ଦ କୁଇଭର ବ୍ୟୁରୋ :- ଦୁର୍ଗାପୁରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଛାତ୍ରୀଙ୍କ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି(ସୋମବାର) ବିଳମ୍ବିତ ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦୁର୍ଗାପୁରର ପୀଡିତା ଓଡ଼ିଆ ଝିଅଙ୍କ ସହିତ କଥା ହୋଇଛନ୍ତି । ପୀଡ଼ିତାଙ୍କ ସୁସ୍ଥତା କାମନା କରିବା ସହିତ ତାଙ୍କ ଶିକ୍ଷାର ସୁବନ୍ଦୋବସ୍ତ ଏବଂ ଦୋଷୀକୁ ତୁରନ୍ତ ଦଣ୍ଡ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଟେଲିଫୋନ ଯୋଗେ ପୀଡିତାଙ୍କ ମା' ଏବଂ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ଦୁର୍ଗାପୁରରେ ଗଣଦୁଷ୍କର୍ମର ପୀଡିତା ଓଡ଼ିଆ ଝିଅଙ୍କ ସହିତ କଥା ହୋଇଛନ୍ତି । ପ୍ରାୟ ୧୦ ମିନିଟ ଧରି ମୁଖ୍ୟମନ୍ତ୍ରୀ ପୀଡିତା ଡାକ୍ତର ଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ପୀଡିତା ଓଡ଼ିଆ ଝିଅଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି । ଧୀରେ ଧୀରେ ସ୍ୱାସ୍ଥ୍ୟର ଉନ୍ନତି ହେଉଥିବା ପୀଡିତା ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ଧର୍ଯ୍ୟ ଧରିବା ଲାଗି ମୁଖ୍ୟମନ୍ତ୍ରୀ ପୀଡିତାଙ୍କୁ ପରାମର୍ଶ ଦେଇଛନ୍ତି । ଅସୀମ ସାହାସର ସହ ପୁଣି ଥରେ ସାମ୍ନାକୁ ଆସିବାକୁ କହି ପୀଡିତାଙ୍କର ମନୋବଳ ବଢ଼ାଇଛନ୍ତି । ଓଡ଼ିଶା ସରକାର ସମସ୍ତ ବ୍ୟବସ୍ଥା କରିବେ ବୋଲି ମୁଖ୍ୟମନ୍ତ୍ରୀ ପୀଡିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ଯମନ୍ତ୍ରୀ ପୀଡିତାଙ୍କ ସହ କଥା ହୋଇ ତାଙ୍କ ମନୋବଳ ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ବଢି ପାଠ ପଢିବାକୁ ପଡିବ । ସେଥିପାଇଁ ଓଡିଶା ସରକାର ବିକଳ୍ପ ବ୍ୟବସ୍ଥା କରିବେ । ସୁରକ୍ଷିତ ଭାବେ କିଭଳି ଆଗକୁ ପୀଡିତା ପାଠ ପଢିବେ ସରକାର ବିଚାର ବିମର୍ଷ କରୁଛନ୍ତି । ଯଦି ସୁବିଧା ହେବ ତେବେ ପୀଡିତାଙ୍କର ଭୁବନେଶ୍ୱରରେ ପାଠ ପଢିବା ଲାଗି ସରକାର ପଦକ୍ଷେପ ନେବେ ।ସେହିପରି ମୁଖ୍ୟମନ୍ତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଝିଅର ମା'ଙ୍କ ସହିତ କଥା ହୋଇଛନ୍ତି । ମା' ମଧ୍ୟ ଝିଅର ପାଠ ପଢିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିନ୍ତା ପ୍ରକଟ କରିଛନ୍ତି । ଯେହେତୁ ପୀଡିତା ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି, ତେଣୁ ସେ ବାବଦରେ ଅଧିକାରୀଙ୍କ ସହିତ ଆଲୋଚନା ଚାଲିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।