Banner Ad

ଶରଧାବାଲି ଦଳାଚକଟାରେ ୩ଶ୍ରଦ୍ଧାଳୁଙ୍କ ମୃତ୍ୟୁ : ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଶରଧାବାଲି ଦଳାଚକଟାରେ ୩ଶ୍ରଦ୍ଧାଳୁଙ୍କ ମୃତ୍ୟୁ : ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
Published by : Jyotshna Kumari
#State
Jun 29, 2025, 5:03 PM

ପୁରୀ( ଦ କୁଇଭର ):- ପୁରୀର ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ବେଳେ ଆଜି ଭୋର୍‌ରୁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। ପରଲୋକଗତ ଭକ୍ତମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ। ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ। ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି। ସେହି ଉତ୍କଣ୍ଠା ଜନିତ ବ୍ୟଗ୍ରତା ଓ ଭିଡ଼ କାରଣରୁ ତିନି ଜଣ ଶ୍ରଦ୍ଧାଳୁଙ୍କ ପରଲୋକ ଘଟିଛି। ଏହା ସହିତ ପୁରୀ ଜିଲ୍ଲାପାଳ ସିର୍ଦ୍ଧାର୍ଥ ସ୍ବାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ମଧ୍ୟ ବଦଳି କରାଯାଇଛି। ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବାବେଳେ ନୂତନ ଏସ୍‌ ପି ଭାବେ ଶ୍ରୀ ପିନାକ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଛି। ସେହିପରି ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦିଆଯାଇଛି। ଏହା ସହିତ ଡିସିପି ବିଷ୍ଣୁ ପତି ଓ କମାଣ୍ଡାନ୍ଟ ଅଜୟ ପାଢ଼ୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି।


ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସୂଚନାଯୋଗ୍ୟ, ରବିବାର ପ୍ରତ୍ୟୁଷରେ ପୁରୀର ଶରଧାବାଲିରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା

Blog Thumbnail

ଗଞ୍ଜାମ( ଦ କୁଇଭର ):- ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା।ପୁଷା ମୁଣ୍ଡାଙ୍କ ସରକାରୀ ଗାଡ଼ିରୁ ନଗଦ ୩ ଲକ୍ଷ ଜବତ । ଛତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନିକଟରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଜବତ କଲା ଭିଜିଲାନ୍ସ । ପୁଷା ମୁଣ୍ଡାଙ୍କ ଠାରୁ ୩ଲକ୍ଷ ଟଙ୍କା ଜବତ କରି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ନଗଦ ୩ ଲକ୍ଷ ଟଙ୍କା ପୁଷା ମୁଣ୍ଡାଙ୍କ ଗାଡିରେ କାହିଁକି ରଖାଯାଇଥିଲା ନା ଟଙ୍କା ସେ କାହା ପାଖରୁ ନେଇଥିଲେ ତାହା ଅସ୍ପଷ୍ଟ ।

State

ନନ୍ଦନକାନନରେ ଜନ୍ମ ହେଲା ଭାରତୀୟ ଗୟଳ ଶାବକ

Blog Thumbnail

ଦ କୁଇଭର ବ୍ୟୁରୋ :- ପ୍ରାଣୀ ଉଦ୍ୟାନ ନନ୍ଦନ କାନନରେ ଜନ୍ମ ନେଲା ଏକ ଭାରତୀୟ ଗୟଳ ଶାବକ । ଗତକାଲି ସନ୍ଧ୍ୟାରେ ପ୍ରାଣୀ ଉଦ୍ୟାନର ୪୨ନଂ ଖୁଆଡରେ ରହୁଥିବା ମାଈ ଗୟଳ ଏହି ଶାବକ ଜନ୍ମ ଦେଇଛି । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ନନ୍ଦନକାନନରେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୭କୁ ବୃଦ୍ଧିପାଇଛି । ଶେଷଥର ପାଇଁ ୨୦୨୪ ମସିହା ଜୁନ ୫ରେ ଗୟଳ ଜନ୍ମ ନେଇଥିଲା । ତେବେ ଏକ ବର୍ଷପରେ ପୁଣି ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇଛି ।ବର୍ତ୍ତମାନ ୩ଟି ଅଣ୍ଡିରା, ୩ଟି ମାଇ ଏବଂ ଗୋଟିଏ ଶାବକଙ୍କୁ ମିଶାଇ ୭ଗୟଳ ଅଛନ୍ତି । ସର୍ବବୃହତ ବନ୍ୟଗାଈ ପ୍ରଜାତି ମଧ୍ୟରେ ଏହି ଗୟଳ ଅନ୍ୟତମ । ଏହାର ମାଂସପେଶୀ ଗଠନ, ଉତ୍ତଳକ ପାଳଧାର ଏବଂ ଗୋଡ଼ର ରଙ୍ଗ ପାଇଁ ଜଣାଶୁଣା । ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ସୂଚୀ ଅନୁଯାୟୀ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କ ଅଧୀନରେ ଏହି ପ୍ରଜାତି ଗୟଳଙ୍କର ବଂଶବୃଦ୍ଧି ପାଇଁ ପ୍ରଜନନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Shree Jagannath

