Join Us To Make A Difference

The Drops💧

ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି

ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି
Published by:Jyotshna Kumari
#politics

ଦ କୁଇଭର ବ୍ୟୁରୋ :-: ନୂଆପଡ଼ା ଉପନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ l ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଅଙ୍କକଷା l କିଏ ମାରିବ ବାଜି । ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁ ପରେ ଏବେ ଏହି ଆସନଟି ଖାଲି ପଡିଛି l ନିୟମ ଅନୁସାରେ 6 ମାସ ମଧ୍ୟରେ ଉପନିର୍ବାଚନ ହେବ l ଏଥିପାଇଁ ପ୍ରମୁଖ ତିନି ରାଜନୈତିକ ଦଳରେ ଏବେ ଚାଲିଛି ମାନସମନ୍ଥନ l ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି ତିନି ଦଳ । ବିଜେପି ଏବଂ କଂଗ୍ରେସ ଏଠାରେ ରାଜନୈତିକ ଗୋଟି ଚାଳନା ଆରମ୍ଭ କରି ଦେଇଥିବାବେଳେ ବିଜେଡିର ରଣନୀତି ସ୍ପଷ୍ଟ ହୋଇନାହିଁ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିବାବେଳେ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଆଜିଠୁ ୪ ଦିନିଆ ନୂଆପଡା ଗସ୍ତରେ ଯାଉଛନ୍ତି । ଏହି ଉପନିର୍ବାଚନ ସରକାରରେ ଥିବା ବିଜେପି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ଅନ୍ୟପକ୍ଷେ ବିରୋଧୀ ବିଜେଡି ଏବଂ କଂଗ୍ରେସ ପାଇଁ ବି ଏହା ସମ୍ମାନର ପ୍ରଶ୍ନ ହେବ l କାରଣ ଏହି ଆସନ ଗତ 15 ବର୍ଷ ହେବ ବିଜେଡି ନିଜ ଅଧିନରେ ରଖିଥିଲା l ଏବେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଚାଲିଛି l ସେହିପରି ବିଜେପି 2024 ନିର୍ବାଚନରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅକୁ ପ୍ରାର୍ଥୀ କରିଥିଲା l ହେଲେ ସେ ହାରି ଯାଇଥିଲେ l ଏବେ ବିଜେପି କାହାକୁ ସେଠାରେ ପ୍ରାର୍ଥୀ କରିବ ତାକୁ ନେଇ ଦ୍ୱନ୍ଦରେ l କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମ ନିର୍ବାଚନ ମାହୋଲକୁ ସରଗରମ କରିଛି ।


ଉପ ନିର୍ବାଚନରେ ଏହି ଆସନ ହାତେଇବାକୁ ଅଣ୍ଟା ଭିଡିଛି କଂଗ୍ରେସ । କାରଣ ପୂର୍ବରୁ ନୂଆପଡ଼ା କଂଗ୍ରେସ ହାତରେ ଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ବିଜେପି, ବିଜେଡି ହାତକୁ ଏହା ଚାଲି ଯାଇଥିଲା । ତେଣୁ ପୁଣି ଏହି ଆସନକୁ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ୨୪ ନିର୍ବାଚନ ପରେ କଂଗ୍ରେସ ସମୀକରଣ ମଧ୍ୟ ବଦଳିଛି। ଶରତ ପଟ୍ଟନାୟକଙ୍କ ସ୍ଥାନରେ ଏବେ ଭକ୍ତ ଦାସ ରାଜ୍ୟ କଂଗ୍ରେସ ସଭାପତି। ଗତ ନିର୍ବାଚନରେ ଶରତ ପଟ୍ଟନାୟକ ନିଜେ ପ୍ରାର୍ଥୀ ହୋଇଥିବା ବେଳେ ଚତୁର୍ଥ ସ୍ଥାନରେ ରହିଥିଲେ l ହେଲେ ଘାସିରାମ ମାଝି ଟିକେଟ ନ ପାଇ ଏହି ଆସନରୁ ସ୍ୱାଧୀନ ଭାବେ ଲଢି 50 ହଜାରରୁ ଅଧିକ ଭୋଟ ପାଇ ଦ୍ୱୀତିୟ ସ୍ଥାନରେ ରହିଥିଲେ l ତେଣୁ ଦଳ ଏବେ ଘାସିରାମଙ୍କୁ ପ୍ରାର୍ଥୀ କରି ଏହି ଆସନ ହାତେଇବା ଲକ୍ଷ୍ୟ ରଖିଛି ।


ସେପଟେ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଆଜି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୋଟେ ପଟେ ମନମୋହନ ସାମଲ ଦିଲ୍ଲୀରେ ନୂଆପଡ଼ା ଉପନିର୍ବାଚନ ନେଇ ଅଙ୍କ କଷୁଥିବା ବେଳେ ମୋହନଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ନୂଆପଡ଼ା ଉପନିର୍ବାଚନ ରାଜନୀତିକୁ ସରଗରମ କରିଛି।ଏନେଇ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ,ବିଜେପି ତାର ସାଙ୍ଗଠନିକ କାର୍ଯ୍ୟକଳାପ ୩୬୫ ଦିନ ଜାରି ରଖିଥାଏ। ଉପ ନିର୍ବାଚନକୁ ନେଇ ବିଜେପି ପ୍ରସ୍ତୁତ । ତେବେ ଉପନିର୍ବାଚନକୁ ନେଇ ତାରିଖ ଘୋଷଣା ହେଲେ ରାଜ୍ୟର ନିର୍ବାଚନ କମିଟି ବସିବ। ରାଜ୍ୟର ନିର୍ବାଚନ କମିଟି କେନ୍ଦ୍ରୀୟ ନିର୍ବାଚନ କମିଟିକୁ ତାର ରେକମେଣ୍ଡେସନ ଦେବ। କେନ୍ଦ୍ରୀୟ ପାର୍ଲିଆମେଣ୍ଟ ବୋର୍ଡର ଯେତେବେଳେ ମୋହର ବାଜିବ ସେତେବେଳେ କିଏ ପ୍ରାର୍ଥୀ ହେବ ସ୍ପଷ୍ଟ ହେବ। ଉପ ନିର୍ବାଚନ ଯେବେ ବି ହେଉ ନୂଆପଡ଼ାବାସୀଙ୍କ ଆଶୀର୍ବାଦ ନେଇ ବିଜେପି ବାଜି ମାରିବ ବୋଲି କହିଛନ୍ତି ବିରଞ୍ଚି ନାରାୟଣ ତ୍ରିପାଠୀ ।

Comments

Leave a Comment

Comments

No comments yet.

