ବାଲେଶ୍ୱର( ଦ କୁଇଭର ):- ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ତଦନ୍ତ ପାଇଁ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଏଫଏମ କଲେଜରେ ପହଞ୍ଚିଛନ୍ତି । ପ୍ରଫେସର ରାଜ୍ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଆସିଛନ୍ତି । ଏହି ଟିମ୍ ଦୁଇ ଦିନ ଧରି କଲେଜ ପରିସରରେ ତଦନ୍ତ କରିବେ । ପ୍ରଫେସର ରାଜ୍ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଆସିଛନ୍ତି । ଟିମରେ ଅଛନ୍ତି ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଓ ୟୁଜିସିର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଲା । ଘଟଣାର ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରିବା ସହ କଲେଜରେ ଛାତ୍ରୀ ନିର୍ଯାତନା ସମ୍ପର୍କିତ ତଦନ୍ତ କରିବେ । ତଦନ୍ତ ବେଳେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ICC)ର ସଦସ୍ୟାମାନେ ଉପସ୍ଥିତ ରହିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କଲେଜ ଅଧ୍ୟକ୍ଷ ଫିରୋଜ ପାଢ଼ୀ ଓ ICC କମିଟିର ସମସ୍ତ ସଭ୍ୟସଭ୍ୟା ସମେତ ୪ ଜଣ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିବେ । ଅନ୍ୟପଟେ ଗୁରୁବାର(ଜୁଲାଇ ୧୭) କ୍ରାଇମବ୍ରାଞ୍ଚ ଟିମ କଲେଜରେ ତଦନ୍ତ କରିଥିବା ବେଳେ ଆଇସିସି କମିଟି ସଦସ୍ୟମାନଙ୍କୁ ପଚରାଉଚରା କରିଛି । ନୂତନ ଭାବେ ଯୋଗଦେଇଥିବା ଅଧ୍ୟକ୍ଷ ଫିରୋଜ ପାଢ଼ୀ ତଦନ୍ତ ସମ୍ପର୍କରେ କହିଛନ୍ତି, "ୟୁଜିସି ତରଫରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଆସୁଛନ୍ତି । ଏହାସହ ଉଚ୍ଚଶିକ୍ଷା ବିଭାଗର ତଦନ୍ତ କମିଟି ଟିମ ଏବଂ କ୍ରାଇମବ୍ରାଞ୍ଚ ଟିମ କଲେଜ ଆସୁଛନ୍ତି । ବିଭିନ୍ନ ସ୍ତରରେ ଏହାର ତଦନ୍ତ ଚାଲିଛି । ୟୁଜିସି ଏକ ସ୍ୱତନ୍ତ୍ର କମିଟି ଆକାରରେ ଆସୁଛନ୍ତି । ସେମାନେ ସବୁ ଦିଗ ଉପରେ ତଦନ୍ତ କରିବେ ।"