ଭୁବନେଶ୍ୱର(ଦ କୁଇଭର): ଆମ ମାଟି ମାଆ ଅସୁସ୍ଥ ହୋଇପଡ଼ିଲାଣି । ଖୋଲାଖୋଲି ଅତ୍ୟାଚାର କରୁଛନ୍ତି ସମସ୍ତେ । ଭୁଲି ଯାଉଛନ୍ତି ସେମାନଙ୍କ ଅକାର୍ଯ୍ୟ ହିଁ ମାଟିକୁ ମାରି ଦେଉଛି । ମାଟିର ଏହି ସ୍ଥିତି ହିଁ ଜୀବନ ବା ଜୀବଜଗତ ।ଇଁ ସତର୍କଘଣ୍ଟି ବଜାଇଛି । ଆମ ଖାଇବା ପ୍ଲେଟରେ ବିର୍ଯ୍ୟୟ ପହଞ୍ଚିଲାଣି । ଆମେ ଯାହା ବି ଖାଉଛେ ତାହା ବିଷ ଠୁ କମ ନୁହେଁ । ବିଷ ଖାଇଲେ, ଆମେ ସୁସ୍ଥ ହୋଇ ପାରିବା କି? ଆମ ଜୀବଜଗତ ତିଷ୍ଠି ପାରିବ କି? ମାଟିର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ଦ ଡ୍ରପ୍ସ ଅନୁଷ୍ଠାନ । ଅନୁଷ୍ଠାନ ପକ୍ଷରୁ ଆରମ୍ଭ କରାଯାଇଛି ମିଶନ ବସୁଧା । ଏହି ମିଶନରେ ମାଟିର ସୁରକ୍ଷା ପାଇଁ କେବଳ ସଚେତନତା ନୁହେଁ, ବରଂ ସହଯୋଗର ହାତ ବଢ଼ାଇବ ଅନୁଷ୍ଠାନ । ଏନେଇ ଏକ ଜାତୀୟ ସ୍ତରର କର୍ମଶାଳାରେ ମିଶନ ବସୁଧାର ଲକ୍ଷ୍ୟ ଓ ମାଟିର ସୁରକ୍ଷା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ମିଶନ ଆବାହକ ତଥା ମିଶନର ଫେସ ପୁଷ୍ପିତା ଦ୍ୱିବେଦୀ ।
ସେ ଦେଖାଇଛନ୍ତି ମାଟିର ସ୍ଥିତି, ମାନବଜାତି ଓ ଜୀବଜଗତ ପ୍ରତି ବିପଦ ଆଉ ପ୍ରତିକାର । ଏପରିକି ଖାଦ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ କରାଯାଇଥିବା ସବୁଜ ବିପ୍ଳବକୁ ସେ ଅଭିଷା ବୋଲି ଦର୍ଶାଇଛନ୍ତି । ସବୁଜ ବିପ୍ଳବର ନକରାତ୍ମକ ଦିଗକୁ ଠିକ ଭାବେ ତର୍ଜମା କରାଯାଇ ନଥିବାରୁ ଆଜି ସେହି ବିପ୍ଳବ ଆମ ଉପରେ ବୋଝ ହୋଇଯାଇଛି । ଏବେ ଠୁ ଆମକୁ ପ୍ରତିକାର ପାଇଁ ଗୋଡ଼ କାଢ଼ିବାକୁ ପଡ଼ିବ ବୋଲି ସେ ଆହ୍ୱାନ ଦେଇଥିଲେ । ନହେଲେ ଖୁବଶୀଘ୍ର ଆମେ ଖାଦ୍ୟାଭାବର ଶୀକାର ହେବା ବୋଲି ସେ ଚେତାଇ ଦେଇଥିଲେ । ଏହାର ପ୍ରତିକାର ପାଇଁ ସଂସ୍ଥା ପକ୍ଷରୁ ବୈଜ୍ଞାନିକ ଜ୍ଞାନକୌଶଳରେ ନିର୍ମିତ ସହାୟତା ପ୍ରଦାନ କରାଯାଉଛି । ପ୍ରତିଟି ଲୋକ ପାଖରେ ଏହି ସହାୟତା କିପରି ପହଞ୍ଚିବ ଓ ଲୋକେ କିପରି ମାଟିକୁ ସୁସ୍ଥ କରି ଆମ ସମାଜକୁ ସୁସ୍ଥ ରଖିପାରିବେ ତାହା ଉପରେ ଶ୍ରୀମତୀ ଦ୍ୱିବେଦୀ ଗୁରୁତ୍ୱ ଦେଇଥିଲେ ।
