ଦ କୁଇଭର ବ୍ୟୁରୋ :- ସ୍ବତନ୍ତ୍ର OTET ପରୀକ୍ଷା ସ୍ଥଗିତ । ଆଜି ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ ରହିଛି । ପ୍ରଶ୍ନପତ୍ର ଲିକ୍ କାରଣରୁ ସ୍ବତନ୍ତ୍ର OTET ପରୀକ୍ଷା ସ୍ଥଗିତ ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ । ଆଜି ଦୁଇଟି ସିଟିଂରେ ପରୀକ୍ଷା ହୋଇଥାନ୍ତା । ସକାଳ ୯ ଟାରୁ ସାଢ଼େ ୧୧ ଟା ଯାଏ ପେପର-୧ ଓ ଦିନ ୨ ଟାରୁ ସାଢ଼େ ୪ ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହୋଇଥାନ୍ତା । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଜଣ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଇଥାନ୍ତେ ।ପ୍ରଶ୍ନପତ୍ର ଛପାଯିବା ସ୍ଥାନରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଏହି ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଓଟିଇଟିର ପେପର୍-୧ ଓ ପେପର୍-୨ର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ଘୁରି ବୁଲୁଛି । ଦୁଇଟି ଯାକ ପେପର୍ର ଅଧିକାଂଶ ପ୍ରଶ୍ନ ଏବଂ ତା’ର ଉତ୍ତର ଓଡ଼ିଆ ଓ ଇଂରାଜୀର ହାତଲେଖା ପ୍ରଶ୍ନ ମୋବାଇଲ୍ରୁ ମୋବାଇଲ୍କୁ ଏବେ ଘୂରୁଥିବା ଦେଖିବାକୁ ମିଳୁଛି । ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ର ସତ୍ୟ ବୋଲି ଜଣାପଡ଼ିଛି । ଯାହାକୁ ନେଇ ପରୀକ୍ଷା ବାତିଲ କରାଯାଇଛି । ତେବେ ପରୀକ୍ଷା ଆଗରୁ ଫେସ୍ବୁକ୍, ହ୍ଵାଟସ୍ ଆପ୍, ଇନ୍ଷ୍ଟାଗ୍ରାମ୍ ଆଦି ବିଭିନ୍ନ ସୋସିଆଲ୍ ମିଡିଆରେ ହାତ ଲେଖା ପ୍ରଶ୍ନ ବୁଲିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କେଉଁ ପରିସ୍ଥିତିରେ ଏବଂ କିଏ ଏପରି ଭାଇରାଲ କଲା ତାହାର କାରଣ ଅସ୍ପଷ୍ଟ ରହିଛି । ଭାଇରାଲ ହେଉଥିବା ପ୍ରଶ୍ନପତ୍ର ସତ୍ୟାସତ୍ୟ ଥିବା ଜଣାପଡ଼ିବା ପରେ ବୋର୍ଡ କର୍ତ୍ତୃପକ୍ଷ ଉକ୍ତ ସ୍ବତନ୍ତ୍ର ଓଟିଇଟିକୁ ବାତିଲ୍ କରିଦେଇଛନ୍ତି । ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟରାତ୍ରରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବୋର୍ଡ ଏହି ପରୀକ୍ଷା ବାତିଲ୍ କରିବା ସହ ପରବର୍ତ୍ତୀ ସମୟରେ ସାନି ବିଜ୍ଞପ୍ତି ଜାରି କରିବ ବୋଲି ସୂଚନା ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସେପଟେ ମାଧ୍ୟମିକ ଶିକ୍ଷା ପରିଷଦର ପରବର୍ତ୍ତୀ ପଦକ୍ଷେପ ପାଇଁ ଜରୁରୀ ବୈଠକ ଡାକିଲା ବୋର୍ଡ । ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷା ପରିଚାଳନା କମିଟିର ହେବ ବୈଠକ ।