ଦ କୁଇଭର ବ୍ୟୁରୋ :- କେତେ ଯନ୍ତ୍ରଣା ଦାୟକ ଥିଲା ସେ ଦୃଶ୍ୟ । ଛାତି ଫାଟି ଯାଉଥାଏ । ଭୟରେ ଦେହ ଏବେ ବି ଥରୁଛି । ଜିଅନ୍ତା ଜଳୁଛି ଝିଅଟି । ଚିତ୍କାର କରୁଛି ବଞ୍ଚାଅ ବଞ୍ଚାଅ । ପ୍ରାଣ ବିକଳରେ ଦୌଡ଼ୁଛି । କେବଳ କହୁଛି ମୋତେ ପୋଡ଼ି ଦେଲେ । ହୁତୁ ହୁତୁ ହୋଇ ଜଳୁଥିବା ଝିଅଟି ପଡ଼ିଗଲା ପାଣି ପକାଇ ଚେଷ୍ଟା କଲୁ ନିଆଁ ଲିଭାଇବାକୁ । ନିଆଁ ଲିଭାଇବା ପରେ ଡ୍ରେସ ପିନ୍ଧାଇଲି । ଆମ୍ବୁଲାନ୍ସକୁ ଡକାଯାଇଥିଲା । ଆମ୍ବୁଲାନ୍ସ ଆସିବା ମାତ୍ରେ ତତ୍କାଳ ତାଙ୍କୁ ଚିକିତ୍ସା ପାଇଁ ପଠାଇଲୁ । ଏମିତି କିଏ କଲା ବୋଲି ପଚାରିବାରୁ କହିଲା ତିନିଜଣ ମୁହଁରେ ରୁମାଲ ବାନ୍ଧି ଆସିଲେ ମତେ ଉଠାଇନେଲେ । ତା ପରେ....
ପ୍ରାୟ ୭୦ଭାଗ ପୋଡ଼ି ଯାଇଥିବା ନାବାଳିକାର ଜଳୁଥିବା ଶରୀର କଥା ମନେ ପଡ଼ିଲେ ଛାତି ବିଦାରି ହୋଇ ଯାଉଛି । କେତେ ନିର୍ମମ ସେମାନେ ? ଜଲ୍ଲାଦ ଠୁ ତ କମ ନୁହନ୍ତି ? କେମିତି ହାତ ଗଲା, ଜିଅନ୍ତା ଝିଅକୁ ଜାଳି ଦେବାକୁ ? କେମିତି ଏତେ ନୃଶଂସ ଏମାନେ ? ଏମିତି ଗାଁଟା ସାରା ବାହୁନି ହେଉଛନ୍ତି । କ’ଣ ହେବ ସେ ଝିଅର ? ବଞ୍ଚିବ ତ ? ଯଦି ବଞ୍ଚିବ ତେବେ ଭବିଷ୍ୟତ କ’ଣ ? ଏହି ଘଟଣା ସ୍ଥାନୀୟ ପିଲା ମାନଙ୍କ ମନରେ ଆତଙ୍କ ଖେଳାଇ ଦେଇଛି ।
କିଏ ଏମାନେ ? କିଏ ଏହି ଅଭିଯୁକ୍ତ ? କ’ଣ ଏମାନଙ୍କ ସହ ନାବାଳିକାର ଥିଲା ଶତ୍ରୁତା ? ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ପୋଲିସ ତଦନ୍ତ ଚାଲିଥିବା କହୁଛନ୍ତି । ହେଲେ, ପୋଲିସ ଉପରେ ଭରସା ପାଉନାହିଁ । କାରଣ ପୂର୍ବରୁ ଅନେକ ଏପରି ଘଟଣା ହୋଇଛି, ଯାହାର ତଦନ୍ତ ଫସର ଫାଟିଛି । ତଦନ୍ତ କେବଳ ଧୂଆଁବାଣ ହୋଇ ରହିଛି । ଦେଖାଯାଉ ଏହି ଘଟଣାରେ ପୋଲିସର ତଦନ୍ତ କୁଆଡ଼େ ଯାଉଛି ଓ ସରକାରୀ ପଦକ୍ଷେପର ଗତି କୁଆଡ଼େ ଯାଉଛି ?