ଦ କୁଇଭର ବ୍ୟୁରୋ :- ଋଷକୁ ସାରା ବିଶ୍ୱରେ ଏକଘରିଆ କରିବା ପାଇଁ ଆମେରିକା ଜୋର ସୋରରେ ଲାଗିଛି । ଋଷ ସହ ନିଜେ ବେପାର କରୁଛି, ହେଲେ ଅନ୍ୟ କାହାକୁ କରିବାକୁ ଦେବାକୁ ଚାହୁଁନାହିଁ । ଋଷ ଠାରୁ ଆମେରିକା ଯୁରାନିୟମ କିଣୁଛି । ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଲେଣି, ଋଷ ସହ ଯେଉଁ ମାନେ ତୈଳ ବେପାର କରିବେ ବା ବ୍ୟବସାୟ କରିବେ ସେହି ଦେଶ ଉପରେ ଆମେରିକା ୧୦୦ ପ୍ରତିଶତ ଟିକସ ଲଗାଇବ । ଏମିତି କିଛି ଚେତାବନୀ ଦେଇ ବିଶ୍ୱ ବାଣିଜ୍ୟ ବଜାରକୁ ଅସନ୍ତୁଳିତ ଆଡକୁ ଠେଲି ଦେଉଛନ୍ତି ଟ୍ରମ୍ପ । ଏହାକୁ ନେଇ ବିଭିନ୍ନ ଦେଶ ପ୍ରତିକ୍ରିୟା ବି ପ୍ରକାଶ କଲେଣି ।
ବିଶ୍ୱ ବାଣିଜ୍ୟ ବଜାରର ସନ୍ତୁଳନକୁ ବିଗାଡୁଛି ଆମେରିକା । ବିଶେଷ କରି ଟ୍ରମ୍ପ ଦ୍ଵିତୀୟ ଥର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ବିଶ୍ୱବାଣିଜ୍ୟ ବଜାରକୁ ଆମେରିକା ହାତମୁଠାରେ ରଖିବାକୁ ଯୋଜନା ଚଳାଇଛନ୍ତି । ବିଶ୍ୱରେ ଅନ୍ୟତମ ବୃହତ ଶକ୍ତି ଋଷ, ଚୀନ ଓ ଭାରତ ଏଥିରେ ସହମତ ହେଉନାହାନ୍ତି । ସେଥିପାଇଁ ଟ୍ରମ୍ପ କଟକଣା ଆଉ ଧମକ ବି ଜାରି କରୁଛନ୍ତି । ଭାରତ ମୁହଁ ତୋଡ ଜବାବ ଦେବାକୁ ପ୍ରସ୍ତୁତ ହୋଇଗଲାଣି । ଋଷ, ଚୀନ, ଇରାନ ଭଳି ଦେଶ ଆଉ କେଇ ପାଦ ଆଗେଇଗଲେଣି ।
ଋଷକୁ ଡରେଇବା ପାଇଁ ଆମେରିକା ପରମାଣୁ ଓ ଜଳ ଜାହାଜ ଆଣି ସୀମାରେ ରଖିଲାଣି । ସେପଟେ ଋଷ ସହ ବେପାର କରୁଥିବା ଅନ୍ୟ ଦେଶ ଗୁଡ଼ିକୁ ମଧ୍ୟ ଚେତାବନୀ ଦେଲାଣି । ତାର ସମର୍ଥକ ଦେଶ ଗୁଡ଼ିକୁ ପ୍ରସ୍ତୁତ କଲାଣି । ଏହାର ଜବାବ ଦେବାକୁ ଯାଇ ଋଷ ଓ ଚୀନ ମିଳିତ ଭାବେ ଜଳ ସେନାକୁ ପ୍ରସ୍ତୁତ କଲେଣି । ଖାଲି ଜଳ ସେନାକୁ ପ୍ରସ୍ତୁତ କରିନାହାନ୍ତି । ଏବେ ସାମରିକ ପ୍ରସ୍ତୁତି ମଧ୍ୟ କଲେଣି । ଭାରତ ଫିଲିଫାଇନ୍ସ ସହ ମିଶି ସମୁଦ୍ରରେ ତାର ପଇଁତରାକୁ ଅଧିକ କରୁଛି ।
ଋଷର ସାଥ ଦେଉଛି ଭାରତ । କୌଣସି ବି ସ୍ଥିତିରେ ଭାରତ ତାର ଆନ୍ତର୍ଜାତୀୟ ବାଣିଜ୍ୟ ନୀତିକୁ ବଦଳାଇବ ନାହିଁ । ଦେଶର ସ୍ୱାର୍ଥ ପାଇଁ ଏହା କରିବ । ଏଥିପାଇଁ ଅନେକ କିଛି ପଦକ୍ଷେପ ନେବାକୁ ଯାଉଛି ଭାରତ । ଆମେରିକାର ଏଭଳି ଅସନ୍ତୁଳିତ କାର୍ଯ୍ୟ ପାଇଁ ସାରା ବିଶ୍ୱରେ ପ୍ରତିକ୍ରିୟା ବଢ଼ିଲାଣି । ପ୍ରମୁଖ ଶକ୍ତିଶାଳୀ ଦେଶ ଗୁଡ଼ିକ ଆମେରିକା ବିରୁଦ୍ଧରେ ଛିଡ଼ା ହେବାକୁ ଲାଗିଲେଣି । ଦେଖାଯାଉ ଏହି ବାଣିଜ୍ୟ ଯୁଦ୍ଧ ଆଗକୁ କି ରୂପ ନେଉଛି ?