ମାଲକାନଗିରି( ଦ କୁଇଭର ):- ଆୟୁଷ୍ମାନ ଭାରତ କାର୍ଡ଼ ହେଉ କି ଚକାଚକ ଆମ୍ବୁଲାନ୍ସ କି ଭଲ କୋଠା, ଏସବୁ ଗରିବ ଆଦିବାସୀର କିଛି କାମକୁ ଆସୁନି । ଡାକ୍ତରଖାନାରେ ପହଞ୍ଚିଲେ ତ କିଛି ଚିକିତ୍ସା ପାଇବ । ଆଜିବି ଡାକ୍ତରଖାନା ପହଞ୍ଚିବାକୁ ସଂଘର୍ଷ କରୁଛନ୍ତି ଆଦିବାସୀ ମୂଲକର ଲୋକେ । ଗର୍ଭ ଯନ୍ତ୍ରଣା ହେଉ କି ଦୁର୍ଘଟଣା, ଡାକ୍ତରଖାନା ପହଞ୍ଚିବାକୁ ଭାର ବାହୁଙ୍ଗୀ ହିଁ ଭରସା । ଖଟିଆରେ ବୁହା ହୋଇ ଯିବେ, ଜୀବନ ଥିଲେ ଚିକିତ୍ସା ନହେଲେ ପୁଣି ଶବ ହୋଇ ଫେରିବେ ସେହି ଖଟିଆରେ । ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ।
ଏ ଚିତ୍ର ହେଉଛି ଖଇରପୁଟ ବ୍ଲକ ବଣ୍ଡାଘାଟିର ଚିତ୍ର । ବଣ୍ଡା ଘାଟିର ଭୋଜଗୁଡା ଗ୍ରାମର ରଞ୍ଜ ଭୋଜଙ୍କ ସ୍ତ୍ରୀ ସୁନାଇ ଭୋଜ, ଗତ କାଲି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା । ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସକୁ ମଧ୍ୟ ଘର ଲୋକେ ଫୋନ୍ କରିଥିଲେ । ତେବେ ରାସ୍ତାର ଅବସ୍ଥା ଅତି ଦୟନୀୟ ଥିବା ଯୋଗୁ ଆମ୍ବୁଲାନ୍ସ ଗାଁକୁ ଆସି ପାରିଲା ନାହିଁ । ଅନ୍ୟ ଏକ ଗାଁ ମୁଣ୍ଡରେ ଅଟକି ରହିଲା । ଶେଷରେ ପରିବାର ଲୋକେ, ଆଶା ଦିଦିଙ୍କ ସହିତ ଦୀର୍ଘ ୧୦ କିଲୋମିଟର କାନ୍ଧରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲା । ଏବଂ ସେଠାରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଗଲା, ତେବେ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ମହିଳା ଜଣକ ସିନା ପହଞ୍ଚିଗଲେ, ଏମିତି ଅନେକ ମହିଳା ଓ ପୁରୁଷ ଚିକିତ୍ସା ପାଇଁ ଭାରରେ ବୁହା ହେବା ବେଳେ ଜୀବନ ହାରୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ଆଉ କେତେ ଦିନ ଲୋକେ ଏଭଳି ଦୁର୍ଦ୍ଦଶାରେ ଜୀବନ କାଟିବେ ? କେବେ ଏ ସ୍ଥିତିରୁ ମିଳିବ ମୁକ୍ତି ? ନା ନବୀନଙ୍କ ଭଳି ମୋହନ ସରକାର ଏମିତି ପ୍ରତିଶ୍ରୁତି ଦେଇ ରହିଯିବେ ?