ଭୁବନେଶ୍ୱର(ଦ କୁଇଭର): ଖାଇବା ସାମଗ୍ରୀର ବଜାର ଦର କାହିଁରେ କେତେ । କୌଣସି ପରିବାରେ ହାତ ମାରି ହେଉନାହିଁ । ଚାଉଳ, ଡାଲି କଥା କିଏ ପଚାରୁଛି । ଲୋକେ ଧନ୍ଦି ହେଉଛନ୍ତି । କହି ପାରୁ ନାହାନ୍ତି । ମାଗଣା ଚାଉଳ ପାଉଛନ୍ତି ବୋଲି ତୁଣ୍ଡ ଖୋଲୁ ନାହାନ୍ତି । ଭାବିଛନ୍ତି ୬ମାସର ସରକାର ଆଗକୁ ବୋଧେ କମାଇବେ । ହେଲେ ସେପରି କାଳେ କିଛି ଦିଶୁନି । ଖାଦ୍ୟ ସାମଗ୍ରୀ ଦର କଥା ସରକାର ଉଠାଉ ନାହାନ୍ତି କି ବିରୋଧୀ ବି କହୁ ନାହାନ୍ତି । କେବଳ ଉଭୟ ବିରୋଧୀଙ୍କ ଆଖିରେ ପଡ଼ିଛି ଆଳୁ । ଆଳୁ ଆଜି ପୂରା ବିଧାନସଭାକୁ ଘେରିଥିଲା । ବିଧାୟକମାନେ ଆଳୁ ଆଳୁ କହୁଥିଲେ, ଶେଷରେ ମନ୍ତ୍ରୀ ବି ଆଳୁ କଥା କହିଲେ ।
ବିଧାନସଭାରେ ଆଜି ସବୁଠୁ ବଡ଼ ଚର୍ଚ୍ଚା ହୋଇଥିଲା ଆଳୁ କଥା । ବେଶ ରୋଚକ କଥା କହିଥିଲେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା । କହିଲେ, ମନ୍ତ୍ରୀ ମହାଶୟ ଆଳୁର ବିକଳ୍ପ ପରିବା କ’ଣ ଖୋଜନ୍ତୁ । କାରଣ ଆଳୁ ଭାରି ସମସ୍ୟା ହେଲାଣି । ତେଣୁ ବିକଳ୍ପ ଭାବେ କ’ଣ ଖାଇ ହେବ ଦେଖନ୍ତୁ । ଏକଥା ଶୁଣି ମନ୍ତ୍ରୀ ବି ଚିନ୍ତାରେ ପଡ଼ିଲେ । ଆଳୁର ବିକଳ୍ପ କ’ଣ ସେ ବିଧାୟକ ଗଣେଶ୍ୱରଙ୍କ ଠୁ ଜ୍ଞାନ ନେବେ ବୋଲି କହିଥିଲେ । ଏହାପରେ ଆଳୁକୁ ନେଇ ଚାଲିଥିଲା ଚର୍ଚ୍ଚା । ବୀରମହାରାଜ ପୁର ବିଧାୟକ କହିଲେ, ଅଷ୍ଟ୍ରେଲିଆରେ ବଡ଼ ଆଳୁ ଫଳେ । ସେମିତି କିଛି କଲେ ହୁଅନ୍ତାନି ।
ଏମିତି ଆଳୁକୁ ନେଇ ବେଶ କିଛି ସମୟରେ ଚାଲିଥିଲା ପ୍ରଶ୍ନ ଉତ୍ତର । ଶେଷରେ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଲେ, ସରକାର ଆଳୁ ପାଇଁ ଯୋଜନା କରିଛନ୍ତି । ଆଳୁ ମିଶନ ସଫଳ ହେବ । ଲୋକଙ୍କ ଆଳୁ ସମସ୍ୟା ଦୂର ହେବ ବୋଲି ସେ କହିଥିଲେ । ଯାହା ହେଉ ଆଜି ଆଳୁର ବିକଳ୍ପ ଖୋଜା ପ୍ରସଙ୍ଗ ବେଶ ଚର୍ଚ୍ଚାରେ ରହିଥିଲା ।