କଟକ( ଦ କୁଇଭର ):: ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରବାସରେ ରାଗିଂ ଅଭିଯୋଗ । ଇଷ୍ଟ ହଷ୍ଟେଲ୍ର ପ୍ରଥମ ବର୍ଷ ଅନ୍ତେବାସୀଙ୍କୁ ତୃତୀୟ ବର୍ଷ ଅନ୍ତେବାସୀ ରାଗିଂ କରିଥିବା ଅଭିଯୋଗ ହୋଇଛି । ବଡ଼କଥା ହେଉଛି, ହଷ୍ଟେଲ ୱାର୍ଡେନ ବାରଣ କରିବା ସତ୍ତ୍ୱେ ଏହି ରାଗିଂ କରାଯାଇଥିଲା । ରାତି ଅଧରେ ପ୍ରଥମ ବର୍ଷ ଅନ୍ତେବାସୀଙ୍କୁ ଡାକି ଗୀତ ଗାଇବା, ନାଚ କରିବା, ଖରାପ ଭାଷା କହିବାକୁ ବାଧ୍ୟ କରିଥିଲେ ସିନିଅର ଛାତ୍ର । ଅଭିଯୋଗ ପାଇ ୱାର୍ଡେନ ପହଞ୍ଚି ଥିଲେ । ଏପରି ନକରିବାକୁ ସିନିଅର ଛାତ୍ର ମାନଙ୍କୁ କହିଥିଲେ । ଏପରିକି ୱାର୍ଡନଙ୍କୁ ତୃତୀୟ ବର୍ଷର ଅନ୍ତେବାସୀମାନେ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣାରେ 10 ଜଣ ତୃତୀୟ ବର୍ଷ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦେଶ ଦିଆଯାଇଛି ।
ପ୍ରଥମ ବର୍ଷର ଛାତ୍ରମାନେ ଗତ ଶୁକ୍ରବାର ଦିନ ନୂଆ କରି ହଷ୍ଟେଲ ଆସିଛନ୍ତି । ଶନିବାର ବିଳମ୍ବିତ ରାତି ପ୍ରାୟ ସାଢେ 12ଟାରେେ ତୃତୀୟ ବର୍ଷ ଅନ୍ତେବାସୀମାନେ ପ୍ରଥମ ବର୍ଷର ପ୍ରାୟ 15 ଜଣ ଅନ୍ତେବାସୀଙ୍କୁ ଡାକିଥିଲେ । ଏହି ପିଲାମାନଙ୍କୁୁ ଗୀତ ଗାଇବା, ନାଚ କରିବା, ଖରାପ ଭାଷା କହିବାକୁ ବାଧ୍ୟ କରିଥିଲେ ସିନିଅର ଛାତ୍ର । ଏହା ଦେଖି ସେମାନେ ଭୟଭୀତ ହୋଇ ପଡିଥିଲେ । ଏହା ଦେଖି ହଷ୍ଟେଲ ୱାର୍ଡେନ ଘଟଣାସ୍ଥଳକୁ ଆସି ସିନିଅର ଛାତ୍ର ଏପରି ନ କରିବାକୁ ବାରଣ କରିଥିଲେ । ହେଲେ ତାଙ୍କ କଥା କେହି ଶୁଣି ନଥିଲେ।ସ୍ଥିତି ଅଣାୟତ ହେବାରୁ ୱାର୍ଡେନ ଅନ୍ୟ ଅଧ୍ୟାପକଙ୍କୁ ଡାକି ଥିଲେ । ଅନ୍ୟ ଅଧ୍ୟାପକମାନେ ଆସିବା ପରେ ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ରୁମକୁ ପଠା ଯାଇଥିଲା । ଭୋର ପ୍ରାୟ 4ଟା ଯାଏ ୱାର୍ଡେନ ଏବଂ ଅନ୍ୟ ଅଧ୍ୟାପକମାନେ ହଷ୍ଟେଲ ଜଗି ରହିଥିଲେ । ଏହି ଘଟଣା ନେଇ ୱାର୍ଡେନ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଏହି ଘଟଣା ପରେ ରବିବାର ଅପରାହ୍ନରେ ରେଭେନ୍ଶା କୁଳପତିଙ୍କ ଅଧକ୍ଷତାରେ ଗୁରୁତପୂର୍ଣ୍ଣ ବୈଠକ ଡକା ଯାଇଥିଲା । ବୈଠକରେ 10 ଜଣ ତୃତୀୟ ବର୍ଷ ଅନ୍ତେବାସୀଙ୍କୁ ସାମୟିକ ଭାବେ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ବହିଷ୍କୃତ ଛାତ୍ରମାନେ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ଭିତରକୁ ଆସି ପାରିବେ । ଏପରିକି ପାଠ ବି ପଢି ପାରିବେ । ମାତ୍ର ହଷ୍ଟେଲ ଆସି ପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ତଦନ୍ତ କରାଯିବ । ଆଣ୍ଟି ରାଗିଂ କମିଟିରେ ଏହି ମାମଲାର ଶୁଣାଣି କରାଯିବ । ବିଶେଷକରି ଛାତ୍ରମାନଙ୍କ ପକ୍ଷ ବି ଶୁଣିବେ । ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ କମିଟି କାର୍ଯ୍ୟାନୁଷ୍ଠାନ ନେବ । ଏ ନେଇ ବହିଷ୍କୃତ ହୋଇଥିବା ଛାତ୍ରଙ୍କ ଅବିଭାବକଙ୍କୁ ସୂଚନା ଦିଆଯିବ । ଏପରିକି ହଷ୍ଟେଲରେ ଯେପରି ଅଘଟଣ ନ ଘଟେ ସେଥିପାଇଁ ହଷ୍ଟେଲ ଭିତରେ ସୁରକ୍ଷା କର୍ମୀମାନଙ୍କୁ ନିୟୋଜିତ କରାଯାଇଥିବା ବରିଷ୍ଠ ଅଧ୍ୟାପକ ପ୍ରଫେସର ସିଦ୍ଧାର୍ଥ ଭରଦ୍ୱାଜ ସୂଚନା ଦେଇଛନ୍ତି ।