Join Us To Make A Difference

The Drops💧

ନାବାଳିକା କ୍ରୀଡ଼ାବିତ୍‌ଙ୍କୁ ଗଣଦୁଷ୍କର୍ମ: ୨ କୋଚ୍‌ ଥାନାରେ ଅଟକ

ନାବାଳିକା କ୍ରୀଡ଼ାବିତ୍‌ଙ୍କୁ ଗଣଦୁଷ୍କର୍ମ: ୨ କୋଚ୍‌ ଥାନାରେ ଅଟକ
Published by:Jyotshna Kumari
#state

ଯାଜପୁର ( ଦ କୁଇଭର ):- ଯାଜପୁରରେ ଜଣେ ନାବାଳିକା କ୍ରୀଡ଼ାବିତ୍‌ଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଦୁଇଜଣ କୋଚ୍‌ଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଯାଜପୁର ସହରରେ ୪ ବର୍ଷ ତଳେ ହକି ପ୍ରଶିକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିଲା। ଏଠା‌ରେ ତିନିଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଅଭିଯୋଗ ଅନୁଯାୟୀ ଗତ ୩ ତାରିଖ ସନ୍ଧ୍ୟାରେ ଯାଜପୁର ସହରର ଜଣେ ନାବାଳିକା କ୍ରୀଡ଼ାବିତ୍‌ ଘରକୁ ଯାଉଥିବାବେଳେ ଉପହାର ଲୋଭ ଦେଖାଇ ମୁଖ୍ୟ ଅଭିଯୁକ୍ତ କୋଚ୍‌ ସନ୍ଦୀପ ସ୍ବାଇଁ ଓ ସିଦ୍ଧାର୍ଥ ରାଉତ, ପୂର୍ବତନ କୋଚ୍‌ ସାର୍ଥକ ତାଙ୍କୁ ସାଙ୍ଗରେ ଯିବାକୁ କହିଥିଲେ। ନାବାଳିକା ଜଣକ ଅରାଜି ହେବାରୁ ଅଭିଯୁକ୍ତମାନେ ତାଙ୍କୁ ଜୋର୍‌ ଜବରଦସ୍ତ ବାଇକ୍‌ରେ ବସାଇ ଏକ ଲଜ୍‌କୁ ନେଇ ସେଠାରେ ଗଣଦୁଷ୍କର୍ମ କରିବା ପରେ ଘଟଣା ସଂପର୍କରେ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।


ଏ ସମ୍ପର୍କରେ ପୀଡ଼ିତା ପରିବାର ଲୋକଙ୍କୁ ବିଳମ୍ବରେ ଜଣାଇଥିଲେ। ପରିବ‌ାର ଲୋକେ ଗତ ୧୭ ତାରିଖରେ ଏ ନେଇ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। କ୍ରୀଡ଼ା ଅଧିକାରୀ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଗତକାଲି ନାବାଳିକା ଜଣକ ଟାଉନ ଥାନା‌ରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ଆଜି ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ପୁଲିସ ହକି ଷ୍ଟାଡିୟମ ଓ ଲଜ୍‌କୁ ଯାଇ ସିସିଟିଭି ଯାଞ୍ଚ କରିବା ସହ କର୍ମଚାରୀଙ୍କୁ ପଚରାଉଚରା କରିଛି। ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ସୁରକ୍ଷା ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ନେଇ ଗଠିତ କମିଟି ରିପୋର୍ଟ ପ୍ରସ୍ତୁତ କରିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ଆଇନଜୀବୀ (ପିପି) ରାଜୀବ ମହାନ୍ତି କହିଛନ୍ତି।

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

Crime

ନାବାଳିକାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଏକାଉଣ୍ଟ ଖୋଲି ଆପତ୍ତିଜକନ ଫଟୋ ପୋଷ୍ଟ କରି ଯୁବକ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଜଣେ ନାବାଳିକାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଏକାଉଣ୍ଟ ଖୋଲି ଆପତ୍ତିଜକନ ଫୋଟ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଗିରଫ ଯୁବକ ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଦୁର୍ବନ୍ଧ ଗାଁର ଶିବାନନ୍ଦ ରାଉଳ । ଗିରଫ ଶିବାନନ୍ଦ ଠାରୁ ଗୋଟିଏ ମୋବାଇଲ ଜବତ କରିଛି ପୋଲିସ । ନାବାଳିକାଙ୍କ ନାମରେ ଫେକ୍ ଏକାଉଣ୍ଟ ଖୋଲି ପୋଷ୍ଟ କରିବା ସହ ମୋବାଇଲ ନମ୍ୱର ବ୍ୟବହାର କରି ବିଭିନ୍ନ ମେସେଜ୍ ପଠାଉଥିଲା । ଏଥିଲାଗି ବହୁ ସମୟରେ ନାବାଳିକାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ପରେ ନାବାଳିକାଙ୍କ ପଡୋଶୀ ଯୁବକ ଶିବରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Sports,City

ବିଧାୟକଙ୍କ ଖେଳ ପଡ଼ିଆ ପରିଦର୍ଶନ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଖଲ୍ଲିକୋଟ କଲେଜ ଖେଳ ପଡିଆରେ ଦୀର୍ଘ ସମୟ ଧରି ଗେଟ୍ ଖୋଲା ହେଉନଥିବା, ରାତିରେ ଅସାମାଜିକ କାର୍ଯ୍ୟକଳାପ, ବେଡ଼ମୀଣ୍ଟନ କୋର୍ଟର ଉନ୍ନତିକରଣ ବିଳମ୍ବ, ପଡିଆର ସଫା-ସୁଥଳା ନହେବା ସହିତ ଇଣ୍ଡୋର ଗେମ ହଲ ର ବିଭିନ୍ନ ସମସ୍ୟା ଓ ଉନ୍ନତିକରଣ ପ୍ରସଙ୍ଗରେ ଛାତ୍ର, ବାରିଷ୍ଠ ନାଗରିକ, ପୂର୍ବତନ ଖେଳାଳି ଓ ମର୍ନିଙ୍ଗ ୱାର୍କର୍ସ ଆପତ୍ତି ପ୍ରକାଶ କରିଥିଲେ।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ.ଅନୀଲ କୁମାରଙ୍କ ଅଚାନକ ଖଲ୍ଲିକୋଟ ଖେଳ ପଡିଆ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି, ଯାହାକି ସ୍ଥାନୀୟ ଲୋକମାନଙ୍କୁ ଅତ୍ୟନ୍ତ ସନ୍ତୋଷ ଦେଇଥିଲା। ବିଧାୟକ ମହାଶୟ ନାଗରିକମାନଙ୍କ ଯୁକ୍ତିସଙ୍ଗତ ଚିନ୍ତାକୁ ସମ୍ମାନ କରି, ସମସ୍ୟାର ତତ୍କ୍ଷଣାତ୍ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ l ସ୍ଥାନୀୟ ଲୋକମାନଙ୍କ ସୁରକ୍ଷା ଓ ସୁବିଧା — ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ବିଧାୟକ କେ. ଅନିଲ କୁମାର କହିଛନ୍ତି l

Politics,National

ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତର ନୂଆ ଉପରାଷ୍ଟ୍ରପତି ଭାବେ ସିପି ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି । ଏନଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ ଇଣ୍ଡିମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡିଙ୍କୁ ପରାସ୍ତ କରି ନୂଆ ଉପରାଷ୍ଟ୍ରପତି ହେବାର ସୌଭାଗ୍ୟ ପାଇଛନ୍ତି । ସେ ୧୫ତମ ଉପରାଷ୍ଟ୍ରପତି ଭାବେ ଦୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।


ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏହି ପଦ ପାଇଁ ନିର୍ବାଚନ ହୋଇଛି । ଆଜି ଅନୁଷ୍ଠିତ ନିର୍ବାଚନରେ ୭୬୮ଜଣ ମତଦାତା ତାଙ୍କର ମତଦାନ କରିଛନ୍ତି । ଏହି ନିର୍ବାଚନ ପାଇଁ ବିଧି ମୁତାବକ ୭୮୮ଜଣ ମତଦାତା ରହିବା କଥା । ମାତ୍ର ୭ଟି ଏମପି ଆସନ ଖାଲି ପଡ଼ିଥିବାରୁ ମୋଟ ୭୮୧ଜଣ ମତଦାତା ମତଦାନ କରିବାର ଥିଲା । ହେଲେ ବିଜେଡିର ୭ଜଣ ସଦସ୍ୟ ଏହି ନିର୍ବାଚନରୁ ଦୂରେଇ ରହିଲେ । ବିଜେଡିର ମତ ହେଲା ସମ ଦୂରତା ରଖିବା । ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମ ଦୂରତାରେ ରହି ଭୋଟ ଦେଲା । ଅନ୍ୟପକ୍ଷରେ ବିଆରଏସର ୪ଜଣ ରାଜ୍ୟସଭା ସଦସ୍ୟ ଭୋଟ ବର୍ଜନ କରି ତେଲେଙ୍ଗାନା ଚାଷୀଙ୍କ ସହ ରହିବାକୁ ଘୋଷଣା କରିଛନ୍ତି । ଏହାବ୍ୟତୀତ ଶିରୋମଣୀ ଅକାଳୀଦଳର ଜଣେ ଲୋକସଭା ସଦସ୍ୟ ପଞ୍ଜାବ ବନ୍ୟାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ସହଯୋଗ କରୁନଥିବାରୁ ସେ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିଲେ ।


ସେପଟେ ଇଣ୍ଡି ମେଣ୍ଟ ତାର ସମସ୍ତ ସଦସ୍ୟ ଭୋଟ ଦେଇଥିବା କହିଛନ୍ତି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଇଣ୍ଡିମେଣ୍ଟର ୩୧୫ରୁ ୩୧୫ଏମପି ଭୋଟ ଦେଇଛନ୍ତି । ଅନ୍ୟପକ୍ଷରେ ଏନଡିଏର ପାଇଁ ୪୫୩ଜଣ ମତଦାତା ଭୋଟ ଦେଇଥିବା ଜଣାପଡ଼ିଛି । ସଂଧ୍ୟାରେ ଭୋଟ ଗଣତି ବେଳେ ଏନଡିଏ ପ୍ରାର୍ଥୀ ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ହରାଇ ଉପରାଷ୍ଟ୍ରପତି ହେବାର ସୁଯୋଗ ହାସଲ କରିଛନ୍ତି ।



State,Farming

ରାଜ୍ୟରେ ନାହିଁ ସାର ଅଭାବ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ସାରର କୌଣସି ଅଭାବ ନାହିଁ ବୋଲି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୩୦ ସୁଦ୍ଧା ଆବଶ୍ୟକ ୯ ଲକ୍ଷ ୫୫ ହଜାର ମେଟ୍ରିକ ଟନ ସାର ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ୟାକ୍ସ ଏବଂ ଲ୍ୟାମ୍ପ୍ସରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ମନିଟରିଂ କରିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାରେ ଥିବା ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପ୍ରକାର କଳାବଜାରୀ କିମ୍ବା ଗଚ୍ଛିତ ତଥା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଯାଞ୍ଚ ସ୍ଥାନରେ ସାରକୁ ଜବତ ନକରି ନିକଟସ୍ଥ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ ସ୍ଥାନାନ୍ତରିତ କରି ଚାଷୀଙ୍କୁ ଆବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପରାମର୍ଶ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ସାରର କୌଣସି ଅଭାବ ନାହିଁ । ସମସ୍ତ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସାର ଆବଣ୍ଟନ କାର୍ଯ୍ୟ ସୁରୁଖୁରରେ ଚାଲିଛି । ୨୦୨୫ ଖରିଫ ଋତୁରେ ସେପ୍ଟେମ୍ବର ୩୦ ସୁଦ୍ଧା ସମୁଦାୟ ୯,୫୫,୦୦୦ ମେଟ୍ରିକ ଟନ ସାର ଆବଶ୍ୟକ । କେନ୍ଦ୍ର ସରକାର ଏହି ପରିମାଣର ସାର ଆବଣ୍ଟନ କରିଛନ୍ତି । ଆବଶ୍ୟକ ହେଲେ ଅଧିକ ସାର ପାଇଁ ଅନୁରୋଧ କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ସମୁଦାୟ ମହଜୁଦ ଥିବା ୧୧,୬୬,୭୩୩ ମେଟ୍ରିକ ଟନ ସାର ମଧ୍ୟରୁ ୯,୮୫,୯୬୭ ମେଟ୍ରିକଟନ ସାର ବିକ୍ରି ହୋଇସାରିଛି । ଜିଲ୍ଲାରେ ସାରର ଷ୍ଟକ ସ୍ଥିତି ଏବଂ ଆବଶ୍ୟକତା ଅନୁସାରେ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ ବିଭିନ୍ନ ଗ୍ରେଡ଼ର ସାର ଯୋଗାଇ ଦେବା ପାଇଁ" କୃଷି ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟକୁ ଅଧିକ କଡାକଡି କରାଯିବ l ସେହିଭଳି ମାର୍କଫେଡ଼ର ଅଧିକାରୀଙ୍କୁ ସାର ଯୋଗାଣ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟମିତ ଭାବରେ ବେଆଇନ କାର୍ଯ୍ୟକଳାପ ଉପରେ ଯାଞ୍ଚ, କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟକୁ ଅଧିକ କଡାକଡି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ପ୍ରତ୍ୟେକ ଜିଲ୍ଲାରେ Crop Diversification ଏବଂ Integrated Farming System କୁ ଅଧିକ ଗୁରୁତ୍ୱ, ତୈଳବୀଜ ଏବଂ ଡାଲି ଜାତୀୟ ଫସଲ କରିବା ପାଇଁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଣୁ ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଚାଷ କାର୍ଯ୍ୟକୁ ବହୁଗୁଣିତ କରିବା ପାଇଁ ଆମର ଯେଉଁ ଲକ୍ଷ୍ୟ ଅଛି, ତାହା ସଫଳ ହୋଇ ପାରିବ ।

National

୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ

Blog Thumbnail

ଦ କୁଇଭର ବ୍ୟୁରୋ :- ଦେଶର ୧୫ତମ ଉପରାଷ୍ଟ୍ରପତି ଭାବରେ ସିପି ରାଧାକୃଷ୍ଣନ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ତାଙ୍କ କ୍ୟାବିନେଟର ଅନେକ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ବହୁ ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦର ଶପଥ ପାଠ କରାଇଥିଲେ। ତେବେ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ​​ସିପି ରାଧାକ୍ରିଷ୍ଣନ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରି ଦେଶର ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।


ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପୂରା ମନ୍ତ୍ରୀ ମଣ୍ଡଳଙ୍କ ଉପସ୍ଥିତି ରହିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, ପଞ୍ଜାବ ରାଜ୍ୟପାଳ ଏବଂ ଚଣ୍ଡିଗଡ଼ ପ୍ରଶାସକ ଗୁଲାବ ଚାନ୍ଦ କଟାରିଆ, ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ଏବଂ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସାମିଲ ହୋଇଥିଲେ ।

