Join Us To Make A Difference

The Drops💧

୧୦ ବର୍ଷର ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କଲେ ଭାରତ-ଆମେରିକା

୧୦ ବର୍ଷର ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କଲେ ଭାରତ-ଆମେରିକା
Published by:Jyotshna Kumari
#international

ଦ କୁଇଭର ବ୍ୟୁରୋ :- ବିଶ୍ୱସ୍ତରୀୟ ମହାଶକ୍ତି ମଧ୍ୟରେ ଏବେ ଶକ୍ତି ସଂଘର୍ଷ ଚାଲିଛି। କେଉଁ ଦେଶ କେତେ ମଜବୁତ ତାହା ପ୍ରମାଣ କରିବାରେ ଲାଗିପଡ଼ିଛନ୍ତି ଅନେକ ବଡ଼ ବଡ଼ ଦେଶ। ଏହି ପ୍ରତିଯୋଗିତା ମଧ୍ୟରେ ଭାରତ ଏବଂ ଆମେରିକା ୧୦ ବର୍ଷର ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦୁଇ ଦେଶ ମଧ୍ୟରେ ରଣନୈତିକ ସମନ୍ୱୟର ଏକ ସଙ୍କେତ ଭାବରେ ବର୍ଣ୍ଣନା କରିଛନ୍ତି। ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ଏକ ବୈଠକରେ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଚୁକ୍ତିନାମା ସ୍ୱାକ୍ଷରିତ ହେବା ସମୟରେ ଆମେରିକାର ପ୍ରତିରକ୍ଷା ସଚିବ ପିଟର ହେଗସେଥ୍ ମଧ୍ୟ ଉପସ୍ଥିତ ଥିଲେ। ଏହି ଚୁକ୍ତିନାମା ଏପରି ସମୟରେ କରାଯାଇଛି, ଯେତେବେଳେ ଶୁଳ୍କକୁ ନେଇ ଉତ୍ତେଜନା ପରେ ଉଭୟ ଦେଶ ସମ୍ପର୍କ ପୁନର୍ବାର ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକା ଭାରତୀୟ ଉତ୍ପାଦ ଉପରେ ୫୦ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହି ନିଷ୍ପତ୍ତି ପରେ ବି ଭାରତ ମୁଣ୍ଡ ନୁଆଁଉନଥିବା ଦେଖି ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ସମ୍ପର୍କ ସୁଧାରିବାକୁ ଅନେକ ସଙ୍କେତ ଦେଉଛନ୍ତି। ଏମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି।ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ, ରାଜନାଥ ସିଂହ ଟ୍ୱିଟରରେ ଲେଖିଛନ୍ତି, "ଏହା ଆମର ଦୃଢ଼ ପ୍ରତିରକ୍ଷା ସହଭାଗୀତାରେ ଏକ ନୂତନ ଯୁଗର ଆରମ୍ଭ।"ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଏହି ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ ଏବଂ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଏହା ଆମର ବଢ଼ୁଥିବା ରଣନୈତିକ ସମନ୍ୱୟର ସଙ୍କେତ ଦେଉଛି ଏବଂ ଏକ ନୂତନ ଦଶକର ସହଭାଗୀତାର ଆରମ୍ଭକୁ ଚିହ୍ନିତ କରିବ। ପ୍ରତିରକ୍ଷା ସମ୍ପର୍କ ଆମ ସମ୍ପର୍କର ଏକ ଦୃଢ଼ ସ୍ତମ୍ଭ। ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମୁକ୍ତ, ଖୋଲା ଏବଂ ନିୟମ-ଆଧାରିତ navigation ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ।

Comments

Leave a Comment

Comments

No comments yet.

