ଦ କୁଇଭର ବ୍ୟୁରୋ :-
ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୂତି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସରକାରଙ୍କର ଏହି ପଦକ୍ଷେପକୁ ଦଳୀୟ ନେତାମାନେ ପ୍ରଶଂସା କରୁଛନ୍ତି । ତଦନ୍ତ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହୁଛନ୍ତି । ମୋହନ ସରକାର ନବୀନଙ୍କ ଭଳି ନୁହେଁ, ତଦନ୍ତ ପରେ ଚାପି ଦେବେ । ଏମିତି ବି କହି ଡିଣ୍ଡିମ ପିଟୁଛନ୍ତି । ଆମେ କହୁନାହୁଁ ନୀବନଙ୍କ ଭଳି ଶାସନ ମୋହନ କରିବେ, ହେଲେ ଗୋଟିଏ ପ୍ରଶ୍ନ ମୋହନଙ୍କ ଆଭିମୁଖ୍ୟ ଉପରକୁ ଉଠୁଛି । ତାହା ହେଲା କିଟ ଛାତ୍ରୀ ମୃତ୍ୟୁ ଘଟଣା । କୁଆଡ଼େ ଗଲା ସେହି ତଦନ୍ତ ? କାହିଁ ତାହାର ରିପୋର୍ଟ ? କିଟ ବିରୋଧରେ କି ପଦକ୍ଷେପ ନେଲ ମୋହନ ସରକାର ? ଦେଇ ପାରିବ ଉତ୍ତର ? ନା ଉତ୍ତର ଦେଇ ପାରିବେ କିଟକୁ ପ୍ରଶଂସାରେ ପୋତି ପକାଉଥିବା ଏମପି ଅପରାଜିତା ଷଢ଼ଙ୍ଗୀ ଓ କିଟ ପ୍ରତିଷ୍ଠାତାଙ୍କ ସହ ବୈଠକ କରୁଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନା ଜବାବ ଦେଇ ପାରିବେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ? ଏଫଏମ କଥାରେ ତୁମ୍ବି ତୁଫାନ ମାରୁଥିବା ନେତାମାନେ କିଟ ପ୍ରସଙ୍ଗରେ ପାଟି ଖନି ମାରିଯିବ ।
ଏଫଏମ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋରଦାର ଚାଲିଛି । ବିଜେଡି ଓ କଂଗ୍ରେସ ସରକାରଙ୍କ ଉପରେ ବର୍ଷୁଛନ୍ତି । ବିଜେପି ବିରୋଧୀଙ୍କୁ ଆଙ୍ଗୁଳି ଦେଖାଉଛି । ବିଜେପି ନେତ୍ରୀ ଅରାଜିତା ଷଢ଼ଙ୍ଗୀ କହିଛନ୍ତି, ସରକାର ଯଥାର୍ଥ ପଦକ୍ଷେପ ନେଇଛନ୍ତି । ପୂର୍ବ ସରକାର ତ କିଛି କରୁନଥିଲେ । ସେମାନଙ୍କ ସମୟରେ ନାରୀ ନିର୍ଯାତନା ମାମଲା ହେଉଥିଲା, ଆମ ସମୟରେ ବି ହେଲା । ଆମେ ତଦନ୍ତ କରୁଛୁ ।
ହେଲେ ଅରାଜିତାଙ୍କୁ ଏବେ ବଡ଼ ପ୍ରଶ୍ନ ଯଦି ସରକାରଙ୍କ ପଦକ୍ଷେପ ଭରସାଯୋଗ୍ୟ, ତେବେ କିଟ ଛାତ୍ରୀ ମୃତ୍ୟୁ ଘଟଣାରେ କାହିଁକି ସରକାର ଅସ୍ପଷ୍ଟ ? କାହିଁକି ତଦନ୍ତର ରିପୋର୍ଟ ଏଯାଏ ମିଳିଲା ନାହିଁ ? କିଟ ସହ ଉଚ୍ଚଶିକ୍ଷାମନ୍ତ୍ରୀ ଡିଲ କରିଦେଲେ କି ? ନା ଉଚ୍ଚଶିକ୍ଷା ବିଭାଗର ଡିଲ ଅଛି ? ନା କିଟ ସହ ନିଜେ ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କର ଭଲ ସମ୍ପର୍କ ଅଛି ବୋଲି ତାହାର ତଦନ୍ତ ରିପୋର୍ଟ ବାହାରକୁ ଆସୁନାହିଁ ? ଯଦି ଏସବୁ କିଛି ନୁହେଁ, ତେବେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଜେପିକୁ କିଣି ନେଲେକି ? ନହେଲେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ଗଲା କୁଆଡ଼େ ? କୁଆଡ଼େ ଗଲା ଦାଣ୍ଠୁଆ ଅଫିସର ମାନଙ୍କ ଦମ ? ଏମିତି ଅନେକ ପ୍ରଶ୍ନ ସରକାରଙ୍କ ଆଡ଼କୁ ଉଠୁଥିବା ବେଳେ ଏଫଏମ ଛାତ୍ରୀ ଆତ୍ମାହୂତି ଘଟଣାର ତଦନ୍ତ କେତେ ଭରସାଯୋଗ୍ୟ ତାହାର ଜବାବ କିଏ ଦେବ ? ଦେଖାଯାଉ ସୌମ୍ୟାଶ୍ରୀଙ୍କ ଘଟଣାର ତଦନ୍ତ ପଦାକୁ ଆସୁଛି ନା କିଟ ଭଳି ଚପି ଯାଉଛି ?