ଦ କୁଇଭର ବ୍ୟୁରୋ :- ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟର ଦୁଇଜଣ ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ। ସୂଚନା ଅନୁସାରେ; ଜଳେଶ୍ୱର ବ୍ଲକ୍ ଅଧୀନ ଏକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ମାଆ ଗତକାଲି ଜଣେ ଶିକ୍ଷକ ତାଙ୍କ ଝିଅଙ୍କୁ ଅସଦାଚରଣ କରିଥିବା ନେଇ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ରାତିରେ ଅଭିଯୁକ୍ତ ଶିକ୍ଷକ କୈଳାସ ଚନ୍ଦ୍ର ବେଜ (୪୩) ଏବଂ ପ୍ରଧାନଶିକ୍ଷକ ଭବାନୀଶଙ୍କର ପାଳଙ୍କୁ ଥାନାକୁ ଉଠାଇ ଆଣିଥିଲା। ତେବେ ଘଟଣାରେ ସଂପୃକ୍ତି ନଥିବା ଜାଣି ପ୍ରଧାନଶିକ୍ଷକ ଶ୍ରୀ ପାଳଙ୍କୁ ଆଜି ଛାଡ଼ି ଦିଆଯାଇଥିବା ବେଳେ ଶିକ୍ଷକ ଶ୍ରୀ ବେଜ ଗିରଫ ହୋଇଛନ୍ତି।ସେହିପରି ବିଦ୍ୟାଳୟକୁ ତଦନ୍ତ ପାଇଁ ଯାଇଥିବା ପୁଲିସ ନିକଟରେ କିଛି ଛାତ୍ରୀ ଶିକ୍ଷକ କାଳୀଚରଣ ମାଝୀ (୪୧)ଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ତଦନ୍ତକାରୀ ଦଳ ବିଦ୍ୟାଳୟ ଓ ପୀଡ଼ିତାଙ୍କ ଘରକୁ ଯାଇ ତଦନ୍ତ କରିଛି। ସେପଟେ ଅନ୍ୟ ଏକ ଟିମ୍ ଛାତ୍ରୀ ଓ ଶିକ୍ଷକମାନଙ୍କର ବୟାନ ରେକର୍ଡ କରିଛି। ବିଦ୍ୟାଳୟରେ ଲାଗିଥିବା ସିସିଟିଭି ହାର୍ଡଡିସ୍କ ଜବତ କରାଯାଇଛି।ତେବେ ଗିରଫ ଶିକ୍ଷକମାନେ ଅଭିଯୋଗ ମିଛ ବୋଲି ଗଣମାଧ୍ୟମକୁ କହିଛନ୍ତି।