ଦ କୁଇଭର ବ୍ୟୁରୋ :- ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଅଫିସର ଜଣେ ଡାଟା ଏଣ୍ଟ୍ରି ଅପରେଟର କିଙ୍ଗପିନ । ଏହି ମାମଲାରେ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ସମେତ ୬ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଶିକ୍ଷକ ଓ ପେଶାଦାର ଭାଇରାଲକାରୀ । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣା ହିଁ ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରାଲ କରିଥିଲା । ରାଜ୍ୟ ବ୍ୟାପି ଏହି ପ୍ରଶ୍ନପତ୍ର ଭରାରାଲ ହୋଇଥିଲା ଏବଂ ବୋର୍ଡ ଅଫିସର ଉପ ସଭାପତି ନିହାର ମହାନ୍ତିଙ୍କ ଲ୍ୟାପଟପରୁ ଏହି ପ୍ରଶ୍ନପତ୍ର ଚୋରି ହୋଇଥିଲା ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି। ଏଥିରେ ମନିଟ୍ରେଲ ମଧ୍ୟ ହୋଇଛି ।
ଜିତନର ପତ୍ନୀଙ୍କ ଆକାଉଣ୍ଟକୁ ଆସିଥିଲା ୨ ଲକ୍ଷ ୪୦ ହଜାର ଟଙ୍କା । ଏପରିକି ବିପୁଳ ପରିମାଣର କ୍ୟାସ କାରବାର ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ଅନୁମାନ କରୁଛି । ଜିତନ ମହାରଣା, ବିଜୟ କୁମାର ମିଶ୍ର, ସନାତନ ବିଶୋଇ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତଙ୍କୁ ଆଜି ଗିରଫ ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ।ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିବ । ଆବଶ୍ୟକ ପଡିଲେ ୬ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ। ଗତ ୨୦ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ଏହାପୂର୍ବରୁ ଗତ ୧୯ ତାରିଖ ରାତିରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର। ଫଳରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ନିକଟରେ ବୋର୍ଡର ପ୍ରଶାସନିକ ଅଧିକାରୀ ବୁଲବୁଲ ବେହେରା ଅଭିଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ଗତ ୨୦ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା, ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା ।