ ଆଜି ପୁଷ୍ପଞ୍ଜଳି ଗେଷ୍ଟ ହାଉସ୍ କୁ ଯାଇଥିବା ବେଳେ ପ୍ରେମିକ ଅଭୟ ପ୍ରେମିକା ପ୍ରିୟାକୁ ଛୁରୀ ଭୂଷି ହତ୍ୟା କରିବା ସହ ନିଜେ ଯାଇ ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି l ତେବେ କାହିଁକି ଏ ହତ୍ୟା ହୋଇଛି, ହତ୍ୟା ପଛର କାରଣ କ'ଣ, ଏସବୁ ବିଷୟରେ ଅନୁସନ୍ଧାନ କରିବା ସହ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି l
Shree Jagannath,State
ଦ କୁଇଭର ବ୍ୟୁରୋ:- ରତ୍ନବେଦି ଛାଡ଼ି ଜନ୍ମବେଦିରେ ବିରାଜିଛନ୍ତି ଚତୁର୍ଦ୍ଧା ବିଗ୍ରହ। ରଥରେ ଗଡ଼ିବା ବେଳେ ବିଳମ୍ବ କଲେ, କିନ୍ତୁ ରଥରୁ ପହଣ୍ଡି ବେଳେ ସଅଳ ସଅଳ ଆଗେଇ ଚାଲିଲେ। ଭକ୍ତଙ୍କ ମେଳରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇଭଉଣୀଙ୍କ ସହ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ଗୋଟି ପହଣ୍ଡିରେ ଏହି ନୀତି ଅନୁଷ୍ଠିତ ହୋଇଛି। ପ୍ରଥମେ ଶ୍ରୀବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆ ଲଗେଇ ଝୁଲିଝୁଲି ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିଥିଲେ। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର। ପହଣ୍ଡି ୬ଟା ୫୦ରେ ଆରମ୍ଭ ହୋଇଥିଲା। ୯ଟା ୩୫ ସୁଦ୍ଧା ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିସାରିଥିଲେ।ସୋମବାରଠାରୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ପାଇବେ ଭକ୍ତ। ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଶାସ୍ତ୍ର ବିଦିତ। ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ଜନ୍ମବେଦି ଯୋଗ କୁହାଯାଏ। ଜନ୍ମବେଦି ମହାପ୍ରଭୁଙ୍କ ପୃଥିବୀର ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ପୁରାଣରେ ଉଲ୍ଲେଖ ରହିଛି। ଏଥିପାଇଁ ରଥାଯାତ୍ରାରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଥିସହ ଶ୍ରୀମନ୍ଦିରରେ ସୋମବାରଠାରୁ ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା। ଆଜି ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି।
ଆଡ଼ପ ମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ଆଜି ବିଳମ୍ବିତ ରାତିରେ ଆଡ଼ପ ମଣ୍ଡପରୁ ଚାରମାଳ ଫିଟାଯାଇଛି।
ଶନିବାର ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ରଥ ଉପରେ ଦୈନିନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା। ଗତକାଲି ରାତି ପ୍ରାୟ ୧୧ଟାରୁ ୧୧ଟା ୨୦ ମଧ୍ୟରେ ତିନି ରଥରେ ଚନ୍ଦନଲାଗି ହୋଇଥିଲା। ୧୧ଟା ୨୦ରୁ ବଡ଼ସିଂହାର ବେଶ ଆରମ୍ଭ ହୋଇଥିଲା। ରାତି ୧୧ଟା ୪୦ରୁ ବଡ଼ସିଂହାର ବେଶ ଶେଷ ପରେ ୧୨ଟା ମଧ୍ୟରେ ବଡ଼ସିଂହାର ଭୋଗ ହୋଇଥିଲା। ଭୋଗ ନୀତି ସଂପନ୍ନ ପରେ ରାତି ୧୨ଟା ୧୫ରେ ରଥ ଉପରେ ରାତ୍ର ପହୁଡ଼ ହୋଇଥିଲା।ଆଜି ସକାଳ ୬ଟା ୧୫ରୁ ୬ଟା ୨୫ରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ରଥ ଉପରେ ଗୋପାଳବଲ୍ଲଭ ଓ ଅନ୍ୟାନ୍ୟ ଭୋଗ ନୀତି ସଂପନ୍ନ ହୋଇଥିଲା। ତିନି ରଥରେ ମଇଲମ, ମହାସ୍ନାନ, ସର୍ବାଙ୍ଗ, ବେଶ ପରେ ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାଧୂପ ପରେ ୩ଟା ୨୫ରେ ଘୋଡ଼ା ଫିଟା ଓ ଚାରବନ୍ଧା ଆରମ୍ଭ ହୋଇଥିଲା। ସାଢ଼େ ୬ଟାରେ ଚାରବନ୍ଧା ଶେଷ ହୋଇଥିଲା। ସେହିପରି ଆଜି ସନ୍ଧ୍ୟା ୬ଟା ୫୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀରାମ, ଶ୍ରୀକୃଷ୍ଣ ଓ ମଦନମୋହନ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ପରେ ପ୍ରଭୁ ସୁଦର୍ଶନ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିଥିଲେ।
ବୁଧବାର ଦର୍ଶନ ଓ ପୂଜା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ କରିଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ସକାଳ ୫ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସାଢ଼େ ୫ଟାରେ ଭିତରଶୋଧ ଓ ୬ଟାରେ ମଙ୍ଗଳଆଳତି ନୀତି ସଂପନ୍ନ ହେବ। ଅବକାଶ ପୂଜା ଶେଷ ପରେ ସାଢ଼େ ୭ଟାରୁ ସାଢ଼େ ୮ଟା ସାହାଣମେଲା ଦର୍ଶନ ହେବ। ସକାଳ ୯ଟାରେ ରୋଷହୋମ ସହ ଅନ୍ୟାନ୍ୟ ନୀତି ବଢ଼ିବ। ପୂର୍ବାହ୍ଣ ୧୦ଟାରେ ଗୋପାଳବଲ୍ଲଭ, ପୂର୍ବାହ୍ଣ ସାଢ଼େ ୧୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସକାଳଧୂପ, ମଧ୍ୟାହ୍ନ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ପ୍ରଥମ ଭୋଗମଣ୍ଡପ, ଅପରାହ୍ଣ ୪ଟାରୁ ସାଢ଼େ ୫ଟା ମଧ୍ୟାହ୍ନ ଧୂପ, ସନ୍ଧ୍ୟା ୫ରୁ ସାଢ଼େ ୬ଟା ଭିତରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବ। ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଜୁଲାଇ ୧ରେ ରେ ହେରାପଞ୍ଚମୀ ନୀତି, ୨ ତାରିଖରେ ରଥ ଦକ୍ଷିଣମୋଡ଼, ୪ ତାରିଖରେ ସନ୍ଧ୍ୟା ଦର୍ଶନ, ୫ ତାରିଖରେ ବାହୁଡ଼ାଯାତ୍ରା, ୬ ତାରିଖରେ ସୁନାବେଶ, ୭ ତାରିଖରେ ଅଧର ଓ ଗରୁଡ଼ ଶୟନ ନୀତି ଏବଂ ୮ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