ସବୁ ସମୀକ୍ଷା ପରେ ଢ଼ୋ

Blog Thumbnail

ପୁରୀ ( ଦ କୁଇଭର ):- ପ୍ରସ୍ତୁତି ତ ଜୋରଦାର ଥିଲା । ସବୁ ସମୀକ୍ଷା ବି ସରିଥିଲା । ହେଲେ ଠିକଣା ବେଳକୁ ସବୁ ଫେଲ ମାରୁଛି କାହିଁକି ? ଏତେ ବ୍ୟତିକ୍ରମ କାହିଁକି ? କାହିଁକି ଏତେ ଅବ୍ୟବସ୍ଥା ? ତଦାରଖ ତ ତଳ ଠୁ ତାଳୁ ପର୍ଯ୍ୟନ୍ତ ହୋଇଥିଲା । ମୁଖ୍ୟମନ୍ତ୍ରୀ ବି ସମୀକ୍ଷା କରିଥିଲେ । ସବୁ ଠିକ ଥିଲା । ରଥ ହେଉ କି ବାହୁଡ଼ା, ସୁନାବେଶ ହେଉ କି ଅଧର ନୀତି ସବୁଥିରେ ବ୍ୟତିକ୍ରମ ହେଲା କେମିତି ? କାହାର ଭୁଲ ? ପ୍ରଶାସନର ନା ସରକାରଙ୍କର ନା ସେବକଙ୍କର ନା ସମସ୍ତଙ୍କର ?


ରଥ ଦିନ ଠାକୁର ଅଡିଦେଲେ, ସେଥିରେ ବି ବୁଦ୍ଧି ପଶିଲାନି ପ୍ରଶାସନର । ଶରଧାବାଲି ରକ୍ତ ରଞ୍ଜିତ ହେଲା, ସୁନାବେଶ ଦିନ କି ଅବ୍ୟବସ୍ଥା । ଗାଡ଼ିରେ ଦୁଇ ଘଣ୍ଟା ଧରି ଲୋକ ପଡିରହିଲେ ପୁରୀ ଯିବା ପାଇଁ । ଫେରିଲା ବେଳକୁ ବି ସେମିତି ସ୍ଥିତି । ଟ୍ରାଫିକ ନିୟନ୍ତ୍ରଣ ତ ଲାଗୁ ଥୁଲା ଯେମିତି ଛୋଟ ପିଲାଟି ଟ୍ରାଫିକ ଦାୟିତ୍ୱ ସମ୍ଭାଳୁଛି । ଏତେ ଅବ୍ୟବସ୍ଥା । ଖାଲି ବାହାର ଟ୍ରାଫିକ ନୁହେଁ, ବଡ଼ ଦାଣ୍ଡକୁ ସଂଯୁକ୍ତ କରୁଥୁବା ରାସ୍ତା ଗୁଡ଼ିକରେ ବି ସମାନ ଅବସ୍ଥା । ସବୁଠି ଦଳାଚକଟା ସ୍ଥିତି । ସଂକୀର୍ଣ୍ଣ ରାସ୍ତାରେ ନା ଥିଲା ଆଲୁଅ, ନା ଥିଲା ପୋଲିସର ପହରା । ଲୋକ ମାନେ କି କଷ୍ଟରେ ଯିବା ଆସିବା କରୁଥିଲେ ସଂକୀର୍ଣ୍ଣ ରାସ୍ତା ଦେଇ ।


ଧନ୍ୟବାଦ ସେହି ସାହି ପିଲାମାନଙ୍କୁ ଯେଉଁମାନେ ଏହି କାମରେ ସହଯୋଗ କରିଥିଲେ । ଆଲୁଅ ଲଗାଇ ଲୋକମାନଙ୍କୁ ନିୟନ୍ତ୍ରଣ କରୁଥିଲେ । ପ୍ରଶାସନର ବ୍ୟବସ୍ଥା କେବଳ ଥିଲା VIP ମାନଙ୍କୁ ଆପ୍ୟାୟିତ କରିବା ପାଇଁ । ହୋଟେଲରେ ରହିବାଠାରୁ ଆରମ୍ଭ କରି, କେମିତି ନେଇ ସୁନାବେଶ ଦେଖାଇବେ ଭଲରେ, ସେ ବ୍ୟବସ୍ଥାରେ ଲାଗିଥିଲେ ପ୍ରଶାସନିକ ବାବୁ ମାନେ । ଏଭଳି ଅବସ୍ଥା ଦେଖି ଭକ୍ତ ମାନେ କହୁଥାନ୍ତି ଧନ୍ୟରେ ତୁମେ ସରକାର । ଭକ୍ତଙ୍କୁ ଦେଖ, ଯେତେ କଥା କହିଥିଲ କିଛି ତ କାମ କର ।


ଖାଲି ବଡ଼ ବଡ଼ ପେଟ କାଢି ରଙ୍ଗୀନ ପୋଷାକ ପିନ୍ଧି ମନ୍ତ୍ରୀ ମାନେ ବସି ମହାଜନ ଭଳି ସୁନାବେଶ ଦେଖିବାରେ ଲାଗିଥାନ୍ତି । ଭକ୍ତଙ୍କର ଏହି ଦୁରା ଅବସ୍ଥାକୁ କେହି ନଜର ଦେଇନଥାନ୍ତି । ନିଜ ଚାରିପଟେ ଆଲୁଅ ଜଳୁଥିଲା ବୋଲି ଭାବୁଥିଲେ ସହର ସାରା ସବୁଠି ଆଲୁଅ ଜଳୁଥିଲା କିନ୍ତୁ ସବୁ ଯେ ଅଧା ପନ୍ତରିଆରେ ଚାଲୁଥିଲା ତାହା କିଏ ଦେଖିଛି ? ସୁନାବେଶ ଗଲା ତା ସହିତ ଭକ୍ତଙ୍କ କଷ୍ଟ ବି ଗଲା । ସବୁ ଏବେ ଭଗବାନଙ୍କ ଉପରେ ଛାଡ଼ିଦେବେ ମନ୍ତ୍ରୀ ମହାଶୟ । ମହାପ୍ରଭୁଙ୍କ ଇଛା । ଯାହା ହେଉଛି ତାଙ୍କରି ଇଛାରେ ହେଉଛି । ମହାପ୍ରଭୁଙ୍କ ଇଛାରେ ସବୁ ଅପାରଗତାକୁ ଧୋଇଦେଇ ସୁନା ପିଲା ହେଇଯିବେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ । ଦେଖାଯାଉ ଏହି ଯେଉଁ ଅବ୍ୟବସ୍ଥାରୁ ମୋହନ ସରକାର କିଛି ଶିଖୁଛନ୍ତି ନା ଏହାକୁ ଠାକୁରଙ୍କ ଆଶୀର୍ବାଦ କହି ବିଶୃଙ୍ଖଳାକୁ ଆଉ ପାଦେ ବଢ଼ାଇବାକୁ ସୁଯୋଗ ଦେଉଛନ୍ତି ?



