Join Us To Make A Difference

The Drops💧

ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା

ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା
Published by:Jyotshna Kumari
#farming

ଦ କୁଇଭର ବ୍ୟୁରୋ :- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ସେଠାରେ ସେ ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ସିଧା ପଠାଇବେ। ଏଥିସହିତ ସେଠାରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।କୃଷକମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରାୟ ୯.୪ କୋଟି କୃଷକଙ୍କୁ ପାଖାପାଖି ୨୦,୦୦୦ କୋଟି ଟଙ୍କାର ପିଏମ-କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ।ଏହି କିସ୍ତି ଜାରୀ ପରେ ପିଏମ-କିଷାନ ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ମୋଟ ପାଣ୍ଠି ପ୍ରାୟ ୩.୪୫ ଲକ୍ଷ କୋଟି ଟଙ୍କା ହେବ।

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

Crime

ଦିଗପହଣ୍ଡି ଓ ନୁଆଗାଁ ଥାନା ପୋଲିସ ଦ୍ୱାରା ୫ ଅଭିଯୁକ୍ତ ଗିରଫ,ବହୁ ସୁନା ଓ ଟଙ୍କା ଜବତ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ଏବଂ ନୂଆଗାଁ ପୋଲିସକୁ ମିଳିଛି ବଡ଼ ସଫଳତା l ୧୦ଟି ଚୋରି ଘଟଣାର ପର୍ଦାଫାଶ କରିବା ସହ ୫ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ୨୫୦ ଗ୍ରାମ ସୁନା ଗହଣା ସହ ଦେଢ଼ ଲକ୍ଷ ଟଙ୍କା ନଗଦ ଜବତ କରିଛି ପୋଲିସ l ଦିଗପହଣ୍ଡି ଥାନା ଅନ୍ତର୍ଗତ ସୁମନ୍ତପୁର ଗ୍ରାମର ପ୍ରହଲ୍ଲାଦ ପ୍ରଧାନ ଗତ ୨ ତାରିଖରେ ଦିଗପହଣ୍ଡି ଥାନାରେ ଏକ ଚୋରି ମାମଲା ଦାୟର କରିଥିଲେ ଏବଂ ସନ୍ଦେହ ଥିବା କିଛି ବ୍ୟକ୍ତିଙ୍କ ନାମ ମଧ୍ୟ ଜଣାଇଥିଲେ ପୋଲିସକୁ l ସନ୍ଦେହ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ଦ୍ୱାରା ସମସ୍ତ ତଥ୍ୟ ପଦାକୁ ଆସିଥିଲା l ଅନ୍ୟ ଅଭିଯୁକ୍ତଙ୍କ ନାମ ଜଣାଇବା ସହ ଚୋରି କରିଥିବା ସମସ୍ତ ୧୦ ଟି ମାମଲାରେ ରାଜି ହୋଇଥିଲେ ଏବଂ ଚୋରି କରିଥିବା ୨୫୦ ଗ୍ରାମ ସୁନା ଗହଣା କାହାକୁ ବିକ୍ରି କରିଛନ୍ତି, ବିକ୍ରି କରିଥିବା ବ୍ୟକ୍ତିର ଠିକଣା ସହ ଜଣାଇଥିଲେ ଯାହାଫଳରେ ପୋଲିସ ଉକ୍ତ ବ୍ୟକ୍ତି ପାଖରେ ପହଂଚିବା ସହଜ ହୋଇଥିଲା l ତା'ସହିତ ନଗଦ ଦେଢ଼ ଲକ୍ଷ ଟଙ୍କା ଯାହାଙ୍କ ପାଖରେ ରଖୁଥିଲେ ସେ ବ୍ୟକ୍ତିର ମଧ୍ୟ ସୂଚନା ଦେଇଥିଲେ,ଯାହାଫଳରେ ପୋଲିସ ସମୁଦାୟ ୧୦ ଟି ଚୋରି କେସର ପର୍ଦାଫାଶ କରିବା ସହ ସମସ୍ତ ୫ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ଦିଗପହଣ୍ଡି ଥାନା ପୋଲିସ ଏବଂ ନୂଆଗାଁ ଥାନା ପୋଲିସ l ତେଵେ ସମସ୍ତ ଅପରାଧୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l

National,International

TikTok କୁ ଅନବ୍ଲକ୍ କରିବା ଖବର ମିଛ

Blog Thumbnail

ଦ କୁଇଭର ବ୍ୟୁରୋ :- ଚୀନର ଆପ TikTok କୁ ଅନବ୍ଲକ୍ କରିବା ଖବର ମିଛ । ଭାରତ ସରକାର TikTok କୁ ଅନବ୍ଲକ୍ କରିବା ପାଇଁ କୌଣସି ଆଦେଶ ଜାରି କରିନାହାନ୍ତି । ଏପରି କୌଣସି ବିବୃତି କିମ୍ବା ଖବର ମିଛ ଓ ବିଭ୍ରାନ୍ତିକର । ୨୦୨୦ ମସିହାରେ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ଓ ଗୋପନୀୟତାକୁ ନେଇ ଟିକଟକ୍ ସମେତ ଚୀନର ଅନେକ ଆପକୁ ପ୍ରତିବନ୍ଧିତ କରିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରତିବନ୍ଧକକୁ ହଟାଇବା ପାଇଁ କୌଣସି ସରକାରୀ ନିଷ୍ପତ୍ତି କିମ୍ବା ଘୋଷଣା କରାଯାଇନାହିଁ । ଏପରି ମିଛ ଖବରରୁ ସଚେତନ ରହିବାକୁ ଦିଆଯାଇଛି ପରାମର୍ଶ ।


ତେଵେ ଶୁକ୍ରବାର ଦିନ ଭାରତ ସରକାର ଚୀନ୍ ଭିଡିଓ ଏଗ୍ରିଗେଟର୍ ପ୍ଲାଟଫର୍ମ TikTok ଉପରୁ ପ୍ରତିବନ୍ଧକ ଉଠାଇ ନିଆଯାଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଇନଫରମେସନ୍ ଟେକ୍ନୋଲୋଜି ମନ୍ତ୍ରଣାଳୟର ସୂତ୍ର ସ୍ପଷ୍ଟ କରିଛନ୍ତି ଯେ ଭାରତରେ TikTok ପାଇଁ କୌଣସି ଅନବ୍ଲକ୍ କରିବା ନିର୍ଦ୍ଦେଶ ଜାରି କରାଯାଇ ନାହିଁ ।

City

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପେନେଲ ଓକିଲ ମାନଙ୍କ ପ୍ରଶିକ୍ଷଣ ଶିବିର

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ବ୍ୟୋମକେଶ ନାୟକଙ୍କ ପରିଚାଳନାରେ ବୁଧବାର ଗଞ୍ଜାମ ଜିଲ୍ଲା କୋର୍ଟ ଅଧିନସ୍ଥ ରିଜୋନାଲ ଜୁଡ଼ିସିଆଲ ଏକାଡେମୀ ପରିସରରେ ପେନେଲ ଓକିଲ ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୋର ୩ ଟି ସେସନ ରହିଥିବାବେଳେ ୧୨ ଟି ବିଷୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ବନ୍ଧୀୟ ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ନିଜେ ସଚିବ ବ୍ୟୋମକେଶ ନାୟକ ଏବଂ ସଦସ୍ୟ ଟି.କେ ରେଡ୍ଡୀ ପ୍ରଶିକ୍ଷଣ ଦେଇଥିବାବେଳେ ବହୁ ପେନେଲ ଓକିଲ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିବା ଦେଖିବାକୁ ମିଳିଛି l

