ଭୁବନେଶ୍ୱର(ଦ କୁଇଭର): ମେଳି ହେଲେଣି ଚାଷୀ । ଏକଜୁଟ ହେବେ ଆଉ ମଇଦାନକୁ ଓହ୍ଲାଇବେ । ବ୍ଲକରୁ ଜିଲ୍ଲା ଆଉ ଜିଲ୍ଲାରୁ ରାଜଧାନୀକୁ ଘେରିବେ । ପଞ୍ଜାବର ଚାଷୀଙ୍କ ଭଳି ପୂରା ଅଚଳ କରିଦେବେ ଚକ ଅଖ । ଚାଷୀ ତାର ହକ ପାଇଁ ଏପରି ଯୋଜନା ପ୍ରସ୍ତୁତ କରୁଛି । ଏପରି ଯୋଜନା ପାଇଁ ଚାଷୀ ନେତା ମାନଙ୍କ ଗାଁ ଗାଁ ବୈଠକରେ ସରକାରୀ ବିରୋଧୀ ଅଭିଯାନ ପ୍ରସ୍ତୁତ ହେଉଛି । ଜମିକୁ ପାଣି ଦାବି କରି ଚାଷୀମାନେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି କହିଲେଣି ।
ଚାଷୀ ନେତା ମାନଙ୍କ କଥା ବେଶ ଯୁକ୍ତିଯୁକ୍ତ । ସେମାନଙ୍କ କହିବା ଅନୁଯାୟୀ, ପଞ୍ଜାବର ମାଟି ତଳେ ମାତ୍ର ୨ ପ୍ରତିଶତ ମଧୁରଜଳ ରହିଛି । ହେଲେ ସେଠାକାର ୮୦ଭାଗ ଜମିକୁ ଜଳସେଚିତ କରାଯାଇଛି । ଓଡ଼ିଶାର ମାଟି ତଳେ ୧୨ ପ୍ରତିଶତ ପାଣି ଅଛି । କିନ୍ତୁ ଆମ ରାଜ୍ୟରେ ୩୩ଭାଗ ଜମିକୁ ବି ଜଳସେଚିତ କରାଯାଇ ପାରିନାହିଁ । ସରକାରୀ ସ୍ତରରେ ବହୁତ ବଡ଼ ବଡ଼ କଥା କୁହାଯାଉଛି, ତାଲିକା ଦିଆଯାଉଛି । ହେଲେ ବାସ୍ତବତା ପୂରା ଓଲଟା । ଚାଷୀଙ୍କ ବାସ୍ତବ ବିକାଶ ପାଇଁ କେହି ହେଲେ ନାହାନ୍ତି ।
ଓଡ଼ିଶାର ଚାଷୀମାନେ ବି ଭାରି ସରଳ । ପଞ୍ଜାବର ୬୦ଭାଗ ଚାଷୀ ଚାଷ କରନ୍ତି ଓ ୪୦ଭାଗ ଚାଷୀଙ୍କ ହକ ମାଗିବାକୁ ଲଢ଼େଇ କରନ୍ତି । ଧାରଣା ଦେବା ଠୁ ଆନେ୍ଦାଳନ କରିବା ପର୍ଯ୍ୟନ୍ତ ସବୁ କମ କରନ୍ତି । ଫଳରେ ସେଠାକାର ସରକାର ସେମାନଙ୍କ କଥାକୁ ଗ୍ରହଣ କରିନେଉଛନ୍ତି । ମାତ୍ର ଓଡ଼ିଶାରେ ୯୫ଭାଗ ଚାଷୀ ଚାଷରେ ନିୟୋଜିତ ରହୁଛନ୍ତି ମାତ୍ର ୫ ପ୍ରତିଶତ ଚାଷୀ ହକ ପାଇଁ ଲଢ଼େଇ କରନ୍ତି । ମାତ୍ର ଏଥର ସ୍ଥିତି ବଦଳିବ । ଏଣିକି ୪୦ଭଗ ଚାଷୀ ହତ ପାଇଁ ଲଢ଼ିବେ ବୋଲି କୁହାଯାଉଛି । ଦେଖାଯାଉ ଚାଷୀମାନେ ସରକାରଙ୍କ ନିଦ ହଜାଇ ପାରୁଛନ୍ତି ନା ନିଜେ ଦବି ଯାଉଛନ୍ତି ।