ଦ କୁଇଭର ବ୍ୟୁରୋ:- ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ନେଇ ଏକଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଙ୍ଗନବାଡ଼ି ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଇନ୍ଫ୍ରା ଆପ୍ ‘ୱସମ୍’ (ଅଙ୍ଗନବାଡ଼ି ୱେଲଫେୟାର୍ ଆଣ୍ଡ୍ ସର୍ଭିସ୍ ଓଭର୍ସାଇଟ୍ ମନିଟରିଂ ଏଭ୍ରିହୋୟାର)କୁ ଲୋକାର୍ପଣ କରିଛନ୍ତି। ଅଙ୍ଗନବାଡ଼ି ପରିସରରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ରୁ ୭ ତାରିଖକୁ ସେ ‘ଆସ ଯିବା ଅଙ୍ଗନବାଡ଼ି’ ଅଭିଯାନ ଆରମ୍ଭ କରାଯିବ। ଏହି ଅଭିଯାନରେ ଲୋକମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ପରିଦର୍ଶନ କରି ଅଙ୍ଗନବାଡ଼ିର ଭିତ୍ତିଭୂମି, ସ୍ୱଚ୍ଛତା ଓ କାର୍ଯ୍ୟଶୈଳୀ ଉପରେ ନିଜର ମତାମତ ରଖିବେ। ସେହି ମତାମତକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ିର କାର୍ଯ୍ୟାନ୍ୱୟନ ନିର୍ଦ୍ଧାରିତ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାରୁ ଆସିଥିବା ୪୦୦ରୁ ଅଧିକ ସିଡିପିଓ ଓ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀବୃନ୍ଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ, ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ପବ୍ଲିକ୍ କୋ-ଅପରେସନ୍ ଆଣ୍ଡ୍ ଚାଇଲ୍ଡ ଡେଭେଲପ୍ମେଣ୍ଟ (ଏନ୍ଆଇପିସିସିଡି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ବାରା ଓଡ଼ିଶାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ଦକ୍ଷତା ଓ ଜ୍ଞାନ ବୃଦ୍ଧି କରିବାରେ ସହାୟ ହେବ ବୋଲି ଏନ୍ଆଇପିସିସିଡିର ଅତିରିକ୍ତ ନିର୍ଦ୍ଦେଶକ ସଂଘମିତ୍ରା ବାରିକ ମତ ପ୍ରକାଶ କରିଛନ୍ତି। ପ୍ରଥମ ଅଧିବେଶନରେ ବିତ୍ତ ପରାମର୍ଶଦାତା ଓ ସ୍ୱତନ୍ତ୍ର ସଚିବ ଏଲୋରା ମହାନ୍ତି ସିଡିପିଓମାନଙ୍କ ଭୂମିକା ଓ ଡିଡିଓ ହିସାବରେ ସେମାନଙ୍କ ଦାୟିତ୍ୱ, ପ୍ରତିଷ୍ଠାନର କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ଇତିଶ୍ରୀ ଦାସ ପେନ୍ସନ୍ ରୁଲ୍, ଲିଭ୍ ରୁଲ୍ ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟଶୈଳୀ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ତୃତୀୟ ଅଧିବେଶନରେ ଅତିରିକ୍ତ ସଚିବ ଜ୍ୟୋତିଶଙ୍କର ମହାପାତ୍ର ପୋଶ ଆଇନ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ।