ଦ କୁଇଭର ବ୍ୟୁରୋ:- ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି ନବୀନ ପଟ୍ଟନାୟକ । ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଗତକାଲି କିଛି ପାଦ ଚଲାବୁଲା ମଧ୍ୟ କରିଛନ୍ତି । ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ସର୍ଭାଇକାଲ ଆର୍ଥ୍ରାଇଟିସ ଅପରେସନ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ପ୍ରାୟ ୪ଘଣ୍ଟାର ଥିଲା ଅପରେସନ ପ୍ରକ୍ରିୟା । ମୁଖ୍ୟ ସର୍ଜରୀ ଥିଲା ପ୍ରାୟ ୨ଘଣ୍ଟା । ଆଜି ନବୀନଙ୍କୁ ରୁମକୁ ସିଫ୍ଟ କରାଯିବ । ୪ରୁ ୫ ଦିନ ପରେ ନବୀନଙ୍କୁ ଡିସଚାର୍ଜ କରାଯିବ । ହସପିଟାଲରୁ ଡିସଚାର୍ଜ ହେବା ପରେ ନବୀନଙ୍କୁ ସ୍ପାଇନ ସର୍ଜରୀ ପାଇଁ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ ବୋଲି କହିଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ବ୍ୟକ୍ତ କରିଥିବା ଓ ଆରୋଗ୍ଯ ଲାଭ ପାଇଁ ପ୍ରାର୍ଥନା କରିଥିବା ଓଡିଶାବାସୀ ଓ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଡ଼ ଭାଇ ପ୍ରେମ ପଟ୍ଟନାୟକ। ସେପଟେ ନବୀନ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ଦେବପୀଠରେ ଚାଲିଛି ପୂଜାର୍ଚ୍ଚନା ।.
ଦୀର୍ଘ ଦିନ ହେବ ସର୍ଭିକାଲ ଆଥ୍ରାଇଟିସରେ ନବୀନ ପୀଡିତ ଥିବା ବେଳେ ଚଳିତ ମାସରେ ଚିକିତ୍ସା ପାଇଁ ନିଷ୍ପତ୍ତି ନେଇଥିଲେ । ଜୁନ ୨୦ ତାରିଖ ଦିନ ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ ମୁମ୍ବାଇ ବାହାରିଥିଲେ ନବୀନ ପଟ୍ଟନାୟକ । ସେ ମୁମ୍ବାଇ ଯିବା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ବିଜେଡି ନେତା ଓ କର୍ମୀ ତାଙ୍କୁ ବିଦାୟ ଦେଇଥିଲେ । ତାଙ୍କ ସୁସ୍ଥତା କାମନା କରି ସମସ୍ତ କର୍ମୀ ମାନେ ପୂଜାର୍ଚ୍ଚନାର ଆୟୋଜନ କରିଥିଲେ । ଖାଲି କର୍ମୀ ନୁହନ୍ତି ବରଂ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି। ଦୀପ ପ୍ରଜ୍ବଳନ ସହ ସାମୂହିକ ପ୍ରାର୍ଥନା କରାଯାଉଛି । ୨୪ ବର୍ଷ ଧରି ରାଜ୍ୟ ଶାସନ କରିଥିବା ବେଳେ ଆଜିବି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି ।
No comments yet.
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ୬ ଦଫା ଦାବି ନେଇ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି । ସରକାରଙ୍କ ସହ ମହାସଂଘର ମାରାଥନ୍ ବୈଠକ ବିଫଳ ହେଲା ପରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି । ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ରୋକ୍ଠୋକ୍ ଶୁଣାଇ ଦେଇଥିଲା । ଆନ୍ଦୋଳନର ଦ୍ୱିତୀୟ ଦିନରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡ୍ରାଇଭର ମହାସଂଘକୁ ଡକାଯାଇ ନଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଯାତ୍ରୀ ଓ ସାମଗ୍ରୀ ପରିବହନ ସଂପୂର୍ଣ୍ଣ ଭାବେ ଠପ୍ ହୋଇ ପଡ଼ିଛି । ତୈଳ ପରିବହନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଆଜି ବହୁ ତେଲ ଟାଙ୍କିରୁ ପେଟ୍ରୋଲ୍, ଡିଜେଲ୍ ସରି ଯାଇଥିବା ଜଣାପଡ଼ିଛି । ଆଜି ପେଟ୍ରୋଲ୍, ଡିଜେଲ୍ ପରିବହନ ନ ହୋଇ ପାରିଲେ ରାଜ୍ୟରେ ତେଲ ସଙ୍କଟ ଦେଖା ଦେବ । ଫଳରେ ସଙ୍ଗିନ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ତୈଳ ସଙ୍କଟ ନେଇ ଉତ୍କଳ ପେଟ୍ରୋଲିୟମ୍ ଡିଲର୍ ଅସୋସିଏସନ୍ ସଭାପତି ସଞ୍ଜୟ ଲାଠ୍ କହିଛନ୍ତି ଯେ ପାରାଦୀପ, ବାଲେଶ୍ବର, ଜଟଣୀ, ଝାରସୁଗୁଡ଼ା ଆଦି ପେଟ୍ରୋଲ ଡିପୋରେ ତୈଳ ପରିବହନ କରୁଥିବା ଡ୍ରାଇଭରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଫଳରେ ଦୁଇ ଦିନ ହେଲା ତେଲ ପରିବହନ ବନ୍ଦ ରହିଛି । ଆଜି ବି ତୈଳ ପରିବହନ ନ ହେଲେ ଅଧିକାଂଶ ତେଲ ଟାଙ୍କିରୁ ତେଲ ସରିଯିବ। ସନ୍ଧ୍ୟା ସୁଦ୍ଧା ରାଜ୍ୟର କୌଣସି ଟାଙ୍କିରେ ପେଟ୍ରୋଲ୍, ଡିଜେଲ୍ ମିଳିବ ନାହିଁ । ତେଣୁ ଆଜି ତେଲ ପରିବହନ ହେବା ଜରୁରୀ।
ଅନ୍ୟପଟେ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ଡ୍ରାଇଭରମାନଙ୍କ ଯେଉଁ ପ୍ରମୁଖ ଦାବି ରହିଛି, ଯେମିତିକି ୱେଲ୍ଫେୟାର୍ ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯିବା । ଏହି ଦାବିକୁ ବୋର୍ଡ ବୈଠକରେ ସରଳୀକରଣ କରାଯାଇ ଅଟୋ ଡ୍ରାଇଭରମାନଙ୍କୁ ସାମିଲ କରାଯିବ । ସାଧାରଣ ଲୋକଙ୍କ ଆକ୍ରୋଶରୁ ଡ୍ରାଇଭରମାନଙ୍କୁ ସୁରକ୍ଷା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମସ୍ତ ଜିଲ୍ଲାର ଏସ୍ପିଙ୍କୁ ଚିଠି ଲେଖାଯାଇଛି । ଓଡ଼ିଶାରେ ଗଢ଼ି ଉଠିଥିବା ଶିଳ୍ପ ଓ କାରଖାନାମାନଙ୍କରେ ଓଡ଼ିଶାର ଡ୍ରାଇଭରମାନେ ଅଧିକରୁ ଅଧିକ ଯେପରି ନିଯୁକ୍ତି ପାଇବେ, ସେ ନେଇ ସରକାରୀ ନିଷ୍ପତ୍ତି ନିଆଯିବ । ପ୍ରତି ୧୦୦ କିମିରେ ଡ୍ରାଇଭର ସୁବିଧା କେନ୍ଦ୍ର ସ୍ଥାପନ କରାଯିବ । ପୁଲିସର ମାତ୍ରାଧିକ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ନ ହେବା ଲାଗି ନିର୍ଦ୍ଦେଶ ଦିଆଯିବ । ୱେଲ୍ଫେୟାର ବୋର୍ଡରେ ପଞ୍ଜୀକରଣ ମାଗଣା କରାଯିବ ଆଦି ନିଷ୍କର୍ଷ ବାହାରିଛି । ଖୁବ୍ଶୀଘ୍ର ୱେଲ୍ଫେୟାର ବୋର୍ଡ ବୈଠକ କରାଯାଇ ଡ୍ରାଇଭରମାନଙ୍କ ସବୁ ଦାବି ଶୁଣାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଡ୍ରାଇଭରମାନେ ଆନ୍ଦୋଳନରୁ ହଟିବାକୁ ମନ୍ତ୍ରୀ ନିବେଦନ କରିଥିଲେ । ଏ ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ୫ ବର୍ଷ ହେବ ଆମେ ସରକାରଙ୍କ ନିକଟରେ ଦାବି କରି ଆସୁଛୁ । କିନ୍ତୁ କେହି ଦାବି ପୂରଣ ନେଇ ପଦକ୍ଷେପ ନେଉ ନାହାନ୍ତି । ତେଣୁ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ।