National,State

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

Blog Thumbnail

ଦ କୁଇଭର ବ୍ୟୁରୋ :- ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୪ ଓ ୧୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଟ୍ଵିନ ସିଟିରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ବୈଠକ ପଦକ୍ଷେପ ଚୂଡାନ୍ତ ହୋଇଛି ।ରାଷ୍ଟ୍ରପତିଙ୍କୁ ବିମାନ ବନ୍ଦର ନିକଟରୁ ପାଛୋଟି ଆଣିବା ଓ ପ୍ରତ୍ୟାବର୍ତ୍ତନ ସମୟରେ ମେଲାଣି ଦେବା ପାଇଁ ବ୍ୟବସ୍ଥା ହୋଇଛି । ରାଜ ଭବନରେ ତାଙ୍କର ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଉତ୍ସବ ସ୍ଥଳରେ ଅଗ୍ନିଶମ ସେବା ବ୍ୟବସ୍ଥା, ସଡ଼କ ପଥରେ ଯାତ୍ରା ସମୟରେ କାରକେଡ ପ୍ଲାନ ପ୍ରସ୍ତୁତ ହୋଇଛି । ସେହିପରି ଜରୁରୀ କାଳୀନ ଡାକ୍ତରୀ ଓ ସ୍ୱାସ୍ଥ୍ୟ ଯତ୍ନ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳକୁ ଯିବା ରାସ୍ତାର ଆବଶ୍ୟକ ମରାମତି ଓ ରକ୍ଷଣା ବେକ୍ଷଣ ହେବ । ରାସ୍ତାର ପରିସ୍କାର ପରିଚ୍ଛନ୍ନତା, ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ଯଥେଷ୍ଟ ସଂଖ୍ୟକ ଅତିରିକ୍ତ ଜେନେରେଟର ବ୍ୟବସ୍ଥା ରଖିବା ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି ।

State

ଦୁଇ ବାଇକ୍ ମୁହାମୁହିଁ : ଦୁର୍ଘଟଣାରେ ବାପା ପୁଅ ସମେତ ୩ ଜଣଙ୍କ ମୃତ୍ୟୁ

Blog Thumbnail

ଗଞ୍ଜାମ ( ଦ କୁଇଭର ):- ଗଂଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଠଣାଗାଁ ରାସ୍ତା ନିକଟ ତଥା ଜରଡ଼ା-ସାମନ୍ତରାପୁର ଗ୍ରାମ ମଧ୍ୟସ୍ଥଳୀ ଠାରେ ଗୋଟିଏ ବୁଲେଟ ଓ ଅନ୍ୟଟି ଯାଭା ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣକ ମୃତ୍ୟୁ ଘଟିଥିବା ଏକା ସମ୍ବେଦନଶୀଳ ଘଟଣା ଘଟିଛି। ମୃତକମାନେ ହେଲେ ଜରଡ଼ା ଥାନା ଅଧୀନ ସାମନ୍ତରାପୁର ଗ୍ରାମର ଦଉ ଗୌଡ(୫୫) ଓ ତାଙ୍କ ପୁଅ ସୁନିଲ ଗୌଡ (୨୫)। ସେହିଭଳି ଅନ୍ୟ ମୃତକ ଜଣକ ହେଲେ ବି. ଏନ ପୁର ଥାନା ଅଧୀନ ଗୁଇଲୁଣ୍ଡି ଅଂଚଳର ରାଜେଶ ପାଣିଗ୍ରାହୀ (୨୫)। ରାଜେଶ ଓ ତାଙ୍କ ସାଙ୍ଗମାନେ ବାର୍‌ହାପଥରକୁ ବଣଭୋଜି କରିବାକୁ ଯାଇଥିଲେ। ଫେରିବା ସମୟରେ ସେମାନେ ବିପରୀତ ଦିଗରୁ ଆସୁଥିବା ଗାଡ଼ି ସହିତ ଧକ୍କା ‌ହୋଇଥିଲେ। ଦଉ ଓ ସୁନିଲ କୌଣସି କାମରେ ଜରଡ଼ା ଗ୍ରାମରୁ ନିଜ ଗ୍ରାମକୁ ଫେରିବା ସମୟରେ ଠଣାଗାଁ ନିକଟରେ ଦଉ ଓ ସୁନିଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସୁନିଲ ଏବଂ ରାଜେଶଙ୍କ ମୃତ୍ୟୁ ଘଟିଥିଲା। ସୁନୀଲଙ୍କ ବାପା ଦଉ ଗୁରୁତ୍ବର ଭାବେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦଉଙ୍କ ଚିକିତ୍ସା ବେଳେ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ଜରଡ଼ା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ମୃତକଙ୍କୁ ବ୍ୟବଚ୍ଛେଦ ପଠାଯାଇଥିବା ସୂଚନା ମିଳିଛି। ସେହିଭଳି ଖବର ପାଇ ପାତ୍ରପୁର ବଡ଼ିଓ ଲକ୍ଷ୍ମଣ ଚରଣ ସୋରେନ, ତହସିଲଦାର ଅଶୋକ ପଟ୍ଟନାୟକ ପହଞ୍ଚିଥିବା ମଧ୍ୟ ସୂଚନା ମିଳିଛି। ଏଭଳି ଦୁଃଖଦ ଖବର ଜଣାପଡିଵା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

State

ମାଓ କ୍ୟାମ୍ପ ଠାବ ବିପୁଳ ପରିମାଣ ରେ ମାଓ ସାମଗ୍ରୀ ଜବତ - କମ୍ବିଂ ଅପରେସନ ଜାରି

Blog Thumbnail

ଦ କୁଇଭର ବ୍ୟୁରୋ :- କିଛି ଦିନର ନୀରବତା ପରେ ପୁଣି ନୂଆପଡା ଜିଲ୍ଲାରେ ମାଓବାଦୀ ମାନେ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି। ସୁରକ୍ଷା ବାହିନୀଙ୍କ କୁମ୍ବିଂ ଅପରେଶନ ବେଳେ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ରାଘେବିନ୍ଦ୍ର ଗୁଣ୍ଡାଲା ରେଡ୍ଡୀ । ସୂଚନା ଅନୁସାରେ, ଛତିଶଗଡ ରାଜ୍ୟରେ ମାଓ ଦମନ ପାଇଁ କୁମ୍ବିଂ ଅପରେଶନକୁ ଜୋରଦାର କରିଥିବାବେଳେ ମାଓବାଦୀମାନେ ଆତ୍ମଗୋପନ କରିବା ପାଇଁ ଓଡ଼ିଶା ମୁହାଁ ହେଉଥିବା ଅନୁମାନ କରାଯାଉଛି । ଏହି ଖବର ଗୋଇନ୍ଦା ବିଭାଗ ସୂତ୍ରରୁ ପାଇ ନୂଆପଡା ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ସୁରକ୍ଷା ବାହିନୀ ସିନାପାଲି ଥାନା ଝାରବନ୍ଧ ଗାଁ ନିକଟସ୍ଥ ଛତିଗଡ ସୀମାନ୍ତ ନାରାୟଣ ଡୋଙ୍ଗରି ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଅପରେଶନକୁ ଜୋରଦାର କରିଥିଲେ। ନାରାୟଣ ଡୋଙ୍ଗରି ସଂରକ୍ଷିତ ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେଶନ କରୁଥିବା ଜାଣି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ସେହି ସମୟରେ ଏକ ମାଓବାଦୀ କ୍ୟାମ୍ପ ଠାବ କରି ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ସେଥିରେ ଗୋଟିଏ ଟିଫିନ ବୋମା, ୨୦ଟି ଜିଲେଟିନ ବାଡି, ଇଲେକ୍ଟ୍ରିକାଲ ଡେଟନେଟର, ପଲିଥିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାଓବାଦୀ ଙ୍କ ଗତି ବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଚ୍ଚନ୍ତି । ଅପର ପକ୍ଷରେ ପଡୋଶୀ ଛଟିଶଗଡ ରେ ମାଓବାଦୀ ମାନଙ୍କ ଉପରେ ଘନଘନ ଆକ୍ରମଣ ଦ୍ଵାରା ମାଓବାଦୀ ମାନେ ଓଡ଼ିଶା ମୁହାଁ ବିଶେଷ କରି ନୂଆପଡ଼ା ମୁହାଁ ହେଉଥିବା ଚର୍ଚ୍ଚା କୁ ନୂଆପଡ଼ା ଏସପି ପରୋକ୍ଷ ରେ ସ୍ବୀକାର କରିବା ସହ ଏ ଉପରେ ନୂଆପଡ଼ା ପୋଲିସ ସହ ଯବାନ ପୁରା ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ।



Politics,State

ଅପରାଜିତାଙ୍କ ବଡ଼ ଗେମ

Blog Thumbnail

ଦ କୁଇଭର ବ୍ୟୁରୋ :- ଅପରାଜିତା ଚଳାଇଥିବା ବଡ଼ ଗେମ କାମ କରିଗଲା । ତାଙ୍କ ଲବିକୁ ଗ୍ରହଣ କଲେ କେନ୍ଦ୍ର ନେତୃତ୍ୱ । ମନମୋହନ ସାମଲଙ୍କୁ ପୁଣି ଥରେ ମିଳିଲା ରାଜ୍ୟ ସଭାପତି ପଦ । ଅପରାଜିତାଙ୍କ ଉଦ୍ୟମ ସଫଳ ହେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିମକୁ କାଳେ ଝଟକା ଲାଗିଛି । ତାଙ୍କ ଟିମ ଫ୍ୟୁଜ ହୋଇ ଯାଇଛନ୍ତି । ମନମୋହନ ରାଜ୍ୟ ସଭାପତି ହେବା ପରେ ଦଳ ଚଳଚଞ୍ଚଳ ହେବା ସହ ସରକାର ଏବେ ଦୌଡ଼ିବ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ, ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପକୁ କାଳେ ରୋକି ଦେବେ ମନମୋହନ । ଏମିତି କିଛି ଚର୍ଚ୍ଚା ଦଳ ଭିତରେ ଗତକାଲି ଠାରୁ ଜୋର ଧରିଲାଣି । ମନମୋହନ ରାଜ୍ୟ ସଭାପତି ହେବା ପରେ ଦଳ ଭିତରେ ପୁଣି ଥରେ ଉତ୍ସାହ ବଢ଼ିଛି । ଏହି ଉତ୍ସାହକୁ ଯଦି ବିଜେପି ଧରିନେଲା, ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମାତ ଦେବା କଷ୍ଟ ହେବନାହିଁ ବୋଲି କୁହାଯାଉଛି । ସେ ଯାହା ହେଉ ଅପରାଜିତାଙ୍କ ଷ୍ଟ୍ରୋକ ଧର୍ମେନ୍ଦ୍ର ଗୋଷ୍ଠୀଙ୍କୁ କାଳେ ଜୋର ଲାଗିଛି ।