National

ଚିଠା ବିଲ୍‌ କପି ଚିରି ଶାହଙ୍କ ଉପରକୁ ଫୋପାଡ଼ିଲେ ବିରୋଧୀ

Blog Thumbnail

ଦ କୁଇଭର ବ୍ୟୁରୋ :- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ପ୍ରବଳ ହଟ୍ଟଗୋଳ ଭିତରେ ୩ଟି ବିଲ୍‌ ଆଗତ କରିଛନ୍ତି। ଏହି ବିଲ୍‌ ଅଧୀନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଯଦି କୌଣସି ଗୁରୁତର ଅପରାଧରେ ଗିରଫ ହୋଇ ଲଗାତାର ୩୦ ଦିନ ଜେଲ୍‌ରେ ରହିବେ କିମ୍ବା ହାଜତରେ ଅଟକ ରହିବେ, ତା’ହେଲେ ସେମାନଙ୍କୁ ପଦରୁ ହଟାଇ ଦିଆଯିବ। ଏହି ତିନୋଟି ବିଲ୍ ହେଉଛି ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍, କେନ୍ଦ୍ରଶାସିତ ଅଞ୍ଚଳ ସରକାର (ସଂଶୋଧନ) ବିଲ୍ ଏବଂ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍। ଉଲ୍ଲେଖଯୋଗ୍ୟ, ବିଲ୍‌ରେ ଥିବା ପ୍ରସ୍ତାବ ଅନୁଯାୟୀ ଯଦି ଜଣେ କାର୍ଯ୍ୟରତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲ୍‌ଦଣ୍ଡ ଥିବା ଅପରାଧରେ ଲଗାତାର ୩୦ ଦିନ ପାଇଁ ଗିରଫ କରାଯାଏ କିମ୍ବା ଅଟକ ରଖାଯାଏ, ତା’ହେଲେ ସେମାନେ ଗୋଟିଏ ମାସ ମଧ୍ୟରେ ନିଜର ପଦବି ହରାଇବେ।


ଅମିତ ଶାହ ମଧ୍ୟ ଏହି ୩ଟି ବିଲ୍‌କୁ ପରବର୍ତ୍ତୀ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବା ପାଇଁ ଲୋକସଭାରେ ଏକ ପ୍ରସ୍ତାବ ଆଣିଥିଲେ। ଭୀଷଣ ହଟ୍ଟଗୋଳ ଭିତରେ ବିଲ୍‌ଗୁଡ଼ିକୁ ଜେପିସିକୁ ପଠାଯାଇଛି। ଉଭୟ ସରକାର ଓ ବିରୋଧୀ ସାଂସଦଙ୍କ ମଧ୍ୟରୁ ୨୧ ଜଣ ଲୋକସଭା ସଦସ୍ୟ ଓ ୧୦ ଜଣ ରାଜ୍ୟସଭା ସଦସ୍ୟଙ୍କୁ ନେଇ ଗଠିତ ଜେପିସି ଏହି ବିଲ୍‌ଗୁଡ଼ିକୁ ଅନୁଧ୍ୟାନ କରିବ। ଆଗାମୀ ସଂସଦ ଅଧିବେଶନର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ବିଲ୍‌ଗୁଡ଼ିକର ସମୀକ୍ଷା କରି ରିପୋର୍ଟ ଦାଖଲ କରିବାକୁ ଜେପିସିକୁ ଦାୟିତ୍ବ ଦିଆଯାଇଛି। ତେବେ ଏହାର ସୁପାରିସ ସରକାରଙ୍କ ପାଇଁ ବାଧ୍ୟତାମୂଳକ ହେବନାହିଁ। ଉକ୍ତ ୩ ପ୍ରମୁଖ ବିଲ୍‌କୁ ନେଇ ସଂସଦରେ ଆଜି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିରୋଧୀ ସାଂସଦମାନେ ୩ ପ୍ରମୁଖ ବିଲ୍‌ର କପି ଚିରି ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରକୁ ଫୋପାଡ଼ିଥିଲେ। ବିରୋଧୀ ଦଳ ନେତାମାନେ ଜୋର୍‌ଦାର ହଙ୍ଗାମା କରିଥିଲେ। କେତେକ ସାଂସଦ ଏଭଳି ବିଲ୍‌କୁ ପ୍ରତ୍ୟାହାର କରାନଗଲେ ଭଙ୍ଗାରୁଜା ଆରମ୍ଭ କରିବେ ବୋଲି ଧମକ ମଧ୍ୟ ଦେଇଥିଲେ। ସରକାର ବିରୋଧୀଙ୍କ ଆଚରଣକୁ କଡ଼ା ନିନ୍ଦା କରିବା ସହ ଅଗଣତାନ୍ତ୍ରିକ ଆଚରଣ କଦାପି ଗ୍ରହଣୀୟ ନୁହେଁ ବୋଲି ଚେତାଇ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଶାହ ଗୃହରେ ବିଲ୍ ଉପସ୍ଥାପନ କରିବା ପଦକ୍ଷେପକୁ ପ୍ରଥମେ ଏଆଇଏମ୍‌ଆଇଏମ୍‌ ସଭାପତି ଅସଉଦ୍ଦିନ୍ ଅୱେସି ବିରୋଧ କରିଥିଲେ ଏବଂ ଏହା ପରେ ବିରୋଧୀ ଦଳଙ୍କର ସ୍ଲୋଗାନ ଆରମ୍ଭ ହୋଇଯାଇଥିଲା। ଯାହାଫଳରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୃହକାର୍ଯ୍ୟକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

Education,Crime,City

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି: ଜେନାଙ୍କ ଥାନା ଘେରାଉ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି। ଅଣଛାତ୍ରଙ୍କ ଆକ୍ରମଣ ଘଟଣାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଧାରଣା । ଆହତ ଛାତ୍ରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାତିସାରା ଗୋପାଳପୁର ଥାନା ଘେରାଉ । ରମେଶ ଜେନାଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ ଓ ବିଶ୍ୱବିଦ୍ୟାଳୟର ବହୁ ଛାତ୍ର ଗତକାଲି ବିଳମ୍ବିତ ରାତିରେ ଗୋପାଳପୁର ଥାନା ଘେରାଉ କରିଥିଲେ ।


ଗତକାଲି ରାତିରେ ବିଶ୍ବବିଦ୍ୟାଳୟରେ ଅଣଛାତ୍ର ପ୍ରବେଶ କରି ଜଣେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଅଣଛାତ୍ରର ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ଛାତ୍ର ଅଭିଳାଷ ମିଶ୍ର । କ୍ଯାମ୍ପସ୍ ଭିତରେ ଏହି ଘଟଣା ଘଟିଥିଲା । ଆହତଙ୍କ ମଧ୍ୟରୁ କିଛି ଛାତ୍ର ବ୍ରହ୍ମପୁର MKCGରେ ଚିକିତ୍ସିତ ହୋଇଛନ୍ତି। ଯୁକ୍ତିତର୍କରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନ କଲେ ପୁଣି ଥରେ ଥାନା ଘେରାଓ କରାଯିବ ବୋଲି ରମେଶ ଜେନା କହିଥିଲେ ।

