ଗଞ୍ଜାମ( ଦ କୁଇଭର ):- ସରକାରଙ୍କ ତରଫରୁ ଅଙ୍ଗନବାଡ଼ି କେନ୍ଦ୍ରରୁ ଆରମ୍ଭ କରି ପ୍ରଥମରୁ ଦଶମ ପିଲାଙ୍କୁ ମାଗଣା ପୋଷକ ପ୍ରଦାନ କରାଯାଉଛି। ଏହି ପୋଷାକ ତିଆରି କରିବା ପାଇଁ ବିଭିନ୍ନ ମହିଳା ଏସ୍ଏଚ୍ଜି ତଥା କ୍ଷୁଦ୍ର ଉଦ୍ୟୋଗକୁ ଦାୟିତ୍ବ ଦିଆଯାଇଥାଏ। ନିର୍ଦ୍ଧାରିତ ନିୟମ ପୂରଣ କରୁଥିବା ଏସ୍ଏଚ୍ଜି ତଥା ଘରୋଇ ସଂସ୍ଥାକୁ ଏହି କାମ ମିଳିଥାଏ। କିନ୍ତୁ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍ରେ ସ୍କୁଲ ପୋଷାକ ତିଆରି କାମ ପ୍ରଦାନ କରିବାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି। କିଛି ବର୍ଷ ହେଲା ନିର୍ଦ୍ଦିଷ୍ଟ ଏସ୍ଏଚ୍ଜିକୁ ଏହି କାମ ଦିଆଯାଉଛି। ଏପରିକି ଯୋଗ୍ୟ ଏସ୍ଏଚ୍ଜିଙ୍କୁ ବାଦ୍ ଦେଇ ଅଯୋଗ୍ୟଙ୍କୁ ପୋଷାକ ତିଆରି ଦାୟିତ୍ବ ଦିଆଯାଇଥିବା ନେଇ ପୂର୍ବତନ ଗଞ୍ଜାମ ଜିଲ୍ଲା ସମବାୟ ସଂଘ ସଭାପତି ସନାତନ ସଂଗ୍ରାମ ସିଂ ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ପୂର୍ବରୁ ବ୍ଲକ୍ସ୍ତରୀୟ ଚୟନ କମିଟି ସହିତ ଜିଲ୍ଲାସ୍ତରୀୟ ଚୟନ କମିଟି ନିକଟରେ ଅଭିଯୋଗ କରିଥିଲେ । ହେଲେ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ସେ ଏହି ଅନିୟମିତତାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି।
ସରକାରଙ୍କ ନିୟମ ଅନୁସାରେ ଯେଉଁ ଏସ୍ଏଚ୍ଜିର ସୁଦୃଢ଼ ଭିତ୍ତିଭୂମି ସହିତ ଟେଇଲରିଂ ୟୁନିଟ୍ ରହିଥିବ,ସେମାନଙ୍କୁ ଏହି କାମ ମିଳିଥାଏ। ଏହା ସହିତ ପୋଷାକ ତିଆରିରେ ସେମାନଙ୍କ ଅଭିଜ୍ଞତା ଥିବା ନିହାତି ଆବଶ୍ୟକା l କୁକୁଡ଼ାଖଣ୍ଡି ବ୍ଲକ୍ରେ ଗତ କିଛିଦିନ ତଳେ ଅଙ୍ଗନବାଡ଼ିକେନ୍ଦ୍ର ପିଲାଙ୍କ ପୋଷାକ ତିଆରି ପାଇଁ ୭ଟି ଆବେଦନ ଦାଖଲ ହୋଇଥିବା ବେଳେ ପ୍ରଥମରୁ ୮ମ ପିଲାଙ୍କ ପୋଷାକ ତିଆରି ପାଇଁ ୪୨ ଓ ନବମ ଏବଂ ଦଶମ ପିଲାଙ୍କ ପୋଷାକ ତିଆରି ପାଇଁ ୨୭ଟି ଆବେଦନ ଆସିଥିଲା । ଏହି ଆବେଦନକୁ ଯାଞ୍ଚ କରି ବ୍ଲକ୍ସ୍ତରୀୟ କମିଟି କିଛି ନିର୍ଦ୍ଦିଷ୍ଟ ଏସ୍ଏଚ୍ଜିକୁ ଚୟନ କରିଥିଲା । ତେବେ ଏହି ଚୟନ ପ୍ରକ୍ରିୟା ନିୟମ ଅନୁସାରେ ହୋଇନଥିବା ପକ୍ଷପାତିତା କରାଯାଇଥିବା ଶ୍ରୀ ସିଂ ଅଭିଯୋଗ ଆଣିଛନ୍ତି।
କୁକୁଡ଼ାଖଣ୍ଡି ବ୍ଲକ୍ର ଦକ୍ଷିଣପୁର ପଞ୍ଚାୟତ ଗୁଣ୍ଠବନ୍ଧ ଗ୍ରାମର ଏକ ଟେଇଲରିଂ ୟୁନିଟ୍କୁ ୨୦୨୫-୨୬ ଓ ୨୦୨୬-୨୭ ବର୍ଷ ପାଇଁ ଚୟନ କରିବାକୁ ବିଚାର କରାଯାଇଛି କିନ୍ତୁ ପୋଷାକ ତିଆରି କ୍ଷେତ୍ରରେ ଏହି ୟୁନିଟ୍ର ସେଭଳି ଅଭିଜ୍ଞତା ନାହିଁ ଏପରିକି ଉକ୍ତ ସ୍ବୟଂ ସହାୟିକା ଗୋଷ୍ଠୀ ଗତ ମାର୍ଚ୍ଚ ୧୦ତାରିଖରେ ଗଠିତ ହୋଇଛି। ମେ ୧ତାରିଖରେ ଗ୍ରୁପ୍ର ବ୍ୟାଙ୍କ ଖାତା ଖୋଲାଯାଇଛି। ସେହିପରି ବହୁଳ ମାତ୍ରାରେ ପୋଷାକ ଯୋଗାଣରେ ଏହି ଗ୍ରୁପ୍ର ଅଭିଜ୍ଞତା ମଧ୍ୟ ନାହିଁ।
ତେବେ କେଉଁ ଅଧାରରେ ସମ୍ପୃକ୍ତ ଗ୍ରୁପ୍କୁ ପୋଷାକ ତିଆରି କାମ ଦିଆଯିବ ବୋଲି ଶ୍ରୀ ସିଂ ପ୍ରଶ୍ନ କରିଛନ୍ତି। ଧାର୍ଯ୍ୟ ନିୟମ ଓ ସର୍ତ୍ତାବଳୀର ଖୋଲା ଉଲଂଘନ କରାଯାଇ ଏଭଳି କାମ କରାଯାଇଛି । ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ପୋଷାକ ମିଳିବା ନେଇ ଆଶଙ୍କା କରାଯାଉଛି। ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରି ନିରପେକ୍ଷ ଭାବେ ଏସ୍ଏଚ୍ଜି ଚୟନ କରିବାକୁ ଶ୍ରୀ ସିଂ ଅନୁରୋଧ କରିଛନ୍ତି ।