ପୁରୀ( ଦ କୁଇଭର ):- ରଥଯାତ୍ରାରେ ସୃଷ୍ଟି ହୋଇଥିବା ଦଳଚକଟା ଭଳି ସ୍ଥିତି ନେଇ ରାଜ୍ୟରେ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ସରକାର ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି। ସମୀକ୍ଷା ବୈଠକ ଜୋର ହେଉଛି କିନ୍ତୁ କାମ ହେଉନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସରକାରଙ୍କ ଠାକୁରଙ୍କ ପ୍ରତି ଭକ୍ତି ନାହିଁ, ଲୋକଙ୍କ ପ୍ରତି ଆନ୍ତରିକତା ନାହିଁ। ସରକାର ସୁରକ୍ଷା ଦେଇ ପାରିନାହାନ୍ତି ଫଳରେ ଲୋକେ ପୁରୀକୁ ଆସିବାକୁ ଡରୁଛନ୍ତି ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କଥାକୁ କେହି ମାନୁ ନାହାନ୍ତି, ମାନୁଥିଲେ ଏପରି ବିଭ୍ରାଟ ହୋଇନଥାନ୍ତା। କେବଳ ଏସପି କଲେକ୍ଟରଙ୍କ ବଦଳି ନ କରି ବଡ଼ ଅଫିସରଙ୍କ ଉପରେ କାହିଁକି ଆକ୍ସନ ନେଉନାହାନ୍ତି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି।ବଡ଼ ଠାକୁର ପଡ଼ିଯିବା ଘଟଣା, ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ନନ୍ଦିଘୋଷ ରଥ ଗଡିବାରେ ବିଳମ୍ବ କେବେ ଦେଖିବାକୁ ମିଳିନଥିଲା ବୋଲି ପ୍ରମିଳା କହିଛନ୍ତି।
ତେବେ ରଥଯାତ୍ରା ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାଉଣ୍ଟର କରିଛନ୍ତି। ଯେଉଁମାନେ ଅକର୍ମା ଲୋକ ବୋଲି ନିଜକୁ ପ୍ରମାଣିତ କରିସାରିଛନ୍ତି, ସେମାନେ ଅଧିକ କଥା କହୁଛନ୍ତି। ବିରୋଧୀ ଦଳ ନିଜ ଶାସନ ସମୟରେ ଅତୀତରେ କେମିତି ରଥଯାତ୍ରା ପରିଚାଳନା କରୁଥିଲେ ତାହା ଓଡ଼ିଶାବାସୀ ଜାଣିଛନ୍ତି । ତାଙ୍କ ସମୟରେ କ’ଣ ଘଟଣା ଘଟୁଥିଲା ସମସ୍ତେ ଦେଖିଛନ୍ତି। ଏ ବାବଦରେ ବେଶି କିଛି କହିବାର ନାହିଁ। ରଥଯାତ୍ରାକୁ ନେଇ କୌଣସି ରାଜନୈତିକ ସମାଲୋଚନା କିମ୍ବା ରାଜନୀତି ବାତାବରଣ ସୃଷ୍ଟି କରିବାକୁ ଆମେ ଚାହୁଁନାହୁଁ। ଯେଉଁ ମାନେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ରାଜନୀତି କରୁଛନ୍ତି, ସେମାନଙ୍କୁ ଭଗବାନ ଦଣ୍ଡିତ କରିବେ। ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ହେଉ। ଜଗନ୍ନାଥଙ୍କ ଆଶୀର୍ବାଦରେ ହିଁ ରଥଯାତ୍ରାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଭଲରେ ଭଲରେ ଶେଷ ହେବ। ଲୋକଙ୍କ ପାଇଁ ଯାହା ଆବଶ୍ୟକ ସବୁ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ମଧ୍ୟ ମୁଖ୍ୟମନ୍ତ୍ରୀ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେବାୟତ ମାନଙ୍କ ସହ ମଧ୍ୟ ଭେଟି ଆଲୋଚନା ହୋଇଛି। ତେଣୁ କୌଣସି ସମସ୍ୟା ହେବ ନାହିଁ ବୋଲି ବିଶ୍ୱାସ ଅଛି ବୋଲି ଆଇନ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।