State,District

୫ ପୋଲିସ ଅଫିସର ଓ ସ୍ୱତନ୍ତ୍ର ପ୍ରସିକ୍ୟୁଟର ପୁରସ୍କୃତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ପୁଲିସ ଜିଲ୍ଲାର ବୈଦ୍ୟନାଥପୁର ଓ ନିମଖଣ୍ଡି ଥାନାରେ ରୁଜୁ ହୋଇଥିବା ୨ଟି ଚର୍ଚ୍ଚିତ ଦୁଷ୍କର୍ମ ମାମଲାର ଉପଯୁକ୍ତ ତଦନ୍ତ, ନିରୀକ୍ଷଣ ଓ ପରିଚାଳନା କରାଯିବା ଫଳରେ ଦୋଷୀଙ୍କୁ ଦଣ୍ଡ ମିଳିବା ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯାଇପାରିଛି। ଯାହାକୁ ନେଇ ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଉଭୟ ମାମଲାର ତଦନ୍ତକାରୀ ଅଧିକାରୀ, ନିରୀକ୍ଷଣ ଅଧିକାରୀ ଓ ମାମଲା ପରିଚାଳନା କରୁଥିବା ପବ୍ଲିକ ପ୍ରସିକ୍ୟୁଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୨୪ ଅଗଷ୍ଟରେ ବୈଦ୍ୟନାଥପୁର ଥାନା ଅଞ୍ଚଳର ଜନୈକା ନାବାଳିକା ନିଜ ପରିବାର ବର୍ଗଙ୍କ ସହିତ ହାଇଦ୍ରାବାଦରେ ରହୁଥିଲେ | ତାଙ୍କ ବାପା ମା'କାମକୁ ଚାଲିଯିବାପରେ ତାଙ୍କ ଘର ନିକଟରେ ରହୁଥ‌ିବା ବିହାର ବକ୍ସର ଗ୍ରାମର ଅଭିଯୁକ୍ତ ଗୁଡୁ ରାଜଭର, ନାବାଳିକା ସହ ସମ୍ପର୍କ ସ୍ଥାପନ କରି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲା। ନାବାଳିକା ଜଣକ ଗର୍ଭବତୀ ହେବାରୁ ପରିବାର ଲୋକେ ବ୍ରହ୍ମପୁର ଆସି ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେତେବେଳେ ନାବାଳିକା ୮ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଏହାପରେ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଏସ୍‌ଆଇ କାଜଲ ବାଗ ତଦନ୍ତ କରୁଥିବାବେଳେ ଡିଏସପି ଦେବୀ ଶଙ୍କର ପ୍ରତାପ ଏବଂ ଏସପି ଡ଼ା ସାର୍ଥକ ଷଡଙ୍ଗୀ ନିରୀକ୍ଷଣ କରୁଥିଲେ । ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିବା ସହ ତଥ୍ୟ ପ୍ରମାଣ ସଂଗ୍ରହ କରି କୋର୍ଟରେ ଦାଖଲ କରିଥିଲା । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିଲେ | ସ୍ବତନ୍ତ୍ର ପୋକସୋ କୋର୍ଟ ଏହି ମାମଲାର ବିଚାରଣ କରି ଉପଯୁକ୍ତ ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ।


ସେହିଭଳି ୨୦୨୪ ନଭେମ୍ବର ୫ରେ ନିମଖଣ୍ଡି ଥାନା ଅଞ୍ଚଳର ଜନୈକା ନାବାଳିକା, ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ରାମ ସାହୁ ଦୁଷ୍କର୍ମ କରିଥିଲା I ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାମ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା | ଏହି ମାମଲାର ତଦନ୍ତ ଅଧିକାରୀ ତଥା ଏସଆଇ ଜ୍ଞାନରଞ୍ଜନ ବେହେରା କୋର୍ଟରେ ଚାର୍ଜସିଟ ଦାଖଲ କରିଥିବା ବେଳେ ବ୍ରହ୍ମପୁର ଏସ୍‌ପି ଡା ସର୍ବଣା ବିବେକ ଏମ୍ ମାମଲାର ନିରୀକ୍ଷଣ କରୁଥିଲେ ଓ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ | ଏହି ମାମଲାର ବିଚାରଣା କରି ସ୍ବତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ଓ ଗର୍ଭବତୀ ମାମଲାର ତଦନ୍ତ ଓ ଦୋଷୀଙ୍କୁ ତ୍ବରିତ ଦଣ୍ଡବିଧାନ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ବ୍ରହ୍ମପୁରର ତତ୍‌କାଳୀନ ଡିଆଇଜି ଡା.ସାର୍ଥକ ଷଡଙ୍ଗୀଙ୍କ ସମେତ ବୈଦ୍ୟନାଥପୁର ଥାନାର ଏସଆଇ କାଜଲ ବାଗ, ଡିଏସପି ଦେବୀଶଙ୍କର ପ୍ରତାପ ଏବଂ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


ସେହିପରି ନିମଖଣ୍ଡି ଥାନା ଅଧିନରେ ରୁଜୁ ହୋଇଥିବା ଏକ ନାବାଳିକା ବଳତ୍କାର ମାମଲାର ତଦନ୍ତ ଓ ଦୋଷିକୁ ତ୍ୱରିତ ଦଣ୍ଡବିଧାନରେ ଉତ୍ତମ କାର୍ଯ୍ୟ କରିଥିବା ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ,ଏସଆଇ ଜ୍ଞାନରଞ୍ଜନ ବେହେରା ଓ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ ଭାବେ ପ୍ରଚଳିତ ଫୌଜଦାରୀ ଆଇନର ତ୍ବରିତ ନ୍ୟାୟ ବ୍ୟବସ୍ଥାରେ କାର୍ଯ୍ୟ କରିଥିବାରୁ ଉପରୋକ୍ତ ଅଧିକାରୀଙ୍କୁ ମଙ୍ଗଳବାର ଓଡ଼ିଶା ରାଜ୍ୟ ପୁଲିସ ଭବନଠାରେ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ।

City

ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବଡବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବକ ମେଣ୍ଟୁ ଛକ ଠାରେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି l ତାଙ୍କ ଶରୀରର ୯୦ ଭାଗରୁ ଅଧିକ ପୋଡି ଯାଇଛି l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଏମକେସିଜି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି l ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା ଯୁବକ ଜଣଙ୍କ ହେଲେ ପୁରୁଣା ବ୍ରହ୍ମପୁର ରାଧାକୃଷ୍ଣ ସାହିର ସୁରଜ ସାହୁ l କୌଣସି କାରଣକୁ ନେଇ ଆଜି ରାତି ୯ଟା ବେଳେ ସୁରଜ ମେଣ୍ଟୁ ଛକରେ ପହଞ୍ଚି ନିଜ ସହ ଆଣିଥିବା ପେଟ୍ରୋଲକୁ ଶରୀରରେ ଡାଳିବା ପରେ ନିଆଁ ଲଗାଇ ଦେଇଥିଲେ l ସେ ଜଳୁଥିବା ଦେଖି ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ତାଙ୍କ ଶରୀରରୁ ନିଆଁ ଲିଭାଇଥିଲେ l ଏହାପରେ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଏମକେସିଜି ମେଡିକାଲକୁ ପଠାଯାଇଥିଲା l ତେବେ ସେ କଣ ପାଇଁ ନିଜ ଶରୀରରେ ନିଆଁ ଲଗାଇଲେ ତାହା ଜଣାପଡି ନାହିଁ l ପୁଲିସ ତଦନ୍ତ ପରେ ହିଁ ସତ ସାମ୍ନାକୁ ଆସିବ ବୋଲି କୁହାଯାଇଛି l