State
ଦ କୁଇଭର ବ୍ୟୁରୋ:- ୭୯ ଜଣ ଡିଏସପି ରାଙ୍କ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର । ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞିପ୍ତି । ୭୯ ଡିଏସପି ଓ ଏସଡିପିଓ ସ୍ତରରେ ଅଦଳବଦଳ । ଭଦ୍ରକ ସିଟି ଡିଏସ୍ ପି ହେଲେ ସୁଧାଂଶୁ ଭୂଷଣ ଜେନା । ଶରତ ଚନ୍ଦ୍ର ପାତ୍ର ହେଲେ ଏସିପି, ପୋଲିସ କମିଶନରେଟ । ସେହିପରି ବିଜୟିନୀ ମଲ୍ଲଙ୍କୁ କମିଶନରେଟ ପୋଲିସରେ ଏସିପି ନିଯୁକ୍ତି ମିଳିଛି । ସତ୍ୟରଞ୍ଜନ ପ୍ରଧାନଙ୍କୁ ପୋଲିସ କମିଶନରେଟ ଏସିପି ଦାୟିତ୍ବ ଦିଆଯାଇଛି । ବିଶ୍ବଜିତ ମନବୋଧା ମଧ୍ୟ ଏସିପି, ପୋଲିସ କମିଶନରେଟ ନିଯୁକ୍ତ ହୋଇଛନ୍ତି । ଅଭିମନ୍ୟୁ ନାୟକ ହେଲେ ଏସିପି, ପୋଲିସ କମିଶନରେଟ । ତ୍ରିପତି ଚୌଧୁରୀଙ୍କୁ ବ୍ରହ୍ମପୁର ଟ୍ରାଫିକ ଡିଏସ୍ ପି ଦାୟିତ୍ବ ଦିଆଯାଇଛି । ଲକ୍ଷ୍ମୀପୁର ଏସଡିପିଓ ହେଲେ ମନୋଜ କୁମାର ବେହେରା ।
Education
ଦ କୁଇଭର ବ୍ୟୁରୋ:- ରାଜ୍ୟର ଶିଶୁବାଟିକାଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା କାର୍ଯ୍ୟର ବୋଝ ହାଲ୍କା କରିବାରେ ସହାୟକ ହେବେ । ତେଣୁ ଶିକ୍ଷକମାନେ କେବଳ ଶିକ୍ଷା ଉପରେ ଦୃଷ୍ଟି କେନ୍ଦ୍ରୀତ କରିପାରିବେ । ଏହାଦ୍ୱାରା ପ୍ରାକ୍-ପ୍ରାଥମିକ ଶ୍ରେଣୀରେ ପିଲାଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ୪୫ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଶିଶୁବାଟିକା ଖୋଲାଯାଇଛି । ଏଥିରେ ୫ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍-ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଶିଶୁବାଟିକାରେ ପିଲାଙ୍କ ସଂଖ୍ୟାକୁ (Enrolment) ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଶିଶୁ ସେବିକା ନିଯୁକ୍ତି ନିଷ୍ପତ୍ତି ନିଆଯିବ ।ଛୋଟ ପିଲାମାନଙ୍କୁ ଶ୍ରେଣୀଗୃହରେ ପରିଚାଳନା କରିବା, ସେମାନଙ୍କ ଯତ୍ନ ନେବା ଏକ ଗୁରୁ ଦାୟିତ୍ୱ । ଶିକ୍ଷକମାନଙ୍କ ଉପରେ ଏ ଦାୟିତ୍ୱ ରହିଲେ ଶିକ୍ଷା କାର୍ଯ୍ୟ ବ୍ୟାହତ ହେବ । ସାରା ରାଜ୍ୟରେ ବିଭିନ୍ନ ଶିଶୁବାଟିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନରୁ (Situational Study of Sishu Vatikas across the state) ଜଣାଯାଇଛି ଯେ, ଶିକ୍ଷକମାନଙ୍କୁ ଅଣଶିକ୍ଷା କାର୍ଯ୍ୟରେ ସହାୟତା କରିବା ପାଇଁ ଶିଶୁବାଟିକା ମାନଙ୍କରେ ଶିଶୁସେବିକାମାନଙ୍କର ଆବଶ୍ୟକତା ରହିଛି ।ନିଷ୍ପତ୍ତି ଅନୁଯାୟୀ, ସରକାରୀ ବିଦ୍ୟାଳୟରେ ନିଯୁକ୍ତ ପାଚିକାମାନଙ୍କ ଯେଉଁ ହାରରେ ଦରମା ଦିଆଯାଉଛି, ଶିଶୁ ସେବିକାମାନଙ୍କୁ ସେହି ହାରରେ ଦରମା ଦିଆଯିବ। ସମଗ୍ର ଶିକ୍ଷାର ବଜେଟରୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ସେବିକାମାନେ ପିଲାମାନେ ଯେପରି ଇଆଡ଼େ ସେଆଡେ ବୁଲିବେ ନାହିଁ, ଶ୍ରେଣୀଗୃହ ଭିତରେ ସୁରକ୍ଷିତ ଭାବେ ରହିବେ, ତା’ଉପରେ ନଜର ରଖିବେ, ପିଲାଙ୍କ ହାତଧୂଆ, ଖାଇବା, ଟଏଲେଟ ଯିବା ଏବଂ ଶ୍ରେଣୀଗୃହରେ ବସିବା ଆଦି କାର୍ଯ୍ୟରେ ସହାୟତା କରିବା,ପିଲା କାନ୍ଦିଲେ କିମ୍ୱା ଅଝଟ ହେଲେ ସେମାନଙ୍କୁ ବୁଝେଇ ସୁଝେଇ ଶାନ୍ତ କରିବା, ପିଲାଙ୍କୁ ବହି, ଖେଳନା ଆଦି ବିଭିନ୍ନ ଶିକ୍ଷା ସହାୟକ ଜିନିଷ ଯୋଗାଇ ଦେବା,ପିଲା ଯଦି ବାହାରକୁ ଯିବେ କିମ୍ୱା ଟଏଲେଟକୁ ଯିିବେ, ତେବେ ସେବିକାମାନେ ପିଲାଙ୍କ ସହିତ ରହି ସେମାନଙ୍କୁ ସାହାଯ୍ୟ କରିବେ,ପିଲା ଯଦି କୌଣସି କାରଣରୁ ଅସୁସ୍ଥ ଥିବ, ମନଦୁଃଖରେ ଥିବ କିମ୍ୱା ଅବୁଝା ହେଉଥିବ ତେବେ ସେ ବିଷୟରେ ଶିକ୍ଷକଙ୍କୁ ଜଣାଇବା,ପ୍ରତ୍ୟେକ ପିଲାଙ୍କ ଦିନ କେମିତି କଟିଲା ସେ ସମ୍ପର୍କରେ ଗୋଟିଏ ଛୋଟ ନୋଟ ପ୍ରସ୍ତୁତ କରିବା, କୌଣସି ପରିସ୍ଥିତିରେ ଶିଶୁ ସେବିକାମାନେ ପିଲାଙ୍କ ପାଠପଢ଼ା ଦାୟିତ୍ୱ ନେବେ ନାହିଁ, ପିଲାମାନଙ୍କୁ ଗାଳି କିମ୍ୱା ଦଣ୍ଡ ଦେଇ ପାରିବେନାହିଁ । ପିଲା ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଜଣାଇବେ, କିନ୍ତୁ ଔଷଧ ଦେବା ବା କୌଣସି ଚିକିତ୍ସା କରିପାରିବେ ନାହିଁ ।
Shree Jagannath
ପୁରୀ( ଦ କୁଇଭର ):- ଶରଧାବାଲିରେ ପହଂଚିଛି ତିନିରଥ,ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବେ ପହଁଚିଛି | ଆଉ ନନ୍ଦିଘୋଷ ରଥ ଏବେ ପହଂଚିଥିବାବେଳେ ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ତାଳଧ୍ୱଜ ଓ ଦର୍ପଦଳନ ରଥ ପହଂଚିଥିଲେ | ଘଣ୍ଟ, ହୁଳହୁଳି ଓ ହରିବୋଲ ଶବ୍ଦରେ ଲକ୍ଷାଧିକ ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ଯାଏଁ ନେଇଯାଇଥିଲେ | ଉଲ୍ଲେଖ ଥାଉ କି ଯେ ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ଆରମ୍ଭରୁ ଭୀଷଣ ସମସ୍ୟା ଦେଖାଦେଇଥିଲା। ବାରମ୍ବାର ମୋଡ଼ ନେଇଥିଲା। ଫାଳି ଲାଗିବା ପରେ ବି ବିଶେଷ ପରିବର୍ତ୍ତନ ହୋଇ ନଥିଲା। ସ୍ଥିତି ଏତେ ଗମ୍ଭୀର ହେଲା ଯେ ରାଜନଅର ଛୁଇଁବା ବେଳକୁ ଘଣ୍ଟାଏରୁ ଅଧିକ ସମୟ ଲାଗି ଯାଇଥିଲା। ଆରମ୍ଭରୁ ମୋଡ଼ ନେଇଥିଲା, ବାରମ୍ବାର ଫାଳି ଲାଗିଥିଲା। ରଥ ମରିଚିକୋଟ ଛକ ଅତିକ୍ରମ କରିବା ବେଳକୁ ଅଢ଼େଇ ଘଣ୍ଟା