ଦ କୁଇଭର ବ୍ୟୁରୋ :- ପିଲାଙ୍କ ଶୈଶବ ଯତ୍ନ ଓ ଶିକ୍ଷାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଲକ୍ଷ୍ୟରେ ବିଦ୍ୟାଳୟଗୁଡ଼ିକ ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯୋଡ଼ିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ସବୁ ପାଠ୍ୟକ୍ରମ ଗଣଶିକ୍ଷା ବିଭାଗ ଅଧିନରେ ରହୁଛି । ହେଲେ ଅଙ୍ଗନୱାଡ଼ି ମହିଳା ଓ ଶିଶୁ ବିକାଶ ବିଭାଗରେ ରହୁଛି । ସରକାର ଅଙ୍ଗନୱାଡ଼ି ପିଲାଙ୍କ ଭଳି ସ୍କୁଲ ପିଲାଙ୍କୁ ମଧ୍ୟ ଖାଦ୍ୟ, ପୋଷାକ, ପୋଷକ ଖାଦ୍ୟ ଦେଉଛନ୍ତି । ତେଣୁ ଏହି ଦୁଇ କେନ୍ଦ୍ରକୁ ମିଶାଇ ଗୋଟିଏ ବିଭାଗ ଅଧିନରେ ପରିଚାଳିତ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ସେଥିପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ସହ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଏନେଇ ନିର୍ଦ୍ଦେଶାବଳୀ ଆସିବ ଓ ସରକାର ଏହା ଉପରେ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି ।
ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମିଶ୍ରଣ ନୀତିର ନିର୍ଦ୍ଦେଶାବଳୀର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପଦକ୍ଷେପ ଜରିଆରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବିଦ୍ୟାଳୟ ସହ ସଂଯୋଗ କରି ପିଲାମାନଙ୍କୁ ପୂର୍ବ ଶୈଶବ ଶିକ୍ଷା ଓ ଯତ୍ନର ଏକ ସୁଗଠିତ ପରିବେଶ ଯୋଗାଇ ଦିଆଯିବ ।