ସାକ୍ଷୀଗୋପାଳ( ଦ କୁଇଭର ):- ଅଦିନିଆ ବର୍ଷାରେ ବୁଡ଼ିଗଲା ଚାଷ । ସୁନାର ଫସଲ ମାଟିରେ ଲୁଟିଲା । ଧାନ ଖଳାକୁ ଆସିବ କଣ ସେଇଠି ହିଁ ଗଜା ହୋଇଗଲା। ନା ଧାନ ବିଲରୁ ଧାନ ଅମଳ ହୋଇପାରିବ । ଏଭଳି ସ୍ଥିତି ଦେଖି ଭାଙ୍ଗି ପଡିଲେ ଚାଷୀ । ଅନେକ ଚିନ୍ତା ଘାରିଲା ମୁଣ୍ଡରେ । ଋଣ ସୁଝିବେ କେମିତି ? ଘର, ପରିବାର ପେଟକୁ ଦାନା ଦେବେ କେମିତି ? ଏମିତି ବୋଝ ମୁଣ୍ଡ ଉପରେ । ସାମ୍ନାରେ ପଚିଯାଉଛି ଧାନ । ଏକଥା ଦେଖି ହଠାତ ନିରବି ଗଲେ, ବିଲ ମୁଣ୍ଡରେ ହିଁ ଚାଲିଗଲା ତାଙ୍କ ଜୀବନ । ଏ ଘଟଣା ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିରାମଚନ୍ଦ୍ରପୁର ଗ୍ରାମର ପୁର୍ଣଚନ୍ଦ୍ର ଦଳାଇ ।
କଥାରେ ଅଛି, ଲହ ଲହକା ପତର ବଙ୍କା, ତା ଫଳ ବିକାଏ, ମୁଠାଏ ଟଙ୍କା । ଅର୍ଥାତ, ଧାନ ହେଉଛି ସେହି ଫସଲ, ଯାହାକୁ ବିକିଲେ ଚାଷୀ ପାଏ ଟଙ୍କା । ସେହି ଆଶା ନେଇ ସମସ୍ତେ କରୁଛନ୍ତି ଚାଷ । ଚାଷ କରିବା, ଦି ଓଳି ଦାନା ବି ଖାଇବା, ଆଉ ବିକି କିଛି ଟଙ୍କା ଆଣି ପରିବାର ଚଳାଇବା । ହେଲେ ଏବେ ଦାଉ ସାଜୁଛି ଅଦିନିଆ ବିପର୍ଯ୍ୟୟ । ଲଘୁଚାପ ଯୋଗୁ ଅଦିନିଆ ବର୍ଷା, ଅମଳ ହେବାକୁ ଥିବା ଧାନ ପାଣିରେ ବୁଡ଼ିଗଲା । ଧାନ ଗଛର ପାଣିକୁ ସହିବାର କ୍ଷମତା ନଥିବାରୁ ପଚିଗଲା । ଆଖି ଆଗରେ ଉଜୁଡି ଗଲା ସୁନାର ଫସଲ । ଯାହାକୁ ନେଇ ଚାଷୀ କୁଳ ଏବେ ହତାଶ ।
ବିରାମଚନ୍ଦ୍ରପୁର ଗ୍ରାମର ପୁର୍ଣଚନ୍ଦ୍ର ଦଳାଇ ଚାଷ ବିଲକୁ ଯାଇଥିଲେ । ତିନି ଦିନ ହୋଇଗଲାଣି ଧାନ ବୁଡ଼ି ଯାଇଥିବାରୁ, ଧାନ ଅମଳର ଆଶା ତାଙ୍କର ମଉଳି ଯାଇଥିଲା । ନାନା ଚିନ୍ତାରେ ସେ ପଡ଼ିଥିଲେ । କଣ କରିବି ? ଋଣ କେମିତି ସୁଝିବି ? ଧାନ ମୁଠେ ବିକି ପାରିବିନି ଟଙ୍କା ପାଇବିନି । ଏଥର ଆଶାଥିଲା ସରକାର ଧାନ କୁଇଣ୍ଟାଲ ୩୧୦୦ ଟଙ୍କା କରିଛନ୍ତି । ଦୁଇପଇସା ଭଲ ପାଇବେ । ଅନ୍ତତ ବର୍ଷକ ପାଇଁ ଚଳିବେ । ହେଲେ ବର୍ଷା ଉଜାଡି ଦେଲା । ତାହାହିଁ ନେଇଗଲା ତାଙ୍କ ଜୀବନ ।