ଓଡ଼ିଶା ବିଜେପି ତାର ନୂଆ ସଭାପତି ପାଇଛି । ମନମୋହନ ସାମଲଙ୍କ ଉପରେ ସମସ୍ତେ ପୁଣି ଥରେ ଭରସା କରିଛନ୍ତି । ତାଙ୍କୁ ସଭାପତି କରାଇ ନଦେବାକୁ ବଡ଼ ଲବି ଚାଲିଥିଲା । କେନ୍ଦ୍ର ପର୍ଯ୍ୟନ୍ତ ଲାଗିଥିଲେ ପାୱାରଫୁଲ ଗୋଷ୍ଠୀ । ଦଳ ଭିତରେ ହେଉଥିବା ଟୁପୁରୁଟାପର ଅନୁଯାୟୀ କାଳେ ଧର୍ମେନ୍ଦ୍ର ଚାହୁଁ ନଥିଲେ ମନମୋହନ ପୁଣି ସଭାପତି ହୁଅନ୍ତୁ । ମନମୋହନ ହେଲେ ତାଙ୍କ ବିରୋଧୀ ଗୋଷ୍ଠୀର ପତିଆରା ବଢ଼ିବ । କେନ୍ଦ୍ରୀୟ ଲବି ମନମୋହନଙ୍କୁ ଗ୍ରୀନ ସିଗନାଲ ଦେଉ ନଥିଲା । ଏଭଳି ସ୍ଥିତିରେ ବଡ଼ ଗେମ କଲେ ଅପରାଜିତା । ଅପରାଜିତା ମନମୋହନଙ୍କ ପାଇଁ ଲବି କଲେ । କେବଳ ଲବି କଲେ ନାହିଁ, ସବୁ ସାଂସଦଙ୍କୁ ନେଇ ବଡ଼ ଖେଳ ଖେଳିଦେଲେ । ବୈଜୟନ୍ତ ପଣ୍ଡା, ଅଶ୍ୱିନୀ ବୈଷ୍ଣବଙ୍କୁ ନୀରବ କରିଦେଲ । ବାକି ଅନ୍ୟମାନେ ମନମୋହନଙ୍କୁ ନିରବ ସମର୍ଥନ ଦେଲେ ।


ଅପରାଜିତା ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜେପି ନଡ୍ଡାଙ୍କୁ ଭେଟି ସ୍ଥିତି କହିଲେ । ରାଜ୍ୟରେ ଆଜି ଯଦି ବିଜେପି ସରକାର କରିଛି, ତେବେ ତାହା ମନମୋହନଙ୍କ ପାଇଁ । ତାଙ୍କ ଗୋଷ୍ଠୀ ମେଣ୍ଟ କରିବାକୁ ମନା କରିଥିଲେ । ମାତ୍ର କାଳେ ଧର୍ମେନ୍ଦ୍ର ଓ ଅନ୍ୟମାନେ ମେଣ୍ଟ ପାଇଁ ଚାହିଁ ଥିଲେ । ଓଡ଼ିଶାରେ ବିଜେପି ସରକାର ଆସିବା ପଛରେ ମନମୋହନଙ୍କ ଭୂମିକା ଯଥେଷ୍ଟ ବୋଲି କହିଲେ । ନିଜ ପ୍ରଶଂସା ନିଜ ମୁହଁରେ ନକରି ସବୁ ମନମୋହନଙ୍କ ମୁଣ୍ଡରେ ଗଡ଼ାଇଲେ । ତାଙ୍କୁ ସଭାପତି କରାନଗଲେ, ଦଳୀୟ କର୍ମୀ ଓ ନେତା ହତୋତ୍ସାହ ହେବେ । ଧର୍ମେନ୍ଦ୍ରଙ୍କ ଟିମର ତୃଣମୂଳ ସ୍ତରରେ ପ୍ରଭାବ ନାହିଁ । କେବଳ ଲବିରେ ସେ କିଛି ମନ୍ତ୍ରୀ ରାଜ୍ୟ ସରକାରରେ ଭରି ଦେଇଛନ୍ତି । ବାସ୍ତବ ସ୍ଥିତି ବହୁତ ଖରାପ । ଧର୍ମେନ୍ଦ୍ରଙ୍କୁ ରାଜ୍ୟର ଅନେକ ଲୋକ କାଳେ ପସନ୍ଦ କରୁନଥିବାରୁ କେନ୍ଦ୍ରୀୟ ନେତୃତ୍ୱଙ୍କୁ କୁହାଯାଇଥିଲା ।


