କନ୍ଧମାଳ( ଦ କୁଇଭର ):- ଗୋଟିଏ ପଟେ ପ୍ରସବ ବେଦନା ତ ଅନ୍ୟପଟେ ପ୍ରାୟ ୬ କିଲୋମିଟର ରାସ୍ତା ପାର ହେବାର ଚିନ୍ତା। ଏହା ଦିନେ କି ଦୁଇ ଦିନ ନୁହେଁ। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ମଧ୍ୟରେ ରହିଆସୁଛନ୍ତି, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତ ବାସିନ୍ଦା। ଅଞ୍ଚଳକୁ ଯିବା ପାଇଁ ଅଦ୍ୟାବଧି ପକ୍କା ରାସ୍ତାଟିଏ ହୋଇପାରିନଥିବା ଯୋଗୁଁ ବର୍ଷା ହୋଇଗଲେ କଟାପଙ୍ଗା ଠାରୁ ଡମାଙ୍ଗପଦର ଗାଁ ପର୍ଯ୍ୟନ୍ତ ରାସ୍ତା କାଦୁଅରେ ଭରି ରହିଥାଏ। ଏହାରି ମଧ୍ୟରେ କୌଣସି ମହିଳାଙ୍କ ପ୍ରସବ ବେଦନା ଦେଖାଦେଲେ ଅଞ୍ଛଳକୁ ଆମ୍ୱୁଲାନ୍ସ ଆସିପାରିନଥିବା ଯୋଗୁଁ ଖଟିଆରେ ଗର୍ଭବତୀଙ୍କୁ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥାନ୍ତି ଗ୍ରାମବାସୀ।
ଆଜି ବି ରାଜ୍ୟରେ ଏପରି ଅନେକ ଅପହଞ୍ଚ ଅଞ୍ଚଳ ଅଛି, ଯାହାକି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଯାହା ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ରକୁ ପଦାରେ ପକାଇଛି। ଆଉ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଜନନୀ ଯନ୍ତ୍ରଣାର ଦୁଃଖ। ଏପରି ପୁଣି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତ ଅଞ୍ଚଳରେ। ପକ୍କା ରାସ୍ତାଟିଏ ନଥିବାରୁ ଏଠାରେ ଗର୍ଭବତୀ ମହିଳାଙ୍କୁ ପ୍ରସବ ବେଦନା ଆସିଲେ ସେମାନେ ସରକାରୀ ଚିକିତ୍ସାଳୟକୁ ଯିବା ପାଇଁ ଅଞ୍ଚଳବାସୀ ଅନେକ ସମସ୍ୟା ମଧ୍ୟରେ ଜୁଝି ହୋଇପଡ଼ିଥାନ୍ତି। ଆଉ ବର୍ଷା ଦିନେ ଏହି ସମସ୍ୟା ଦ୍ୱିଗୁଣିତ ହୋଇପଡିଥାଏ। ଏଠାରେ ପ୍ରସବ ବେଦନା ଠାରୁ ବଳିପଡିଥାଏ ଖଟିଆରେ ଗର୍ଭବତୀଙ୍କୁ ବୋହି ନେବାର କଷ୍ଟ।
ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତ ମୁରଡ଼ି ଗ୍ରାମର ୨୬ ବର୍ଷୀୟ ଝିମି ମଳିକ। ତାଙ୍କ ସ୍ୱାମୀ ରାମଚନ୍ଦ୍ର କହଁର କୌଣସି ଏକ ମାମଲାରେ ଗିରଫ ହୋଇ ଫୁଲବାଣୀ ଜେଲରେ ବିଚାରଧିନ ବନ୍ଦୀ। ଏପରିସ୍ଥିତିରେ ଗର୍ଭବତୀ ଝିମିଙ୍କ ପ୍ରସବ ବେହଦନା ସମୟରେ ସାହାଯ୍ୟ କରିବା ପାଇଁ ପରିବାରରେ ଅନ୍ୟ କୌଣସି ସଦସ୍ୟ ଥିବା ଯୋଗୁଁ ଏଭଳି ସ୍ଥିତିରେ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସ୍ଥାନୀୟ ଅଞ୍ଚଳର ଯୁବ ବର୍ଗ। ସ୍ଥାନୀୟ ଯୁବ ନେତା ଦେବେଶ୍ୱର ଦ୍ଵୀପ, ପ୍ରଶାନ୍ତ କମ୍ପ, ସୁମରବନ୍ଧ ସରପଞ୍ଚ ସୁଶୀଳା କହଁର, ଆଶା ଦିଦି ରଜନୀ କହଁର, ସମାଜସେବୀ ବିଗ କହଁର ପ୍ରମୁଖ ଝିମିଙ୍କ ଘରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହାୟତାରେ ଖଟିଆ ଭାର କରି ଏଭଳି କାଦୁଅ ପଚପଚ ରାସ୍ତାରେ ୬ କିଲୋମିଟର ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ l ଗୋଟିଏପଟେ ସରକାରଙ୍କ ପକ୍ଷରୁ ଗର୍ଭଧାରଣ ଠାରୁ ସୁରକ୍ଷିତ ପ୍ରସବ ପର୍ଯ୍ୟନ୍ତ ଯେପରି ପ୍ରତେକ କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ ସେନେଇ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଏଠାରେ ଗର୍ଭବତୀଙ୍କ ପ୍ରସବ ବେଦନା ଠାରୁ ରାସ୍ତା ଅତିକ୍ରମ ପାଇଁ ହେଉଥିବା ଯନ୍ତ୍ରଣା ବଳି ଯାଉଥିବା ଯୋଗୁଁ ଏପରିସ୍ଥଳେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।