State

‘ନ୍ୟୁ ସିଟି’ରେ କ୍ୟାବିନେଟ୍‌ ମୋହର

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଭୁବନେଶ୍ବର ଉପକଣ୍ଠସ୍ଥିତ ଗୋଠପାଟଣା, ମଳିପଡ଼ା, ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିରେ ଗଢ଼ି ଉଠିବ ଏକ ନୂଆ ସହର। ଏଥିପାଇଁ ସିଙ୍ଗାପୁରର ସୁର୍ବାନା ଜୁରୋଙ୍ଗ ସଂସ୍ଥା (ଏସ୍‌ଜେଆଇ) ମାଷ୍ଟର ପ୍ଲାନ୍‌ ତିଆରି କରିବା ସହ ଭିତ୍ତିଭୂମି ବିକାଶ ପାଇଁ ପରାମର୍ଶ ଦେବ। ପୂରା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ବିଡିଏ ନୋଡାଲ୍‌ ଏଜେନ୍ସି ଭାବେ ନିଯୁକ୍ତ ହୋଇଛି। ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ବିଡିଏ ୧୫ ବର୍ଷରେ ୮୧୭୯ କୋଟି ଖର୍ଚ୍ଚ କରିବାକୁ ଯୋଜନା କରିଛି। ଯେଉଁଥିରେ ସରକାରୀ ଓ ଘରୋଇ ଅର୍ଥ ମିଶିବ। ପ୍ରଥମ ୫ ବର୍ଷ (୨୦୨୫-୨୬ରୁ ୨୦୨୯-୩୦) ପାଇଁ ରାଜ୍ୟ ବଜେଟ୍‌ରୁ ୧୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଜମି କିଣା, ରାସ୍ତା ତିଆରି, ମୌଳିକ ସୁବିଧା, ସାର୍ବଜନୀନ ସୁବିଧା ଓ ପ୍ରଶାସନିକ ଖର୍ଚ୍ଚ ହେବ। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବାବେଳେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପରୋକ୍ତ ପ୍ରସ୍ତାବ ସମେତ ୫ଟି ବିଭାଗର ୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଭୁବନେଶ୍ବର ପାଇଁ ‘ନୂଆ ସହର ଉନ୍ନୟନ’ (ନ୍ୟୁ ସିଟି) ଯୋଜନା ଉପରେ ସୂଚନା ଦେଇ କହିଛନ୍ତି ଯେ ଏହା ରାଜ୍ୟର ଦୀର୍ଘକାଳୀନ ବିକାଶ ଯୋଜନା ‘ବିକଶିତ ଓଡ଼ିଶା ୨୦୩୬’ ସହ ଜଡ଼ିତ ଏକ ବହୁ-ଅର୍ଥନୀତି ବୃଦ୍ଧି ଅଞ୍ଚଳ ଭାବେ ନିର୍ମାଣ ହେବ। ‘ନୂଆ ସହର’ ଏକ ପରିବହନ-କେନ୍ଦ୍ରିକ ଯୋଜନା, ଯାହା ସାର୍ବଜନୀନ ପରିବହନ, କମ୍‌ ଯାତ୍ରା ଦୂରତା ଓ ବିଭିନ୍ନ ଜମି ବ୍ୟବହାରର ସୁଗମ ସଂଯୋଗ ଉପରେ ଧ୍ୟାନ ଦେଇଛି। ଏଥିରେ ସମସ୍ତଙ୍କ ପାଇଁ ଘର ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ ସମସ୍ତ ଆୟ ଶ୍ରେଣୀ ପାଇଁ ସାମର୍ଥ୍ୟ ଓ ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାରର ଘର ଉପଲବ୍ଧ ହେବ। ଲୋକଙ୍କ ସାମାଜିକ ଆବଶ୍ୟକତା ପୂରଣ ଓ ସମୁଦାୟରେ ମିଳାମିଶା ବୃଦ୍ଧି ପାଇଁ ସେଣ୍ଟ୍ରାଲ୍‌ ଫରେଷ୍ଟ ପାର୍କ, ଗେଟ୍‌ୱେ ପ୍ଲାଜା ଓ ଅନେକ ଖୋଲା ସାର୍ବଜନୀନ ସ୍ଥାନ ତିଆରି ‌ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ଏହି ପ୍ରକଳ୍ପ ଜଳବାୟୁ ସହନଶୀଳତା, ପରିବେଶ ସୁରକ୍ଷା ଓ ନାଗରିକଙ୍କ ସମଗ୍ର କଲ୍ୟାଣ ପାଇଁ ସ୍ମାର୍ଟ ଓ ସବୁଜ ଭିତ୍ତିଭୂମି ସମାଧାନକୁ ମଧ୍ୟ ଅନ୍ତର୍ଭୁକ୍ତ କରିବ।

State

ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର, ୧୦ ନକ୍ସଲ ନିହତ ହୋଇଥିବା ସୂଚନା

Blog Thumbnail

ମାଲକାନଗିରି,(ଦ କୁଇଭର୍):- ସୀମାନ୍ତ ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାର ମୈନପୁର ଥାନା ଅଞ୍ଚଳର ଜଙ୍ଗଲରେ ଆଜି ସକାଳରୁ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ଯବାନ ଗୁଳିରେ ୧୦ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷା ବାହିନୀ। କୁହାଯାଉଛି ଯେ ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ, ବାଲକୃଷ୍ଣ ଓରଫ ଭାସ୍କର ଏବଂ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ଏସଜେଡସିଏମ ପ୍ରମୋଦ ଓରଫ ପାଣ୍ଡୁ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ତେବେ ଏପର୍ଯ୍ୟନ୍ତ ଯେହେତୁ ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇନାହିଁ। ସୂତ୍ର ଅନୁସାରେ, ମାଓବାଦୀ ମାନେ ଏବେ ବି ଜଙ୍ଗଲ ଭିତରେ ଉପସ୍ଥିତ ଅଛନ୍ତି ଉଭୟଙ୍କ ମଧ୍ୟ ରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି। ସୂଚନା ମିଳିବା ମାତ୍ରେ ଗାରିଆବନ୍ଦରୁ ଇ-30, ଏସଟିଏଫ ଏବଂ କୋବ୍ରାର ମିଳିତ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ରାଜ୍ୟରେ ନକ୍ସଲ ନିପାତ ଅଭିଯାନ ଦ୍ରୁତ ଗତିରେ ଚାଲିଛି ଏବଂ ଏହି ଏନକାଉଣ୍ଟରକୁ ସୁରକ୍ଷା ବାହିନୀର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ରାୟପୁର ଆଇଜି ଅମରେଶ ମିଶ୍ର କହିଛନ୍ତି ଯେ ଜଙ୍ଗଲରେ ଅନେକ ନକ୍ସଲଙ୍କ ମୃତଦେହ ପଡ଼ିଛି। ଅନେକ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି, ସର୍ଚ୍ଚିଙ୍ଗ ଅପରେସନ ରାତି ସମୟରେ କଷ୍ଟକର ରହିଛି। ଯେହେତୁ ଜଙ୍ଗଲ ଭିତରେ ମାଓବାଦୀଙ୍କ ପକ୍ଷରୁ ଅଗ୍ରିମ ଆଇଇଡି ବିଛା ଯାଇଥିବା ଆଶଙ୍କା କରାଯାଉଛି। ପ୍ରାୟ ୧୦ ଜଣ ନକ୍ସଲଙ୍କ ମୃତଦେହ ଜଙ୍ଗଲରେ ପଡ଼ିଛି। ଆଇଇଡି ଯୋଗୁଁ ରାତିରେ ସର୍ଚ୍ଚ ଅପରେସନ୍ କରାଯାଇପାରିବ ନାହିଁ, କିନ୍ତୁ ଏବେ ମଧ୍ୟ ଅପରେସନ ଜାରି ରହିଥିବା କହିଛନ୍ତି।