Weather

୨୪ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ - ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ବିଜୁଳି, ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ କେନ୍ଦୁଝର, ମୟୂରବଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ବର ଓ ବୌଦ୍ଧକୁ ୟେଲୋ ଆଲର୍ଟ ଦିଆଯାଇଛି । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ l ସେହିପରି ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୪ ତାରିଖ ପରଠାରୁ କମିବ ବର୍ଷା ପରିମାଣ। ଏପଟେ ୨୪ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ରାଜ୍ୟରେ ମୌସୁମୀ ଋତୁରେ ଏଯାଏ ସ୍ବାଭାବିକ ବୃଷ୍ଟିପାତ ୮୦୧.୫ ମିଲିମିଟର ବର୍ଷା ହେବା କଥା । ହେଲେ ଏଯାଏ ୭୫୪.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ୨ ଜିଲ୍ଲାରେ ଅତ୍ୟଧିକ ବୃଷ୍ଟିପାତ, ୨୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ଓ ବାକି ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

Politics,City

ବ୍ରହ୍ମପୁରରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ଚାଲିଥିବା ସମୟରେ ପାଖାପାଖି ୨୦୦ କୋଟି ଟଙ୍କାର ଅନୁଦାନ ଦେଇ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ବିକାଶ ଦିଗରେ କାର୍ଯ୍ୟରତ ଥିବାବେଳେ କଂଗ୍ରେସ ବିଧାୟକ ରମେଶ ଜେନା ଅଣଛାତ୍ର ମାନଙ୍କୁ ନେଇ ବିଶୃଙ୍ଖଳିତ ବାତାବରଣ ତିଆରି କରିବା ପାଇଁ ପ୍ରୟାସକୁ ବିଜେପି ପକ୍ଷରୁ ହିଲପାଟଣା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ "ସାମ୍ବାଦିକ ସମ୍ମିଳନୀରେ" ଦୃଢ଼ ନିନ୍ଦା କରାଯାଇଛି । ଗତ କାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଘଟିଥିବା ଛାତ୍ର ଅଶାନ୍ତି ପରିପ୍ରେକ୍ଷୀରେ ସାନଖେମୁଣ୍ଡିର ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ଜେନା ସେଠାରେ ପହଞ୍ଚି ଯେଉଁପରି ଭାବରେ ରାଜ୍ୟ ସରକାର ଓ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ମାନ ଦେଲେ ଗଞ୍ଜାମ ଜିଲ୍ଲା ବିଜେପି ତରଫରୁ ତାକୁ ଦୃଢ଼ ନିନ୍ଦା କରାଯାଇଛି । ଛାତ୍ର ମାନଙ୍କ ମଧ୍ୟରେ କୌଣସି କାରଣରୁ ହୋଇଥିବା ବିବାଦର ସମାଧାନ କରିବାକୁ ଉଦ୍ୟମ କରିବା ଜଣେ ଦାୟିତ୍ଵ ସମ୍ପର୍ଣ୍ଣ ନେତାଙ୍କ କାର୍ଯ୍ୟ କିନ୍ତୁ ବିଧାୟକ ରମେଶ ଜେନା ତାହା ନକରି ଗୋପାଳପୁର ବେଳାଭୂମି ଗଣ ଦୁଷ୍କର୍ମ ଘଟଣାରେ ନଅ ଲକ୍ଷ ଟଙ୍କା କାରବାର ହୋଇଛି ଓ ଖଣି, ବାଲି, ମୋରମ ଚୋରୀ ହେଉଥିବା କଥା ଅଭିଯୋଗ କରିଛନ୍ତି ଯାହାକି ଶସ୍ତା ରାଜନୀତିକୁ ପରିପ୍ରକାଶ କରୁଛି । ମୋହନ ମାଝୀଙ୍କ ସରକାରରେ ଅପରାଧି କେତେ ଶକ୍ତିଶାଳୀ ହେଉନା କାହିଁକି ଆଇନ୍ ହାତରୁ ଖସି ଯାଇପାରିବ ନାହିଁ । ଗୋପାଳପୁର ଦୁଷ୍କର୍ମ ଘଟଣାରେ ଚବିଶି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ୪୫ ଦିନ ମଧ୍ୟରେ କୋର୍ଟରେ କ୍ରାଇମ ବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି । ବିଧାୟକ ରମେଶ ଜେନାଙ୍କ ପାଖରେ ଯଦି ଟଙ୍କା କାରବାରର କୌଣସି ପ୍ରମାଣ ଅଛି ତେବେ ସେ ତାକୁ ପୁଲିସରେ କାହିଁକି ଅଭିଯୋଗ କରୁନାହାଁନ୍ତି ବୋଲି ଜିଲ୍ଲା ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି । ଜିଲ୍ଲାରେ ଚୋରା ବାଲି, ମଦ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସରକାର କାହାକୁ ଛାଡିବେ ନାହିଁ, ଏଣୁ ଶସ୍ତା ଲୋକପ୍ରିୟତା ପାଇଁ ବିଧାୟକ ରମେଶ ଜେନା ଲୋକଙ୍କୁ ବିଭ୍ରାନ୍ତ କରିବା ବନ୍ଦ କରନ୍ତୁ ବୋଲି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ଵରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ନେତୃବୃନ୍ଦ "ସାମ୍ବାଦିକ ସମ୍ମିଳନୀରେ" ପ୍ରକାଶ କରିଛନ୍ତି

State

ନବୀନ ନିବାସରେ ପ୍ରେମ ପଟ୍ଟନାୟକ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ନବୀନ ନିବାସରେ ପ୍ରେମ ପଟ୍ଟନାୟକ । ଦୀର୍ଘ ଦିନ ପରେ ନବୀନ ନିବାସକୁ ଆସିଛନ୍ତି ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଭେଟିବା ଲାଗି ବଡ଼ ଭାଇ ନବୀନ ନିବାସରେ ପହଞ୍ଚିଛନ୍ତି । ଶୁକ୍ରବାର ରାତିରେ ନବୀନଙ୍କୁ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ପ୍ରେମ । ପ୍ରେମଙ୍କ ହଠାତ ଓଡିଶା ଗସ୍ତ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ଦୀର୍ଘ ଦିନ ବ୍ୟବଧାନ ପରେ ନବୀନ ନିବାସକୁ ଆସିଛନ୍ତି ବିଜୁ ବାବୁଙ୍କ ବଡ଼ ପୁଅ ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ନବୀନ ସୁସ୍ଥ ହୋଇ ଘରୋଇ ହସ୍ପିଟାଲରୁ ଫେରିବା ପରେ ନବୀନଙ୍କୁ ଭେଟିବାକୁ ପ୍ରେମ ଆସିଥିବା କୁହାଯାଉଛି । ୨୦୧୯ ମସିହାରେ ନବୀନ ୫ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନବୀନ ନିବାସ ଆସିଥିଲେ ପ୍ରେମ । ତେବେ ବର୍ତ୍ତମାନ ହଠାତ ପ୍ରେମ କାହିଁକି ଆସିଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କେବଳ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ଆସିଛନ୍ତି ନା ଆଉ କିଛି କାରଣ ରହିଛି ସେ ନେଇ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ଭିତରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ନବୀନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ପ୍ରେମ । ନବୀନ ନିବାସରେ ନବୀନଙ୍କ ଉପସ୍ଥିତରେ ପ୍ରେମ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ପ୍ରେମ ଡାକ୍ତରଙ୍କ ସହ ଆଲୋଚନା କରୁଥିବା ଭିଡିଓ ନବୀନ ନିବାସ ପକ୍ଷରୁ ଜାରୀ କରାଯାଇଛି । ଆଲୋଚନା ସମୟରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ପ୍ରେମଙ୍କ ହଠାତ ନବୀନ ନିବାସକୁ ଆଗମନ ନେଇ କୌଣସି ସ୍ପଷ୍ଟତା ଆସିନାହିଁ ।