ବିତିଯାଇଥିଲା। ସେହିପରି ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିବା ନିଷ୍ପତ୍ତି ବେଳକୁ ସେତେବେଳକୁ ଭିଡ଼ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼ିଥିଲା । ରଥ କର୍ଡନ୍ ଖାଲି କରାଯାଇପାରିଲା ନାହିଁ ଓ ରଥ ସାମନାରେ ହଜାର ହଜାର ଲୋକଙ୍କ ଭିଡ଼ ସ୍ଥିତିକୁ ଆହୁରି ଜଟିଳ କରି ଦେଇଥିଲା। ସେହିପରି ସିଂହଦ୍ବାରରେ ଅଟକିଯାଇଥିଲା ମହାବାହୁଙ୍କ ରଥ। ବିଧିରକ୍ଷା ପାଇଁ ସନ୍ଧ୍ୟା ୭ଟା ୪୫ ମିନିଟ୍ରେ ରଥ ଟଣାଗଲା। ଚକେ ଗଡ଼ିଛି, ଆଉ ବନ୍ଦ ହୋଇଥିଲା ରଥଟଣା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘୋଷଣା କରିଥିଲେ ଯେ ଶନିବାର ସକାଳ ସାଢ଼େ ୯ଟାରେ ରଥ ଟଣାଯିବ। ଆଉ ସେହି ଘୋଷଣା ମୁତାବକ ଆଜି ସକାଳେ ରଥଟଣା ଆରମ୍ଭ ହୋଇଥିଲା | ଆଉ ଏବେ ଶରଧାବାଲିରେ ତିନି ରଥ ପହଞ୍ଚିସାରିଛନ୍ତି |
National,State
ଦ କୁଇଭର ବ୍ୟୁରୋ:- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୪ରେ ଏମ୍ସ ଭୁବନେଶ୍ୱର ଏବଂ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଜୁଲାଇ ୧୪ରେ ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରଦିନ, ଜୁଲାଇ ୧୫ରେ, ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ରାଷ୍ଟ୍ରପତି ଜୁଲାଇ ୧୫ ତାରିଖରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।
Shree Jagannath
ପୁରୀ ( ଦ କୁଇଭର ):- ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା । ତିନି ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକ ମାନେ ହେଲେ ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଓ ପ୍ରଭାତୀ ଦାସ ।ସୂଚନା ଅନୁସାରେ ଆଜି ଭୋର ୪ ସମୟରେ ଏପରି ଅଘଟଣ ଘଟିଛି । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି । ପ୍ରବଳ ଜନସମାଗମ ଯୋଗୁଁ ଦଳାଚକଟା ହୋଇଛି । ଯେଉଁ ସ୍ଥାନରେ ଦଳାଚକଟା ହୋଇଛି ସେଠାରେ ପ୍ରଶାସନ ତରଫରୁ ପୂର୍ବରୁ କୌଣସି ସୁରକ୍ଷା କିମ୍ବା ପୋଲିସ ବାହନୀ ସେଠାରେ ଉପସ୍ଥିତ ନଥିଲେ । ଯେଉଁ କାରଣରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ଠେଲାପେଲା-ଦଳାଚକଟା ହୋଇଥିଲା ।