National,International

ନେପାଳରୁ ଉଦ୍ଧାର ହେଲେ ୨୩ ଓଡ଼ିଆ ପର୍ଯ୍ୟଟକ

Blog Thumbnail

ଦ କୁଇଭର ବ୍ୟୁରୋ :- ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି । ଓଡ଼ିଶାରୁ ୨୩ ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ । ସାମ୍ପ୍ରତିକ ପରିସ୍ଥିତି କାରଣରୁ ଓଡ଼ିଆ ଯାତ୍ରୀମାନେ ନେପାଳରେ ଫସି ରହିଥିଲେ । ଉକ୍ତ ଘଟଣାଟି ସାମନାକୁ ଆସିବାର ୫ ଘଣ୍ଟା ସମୟ ମଧ୍ୟରେ ଓଡ଼ିଶା ସରକାରଙ୍କ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନେପାଳ କାଠମାଣ୍ଡୁ ସ୍ଥିତ ଭାରତର ଦୂତାବାସ କାର୍ଯ୍ୟାଳୟ, ରୋମାନିଆ ପାଇଁ ରହିଥିବା ଭାରତର ରାଷ୍ଟ୍ରଦୂତ ଡ଼. ମନୋଜ କୁମାର ମହାପାତ୍ରଙ୍କ ମିଳିତ ସହଯୋଗରେ ନେପାଳରେ ଫସି ରହିଥିବା ୨୩ଜଣ ଓଡ଼ିଆ ଯାତ୍ରୀମାନଙ୍କୁ ନେପାଳରୁ ଭାରତକୁ ଫେରାଇ ଅଣାଯାଇଛି । ୨୩ ଜଣ ଓଡ଼ିଆ ଯାତ୍ରୀ ହେଲେ- ଅଜୟ କୁମାର ପଣ୍ଡା, ମାମିନା ପଣ୍ଡା, ପଙ୍କଜ କୁମାର ଧଳ, ଭରତ କୁମାର ସ୍ୱାଇଁ, କାମିନୀ ସ୍ୱାଇଁ, ଶାରଦା ପ୍ରସନ୍ନ କର, ରିମା କର, ମନୋଜ କୁମାର ମିଶ୍ର, ସୁରେନ ଦଳାଇ, ବିରେନ ଦଳାଇ, ପର୍ଶୁରାମ ଦଳାଇ, ପୂର୍ଣ୍ଣଚନ୍ଦ୍ର ଦଳାଇ, ପ୍ରସନ୍ନଜିତ ଦଳାଇ, ବ୍ରଜକିଶୋର ମିଶ୍ର, ଲୋପାମୁଦ୍ରା ମିଶ୍ର, ଶ୍ରେୟାନ ସୌରଭ ମିଶ୍ର, ସନ୍ତୋଷ କୁମାର ପାଣି, ସସ୍ମିତା ପାଣି, ବାଗ୍ମୀପ୍ରିୟା ପାଣି, ପ୍ରମୋଦ କୁମାର ମିଶ୍ର, ରାଜଶ୍ରୀ ମିଶ୍ର, ବୈଷ୍ଣବ ସାହୁ ଓ ସୁରେଶ ଚନ୍ଦ୍ର ସାହୁ । ସମସ୍ତ ଓଡ଼ିଆ ଯାତ୍ରୀ ସୁରକ୍ଷିତ ଭାବରେ ଭାରତକୁ ଫେରିଥିବାର ସୂଚନା ମିଳିଛି ।

Politics,State

ବିଜେଡିରୁ ଇସ୍ତଫା ଦେଲେ ହରିଶଙ୍କର

Blog Thumbnail

ଦ କୁଇଭର ବ୍ୟୁରୋ :- ବିଜେଡିରୁ ଇସ୍ତଫା ଦେଲେ ଛାତ୍ରନେତା ହରିଶଙ୍କର ରାଉତ । ସାମ୍ୱାଦିକ ସମ୍ମିଳନୀ କରି ଇସ୍ତଫା ଦେଲେ ହରିଶଙ୍କର । ପାଣ୍ଡିଆନଙ୍କ ଉପରେ ବି ବର୍ଷିଲେ ଛାତ୍ରନେତା । କହିଲେ, ବିଜେଡିରେ ସବୁ ନିଷ୍ପତ୍ତି ପାଣ୍ଡିଆନ ନେଉଛନ୍ତି । ୨୦ ବର୍ଷ ଦଳ ପାଇଁ କାମ କରିଛି କିଛି ମିଳିଲାନି । ଯେଉଁମାନେ ପାଣ୍ଡିଆନଙ୍କ ଗୁଣଗାନ କରିବେ ତାଙ୍କୁ ପଦବୀ ମିଳିବ । ତେବେ ବିଜେଡିରୁ ବାହାରିବା ପରେ ହରିଶଙ୍କରଙ୍କ ଗତି କେଉଁଆଡେ ରହୁଛି ତାହା ଉପରେ ନଜର ରହିଛି ।

State

କଟିବ ଧନୀ ଲୋକଙ୍କ ରାସନ କାର୍ଡ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଲକ୍ଷାଧିକ ମୃତକ (ଭୂତ)ଙ୍କ ନାଁରେ ଉଠୁଥିଲା ରାସନ ଚାଉଳ। ବର୍ଷ ବର୍ଷ ଧରି ଏହି ଭୂତ ହିତାଧିକାରୀମାନେ ମାଗଣା ଚାଉଳ ନେଉଥିଲେ। ଯୋଗାଣ ବିଭାଗ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିବା ପରେ ଭୂତ କାର୍ଡ କେଳେଙ୍କାରୀ ଧରାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୫.୭୫ଲକ୍ଷ ମୃତକଙ୍କ ରାସନ କାର୍ଡକୁ କାଟି ଦିଆଯାଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର l ଶ୍ରୀ ପାତ୍ର କହିଛନ୍ତି ଯେ ଅଧିକ ରୋଜଗାର କରୁଥିବା ବର୍ଗର ବ୍ୟକ୍ତିଙ୍କୁ ରାସନ କାର୍ଡ ନିଜ ଆଡ଼ୁ ଫେରାଇ ଦେବା ଲାଗି ରାଜ୍ୟ ସରକାର କହିଥିଲେ। ଏହାଭିତରେ ୧ଲକ୍ଷ ୫ହଜାର ଆୟକରଦାତା କାର୍ଡ ଫେରାଇ ସାରିଲେଣି। ବିଗତ ୩-୪ବର୍ଷ ହେବ ରାଜ୍ୟର ୧୪ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବଦେନ କରି କାର୍ଡ ଅପେକ୍ଷାରେ ରହିଥିଲେ। ସେଥିରୁ ୬ ଲକ୍ଷ ଗରିବ ଲୋକଙ୍କୁ କାର୍ଡ ଦିଆଯାଇଛି। ଯେଉଁଠାରେ ଧନୀ ଲୋକମାନେ କାର୍ଡ ପାଇଛନ୍ତି ସେମାନଙ୍କୁ ତାଲିକାରୁ ବାଦ୍ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ କହିଛନ୍ତି, ଅତି ଦରିଦ୍ର ବ୍ୟକ୍ତିଙ୍କୁ ଅନ୍ତ୍ୟୋଦୟ କାର୍ଡ ଜରିଆରେ ମାଗଣା ୩୫ କେଜି ଚାଉଳ ଦିଆଯିବାର ବ୍ୟବସ୍ଥା ରହିଛି। ହେଲେ ଯାଞ୍ଚ ବେ‌ଳେ ଗୋଟିଏ ପରିବାରର ୩ଜଣ ଲୋକ ଏହି କାର୍ଡ ହାତେଇଥିବା ଜଣାପଡ଼ିଥିଲା। ଏଭଳି ତଞ୍ଚକତା କରିଥିବା ଲୋକଙ୍କ କାର୍ଡ କାଟି ଦିଆଯାଇଛି। ଯେଉଁଠାରେ ଧନୀ ଲୋକମାନେ ଗରିବ ଲୋକଙ୍କ ଅଧିକାରକୁ ମାଡ଼ି ବସିଛନ୍ତି ସେଥିରୁ ବେଦଖଲ କରିବା ଲାଗି ଯୋଗାଣ ଅଧିକାରୀମାନଙ୍କୁ କୁହାଯାଇଛି। ରାଜ୍ୟରେ ଦୀର୍ଘମାସ ଧରି ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ହେଲେ ସେପ୍ଟେମ୍ବର ପହିଲା ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧.୭ ଲକ୍ଷ, ମୟୂରଭଞ୍ଜରେ ୧ ଲକ୍ଷ, କଳାହାଣ୍ଡିରେ ୯୮ ହଜାର, କଟକରେ ୯୫ ହଜାର, ବଲାଙ୍ଗୀରରେ ୯୧ ହଜାରଙ୍କୁ ମିଶାଇ ୧୭ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଏହାଭିତରେ କେନ୍ଦ୍ର ସରକାର ଇ-କେୱାଇସି ଅବଧିକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ବେଳକୁ ଆହୁରି ଅନେକ ଭୂତ ହିତାଧିକାରୀ ଚିହ୍ନଟ ହୋଇପାରନ୍ତି।

