ନିମାପଡା( ଦ କୁଇଭର ):- ଜଳସେଚନ ପାଇଁ କେନାଲ ଅଛି, କେନାଲରେ ପାଣି ଗଲେ ହଜାର ହଜାର ଏକର ଚାଷ ଜମି ଜଳସେଚିତ ବି ହୋଇ ପାରିବ । ଫଳିବ ସୁନାର ଫସଲ । ଆଶାକୁ ପୂର୍ବତନ ମନ୍ତ୍ରୀ ସମୀର ଦାଶ ତ ପୂରା କରିପାରିଲେନି, ଆଶା ଥିଲା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂରା କରିବେ । ହେଲେ ସେ ବି ମୁହଁ ବୁଲାଇ ଦେଇଛନ୍ତି । ତେଣୁ ଚାଷୀମାନେ ହତାଶ ହେଉଛନ୍ତି । ତେଣେ ସରକାରୀ ବାବୁମାନେ କେନଲ ସଫେଇ ନାମରେ ଲକ୍ଷଲକ୍ଷ ଟଙ୍କା ବିଲ କରି ଚଳୁ କରିଦେଉଛନ୍ତି । ଯାହା ଚାଷୀଙ୍କ ପ୍ରତି ସରକାରଙ୍କ କ୍ରୁରତା ବୋଲି ସ୍ପଷ୍ଟ ହେଉଛି ।
ଏହା ହେଉଛି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନ ମଣ୍ଡଳୀ ନିମାପଡ଼ା ବ୍ଲକ ବଡ଼ସିରିବିଳା ପଞ୍ଚାୟତ ତୋରବାଙ୍ଗ ଗାଁର ସ୍ଥିତି । ଏହି ପଞ୍ଚାୟତର ହଜାର ହଜାର ଏକର ଚାଷ ଜମି ଜଳସେଚିତ । କେନାଲରେ ପାଣି ଆସିଲେ ଲୋକେ ଫସଲ କରନ୍ତି । କେନାଲକୁ ସର୍ବଦା ଚଳଚଞ୍ଚଳ କରିବା ପାଇଁ ଜଳସମ୍ପଦ ବିଭାଗ ପ୍ରତିବର୍ଷ ସଫେଇ କରୁଛି । ଲକ୍ଷଲକ୍ଷ ଟଙ୍କାର ବିଲ ହେଉଛି । ମାତ୍ର ସଫେଇ ବୋଲି କିଛି ନାହିଁ । କେବଳ ରାସ୍ତା ପାଖରୁ ଦଳ କାଢ଼ି ଦେଇ ଯନ୍ତ୍ରୀ ପାର । ଫଳରେ କେନାଲରେ ପାଣି ଆସୁନି କି ଚାଷ ଜମିକୁ ପାଣି ମିଳୁନି ।
ବର୍ଷାର ଅଭାବ ଥିବାରୁ କେନାଲ ପାଣିକୁ ଭରସା କରିଥିଲେ ଚାଷୀ । ମାତ୍ର ସେଠୁ ବି ନିରାସ ହୋଇଛନ୍ତି । କେନାଲ ସଫଳ ହୋଇ ନଥିବାରୁ ପାଣି ଆସୁନି । ଯାହାଦ୍ୱାରା ଧାନ ଜମିକୁ ପାଣି ଦେଇ ନପାରି ହନ୍ତସନ୍ତ ହେଉଛନ୍ତି ଚାଷୀ । ନିର୍ବାଚନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ଉପରେ ଭରସା କରିଥିଲେ ଲୋକେ । ହେଲେ ସେ କିଛି କରିନଥିଲେ । ଜଳସେଚନ ବିଭାଗର ଯନ୍ତ୍ରୀମାନେ ଟଙ୍କା ଖାଇ ନେତାଙ୍କୁ ଚାନ୍ଦା ଦେଉଥିବାରୁ ଚାଷୀଙ୍କ କଥାର ଗୁରୁତ୍ୱ ରହୁନଥିଲା । ଏବେ ଉପମୁଖ୍ୟମନ୍ତ୍ରୀ କରିବେ ବୋଲି ଆଶା ଥିଲା । ହେଲେ ସେ ବି ନଜର ଦେଉ ନଥିବାରୁ ଚାଷୀମାନେ କ୍ଷୋଭ ପ୍ରକାଶ କରୁଛନ୍ତି । ନେତାମାନେ କେବଳ କୁହାଳିଆ ବୋଲି କହୁଛନ୍ତି । ଦେଖାଯାଉ ଉପମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳ ପ୍ରତି ଧ୍ୟାନ ଦେଉଛନ୍ତି ନା ଚାଷୀମାନଙ୍କୁ ଏମିତି ହଇରାଣ ହେବାକୁ ଛାଡ଼ି ଦେଉଛନ୍ତି ।