ସେହିପରି ରଥଯାତ୍ରା ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ରଥ ନଗଡ଼ିବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଥିଲା । ଯଦିଓ ମହାପ୍ରଭୁଙ୍କ ପହଣ୍ଡିଠୁ ଆରମ୍ଭ କରି ସମସ୍ତ ପ୍ରକାରର ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହୋଇଥିଲେ ମଧ୍ୟ ଭିଡ଼ ନିୟନ୍ତ୍ରଣରେପୋଲିସ କାହିଁକି ବିଫଳ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।ଏହା ପର ଦିନ ମନ୍ଦିର ପ୍ରଶାସନ ପକ୍ଷରୁ ଦ୍ୱିତୀୟ ଦିନରେ ରଥଟଣା କାର୍ଯ୍ୟ ପ୍ରାୟ ସକାଳ ୯ଟା ୫୦ମିନିଟରେ ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ନନ୍ଦିଘୋଷଙ୍କ ରଥ ଦିନ ପ୍ରାୟ ୧ଟା ୧୦ମିନିଟରେ ଶରଧାବାଲିରେ ପହଂଚିଥିଲା । ଏହାପୂର୍ବରୁ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଶରଧାବାଲିରେ ପହଂଚିଥିଲା ।
Shree Jagannath,State
ପୁରୀ( ଦ କୁଇଭର ):- ପୁରୀର ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ବେଳେ ଆଜି ଭୋର୍ରୁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। ପରଲୋକଗତ ଭକ୍ତମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ। ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ। ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି। ସେହି ଉତ୍କଣ୍ଠା ଜନିତ ବ୍ୟଗ୍ରତା ଓ ଭିଡ଼ କାରଣରୁ ତିନି ଜଣ ଶ୍ରଦ୍ଧାଳୁଙ୍କ ପରଲୋକ ଘଟିଛି। ଏହା ସହିତ ପୁରୀ ଜିଲ୍ଲାପାଳ ସିର୍ଦ୍ଧାର୍ଥ ସ୍ବାଇଁ ଓ ଏସ୍ପି ବିନିତ ଅଗ୍ରୱାଲଙ୍କୁ ମଧ୍ୟ ବଦଳି କରାଯାଇଛି। ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବାବେଳେ ନୂତନ ଏସ୍ ପି ଭାବେ ଶ୍ରୀ ପିନାକ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଛି। ସେହିପରି ବରିଷ୍ଠ ଆଇଏଏସ୍ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦିଆଯାଇଛି। ଏହା ସହିତ ଡିସିପି ବିଷ୍ଣୁ ପତି ଓ କମାଣ୍ଡାନ୍ଟ ଅଜୟ ପାଢ଼ୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସୂଚନାଯୋଗ୍ୟ, ରବିବାର ପ୍ରତ୍ୟୁଷରେ ପୁରୀର ଶରଧାବାଲିରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସ।
State
ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ପିଚିପିଚା ନଗର ଠାରେ ଥିବା ଏକ ସସ୍ ଫ୍ୟାକ୍ଟ୍ରି ଉପରେ ପୋଲିସର ରେଡ୍ | ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ପକ୍ଷରୁ ରେଡ୍ରେ ଏଠା ରୁ ବହୁ ପରିମାଣ ର ସସ ସହ ଅନ୍ୟାନ୍ୟ ସାମଗ୍ରୀ ଜଦତ କରାଯାଇଛି I ତେବେ ଏହି ସସ୍ ଗୁଡ଼ିକରେ ଆଳୁ ପାଉଡର, କିଛି ରାସାୟନିକ ପଦାର୍ଥ ମିଶି ତିଆରି ହେଉଥିବା ଦେଖିବାକୁ ମିଳିଥିବା ବେଳେ ଦୀର୍ଘ ୧୦ ବର୍ଷ ହେଲା ସହରରେ ବିକ୍ରି ହେଉଥିବା ଅଭି ଯୋଗ ହୋଇଛି I ଆଗକୁ ଏହି ଫ୍ୟାକ୍ଟ୍ରିର ସିଜ୍ ହୋଇଥିବା ଜିନିଷ ଗୁଡ଼ିକୁ ଯାଞ୍ଚ ପାଇଁ ପଠାଯିବା ସହ ଅପମିଶ୍ରଣ ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ରାତି ହେଲେ ସହରରେ ବିଭିନ୍ନ ଫାଷ୍ଟଫୁଡ୍ ଠାରୁ ଆରମ୍ଭ କରି ବିଭିନ୍ନ ଜଳଖୁଆ ଦୋକାନରେ ବିକ୍ରି ହେଉଥିବା ସସ କୁ କିଭଳି ତିଆରି କରୁଛନ୍ତି ଦେଖନ୍ତୁ,ଏହି ପ୍ଲାଷ୍ଟିକ୍ ଜାରଗୁଡ଼ିକ ଓ ବଡ଼ ହଣ୍ଡା ଟିକୁ I ଏଥିରେ ନାଲି ନାଲି ହୋଇ ରହିଛି ସସ୍ ଗୁଡ଼ିକା,ଏଥ୍ରେ ଆଳୁ ପାଉଡର, ଷ୍ଟାର୍ଚ, ଟମାଟୋ ପେଷ୍ଟ ପକାଇ ତିଆରି ହେଉଥିଲା । କିନ୍ତୁ ଫୁଡ୍ ବିଭାଗ ଖୋଜୁ ଖୋଜୁ ସେଠାରୁ ମିଳିଥିଲା ବହୁ ପ୍ରକାର କଲର୍ ଓ ଅନ୍ୟାନ୍ୟ ସାମଗ୍ରୀ I ଏସବୁକୁ ମିଶାଇ ତିଆରି ହେଉଥିଲା ଟମାଟୋ ସସ୍ । ଏହା ଜାଣିବା ପରେ ଫୁଡ୍ ବିଭାଗ ପକ୍ଷରୁ ରେଡ୍ କରା ଯାଇ ବିଭିନ୍ନ ଜିନିଷ ସିଜ୍ କରା ଯାଇଛି I ତେ ବେ ଏଗୁଡ଼ିକର ଲାଇସେନ୍ସ ଥିବା ଓ ସେଗୁଡ଼ିକୁ ରୀତିମତ ସାଂଚ କରୁଥିବା କହିଛନ୍ତି ଦୋକାନୀ|ଅନ୍ୟପକ୍ଷରେ ଏହି ଫ୍ୟାକ୍ଟ୍ରିରୁ ମିଳିଥିବା ସସ୍ ଗୁଡ଼ିକରେ କଲର ମିଶାଯାଉଥିବା କହିଛନ୍ତି । ସିନ୍ଥେଟିକ୍ କଲର୍ ମିଶାଇବା ଦ୍ବାରା ଏହା ସ୍ବାସ୍ଥ୍ୟ ପକ୍ଷେ ହାନୀ କାରକ ହୋ ଇଥାଏ । ଏଣୁ ଏଗୁଡ଼ିକର ଯାଚ କରାଯାଇ ଆଗକୁ ପଦକ୍ଷେପ ନିଆଯିବ । ଏହି ଫ୍ୟାକ୍ଟ୍ରି ମଧ୍ୟରେ ସସ୍ ସମେତ ଭି ନେଗାର, ସୋୟା ସସ୍, ଚିଲି ସସ୍ , ସୋୟା ଚ ଙ୍କ ରିପ୍ୟାକିଂ, ଆଚାର ମସଲା ମଧ୍ଯ ତିଆରି କରାଯାଉଥିବା ଦେଖା ଦେଇଥିଲା | ଏଗୁଡ଼ିକ କେତେ ଠିକ୍ ସେଗୁଡ଼ିକୁ ସାଂଚ କରିବା ପରେ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା ଅଧୁକାରୀ ଅନ୍ୟପକ୍ଷରେ ଏଭଳି ଅପମିଶ୍ରିତ ସାମଗ୍ରୀ ବିକ୍ରି ବଡ଼ବଜାର ଅଂଚଳରେ ହେଉଛି I ଏହା ଉପରେ ରୀତିମତ ଚଢ଼ାଉ କରି କାର୍ଯ୍ୟା ନୁଷ୍ଠାନ ନିଆଯିବା ଆବଶ୍ୟକ | ନଚେତ୍ ଏହା ଲୋକଙ୍କୁ ରୋଗରେ ପକାଇବା ସହ ଦୁରା ରୋଗ୍ୟ ବ୍ୟାଧି ସୃଷ୍ଟି କାରକ ହେବ ବୋଲି କହିଛନ୍ତି ସାଧାରଣ ଲୋକେ | ତେବେ ଏହି ସସ ଫ୍ୟାକ୍ଟ୍ରି ମାଲିକ ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l
State