ସବୁଆଡେ ଗାଡି ଚଳାଚଳ ବନ୍ଦ ରହିଥିବା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅଖ ଚକ ସବୁ ବନ୍ଦ ଥିବା ଯୋଗୁଁ ସବୁଠି ଦେଖିବାକୁ ମିଳୁଛି ଉତ୍କଟ ସମସ୍ୟା l ତେଣୁ ଡ୍ରାଇଭରଙ୍କ ଦାବୀକୁ ଶୁଣି କିଛି ସ୍ଥାୟୀ ସମାଧାନ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l
State
ଗଞ୍ଜାମ( ଦ କୁଇଭର ):- ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା।ପୁଷା ମୁଣ୍ଡାଙ୍କ ସରକାରୀ ଗାଡ଼ିରୁ ନଗଦ ୩ ଲକ୍ଷ ଜବତ । ଛତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନିକଟରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଜବତ କଲା ଭିଜିଲାନ୍ସ । ପୁଷା ମୁଣ୍ଡାଙ୍କ ଠାରୁ ୩ଲକ୍ଷ ଟଙ୍କା ଜବତ କରି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ନଗଦ ୩ ଲକ୍ଷ ଟଙ୍କା ପୁଷା ମୁଣ୍ଡାଙ୍କ ଗାଡିରେ କାହିଁକି ରଖାଯାଇଥିଲା ନା ଟଙ୍କା ସେ କାହା ପାଖରୁ ନେଇଥିଲେ ତାହା ଅସ୍ପଷ୍ଟ ।
State
ଦ କୁଇଭର ବ୍ୟୁରୋ :- ଅପରେସନ ଶୁଦ୍ଧି ରେ ନୂଆପଡ଼ା ଜିଲ୍ଲା ପୋଲିସ ନିଶା ବେପାରୀ ଙ୍କ ଉପରେ ଚଡ଼କ ଛାଡିଥିବା ବେଳେ । ଦୈନନ୍ଦିନ ମଦ ଓ ଗଞ୍ଜେଇ ସହ ନିଶା କାରବାର ରେ ଲିପ୍ତ ଅଭିଯୁକ୍ତ ଙ୍କୁ ଗିରଫ କରୁଛି ନୂଆପଡ଼ା ର ବିଭିନ୍ନ ଥାନା ପୋଲିସ । ହେଲେ ଆଜି ଏକ ବଡ ଧରଣ ଗଞ୍ଜେଇ କାରବାର ଲିପ୍ତ ଦୁଇ ଗଞ୍ଜେଇ ମାଫିଆ ଦମ୍ପତି ଙ୍କ ସହ ବାର ଜଣ ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩୮ କେଜି ଗଞ୍ଜେଇ କୁ ଜବତ କରି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ଖରୀଆର ରୋଡ ଯୋଙ୍କ ପୋଲିସ ।
ସୂଚନା ଅନୁସାରେ ଗତକାଲି ଦିନ ୧୨.୩୦ ସମୟ ରେ ବିଶେଷ ସୂତ୍ର ରୁ ଖବର ପାଇ ଖରୀଆର ରୋଡ଼ ଯୋଙ୍କ ଥାନା ଆଇଆଇସି ପ୍ରଦୀପ ଧରୁଆ ଙ୍କ ନେତୃତ୍ଵ ରେ ଏକ ଆଇ-20 କାର କୁ ଅଟକ ରଖି ଛାନଭିନ କରିଥିଲା । କାର ମଧ୍ୟରେ ଥିବା ଦମ୍ପତ୍ତି ଅତି ଚତୁରତା ର ସହ ୨୪ କେଜି ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଥିଲା l ପରେ ସେମାନଙ୍କୁ ପଚରା ଉଚୁରା କରିବାପରେ ଦମ୍ପତ୍ତି ଙ୍କ ଘର କୋମନା ଥାନା ଜେଠୁପାଲି ରେ ଚଢାଉ କରି ସେଠାରୁ ମଧ୍ୟପ୍ରଦେଶ ରୁ ଆସିଥିବା ୧୦ ଜଣ ଗଞ୍ଜେଇ ବେପାରୀ ଙ୍କୁ କାବୁ କରି ତାଙ୍କ ଠାରୁ ୧୪ କେଜି ଗଞ୍ଜେଇ ସହ ସମସ୍ତଙ୍କୁ ଗିରଫ କରି ଥିଲା । ଏହି ମାମଲା ରେ ବର୍ତ୍ତମାନ ୧୨ ଜଣ ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩୮ କେଜି ଗଞ୍ଜେଇ ସହ ଗୋଟିଏ କାର, ଚାରି ଗୋଟି ମୋବାଇଲ, ନଗଦ ୨୭ ଏକ ଶହ ଟଙ୍କା କୁ ଜବତ କରିବା ସହ ୧୨ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି । ୧୨ ଜଣ ଙ୍କ ମଧ୍ୟରୁ ପାଞ୍ଚ ଜଣ ମହିଳା ମଧ୍ୟ ସାମିଲ ଥିବା ଜଣା ପଡିଛି । ଏହି ଗଞ୍ଜେଇ ଚୋରା ଚାଲାଣ ଆନ୍ତରାଜ୍ୟ ହୋଇଥିବା ରୁ ଏହାର ତଦନ୍ତ ପୁଙ୍ଖାନୁପୁଙ୍ଖ କରି ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
International,National
ମୁମ୍ବାଇ ( ଦ କୁଇଭର ):- ୨୬/୧୧ ମୁମ୍ବାଇ ଆକ୍ରମଣର ଗୁମର ଖୋଲିଛି । ଏହି ଆକ୍ରମଣ ପଛରେ ପାକିସ୍ତାନୀ ସେନା ଓ ISIର ସମ୍ପୃକ୍ତି ଥିବା ନେଇ କହିଛନ୍ତି କୁଖ୍ୟାତ ଆତଙ୍କବାଦୀ ରାଣା । ଜେରା ବେଳେ ଏଭଳି ଚାଞ୍ଚଲ୍ୟ କର ତଥ୍ୟ ଦେଇଛନ୍ତି । ଆଉ କହିଛନ୍ତି ଏହି ଆକ୍ରମଣ ପାଇଁ ସେମାନେ କିଭଳି ରେକୀ କରିଥିଲେ । ଆକ୍ରମଣ ପୂର୍ବରୁ ମୁମ୍ବାଇରେ ଆସି ରାଣା ଓ ଅନ୍ୟ ସହଯୋଗୀ ମାନେ ରେକି କରିଥିବା ବି କହିଥିଲେ ।
NIAର ଜେରା ବେଳେ ଏପରି ସାଙ୍ଘାତିକ ତଥ୍ୟ ଦେଇଛନ୍ତି ରାଣା । ଭାରତରେ ଥିବା ପାକିସ୍ତାନୀ ସ୍ଲିପରସେଲ ସହାୟତାରେ ପ୍ରଥମେ କେଉଁ ଜାଗା ଉପରେ ଆକ୍ରମଣ କରିବେ ତାହା ଧାର୍ଯ୍ୟ ହୋଇଥିଲା । କେଉଁଠି ବିଦେଶୀ ନାଗରିକ ରହନ୍ତି ତାକୁ ବି ଟାର୍ଗେଟ କରାଯାଇଥିଲା । ବିଦେଶୀ ନାଗରିକକୁ ମାରି ଭାରତକୁ ବଦନାମ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ରଚିଥିଲା ପାକିସ୍ତାନ । ଯାହାର ଖୁଲାସା ଏବେ ରାଣା କରିଛନ୍ତି ।
ପୂର୍ବରୁ ପାକିସ୍ତାନୀକୁ ଆତଙ୍କବାଦୀ ଦେଶ ବୋଲି ଭାରତ କହି ଆସୁଛି । ହେଲେ ଏହାକୁ ନା ଚୀନ ଶୁଣୁଛି, ନା ଆମେରିକା । ପହଲଗାମ ଆକ୍ରମଣ ହେଉ ବା ୨୬/୧୧, ଉରୀ ହେଉ ବା ପଠାନ କୋଟ, ସବୁ ଜାଗାର ପାକିସ୍ତାନର ଆତଙ୍କବାଦୀ ମାନଙ୍କର ହିଁ ସମ୍ପୃକ୍ତି ଅଛି । ଏକଥା ବାରମ୍ବାର ବିଶ୍ୱ ଦରବାରରେ ଭାରତ ରଖିଛି । କିନ୍ତୁ ପାକିସ୍ତାନକୁ ଆତଙ୍କବାଦୀ ରାଷ୍ଟ୍ରର ଆଖ୍ୟା ଦେବା ପରିବର୍ତ୍ତେ ତାକୁ ସୁରକ୍ଷା ଦେଉଛନ୍ତି ଆମେରିକା ଓ ଚୀନ । ଏବେ ପାକିସ୍ତାନର ଆଉ ଗୋଟିଏ ଜଘନ୍ୟ କାଣ୍ଡକୁ ପର୍ଦାଫାଶ କରିଛି NIA ।
NIA ରାଣାଙ୍କୁ ଜେରା କଲାବେଳେ ରାଣା କହିଛନ୍ତି କିଭଳି ପାକିସ୍ତାନର ସେନା ଓ ISI ମୁମ୍ବାଇ ଆକ୍ରମଣ ପାଇଁ ସହାୟତା କରିଥିଲେ । ଆକ୍ରମଣର ନକ୍ସା ତିଆରି ହୋଇଥିଲା ପାକିସ୍ତାନ ସେନା ମୁଖ୍ୟଳୟରେ ISI ଏହାକୁ କାର୍ଯ୍ୟକାରୀ କରାଇଥିଲେ । ଦେଖାଯାଉ ଏହି ତଥ୍ୟକୁ ଭାରତ ବିଶ୍ୱ ଦରବାରରେ କିପରି ଉପସ୍ଥାପନ କରୁଛି ଓ ବିଶ୍ୱ ସମୁଦାୟ ଏହାକୁ କେତେ ବିଶ୍ୱାସ କରୁଛି ?