Weather

ସୃଷ୍ଟି ହେଲା ଲଘୁଚାପ,ଆଲର୍ଟରେ ୩ ଜିଲ୍ଲା

Blog Thumbnail

ଦ କୁଇଭର ବ୍ୟୁରୋ :- ଗୋଟେ ଲଘୁଚାପ ଯିବାର ଦିନ କେଇଟା ବିତିନି,ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଛି । ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ଲଘୁଚାପ ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ 5.8 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ଉଚ୍ଚତା ସହିତ ଦକ୍ଷିଣ ଦିଗ ଆଡକୁ ଢଳି ରହିଛି ।ଏହା ଆଗାମୀ 2 ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ 15 ତାରିଖ ଯାଏଁ ବର୍ଷା ଥିବା ବେଳେ ଆଗାମୀ 48 ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସାରା ରାଜ୍ୟରେ ଝଟକା ପବନ 30-40 କିମି ବେଗରେ ବହିବ ।ଆଜି ୩ ଜିଲ୍ଲା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 14 ତାରିଖରେ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ଓ 30-40 କିମି ବେଗରେ ଝଟକା ପବନ ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।


Crime

ଦେହ ବ୍ୟବସାୟ ଅଭିଯୋଗରେ ପୋଲିସର ଚଢ଼ାଉ, ମ୍ୟାନେଜର ସମେତ ଚାରି ଜଣ ଗିରଫ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଗୁରୁବାର ବ୍ରହ୍ମପୁର ସହରର ଏକ ହୋଟେଲରେ ଦେହ ବ୍ୟବସାୟ ରାକେଟ ଚଳାଇବା ଅଭିଯୋଗରେ ଜଣେ ହୋଟେଲ ପରିଚାଳକଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ଦେହ ବ୍ୟବସାୟ ଚାଲିଥିବା ସୂଚନା ପାଇ ବ୍ରହ୍ମପୁର ଟାଉନ ପୋଲିସ ଏସଆଇ ସୁଜାତା କନହୋରଙ୍କ ନେତୃତ୍ୱରେ ହୋଟେଲରେ ଚଢାଉ କରାଯାଇଥିଲା । ଏଥିରେ ଚାରି ଜଣଙ୍କୁ ଗିରଫ କରିବା ସହିତ ଘଟଣାସ୍ଥଳରୁ ଜଣେ ପୀଡିତା ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ ।

ବ୍ରହ୍ମପୁର ସହରର ସ୍ଥାନୀୟ ଖଲିକୋଟ କଲେଜ ରୋଡ ସ୍ଥିତ ହୋଟେଲ ମିଡିଟାଉନ୍‌ରେ ଗତକାଲି ରାତିରେ ପୋଲିସ ଚଢ଼ାଉ କରି ଦେହ ବ୍ୟବସାୟ ଅଭିଯୋଗରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିଭିନ୍ନ ଆପତିଜନକ ସାମଗ୍ରୀ ଜବତ କରିଥିବା ଏବଂ ଉକ୍ତ ହୋଟେଲରୁ ଜଣେ ପୀଡିତାଙ୍କୁ ଉଦ୍ଧାର କରି ତାଙ୍କୁ ଥଇଥାନ ପାଇଁ ବ୍ୟବସ୍ଥା କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡ଼ା.ଶ୍ରବଣା ବିବେକ୍ ଏମ୍ ପ୍ରକାଶ କରିଛନ୍ତି । ଗୁରୁବାର ହୋଟେଲ ମିଡିଟାଉନ୍‌ର କେତେକ କର୍ମଚାରୀ ଓ ମାଲିକ ଦେହ ବ୍ୟବସାୟ ଚଳାଇଥିବା ସୂଚନା ପାଇ ବ୍ରହ୍ମପୁର ଟାଉନ୍‌ଥାନା ପୋଲିସ ଅଚାନକ ଚଢ଼ାଉ କରିଥିଲା । ଉକ୍ତ ଚଢ଼ାଉରେ ହୋଟେଲର ଗୋଟିଏ ରୁମରେ ଜଣେ ଯୁବତୀ ଦେହ ବ୍ୟବସାୟରେ ଲିପ୍ତ ଥିବା ଜଣାପଡ଼ିବା ପରେ ଉକ୍ତ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିବା ଏବଂ ବେଆଇନ୍ ଦେହ ବ୍ୟବସାୟରେ ଲିପ୍ତ ଥ‌ିବା ଅଭିଯୋଗରେ ହୋଟେଲ ମ୍ୟାନେଜର ଜି.କ୍ରିଷ୍ଣା ପାତ୍ରଙ୍କ ସମେତ ବଡବଜାର ଅଞ୍ଚଳର ଆକାଶ ବିଶୋୟୀ, ଅଜୟ ବେହେରା ଓରଫ ମଣ୍ଡୁ, ଲାଞ୍ଜିପଲ୍ଲୀ ଅଞ୍ଚଳର ଚିନ୍ମୟ ପାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ପୋଲିସ କିଛି ବ୍ୟବହୃତ ଓ ଅବ୍ୟବହୃତ କଣ୍ଡମ୍, ଭାଏଗ୍ରା ଟାବଲେଟ ଆଦି ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଇ ଥିବା ସୂଚନା ମିଳିଛି ।

Crime,State

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଫୁଲମାଳ ପିନ୍ଧାଇ ବିଚ୍ ରାସ୍ତାରେ ଚଲାଇଲା ସ୍ବାମୀ, ୨ ଗିରଫ

