ଦ କୁଇଭର ବ୍ୟୁରୋ :- ସର୍ଜରି ବିଭାଗର ବର୍ଣ୍ଣ ଆଇସିୟୁର ବେଡ୍ ନଂ ୯ରେ ଚିକିତ୍ସିତ ହେଉଥିବା ଜ୍ୟୋତିପ୍ରକାଶଙ୍କୁ କ୍ରାଇମ୍ବ୍ରାଞ୍ଚ ଟିମ୍ ଘଟଣା ସମ୍ପର୍କରେ ପଚରାଉଚରା କରି ତାଙ୍କ ବୟାନ ରେକର୍ଡ କରିଛି। କେଉଁ ପରିସ୍ଥିତିରେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇଲେ, ସେ ସଂପର୍କରେ ପଚାରିଥିଲେ। ଏହା ସହିତ ଜ୍ୟୋତିପ୍ରକାଶଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ କ୍ରାଇମ୍ବ୍ରାଞ୍ଚ ପଚରାଉଚରା କରିଛି। ଅପରାହ୍ଣ ପ୍ରାୟ ୪ଟା ବେଳେ କ୍ରାଇମ୍ବ୍ରାଞ୍ଚ ଟିମ୍ ବଡ଼ଡାକ୍ତରଖାନାରୁ ଫେରିଥିଲା। ଜ୍ୟୋତିପ୍ରକାଶଙ୍କ ଶରୀରର ୧୫ ପ୍ରତିଶତ ପୋଡ଼ିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଏସ୍ସିବି ପକ୍ଷରୁ ସୂଚନା ମିଳିଛି।
ସେହିପରି ଗୁରୁବାର କ୍ରାଇମ୍ବ୍ରାଞ୍ଚର ଏକ ତିନିଜଣିଆ ଟିମ୍ ବାଲେଶ୍ବର ଫକୀରମୋହନ କଲେଜକୁ ଯାଇଥିଲା। ଟିମ୍ରେ ଆଇଜି ଏସ୍. ସାଇନି, ଡିଏସ୍ପି ଇମନ କଲ୍ୟାଣ ନାୟକ, ଇନ୍ସ୍ପେକ୍ଟର ପାଞ୍ଚାଳୀ ରାଉତ ଓ ଜଣେ କନେଷ୍ଟବଳ ରହିଥିଲେ। ବାଲେଶ୍ବର ଡିଏସ୍ପି ତପସ୍ବିନୀ କୁଅଁର ଓ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଉପସ୍ଥିତ ଥିଲେ। କ୍ରାଇମ୍ବ୍ରାଞ୍ଚ ଟିମ୍ କଲେଜର କର୍ମଚାରୀ ଓ ଆଇସିସି କମିଟିର ସଦସ୍ୟଙ୍କୁ ୫ ଘଣ୍ଟା ଧରି ଗୁଡ଼େଇତୁଡ଼େଇ ପଚରାଉଚରା କରିବା ସହ ଘଟଣାସ୍ଥଳ ତଦାରଖ କରିଥିଲେ। ତେବେ କେହି ଗଣମାଧ୍ୟମକୁ ଅଧିକ କିଛି ସୂଚନା ଦେଇ ନଥିଲେ। ଡିଏସ୍ପି ଶ୍ରୀମତୀ କୁଅଁର କହିଥିଲେ, ମାମଲାଟି ସମ୍ବେଦନଶୀଳ। ତେଣୁ ଗୁରୁତ୍ବର ସହ ତଦନ୍ତ କରାଯାଉଛି।