Shree Jagannath,State
ପୁରୀ ( ଦ କୁଇଭର ):- ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ । ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଭିତରେ ଚଢ଼ିଲେ ସନ୍ଦିଗ୍ଧ । ନୀଳାଦ୍ରିବିଜେରେ ମାଳ ମାଳ ସୁରକ୍ଷା କର୍ମୀ ଶ୍ରୀମନ୍ଦିର ବାହାରେ ଜଗିଥିବା ବେଳେ, ଶ୍ରୀମନ୍ଦିର ଭିତରେ ମଧ୍ୟ ମାଳ ମାଳ ପୋଲିସ ମୁତୟନ ରହିଥିଲେ । ଏହାରି ଭିତରେ ଦକ୍ଷିଣ ଦ୍ୱାର ମେଘନାଦ ପାଚେରୀ ଭିତରେ ୪ଜଣ ସନ୍ଦିଗ୍ଧ ଯୁବକ ଚଢ଼ିଥିଲେ । ମେଘନାଦ ପାଚେରୀ ପାଖରେ ମନ୍ଦିରର ବ୍ୟବହୃତ ଫୁଲ, ପତ୍ର ପଡି ଏକ କୁତ୍ରିମ ବାଟ ତିଆରି ହୋଇଛି ।ସେହି ବାଟ ଦେଇ କିପରି ଭକ୍ତମାନେ ଶ୍ରୀମନ୍ଦିର ମଧ୍ୟକୁ ବେଆଇ ପ୍ରବେଶ କରୁଛନ୍ତି ତାହା ଆଶ୍ଚର୍ଯ୍ୟଜନକ । କେଉଁ ଉଦ୍ଦେଶ୍ୟରେ ଏମାନେ ଚଢ଼ିଥିଲେ ତାହା ଜଣାପଡ଼ିନାହିଁ । ଏନେଇ ପୋଲିସ ପାଖରେ ସୂଚନା ଅଛି କି ନାହିଁ ତାହା ଜଣାପଡ଼ିନଥିବା ବେଳେ, କେତେ ସୁରକ୍ଷିତ ଶ୍ରୀମନ୍ଦିର ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
State
ଦ କୁଇଭର ବ୍ୟୁରୋ :- ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ଶାସନ ଟୋଲ ଗେଟ ଠାରେ ଅବକାରୀ ବିଭାଗ ଗଞ୍ଜେଇ ବୋଝେଇ ଗାଡି ଯାଞ୍ଚ ସମୟରେ ବାହାରିଲା ୧୧୦ କେଜି ରୁପା l ରେଙ୍ଗାଲି ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ ହେଇଥିବା ସନ୍ଦେହ ରେ ସ୍କୋର୍ପିଓ ଗାଡି ଯାଞ୍ଚ ସମୟରେ ବାହାରିଲା ରୁପା ଇଟା l ସୂଚନା ଅନୁସାରେ ନାଶିକରୁ ରାଞ୍ଚି ଯାଉଥିଲା ରୁପା lଅବକାରୀ ବିଭାଗ ଯାଞ୍ଚ କରୁଥିବା ସମୟରେ ଗାଡିରେ ଏକ ସିକ୍ରେଟ ଚେମ୍ବର ଭିତରେ ୧୧୦ କେଜି ରୁପା ମିଳିଥିଲା l ତେବେ ଏତେ ପରିମାଣ ରୁପାର କୌଣସି କାଗଜପତ୍ର ମଗାଯିବାରୁ ଗାଡିରେ ଥିବା 2 ଜଣ ବ୍ୟକ୍ତି କୌଣସି କାଗଜ ପତ୍ର ଦେଖେଇ ପାରି ନଥିଲେ l ଫଳରେ ଗାଡିକୁ ଅଟକ ରଖା ଯାଇ ସବୁ ରୁପାକୁ ରେଙ୍ଗାଲି ଅବକାରୀ ବିଭାଗ ଅଫିସକୁ ନିଆଯାଇଥିଲା l ସମ୍ବଲପୁର ସିଟି ଜିଏସଟିର ଏକ ଟିମ ଘଟଣା ସ୍ଥଳକୁ ଯାଇ ଅଟକ ଲୋକଙ୍କୁ ପଚରା ଉଚରା ଜାରି ରଖିଛି lଅବକାରୀ ବିଭାଗ ଅଧିକ୍ଷକ ଅଶୋକ ସେଠଙ୍କ ସୂଚନା ଅନୁସାରେ ଏହି ରୁପା ମହାରାଷ୍ଟ୍ରର ନାଶିକରୁ ରାଞ୍ଚିକୁ ଯାଉଥିଲା l ଅଟକ ଯୁବକ ଜଣକ ହେଲେ ଡ୍ରାଇଭର ସଂଜୟ ପଟେଲ ଓ ସହଯୋଗୀ ଚନ୍ଦ୍ରକାନ୍ତ ପଟେଲ l ଅବକାରୀ ବିଭାଗର ଟିମ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ନିୟମିତି ଯେମିତି ସମ୍ବଲପୁର- ଝାରସୁଗୁଡା ରାସ୍ତା ଓ ସମ୍ବଲପୁର ରେଢ଼ାଖୋଲ ରାସ୍ତାରେ ଗାଡି ଗୁଡିକର ଯାଞ୍ଚ କରିଥାଏ, ସେହିପରି ଆଜି ମଧ୍ୟ ଶାସନ ଟୋଲ ଗେଟ ଠାରେ ଗାଡି ଗୁଡିକର ଯାଞ୍ଚ କରୁଥିଲା l ତେବେ ଏକ ମହିନ୍ଦ୍ର ସ୍କୋର୍ପିଓ ଗାଡିରେ ସନ୍ଦେହ ହେବାରୁ ଅବକାରୀ ଟିମ ଗାଡିଟିର ଯାଞ୍ଚ କରିଥିଲା l
State
ଦ କୁଇଭର ବ୍ୟୁରୋ :- ଆଗକୁ ଆସୁଛି ଧର୍ମର ମାସ ଶ୍ରାବଣ l ହାତରେ ବାଡ଼ି, କାନ୍ଧରେ ବାହୁଙ୍ଗୀ ନେଇ ଭୋଳାବାବାଙ୍କ ପାଖେ ଜଳ ଚଢ଼ାନ୍ତି ମାନସିକଧାରୀ ଏବଂ ଶ୍ରଦ୍ଧାଳୁ l ମାସ ସାରା ସାତ୍ଵିକ ଭୋଜନ ସହ ଧର୍ମ ଅର୍ଜନରେ ଲାଗିପଡ଼ନ୍ତି ଶ୍ରଦ୍ଧାଳୁ l ତେବେ ଏହି ପବିତ୍ର ମାସରେ ମଧ୍ୟ କିଛି ବ୍ୟକ୍ତି କରିଦିଅନ୍ତି ଏସବୁର ଭୁଲ, ଯାହାର ପରିଣାମ ଭୟଙ୍କର ହୋଇଥାଏ l
ଶାସ୍ତ୍ରରେ ଶ୍ରାବଣ ମାସରେ ମଦ ଏବଂ ଆମିଷଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ବିଜ୍ଞାନ ମଧ୍ୟ ଏହା ସ୍ୱୀକାର କରେ ଯେ ମୌସୁମୀ ଅର୍ଥାତ୍ ଭୋଳାନାଥଙ୍କୁ ଉତ୍ସର୍ଗ କରାଯାଇଥିବା ଶ୍ରାବଣ ମାସରେ ଏହି ଦୁଇଟି ଜିନିଷଠାରୁ ଦୂରେଇ ରହିବା ସ୍ବାସ୍ଥ୍ୟ ପ୍ରତି ଭାରି ଭଲ । ବିଜ୍ଞାନରେ ଏପରି ଅନେକ ତର୍କ କରାଯାଇଛି ଯେ ଶ୍ରାବଣରେ ମଦ ଏବଂ ଆମିଷଠାରୁ ଦୂରତା କାହିଁକି ଜରୁରୀ । ଶ୍ରାବଣ ମାସ ଏକ ଧାର୍ମିକ ମାସ ଏବଂ ଏହା ପଛରେ ବୈଜ୍ଞାନିକ ଓ ସାମାଜିକ କାରଣ ମଧ୍ୟ ରହିଛି । ତେବେ ବିଜ୍ଞାନ ଏହା ଉପରେ କାହିଁକି ଗୁରୁତ୍ୱ ଦିଏ, ଆସନ୍ତୁ ଜାଣିବା । ଶ୍ରାବଣ ଅର୍ଥାତ୍ ବର୍ଷାଋତୁ । ଏହା ଏପରି ଏକ ଋତୁ, ଯାହା ଆର୍ଦ୍ରତା ବଢ଼ାଇଥାଏ । ଏପରି ପାଗରେ ସଂକ୍ରମଣ ହେବାର ଆଶଙ୍କା ବହୁତ ଅଧିକ ଥାଏ । ଫଳରେ ମାଂସରେ ବ୍ୟାକ୍ଟେରିଆ ଏବଂ ଭାଇରସ୍ ଶୀଘ୍ର ବଢ଼ିଥାଏ । ଯାହା ଫୁଡ୍ ପଏଜନିଂର ସମସ୍ୟାକୁ ବଢ଼ାଇଥାଏ । ମାଛମାନଙ୍କର ପ୍ରଜନନ ଋତୁ ହେଉଛି ମୌସୁମୀ । ଅନେକ ରାଜ୍ୟରେ ଏହି ସମୟରେ ସରକାର ମାଛ ନ ଧରିବାକୁ ନିର୍ଦ୍ଦେଶ ଜାରି କରନ୍ତି । ବିଶେଷଜ୍ଞମାନେ ମଧ୍ୟ ଏହି ଋତୁରେ ମାଛ ନ ଖାଇବାକୁ ପରାମର୍ଶ ଦିଅନ୍ତି । ଏହାର ଅନେକ କାରଣ ରହିଛି । ପ୍ରଥମତଃ ବର୍ଷାଋତୁରେ ଜଳ ପ୍ରଦୂଷଣ ବଢ଼ିଥାଏ । ପାଣିରେ ବ୍ୟାକ୍ଟେରିଆ ସଂଖ୍ୟା ବଢ଼ିଥାଏ । ଫଳରେ ମାଛ ମାଧ୍ୟମରେ ମଣିଷ ଦେହରେ ସଂକ୍ରମଣ ବ୍ୟାପିବା ଏବଂ ଝାଡ଼ା,ବାନ୍ତି ହେବାର ଆଶଙ୍କା ରହିଥାଏ । ଯେହେତୁ ମାଛମାନଙ୍କର ଏହା ପ୍ରଜନନ ସମୟ ତେଣୁ ସେମାନଙ୍କଠାରେ ଅନେକ ପ୍ରକାର ପରିବର୍ତ୍ତନ ଦେଖା ଦେଇଥାଏ । ଏହି ପରିବର୍ତ୍ତନଗୁଡ଼ିକ ମାଛର ଗୁଣବତ୍ତା ଉପରେ ପ୍ରଭାବ ପକାଇଥାଏ । ମାଛ ପରଜୀବୀ ଏବଂ ରୋଗ ପ୍ରତି ଅଧିକ ସମ୍ବେଦନଶୀଳ ହୋଇପାରନ୍ତି ଯାହା ଖାଇବା ଦ୍ୱାରା ମଣିଷଙ୍କଠାରେ ବ୍ୟାପିପାରେ ।