Politics

ନୂଆପଡା ଉପନିର୍ବାଚନ; କିଏ ଜିତିବ ବାଜି

Blog Thumbnail

ଦ କୁଇଭର ବ୍ୟୁରୋ :- ବାଜିସାରିଛି ନୂଆପଡା ଉପନିର୍ବାଚନ ବିଗୁଲ । ଜନତାଙ୍କ ଆସ୍ଥାଭାଜନ ହେବାକୁ ପାଗଭିଡା ଆରମ୍ଭ କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ନୂଆପଡା ଆସନ ଜିତିବା ହେବ ଅଗ୍ନିପରୀକ୍ଷା ସଦୃଶ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସଙ୍କ ମଧ୍ୟରେ ହେବ ତ୍ରିକୋଣୀୟ ମୁକାବିଲା । ବିଜେପି ସରକାରରେ ଏହା ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ଏହାର ଫଳାଫଳ ଶାସକ ବିଜେପିର ଗ୍ରହଣୀୟତାର ଉତ୍ତର ଦେବ । ସେହିପରି ବିରୋଧୀ ନବୀନଙ୍କ ଲୋକପ୍ରିୟତା ଓ ଭକ୍ତ ଦାସଙ୍କ ଗ୍ରହଣୀୟତାର ପ୍ରମାଣ ସାଜିବ ନୂଆପଡା ଦଙ୍ଗଲ । ଯାହା 3 ପ୍ରମୁଖ ଦଳ ପାଇଁ ବର୍ତ୍ତମାନର ସବୁଠୁ ବଡ଼ ଆହ୍ୱାନ ।ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ରାଜ୍ୟ ରାଜନୀତିର ପାରଦ ଏବେ ଉପରମୁଁହା । ତିନି ପ୍ରମୁଖ ରାଜନୈତିକ ଦଳର ନେତୃତ୍ୱ ଏବେ ଭୋଟରଙ୍କ ମୁଡକୁ ସାମ୍ନା କରିବେ । ନୂଆପଡା ଉପନିର୍ବାଚନ ପ୍ରମୁଖ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ଏହାର ଫଳାଫଳ ଦଳର ଲୋକପ୍ରିୟତା ଏବଂ ପରବର୍ତ୍ତୀ ନିର୍ବାଚନ ସମୟରେ ଏହା ଭୋଟରଙ୍କୁ ଅଧିକ ଆକର୍ଷିତ କରିପାରିବ ବୋଲି ତିନି ରାଜନୈତିକ ଦଳ ମତ ରଖିଛନ୍ତି । ବିଶେଷକରି ଲୋକପ୍ରିୟତା ଆଧାରରେ ବିଜେଡି ଏଠି ଭୋଟ ହାତେଇ ଜିତିବାକୁ ଆଗ୍ରହ ରଖିଥିବା ବେଳେ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢି ଲୋକଙ୍କୁ ଅନେକ ଭେଟି ଦେଇଛି ଯାହା ନୂଆପଡା ଭୋଟରଙ୍କୁ ଆକର୍ଷିତ କରିବ ବୋଲି କୁହାଯାଇପାରେ । ଏସବୁ ଭିତରେ କଂଗ୍ରେସ ମଧ୍ୟ ନିଜର ଅସ୍ତିତ୍ବ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଏହି ଅଂଚଳରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଦବଦବା ଥିବା ଯୋଗୁ କଂଗ୍ରେସ ଲୋକଙ୍କ ଆସ୍ଥା ଜିତିବ ବୋଲି କୁହାଯାଉଛି । ସେପଟେ ଏହି ଉପନିର୍ବାଚନ ତିନି ରାଜନୈତିକ ଦଳ ପାଇଁ ଶକ୍ତି ପରୀକ୍ଷାର ସମୟ ଆସିଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ତେବେ ନୂଆପଡା ବ୍ୟାଟେଲ ଉପରେ ରହିଛି ସାରା ରାଜ୍ୟବାସୀଙ୍କ ନଜର ।