Crime,State

କୋଟିପତି ସିନିୟର ଆସିଷ୍ଟାଣ୍ଟ ଗିରଫ

Blog Thumbnail

ଦ କୁଇଭର ବ୍ୟୁରୋ :- କୋଟିପତି ସିନିୟର ଆସିଷ୍ଟାଣ୍ଟ ଗିରଫ । ଆୟଠୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର ସାହାଣୀଙ୍କୁ ଗିରଫ କରିଛି ଭିଜିଲାନସ । ଆଜି ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ ଜଜ କୋର୍ଟକୁ ଚାଲାଣ କରାଯିବ । ଭିଜିଲାନ୍ସ ରେଡ ବେଳେ ତାଙ୍କର ଦୁଇଟି ବିଲ୍ଡିଂ ଏବଂ ୧୯ ମୂଲ୍ୟବାନ ପ୍ଲଟ ଠାବ ହୋଇଛି। କଟକ ସହର ଓ ଏହାର ଆଖପାଖରେ ରହିଛି ସବୁ ପ୍ଲଟ । ଚୌଦ୍ବାରର ପଳାଶିଆରେ ଅଢ଼େଇ ଏକର ଜମିରେ ବାବୁଙ୍କର ରହିଛି କୁକୁଡ଼ା ଫାର୍ମ ।ସେହିପରି ନୂଆସାହିରେ ୨୫ଶହ ବର୍ଗଫୁଟରେ ଏକ ତିନି ମହଲା କୋଠା ରହିଛି । ବରିଷ୍ଠ ସହାୟକ କିଶୋର ସାହାଣୀଙ୍କ ଘରୁ ମିଳିଛି ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା ଏବଂ ୧୩୫ ଗ୍ରାମ ସୁନା । ବିଭିନ୍ନ ବ୍ୟାଙ୍କ ଏବଂ ପୋଷ୍ଟାଲରେ ୫୫ ଲକ୍ଷ ୪୮ ହଜାର ଟଙ୍କା ଜମା ରହିଛି । ବାବୁଙ୍କର ଗୋଟିଏ ଚାରି ଚକିଆ ଓ ୩ଟି ଦୁଇ ଚକିଆ ଯାନ ଅଛି। ତାଙ୍କ ନାଁରେ ୧ କୋଟି ୨୪ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ ଥିଲା । ଆୟ ବହିର୍ଭୂତ ସଂପୂତ୍ତି ଠୁଳ ଅଭିଯୋଗରେ କିଶୋରଙ୍କ ଲିଙ୍କ୍ ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ତେବେ ଏତେ ସଂପତ୍ତି କିପରି କମାଇଲେ ସେ ବାବଦରେ ବରିଷ୍ଠ ସହାୟକ କିଶୋର ସାହାଣୀ ଭିଜିଲାନସ ଅଧିକାରୀଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

State

ଆଜି ପୁଣି ଖୋଲିବ ହୀରାକୁଦ ଡ୍ୟାମ ଗେଟ

Blog Thumbnail

ସମ୍ବଲପୁର( ଦ କୁଇଭର ):- ଉପରମୁଣ୍ଡରେ ବର୍ଷା ଯୋଗୁ ଫୁଲୁଛି ମହାନଦୀ । ଆଜି ପୁଣି ଖୋଲିବ ହୀରାକୁଦ ଡ୍ୟାମ ଗେଟ । ପ୍ରଥମ ପର୍ଯ୍ୟାୟରେ ୪ରୁ ଅଧିକ ଗେଟ ଖୋଲା ଯାଇପାରେ । ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୨୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ ଜଳ ପ୍ରବେଶ କରୁଛି । ଏଥିପାଇଁ ମହାନଦୀ ଭିତରକୁ ନ ଯିବାକୁ ସତର୍କ ସୂଚନା ଜାରିକରିଛନ୍ତି ବନ୍ଧ କର୍ତ୍ତୃପକ୍ଷ ।ଅନ୍ୟପଟେ ଆସନ୍ତା ୨୫ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ପ୍ରବଳ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ।

City,Crime

କିଆ ଗାଡ଼ିରୁ ଏକାଧିକ ଖଣ୍ଡା ଜବତ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବାଇପାସ୍ ନିକଟରେ ଅଜଣା ଗାଡ଼ିକୁ ଜବତ କଲା ପୋଲିସ l ଗାଡ଼ି ଭିତରେ କିଛି ଖଣ୍ଡା, ବ୍ରାଉନ ସୁଗର ସହ କିଛି ମାଦକ ଦ୍ରବ୍ୟ ଥିବା ସୂଚନା ରହିଛି l ଗାଡ଼ିକୁ ଜଗି ରହିଛି ବୈଦ୍ୟନାଥପୁର ଥାନା ପୋଲିସ l ଲାଞ୍ଜିପଲ୍ଲୀ ଫାଣ୍ଡି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଗାଡ଼ିକୁ ଲକ କରି ଚମ୍ପଟ ମାରିଛନ୍ତି ଦୁବୃର୍ତ୍ତ ।


ତେଵେ ଆଙ୍କୁଲି ବାଇପାସ୍‌ ନିକଟରେ ଏକ କାରରୁ ୩ଟି ଖଣ୍ଡା ଜବତ କରିଛି ଲାଞ୍ଜିପଲ୍ଲୀ ଫାଣ୍ଡି ପୁଲିସ। ଏହି ଗାଡ଼ିରେ ଛତ୍ରପୁର ଅଞ୍ଚଳର କିଛି ଯୁବକ ବନ୍ଧୁକ ଓ ଖଣ୍ଡା ଧରି ଗତକାଲି ରାତିରେ ବିଜିପୁର ଅଞ୍ଚଳରେ ଜଣେ ଯୁବକକୁ ମାରପିଟ କରିଥିଲେ ବୋଲି ସୂଚନା ରହିଛି| ତେଵେ ସମ୍ପୃକ୍ତ ଯୁବକମାନେ କାହାକୁ ଜୀବନରୁ ମାରିଦେବା ଦବାକୁ ଯୋଜନା କରିଥିବା ହେତୁ ଉକ୍ତ ଗାଡ଼ିରେ ଖଣ୍ଡା ରହିଥ‌ିବା ପୁଲିସ ସନ୍ଦେହ କରୁଛି। ମଙ୍ଗଳବାର ବୈଦ୍ୟନାଥପୁର ଥାନା ପୁଲିସ ଉକ୍ତ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଜାରି ରଖୁଛି I ସେପଟେ ଗାଡ଼ି ଛାଡ଼ି ଦୁର୍ବୁତ୍ତମାନେ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।ସମ୍ପୃକ ଯୁବକମାନେ ବ୍ରାଉନ୍‌ ସୁଗର କାରବାରରେ ଲିପ୍ତ ରହିଥ‌ିବା ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ଦୁର୍ବୃତ୍ତମାନେ ଲଣ୍ଡା ହୋଇଥିବା ସିସିଟିଭି ଫୁଟେଜରୁ ସ୍ବଷ୍ଟ କରିଛି ପୁଲିସ | ସୀମାଞ୍ଚଳରୁ ଲଣ୍ଡା ହୋଇ ଆସିଥିବା ପୁଲିସ ତଦନ୍ତରେ ଜାଣିବାକୁ ପାଇଛି।

State

ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର

Blog Thumbnail

ଦ କୁଇଭର ବ୍ୟୁରୋ :- ମହିଳା ଏବଂ ଶିଶୁ ସୁରକ୍ଷାକୁ ନେଇ ସରକାରଙ୍କ ବଡ ପଦକ୍ଷେପ । ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର । କୌଣସି ମହିଳା ବିରୋଧୀ ଅପରାଧ ହେଲେ ପୀଡ଼ିତାଙ୍କୁ ତ୍ବରିତ ନ୍ୟାୟ ଦେବାରେ ସାହାଯ୍ୟ କରିବେ ପାରା ଲିଗାଲ ଭଲ୍ୟୁଣ୍ଟର । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଆଇନ ବିଭାଗ ବୈଠକ ହୋଇଛି । ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି । ବୈଠକରେ ଆଇନ ମନ୍ତ୍ରୀ, ଲିଗାଲ ସର୍ଭିସ ଅଥରିଟିର ଅଧିକାରୀ ଉପସ୍ଥିତ ଥିଲେ । ଗାଁରେ ରହୁଥିବା ସାଧାରଣ ପରିବାର ଏବଂ ଜନଜାତି ପରିବାରଙ୍କୁ ନ୍ୟାୟିକ ଅଧିକାର ଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି ।ଏହି ଅଧିକାର ବାବଦରେ ସାଧାରଣ ମହିଳାଙ୍କୁ ସଚେତନତା କରିବେ ସରକାର । ଏହି କାମରେ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ । କୌଣସି ମହିଳା ଅସୁବିଧାର ସମ୍ମୁଖୀନ, ନିର୍ଯାତନା କିମ୍ଭା ଘରୋଇ ହିଂସାର ଶିକାର ହେଲେ ପ୍ରାରମ୍ଭିକ ଭାବେ ପାରା ଲିଗାଲ ଭଲ୍ୟଣ୍ଟରଙ୍କୁ ଜଣାଇବେ । ନ୍ୟାୟିକ ଦିଗ ନେଇ ଭଲ୍ୟୁଣ୍ଟର ତାଙ୍କୁ ସାହାଯ୍ୟ କରିବେ । ସମସ୍ୟାକୁ ଥାନା ଏବଂ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଏବଂ ଏସସିଏସଟି ବିଭାଗକୁ ଯୋଡ଼ାଯିବ ।

Crime

ରୋଡ ରେଜ୍ ପାଇଁ ବିଏନପୁର ପୋଲିସ ଦ୍ୱାରା ପାଞ୍ଚ ଗିରଫ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ରୋଡ଼ ରେଜ ପାଇଁ ବୈଦ୍ୟନାଥପୁର ପୋଲିସ ୫ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l ଗତ ୨୦ ତାରିଖ ଦିନ ଲାଞ୍ଜିପଲ୍ଲୀ ଅଞ୍ଚଳ ନିବାସୀ ପ୍ରୀତମ ଚାନ୍ଦ ତ୍ରିପାଠି ନାମକ ଜଣେ ଯୁବକ ବୈଦ୍ୟନାଥ ପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ, ଯେ ସେହି ଦିନ ସନ୍ଧ୍ୟା ସମୟରେ ସେ ଏବଂ ତାଙ୍କ ବନ୍ଧୁ ଲାଞ୍ଜିପଲ୍ଲୀ ଅଞ୍ଚଳର ଏସବିଆଇ ନିକଟରେ ଯାଉଥିବା ସମୟରେ, ବଡ଼ବଜାର ଅଞ୍ଚଳର ଦେବାଶିଷ ମିଶ୍ର ଏବଂ ଅନ୍ୟ କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଚଲାଯାଉଥିବା ଏକ ଟର୍ବୋ ମୋଟର କାର୍ ତାଙ୍କୁ ଓଭର ଟେକ କରିଥିଲେ l ଯେଉଁଥିରେ ପ୍ରୀତମଚାନ୍ଦ ତ୍ରିପାଠି ଏବଂ ତାଙ୍କ ବନ୍ଧୁ ଉତ୍ତମ ମହାନ୍ତିଙ୍କୁ ବିଭିନ୍ନ ଅସୁବିଧା ହୋଇଥିଲା ଏବଂ ସେମାନେ ପ୍ରତିବାଦ କରିଥିଲେ l


କିନ୍ତୁ ଅଭିଯୁକ୍ତମାନେ ନିଜ ଦୋଷ ନ ସ୍ୱୀକାର କରି ଓଲଟି ସର୍ବସାଧାରଣ ଙ୍କ ସମ୍ମୁଖରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପଥର ଏବଂ ଝାଡୁ ସାହାଯ୍ୟରେ ଆକ୍ରମଣ କରିଥିଲେ, ପ୍ରିତମ ଏବଂ ତାଙ୍କ ବନ୍ଧୁ ଆହତ ହୋଈ ସ୍ଥାନୀୟ ଲୋକଙ୍କ ଦ୍ୱାରା ଅଭିଯୁକ୍ତ ମାନଙ୍କ ଠାରୁ ବର୍ତ୍ତିଥିଲେ l ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇଯିବା ସହ ଭବିଷ୍ୟତରେ ପ୍ରିତମ ଏବଂ ତାଙ୍କ ବନ୍ଧୁଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ l ଫଳରେ ପ୍ରିତମ ବୈଦ୍ୟନାଥ ପୁର ଥାନାର ଦ୍ୱାରସ୍ଥ ହୋଈ ନିଜ ସହ ନିଜ ବନ୍ଧୁଙ୍କ ସୁରକ୍ଷା ଲୋଡ଼ିଥିଲେ l ଅଭିଯୋଗକାରୀଙ୍କ ବୟାନ କୁ ରେକର୍ଡ କରି ବୈଦ୍ୟନାଥପୁର ଥାନା ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଏକ ରେନାଲ୍ଟ ଟର୍ବୋ କାର୍-OD-02-BQ-9622 ଜବତ କରିବା ସହ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ତେଵେ ସମସ୍ତ ଅଭିଯୁକ୍ତ ବ୍ରହ୍ମପୁର ଅଞ୍ଚଳର ବୋଲି ଜଣାପଡିଛି l

