ଦ କୁଇଭର ବ୍ୟୁରୋ :- ଆଜି ମୁମ୍ବାଇରୁ ଫେରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଓଡ଼ିଶା ଫେରୁଛନ୍ତି । ଦିନ ୧୨ଟା ୩୦ରେ ଭୁବନେଶ୍ବର ବିମାନବନ୍ଦର ପହଞ୍ଚିବେ । ଜୁନ ୨୨ରେ କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନଙ୍କ ସର୍ଜରୀ ହୋଇଥିଲା । ତାଙ୍କୁ ସ୍ବାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକେ ଏକାଠି ହେବେ ।
ଗତମାସ ଜୁନ ୨୦ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତରେ ଯାଇଥିଲେ । ସେତେବେଳେ ନବୀନ ନିବାସ ଠାରୁ ଆରମ୍ଭ କରି ଏୟାରପୋର୍ଟ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇଥିଲା । ଆଜି ନବୀନ ଫେରିବା ବେଳେ ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିପାରେ । ତାଙ୍କୁ ସ୍ବାଗତ କରିବା ପାଇଁ ଏୟାରପୋର୍ଟରେ ଭିଡ଼ ହୋଇପାରେ । କ୍ଷମତାରେ ଥାନ୍ତୁ ନଥାନ୍ତୁ ଓଡିଶାବାସୀଙ୍କ ପାଖରେ ସବୁବେଳେ ପ୍ରିୟ ହୋଇ ରହିଛନ୍ତି ନବୀନ । ତାଙ୍କ ଚିକିତ୍ସା ଖବର ପାଇବା ପରେ ସାରା ରାଜ୍ୟରେ ଦୀପଜାଳି ଆଶୁ ଆରୋଗ୍ୟ କାମନା କରିଥିଲେ ଲୋକେ । ଏବେ ନବୀନଙ୍କ ଫେରିବା ଖବର ଜାଣିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ।