ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଘରୋଇ ମେଡିକଲକୁ ନିଜେ ଏମକେସିଜିର ଡାକ୍ତର ରୋଗୀ ଚାଲାଣ ଘଟଣାରେ ଆରମ୍ଭ ହୋଇଛି ଅନ୍ତରୀଣ କମିଟିର ତଦନ୍ତ । ଆଜି ଏମକେସିଜି ମେଡିକାଲର ପ୍ରଶାସନିକ ଅଧିକାରୀ କୋଠରୀରେ ଅନ୍ତରୀଣ କମିଟିର ସଦସ୍ୟଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏମକେସିଜି ମେଡିକାଲର ପ୍ରଶାସନିକ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ଏମକେସିଜି ମେଡିକାଲରେ ବରିଷ୍ଠ ଡାକ୍ତର ମାନେ ରହିଥିଲେ । ମୃତ ବଳରାମ କିଭଳି ଅବସ୍ଥାରେ ଏମକେସିଜି ଆସିଥିଲେ ଓ ଅଭିଯୋଗ ପ୍ରକାରେ ଡାକ୍ତର ଦିଲ୍ଲୀପ ପ୍ରଧାନ କାହିଁକି ବଳରାମଙ୍କୁ ନିଜ ଘରୋଇ ମେଡିକାଲକୁ ନେଇଥିଲେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହୋଇଥିଲା । ପ୍ରାୟ ୨ ଘଣ୍ଟା ଧରି ବୈଠକରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଇଥିଲା । ଘଟଣାର ତଦନ୍ତ ହୋଇଥିବା ବେଳେ ଆସନ୍ତା କାଲି ଅପରାହ୍ନ ୪ଟା ସୁଦ୍ଧା ତଦନ୍ତକାରୀ କମିଟି ଏକ ରିପୋର୍ଟ ଦେବ । ସେହି ରିପୋର୍ଟ ଅନୁସାରେ ସରକାରଙ୍କୁ ଜଣାଇ ଦିଆଯିବ । ଯଦି ଡାକ୍ତର ଦିଲ୍ଲୀପ ପ୍ରଧାନଙ୍କ ଦୋଷ ରହିଛି ତେବେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏମକେସିଜି ମେଡିକାଲର ଅଧିକ୍ଷକ । ତେବେ ଗତ ୧୦ ତାରିଖରେ ବାଘଲଟି ଅଞ୍ଚଳର ବଳରାମ ଗୌଡ଼ ଦୁର୍ଘଟଣାରେ ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏମକେସିଜି ମେଡିକାଲରେ କାର୍ଯ୍ୟରତ ଡାକ୍ତର ଦିଲ୍ଲୀପ ପ୍ରଧାନ ନିଜର ଘରୋଇ ମେଡିକାଲ ବିନାୟକ ହସପିଟାଲକୁ ରୋଗୀଙ୍କୁ ନେବା ପାଇଁ କହିଥିଲେ । ସେଠାରେ ତିନି ଦିନ ଧରି ରୋଗୀଙ୍କୁ ଚିକାଗୋ କରାଯିବା ପରେ ଗତ ୧୩ ତାରିଖରେ ବଳରାମଙ୍କ ମୃତ୍ୟୁ ହୋଇଥିଲା। ବଳରାମଙ୍କ ମୃତ୍ୟୁ ପାଇଁ ଡାକ୍ତର ଦିଲ୍ଲୀପ ପ୍ରଧାନ ସମ୍ପୂର୍ଣ୍ଣ ଦାୟୀ ରହିଥିବା ନେଇ ତାଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି । ଯଦି ଅନ୍ତରୀଣ କମିଟି ନ୍ୟାୟ ନ ଦେବ ତେବେ ବଳରାମଙ୍କ ଦଶାହ କାର୍ଯ୍ୟ ବିନାୟକ ହସପିଟାଲ ସମ୍ମୁଖ, ଡାକ୍ତର ଦିଲ୍ଲୀପ ପ୍ରଧାନଙ୍କ ଘର ସମ୍ମୁଖ, ଏମକେସିଜି ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୃତ ବଳରାମଙ୍କ ସମ୍ପର୍କୀୟ ।