ବିଜେପି, ବିଜେଡି ଏବଂ କଂଗ୍ରେସ ଭିତରେ ନୂଆପଡା ଉପନିର୍ବାଚନକୁ ନେଇ ତତ୍ପରତା ପ୍ରକାଶ ପାଇଛି । ସୋମବାର ଏନେଇ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ପରେ ରାଜନୀତି ସରଗରମ ହେବାରେ ଲାଗିଛି । ତେବେ ଆଗକୁ କେଉଁ ଦୃଷ୍ଟିରୁ କେଉଁ ଦଳର ଗୁରୁତ୍ୱ ବଢିବ ଏବଂ ଜନମତ କାହା ସପକ୍ଷରେ ଯିବ ସେନେଇ ରାଜନୈତିକ ଦଳମାନଙ୍କ ଭିତରେ କଥା କଟାକଟି ଏବଂ ବିତର୍କ ଆରମ୍ଭ ହୋଇଯାଇଛି । ଦୀର୍ଘ 24 ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଦଳର ଗତଥର ନୂଆପଡା ବିଜୟୀ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଲୋକଙ୍କ ଆଶୀର୍ବାଦ ପାଇ କ୍ରମଗତ ଭାବେ ଦୁଇ ଥର (2019, 2024) ଜିତିଥିଲେ । ଯେତେବେଳେ ରାଜ୍ୟର ଏକାଧିକ ନିର୍ବାଚନ ମଣ୍ଡଳୀରେ ବିଜେଡି ଅଳ୍ପକେ ବର୍ତିଥିଲା କିନ୍ତୁ ନିଜ ସ୍ଥାନ ସୁରକ୍ଷିତ ରଖିଥିଲେ ଢୋଲକିଆ । ତେବେ ଢୋଲକିଆଙ୍କ ମୃତ୍ୟୁ ପରେ ଏବେ କଂଗ୍ରେସର ଆଖି ଏହି ସିଟ ଉପରେ । କାରଣ ଉପନିର୍ବାଚନରେ ଫଳାଫଳ କମାଲ ହେବ ବୋଲି କହିଛି କଂଗ୍ରେସ ଦଳ । ସେପଟେ ଗତ ନିର୍ବାଚନରେ ଏଠାରେ 3ୟ ସ୍ଥାନରେ ଥିବା ବିଜେପି ଲୋକପ୍ରିୟ ସରକାର ଅଧାରରେ ଏହି ନିର୍ବାଚନ ବୈତରଣୀ ପାର ପାଇଁ ଲକ୍ଷ୍ୟ ରଖିଛି ।

Politics

ବିଜେପିରେ ଯୋଗଦାନ କଲେ ଜୟ ଢୋଲକିଆ

Blog Thumbnail

ଦ କୁଇଭର ବ୍ୟୁରୋ :- ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ଉଷ୍ଣତା ବୃଦ୍ଧି ପାଇଛି। ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଭାପତି ମନମୋହନ ସାମଲ ଏବଂ ଅନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ବି‌ଜେପି ଦଳରେ ମତେ ସାମିଲ କରିଥିବାରୁ, ସମସ୍ତ ନେତୃମଣ୍ଡଳୀଙ୍କୁ ଜୟ ଧନ୍ୟବାଦ ଜଣାଇଛନ୍ତି। ବିକାଶ ଧାରା ଏକ ନିରନ୍ତର ପ୍ରକ୍ରିୟା। ନୂଆପଡା ଭଳି ଏକ ଉପାନ୍ତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମୋର ସ୍ବର୍ଗତ ପିତାଙ୍କ ଯେଉଁସବୁ ସ୍ବପ୍ନ ରହିଥିଲା ତାକୁ ପୂରଣ କରିବା ପାଇଁ ମୋର ବିଜେପିରେ ଯୋଗଦାନ।ମୋ ସ୍ବର୍ଗୀୟ ପିତାଙ୍କ ପରି ସମାଜସେବା କରିବା ମୋର ଦୃଢ ସଂକଳ୍ପ, ଦଳ ମତେ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ ନିଷ୍ଠାର ସହ ତୁଲାଇବି ବୋଲି ଜୟ ଢୋଲକିଆ କହିଛନ୍ତି ।

State

ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ୱାଇଁଙ୍କୁ ପୁଣି ବଦଳି, ଗୃହ ବିଭାଗ ପକ୍ଷରୁ ତାଲିକା ପ୍ରକାଶ

