ରାଜନଗର(ଦ କୁଇଭର): କଡ଼ା କଟକଣା ସତ୍ତ୍ୱେ ଚିଙ୍ଗୁଡ଼ି ଘେରୀରେ ପ୍ରୟୋଗ କରାଯାଉଛି ରସାୟନିକ ଔଷଧ । ନିଜ ଲାଭ ପାଇଁ ଚିଙ୍ଗୁଡ଼ି ମାଫିଆମାନେ ମାରାତ୍ମକ ରସାୟନିକ ଔଷଧ ବ୍ୟବହାର କରି ଚାଷ ଜମିକୁ ବିଷାକ୍ତ କରୁଛନ୍ତି । ଶହଶହ ଏକର ଚାଷ ଜମି ବିଷାକ୍ତ ହେଉଛି, ଚାଷ ଉଜୁଡ଼ି ଯାଉଛି । ଫସଲ ହାନୀ ହେଉଛି । ଚିଙ୍ଗୁଡ଼ି ଘେରିକୁ କହିଲେ ମାଫିଆଙ୍କର ମିଳୁଛି ଧମକ । ମାଫିଆଙ୍କ ଠାରୁ ବିଡ଼ା ବିଡ଼ା ଟଙ୍କା ନେଇ ମତ୍ସ୍ୟବିଭାଗ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତେ ନୀରବ ବସିଛନ୍ତି । ଏପରି ସ୍ଥିତିରେ ଚାଷୀ ଚାଷ ଛାଡ଼ି ଦେଲେଣି । ବଜାରରେ ଚିଙ୍ଗୁଡ଼ି ଚାଷ ପାଇଁ ପର୍ଯ୍ୟାପ୍ତ ପ୍ରାକୃତିକ ଔଷଧ ଥିବା ବେଳେ ମାଫିଆମାନେ ରସାୟନିକ ସାର ପକାଇ ଛାରଖାର କରିଦେଉଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର, ରାଜକନିକା, ମହାକାଳପଡ଼ା, ଜମ୍ବୁ ଭଳି ଅଞ୍ଚଳରେ ଚିଙ୍ଗୁଡ଼ି ମାଫିଆଙ୍କ ରାଜ ଚାଲିଛି । ନା ଆଇନକୁ ମାନୁଛନ୍ତି ନା ସେମାନଙ୍କର ପ୍ରକୃତି ଓ ପରିବେଶ ପ୍ରତି ଅଛି କୌଣସି ଚିନ୍ତା । ଲାଭ ତ ପାଉ ନାହାନ୍ତି, ବରଂ ମାଟି ଓ ପାଣିକୁ ନାରଖାର କରିଦେଉଛନ୍ତି । ଉପକୂଳ ବା ନିଷିଦ୍ଧାଞ୍ଚଳରେ ଘେରୀ କରି ଚଳାଇଛନ୍ତି ବିଷ ପ୍ରକ୍ରିୟା । ଚିଙ୍ଗୁଡ଼ି ଘେରୀରେ ପର୍ଯ୍ୟାପ୍ତ ପରିମାଣରେ ରସାନିୟକ ଔଷଧ ପ୍ରୟୋଗ କରାଯାଉଛି । ଯେଉଁଥିରେ ଆଣ୍ଟିବାୟୋଟିକ, ଡିସଇନଫେକ୍ଟେଣ୍ଟ, ପେଷ୍ଟିସାଇଡ, ୟୁରିଆ ଭଳି ସାର, ସୁପର ଫସଫେଟ, ଲାଇମ, ପୋଟାସିୟମ, କପର ଓ ଅର୍ଗାନୋଟିନ ଭଳି ପଦାର୍ଥ ପ୍ରୟୋଗ କରୁଛନ୍ତି । ଏହାର ପ୍ରଭାବରେ କେବଳ ପାଣି ବିଷାକ୍ତ ହୁଏ ନାହିଁ, ବରଂ ଏହା ମାଟିକୁ ବି ବିଷାକ୍ତ କରିଦିଏ । ଆଖପାଖରେ ମଣିଷ ଏବଂ ପଶୁପକ୍ଷୀ ମାନଙ୍କୁ ମଧ୍ୟ ସାଂଘାତିକ ଭାବେ ପ୍ରଭାବିତ କରିଥାଏ । ମାଟିକୁ
ଏବେ ଚିଙ୍ଗୁଡ଼ି ବେପାରୀମାନେ ରସାୟନିକ ଔଷଧ ଦେଇ ପାଣି ନଷ୍ଟ କରୁଛନ୍ତି । ସେହି ପାଣିକୁ ଚାଷ ଜମି ଓ ନିକଟସ୍ଥ ଜଳ ଉତ୍ସକୁ ଛାଡ଼ି ତାକୁ ବି ବିଷାକ୍ତ କରୁଛନ୍ତି । ଯାହା ଧିରେ ଧିରେ ଚାଷକୁ ବୁଡ଼ାଇ ଦେଲାଣି । ରାଜ୍ୟରେ ଚିଙ୍ଗୁଡ଼ି ଚାଷକୁ ସୁସଂଯୋଜିତ କରିବା ପାଇଁ ସରକାରୀ ସ୍ତରରେ କଟକଣା ରହିଛି । ହେଲେ ସେହି କଟକଣାକୁ ମାନୁ ନାହାନ୍ତି ମାଫିଆମାନେ । ସରକାରୀ ବାବୁ ମାନେ କଟକଣା କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଟଙ୍କା ନେଇ ପକେଟ ଗରମ କରୁଛନ୍ତି । ତେଣେ ପରିବେଶ ନଷ୍ଟ ହେଉଛି । ରାଜସ୍ୱ ବିଭାଗର ଅଧିକାରୀମାନେ ମଧ୍ୟ ପେଟେ ପେଟେ ଗିଳୁଛନ୍ତି । ଯାହାଦ୍ୱାରା ଏବେ ନଦୀ ପଠା ହେଉ ଗାଁ ମୁଣ୍ଡ ସବୁଠି ବେଆଇନ ଚିଙ୍ଗୁଡ଼ି ଘେରୀ ବଢ଼ିବାରେ ଲାଗିଛି । ଫଳରେ ଚାଷ ଜମି ସଂକୁଚିତ ହେଉଛି । ଏହାକୁ ରୋକା ନଗଲେ, ଚିଙ୍ଗୁଡ଼ି ମାଫିଆମାନେ ଚାଷକୁ କେବଳ ସଂକୁଚିତ କରିବେ ନାହିଁ ବରଂ ଚାଷ ଜମିକୁ ମରୁଭୂମି କରିଦେବେ । ଦେଖାଯାଉ ପ୍ରଶାସନ ଏଦିଗରେ ଧ୍ୟାନ ଦେଇ ପ୍ରତିକାର କରୁଛି ନା ଧ୍ୱଂସ ଆଡ଼କୁ ଟାଣି ନେଉଛି ।