ବର୍ଷାଋତୁ ସଂକ୍ରାମକ ରୋଗ ପାଇଁ ମଧ୍ୟ ଜଣାଯାଏ । ଆୟୁର୍ବେଦ ବିଶେଷଜ୍ଞ କୁହନ୍ତି ବର୍ଷାଋତୁରେ ଶରୀରର ରୋଗ ସହିତ ଲଢ଼ିବାର ଶକ୍ତି ଅର୍ଥାତ୍ ପ୍ରତିରକ୍ଷା ଶକ୍ତି କମିଯାଏ । ସଂକ୍ରାମକ ରୋଗ କେବଳ ମଣିଷ ନୁହେଁ ପଶୁମାନଙ୍କୁ ମଧ୍ୟ ଶିକାର କରିଥାଏ । ଏହି କାରଣରୁ ବର୍ଷାଋତୁରେ ଆମିଷ ଖାଇବା ଅନେକ ରୋଗକୁ ଡାକିପାରେ । ଆୟୁର୍ବେଦରେ ମୌସୁମୀରେ ହାଲୁକା ଏବଂ ଶାକାହାରୀ ଭୋଜନ ଖାଇବାକୁ କୁହାଯାଇଛି । ବର୍ଷାଋତୁ ମେଟାବୋଲିଜିମ୍ ଅର୍ଥାତ୍ ପାଚନ ଶକ୍ତିକୁ ଦୁର୍ବଳ କରିଥାଏ । ଆମିଷ ଖାଦ୍ୟକୁ ତାମସିକ ଭୋଜନ ବୋଲି ବିବେଚନା କରାଯାଏ ଯାହା ସହଜରେ ହଜମ ହୁଏ ନାହିଁ । ଯାହାଦ୍ବାରା ଶରୀର ଏହାକୁ ହଜମ କରିବା ପାଇଁ ଅଧିକ ପରିଶ୍ରମ କରେ । ପାଚନ ପାଇଁ ଶରୀର ଉପରେ ଅତିରିକ୍ତ ଚାପ ପଡ଼ିଲେ ଗ୍ୟାସ୍, ଅଜୀର୍ଣ୍ଣ, ଏସିଡିଟି ଏବଂ ଭାରିପଣ ଅନୁଭବ ହୋଇପାରେ । ପୂର୍ବରୁ ଦୁର୍ବଳ ହୋଇଥିବା ପ୍ରତିରକ୍ଷା ସିଷ୍ଟମ୍ ଅସୁବିଧା ବଢ଼ାଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁସାରେ ମଦ ପିଇବା ପରେ ହେଉଥିବା ସଡ଼କ ଦୁର୍ଘଟଣାରେ ବୃଦ୍ଧି ଘଟିଛି । ଏହାର ସିଧାସଳଖ ପ୍ରଭାବ ସେହି ଲୋକମାନଙ୍କ ଉପରେ ମଧ୍ୟ ପଡ଼ିଛି, ଯେଉଁମାନେ ମଦ ପିଇ ନ ଥିଲେ କିନ୍ତୁ ମଦ ପିଇଥିବା ଗାଡ଼ି ଚାଳକର ଭୁଲର ଶିକାର ହୋଇଥିଲେ ।
ତେବେ ବର୍ଷର କେଉଁ ମାସ ହେଉ ନା କାହିଁକି ମଦ ଆମିଷ ଭଳି ତାମସିକ ଭୋଜନ ରୁ ଦୁରେଇ ରହିବା ଯଥା ସମ୍ଭବ ସମସ୍ତଙ୍କ ପକ୍ଷେ ହିତ l
Politics,National,State
ଦ କୁଇଭର ବ୍ୟୁରୋ :- ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ଲୋକପ୍ରିୟ ନେତା ରାହୁଲ ଗାନ୍ଧୀ । ଭୁବନେଶ୍ବର ବରମୁଣ୍ଡାରେ ଆୟୋଜିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ସାମିଲ ହେବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଥିପାଇଁ ଉତ୍ସାହିତ କଂଗ୍ରେସ ଶିବିର । ଓଡ଼ିଶାରେ ବିଧାନସଭା ନିର୍ବାଚନ ପରେ ଏହା ରାହୁଲଙ୍କ ପ୍ରଥମ ଗସ୍ତ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ରହିଛି । ରାହୁଲଙ୍କ ଗସ୍ତ ଓ ସଭାକୁ ଆଖିରେ ରଖି ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଏନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କିଛି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ଥିବାରୁ ଯାତ୍ରୀମାନେ ସେହି ରାସ୍ତା ବଦଳରେ ଅନ୍ୟ ରାସ୍ତାରେ ଯିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି । ସକାଳ ୧୦ଟାରୁ ୧୨ଟା ଭିତରେ ବିମାନ ବନ୍ଦର ଛକରୁ ଜୟଦେବ ବିହାର ଛକ ଯାଏଁ ପ୍ରବଳ ଭିଡ଼ ହୋଇପାରେ । ସେହିପରି ଅପରାହ୍ନ ୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ ବରମୁଣ୍ଡା ଛକରୁ ହୋଟେଲ ମେ’ ଫେୟାର ଛକ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି । ଅପରାହ୍ନ ୩ଟାରୁ ୩ଟା ୩୦ ଯାଏଁ ହୋଟେଲ ମେ’ ଫେୟାର ଛକରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି । ଅପରାହ୍ନ ୪ଟାରୁ ୫ଟା ଯାଏଁ ମାଷ୍ଟର କ୍ୟାଣ୍ଟିନ ଛକରୁ ବିମାନ ବନ୍ଦର ଛକ ଓ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି । ତେଣୁ ସମ୍ପୃକ୍ତ ସମୟ ମଧ୍ୟରେ ସେହି ସବୁ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯିବାଆସିବା କରିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି ।
ଅନ୍ୟପଟେ ଡ୍ରାଇଭର ସଂଘର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି । ଯଦିଓ ସରକାର ଓ ଡ୍ରାଇଭର ସଂଘ ମଧ୍ୟରେ ଆଲୋଚନା ହୋଇଛି, ହେଲେ କିଛି ସମାଧାନ ବାହାରି ପାରିନି ନାହିଁ । ଫଳରେ ଗତ ତିନି ଦିନ ଧରି ଡ୍ରାଇଭର ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନର ଚତୁର୍ଥ ଦିନ । ଆନ୍ଦୋଳନ ଯୋଗୁଁ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଛି। ଆଉ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡ଼ିଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବସଷ୍ଟାଣ୍ଡରେ ବସ୍, ରାସ୍ତା କଡରେ ଟ୍ରକ ଓ ଅନ୍ୟାନ୍ୟ ଗାଡ଼ି ଛିଡା ହୋଇ ରହିଛି । କେବଳ ଜରୁରୀକାଳିନ ଓ ଘରୋଇ ଗାଡିକୁ ଛାଡି ଦେଲେ ଆଉ କୌଣସି ଗାଡି ଗଡୁନଥିବାରୁ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଯାହାଫଳରେ ଲୋକେ ହିନସ୍ତା ହେଉଛନ୍ତି । ଏନେଇ ସରକାର ଡ୍ରାଇଭର ମହାସଂଘ ସହ ଆଲୋଚନା କରିଛନ୍ତି । ତଥାପି ସମାଧାନର ବାଟ ବାହାରିପାରିନି ।
State
ଗଞ୍ଜାମ ( ଦ କୁଇଭର ):- ଗଂଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଠଣାଗାଁ ରାସ୍ତା ନିକଟ ତଥା ଜରଡ଼ା-ସାମନ୍ତରାପୁର ଗ୍ରାମ ମଧ୍ୟସ୍ଥଳୀ ଠାରେ ଗୋଟିଏ ବୁଲେଟ ଓ ଅନ୍ୟଟି ଯାଭା ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣକ ମୃତ୍ୟୁ ଘଟିଥିବା ଏକା ସମ୍ବେଦନଶୀଳ ଘଟଣା ଘଟିଛି। ମୃତକମାନେ ହେଲେ ଜରଡ଼ା ଥାନା ଅଧୀନ ସାମନ୍ତରାପୁର ଗ୍ରାମର ଦଉ ଗୌଡ(୫୫) ଓ ତାଙ୍କ ପୁଅ ସୁନିଲ ଗୌଡ (୨୫)। ସେହିଭଳି ଅନ୍ୟ ମୃତକ ଜଣକ ହେଲେ ବି. ଏନ ପୁର ଥାନା ଅଧୀନ ଗୁଇଲୁଣ୍ଡି ଅଂଚଳର ରାଜେଶ ପାଣିଗ୍ରାହୀ (୨୫)। ରାଜେଶ ଓ ତାଙ୍କ ସାଙ୍ଗମାନେ ବାର୍ହାପଥରକୁ ବଣଭୋଜି କରିବାକୁ ଯାଇଥିଲେ। ଫେରିବା ସମୟରେ ସେମାନେ ବିପରୀତ ଦିଗରୁ ଆସୁଥିବା ଗାଡ଼ି ସହିତ ଧକ୍କା ହୋଇଥିଲେ। ଦଉ ଓ ସୁନିଲ କୌଣସି କାମରେ ଜରଡ଼ା ଗ୍ରାମରୁ ନିଜ ଗ୍ରାମକୁ ଫେରିବା ସମୟରେ ଠଣାଗାଁ ନିକଟରେ ଦଉ ଓ ସୁନିଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସୁନିଲ ଏବଂ ରାଜେଶଙ୍କ ମୃତ୍ୟୁ ଘଟିଥିଲା। ସୁନୀଲଙ୍କ ବାପା ଦଉ ଗୁରୁତ୍ବର ଭାବେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦଉଙ୍କ ଚିକିତ୍ସା ବେଳେ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ଜରଡ଼ା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ମୃତକଙ୍କୁ ବ୍ୟବଚ୍ଛେଦ ପଠାଯାଇଥିବା ସୂଚନା ମିଳିଛି। ସେହିଭଳି ଖବର ପାଇ ପାତ୍ରପୁର ବଡ଼ିଓ ଲକ୍ଷ୍ମଣ ଚରଣ ସୋରେନ, ତହସିଲଦାର ଅଶୋକ ପଟ୍ଟନାୟକ ପହଞ୍ଚିଥିବା ମଧ୍ୟ ସୂଚନା ମିଳିଛି। ଏଭଳି ଦୁଃଖଦ ଖବର ଜଣାପଡିଵା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