ଗଞ୍ଜାମ ( ଦ କୁଇଭର ):-- ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା l ବ୍ରହ୍ମପୁର ରାମହରି ନଗରରେ ଥିବା ସୁଶୀଲଙ୍କ ବାସଭବନ, ଆଙ୍କୁଲି ମୁକ୍ତେଶ୍ଵର ଆପାର୍ଟମେଣ୍ଟର ଦୁଇଟି ଫ୍ଲାଟ, ପୁରୀ ଚୁଡଙ୍ଗ ସାହି, କବି ସୂର୍ଯ୍ୟନଗର ଗୁଡିଆଳିର ତାଙ୍କର ପୌତ୍ରିକ ଘର, ପୁରୁଷୋତ୍ତମପୁର ବେଢ ଗାଁରେ ଥିବା ତାଙ୍କର ପୌତ୍ରିକ ଘର ସହ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଏକକାଳୀନ ଭାବେ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।ଏହି ଚଢ଼ାଉରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।ଭିଜିଲାନ୍ସ ଚଢ଼ାଉ ସମୟରେ ଲକ୍ଷାଧିକ ନଗଦ ଟଙ୍କା ସହ କିଛି ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ବର୍ତମାନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।
State
ଦ କୁଇଭର ବ୍ୟୁରୋ:- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କୁ ଯେପରି ଦିବ୍ୟ ଅନୁଭୂତି ମିଳିବ, ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ହେଲେ ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ କରିବା ବେଳେ ଅସମ୍ଭାଳ ଭିଡ଼ ଓ ଠେଲାପେଲାରେ ୩ଜଣ ଭକ୍ତଙ୍କ ଅକାଳ ମୃତ୍ୟୁ ଘଟିଲା। ବହୁ ଭକ୍ତ ଆହତ ହେଲେ। ସରକାରଙ୍କ ସବୁ ପ୍ରସ୍ତୁତି ସତ୍ତ୍ବେ ଏଭଳି ଅଘଟଣ ଘଟିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବ୍ୟଥିତ କରିଛି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ନିଜେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏଭଳି ଅଘଟଣ ବିରଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନିଜେ ଖୋଲାଖୋଲି କ୍ଷମା ପ୍ରାର୍ଥନା କରି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ବୋଲି ଦର୍ଶାଇଛନ୍ତି। ଏହାସହ କହିଛନ୍ତି ଯେ ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦଳାଚକଟାରେ ପରଲୋକଗତ ଭକ୍ତମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି।
State
ମୟୁରଭଞ୍ଜ( ଦ କୁଇଭର ):- ଆଜି ପାଇଁ ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ଏନେଇ ରବିବାର ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଥିବାରୁ ତିନିଦିନ ପାଇଁ ଅଙ୍ଗନବାଡି ଓ ଦିନକ ପାଇଁ ସ୍କୁଲ ବନ୍ଦ ରହିବ ବୋଲି ଜଣାପଡିଛି । ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ସୋମବାର,ମଙ୍ଗଳବାର ଓ ବୁଧବାର ୩ ଦିନ ବନ୍ଦ ରହିବାକୁ ଥିବାବେଳେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ କେବଳ ସୋମବାର ପାଇଁ ବନ୍ଦ ରହିବ ବୋଲି ଜଣାପଡିଛି।