ଦ କୁଇଭର ବ୍ୟୁରୋ :- ଜାପାନରେ ଆୟୋଜିତ ଏସିଆନ୍ କ୍ଲାସିକ୍ ପେସିଭିକ୍ ଆଫ୍ରିକାନ୍ ପାୱାରଲିଫ୍ଟିଙ୍ଗ୍ ଚାମ୍ପିଆନସିପ୍ କ୍ରୀଡା ପ୍ରତିଯୋଗିତାରେ ଚାରୋଟି ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବ୍ରହ୍ମପୁରର ଓଡିଆ ଝିଅ ରଞ୍ଜିତା ମିଶ୍ର । ଶକ୍ତିଉତ୍ତୋଳନ କ୍ଷେତ୍ରରେ ରଞ୍ଜିତା ଜାପାନରେ ଏହି କ୍ରୀଡା କ୍ଷେତ୍ରରେ ରହିଥିବା ସ୍କେର୍ଟ (Squat) ରେ ୧୪୨.୫ କିଲୋ ଉଠାଇଥିବା ବେଳେ ବେଞ୍ଚରେ ୬୫ କିଲୋ ଏବଂ ଡେଡ୍ ଲିଫ୍ଟ (Deadlift) ରେ ୧୬୦ କିଲୋ ଉଠାଇଥବା ବେଳେ ସମୁଦାୟ ୩୬୭.୫ କିଲୋ ଗ୍ରାମ୍ ଉଠାଇ ଏକ ରେକର୍ଡ ସୃଷ୍ଟି କରିଥିଲେ । ରଞ୍ଜିତା ଏଭଳି ପ୍ରଦର୍ଶନୀ କରି ପୂର୍ବରୁ ରହିଥିବା ସମସ୍ତ ରେକର୍ଡକୁ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ରଞ୍ଜିତା ଓଭରଅଲରେ ରୌପ୍ୟପଦକ ପାଇଥିଲେ । ତେବେ ୪ଟି ରେକର୍ଡ କରିଥିଲେ ରଞ୍ଜିତା । "ଚାରୋଟି ରେକର୍ଡ କରି ଜଣେ ଓଡିଆ ଝିଅ ତଥା ଭାରତୀୟ ଭାବରେ ବିଦେଶରେ ନିଜର କ୍ରୀଡା ପ୍ରଦର୍ଶନ ପାଇଁ ଗର୍ବିତ । ଏଥିପାଇଁ ବେଶ ଖୁସି ରହିଥିବା ବେଳେ ସମସ୍ତ ଓଡିଶାବାସୀଙ୍କୁ ଧନ୍ୟବାଦ," ପ୍ରଦାନ କରିଛନ୍ତି ରଞ୍ଜିତା ମିଶ୍ର । ଏସିଆନ୍ କ୍ରୀଡା ପ୍ରତିଯୋଗିତାରେ ରଞ୍ଜିତା ୫୦ ରୁ ୬୦ ବର୍ଷ ମଧ୍ୟରେ ରହିଥିବା ବୟସ ଗ୍ରୁପରେ ପ୍ରଦର୍ଶନ କରିଥିଲେ । ୮୪ କେଜି ବର୍ଗରେ ସେ ଭାଗ ନେଇଥିଲେ । ଏସିଆନ୍ କ୍ରୀଡାରେ ଓଡ଼ିଆ ଝିଅ ରଞ୍ଜିତାଙ୍କ ସଫଳତା ପାଇବା ପରେ ସେ ବର୍ତ୍ତମାନ କେରଳ ରାଜ୍ୟର କୁଜିକୋଟ ଠାରେ ଆୟୋଜିତ ହେଉଥିବା ଜାତୀୟସ୍ତରୀୟ କ୍ରୀଡା ପ୍ରତିଯୋଗିତା -୨୦୨୫ରେ ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ଆସନ୍ତା ଅଗଷ୍ଟ ୪ ତାରିଖ ଠାରୁ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ସଫଳ ହେଲେ ରଞ୍ଜିତା ଚଳିତବର୍ଷ ଡିସେମ୍ୱରରେ ଆୟୋଜିତ ହେବାକୁ ରହିଥିବା ୱାଲର୍ଡ ଚାମ୍ପିଆନସିପ୍ ଓ ପୁଣି ଏସିଆନ୍ ଚାମ୍ପିଆନସିପରେ ଭାଗନେବା ପାଇଁ ଚୟନ ହୋଇପାରିବେ ବୋଲି କହିଛନ୍ତି ।