State
ଦ କୁଇଭର ବ୍ୟୁରୋ :- ତୃତୀୟ ଦିନରେ ଡ୍ରାଇଭର ମହାସଂଘର ଆନ୍ଦୋଳନ । ଚାଲୁନି ଗାଡ଼ିମୋଟର। ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁନାହାନ୍ତି ଯାତ୍ରୀ । ଦୂରଦୂରାନ୍ତରେ ରହି ଛଟପଟ ହେଉଛନ୍ତି । ମାଲ ପରିବହନ ହୋଇ ପାରୁନି। ସ୍ଥିତି ଜଟିଳ ହେଲାଣି । ରାଜ୍ୟରେ ଡ୍ରାଇଭର ମହାସଂଘ ତିନି ଦିନ ହେଲା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ତୃତୀୟ ଦିନ ପାଇଁ ଆନ୍ଦୋଳନ ଚାଲିଛି । ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ବିଭିନ୍ନ ସ୍ଥାନରେ ଦୂର ଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀ ଅଟକି ରହିଛନ୍ତି । ଜରୁରୀ କାମ ଥିଲେ ବି ଯାଇ ପାରୁ ନାହାନ୍ତି । ଏଣେ ଦାବି ପୂରଣ ନେଇ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଡ୍ରାଇଭର ଆନ୍ଦୋଳନରୁ ହଟିବ ବୋଲି କହିଛି ମହାସଂଘ । ଜନସାଧାରଣଙ୍କୁ ହଇରାଣ କରିବା ଆମ ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ୭ ଦଫା ଦାବି ପୂରଣ ନେଇ ଡ୍ରାଇଭର ମହାସଂଘ ସହ ମଙ୍ଗଳବାର ୪ ଘଣ୍ଟା ଧରି ଆଲୋଚନା କରିଥିଲେ ପରିବହନ ମନ୍ତ୍ରୀ । କିନ୍ତୁ ଆଲୋଚନାରୁ କିଛି ନିଷ୍କର୍ଷ ବାହାରିପାରି ନଥିଲା ।
State
ଦ କୁଇଭର ବ୍ୟୁରୋ :- ପ୍ରାଣୀ ଉଦ୍ୟାନ ନନ୍ଦନ କାନନରେ ଜନ୍ମ ନେଲା ଏକ ଭାରତୀୟ ଗୟଳ ଶାବକ । ଗତକାଲି ସନ୍ଧ୍ୟାରେ ପ୍ରାଣୀ ଉଦ୍ୟାନର ୪୨ନଂ ଖୁଆଡରେ ରହୁଥିବା ମାଈ ଗୟଳ ଏହି ଶାବକ ଜନ୍ମ ଦେଇଛି । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ନନ୍ଦନକାନନରେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୭କୁ ବୃଦ୍ଧିପାଇଛି । ଶେଷଥର ପାଇଁ ୨୦୨୪ ମସିହା ଜୁନ ୫ରେ ଗୟଳ ଜନ୍ମ ନେଇଥିଲା । ତେବେ ଏକ ବର୍ଷପରେ ପୁଣି ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇଛି ।ବର୍ତ୍ତମାନ ୩ଟି ଅଣ୍ଡିରା, ୩ଟି ମାଇ ଏବଂ ଗୋଟିଏ ଶାବକଙ୍କୁ ମିଶାଇ ୭ଗୟଳ ଅଛନ୍ତି । ସର୍ବବୃହତ ବନ୍ୟଗାଈ ପ୍ରଜାତି ମଧ୍ୟରେ ଏହି ଗୟଳ ଅନ୍ୟତମ । ଏହାର ମାଂସପେଶୀ ଗଠନ, ଉତ୍ତଳକ ପାଳଧାର ଏବଂ ଗୋଡ଼ର ରଙ୍ଗ ପାଇଁ ଜଣାଶୁଣା । ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ସୂଚୀ ଅନୁଯାୟୀ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କ ଅଧୀନରେ ଏହି ପ୍ରଜାତି ଗୟଳଙ୍କର ବଂଶବୃଦ୍ଧି ପାଇଁ ପ୍ରଜନନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Politics,State
ଦ କୁଇଭର ବ୍ୟୁରୋ :- ଅପରାଜିତା ଚଳାଇଥିବା ବଡ଼ ଗେମ କାମ କରିଗଲା । ତାଙ୍କ ଲବିକୁ ଗ୍ରହଣ କଲେ କେନ୍ଦ୍ର ନେତୃତ୍ୱ । ମନମୋହନ ସାମଲଙ୍କୁ ପୁଣି ଥରେ ମିଳିଲା ରାଜ୍ୟ ସଭାପତି ପଦ । ଅପରାଜିତାଙ୍କ ଉଦ୍ୟମ ସଫଳ ହେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିମକୁ କାଳେ ଝଟକା ଲାଗିଛି । ତାଙ୍କ ଟିମ ଫ୍ୟୁଜ ହୋଇ ଯାଇଛନ୍ତି । ମନମୋହନ ରାଜ୍ୟ ସଭାପତି ହେବା ପରେ ଦଳ ଚଳଚଞ୍ଚଳ ହେବା ସହ ସରକାର ଏବେ ଦୌଡ଼ିବ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ, ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପକୁ କାଳେ ରୋକି ଦେବେ ମନମୋହନ । ଏମିତି କିଛି ଚର୍ଚ୍ଚା ଦଳ ଭିତରେ ଗତକାଲି ଠାରୁ ଜୋର ଧରିଲାଣି । ମନମୋହନ ରାଜ୍ୟ ସଭାପତି ହେବା ପରେ ଦଳ ଭିତରେ ପୁଣି ଥରେ ଉତ୍ସାହ ବଢ଼ିଛି । ଏହି ଉତ୍ସାହକୁ ଯଦି ବିଜେପି ଧରିନେଲା, ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମାତ ଦେବା କଷ୍ଟ ହେବନାହିଁ ବୋଲି କୁହାଯାଉଛି । ସେ ଯାହା ହେଉ ଅପରାଜିତାଙ୍କ ଷ୍ଟ୍ରୋକ ଧର୍ମେନ୍ଦ୍ର ଗୋଷ୍ଠୀଙ୍କୁ କାଳେ ଜୋର ଲାଗିଛି ।
ଓଡ଼ିଶା ବିଜେପି ତାର ନୂଆ ସଭାପତି ପାଇଛି । ମନମୋହନ ସାମଲଙ୍କ ଉପରେ ସମସ୍ତେ ପୁଣି ଥରେ ଭରସା କରିଛନ୍ତି । ତାଙ୍କୁ ସଭାପତି କରାଇ ନଦେବାକୁ ବଡ଼ ଲବି ଚାଲିଥିଲା । କେନ୍ଦ୍ର ପର୍ଯ୍ୟନ୍ତ ଲାଗିଥିଲେ ପାୱାରଫୁଲ ଗୋଷ୍ଠୀ । ଦଳ ଭିତରେ ହେଉଥିବା ଟୁପୁରୁଟାପର ଅନୁଯାୟୀ କାଳେ ଧର୍ମେନ୍ଦ୍ର ଚାହୁଁ ନଥିଲେ ମନମୋହନ ପୁଣି ସଭାପତି ହୁଅନ୍ତୁ । ମନମୋହନ ହେଲେ ତାଙ୍କ ବିରୋଧୀ ଗୋଷ୍ଠୀର ପତିଆରା ବଢ଼ିବ । କେନ୍ଦ୍ରୀୟ ଲବି ମନମୋହନଙ୍କୁ ଗ୍ରୀନ ସିଗନାଲ ଦେଉ ନଥିଲା । ଏଭଳି ସ୍ଥିତିରେ ବଡ଼ ଗେମ କଲେ ଅପରାଜିତା । ଅପରାଜିତା ମନମୋହନଙ୍କ ପାଇଁ ଲବି କଲେ । କେବଳ ଲବି କଲେ ନାହିଁ, ସବୁ ସାଂସଦଙ୍କୁ ନେଇ ବଡ଼ ଖେଳ ଖେଳିଦେଲେ । ବୈଜୟନ୍ତ ପଣ୍ଡା, ଅଶ୍ୱିନୀ ବୈଷ୍ଣବଙ୍କୁ ନୀରବ କରିଦେଲ । ବାକି ଅନ୍ୟମାନେ ମନମୋହନଙ୍କୁ ନିରବ ସମର୍ଥନ ଦେଲେ ।