Blog Thumbnail

ଦ କୁଇଭର ବ୍ୟୁରୋ :- ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ୱାଇଁଙ୍କୁ ପୁଣି ବଦଳି । ଗଞ୍ଜାମ ଅତିରିକ୍ତ ଏସପି ଭାବେ ବଦଳି କଲା ଗୃହ ବିଭାଗ । ଗତ ୮ ତାରିଖରେ ଗୃହ ବିଭାଗ ପକ୍ଷରୁ ଅତିରିକ୍ତ ଏସପିମାନଙ୍କର ଏକ ବଦଳି ତାଲିକା ପ୍ରକାଶ ପାଇଥିଲା । ଏଥିରେ ୧୯ ଜଣ ଅତିରିକ୍ତ ଏସପିଙ୍କର ବଦଳି ହୋଇଥିଲା । ଯେଉଁଥିରେ ସୀମା ସ୍ୱାଇଁଙ୍କୁ ତାଳଚେର ଏନସିଆର ଆଇଜି ଅଫିସକୁ ବଦଳି କରାଯାଇଥିଲା । ଗତକାଲି ପ୍ରକାଶିତ ବିଜ୍ଞପ୍ତିରେ ତାଙ୍କୁ ଗଞ୍ଜାମ ଅତିରିକ୍ତ ଏସପି ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ ଅତିରିକ୍ତ ଏସପି ଥିବା ରଞ୍ଜିତ କୁମାର ପୃଷ୍ଟିଙ୍କୁ କଟକ ଭୁବନେଶ୍ୱର କମିଶନରେଟ ପୋଲିସର ଅତିରିକ୍ତ ଡିସିପି ଭାବେ ଅବସ୍ଥାପିତ କରାଯାଇଛି ।

Crime

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହ ଜଣକ ମୃତ୍ୟୁ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ସହର ଉପକଣ୍ଠ ଲାଠି ଠାରେ ଥିବା କର୍ତ୍ୟବ୍ୟ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହ ଜଣକ ମୃତ୍ୟୁ । ମୃତକ ଜଣକ ହେଲେ ନିମଖଣ୍ଡି ଥାନା ଅଞ୍ଚଳର ଅଶୋକ କୁମାର ପାଣିଗ୍ରାହୀ । ଅଶୋକକୁ ନିଶା ନିବାରଣ କେନ୍ଦ୍ରର ସଦସ୍ୟମାନେ ପିଟି ହତ୍ୟା କରିଥିବା ପତ୍ନୀ ଅଭିଯୋଗ କରିଛନ୍ତି lସେପଟେ ନିଶା ନିବାରଣ କେନ୍ଦ୍ର ଛାତରୁ ଡେଇଁ ମୃତ୍ୟୁ ହୋଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି l ଛାତରୁ ଡେଇଁ ଥିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ସି ସି ଟିଭି ଭିଡିଓ ପରିବାର ଲୋକଙ୍କୁ ଦିଆଯାଇଛି l ଏନେଇ ସଦର ଥାନା ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶବ ବ୍ୟବଛେଦ କରାଯାଇଛି l ସେପଟେ ମୃତ ଅଶୋକ କିଛି ଦିନ ପୂର୍ବରୁ ପାରିବାରିକ କଳହ ରୁ ନିଜ ବେକ କୁ କାଟି ଗୁରୁତର ହୋଇଥିଲେ l