ବହୁ ବିଚାର ବିମର୍ଷ ପରେ କେନ୍ଦ୍ର ଅପରାଜିତାଙ୍କ ଲବିକୁ ମାନିଥିଲା । ସବୁ ପ୍ରକାର ପରଖିବା ପରେ ମନମୋହନଙ୍କୁ ପୁଣି ଥରେ ସଭାପତି କରିବାକୁ କାଳେ ସହମତ ହୋଇଥିଲେ । ଧର୍ମେନ୍ଦ୍ରଙ୍କୁ କେନ୍ଦ୍ରରେ ଫୋକସ କରିବାକୁ କୁହାଯାଇଛି । ରାଜ୍ୟରେ ମନମୋହନ, ଅପରାଜିତା ପ୍ରମୁଖ ବୁଝିବେ ବୋଲି କୁହାଯାଇଛି । ରାଜ୍ୟ ସରକାର କିପରି ସକ୍ରିୟ ହୋଇ ଲୋକଙ୍କ କାମ କରିବ, ସେଦିଗରେ ମଧ୍ୟ ଗୁରୁତ୍ୱ ଦେବାକୁ ମନମୋହନଙ୍କୁ କୁହାଯାଇଛି । ରାଜ୍ୟ ସଭାପତି ନିଯୁକ୍ତି ପାଇଁ ବେଶ କିଛି ମାସ ବିବାଦୀୟ ରହିଥିଲା । ଶେଷରେ ଅପରାଜିତାଙ୍କ ଗୋଷ୍ଠୀର ଲବି କାମ କଲା ଆଉ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଫ୍ୟୁଜ ହେଲେ । ଦେଖାଯାଉ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଆଗକୁ କି ରଣନୀତି କରୁଛନ୍ତି, ପ୍ୟାଚ ପକାଇ ରହୁଛନ୍ତି ନା ଭିତରେ ଭିତରେ ଚେର କାଟୁଛନ୍ତି ?



State

ଚଳିତ ମାସ ପିଡିଏସରେ ମିଳିବ ଗହମ

Blog Thumbnail

ଦ କୁଇଭର ବ୍ୟୁରୋ :- ଚଳିତ ମାସ ପିଡିଏସରେ ମିଳିବ ଗହମ । ଯେତିକି ଗହମ ଆସିଥିଲା ହିତାଧିକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି କେନ୍ଦ୍ରରୁ ଗହମ ଆସିଲେ ଦିଆଯିବ। ଦ୍ଵିତୀୟ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେହିପରି ବଳକା ଚାଉଳ ନେବ ଏଫସିଆଇ । ଚଳିତ ବର୍ଷ ୯୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର । ଏଥିରୁ ୬୫ ଲକ୍ଷ ମେଟ୍ରିକ ଟନ ଚାଉଳ ହେବ। ରାଜ୍ୟରେ ୨୬ ଲକ୍ଷ ମେଟ୍ରିକ ଟନ ଚାଉଳ ଆବଶ୍ୟକତା ରହିଛି । ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ନେଇଥାଏ। ଏଥର ବଳକା ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ନେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

State

ତୃତୀୟ ଦିନରେ ଡ୍ରାଇଭର ମହାସଂଘର ଆନ୍ଦୋଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ତୃତୀୟ ଦିନରେ ଡ୍ରାଇଭର ମହାସଂଘର ଆନ୍ଦୋଳନ । ଚାଲୁନି ଗାଡ଼ିମୋଟର। ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁନାହାନ୍ତି ଯାତ୍ରୀ । ଦୂରଦୂରାନ୍ତରେ ରହି ଛଟପଟ ହେଉଛନ୍ତି । ମାଲ ପରିବହନ ହୋଇ ପାରୁନି। ସ୍ଥିତି ଜଟିଳ ହେଲାଣି । ରାଜ୍ୟରେ ଡ୍ରାଇଭର ମହାସଂଘ ତିନି ଦିନ ହେଲା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ତୃତୀୟ ଦିନ ପାଇଁ ଆନ୍ଦୋଳନ ଚାଲିଛି । ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ବିଭିନ୍ନ ସ୍ଥାନରେ ଦୂର ଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀ ଅଟକି ରହିଛନ୍ତି । ଜରୁରୀ କାମ ଥିଲେ ବି ଯାଇ ପାରୁ ନାହାନ୍ତି । ଏଣେ ଦାବି ପୂରଣ ନେଇ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଡ୍ରାଇଭର ଆନ୍ଦୋଳନରୁ ହଟିବ ବୋଲି କହିଛି ମହାସଂଘ । ଜନସାଧାରଣଙ୍କୁ ହଇରାଣ କରିବା ଆମ ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ୭ ଦଫା ଦାବି ପୂରଣ ନେଇ ଡ୍ରାଇଭର ମହାସଂଘ ସହ ମଙ୍ଗଳବାର ୪ ଘଣ୍ଟା ଧରି ଆଲୋଚନା କରିଥିଲେ ପରିବହନ ମନ୍ତ୍ରୀ । କିନ୍ତୁ ଆଲୋଚନାରୁ କିଛି ନିଷ୍କର୍ଷ ବାହାରିପାରି ନଥିଲା ।