ଅପରାଜିତା ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜେପି ନଡ୍ଡାଙ୍କୁ ଭେଟି ସ୍ଥିତି କହିଲେ । ରାଜ୍ୟରେ ଆଜି ଯଦି ବିଜେପି ସରକାର କରିଛି, ତେବେ ତାହା ମନମୋହନଙ୍କ ପାଇଁ । ତାଙ୍କ ଗୋଷ୍ଠୀ ମେଣ୍ଟ କରିବାକୁ ମନା କରିଥିଲେ । ମାତ୍ର କାଳେ ଧର୍ମେନ୍ଦ୍ର ଓ ଅନ୍ୟମାନେ ମେଣ୍ଟ ପାଇଁ ଚାହିଁ ଥିଲେ । ଓଡ଼ିଶାରେ ବିଜେପି ସରକାର ଆସିବା ପଛରେ ମନମୋହନଙ୍କ ଭୂମିକା ଯଥେଷ୍ଟ ବୋଲି କହିଲେ । ନିଜ ପ୍ରଶଂସା ନିଜ ମୁହଁରେ ନକରି ସବୁ ମନମୋହନଙ୍କ ମୁଣ୍ଡରେ ଗଡ଼ାଇଲେ । ତାଙ୍କୁ ସଭାପତି କରାନଗଲେ, ଦଳୀୟ କର୍ମୀ ଓ ନେତା ହତୋତ୍ସାହ ହେବେ । ଧର୍ମେନ୍ଦ୍ରଙ୍କ ଟିମର ତୃଣମୂଳ ସ୍ତରରେ ପ୍ରଭାବ ନାହିଁ । କେବଳ ଲବିରେ ସେ କିଛି ମନ୍ତ୍ରୀ ରାଜ୍ୟ ସରକାରରେ ଭରି ଦେଇଛନ୍ତି । ବାସ୍ତବ ସ୍ଥିତି ବହୁତ ଖରାପ । ଧର୍ମେନ୍ଦ୍ରଙ୍କୁ ରାଜ୍ୟର ଅନେକ ଲୋକ କାଳେ ପସନ୍ଦ କରୁନଥିବାରୁ କେନ୍ଦ୍ରୀୟ ନେତୃତ୍ୱଙ୍କୁ କୁହାଯାଇଥିଲା ।
ବହୁ ବିଚାର ବିମର୍ଷ ପରେ କେନ୍ଦ୍ର ଅପରାଜିତାଙ୍କ ଲବିକୁ ମାନିଥିଲା । ସବୁ ପ୍ରକାର ପରଖିବା ପରେ ମନମୋହନଙ୍କୁ ପୁଣି ଥରେ ସଭାପତି କରିବାକୁ କାଳେ ସହମତ ହୋଇଥିଲେ । ଧର୍ମେନ୍ଦ୍ରଙ୍କୁ କେନ୍ଦ୍ରରେ ଫୋକସ କରିବାକୁ କୁହାଯାଇଛି । ରାଜ୍ୟରେ ମନମୋହନ, ଅପରାଜିତା ପ୍ରମୁଖ ବୁଝିବେ ବୋଲି କୁହାଯାଇଛି । ରାଜ୍ୟ ସରକାର କିପରି ସକ୍ରିୟ ହୋଇ ଲୋକଙ୍କ କାମ କରିବ, ସେଦିଗରେ ମଧ୍ୟ ଗୁରୁତ୍ୱ ଦେବାକୁ ମନମୋହନଙ୍କୁ କୁହାଯାଇଛି । ରାଜ୍ୟ ସଭାପତି ନିଯୁକ୍ତି ପାଇଁ ବେଶ କିଛି ମାସ ବିବାଦୀୟ ରହିଥିଲା । ଶେଷରେ ଅପରାଜିତାଙ୍କ ଗୋଷ୍ଠୀର ଲବି କାମ କଲା ଆଉ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଫ୍ୟୁଜ ହେଲେ । ଦେଖାଯାଉ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଆଗକୁ କି ରଣନୀତି କରୁଛନ୍ତି, ପ୍ୟାଚ ପକାଇ ରହୁଛନ୍ତି ନା ଭିତରେ ଭିତରେ ଚେର କାଟୁଛନ୍ତି ?
National,State
ଦ କୁଇଭର ବ୍ୟୁରୋ :- ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୪ ଓ ୧୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଟ୍ଵିନ ସିଟିରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ବୈଠକ ପଦକ୍ଷେପ ଚୂଡାନ୍ତ ହୋଇଛି ।ରାଷ୍ଟ୍ରପତିଙ୍କୁ ବିମାନ ବନ୍ଦର ନିକଟରୁ ପାଛୋଟି ଆଣିବା ଓ ପ୍ରତ୍ୟାବର୍ତ୍ତନ ସମୟରେ ମେଲାଣି ଦେବା ପାଇଁ ବ୍ୟବସ୍ଥା ହୋଇଛି । ରାଜ ଭବନରେ ତାଙ୍କର ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଉତ୍ସବ ସ୍ଥଳରେ ଅଗ୍ନିଶମ ସେବା ବ୍ୟବସ୍ଥା, ସଡ଼କ ପଥରେ ଯାତ୍ରା ସମୟରେ କାରକେଡ ପ୍ଲାନ ପ୍ରସ୍ତୁତ ହୋଇଛି । ସେହିପରି ଜରୁରୀ କାଳୀନ ଡାକ୍ତରୀ ଓ ସ୍ୱାସ୍ଥ୍ୟ ଯତ୍ନ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳକୁ ଯିବା ରାସ୍ତାର ଆବଶ୍ୟକ ମରାମତି ଓ ରକ୍ଷଣା ବେକ୍ଷଣ ହେବ । ରାସ୍ତାର ପରିସ୍କାର ପରିଚ୍ଛନ୍ନତା, ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ଯଥେଷ୍ଟ ସଂଖ୍ୟକ ଅତିରିକ୍ତ ଜେନେରେଟର ବ୍ୟବସ୍ଥା ରଖିବା ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି ।
State
ଗଞ୍ଜାମ( ଦ କୁଇଭର ):- ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଦ୍ୱାରା ପରିଚାଳିତ ସମର୍ଥ ମାନସିକ ଅନଗ୍ରସର ଓ ସମର୍ଥ ମସ୍ତିସ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ଦୁଇଟିର ରୌପ୍ୟ ଜୟନ୍ତୀ ପ୍ରତିଷ୍ଠା ଦିବସ ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ଠାରେ ମହାସମାରୋହରେ ବୁଧବାର ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ବିଭାଗର ନିର୍ଦେଶିକା ଶ୍ରୀମତି ନିୟତି ପଟ୍ଟନାୟକ ଯୋଗଦେଇ ଭିନ୍ନକ୍ଷମମାନଙ୍କ ପ୍ରତି ବିଭାଗର ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଓ ସମର୍ଥ ପ୍ରତି ବିଭାଗର ସହଯୋଗିତା ଉପରେ ଆଲୋକପାତ କରିଥିଲେ l ସେହିପରି ମୁଖ୍ୟବକ୍ତା ଭାବେ ବିଭାଗର ଉପ ସଚିବ ତଥା ଓଡ଼ିଶାର ପ୍ରଥମ ଦୃଷ୍ଟିହୀନ ପ୍ରଶାସନିକ ଅଧିକାରୀ ଶ୍ରୀ ସନ୍ୟାସ କୁମାର ବେହେରା ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟର ଆବଶ୍ୟକତା ଓ ଭିନ୍ନକ୍ଷମ ପିଲାଙ୍କ ପ୍ରତି ସମର୍ଥର ଅବଦାନ ଉପରେ ଆଲୋକପାତ କରିଥିଲେ | ଟାଟା ଷ୍ଟିଲ ଫାଉଂଡେସନର CRS ମୁଖ୍ୟ ଶ୍ରୀଯୁକ୍ତ ଅକ୍ଷୟ ନାୟକ, ଛତ୍ରପୁର ଆଇନଜିବି ସଂଘର ସଭାପତି ଶ୍ରୀ ପ୍ରଦୀପ କୁମାର ପାଢି ଓ ବ୍ରହ୍ମପୁର ସ୍ଥିତ ସ୍ଵେଛାସେବି ଅନୁଷ୍ଠାନ ମହାନ ସଂଘର ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାବତ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟଗୁଡିକ ପ୍ରଶଂସା କରିବା ସହ ଦୀର୍ଘ ୨୫ ବର୍ଷ ଧରି ବିଦ୍ୟାଳୟ ଦୁଇଟି କେତେ କଷ୍ଟ କରି ଏହି ସ୍ତରରେ ପହଂଚି ପାରିଛନ୍ତି ତାହା ଉପରେ ଆଲୋକପାତ କରିଥିଲେ |