ଏହି ଅବସରରେ ମିଶନ ବସୁଧାର ବ୍ରେନ ତଥା ଆଇଆଇଟି ଭୁବନେଶ୍ୱରର ବୈଜ୍ଞାନିକ ଡ. ବିଶ୍ୱରଞ୍ଜନ ପ୍ରଧାନ କହିଲେ, ମାଟି ଅସୁସ୍ଥ ହେବାର କାରଣ ଓ ଏହାର ନିରାକରଣ କିପରି କରାଯିବା ଆବଶ୍ୟକ । ନିରାକରଣ ନହେଲେ କି ସମସ୍ୟା ଆସିବ । ସବୁଜ ବିପ୍ଳବକୁ ବି ସେ ଆଜିର ବିର୍ଯ୍ୟୟ ପାଇଁ ଦାୟୀ କରିଥିଲେ । ଯଦି ସେତେବେଳେ ଏଦିଗରେ ଚିନ୍ତା କରାଯାଇଥାନ୍ତା, ତେବେ ଏ ସମସ୍ୟା ଆସି ନଥାନ୍ତା କି ଆମ ଭବିଷ୍ୟତ ନେଇ ଆମେ ଚିନ୍ତିତ ନଥାନ୍ତେ ବୋଲି ଡ. ପ୍ରଧାନ କହିଥିଲେ ।
ଇକୋସିଏଟ ସହଭାଗିତା ଓ ଜିଆଇଟି ଗୁଣୁପୁର ସହାୟତା ଆୟୋଜିତ ଏହି କର୍ମଶାଳାରେ ବିଶ୍ୱବ୍ୟାଙ୍କର ପୂର୍ବତନ ପରାମର୍ଶଦାତା କିର୍ତ୍ତୀ ପ୍ରସନ୍ନ ମିଶ୍ର କହିଲେ, ସତର୍କଘଣ୍ଟି ତ ବାଜିଗଲାଣି । ମାଟି ଅସୁସ୍ଥତାର ବଡ଼ ନମୂନା ପଞ୍ଜାବ । ଓଡ଼ିଶାରେ ସ୍ଥିତି ବି ଭଲ ନାହିଁ । ବସୁଧା ମିଶନ ମାଧ୍ୟମରେ ମାଟିର ସୁରକ୍ଷା ସହ ମାଟିକୁ ସୁସ୍ଥ କରିବାକୁ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ମାଟିର ବିର୍ଯ୍ୟୟ ହୋଇଥିବା ଞ୍ଜାବ ଭଳି ରାଜ୍ୟକୁ ପରିବ୍ୟାପ୍ତ କରାଯିବ । ସମଗ୍ର ଦେଶରେ ଏହି ଅଭିଯାନ ଚାଲିବ ବୋଲି ମିଶ୍ର କହିଥିଲେ । ଏହି ଅବସରରେ ଡ. ବିଶ୍ୱରଞ୍ଜନ ଭୋଳ, ଡ. ଚିତ୍ତରଞ୍ଜନ ସାହୁ ପ୍ରମୁଖ ସେମାନଙ୍କର ମତ ବ୍ୟକ୍ତ କରିଥିଲେ । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବିଶେଷଜ୍ଞ, ଏଫପିଓ,ସ୍ବେଛାସେବୀ ଅନୁଷ୍ଠାନ,ଷ୍ଟାର୍ଟପ ଏବଂ ଚାଷୀମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।