State

ଦିଲ୍ଲୀରୁ ଫେରିଲେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ :- ଦିଲ୍ଲୀରୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବ୍ୟକ୍ତିଗତ କାର୍ଯ୍ୟରେ ସେ ଗତ କିଛିଦିନ ଧରି ଦିଲ୍ଲୀରେ ରହିଥିଲେ । ନୂଆପଡ଼ା ଉପନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଜୋରଦାର ହୋଇଥିବାବେଳେ ଦଳର ଜନସମ୍ପର୍କ ପଦଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ନବୀନ ଦିଲ୍ଲୀରେ ଫେରିବା ପରେ ଏବେ ନୂଆପଡ଼ା ଉପନିର୍ବାଚନ ଓ ପଦଯାତ୍ରା କାର୍ଯ୍ୟକ୍ରମ ଆଗକୁ ସରଗରମ ହେବ l ପ୍ରାୟ ଦେଢ ମାସ ତଳେ ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭିକାଲ ଆର୍ଥ୍ରାଇଟିସ୍ ଅପରେସନରୁ ସୁସ୍ଥ ହୋଇ ନବୀନ ନିବାସ ଫେରିଥିଲେ । କିଛି ଦିନ ଦଳୀୟ ନେତା ଓ କର୍ମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ସେ କିଛି ଦିନ ପାଇଁ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ନିଜ ବନ୍ଧୁଙ୍କୁ ଭେଟିବା ସହ ପରିବାର ସହ ରହିଥିଲେ । ଦିଲ୍ଲୀରେ ଥିବା ସମୟରେ ସେ ବିକାନେର ହାଉସରେ ଆୟୋଜିତ ୱାଇଲ୍ଡ ଲାଇଫ ଚାରିଟି ଏକଜିବିସନ ବୁଲି ଦେଖିଥିଲେ । ଦିଲ୍ଲୀରୁ ସେ ରାଜ୍ୟବାସୀଙ୍କୁ ଦଶହରାର ଶୁଭେଚ୍ଛା ଦେବା ସହ ରାଜ୍ୟର ବିଭିନ୍ନ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ମଧ୍ୟ ମତ ରଖୁଥିଲେ ।

National,Crime

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ଗିରଫ

Blog Thumbnail

ଦ କୁଇଭର ବ୍ୟୁରୋ :- ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଶା ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ 4 ଅଭିଯୁକ୍ତ ଗିରଫ । ପଶ୍ଚିମ ବର୍ଦ୍ଧମାନ ପୋଲିସ ଏନେଇ ସୂଚନା ଦେଇଛି । 4 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣକୁ ଅଟକ ରଖାଯାଇଛି । ଅନ୍ୟପଟେ ଗଣଦୁଷ୍କର୍ମର ଶିକାର ହୋଇଥିବା ହୋଇଥିବା ପୀଡିତାଙ୍କ ବାପାଙ୍କ ସହିତ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫୋନ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।ଓଡ଼ିଶା ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣାରେ 4 ଅଭିଯୁକ୍ତ ଗିରଫ । ଏନେଇ ସୂଚନା ଦେଇଛି ପଶ୍ଚିମ ବର୍ଦ୍ଧମାନ ପୋଲିସ । ପୋଲିସ କହିଛି, ‘ଏହି ଘଟଣାରେ ଆମେ 4 ଜଣଙ୍କୁ ଗିରଫ କରିଛୁ ଆଉ ଜଣଙ୍କୁ ଅଟକ ରଖିଛୁ । ସେମାନଙ୍କୁ ପଚରାଉଚରା କରାଯିବ । ଏହାଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏ ସମ୍ପର୍କରେ ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ।ଗତ ଶୁକ୍ରବାର ପଶ୍ଚିମବଙ୍ଗ ଦୁର୍ଗାପୁରରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ବାଲେଶ୍ବର ଅଞ୍ଚଳର ଝିଅ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ବିଳମ୍ବିତ ରାତିରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଝିଅଙ୍କ ବାପାଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି । ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସଂପୃକ୍ତ ପୀଡ଼ିତାଙ୍କ ବାପାଙ୍କୁ କହିଛନ୍ତି, ‘ଆପଣଙ୍କ ଝିଅ ବିଷୟରେ ଜାଣିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ' । ଜଣେ ବାପା ଭାବରେ ଆପଣ କେଉଁ ପ୍ରକାର ମାନସିକ ପରିସ୍ଥିତିରେ ଥିବେ, ମୁଁ ତାହା ଅନୁଭବ କରିପାରୁଛି । ଏ ଘଡିସନ୍ଧି ମୁହୂର୍ତ୍ତରେ ସେ ବ୍ୟକ୍ତିଗତ ଭାବେ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସହିତ ଦୃଢ଼ ଭାବରେ ଅଛୁ ।’