ଦ କୁଇଭର ବ୍ୟୁରୋ :: ଓଡ଼ିଶାରେ ମାଟି କାମୁଡିଯିବ ଆୟୁଷ୍ମାନ ଭାରତ । ଏମିତି କିଛି ପୂର୍ବାନୁମାନ କଲେଣି ବିରୋଧୀ ଏବଂ ଅନେକ ହସ୍ପିଟାଲ କର୍ତ୍ତୃପକ୍ଷ । କାରଣ ଆୟୁଷ୍ମାନ ଭାରତରେ ଲୋକଙ୍କୁ ଆଉ ସେବା ମିଳୁନି । ଏକ ପ୍ରକାର ହଲାପଟା ହେବାକୁ ପଡ଼ୁଛି । ଅନେକ ହସ୍ପିଟାଲ ଏବେ ଆୟୁଷ୍ମାନ ଭାରତ କାର୍ଡ଼ ଦେଖିବା ମାତ୍ରେ ଡରିଯାଉଛନ୍ତି । ରୋଗୀଙ୍କୁ ରେଫର କରିଦେଉଛନ୍ତି ଅନ୍ୟ ହସ୍ପିଟାଲକୁ । ରୋଗୀ ବିଚରା ଦହଗଞ୍ଜ ହୋଇ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲୁଛି ।
ତେଣେ ସ୍ୱାସ୍ଥ୍ୟମନ୍ତ୍ରୀ ଲମ୍ବା ଲମ୍ବା କଥା କହୁଛନ୍ତି । ଯେ ଆମେ ୩ ମାସରେ ୨.୭ ଲକ୍ଷ ଲୋକଙ୍କୁ ଚିକିତ୍ସା ଦେଲୁଣି । ବାସ୍ତବ ସ୍ଥିତି କିନ୍ତୁ ଆୟୁଷ୍ମାନ ଭାରତରେ ପୂରା ଢିଲା । ହସ୍ପିଟାଲ ଗୁଡ଼ିକୁ ଆୟୁଷ୍ମାନ ଭାରତ ଚିକିତ୍ସା ବାବଦ ପାଣ୍ଠି ମିଳୁନଥିବାରୁ ସେମାନେ ଚିକିତ୍ସା କରିବାକୁ ମନା କରିଦେଉଛନ୍ତି । ରୋଗୀ ଆୟୁଷ୍ମାନ କାର୍ଡ଼ ଧରି ଆସିଲେ ଚିକିତ୍ସା ନକରି ସରକାରୀ ହସ୍ପହସ୍ପିଟାଲକୁ ପଠାଉଛନ୍ତି, ନଚେତ ଚିକିତ୍ସା ପାଇଁ ମନାକରିଦେଉଛନ୍ତି । ସେଥିପାଇଁ ଲୋକେ କହିଲେଣି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଭଲ ଥିଲା । ଏମିତି କିଛି ବାଦବିବାଦ ବଢିବାରେ ଲାଗିଲାଣି ।
ନଜର ପକାଇବା ଆୟୁଷ୍ମାନ ଭାରତର କାର୍ଡ଼ ଉପରେ । ଆୟୁଷ୍ମାନ ଭାରତର କାର୍ଡ଼ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଦେଉଛି । କିନ୍ତୁ ବାସ୍ତବରେ ହସ୍ପିଟାଲ ଗୁଡିକୁ ଆୟୁଷ୍ମାନ ଭାରତ କାର୍ଡ଼ରେ ଯେଉଁ ବିଧିବ୍ୟବସ୍ଥା ରହିଛି ସେଥିରେ ଧନ୍ଦି ହେଉଛନ୍ତି । ସେଥିପାଇଁ ଏହି କାର୍ଡ଼ ଧାରିଙ୍କୁ ଚିକିତ୍ସା ଦେବାକୁ ପଛାଉଛନ୍ତି । ଇତି ମଧ୍ୟରେ ଅନେକ ଘରୋଇ ହସ୍ପିଟାଲରେ ଆୟୁଷ୍ମାନ କାର୍ଡ଼ର ହିତାଧିକାରୀଙ୍କୁ ଚିକିତ୍ସା ଦିଆଯାଉନାହିଁ । ସିଧାସଳଖ ଫେରାଇଲେ ସରକାରଙ୍କ ରୋଷ ହେବ ବୋଲି ଅନ୍ୟ ହସ୍ପିଟାଲକୁ ରେଫର କରୁଛନ୍ତି । ଯାହାଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ରୋଗୀମାନେ ।
ଭୁବନେଶ୍ୱର ହେଉ କି କଟକ । ଘରୋଇ ହସ୍ପିଟାଲର ସ୍ଥିତିକୁ ଦେଖିଲେ ପ୍ରତ୍ୟେକ ଦିନ ପ୍ରାୟ ୫୦ ଭାଗ ଆୟୁଷ୍ମାନ ଭାରତର ହିତାଧିକାରୀ ଦହଗଞ୍ଜ ହେଉଛନ୍ତି । କିଛି ବଡ଼ ବଡ଼ ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ପଇସା ଅଧିକ ନେବେ ବୋଲି ଚିକିତ୍ସା କରୁଛନ୍ତି । ମାତ୍ର ଚିକିତ୍ସା କମ୍ ଶୋଷଣ ଅଧିକ ହେଉଛି । ଏଭଳି ସ୍ଥିତି ଉପରେ ସରକାରଙ୍କର ନଜର ନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ କେବଳ ନିଜର ବାହାବାହା ଦେଖାଇବା ପାଇଁ ଗଣମାଧ୍ୟମକୁ କଥା କହି ରହିଯାଉଛନ୍ତି । ଥରେ ବାସ୍ତବ ସ୍ଥିତି ଦେଖନ୍ତୁ ସରକାର । ତା'ପରେ ଜଣାପଡ଼ିବ ଯେ ଆୟୁଷ୍ମାନ ଭାରତ କାର୍ଡ଼ରେ ଚିକିତ୍ସା ମିଳୁଛି ନା ଦଣ୍ଡ?