ଦ କୁଇଭର ବ୍ୟୁରୋ :- ଅଦିନିଆ ବର୍ଷାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ କେନ୍ଦ୍ର ସରକାର ବଢ଼ାଇଲେ ସହଯୋଗର ହାତ। ବୀମାଭୁକ୍ତ ଚାଷୀମାନଙ୍କ ପାଇଁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ଆଉ ତିନି ଦିନ ସମୟ ଅବଧି ବଢାଇଲେ କେନ୍ଦ୍ର ସରକାର । ବୀମାଭୁକ୍ତ ଚାଷୀମାନେ ଜାନୁଆରୀ ୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବୀମା କମ୍ପାନୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେଇ ପାରିବେ । ସେପଟେ ଚାଷୀଙ୍କ ଦୁର୍ଦ୍ଦଶା ସମୟରେ ସହାୟତାର ହାତ ବଢାଇଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହିତ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ମନ୍ତ୍ରୀମାନେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରି ଚାଷୀମାନଙ୍କ ସହ ଆଲୋଚନା କରୁଛନ୍ତି ।
ଉଭୟ ବୀମା କରିନଥିବା ଓ ବୀମା କରିଥିବା ଚାଷୀମାନଙ୍କୁ ସହାୟତା ଦିଆଯିବ । ବୀମା କରିଥିବା ଚାଷୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ଡିସେମ୍ବର ୨୯ ଥିଲା ଶେଷ ତାରିଖ । ଏହି ଅବଧି ବଢାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଥିଲା । ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଅବଧିକୁ ଆଉ ତିନି ଦିନ ପାଇଁ ବୃଦ୍ଧି କରିଛନ୍ତି । ଚାଷୀମାନେ ବର୍ତ୍ତମାନ ୨୦୨୫ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେଇ ପାରିବେ । ଓଡିଶାର ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଏହି ସହାନୁଭୂତିଶୀଳ ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଧନ୍ୟବାଦ ଦେଇଛନ୍ତି ।