ଉକ୍ତ କାର୍ଯ୍ୟ କ୍ରମରେ ୨୫ ବର୍ଷର ସମସ୍ତ ପୁରୁଣା ଛାତ୍ର ଛାତ୍ରୀ ଓ ବର୍ତମାନର ଛାତ୍ର ଛାତ୍ରୀ କରାଯିବ ସଙ୍ଗେ ସଙ୍ଗେ ସମର୍ଥର ଯେଉଁ ଛାତ୍ର ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ବିଭିନ୍ନ କ୍ଷେତ୍ରରେ କ୍ଷତି ଅର୍ଜନ କରିଥିବା ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ୱ, ବିଶିଷ୍ଟ ସମାଜସେବୀ ଓ ଛତ୍ରପୁର ପ୍ରେସ୍ର କ୍ଲବ ର ସଭାପତି ଓ ସମ୍ପାଦକଙ୍କୁ ମଧ୍ୟ ସନ୍ନମାନିତ କରାଯାଇଥିଲା I ସମର୍ଥର ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଡାକ୍ତର କେ ଆନନ୍ଦ ରାଓ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମକର୍ତ୍ତାମାନେ ତାଙ୍କୁ ସହଯୋଗ କରିଥିଲେ I ଶେଷରେ ଡାକ୍ତର କେ ଆନନ୍ଦ ରାଓଙ୍କ ୪୪ ବର୍ଷର ସଂଘର୍ଷ ଓ ୨୫ ବର୍ଷର ସମର୍ଥ ରୂପକ ବିଦ୍ୟାଳୟର ଅବଦାନ ଯୋଗୁଁ ସମର୍ଥର ପୂର୍ବତନ ଛାତ୍ର ଛାତ୍ରୀମାନେ ଡାକ୍ତର କେ ଆନନ୍ଦ ରାଓଙ୍କୁ ସମ୍ବର୍ଧନା କରିଥିଲେ I
National,Health & lifestyle,State
ଦ କୁଇଭର ବ୍ୟୁରୋ :- ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଲା ପରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ। ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ଣ ୧ଟାରେ ପହଞ୍ଚିବେ। ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗତ ୭ ତାରିଖ ଦିନ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଚିକିତ୍ସାରେ ଉତ୍ସର୍ଗୀକୃତ ସେବା ପାଇଁ ସେ ହସ୍ପିଟାଲର ସମସ୍ତ ଡାକ୍ତରୀ ଟିମ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଓଡ଼ିଶାବାସୀ, ଶୁଭେଚ୍ଛୁଙ୍କ ସମେତ ସଭିଙ୍କ ଶୁଭେଚ୍ଛା ବାର୍ତ୍ତା ଓ ମଙ୍ଗଳ କାମନା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।
ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ଚିକିତ୍ସା ପାଇଁ ସେ ଗତମାସ ୨୦ ତାରିଖ ଦିନ ମୁମ୍ବାଇ ଯାଇଥିଲେ। ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୨୦୨୫ ଜୁନ୍ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ମୁମ୍ବାଇ ଯିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୋର ଚିକିତ୍ସା ହେବ। ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଏହି ଚିକିତ୍ସା ହେବ। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ। ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଛି। ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି। ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ମୁମ୍ବାଇ ଯିବା ସୂଚନା ମିଳିବା ପରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।
Shree Jagannath
ପୁରୀ ( ଦ କୁଇଭର ):- ପ୍ରସ୍ତୁତି ତ ଜୋରଦାର ଥିଲା । ସବୁ ସମୀକ୍ଷା ବି ସରିଥିଲା । ହେଲେ ଠିକଣା ବେଳକୁ ସବୁ ଫେଲ ମାରୁଛି କାହିଁକି ? ଏତେ ବ୍ୟତିକ୍ରମ କାହିଁକି ? କାହିଁକି ଏତେ ଅବ୍ୟବସ୍ଥା ? ତଦାରଖ ତ ତଳ ଠୁ ତାଳୁ ପର୍ଯ୍ୟନ୍ତ ହୋଇଥିଲା । ମୁଖ୍ୟମନ୍ତ୍ରୀ ବି ସମୀକ୍ଷା କରିଥିଲେ । ସବୁ ଠିକ ଥିଲା । ରଥ ହେଉ କି ବାହୁଡ଼ା, ସୁନାବେଶ ହେଉ କି ଅଧର ନୀତି ସବୁଥିରେ ବ୍ୟତିକ୍ରମ ହେଲା କେମିତି ? କାହାର ଭୁଲ ? ପ୍ରଶାସନର ନା ସରକାରଙ୍କର ନା ସେବକଙ୍କର ନା ସମସ୍ତଙ୍କର ?
ରଥ ଦିନ ଠାକୁର ଅଡିଦେଲେ, ସେଥିରେ ବି ବୁଦ୍ଧି ପଶିଲାନି ପ୍ରଶାସନର । ଶରଧାବାଲି ରକ୍ତ ରଞ୍ଜିତ ହେଲା, ସୁନାବେଶ ଦିନ କି ଅବ୍ୟବସ୍ଥା । ଗାଡ଼ିରେ ଦୁଇ ଘଣ୍ଟା ଧରି ଲୋକ ପଡିରହିଲେ ପୁରୀ ଯିବା ପାଇଁ । ଫେରିଲା ବେଳକୁ ବି ସେମିତି ସ୍ଥିତି । ଟ୍ରାଫିକ ନିୟନ୍ତ୍ରଣ ତ ଲାଗୁ ଥୁଲା ଯେମିତି ଛୋଟ ପିଲାଟି ଟ୍ରାଫିକ ଦାୟିତ୍ୱ ସମ୍ଭାଳୁଛି । ଏତେ ଅବ୍ୟବସ୍ଥା । ଖାଲି ବାହାର ଟ୍ରାଫିକ ନୁହେଁ, ବଡ଼ ଦାଣ୍ଡକୁ ସଂଯୁକ୍ତ କରୁଥୁବା ରାସ୍ତା ଗୁଡ଼ିକରେ ବି ସମାନ ଅବସ୍ଥା । ସବୁଠି ଦଳାଚକଟା ସ୍ଥିତି । ସଂକୀର୍ଣ୍ଣ ରାସ୍ତାରେ ନା ଥିଲା ଆଲୁଅ, ନା ଥିଲା ପୋଲିସର ପହରା । ଲୋକ ମାନେ କି କଷ୍ଟରେ ଯିବା ଆସିବା କରୁଥିଲେ ସଂକୀର୍ଣ୍ଣ ରାସ୍ତା ଦେଇ ।
ଧନ୍ୟବାଦ ସେହି ସାହି ପିଲାମାନଙ୍କୁ ଯେଉଁମାନେ ଏହି କାମରେ ସହଯୋଗ କରିଥିଲେ । ଆଲୁଅ ଲଗାଇ ଲୋକମାନଙ୍କୁ ନିୟନ୍ତ୍ରଣ କରୁଥିଲେ । ପ୍ରଶାସନର ବ୍ୟବସ୍ଥା କେବଳ ଥିଲା VIP ମାନଙ୍କୁ ଆପ୍ୟାୟିତ କରିବା ପାଇଁ । ହୋଟେଲରେ ରହିବାଠାରୁ ଆରମ୍ଭ କରି, କେମିତି ନେଇ ସୁନାବେଶ ଦେଖାଇବେ ଭଲରେ, ସେ ବ୍ୟବସ୍ଥାରେ ଲାଗିଥିଲେ ପ୍ରଶାସନିକ ବାବୁ ମାନେ । ଏଭଳି ଅବସ୍ଥା ଦେଖି ଭକ୍ତ ମାନେ କହୁଥାନ୍ତି ଧନ୍ୟରେ ତୁମେ ସରକାର । ଭକ୍ତଙ୍କୁ ଦେଖ, ଯେତେ କଥା କହିଥିଲ କିଛି ତ କାମ କର ।
ଖାଲି ବଡ଼ ବଡ଼ ପେଟ କାଢି ରଙ୍ଗୀନ ପୋଷାକ ପିନ୍ଧି ମନ୍ତ୍ରୀ ମାନେ ବସି ମହାଜନ ଭଳି ସୁନାବେଶ ଦେଖିବାରେ ଲାଗିଥାନ୍ତି । ଭକ୍ତଙ୍କର ଏହି ଦୁରା ଅବସ୍ଥାକୁ କେହି ନଜର ଦେଇନଥାନ୍ତି । ନିଜ ଚାରିପଟେ ଆଲୁଅ ଜଳୁଥିଲା ବୋଲି ଭାବୁଥିଲେ ସହର ସାରା ସବୁଠି ଆଲୁଅ ଜଳୁଥିଲା କିନ୍ତୁ ସବୁ ଯେ ଅଧା ପନ୍ତରିଆରେ ଚାଲୁଥିଲା ତାହା କିଏ ଦେଖିଛି ? ସୁନାବେଶ ଗଲା ତା ସହିତ ଭକ୍ତଙ୍କ କଷ୍ଟ ବି ଗଲା । ସବୁ ଏବେ ଭଗବାନଙ୍କ ଉପରେ ଛାଡ଼ିଦେବେ ମନ୍ତ୍ରୀ ମହାଶୟ । ମହାପ୍ରଭୁଙ୍କ ଇଛା । ଯାହା ହେଉଛି ତାଙ୍କରି ଇଛାରେ ହେଉଛି । ମହାପ୍ରଭୁଙ୍କ ଇଛାରେ ସବୁ ଅପାରଗତାକୁ ଧୋଇଦେଇ ସୁନା ପିଲା ହେଇଯିବେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ । ଦେଖାଯାଉ ଏହି ଯେଉଁ ଅବ୍ୟବସ୍ଥାରୁ ମୋହନ ସରକାର କିଛି ଶିଖୁଛନ୍ତି ନା ଏହାକୁ ଠାକୁରଙ୍କ ଆଶୀର୍ବାଦ କହି ବିଶୃଙ୍ଖଳାକୁ ଆଉ ପାଦେ ବଢ଼ାଇବାକୁ ସୁଯୋଗ ଦେଉଛନ୍ତି ?
