କଳାହାଣ୍ଡି(ଦ କୁଇଭର): ଯେଉଁ ମନ୍ତ୍ରୀ ଯେତେ କହନ୍ତୁ, ସେଥିରେ କିଛି ପରିବର୍ତ୍ତନ ହେବାର ନାହିଁ । ପ୍ରଚଳିତ ବ୍ୟବସ୍ଥାକୁ ବଦଳାଇବା ବୋଧେ ମୋହନ ସରକାରଙ୍କ ଦ୍ୱାରା ସମ୍ଭବ ନୁହେଁ । ସରକାରଙ୍କର ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ନାହିଁ ନା ସରକାରୀ ବ୍ୟବସ୍ଥା ବେଲଗାମ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ବାରମ୍ବାର କହିଛନ୍ତି କଟନୀ ଛଟନୀ ହେବନାହିଁ । ସରକାରୀ ଭାବେ ଘୋଷଣା ବି କରାଯାଇଛି । ହେଲେ ମଣ୍ଡିରେ କଟନୀ ଛଟନୀ ଚାଲିଛି । ବସ୍ତାରେ ୫ ରୁ ୬ କିଲୋ ଅର୍ଥାତ ପ୍ରତି କୁଇଣ୍ଟାଲରେ ୮କିଲୋ ଧାନ କାଟି ଦିଆଯାଉଛି । ଯାହାକୁ ନେଇ ଏବେ ଚାଷୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ ।
ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାରୁ । ଜୁନାଗଡ଼ ଆରଏମସି, ଗୋଲାମୁଣ୍ଡା, ଧର୍ମଗଡ଼ ଓ ଜୁନାଗଡ଼ ବ୍ଲକରେ ଚାଲିଛି ସିଧା ସଳଖ ଲୁଟ । ଜୁନଗଡ଼ ବ୍ଲକରେ ୩୯ଟି ମଣ୍ଡି, ସେଥିରୁ ୧୨ଟି ଏସଏଚଜି ନିୟନ୍ତ୍ରଣରେ ଥିବା ବେଳେ ୨୭ଟି ସମବାୟ ସମିତି ପରିଚାଳନା କରୁଛି । ଗୋଲାମୁଣ୍ଡରେ ୧୭ଟି ମଣ୍ଡିରୁ ୧୬ଟି ମଣ୍ଡି ସମିତି ମାଧ୍ୟମରେ ଚାଲିଛି । ସେହିପରି ଧର୍ମଗଡ଼ ବ୍ଲକରେ ୧୮ଟି ମଣ୍ଡିରୁ ୧୧ଟି ସମିତି ଚଳାଉଛି । ସବୁ ମଣ୍ଡିରେ ଏବେ ଚାଲିଛି କଟନୀ ଛଟନୀ । ମନଇଚ୍ଛା ଧାନ କଟାଯାଉଛି ।
ସରକାର କହିଛନ୍ତି କଟନୀ ଛଟନୀ ବନ୍ଦ ହେବ । ମାତ୍ର ମଣ୍ଡିରେ ଏହାକୁ ବନ୍ଦ କରାଯାଉ ନାହିଁ । ଏକଥାକୁ ନେଇ ଚାଷୀ ବିଭିନ୍ନ ସ୍ତରରେ ଅଭିଯୋଗ କଲେଣି । ହେଲେ ପ୍ରତିକାର ହେଉନାହିଁ । ମଣ୍ଡି ପରିଦର୍ଶନରେ ଆସୁଥିବା ଅଫିସରମାନେ ବି ସାମିଲ ରହିଛନ୍ତି । ସମବାୟ ସମିତି ଗୁଡ଼ିକ ପୂରା ଲୁଟ ଚଳାଉଛନ୍ତି । ଯାହା ଏବେ ସବୁଠୁ ଚିନ୍ତାର ବିଷୟ ହୋଇ ପଡ଼ିଛି । ମନ୍ତ୍ରୀ ଲମ୍ବା ଲମ୍ବା ଭାଷଣ ଦେଉଛନ୍ତି । ହେଲେ ବାସ୍ତବରେ ଚାଲିଛି ଖୋଲା ଲୁଟ । ଏପରିକି ପରିଦର୍ଶନରେ ଆସୁଥିବା ଅଫିସରମାନେ ବି ଚୁପ ରହୁଛନ୍ତି । ମନ୍ତ୍ରୀମାନେ ପରିଦର୍ଶନରେ ଯାଉଥିବା ମଣ୍ଡିରେ କିଛି ସମୟ ପାଇଁ କଟନୀ ଛଟନୀ ବନ୍ଦ ରହୁଛି । ଫଟୋ ଓ ଗଣମାଧ୍ୟମର ଭିଡିଓ ପରେ ପୁଣି ଯେମିତିକୁ ସେମିତି ଚାଲିଛି । ଦେଖାଯାଉ ସରକାର ଚାଷୀଙ୍କୁ ବାସ୍ତବ ସୁରକ୍ଷା ଦେଉଛନ୍ତି ନା ଏପରି ଶୋଷିତ ହେବାକୁ ଛାଡ଼ି ଦେଉଛନ୍ତି ।