State

ନବୀନଙ୍କ ଅଭିଯୋଗର ଜବାବ ରଖିଲେ ଜୟ

Blog Thumbnail

ଦ କୁଇଭର ବ୍ୟୁରୋ :- ନୂଆପଡା ଉପନିର୍ବାଚନରେ ଆରୋପ ପ୍ରତ୍ୟାରୋପର ସୀମା ଟପିଛି । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରିବା ସହିତ ପ୍ରୀର୍ଥୀ ଚୋରି କରିଥିବା ଅଭିଯୋଗ ଆଣିଥିଲେ । ଏପଟେ ଆଜି ନବୀନଙ୍କୁ ସିଧାସଳଖ ପ୍ରତିଜବାବ ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସେ କହିଛନ୍ତି, ମୋ ବାପା ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ । ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା କହି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜୟ ଢୋଲକିଆ । ନୂଆପଡ଼ାରେ ନବୀନଙ୍କ ପ୍ରଚାରକୁ ନେଇ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା । "ନବୀନ ମୋ ବାପା ଭଳି, ତାଙ୍କ ଟିପ୍ପଣୀରେ ବେଶୀ କିଛି କହିବାର ନାହିଁ । ହସ୍ପିଟାଲରେ ବାପା ମୃତ୍ୟ ସହ ସଂଗ୍ରାମ କଲାବେଳେ ସେ ଆସିଲେନି । ଫୋନ କରି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରିଲେନି । ଏପରିକି ଶୁଦ୍ଧିକ୍ରିୟାକୁ ମଧ୍ୟ ଆସିନଥିଲେ । ବାପା ମେଡିକାଲରେ ପଡିଥିବା ସମୟରେ ବିଜେଡି ଦଳର କୌଣସି ଜଣେ ବି ନେତା ଆମକୁ ସମ୍ପର୍କ କରିନଥିଲେ । ଅଧିକ ଚିକିତ୍ସା କଥା ତ ଦୂରର କଥା ସ୍ୱାସ୍ଥାବସ୍ଥା ବୁଝିବାକୁ ମଧ୍ୟ କେହି ଫୋନ କରି ନଥିଲେ । ନିର୍ବାଚନ ପ୍ରଚାରରେ ନବୀନଙ୍କ କଥା ମୋତେ ଖରାପ ଲାଗିଛି । ନୂଆପଡାବାସୀଙ୍କ ସହାନୁଭୂତି ସବୁବେଳେ ମୋ ସହିତ ରହିବ ।" ଗତକାଲି ନବୀନଙ୍କ ଆରୋପ ପରେ ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏକ ସାମ୍ବାଦିକ ସମ୍ମିଳନୀରେ ଜବାବ ରଖିଛନ୍ତି । "ମୋର ବାପା ସ୍ୱର୍ଗୀୟ ରାଜେନ୍ଦ୍ର ଢୋଲକିଆ ବିଜୁ ଜନତା ଦଳରୁ ରାଜନୀତି ଆରମ୍ଭ କରି ଶେଷ ମଧ୍ୟ କରିଥିଲେ । ହେଲେ ବିଜୁ ଜନତା ଦଳ ମୋର ବାପାର ହୋଇ ପାରିଲା ନାହିଁ । ଚେନ୍ନାଇ ହସ୍ପିଟାଲରେ ଜୀବନ ମରଣ ସହିତ ସଂଗ୍ରାମ କରୁଥିଲେ ମୋ ବାପା । ସେତେବେଳେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ଦଳର କୋଣସି ନେତା ଦେଖିବାକୁ ଗଲେନାହିଁ, କିମ୍ବା ଫୋନ କରି ଭଲ ମନ୍ଦ ବୁଝିଲେ ବି ନାହିଁ ଅଥବା ତାଙ୍କ ଦଶାହ ଶ୍ରଦ୍ଧାଞ୍ଜଳୀ ସଭାକୁ ମଧ୍ୟ ଆସିଲେ ନାହିଁ ନବୀନ ପଟ୍ଟନାୟକ । ସେ ମୋର କିମ୍ବା ମୋର ବାପାର ହେଲେ କେମିତି କହନ୍ତୁ ।" ଆଉ ବର୍ତ୍ତମାନ ନୂଆପଡାରେ ଉପନିର୍ବାଚନ ଚାଲିଥିବା ବେଳେ ଭୋଟ ପ୍ରଚାର ପାଇଁ ଆସିଗଲେ ଏମିତି ରାଜନୀତି କରାଯାଏ କି ବୋଲି ଜୟ ଢୋଲକିଆ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକକୁ ପ୍ରଶ୍ନ ପଚାରିଛନ୍ତି । ଗତକାଲି ବିଜୁ ଜନତା ଦଳ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ମୈଦାନରେ ଅବତରଣ କରି ତରବୋଡ଼ ସମ୍ଭବ ପଡିଆ ଠାରେ ଆୟୋଜନ କରାଯାଇଥିବା ନିର୍ବାଚନୀ ସଭାରେ ବିଜେପିକୁ ଟାର୍ଗେଟ କରିଥିଲେ । ନବୀନ କହିଥିଲେ, "ମୋ ସରକାରରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆମ ଦଳର ନେତା ରହିଥିଲେ । ସେ ନୂଆପଡା ବିକାଶ ପାଇଁ ଯାହା ମୋତେ ଡିମାଇଣ୍ଡ କରିଥିଲା ମୁଁ ସବୁ ପୂରଣ କରିଛି । ହେଲେ ତାଙ୍କ ପୁଅ ଆମ ଦଳକୁ ଧୋକା ଦେଇଛନ୍ତି । ଆମ ଦଳ ସହିତ ବେଇମାନୀ ହୋଇଛି । ନୂଆପଡାବାସୀ ଏହାର ଜବାବ ଦେବେ ।"

Weather,State

ପୁଣି ଆସୁଛି ଆଉ ଏକ ଲଘୁଚାପ

Blog Thumbnail

ଦ କୁଇଭର ବ୍ୟୁରୋ :- ବାତ୍ୟା 'ମୋନ୍ଥା' ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ବିହାର ସଂଲଗ୍ନ ଝାଡ଼ଖଣ୍ଡରୁ ଉତ୍ତର-ଉତ୍ତରପୂର୍ବ ଦେଇ ଉପ-ହିମାଳୟ ପଶ୍ଚିମବଙ୍ଗ ଓ ସିକ୍କିମ ଏବଂ ଆସାମ ଆଡକୁ ଗତି କରି କିଛି ଘଣ୍ଟା ମଧ୍ୟରେ ଶକ୍ତିହୀନ ହୋଇଯିବ । ଓଡ଼ିଶାରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆହୁରି କିଛି ଦିନ ବର୍ଷା ସହ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ଉପକୂଳ ଓଡ଼଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି । ଅନ୍ୟପଟେ ବର୍ତ୍ତମାନ ଥାଇଲାଣ୍ଡର ଗଲ୍ଫ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କିନ୍ତୁ ଏହାର ପ୍ରଭାବ ଓଡିଶା ଉପରେ ରହିବ କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆଜି କିଛି ଜିଲ୍ଲରେ ବର୍ଷା ସହ ପ୍ରବଳ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏହା ସାଙ୍ଗକୁ ଝଟକା ପବନ ବହିବ । ଯାହାକୁ ନେଇ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Politics