Health & lifestyle

ନିୟମିତ ନନଭେଜ ଖାଉଥିଲେ ସାବଧାନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆପଣ ଜାଣିଛନ୍ତି କି ଯଦି ଆପଣ ପ୍ରତିଦିନ ନନଭେଜ ଖାଉଛନ୍ତି ତାହେଲେ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଏକଥା ଆମେ କହୁନୁ,ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେଉଁମାନେ ନିୟମିତ ଭାବରେ ରେଡ୍ ମିଟ୍ କିମ୍ବା ପ୍ରୋସେସଡ୍ ମିଟ୍ ଖାଉଛନ୍ତି ସେମାନଙ୍କର ଆୟୁଷ କମ୍ ହୋଇପାରେ । ତେଣୁ ଯଦି ଆପଣ ବି ପ୍ରତିଦିନ ନନ୍-ଭେଜ ଖାଉଛନ୍ତି ତେବେ ଏକ ଗବେଷଣାରୁ ଯାହା ସୂଚନା ଆସିଥିଲା, ପ୍ରତିଦିନ ମାଛ ମାଂସ ଖାଇବା ଦ୍ୱାରା ୬ଟି ଗମ୍ଭୀର ରୋଗର ଆଶଙ୍କା ବଢ଼ିଯାଇଥାଏ । ଏହି ସମସ୍ତ ରୋଗ ଯକୃତ, ପେଟ ଇତ୍ୟାଦି ସହିତ ଜଡିତ । ଯେଉଁମାନେ ନିୟମିତ ଭାବରେ ରେଡ୍ ମିଟ୍ କିମ୍ବା ପ୍ରୋସେସଡ୍ ମିଟ୍ ଖାଉଛନ୍ତି ସେମାନଙ୍କ ଠାରେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ । ବିଶେଷକରି ହୃଦ୍‌ ସମସ୍ୟା, ଡାଇବେଟିସ, ଯକୃତ ରୋଗ, ମୋଟାପଣ, ନିମୋନିଆ ଇତ୍ୟାଦିର ଆଶଙ୍କା ବୃଦ୍ଧି ପାଏ । ପ୍ରତିଦିନ ରେଡ୍ ମିଟ୍ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ଲେବଲ ମଧ୍ୟ ବୃଦ୍ଧି ପାଇଥାଏ । ସେହିପରି ହୃଦରୋଗ ହେବାର ଆଶଙ୍କା ମଧ୍ୟ ବଢାଇଥାଏ । ରେଡ୍ ମିଟ୍ କିମ୍ବା ଚିକେନ୍ ଅଧିକ ଖାଇବା ଦ୍ୱାରା ହୃଦଘାତର ଭୟ ରହିଥାଏ । ନନ୍-ଭେଜ୍ ଖାଇବା କ୍ଷତିକାରକ ନୁହେଁ, କିନ୍ତୁ ଏହାକୁ ଖାଇବା ପୂର୍ବରୁ ଆପଣ ଜାଣିବା ଦରକାର ଏହା କେତେ ପରିମାଣର ଏବଂ କେତେ ଥର ଖାଇବା ଉଚିତ । ତେବେ ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯେକୌଣସି ଖାଦ୍ୟ ସନ୍ତୁଳିତ ଭାବରେ ଖାଇବା ଉଚିତ । କୌଣସି ବି ଖାଦ୍ୟକୁ ଅଧିକ ପରିମାଣରେ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋପଈପାରେ । ତେଣୁ ଚିକେନ୍, ମଟନ୍ କିମ୍ବା ମାଛ ମଧ୍ୟ ପ୍ରତିଦିନ ଖାଇବା ଉଚିତ୍ ନୁହେଁ । ଏହାକୁ ଆପଣ ସପ୍ତାହରେ ଥରେ କିମ୍ବା ଦୁଇଥର ଖାଇପାରିବେ । ଏହା ବ୍ୟତୀତ ଆମିଷକୁ ଭଲ ଭାବରେ ରାନ୍ଧନ୍ତୁ ଏବଂ କେବଳ ୧୦୦-୧୫୦ ଗ୍ରାମ ହିଁ ଖାଆନ୍ତୁ । ଆମେ ସମସ୍ତେ ଜାଣିଛେ ନନ୍-ଭେଜ ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍, ଆଇରନ୍ ଏବଂ ଭିଟାମିନ୍ ପ୍ରଚୁର ପରିମାଣରେ ମିଳିଥାଏ । କିନ୍ତୁ ଯଦି ଆପଣ ଏହାକୁ ପ୍ରତିଦିନ ଖାଆନ୍ତି ତେବେ ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଆପଣ ଯାହା ବି ଖାଉଛନ୍ତି ଏକ ସଠିକ ପରିମାଣର ଖାଦ୍ୟ ଖାନ୍ତୁ ଆଉ ନିଜ ମୂଲ୍ୟବାନ ଜୀବନକୁ ସୁସ୍ଥ ଆଉ ସୁନ୍ଦର ରଖନ୍ତୁ l

Weather

୨୭ ଯାଏ ପ୍ରବଳ ବର୍ଷିବ

Blog Thumbnail

ଦ କୁଇଭର ବ୍ୟୁରୋ :- ଦିନକ ପରେ ଲଘୁଚାପ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଦିନକ ପରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା । ଆସନ୍ତା ୨୫ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ପ୍ରବଳ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ।ଆଜି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବିଜୁଳି, ଘଡ଼ଘଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ । ଏହା ପରେ ପାଗରେ ପରିବର୍ତ୍ତନ ହୋଇପାରେ ।

City,Crime,Politics

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଘଟଣାରେ ବିଜେଡି ଜିଲ୍ଲା ସଭାପତି ଏବଂ ଏସପି ଙ୍କ ପ୍ରତିକ୍ରିୟା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ବର୍ତମାନର ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ସହ ଜିଲ୍ଲାର ବହୁ ବିଜେଡ଼ି ନେତା ଓ କର୍ମୀ ବିଭିନ୍ନ ଘଟଣାର ତ୍ୱରିତ ସମାଧାନ ପାଇଁ ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ ଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ l ବୁଧବାର ଗୋପାଳପୁର ଭଞ୍ଜବିହାର ବିଶ୍ୱବିଦ୍ୟାଳୟରେ ଛାତ୍ର ଏବଂ ଅଣ ଛାତ୍ରଙ୍କ ମଧ୍ୟରେ ଘଟିଥିବା ଘଟଣାର ଦୃଢ଼ ନିନ୍ଦା କରିବା ସହ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି l କାରଣ କିଛି ଦିନ ପୂର୍ବେ ବିଜେପି ସରକାର ରାଜ୍ୟରେ ଛାତ୍ର ଇଲେକ୍ସନ ନେଇ ଘୋଷଣା କରିଥିଲେ, ଯାହାକୁ ନେଇ ଛାତ୍ର ଏବିଭିପି ସବୁଠି ନିଜ ପତିଆରା ପାଇଁ ଏସବୁ ଅଶାନ୍ତି କରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ପଣ୍ଡା l


