ଦ କୁଇଭର ବ୍ୟୁରୋ:- ନୂଆପଡ଼ା ଉପନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର ଧରୁଛି । ନିର୍ବାଚନ ୧୧ ତାରିଖରେ ହେବାକୁ ଥିବାବେଳେ ୧୦ ରେ ସାଇନ ଡାଏ ଘୋଷଣା ହେବ । ଏହା ପୂର୍ବରୁ ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବା ଲାଗି ଜୋରଦାର କସରତ କରିବାକୁ ପଡିବ । ହାତରେ ଆଉ ମାତ୍ର ୭ ଦିନ ଥିବାରୁ ଏଥର ଆଉ କେବଳ ତାରକା ପ୍ରଚାରକରେ କାମ ଚଳିବନାହିଁ । ମଇଦାନକୁ ଆସିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମାଳମାଳ ମନ୍ତ୍ରୀ । ସେହିପରି ବହୁ ହେଭିୱେଟ ସାଂସଦ, ବିଧାୟକ ଓ ବିଭିନ୍ନ ଦଳର ମୁଖପାତ୍ର ବି ସାମିଲ ହେବେ । ନିଜ ଦଳ ଓ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ବିରୋଧୀ ଦଳ ଓ ବିରୋଧୀ ପ୍ରାର୍ଥୀଙ୍କ ବାବଦରେ କରିବେ ଟୀକା ଟିପ୍ପଣୀ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଠାରୁ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନୂଆପଡ଼ାରେ ପ୍ରଚାର ଆରମ୍ଭ କରିଛନ୍ତି । କୋମନା ସଭାରେ ବିଜେଡି ଶାସନ ସମୟରେ ନୂଆପଡ଼ାର ବିକାଶ ଓ ବିଜେପି ସରକାରରେ ହୋଇଥିବା ବିନାଶ ବାବଦରେ ବଖାଣିଛନ୍ତି ନବୀନ । ସେହିପରି ନବୀନ ପୁନର୍ବାର ୭ ତାରିଖରେ ନୂଆପଡା ଯିବେ । ନୂଆପଡାରେ ଦୁଇଟି ରୋଡ ସୋ କରିବେ । ନବୀନଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଚାର ପାଇଁ ଗାଡି ପ୍ରସ୍ତୁତ ହୋଇଛି । ସେହିପରି ସେହିଦିନ ଅପରାହ୍ନରେ ଦଳୀୟ ନେତାଙ୍କ ସହ ନବୀନ ବୈଠକ କରିବେ । ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନବୀନଙ୍କ ଛଡା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଟୁକୁନୀ ସାହୁ, ଚିନ୍ମୟ ସାହୁ, ଇପ୍ସିତା ସାହୁ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି ।






