ଜଗତସିଂହପୁର( ଦ କୁଇଭର ):- ଜଗତସିଂହପୁର ଜିଲ୍ଲାର ଏକ କଲେଜରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପୁଣି ତାଜା ହୋଇଛି। ଜନଶୁଣାଣି ପୋର୍ଟାଲ୍ରେ ଅଭିଯୋଗ ପରେ ଜୁନିୟର କଲେଜ୍ର ଅଧ୍ୟକ୍ଷ ରମେଶଚନ୍ଦ୍ର ସାହୁ ଓ ଗଣିତ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କୁ ଆଜି ନିଲମ୍ବିତ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିସହିତ ସମ୍ପୃକ୍ତ କଲେଜର ଅଧ୍ୟକ୍ଷଙ୍କୁ ରିପୋର୍ଟ ତଲବ କରିଛନ୍ତି ଜିଲ୍ଲାପାଳ। ଅନ୍ୟପଟେ ତଦନ୍ତ କମିଟି ଅଧ୍ୟାପକଙ୍କ ବିରୋଧରେ ପୂର୍ବରୁ ରିପୋର୍ଟ ଦେଇଥିଲେ ହେଁ ଆପୋସ ସମାଧାନ ଆଳରେ ଘଟଣାକୁ ଚପାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ରଘୁନାଥପୁର ଅରୂପାନନ୍ଦ କଲେଜର ଗଣିତ ଅଧ୍ୟାପକଙ୍କ ବିରୋଧରେ ଗତ ଜାନୁଆରି ୧୫ରେ ଜଣେ +୨ ଦ୍ବିତୀୟ ବର୍ଷର ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏ ନେଇ ଛାତ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଜାନୁଆରି ୧୬ରେ ଅଧ୍ୟକ୍ଷ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରିଥିଲେ।
ଦୁଇ ଜଣ ଅଧ୍ୟାପକ ଓ ଜଣେ ମହିଳା କର୍ମଚାରୀଙ୍କୁ ନେଇ ୩ଜଣିଆ ତଦନ୍ତ କମିଟି ଗଠିତ ହୋଇଥିଲା। କମିଟି ଅଧ୍ୟାପକଙ୍କ ବିରୋଧରେ ରିପୋର୍ଟ ଦେଇଥିଲା। ପରେ ଫେବ୍ରୁଆରି ଓ ମାର୍ଚ୍ଚରେ ଦୁଇ ଥର ଅଧ୍ୟାପକଙ୍କୁ ହାଜର ପାଇଁ ନୋଟିସ୍ କରାଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ଏପ୍ରିଲ ୨ରେ ଛାତ୍ରୀ ଅଧ୍ୟକ୍ଷଙ୍କୁ ଲିଖିତ ଦରଖାସ୍ତ ଦେଇଥିଲେ। ସମ୍ପୃକ୍ତ ଅଧ୍ୟାପକ ସର୍ବସମ୍ମୁଖରେ ନିଜର ଭୁଲ୍ ସ୍ବୀକାର କରିବା ସହ କ୍ଷମା ମାଗିଥିବାରୁ ମାମଲାକୁ ବନ୍ଦ କରିବା ପାଇଁ ଛାତ୍ରୀ ଜଣକ ଚିଠିରେ ଉଲ୍ଲେଖ କରିଥିଲେ। କିନ୍ତୁ ଛାତ୍ରୀ ଚାପରେ ପଡ଼ି ମାମଲାକୁ ବନ୍ଦ କରିବା ପାଇଁ ଦରଖାସ୍ତ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଓ ଅଶାଳୀନ ବ୍ୟବହାର ଅଭିଯୋଗର ସତ୍ୟତା ଥିବା ନେଇ ତଦନ୍ତ କମିଟି ଦେଇଥିବା ରିପୋର୍ଟକୁ ଅଧ୍ୟକ୍ଷ ସ୍ବୀକାର କରିଥିଲେ। ଏ ସମ୍ପର୍କରେ ଏକ ଷ୍ଟାଫ୍ କମିଟି ବୈଠକ ଡକାଯାଇଥିଲା। ସେଠାରେ ଅଧ୍ୟାପକ ଭୁଲ୍ ସ୍ବୀକାର କରିବା ପରେ ଛାତ୍ରୀ ଆପୋସ ସମାଧାନ ପାଇଁ ଲିଖିତ ଆବେଦନ କରିଥିଲେ ବୋଲି ଅଧ୍ୟକ୍ଷ କହିଛନ୍ତି।