ଦ କୁଇଭର ବ୍ୟୁରୋ:- ବିଶ୍ବରେ ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ , ଭାରତର ଏକ ପ୍ରାଚୀନ ସଂସ୍କୃତି । ଏହା ମନ , ଶରୀର ଓ ଆତ୍ମାର ମିଳନ କରିଥାଏ । ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ମନକୁ ଶାନ୍ତ କରିଥାଏ । ଦୁନିଆକୁ ଆମର ଏହି ପ୍ରାଚୀନ କଳା ଓ ଏହାର ସୁଫଳ ସମ୍ପର୍କରେ ଅବଗତ କରାଇବା ପାଇଁ ଆମ ଦେଶର ନେତୃତ୍ୱରେ ପୁରା ବିଶ୍ୱ ପାଳନ କରୁଛି ଯୋଗ ଦିବସ । ଏଥର ଯୋଗ ଦିବସର ଥିମ ରହିଛି "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" । ଦେଶର ବିଭିନ୍ନ ସ୍ଥାନରେ ଏନେଇ ଆୟୋଜନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ନେତାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଯୋଗ କରୁଛନ୍ତି । ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ। ୨୦୧୫ରୁ ଆଜିର ଦିନରେ ଏହା ପାଳିତ ହୋଇ ଆସୁଛି। ଆଜି ପାଳିତ ହେଉଛି ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ।
ଜାତିସଂଘରେ ସେପ୍ଟେମ୍ବର ୨୦୧୪ରେ ଯୋଗ ଦିବସ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବର ୨୦୧୪ରେ ଜୁନ ୨୧ରେ ଯୋଗ ଦିବସ ପାଳନ ଲାଗି ଜାତିସଂଘ ନିଷ୍ପତ୍ତି ନେଇଥିଲା। ସେତେବେଳେ ଜାତିସଂଘର ନିଷ୍ପତ୍ତିକୁ ୧୭୭ ଦେଶ ସମର୍ଥନ ଜଣାଇଥିଲେ । ଅନ୍ୟପଟେ ଜୁନ୍ ୨୧ ଦିନଟିର ରହିଛି ଏକ ବିଶେଷ ମହତ୍ତ୍ୱ । କାରଣ ଏହା ହେଉଛି ବିଶ୍ୱର ସବୁଠାରୁ ଲମ୍ବା ଦିନ । ଜ୍ୟେତିଷ ବିଜ୍ଞାନ ଅନୁସାରେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତି ପାଇଁ ଏହା ହେଉଛି ଉଚିତ ସମୟ ଓ ଦିନ । ଶରୀର ଓ ମନ ଉପରେ ଯୋଗର ପ୍ରବଳ ପ୍ରଭାବ ରହିଛି । ମନ, ମସ୍ତିଷ୍କ ଓ ଆତ୍ମା ଉଚିତ ସନ୍ତୁଳନ ରକ୍ଷା କରିଥାଏ । ଯୋଗ ଏକ ଭିନ୍ନ ଓ ସ୍ୱତନ୍ତ୍ର ବିଜ୍ଞାନ, ଯାହା କେଉଁ ଆଦିମ କାଳରୁ ମୁନି ଋଷି ମାନେ ସାଧନ କରିଆସୁଛନ୍ତି । ଯୋଗର ୫୦୦୦ ବର୍ଷ ପୁରୁଣା ଇତିହାସ ରହିଛି । ଯୋଗ ଶରୀରରୁ ରୋଗ ମୁକ୍ତ କରିବା ସହ ମନକୁ ଶାନ୍ତ ରଖେ ଓ ଏକାଗ୍ରତା ବୃଦ୍ଧି କରିଥାଏ । ତେବେ ନିୟମିତ ଯୋଗ ଦ୍ୱାରା ହିଁ ଜଣେ ମନୁଷ୍ୟ ଏକ ସୁସ୍ଥ ଶରୀର ଅଧିକାରୀ ହୋଇପାରିବ l