ଦ କୁଇଭର ବ୍ୟୁରୋ:- ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା କରୁଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ଡିସଚାର୍ଜ କରାଯାଇଛି । ଜୁନ ୨୨ରେ ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଏବେ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ । ଡିସଚାର୍ଜ ପରେ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ ବୋଲି ପୂର୍ବରୁ କହିଥିଲେ ଡାକ୍ତର ରମାକାନ୍ତ ପଣ୍ଡା।
ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀ ପାଇଁ ଜୁନ ୨୦ରେ ମୁମ୍ବାଇ ଗସ୍ତ କରିଥିଲେ ନବୀନ। ନବୀନଙ୍କ ଅପରେସନ ପାଇଁ ରାଜ୍ୟବ୍ୟାପୀ ଲୋକମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ବିଭିନ୍ନ ମନ୍ଦିର ଓ ଦେବାଳୟରେ ହୋଇଥିଲା ପୂଜାର୍ଚ୍ଚନା ଓ ଦୀପଦାନ। ୨୨ ତାରିଖରେ ହୋଇଥିଲା ଅପରେସନ। ସର୍ଜରୀ କରିଥିଲେ ପ୍ରସିଦ୍ଧ ସ୍ପାଇନ ସର୍ଜନ ଡାକ୍ତର ରାଜଶେଖର ଓ ଟିମ।ମୋଟ ୪ ଘଣ୍ଟାର ଅପରେସନ ଥିଲା । ମୁଖ୍ୟ ଅପରେସନ ୨ ଘଣ୍ଟାରୁ କମ୍ ଥିଲା । ଅପରେସନ ସଫଳ ହୋଇଥିବା କହିଥିଲେ ଡାକ୍ତର। ପରେ ସେ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ କହିଥିଲେ। ଜୁନ ୨୫ରେ ଆଇସିୟୁରୁ ରୁମକୁ ସିଫଟ ହୋଇଥିଲେ ନବୀନ। ରଥଯାତ୍ରା ଦିନ ନବୀନ ଟିଭିରେ ରଥଯାତ୍ରା ଦେଖୁଥିବାର ଭିିଡିଓ ମଧ୍ୟ ଆସିଥିଲା ।ସର୍ଭାଇକାଲ ଆଥ୍ରାଇଟିସ ସାଧାରଣତଃ ଏକପ୍ରକାର ଅଷ୍ଟିଓଆର୍ଥ୍ରାଇଟିସ। ଏହା ଦ୍ବାରା ବେକର ମେରୁଦଣ୍ଡର ହାଡ଼ ଓ ଜଏଣ୍ଟ ଗୁଡିକ ପ୍ରଭାବିତ ହୋଇଥାଏ। ବେକର ଜଏଣ୍ଟରେ ଥିବା କାର୍ଟିଲେଜ ଧୀରେ ଧୀରେ କ୍ଷୟ ହୋଇଯାଏ। ଏହାପରେ ବେକରେ ଯନ୍ତ୍ରଣା ଓ ସମସ୍ୟା ସୃଷ୍ଟି ହୋଇଥାଏ । ଆଘାତ, ଅତ୍ୟଧିକ ଚାପ ବା ଜେନେଟିକ କାରଣରୁ ହୋଇଥାଏ ସର୍ଭାଇକାଲ ଆର୍ଥ୍ରାଇଟିସ । ଏହି ଯନ୍ତ୍ରଣାରୁ ଉପଶମ ପାଇଁ ସର୍ଜରୀର ଆବଶ୍ୟକତା ହୋଇଥାଏ। ସର୍ଜରୀ ଦ୍ବାରା ବେକ ଓ ମେରୁଦଣ୍ଡ ସଂଲଗ୍ନ କ୍ଷୟ ହୋଇଯାଇଥିବା କାର୍ଟିଲେଜକୁ ବାହାର କରିଦିଆଯାଇଥାଏ। ଏହା ସ୍ଥାନରେ ଆର୍ଟିଫିସିଆଲ ଡିସ୍କ ଖଞ୍ଜା ଯାଇଥାଏ। ଦିନେ ଦୁଇଦିନ ମଧ୍ୟରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥାଏ । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହେବାକୁ ୩ରୁ ୬ ସପ୍ତାହ ସମୟ ଲାଗିଥାଏ ।