Blog Thumbnail

ପୁରୀ( ଦ କୁଇଭର ):- ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀର ସର୍ବସାଧାରଣରେ ଅଶୋଭନୀୟ ବ୍ୟବହାର । ବିଚ୍ ରାସ୍ତାରେ ଫୁଲମାଳ ପକାଇ ଥାନା ପର୍ଯ୍ୟନ୍ତ ଚଲାଇ ଚଲାଇ ନେଲେ । ସର୍ବସାଧାରଣରେ ନିଜ ସ୍ତ୍ରୀଙ୍କ ସହ ଦୁର୍ବ୍ୟବହାର ଯୋଗୁଁ ମହିଳାଙ୍କ ସ୍ବାମୀ ନାମରେ ମାମଲା । ନିମାପଡ଼ା ଥାନା ଅଞ୍ଚଳରୁ ଏଭଳି ଘଟଣା ସମ୍ମାନକୁ ଆସିବା ପରେ ମହିଳାଙ୍କ ସ୍ବାମୀ ସହିତ ଜଣେ ସହଯୋଗୀକୁ ବାନ୍ଧିଲା ପୋଲିସ । ଏନେଇ ନିମାପଡ଼ା ଏସ ଡିପିଓ ତଥା ଡିଏସପି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି, ଏନେଇ ଏକ କେସ ରୁଜୁ କରାଯାଇଛି । ଦୁଇ ଜଣ ଅଭିଯୁକ୍ତ ସମ୍ପୃକ୍ତ ଭିଡିଓରେ ଏଭଳି ନିନ୍ଦନୀୟ ଆଚରଣ କରୁଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କ ସ୍ବାମୀଙ୍କ ସମେତ କାକଟପୁର ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଏନେଇ କେସ ନମ୍ବର 281/25ରେ BNSର ଧାରା 126(2), 127(2), 118(1), 115(2), 296, 109, 75, 76, 133, 333, 351(2), 3(5) ଆଧାରରେ ଗିରଫ କରାଯାଇଛି । ଏନେଇ କୋର୍ଟ ଚାଲାଣ କରାଯିବ । ନିମାପଡା ଥାନାଧିକାରୀ କହିଛନ୍ତି ଯେ, ଗିରଫ ହୋଇଥିବା ବ୍ୟକ୍ତି ଓ ତାଙ୍କ ପତ୍ନୀ କିଛି ଦିନ ପୂର୍ବେ କାକଟପୁର ଅଞ୍ଚଳରେ ରହୁଥିଲେ । ସେଠାରେ ଜନୈକ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ । କିନ୍ତୁ ପରେ ଏହି ଦମ୍ପତି ଆସି ନିମାପଡ଼ାରେ ରହୁଥିଲେ । ମହିଳା ଓ ପୂର୍ବ ଘରର ମାଲିକ ଉଭୟ ପେଶାରେ ଶିକ୍ଷକ । ଏପରିକି ମହିଳାଙ୍କ ନିକଟରେ ପୂର୍ବ ଘର ମାଲିକଙ୍କ ପୁଅ ଟିଉସନ ମଧ୍ୟ ନେଉଥିଲେ । ଯେଉଁଥିପାଇଁ ପୂର୍ବ ଘର ମାଲିକ ମହିଳାଙ୍କ ଘରକୁ ଯାତାୟାତ ରହୁଥିଲା । ଗତ କିଛି ଦିନ ଧରି ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଘରକୁ କୌଣସି ବ୍ୟକ୍ତି ଆସୁଥିବାର ସନ୍ଦେହ କରୁଥିଲେ ମହିଳାଙ୍କ ସ୍ବାମୀ । ଗତକାଲି ସନ୍ଧ୍ୟାରେ ମହିଳାଙ୍କ ଘରକୁ ପୂର୍ବ ଘର ମାଲିକ ଆସିଥିଲେ । ତାଙ୍କ ସହିତ ଅନୈତିକ ସମ୍ପର୍କ ରଖିବା ସନ୍ଦେହ କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହା ପରେ ପୂର୍ବତନ ଘରମାଲିକ ଓ ମହିଳାଙ୍କୁ ଭଡ଼ା ଘରଠୁ ଥାନା ପର୍ଯ୍ୟନ୍ତ ସର୍ବସାଧାରଣରେ ବିଚ ରାସ୍ତାରେ ଚଲାଇ ମାଡ଼ ମାରିଥିଲେ । ଏପରିକି ବେକରେ ଫୁଲମାଳ ପକାଇ ଅତ୍ୟନ୍ତ ଅଶୋଭନୀୟ ବ୍ୟବହାର କରିଥିଲେ । ଏହି ଘଟଣାରେ ମହିଳାଙ୍କ ସ୍ବାମୀଙ୍କ ସହଯୋଗୀ ମଧ୍ୟ ସାମିଲ ଥିଲେ । ଏହି ଘଟଣାକୁ ସଭିଏଁ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ, ବରଂ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳାଙ୍କ ସହ ଦୁର୍ବ୍ୟବହାର ଓ ଆଇନ ହାତକୁ ନେବା ଅଭିଯୋଗ ତଥା ମହିଳାଙ୍କ ମାନସମ୍ମାନକୁ ହାନି ପହଞ୍ଚାଇବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଭଳି ଘଟଣା ଘଟାଇଥିବା ମହିଳାଙ୍କ ସ୍ବାମୀ ଓ ତାର ସହଯୋଗୀ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

National

ଆଜି ଶପଥ ଗ୍ରହଣ କରିବେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ଶପଥ ଗ୍ରହଣ କରିବେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ହେବ ଶପଥ ଗ୍ରହଣ ଉତ୍ସବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏନଡିଏର ବରିଷ୍ଠ ନେତାମାନେ ଏଥିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।ସିପି ରାଧାକ୍ରିଷ୍ଣନ NDA ମେଣ୍ଟ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି । ତାଙ୍କୁ ୪୫୨ ଭୋଟ ମିଳିଥିବା ବେଳେ INDIA ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଥିଲା । ମୋଟ ୭୬୭ ଖଣ୍ଡ ଭୋଟ ପଡ଼ିଥିଲା । ଜଗଦୀପ ଧନଖଡ଼ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦବୀ ଖାଲି ପଡ଼ିଥିଲା ।

City,Crime

ବ୍ରହ୍ମପୁରରେ ଧଳା ଜହରର ଆଡ୍ଡା ସହ ନକଲି ବିଦେଶୀ ମଦ କାରଖାନା ଜବତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରରେ ଅବକାରୀ ମୋବାଇଲ ସ୍କ୍ୱାଡର ବଡଧରଣର ରେଡ ହୋଇଛି । ଧଳା ଜହର ବା ବ୍ରାଉନ ସୂଗାରର ମୁଖ୍ୟ ବେପାରୀ ମାଆ ଓ ପୁଅକୁ ଗିରଫ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ମୋବାଇଲ ସ୍କ୍ୱାଡ ।