ନିର୍ବାଚନ ପ୍ରଚାର ସଭାରେ ନବୀନଙ୍କୁ ଟାର୍ଗେଟ କଲେ ମୋହନ

Blog Thumbnail

ଦ କୁଇଭର ବ୍ୟୁରୋ :- କୋମନା ବ୍ଲକ୍‌ରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରୋଡ୍‌ ସୋ’ କରିବା ସହ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରତିଆକ୍ରମଣ କରିଛନ୍ତି। କୋମନା ବ୍ଲକ୍‌ରେ ଆଜି ରୋଡ୍‌ ସୋ’ କରିବା ପରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କିଏ ବେଇମାନ ବୋଲି କହି ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୟ ଢୋଲକିଆଙ୍କୁ ବେଇମାନ କହି ସମ୍ବୋଧନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା। ଏ ବେଇମାନର ସଂଜ୍ଞା କ’ଣ? ବେଇମାନ କାହାକୁ କୁହାଯାଏ? ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା କୁଆଡ଼େ ବହୁତ ଶାଳୀନତା ରକ୍ଷା କରନ୍ତି। କେବେ ହେଲେ ତାଙ୍କ ମୁହଁରୁ ବେଇମାନ ଶବ୍ଦ ବାହାରେ ନାହିଁ। ତା’ ହେଲେ କୋମନାରେ ତାଙ୍କ ମୁହଁରୁ ବେଇମାନ ଶବ୍ଦ ବାହାରିଲା କିପରି? ମୋତେ ଲାଗୁଛି, ବୋଧହୁଏ ତାଙ୍କ ସ୍କ୍ରିପ୍ଟ ରାଇଟର୍‌ (ଭାଷଣ ଲେଖକ) ବେଇମାନର ସଂଜ୍ଞା କ’ଣ, ତାହା ବୁଝାଇ ନାହାନ୍ତି। ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଆଣି ବିଜେଡି ପ୍ରାର୍ଥୀ କରିଥିଲା। ସେତେବେଳେ ମହାପାତ୍ରଙ୍କଠାରୁ ଆରମ୍ଭ କରି ନଳିନୀ ମହାନ୍ତିଙ୍କ ପର୍ଯ୍ୟନ୍ତ କାହାକୁ ସେ ଛାଡ଼ି ନାହାନ୍ତି। ଜଣେ ପରେ ଜଣେ ନେତାଙ୍କୁ ଧକ୍କା ମାରି ଦଳରୁ ବାହାର କରି ଦେଇଥିଲେ। ତା’ ହେଲେ କିଏ ବେଇମାନ? ତା’ର ଜବାବ ତାଙ୍କୁ ଦେବାକୁ ପଡ଼ିବ। ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏହାକୁ ନେଇ ମଧ୍ୟ ନବୀନ ଓ ବିଜେଡି ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ ଜିଲ୍ଲା ଭିତରେ କ’ଣ ବିଜେଡିକୁ ନେତା ମିଳିଲେନି। ଶେଷରେ ବରଗଡ଼ରୁ ଆଣି ଜଣଙ୍କୁ ପ୍ରାର୍ଥୀ କଲେ। ନୂଆପଡ଼ାକୁ ପ୍ରତିନିଧିତ୍ୱ କରିବା ପାଇଁ ଜୟ ଢୋଲକିଆ ହିଁ ଯୋଗ୍ୟ ପ୍ରାର୍ଥୀ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କୁ ବହୁମତରେ ଜିତାଇବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

Crime

ପୀତବାସଙ୍କ ମୁଖ୍ୟ ହତ୍ୟାକାରୀଙ୍କୁ ରିମାଣ୍ଡରେ ନେଲା ପୋଲିସ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଚାରି ଜଣଙ୍କୁ ରିମାଣ୍ଡରେ ନେଲା ବୈଦ୍ୟନାଥପୁର ଥାନା ପୋଲିସ । ଚାରି ଜଣଙ୍କ ମଧ୍ୟରେ ଅଛନ୍ତି କର୍ପୋରେଟର ମଳୟ ବିଷୋୟୀ, ବିଜେଡ଼ି ନେତା ମଦନ ଦଳେଇ, ଯୋଗେନ୍ଦ୍ର ରାଉତ ଓ ଚିଣ୍ଟୁ ପ୍ରଧାନ । ଚାରି ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ବ୍ରହ୍ମପୁର ପୋଲିସ ।ଗତକାଲି ପୋଲିସ ଜେଏମଏଫସିଙ୍କ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା । ଆଜି ଅଭିଯୁକ୍ତ ମାନଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିପାରେ ପୋଲିସ l ଗତକାଲି ରାତିରେ ସାର୍ପ ସୁଟର କୁରୁପତି ଭୂୟାଁ ଓ ମାଷ୍ଟର ମାଇଣ୍ଡ ଉମା ବିଷୋୟୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ ।