State

ଜାତୀୟ ଆଇନ ସେବା ପ୍ରାଧିକରଣ, କଟକ ଜିଲ୍ଲାରେ ୯୦ ଦିନିଆ ମଧ୍ୟସ୍ଥତା କାର୍ଯ୍ୟକ୍ରମ

Blog Thumbnail

କଟକ ( ଦ କୁଇଭର ) :- ଭାରତର ସମସ୍ତ ତାଲୁକା କୋର୍ଟ, ଜିଲ୍ଲା କୋର୍ଟ ଏବଂ ହାଇକୋର୍ଟରେ ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ ପାଇଁ ୯୦ ଦିନିଆ ମଧ୍ୟସ୍ଥତା ଅଭିଯାନ “ଦେଶ ପାଇଁ” ଅଭିଯାନ କଟକ ଜିଲ୍ଲାରେ ଚାଲିଛି।ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଭାରତର ସୁପ୍ରିମକୋର୍ଟର ମଧ୍ୟସ୍ଥତା ଏବଂ ସମାଧାନ ପ୍ରକଳ୍ପ କମିଟି ସହିତ ମିଳିତ ଭାବରେ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ – ମଧ୍ୟସ୍ଥତା ‘ଦେଶ ପାଇଁ’ ସାରା ଦେଶରେ ଆରମ୍ଭ କରାଯାଇଛି।ଭାରତର ସମସ୍ତ ତାଲୁକା କୋର୍ଟ, ଜିଲ୍ଲା କୋର୍ଟ ଏବଂ ହାଇକୋର୍ଟରେ ପଡ଼ି ରହିଥିବା ମାମଲାଗୁଡ଼ିକୁ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିବା ପାଇଁ ୯୦ ଦିନିଆ ଅଭିଯାନ ଚାଲିଛି।ମଧ୍ୟସ୍ଥତା ପାଇଁ ନିମ୍ନଲିଖିତ ବର୍ଗର ମାମଲାଗୁଡ଼ିକୁ ପଠାଯାଇପାରିବ:


ବୈବାହିକ ବିବାଦ ମାମଲା,

ଦୁର୍ଘଟଣା ଦାବି ମାମଲା,

ଘରୋଇ ହିଂସା ମାମଲା,

ଚେକ୍ ବାଉନ୍ସ କେସ୍,

ବାଣିଜ୍ୟିକ ବିବାଦ ମାମଲାଗୁଡ଼ିକ

ସେବା ମାମଲା,

ଫୌଜଦାରୀ ମାମଲା,

ଗ୍ରାହକ ବିବାଦ ମାମଲା,

ଋଣ ଆଦାୟ ମାମଲା,

ବିଭାଜନ ମାମଲା,

ବହିଷ୍କାର ମାମଲା,

ଜମି ଅଧିଗ୍ରହଣ ମାମଲା,

ଅନ୍ୟାନ୍ୟ ଉପଯୁକ୍ତ ଦେୱାନୀ ମାମଲା।

ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ – ମଧ୍ୟସ୍ଥତା ‘ଦେଶ ପାଇଁ:’ ର ସମୟସୀମା ଯାଞ୍ଚ କରନ୍ତୁ।

Politics,State

ଆଜି ଜାମିନ ଶୁଣାଣୀ ହେବ ବିଜେପି ନେତା ଜଗନ୍ନାଥଙ୍କ

Blog Thumbnail

ଦ କୁଇଭର ବ୍ୟୁରୋ:- ବହୁ ଚର୍ଚ୍ଚିତ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ ଆବେଦନ ଶୁଣାଣୀ ଆଜି ହେବ । ଜାମିନ ଆବେଦନ ଶୁଣାଣୀ କରିବେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ଜଗନ୍ନାଥ ପ୍ରଧାନଙ୍କ ସହ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ କରିଛନ୍ତି ଜାମିନ ଆବେଦନ । ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ ନିକଟରେ ସମସ୍ତେ ଆବେଦନ କରିଛନ୍ତି । ତେବେ ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ଜେଲରେ ଅଛନ୍ତି ଜଗନ୍ନାଥ । ପରେ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଏବେ ଅଛନ୍ତି ଜଗନ୍ନାଥ । ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ଲଗାଇଥିଲା ପୁଲିସ ।ଦଫା ୩୩୩, ୧୨୧(୧), ୧୨୧(୨), ୩୫୧(୨), ୬୨ ଓ ୩୦୪ରେ ମାମଲା ରୁଜୁ କରାଯାଇଥିଲା । ଗତ ଗୁରୁବାର ରାତିରେ ସମର୍ଥକଙ୍କୁ ଧରି ଡିସିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜଗନ୍ନାଥ ପ୍ରଧାନ । ଆତ୍ମସମର୍ପଣ କଲା ପରେ କମିସନରେଟ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା । ଆକ୍ରମଣ ପାଇଁ ଷଡ୍‌ଯନ୍ତ୍ର ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଏହା ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ନେଇଥିଲା । ସେଠାରେ ଜଗନ୍ନାଥ ପ୍ରଧାନଙ୍କୁ ଦୁଇ ଜଣ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଶେଷରେ ଡାକ୍ତରଖାନାରୁ ଜଗନ୍ନାଥ ପ୍ରଧାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କର ଜାମିନକୁ ନାମଞ୍ଜୁର କରିଦେବା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ଜେଲକୁ ଯାଇଥିଲେ ଜଗନ୍ନାଥ ପ୍ରଧାନ । 


