ଭୁବନେଶ୍ୱର(ଦ କୁଇଭର): ଧାନ ଜମିରେ ଜଳବାୟୁ ପରିବର୍ତ୍ତନର ମାଡ଼ ପଡ଼ିଛି । ପୂର୍ବରୁ ଦେଖା ଯାଉ ନଥିଲା, ହେଲେ ଏଥର ଚାଷ ଜମିରେ ମାରାତ୍ମକ ପ୍ରଭାବ ଜଳ ଜଳ ହୋଇ ଦିଶୁଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଏଥର ଧାନରେ ଅଦିନିଆ ଥୋଡ଼ ବାହାରିଛି ଯାହା ଧାନର ଅମଳକୁ ପ୍ରଭାବିତ କରିବ । ଅପରିପକ୍ୱ ଧାନ ଗଛରେ ଫଳ ଆସିବା ଦ୍ୱାରା ଧାନ କ୍ଷତିଗ୍ରସ୍ତ ହେବ ଯେପରି କୁମାରୀ ମାତୃତ୍ୱର ସ୍ଥିତି ହୁଏ । ଧାନ ଫସଲ ଉପରେ ଏପରି ଜଳବାୟୁ ପାହାର ଚାଷୀକୁ କେବଳ ନୁହେଁ ପୂରା ରାଜ୍ୟର ଚାଷକୁ ଦୋହଲାଇ ଦେଇଛି । ହେଲେ ଏ ତଥ୍ୟ ସରକାରଙ୍କ ପାଖରେ ଅଛି କି ନାହିଁ ତାହା ଜଣାନାହିଁ । ରାଜ୍ୟରେ ଏଥର ଧାନ ଅମଳ ନିଶ୍ଚିତ ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ କହିଲେଣି ।
ଓଡ଼ିଶାରେ ରବି ଋତୁରେ ୧୨.୬୭ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥାଏ । ରବି ଅର୍ଥାତ ଡିସେମ୍ବର ମାସରୁ ଏପ୍ରିଲ ଓ ମେ ମଧ୍ୟରେ ଫସଲ ଅମଳ ହୋଇଥାଏ । ଏହି ଋତୁରେ ପୂର୍ବରୁ ଅଧିକ ଅମଳ ହେଉଥିଲା । ମାତ୍ର ଜଳବାୟୁ ପରିବର୍ତ୍ତନର ମାଡ଼ ଯୋଗୁ ଅମଳ ଧିରେ ଧିରେ କମିଲାଣି । ୨୦୨୩-୨୪ରେ ୪୭ଲକ୍ଷ ୫୦ହଜାର କ୍ୟୁଣ୍ଟାଲ ଧାନ ଅମଳ ହୋଇଥିଲା । ଯାହା ୨୦୨୨-୨୩ ବର୍ଷ ଠାରୁ କମ । ଏବର୍ଷ ରବି ଫସଲକୁ ମାଡ଼ ମାରିଛି ଜଳବାୟୁ ପରିବର୍ତ୍ତନ । ପୂରା ଫସଲକୁ ପ୍ରଭାବିତ କରିଛି ।
ଚାଷୀଙ୍କ କହିବା କଥା, ଡିସେମ୍ବର ମାସରେ ଚାଷ ଆରମ୍ଭ ହୁଏ । ଫେବୃୟାରୀ ଶେଷ ବା ମାର୍ଚ୍ଚ ପ୍ରଥମ ସପ୍ତାହକୁ ଥୋଡ଼ ଆସିଥାଏ । ହେଲେ ଏଥର ଫେବୃୟାରୀ ମାସରେ ତାପମାତ୍ର ବହୁ ଅଧିକ ରହିଲା । ପାଣିପାଗ ବିଭାଗ ବି ତାପମାତ୍ର ରେକର୍ଡ ଭାଙ୍ଗି ବଢ଼ିଥିବା ଦର୍ଶାଇଲା । ଫେବୃୟାରୀରେ ଥଣ୍ଡା ରହିଲେ, ଫସଲ ଅମଳ ଭଲ ହୋଇଥାଏ । ମାତ୍ର ଏଥର ତାପମାତ୍ର ବଢ଼ିଯିବାରୁ ଫସଲ ଆଗୁଆ ଥୋଡ଼ ବାହାରି ପଡ଼ିଲା । ଅର୍ଥାତ ଗର୍ଭରେ ରହିବାକୁ ଥିବା ଧାନ ଗରମ ଯୋଗୁ ବାହାରକୁ ଆସିଲା । ଅପରିପକ୍ୱ ଅବସ୍ଥାନରେ ଧାନ ଆସି ଏବେ କେନ୍ଦା ବାହାରିଛି । ଯାହାର ସ୍ଥିତି ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଅସମୟରେ ବା ଅପରିପକ୍ୱ ଧାନ ଗଛରେ ଥୋଡ଼ ଆସିବା ଦ୍ୱାରା ଧାନ ଫସଲ ଅମଳକ୍ଷମ ହେବନାହିଁ । ଧାନର ଚାଉଳ ବି ଠିକ ହେବ ନାହିଁ । ଯେଉଁ ବିଲରୁ ୧୦୦ କିଲୋ ଧାନ ମିଳିବା କଥା ସେଠାରେ ଧାନ ୬୦ ରୁ ୭୦କେଜି ମଧ୍ୟରେ ରହିବ ବୋଲି ଚାଷୀ କହୁଛନ୍ତି ।
ଫେବୃୟାରୀ ମାସରେ ଅଧିକ ତାପମାତ୍ର ଯୋଗୁ ଉତ୍ତରଭାରତରେ ଗହମ ଚାଷ ପ୍ରଭାବିତ ହୋଇଛି । ସମାନ ପ୍ରଭାବ ଏବେ ଧାନ ଚାଷ ଉପରେ ପଡ଼ିଲାଣି । ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଚାଷୀ । ତେବେ ଏଥିରେ ଏକ ବ୍ୟତିକ୍ରମ ଦେଖା ଦେଇଛି । ଯେଉଁ ସ୍ଥାନରେ ଚାଷୀମାନେ ରସାୟନିକ ସାର ପରିବର୍ତ୍ତେ ପ୍ରାକୃତିକ ସାର ବ୍ୟବହାର କରିଛନ୍ତି, ସେଠାରେ ଧାନ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ି ନାହିଁ । ଠିକ ସମୟରେ ଧାନର ଥୋଡ଼ ଆସୁଛି ଓ ଅମଳ ଠିକ ରହିବ ବୋଲି ଚାଷୀ କହୁଛନ୍ତି । ଦେଖାଯାଉ ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା କରିବାକୁ ରାଜ୍ୟ ସରକାର ପ୍ରାକୃତିକ ସାରକୁ ପ୍ରାଧାନ୍ୟ ଦେଉଛନ୍ତି ନା ରସାୟନିକ ସାର କମ୍ପାନୀର କମିଶନ ଆଗରେ ରାଜ୍ୟର ଚାଷକୁ ବଳି ଦେଉଛନ୍ତ?