ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଆଜି ସାରା ଓଡିଶା ରାଜରାସ୍ତାରେ,ଚକ ଅଖ ସବୁ ବନ୍ଦ, ଯାତାୟାତ ଗମନାଗମନ ସବୁ ଠପ, ବାଣିଜ୍ୟ ବ୍ୟବସାୟ ସବୁ ଲସ, ଅନେକ ସେବା ବାଧାପ୍ରାପ୍ତ,ବହୁ କାର୍ଯ୍ୟ ଅଧାପନ୍ତରିଆ, ଲୋକେ ହନ୍ତସନ୍ତ, କଲବଲ ଯାତ୍ରୀ... ଏମିତି ଅନେକ ସମସ୍ୟା ଦେଖାଯାଇଥାଏ l କିନ୍ତୁ ଏ ସବୁ କଣ ଏକମାତ୍ର ମାଧ୍ୟମ ଜଣେ ଛାତ୍ରୀ ଙ୍କୁ ନ୍ୟାୟ ଦେବାରେ, ଯିଏ ସବୁଦିନ ପାଇଁ ନିରବୀ ଯାଇଛି l ଯେତେବେଳେ ସେ ଜୀବିତ ଥିଲା ଆଉ ଚିତ୍କାର କରି କହୁଥିଲା,ମୋ ଗୁହାରି ଶୁଣ, ମୋ ଅନୁରୋଧ ରକ୍ଷା କର, ମୋତେ ନ୍ୟାୟ ଦିଅ... କିଏ କର୍ଣ୍ଣପାତ କରୁନଥିଲେ.. ସେ ନେତା ମନ୍ତ୍ରୀ ଶାସକ ଅବା ବିରୋଧି କିମ୍ବା ସାଧାରଣ ଜନତା... କିନ୍ତୁ ଆଜି ଯେତେବେଳେ ସେ ସବୁଦିନ ପାଇଁ ନିରବୀ ଯାଇଛି, ନ୍ୟାୟ ଭିକ୍ଷା କରି କରି ନିଜକୁ ଆତ୍ମହୁତି ଦେଇଦେଇଛି,, ଆଜି ସାରା ଓଡିଶା ବାହାରିଛି ୧୨ ଘଣ୍ଟା ବନ୍ଦ ପାଳନ କରି ମୃତା ଛାତ୍ରୀଙ୍କୁ ନ୍ୟାୟ ଦେବା ଆଶାରେ l କିନ୍ତୁ ସମସ୍ତେ ଜାଣନ୍ତି ଏସବୁ କରିବା ଦ୍ୱାରା କୌଣସି ଲାଭ ହେବାର ନାହିଁ, ବରଂ ସାଧାରଣ ଖାଉଟି, ଗରିବ ଲୋକ, ନିରୀହ ଜନତା, ଅସହାୟ ଲୋକମାନଙ୍କ ଅସୁବିଧା ଆହୁରି ବଢ଼ିଯିବ l
ଆମେ ଏଠି ନା କେଉଁ ଦଳ କଥା କହୁଛୁ, ନା ରାଜନୈତିକ ଚର୍ଚ୍ଚା କରୁଛୁ, ବାସ୍ତବ ତଥ୍ୟକୁ ଲୋକଙ୍କ ଦୃଷ୍ଟିଗୋଚର କରିବା କେବଳ ଉଦେଶ୍ୟ ଆମର l
ସେ ‘ଭାରତ ବନ୍ଦ’ ହେଉ କି ‘ଓଡ଼ିଶା ବନ୍ଦ’ ହେଉ । ଯେବେଯେବେ ଏ ବନ୍ଦ କଥା ଉଠେ ସେବେସେବେ ସାମ୍ନାକୁ ଆସେ ସାଧାରଣ ଲୋକ ଭୋଗୁଥିବା ହଇରାଣ, ହରକତ, ହିନସ୍ତା, ହନ୍ତସନ୍ତର କଥା । ବନ୍ଦ ପାଇଁ ଅଟକି ଯାଏ ଜୀବନ ଜୀବିକା, ରାସ୍ତାଘାଟ, ଦୋକାନ ବଜାର, ଗାଡ଼ି ମଟର । ଗାଁରୁ ସହର ସବୁଠି ଶୁଭେ ପ୍ରତିବାଦର ସ୍ବର, ନାରାବାଜି.. ସାମ୍ନାକୁ ଆସେ ଟାୟାର ଜଳିବାର ଦୃଶ୍ୟ, ଭଙ୍ଗାରୁଜାର ଦୃଶ୍ୟ, ଧସ୍ତାଧସ୍ତି-ମୁହାଁମୁହିଁ ହେବାର ଚିତ୍ର ।ବନ୍ଦ ପାଇଁ ଅଟକି ଯାଏ ଚକଅଖ, ଗଡେନି ଗାଡି, ମାନ୍ଦା ହୁଏ ବ୍ୟବସାୟ, କ୍ଷତି ସହନ୍ତି ବ୍ୟବସାୟୀ, ଲକ୍ଷେ କି ୨ ଲକ୍ଷ ନୁହେଁ.. କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡେ । ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଯିବାକୁ ହନ୍ତସନ୍ତ ହୁଅନ୍ତି, ରୋଗୀ ମେଡିକାଲରେ ପହଞ୍ଚିବାକୁ ଅଧା ବାଟରେ ହିନସ୍ତା ହୁଅନ୍ତି.. ଏମିତି କେତେ କେତେ କଥା-ବ୍ୟଥା ଓ କାହାଣୀ ସାମ୍ନାକୁ ଆସେ – ତଥାପି ଏ ଦେଶରେ, ଏ ରାଜ୍ୟରେ, ଏ ସମାଜରେ ବନ୍ଦ ଡାକରା ଦିଆଯାଏ, ବନ୍ଦ ପାଳନ ହୁଏ l ହଁ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳ ବନ୍ଦ ପାଳନ କରିବାର ଅଧିକାର ରହିଛି । ଶୋଇଥିବାର ସରକାରକୁ ଉଠାଇବାକୁ ହେଉ କି ସରକାର ଉପରେ ଚାପ ପକାଇ ପାଇଁ ବିରୋଧୀ ବନ୍ଦ ପାଳନ କରନ୍ତି l ଗୋଟେ ସରକାରଙ୍କୁ ସକ୍ରିୟ କରିବାକୁ ବିରୋଧୀ ‘ବନ୍ଦ’କୁ ବ୍ରହ୍ମାସ୍ତ୍ର ଭାବେ ପ୍ରୟୋଗ କରନ୍ତି । ଆଜି ବିଜେଡି ଓ କଂଗ୍ରେସ ଏହି ବାଟ ବାଛିଛନ୍ତି, ଅତୀତରେ ଯେବେ ଓଡ଼ିଶାରେ ବିଜେଡିର ସରକାର ଥିଲା ସେତେବେଳେ ବି ବର୍ତ୍ତମାନର ସରକାରରେ ଥିବା ବିଜେପି ବିରୋଧୀ ଭାବେ ରାସ୍ତାରେ ଗର୍ଜୁଥିଲା, ବନ୍ଦ ପାଳନ କରୁଥିଲା, ବିଜେଡି ସରକାରକୁ ପଙ୍ଗୁ-ଅପାରଗ ବୋଲି କହୁଥିଲା । ରାଜନୀତିରେ ଏ ପ୍ରକ୍ରିୟା ଚାଲୁଛି ଆଉ ଚାଲୁଥିବ ମଧ୍ୟ l କିନ୍ତୁ ଏଥିରେ କେତେ ଯେ ନିରୀହ ଜନତା ହଇରାଣ ହୁଅନ୍ତି, ସେ କଥା କିଏ ଅବା ନ ଜାଣେ....
କେତେକ ରାଜନୈତିକ ଦଳର ଏହି ହରକତ ପାଇଁ ହିଁ ସାଧାରଣ ଲୋକଟିଏ ସବୁବେଳେ ସମସ୍ୟା ଭୋଗେ । ଥରେ ଭାବିଲେ ଯେତେବେଳେ ଗାଡ଼ି ବନ୍ଦ ହୋଇଯାଏ, ରାସ୍ତା ବନ୍ଦ ହୋଇଯାଏ, ଦୋକାନ ବଜାର ବନ୍ଦ ହୋଇଯାଏ.. ସେତେବେଳେ ସାଧାରଣ ଜୀବନର ଅବସ୍ଥା କେମିତି ହୁଏ । ଜନଜୀବନ କେତେ ପ୍ରଭାବିତ ହୁଏ । କେତେ ହନ୍ତସନ୍ତ ହୁଅନ୍ତି ଲୋକେ, କେମିତି ଅଟକିଯାଏ ଜୀବନ.. କେତେ ସମସ୍ୟା ଭୋଗନ୍ତି ଲୋକେ । ଠିକ୍ ଆଜି ବି ସେଇ ସମାନ ସ୍ଥିତି ଓଡିଶାରେ ଉପୁଜିଛି । ଅଖ-ଚକ ସବୁ ଅଟକି ଯାଇଛି – ରାସ୍ତା ରେଳ, ବସ ସେବା ସବୁ ବନ୍ଦ । କିଏ ବାଟରେ ଅଟକିଛି ତ କିଏ ପୁଣି ଜାମରେ ଫସିଛି । ରୋଗୀ ତ ମେଡିକାଲ ବି ଯାଇ ପାରୁ ନାହାନ୍ତି । ପିଲା ପରୀକ୍ଷା ଦେବାକୁ କାନ୍ଦ କାନ୍ଦ ଆଖିରେ ହଇରାଣ ହୋଇ ଯାଉଛନ୍ତି ।
ଏସବୁ ପରେ ମଧ୍ୟ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ, ଯେ ସତରେ କଣ ବନ୍ଦ ପାଳନ କଲେ- ଦାବି ପୂରଣ ହୁଏ, ନ୍ୟାୟ ମିଳେ ? ଆଜି ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ସାରା ଓଡିଶାର ଲୋକେ ଦାବି କରୁଛନ୍ତି ମାତ୍ର ବ୍ୟବସ୍ଥାକୁ ନସଜାଡି ଏ ବନ୍ଦ କଣ ଏକମାତ୍ର ବାଟ.. ? ବନ୍ଦ କଣ ଏହାର ଉତ୍ତର ନା ଅସ୍ତ୍ର..?... ଏମିତି ଅନେକ ପ୍ରଶ୍ନ ଉଠିଥାଏ ସତ ଯାହାର ଉତ୍ତର ଆଉ ସମାଧାନ ବୋଧ ହୁଏ ସମସ୍ତେ ଜାଣନ୍ତି କିନ୍ତୁ ରଖିବା ପାଇଁ ଅନିଛୁକ l