ଦ କୁଇଭର ବ୍ୟୁରୋ :- ଆହତ ଜ୍ୟୋତିପ୍ରକାଶଙ୍କ ପାଖରେ ଅଛି ସୌମ୍ୟାଶ୍ରୀଙ୍କ ଆତ୍ମାହୂତିର ଚାବି । କେମିତି ଜଳିଲେ, ପେଟ୍ରୋଲ କେମିତି ପକାଇଲେ ଆଉ ଜଳିବା ପରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ଗଲେ ନା ସିଧା ବାହାରକୁ ଦୌଡିଲେ, ସବୁର ଏକମାତ୍ର ପ୍ରମାଣ ଜ୍ୟୋତିପ୍ରକାଶ । ତଦନ୍ତକାରୀ କ୍ରାଇମବ୍ରାଞ୍ଚ ତାଙ୍କୁ ଭରସା କରିଛି । ସେ ଯେମିତି ବୁଲାଇବେ, ସେମିତି ଗଡ଼ିବ ତଦନ୍ତର ଦିଗ । ବାକିସବୁ କଥା ଫେଲ ମାରିବ ।
ସୌମ୍ୟଶ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ମାମଲାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ । ପୂରା ଗୋଳି କଲାଣି । କଲେଜ ଆଭ୍ୟନ୍ତରୀଣ କମିଟି ସଦସ୍ୟଙ୍କୁ ଜେରା କରିବ । ପେଟ୍ରୋଲପମ୍ପ ଯାଇ ପେଟ୍ରୋଲ କିଏ ଆଣିଲା ତାହା ବି ଖୋଜୁଛି । ସତେ ଯେମିତି ସେହି ପମ୍ପରୁ ପେଟ୍ରୋଲ ଆସିଛି । ତଦନ୍ତ କମ ପ୍ରହସନ ଅଧିକ ଚାଲିଛି । ହେଲେ କେହି ପ୍ରତ୍ୟକ୍ଷଦର୍ଶୀ ମିଳୁ ନାହାନ୍ତି । ତଦନ୍ତକାରୀ ଟିମ ଏବେ ଜ୍ୟୋତିପ୍ରକାଶଙ୍କ ଉପରେ ନଜର ରଖିଛି । ତାଙ୍କରି ଠାରୁ ଯାହା ମିଳିବ ତାହା ହିଁ ହେବ ତଦନ୍ତର ମଞ୍ଜି ।
ଇତିମଧ୍ୟରେ ବିଭିନ୍ନ ମନ୍ତ୍ରୀ ଯାଇ ଜ୍ୟୋତିପ୍ରକାଶଙ୍କୁ ଭେଟିଛନ୍ତି । ଏହାପରେ ତାଙ୍କ ମତ କେତେ ନିରପେକ୍ଷ ହେବ ତାହା ବି ସନ୍ଦେହରେ ରହିଛି । ଅନ୍ୟପକ୍ଷରେ ତଦନ୍ତକୁ ଭୁଆଁ ବୁଲାଇବାକୁ ଏବେ ନାନା ତଥ୍ୟ ପଦାକୁ ଆସୁଛି । ହେଲେ ବାସ୍ତବ କାରଣକୁ ନଜର ଯାଉନି । HOD ବା ଅଧ୍ୟକ୍ଷଙ୍କ ନିର୍ଯ୍ୟାତନା ସୌମ୍ୟାଶ୍ରୀଙ୍କୁ ମାରିଛି ନା ବିଭାଗୀୟ ମନ୍ତ୍ରୀ, ସ୍ଥାନୀୟ ଏମପିଙ୍କ ଅବହେଳା ମାରିଛି ? ନିର୍ଯ୍ୟାତନା ପରେ ସେ ଲଢୁଥିଲେ, ମାତ୍ର ଯେତେବେଳେ ସରକାର ନ୍ୟାୟ ଦେଲେନାହିଁ ସେତେବେଳେ ସେ ଆତ୍ମହୁତି ଦେଲେ ? ଏଦିଗକୁ ଯାଇ ତଦନ୍ତ କରିବ ତ କ୍ରାଇମବ୍ରାଞ୍ଚ ? ନା ପୂର୍ବ ସରକାର ଭଳି ସବୁ ଅବାନ୍ତର ଦିଗକୁ ନେଇ ତଦନ୍ତ ସାରିଦେବ ? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ନଜର ଜ୍ୟୋତିପ୍ରକାଶଙ୍କ ଉପରେ ରହିଛି । ଦେଖାଯାଉ ଜ୍ୟୋତିପ୍ରକାଶ କି ତଥ୍ୟ ଦେଉଛନ୍ତି ଓ ତଦନ୍ତ କେଉଁ ଦିଗକୁ ଯାଉଛି ?