State
କଟକ ( ଦ କୁଇଭର ) :- ଭାରତର ସମସ୍ତ ତାଲୁକା କୋର୍ଟ, ଜିଲ୍ଲା କୋର୍ଟ ଏବଂ ହାଇକୋର୍ଟରେ ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ ପାଇଁ ୯୦ ଦିନିଆ ମଧ୍ୟସ୍ଥତା ଅଭିଯାନ “ଦେଶ ପାଇଁ” ଅଭିଯାନ କଟକ ଜିଲ୍ଲାରେ ଚାଲିଛି।ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଭାରତର ସୁପ୍ରିମକୋର୍ଟର ମଧ୍ୟସ୍ଥତା ଏବଂ ସମାଧାନ ପ୍ରକଳ୍ପ କମିଟି ସହିତ ମିଳିତ ଭାବରେ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ – ମଧ୍ୟସ୍ଥତା ‘ଦେଶ ପାଇଁ’ ସାରା ଦେଶରେ ଆରମ୍ଭ କରାଯାଇଛି।ଭାରତର ସମସ୍ତ ତାଲୁକା କୋର୍ଟ, ଜିଲ୍ଲା କୋର୍ଟ ଏବଂ ହାଇକୋର୍ଟରେ ପଡ଼ି ରହିଥିବା ମାମଲାଗୁଡ଼ିକୁ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିବା ପାଇଁ ୯୦ ଦିନିଆ ଅଭିଯାନ ଚାଲିଛି।ମଧ୍ୟସ୍ଥତା ପାଇଁ ନିମ୍ନଲିଖିତ ବର୍ଗର ମାମଲାଗୁଡ଼ିକୁ ପଠାଯାଇପାରିବ:
ବୈବାହିକ ବିବାଦ ମାମଲା,
ଦୁର୍ଘଟଣା ଦାବି ମାମଲା,
ଘରୋଇ ହିଂସା ମାମଲା,
ଚେକ୍ ବାଉନ୍ସ କେସ୍,
ବାଣିଜ୍ୟିକ ବିବାଦ ମାମଲାଗୁଡ଼ିକ
ସେବା ମାମଲା,
ଫୌଜଦାରୀ ମାମଲା,
ଗ୍ରାହକ ବିବାଦ ମାମଲା,
ଋଣ ଆଦାୟ ମାମଲା,
ବିଭାଜନ ମାମଲା,
ବହିଷ୍କାର ମାମଲା,
ଜମି ଅଧିଗ୍ରହଣ ମାମଲା,
ଅନ୍ୟାନ୍ୟ ଉପଯୁକ୍ତ ଦେୱାନୀ ମାମଲା।
ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ – ମଧ୍ୟସ୍ଥତା ‘ଦେଶ ପାଇଁ:’ ର ସମୟସୀମା ଯାଞ୍ଚ କରନ୍ତୁ।
State
ଗଞ୍ଜାମ, ଗୋଳନ୍ଥରା ( ଦ କୁଇଭର ):- ଗୋଳନ୍ଥରାରେ ଘରୁ ଡାକିଆଣି ସଙ୍ଘ ବଦ୍ଧ ଭାବେ ହତ୍ୟା କରାଯାଇଥିବା ଘଟଣା ର ପର୍ଦାଫାଶ କରିଛି ପୋଲିସ, ଅଭିଯୁକ୍ତ କୁ ଧରିବାରେ ସଫଳ ହେବା ସହ କୋର୍ଟ ଚାଲାଣ କରିଛି l ସୂଚନା ପ୍ରକାରେ,ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଶିଙ୍ଗାବାଡ଼ିରେ ଦିଲ୍ଲୀପ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ରବିବାର ରାତି ନିଜ ଘରେ ଶୋଇଥିବା ସମୟରେ କିଛି ଦୁବୃର୍ତ୍ତ ଘରେ ପଶି ବଚସା କରିବା ସହ ମାରପିଟ୍ କରିଥିଲେ । ଏହାପରେ ଦିଲ୍ଲୀପକଙ୍କୁ ଘରୁ ବାହାରକୁ ବାହାର କରି ଖଣ୍ଡା କାତି ସହ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ଦୁବୃର୍ତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଦିଲ୍ଲୀପଙ୍କୁ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଏମକେସିଜି ମେଡ଼ିକାଲରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଛି । ଘଟଣା ସମ୍ପର୍କରେ ଜାଣିବା ପରେ ଦିଲ୍ଲୀପଙ୍କ ବଡ଼ ଭାଇ ହତ୍ୟା ଘଟଣା ନେଇ ଗୋଳନ୍ଥରା ଥାନରେ ଲିଖିତ ଅଭିଯେଗା ଦେଇଥିଲେ । ଅଭିଯୋଗ ପାଇବା ପରେ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ତେବେ ଉକ୍ତ ଘଟଣା ର ଆଜି ପର୍ଦାଫାଶ କରିବା ସହ ଟମଣା ଛକରୁ ପୀତବାସ ସାହୁ ନାମକ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଗୋଳନ୍ଥରା ପୋଲିସ l ପୂର୍ବ ଶତ୍ରୁତା କୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି l କିଛି ଦିନ ପୂର୍ବରୁ କିନିସି ଛକରେ ମୃତକ ଏବଂ ଅଭିଯୁକ୍ତ ଙ୍କ ମଧ୍ୟରେ ବାଇକ ଦୁର୍ଘଟଣା ହୋଇଥିଲା, ପରେ ଅଭିଯୁକ୍ତ ଆହତ ହୋଈ କ୍ଷତିପୂରଣ ଦାବିକରିଥିଲେ କିନ୍ତୁ ପରେ ଦେବି କହି ଚୁପ ରହିଯାଇଥିଲେ ମୃତକ ଦିଲ୍ଲୀପ l ପରେ ସମୟର ସୁଯୋଗ ନେଇ ଅଭିଯୁକ୍ତ ପୀତବାସ ଜଣେ ସହଯୋଗୀଙ୍କ ସହ ମୋଟର ସାଇକେଲ ଯୋଗେ ମୃତକଙ୍କ ଘରକୁ ଯାଇ ପ୍ରଥମେ କ୍ଷତିପୂରଣ ଟଙ୍କା ମାଗିଥିଲେ କିନ୍ତୁ ମୃତକ ସିଧା ମନା କରିଦେବାରୁ ପ୍ରଥମେ ବଚସା ପରେ ଘର ବାହାରକୁ ଆଣି କାତି ଖଣ୍ଡା ମାଧ୍ୟମରେ ହତ୍ୟା କରିଥିଲେ l ପୋଲିସ ଆଗରେ ଅଭିଯୁକ୍ତ ପୀତବାସ ସତ ମାନିବା ସହ କୋର୍ଟ ଚାଲାଣ ହୋଇଥିବା ଗୋଳନ୍ଥରା ପୋଲିସ ପକ୍ଷରୁ ସୂଚନା ମିଳିଛି l ତେବେ ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଚଢାଉ କରାଯାଉଥିବା ଏବଂ ମାମଲାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି l
State
ଦ କୁଇଭର ବ୍ୟୁରୋ :- ଚଳିତ ମାସ ପିଡିଏସରେ ମିଳିବ ଗହମ । ଯେତିକି ଗହମ ଆସିଥିଲା ହିତାଧିକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି କେନ୍ଦ୍ରରୁ ଗହମ ଆସିଲେ ଦିଆଯିବ। ଦ୍ଵିତୀୟ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେହିପରି ବଳକା ଚାଉଳ ନେବ ଏଫସିଆଇ । ଚଳିତ ବର୍ଷ ୯୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର । ଏଥିରୁ ୬୫ ଲକ୍ଷ ମେଟ୍ରିକ ଟନ ଚାଉଳ ହେବ। ରାଜ୍ୟରେ ୨୬ ଲକ୍ଷ ମେଟ୍ରିକ ଟନ ଚାଉଳ ଆବଶ୍ୟକତା ରହିଛି । ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ନେଇଥାଏ। ଏଥର ବଳକା ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ନେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।