ଅନ୍ୟପଟେ ବିଶ୍ୱବିଦ୍ୟାଳୟ ଛାତ୍ର ଅଶାନ୍ତ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସିପି l ବିଶ୍ୱ ବିଦ୍ୟାଳୟ ଅଡିଟରୀୟମ ହଲ ରେ ହୋଇଥିବା ପ୍ରୋଗ୍ରାମରେ ଅଣଛାତ୍ର ପ୍ରବେଶ କରିନଥିଲେ, କ୍ୟାମ୍ପସ ବାହାରେ ପ୍ରବେଶ କରିବା ଦେଖି କୁଳପତିଙ୍କ ନିର୍ଦ୍ଦେଶରେ ପ୍ରୋଗ୍ରାମ ବନ୍ଦ କରାଯାଇ ବାହାରେ ଏପରି ଅଶାନ୍ତ ପରିବେଶ ସୃଷ୍ଟି ହୋଈଥିଲା ଯେଉଁଥିରେ ଜଣେ ଛାତ୍ର ଆହତ ହୋଇଥିଲେ l ଆମେ ତମାମ ଦିଗକୁ ନେଇ ତଦନ୍ତ କରୁଛୁ କିନ୍ତୁ ଘଟଣାକୁ ନେଇ ବିଭିନ୍ନ ରାଜନୀତିକରଣ କରାଯାଉଛି କିନ୍ତୁ ପୋଲିସ ତା କାମ କରୁଛି ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରବଣା ବିବେକ ଏମ l

Crime

ଶାସ୍ତ୍ରୀ ନଗରରେ ଗୁଳି ମାଡ କରି ହୀରା ଲୁଟ୍ ମାମଲା : ପୁଣି ୪ ଗିରଫ, ପିସ୍ତଲ ଜବତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ସ୍ଥାନୀୟ ବଡବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ୫ଲାଇନରେ ଗତ ୫ ତାରିଖରେ ଜନୈକ ବ୍ୟବସାୟୀଙ୍କୁ ଗୁଳି ମାଡ କରି ହୀରା ଅଳଙ୍କାର ଲୁଟ୍ ମାମଲାରେ ପୋଲିସ ଆଜି ଆଉ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥୁବା ବ୍ରହ୍ମପୁର ଏସ୍‌ପି ଡ ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ୫ଲାଇନରେ ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଓରଫ ରୁନା ଓ ଶଳା ସୁନିଲ ସାହୁଙ୍କୁ ଗତ ୫ ତାରିଖ ରାତିରେ ହୀରା କିଣିବା ଆଳରେ ଘରେ ପଶି ଯୋଜନା ବଦ୍ଧ ଭାବେ ଏକ ପିସ୍ତଲରୁ ଗୁଳି ଚଳାଇ ହୀରା ଲୁଟ୍ କରି ଚମ୍ପଟ ମାରିଥିବା ଏବଂ ଏଥିରେ ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଓରଫ ରୁନା ଓ ଶଳା ସୁନିଲ ସାହୁ ଆହତ ହୋଇଥିଲେ । ଏନେଇ ବଡବଜାର ଥାନା ପୋଲିସ ପୂର୍ବରୁ ବ୍ୟବସାୟୀ ଗୁଳି କରି ହୀରା ଲୁଟ୍ ହୋଇଥୁଲା ।


ଏହି ଘଟଣାରେ ପୋଲିସ ୪ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଜି ପୁରୀରୁ ଅନ୍ୟତମ ଅଭିଯୁକ୍ତ ଭୁବନେଶ୍ଵର ଡୁମୁଡୁମା ଅଞ୍ଚଳର ମୁକ୍ତାକିମ୍ ଖାନ୍, ଖଣ୍ଡଗିରୀର ଜଲାଲଉଦ୍ଦିନ୍ ଖାନା ଓରଫ ରାଜା, ବ୍ରହ୍ମପୁର ହନୁମାନ ବଜାର ଅଞ୍ଚଳ ଅଖୁଳ ରଞ୍ଜନ ମହାନ୍ତି, ଜଟଣିର ଶେଖ୍ ଆଫରାନ୍ ଗିରଫ କରିଥିବା ଜଣାପଡ଼ିଛି । ଏପରି କି ପୋଲିସ ସେମାନଙ୍କ ଠାରୁ ଲୁଟ୍ ବେଳେ ସେମାନଙ୍କ ପିସ୍ତଲ ସହ ଦୁଇଟି ମାଗାଜିନ୍ ୪ଟି ଗୁଳି, ଗୋଟିଏ କାର୍ ୩ଟି ମୋବାଇଲ, ଜବତ କରାଯାଇଥିବା ପ୍ରକାଶ ।


ପୂର୍ବରୁ ହୀରା ବିକ୍ରି କରିବାକୁ ମଧ୍ୟସ୍ଥି ଭୂମିକା ତୁଲାଇଥିବା ମଳୟ ଉପାଧ୍ୟାୟ, ଖଣ୍ଡଗିରି ଅଂଚଳର ସରୋଜ କୁମାର ମହାନ୍ତି, ଶେଖ୍ ରାଜୁ, ସାହିଲ ଖାନ୍‌ଙ୍କୁ ଗିରଫ ହୋଇଥିଲେ । ଘଟଣା ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ଏହି ମାମଲାରେ ଟି ଗିରଫ ସଂଖ୍ୟା ୮କୁ ବୃଦ୍ଧି ହୋଇଛି । ବର୍ତ୍ତମାନ ଏହି ଘଟଣା ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବାବା ଶଙ୍କର ସରଫ ସୂଚନା ଦେଇଛନ୍ତି ।

State

ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ 'ଏମଏସଏମଇ ପାର୍କ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟର ଏମ.ଏସ.ଏମ.ଇ କ୍ଷେତ୍ରରେ ୧୧ ଲକ୍ଷରୁ ଉର୍ଦ୍ଧ୍ଵ ଉଦ୍ୟୋଗ ଥିବାବେଳେ ୮୭ ଲକ୍ଷରୁ ଅଧିକ ନିଯୁକ୍ତ ସୃଷ୍ଟି ହୋଇଛି । ଲକ୍ଷପତି ଦିଦିଙ୍କୁ ପ୍ରୋତ୍ସାହନ, ସରକାରୀ ସଂସ୍ଥା ଦ୍ବାରା ଏମଏସଏମଇ ସାମଗ୍ରୀ ବ୍ୟବହାର ଉପରେ ଦିଆଯିବ ଗୁରୁତ୍ବ । ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଏମଏସଏମଇ ପାର୍କ । ଲୋକସେବା ଭବନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ଏମ.ଏସ.ଏମ.ଇ କ୍ଷେତ୍ର ହେଉଛି ବ୍ୟାପକ ନିଯୁକ୍ତି ଓ ସମ୍ଭାବନାର କ୍ଷେତ୍ର । ସରକାରୀ ସ୍ତରରେ ଏମ.ଏସ.ଏମ.ଇ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ଯୁବଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଏ କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସବୁ ଜିଲ୍ଲାରେ ଏମଏସଏମଇ ପାର୍କ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଖୁବ ସଫଳ ହେଉଛି । ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇସାରିଲେଣି । ଏଥିରେ ଅନେକ କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀ ଅଛନ୍ତି । ଉପଯୁକ୍ତ ସହାୟତା ମିଳିଲେ, ସେମାନେ ଆଗକୁ ବଢିପାରିବେ । ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ସଫଳତା ହାସଲ କରିପାରିବେ । ତେଣୁ ସେମାନଙ୍କୁ ଏମଏସଏମଇ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ସହାୟତା ପ୍ରଦାନ କରାଯିବ ।"