ସୂଚନା ପ୍ରକାରେ, ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ କୈଳାଶ ନଗରରୁ ସନ୍ଧ୍ୟା ରାଣୀ ଶତପଥୀ ଓ ତାଙ୍କ ପୁଅ ସ୍ବରାଜଙ୍କୁ ଗିରଫ କରିଛି ଅବକାରୀ ମୋବାଇଲ ସ୍କ୍ୱାଡ l ସଂଧ୍ୟାରାଣିଙ୍କ ଠାରୁ ୧୪୨ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ( ଆନୁମାନିକ ୧୫ ଲକ୍ଷ ଟଙ୍କାର ) ଜବତ୍ ହୋଇଥିବା ଘରେ, ବିଭାଗ ରେଡ କଲା ବେଳେ ବାହାରିଲା ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି,ଏଥିରେ ପୁରା ପରିବାର ସମ୍ପୃକ୍ତ ଥିବା ଅବକାରୀ ବିଭାଗ ସୂଚନା ଦେଇଛି। ବଡ ପୁଅ ଖୋର୍ଦ୍ଧାରୁ ବ୍ରାଉନ ସୂଗାର୍ ଆଣି ମା'ଙ୍କୁ ଦେଉଥିବା ବେଳେ ମାଆ ଏଠାରେ ବିଭିନ୍ନ ଏଜେଣ୍ଟଙ୍କ ଦ୍ଵାରା ବିକ୍ରି କରୁଥିବା ଜଣାପଡିଛି। ତେବେ ଗୁରୁବାର ଅବକାରୀ ମୋବାଇଲ ସ୍କ୍ଵାଡ ପକ୍ଷରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ପଡିଆ ନିକଟରୁ ବଡ ବଜାର ଅଞ୍ଚଳର ବାବୁ ଦଳାଇଙ୍କ ଠାରୁ ୪୧ ଗ୍ରାମ ଓ ଏସ ନାରାୟଣ ପାତ୍ରଙ୍କଠୁ ପ୍ରାୟ ୪୪ ଗ୍ରାମର ବ୍ରାଉନ ସୁଗାର ସହ ଧରିଥିଲା,ପଚରା ଉଚରା ବେଳେ ସଂଧ୍ୟାରାଣୀ ତାଙ୍କୁ ସପ୍ଲାଏ କରୁଥିବା ଜାଣିବାକୁ ପାଇ କୈଳାଶ ନଗର ସ୍ଥିତ ଘର ଉପରେ ରେଡ କରିଥିଲା l ସେତେବେଳେ କୌଣସି ସୂତ୍ରରୁ ଖବର ପାଇ ସନ୍ଧ୍ୟା ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ସେହି ସାହି ନିକଟରୁ ଗିରଫ କରିଥିଲା ସ୍କ୍ଵାଡ । ପରେ ଘରେ ଯାଞ୍ଚ ପାଇ ଗଲା ବେଳେ ତାହା ଭିତରେ ଦେଖିବାକୁ ପାଇଥିଲା ବିଦେଶୀ ନକଲି ମଦ କାରଖାନା,ସ୍ୱରାଜ ଶତପଥୀ ଏହି ବେଆଇନ ମଦ କାରବାର କରୁଥିବା ସହ,୨୦ ଲିଟର ନକଲି IMFL, ୧୨୦ ଟି ନକଲି ରୋୟାଲ ବ୍ରାଣ୍ଡ ମଦ ସହ ଅନେକ ନକଲି ବିଦେଶୀ ମଦକୁ ଜବତ କରିଛି ବିଭାଗ l


ସନ୍ଧ୍ୟା'ଙ୍କ ନିଜ ଘର ଗଞ୍ଜାମ ବ୍ଲକରେ ହୋଇଥିବାବେଳେ ସେ ଏଠାରେ ଘର ଭଡା ନେଇ ରହିବା ସହ ଆଉ ଏକ ପୁଅ ମାଧ୍ୟମରେ ବ୍ରାଉନ ସୁଗାର ଆଣି ବ୍ରହ୍ମପୁର ସହର ସାରା ସପ୍ଲାଏ କରୁଥିବା ଜଣାପଡିଛି।

Entertainment,Education,City

ଜାଭିୟର୍ସ ହାଇ ସ୍କୁଲରେ ହିନ୍ଦୀ ଦିବସ ପାଳନ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):-ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶନିବାର ଛାତ୍ରଛାତ୍ରୀ ମାନଙ୍କୁ ନେଇ ହିନ୍ଦୀ ଦିବସ ପାଳନ ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ ଡିଏଭି ପବ୍ଲିକ ସ୍କୁଲର ବରିଷ୍ଠ ହିନ୍ଦୀ ଶିକ୍ଷକ ଦିଲ୍ଲୀପ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ହିନ୍ଦୀ ଦିବସ ପାଳନ ସଂପର୍କରେ ସୂଚନା ଦେଇ,ଆଜିର ଯୁଗରେ ହିନ୍ଦୀ ଶିକ୍ଷାର ଆବଶ୍ୟକତା ନେଇ ଆଲୋକ ପାତ କରିଥିଲେ । ପ୍ରତି କ୍ଷେତ୍ରରେ ହିନ୍ଦୀ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସେ କହିବା ସହ ସମସ୍ତେ ମାତୃଭାଷା ସହ ହିନ୍ଦୀ ଭାଷା ପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ମତ ଦେଇଥିଲେ ।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ କେ.ସି ପଣ୍ଡାଙ୍କ ସମେତ ବିଦ୍ୟାଳୟ ଚେୟାରମ୍ୟାନ ଜି.ଏସ.ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା, ଡ.ବିନାୟକ ସାହୁ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ,ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l

State

ସୁଭଦ୍ରା ଯୋଜନାରୁ ବଞ୍ଚିତ ୨ ଲକ୍ଷ ୮୫ ହଜାର ହିତାଧିକାରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ସୁଭଦ୍ରା ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା l ତୃତୀୟ ପର୍ଯ୍ୟାୟରୁ ବଞ୍ଚିତ ହୋଇଥିବା 2 ଲକ୍ଷ 85 ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ହେବ ଡୋର ଟୁ ଡୋର ସର୍ଭେ। ସୁଭଦ୍ରା ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଆଜି ଏଭଳି କିଛି ସୂଚନା ଦେଇଛନ୍ତି, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ତାଙ୍କ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନେ କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ, କେୱ‌ାଇସି ଅପଡେଟ୍ ହୋଇଛି କି ନାହିଁ, ଏଭଳି ଅନେକ ତର୍ଜମା କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ଆଜି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ ଲୋକସେବା ଭବନରେ ଏନେଇ ସମୀକ୍ଷା ବୈଠକ ହୋଇଥିଲା।ଆଗାମୀ 15 ଦିନ ଭିତରେ ଫିଲଡ୍ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ l ଦୁଇ ଦିନ ଭିତରେ ଖୋଲିବ ଅଭିଯୋଗ ପୋର୍ଟାଲ l ବାଦ୍ ପଡ଼ିଥିବା ହିତାଧିକାରୀମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରି ପାରିବେ l ଏହାସହ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ମୃତ କି ଜୀବିତ ବୋଲି ଧରାଯିବ ବୋଲି କହିଛନ୍ତି, ପ୍ରଭାତୀ ପରିଡ଼ା l 15 ହଜାର 984 ମୃତ ହିତାଧିକାରୀ ବାଦ ପଡ଼ିଥିବା ବେଳେ 1805 ଜଣ ଜୀବିତ ଅଛନ୍ତି ସେମାନଙ୍କୁ ମଧ୍ୟ ସାମିଲ କରାଯିବ l ଅନ୍ୟପଟେ 36 ହଜାର 702 ହିତାଧିକାରୀ ଗାଡ଼ି କିଣିଥିବା ଯୋଗୁଁ ବାଦ ପଡିଛନ୍ତି l 21 ହଜାର 35 ହିତାଧିକାରୀ ଆୟ କର ଦେବାରୁ ବାଦ ପଡ଼ିଥିବା ବେଳେ 1 ଲକ୍ଷ 33 ହଜାର 691 ଧାନ ବିକ୍ରି ପଞ୍ଜୀକରଣ ଏବଂ କୃଷକ ଭାବେ ପଞ୍ଜୀକରଣ କରି ବାଦ୍ ପଡ଼ିଛନ୍ତି l ସେ ବାବଦରେ ତଥ୍ୟ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରାଯିବ l



ବୈଠକ ପୂର୍ବରୁ 3 ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଥିଲା ତଥ୍ୟ। ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମଗା ଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା। ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତା’ର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା। ତିନି ବିଭାଗର ରିପୋର୍ଟ ଆଧାରରେ ଆଜି ସୁଭଦ୍ରା ସମୀକ୍ଷା ବୈଠକ କରାଯାଇଛି। ତିନି ବିଭାଗ ଦେଇଥିବା‌ ରିପୋର୍ଟର ଯାଞ୍ଚ ହେବା ପରେ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ଯୋଡ଼ାଯିବ।