City

ସହରରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର

Blog Thumbnail

ବ୍ରହ୍ମପୁର ( ଦ କୁଇଭର ବ୍ୟୁରୋ ):- ଗୋସାଇଁନୂଆଗାଁ ଓମ୍ ବିହାର ସାଇ ବାବା ମନ୍ଦିର ନିକଟରୁ ଶୁକ୍ରବାର ବିଳମ୍ବିତ ରାତିରେ ୧୧ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ସ୍ନେକ୍ ହେଲ୍ପ ଲାଇନ ପକ୍ଷରୁ ସାପକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସୂଚନା ମୁତାବକ ଓମ୍ ବିହାରର ପ୍ରମୋଦ ବେହେରାଙ୍କ ଘର ଗ୍ରିଲ ଆଗରେ ଏକ ବିରାଟକାୟ ସାପକୁ ପରିବାର ଲୋକ ଦେଖିଥିଲେ। ସାପକୁ ଉଦ୍ଧାର ପାଇଁ ସ୍ନେକ୍ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ସ୍ଥାନୀୟ ସଦସ୍ୟ ତ୍ରିଲୋଚନ ନାୟକ ସେଠାରେ ପହଞ୍ଚିଥିଲେ। ତ୍ରିଲୋଚନ କୌଶଳ କ୍ରମେ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ୧୦ ଫୁଟ ଲମ୍ବ ରହିଥିଲା। ସାପଟିକୁ ବନପାଳ ସୋମନାଥ ମଲ୍ଲିକ, ବନରକ୍ଷୀ ଅଶ୍ଵିନୀ ନାୟକଙ୍କ ଉପସ୍ଥିତିରେ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିବା ସ୍ନେକ୍ ହେଲ୍ପ ଲାଇନ ସଂଯୋଜକ ସ୍ବାଧିନ କୁମାର ସାହୁ ସୂଚନା ଦେଇଛନ୍ତି।

Crime

ରିମାଣ୍ଡରେ ଆସିବ ଶଙ୍କର ପୃଷ୍ଟି

Blog Thumbnail

ଦ କୁଇଭର ବ୍ୟୁରୋ :- ଚାକିରି କେଳେଙ୍କାରୀ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଠି ଗିରଫକୁ ନେଇ ଯେତିକି ଚର୍ଚ୍ଚା ତାଙ୍କର ବୟାନକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି । କେଳେଙ୍କାରୀ ପଛରେ ହଜାରେ କୋଟିର ଦୁର୍ନୀତି ହୋଇଥିବା ଶଙ୍କରଙ୍କ ବୟାନ ପରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା ଚଳାଇଛି। ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପଛର ମାଷ୍ଟରମାଇଣ୍ଡ କିଏ ? ଶଙ୍କର ପୃଷ୍ଟି ଭଳି ଜଣେ ଲୋକ ଓ ତାର ସହଯୋଗୀ କଣ ଏତେ ବଡ କେଳେଙ୍କାରୀ କରିପାରିବେ? ଏହାକୁ ନେଇ ସମସ୍ତଙ୍କ ଭିତରେ କୌତୁହଳ ଲାଗି ରହିଥିବାବେଳେ ସାଂଘାତିକ ବୟାନ ଦେଇଛି ଶଙ୍କର । ଶଙ୍କର ସିଧା ସଳଖ ପୂର୍ବ ସରକାରକୁ କାଠ ଗଡାକୁ ଟାଣିଛି। କେଉଁ ଚାକିରି ପାଇଁ କେତେ ଟଙ୍କା ଡିଲ୍ ହୋଇଥିଲା ତାହା ସ୍ପଷ୍ଟ କରିନଥିଲେ ବି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଶଙ୍କର ପୃଷ୍ଟିର ବୟାନ ପରେ ବହୁ ନେତା ଓ ବାବୁଙ୍କ ଛାତିରେ ଛନକା ପଶିଛି । ସିବିଆଇ କାହା କବାଟ କେତେବେଳେ ବାଡେଇବ ସେ ନେଇ ଚିନ୍ତାରେ ପଡିଲେଣି । ସେପଟେ ଶଙ୍କରକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଆଜି କୋର୍ଟରେ ହାଜର ହେବ ଶଙ୍କର ପୃଷ୍ଟି । ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଏଯାଏଁ ୩ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି ତଦନ୍ତକାରୀ ସଂସ୍ଥା । ମୁନା ମହାନ୍ତି, ଲୋକନାଥ ସାହୁ, ସୌମ୍ୟା ପ୍ରିୟଦର୍ଶିନୀକୁ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।