ଓଡିଶାର ଏମ.ଏସ.ଏମ.ଇ କ୍ଷେତ୍ରର ଉତ୍ପାଦିତ ସାମଗ୍ରୀକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ସ୍କୁଲ, କଲେଜ ମାନଙ୍କରେ ବ୍ୟବହାର କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ କଲେଜର ଆସବାବପତ୍ର, ପୋଷାକ ଇତ୍ୟାଦିକୁ ଓଡିଶା ଏମଏସଏମଇ ମାନଙ୍କରୁ କିଣିବା ପାଇଁ ଆଲୋଚନା ହୋଇଛି । ଏହା ଫଳରେ ଏମଏସଏମଇ କ୍ଷେତ୍ରର ଏହି ଉଦ୍ୟୋଗ ଗୁଡିକୁ ଉପଯୁକ୍ତ ପ୍ରୋତ୍ସାହନ ମିଳିପାରିବ । ଏମଏସଏମଇ କ୍ଷେତ୍ରରେ ଅଧିକ ରପ୍ତାନୀ ଓ ଆମଦାନୀ ସୁବିଧା ପାଇଁ ଉଭୟ ସମୁଦ୍ରପଥ ଓ ଆକାଶପଥରେ କାର୍ଗୋ ସୁବିଧା ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଏମଏସଏମଇ କ୍ଷେତ୍ରକୁ ବ୍ୟାଙ୍କ ପକ୍ଷରୁ ଅଧିକ ଋଣ ଏବଂ ଋଣ ପ୍ରଦାନ ପ୍ରକ୍ରିୟା ସରଳ ଓ ସୁବିଧାଜନକ କରିବାକୁ ବିଭାଗ ଦୃଷ୍ଟି ଦେବ । ଏ ସମ୍ପର୍କରେ ନିରନ୍ତର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପିଏମ ବିଶ୍ବକର୍ମା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ, କ୍ଲଷ୍ଟର ବେସ୍ଡ ପ୍ରୋଜେକ୍ଟକୁ ଅଧିକ ପ୍ରୋତ୍ସାହନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ଭାରତ ସରକାରଙ୍କ ଉଦ୍ୟମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ୧୧ ଲକ୍ଷରୁ ଉର୍ଦ୍ଧ୍ବ ଏମଏସଏମଇ ରାଜ୍ୟରେ କାର୍ଯ୍ୟକ୍ଷମ ଅଛନ୍ତି । ଏହା ମାଧ୍ୟମରେ ୮୭ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଛି । ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ଏମଏସଏମଇ ବିଭାଗର କମିଶନର-ତଥା-ଶାସନ ସଚିବ ଡି. ପ୍ରଶାନ୍ତ କୁମାର ରେଡୀ ଏବଂ ନିର୍ଦ୍ଦେଶକ ଆବୋଲି ସୁନିଲ ନରୱାନେ ପ୍ରମୁଖ ଉପସ୍ଥିତ ଥିଲେ ।

Entertainment

ଦେଶାତ୍ମବୋଧକ କାର୍ଯ୍ୟକ୍ରମ 'ବନ୍ଦେ ମାତରଂ' ମନ ମୋହିଲା

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ସଂସ୍କୃତିଧର୍ମୀ ପତ୍ରିକା ଅଭିନୟ ଜଗତ ତରଫରୁ ଗଞ୍ଜାମ କଳା ପରିଷଦରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ' ବନ୍ଦେ ମାତରଂ ' ଆୟୋଜିତ ହୋଇସାରିଛି l ଏହି କାର୍ଯ୍ୟକ୍ରମ ଦୀର୍ଘ ୨୭ ବର୍ଷ ଧରି ବ୍ରହ୍ମପୁରରେ ଆୟୋଜନ ହୋଇ ଆସୁଅଛି l ଜ଼ିଲ୍ଲାର ବିଭିନ୍ନ ବିଦ୍ୟାଳୟ ତଥା ସାଂସ୍କୃତିକ ଅନୁଷ୍ଠାନରୁ ୧୫0ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇ ଦଳଗତ ଦେଶାତ୍ମବୋଧକ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରକୁ ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରି ଦେଶ ପାଇଁ ସହିଦ ହୋଇଥିବା ଯୋଦ୍ଧା ମାନଙ୍କୁ ମାନେ ପକାଇଥିବା ବେଳେ ଖ୍ୟାତନାମା ମଞ୍ଚ ଉପସ୍ଥାପକ ହୃଷିକେଶ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତର ସୀମାନ୍ତ ଅଂଚଳରେ ଥିବା ସିପାହୀଙ୍କ ସାହାସିକତା ଉପରେ ଆଲୋଚନା କରିଥିଲେ l ନାଳନ୍ଦାଶ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାଳିଚରଣ ସାହୁ, ଗଞ୍ଜାମ କଳାପରିଷର ଉପସଭାନେତ୍ରୀ ସ୍ବର୍ଣ୍ଣପ୍ରଭା ପାଢ଼ୀ ଏବଂ ବ୍ରହ୍ମପୁର ପ୍ରେସ କ୍ଲବର ସଭାପତି ଅଶୋକ କୁମାର ବ୍ରହ୍ମା କେ. ରା଼ଜ କୁମାର ସେନାପତି, ଅକ୍ଷୟେନ୍ଦୁ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l ଅଭିନୟ ଜଗତର ସମ୍ପାଦକ ଡ ମିହିର କୁମାର ତ୍ରିପାଠୀ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ପରିଚାଳକ ରବୀନ୍ଦ୍ର କୁମାର ନାୟକ, ଉପଦେଷ୍ଟା ଉଷାରଣୀ ମହାପାତ୍ର ଏବଂ ଜ଼ିଲ୍ଲା ଖବରର ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦିପ କୁମାର ସାହୁ, ଡ ସରୋଜ କୁମାର ଦାଶ, ସାର୍ଥକ ପାଢ଼ୀ, ଅନନ୍ୟା ପାଢ଼ୀ, ସୌରଭ ବେହେରା ପ୍ରମୁଖ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ l ଇ ମନୋଜ ଦଣ୍ଡପାଟ, ସରୋଜ କୁମାର ପଣ୍ଡା, ଇନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ମଂଚାସୀନ ଥିଲେ ଏବଂ ସନ୍ତୋଷ ତ୍ରିପାଠୀ, ତ୍ରିପତି ନାୟକ ପ୍ରମୁଖ ସହଯୋଗ କରିଥିଲେ l ଏହି ଅବସରରେ ହରେକୃଷ୍ଣ ମଲ୍ଲିକ, ସନ୍ତୋଷ କୁମାର ଜେନା, ରା଼ଜ କୁମାର ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l