ଅନ୍ୟପଟେ ଜଗନ୍ନାଥ ପ୍ରଧାନ ଜେଲ୍ ଯିବା ପରେ ରାଜରାସ୍ତାରେ ସମର୍ଥକଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ସମର୍ଥକମାନଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଡିସିପିଙ୍କ କାର୍ଯ୍ୟାଳୟ ଓ ଝାରପଡ଼ା ଜେଲ୍‌ ସାମ୍ନାରେ ସମର୍ଥକମାନେ ବିରୋଧ କରିବା ସହ ଜୋରଦାର ହୋହଲ୍ଲା କରିଥିଲେ । ଯଦି ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି, ତେବେ ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁ ମଧ୍ୟ ଗିରଫ ହେବା ଦରକାର ବୋଲି ତାଙ୍କ ସମର୍ଥକ ଦାବି କରିଥିଲେ । ହେଲେ କମିସନରଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ଏହାରି ଭିତରେ ଜଗାଙ୍କ ଜାମିନ ଆବେଦନ ହୋଇଥିବାରୁ ଆଜି ବେଲ୍‌ ମିଳିବ ନା ପୁଣି ଜେଲ୍‌ରେ ରହିବାକୁ ପଡ଼ିବ ତାହା ଦେଖିବାକୁ ବାକି ରହିଲା ।

State

କଣ୍ଡେଇ ଯାତ୍ରା ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ ସଂସ୍କୃତି ଆମ ପରମ୍ପରା ତରଫରୁ ଗୁରୁବାର ଖାସ୍ପାସାହି ଓ ଜଉରା ସାହି ଠାରେ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ସଭାପତି ସୂଯ୍ୟନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ସଂପାଦକ ଗୋପାଳ ପଟ୍ଟନାୟକ କଣ୍ଢେଇ ଯାତ୍ରା ର ପରମ୍ପରା ସଂପର୍କ ରେ ସୂଚନା ଦେଇଥିଲେ ।ସାଂସ୍କୃତିକ ସଂପାଦକ ସୁଦୀପ କୁମାର୍ ସାହୁ ଓ ରଶ୍ମିତା ଦଳାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହି ପରୀ ସାହିତ୍ୟ ଆସର ଆୟୋଜନ କରା ଯାଇଥିଲା । ସାରସ୍ବତ କବିତା ପାଠୋତ୍ସବ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ କବି ଡ ଶ୍ୟାମା ପ୍ରସାଦ ମିଶ୍ର, ସମ୍ମାନୀତ ବକ୍ତା ଭାବେ ନାଟ୍ୟକାର ଇ. ଯାମିନି କାନ୍ତ ଦାସ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ସୁଶାନ୍ତ ଦାଶ, ସଂଗଠକ ମିହିର ରଂଜନ ତ୍ରୀପାଠୀ ପ୍ରମୁଖ ଯୋଗ ଦେଇଥିଲେ। ସୁଜାତା ଶତପଥୀ ସୁନୀଲ କୁମାର୍ ପ୍ରଧାନଙ୍କ ସମେତ ବହୁ କବି ଓ କବୟିତ୍ରୀ ଏହି ଅବସରରେ ଉପସ୍ଥିତ ରହି ପରିଚାଳନା କରିଥିଲେ ।ବିଳମ୍ବିତ ରାତ୍ରରେ ଭଜନ ସମାରୋହ ହୋଇଥିଲା।ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମନ୍ତ୍ରୀବିଧାୟକ କେ.ଅନିଲ କୁମାର୍,ଜିଲ୍ଲା ବିଜେପି ସଭାପତି ସରୋଜ ସାବତ...., ଦିଗପହଣ୍ଡି ବିଧାୟକ ଡ୍ ସିଦ୍ଧାନ୍ତ ମହାପାତ୍ର, କୁକୁଡ଼ା ଖଣ୍ଡି ଅଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ର, ଟି .ଗୋପୀ, ଶରତ ପଟ୍ଟନାୟକ, ବନମାଳୀ ସେଠୀ . ପ୍ରମୁଖ ଯୋଗ ଦେଇଥିଲେ। ଆଇନ ଉପଦେଷ୍ଟା ମଦନ ମୋହନ ପାତ୍ର, ନାରାୟଣ ମହାକୁଡ,ଉପଦେଷ୍ଟା ବଦ୍ରି ନାରାୟଣ ନାୟକ, କୋଷାଧ୍ୟକ୍ଷ ମାନସ ରଞ୍ଜନ ପାଢ଼ୀ, ସମ୍ପାଦକ ଉମାଶଙ୍କର ପାତ୍ର, ଶ୍ରୀକାନ୍ତ ସୁବୁଦ୍ଧି,ସୁରେନ୍ଦ୍ର କୁମାର ସେନାପତି, ରମାକାନ୍ତ ରଥ,ରମେଶ ଚନ୍ଦ୍ର ଭୂୟାଁ, ଲକ୍ଷ୍ମୀ ନାରାୟଣ ନାୟକ, ଉପସଭାପତି କ୍ଷେତ୍ରବାସୀ ରଥ, କେ.ରବୀନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅତିଥି ମାନଙ୍କ ସହ ସମସ୍ତ ସାମ୍ୱାଦିକ ମାନଙ୍କୁ କମିଟି ତରଫରୁ ଏଠାରେ ସମ୍ମାନୀତ କରା ଯାଇଥିଲା। କଳାକାର ମାନଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା ।ସୂଚନା ଯୋଗ୍ୟ ଦୀର୍ଘ୍ ୧୫୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ଏପରି କଣ୍ଢେଇ ଯାତ୍ରା ଆୟୋଜିତ ହୋଇଆସୁଛି । ବହୁ ଜନସାଧାରଣ ଓ ଦର୍ଶକ ଯାତ୍ରାରେ ମାଟି, ଚିନି, ପ୍ଲାଷ୍ଟିକ ରେ ତିଆରି ହୋଇଥିବା ବିଭିନ୍ନ କଣ୍ଢେଇ ବିକ୍ରି କରିବା ସହ ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ସାନ ଜଗନ୍ନାଥ,ବଡ ଜଗନ୍ନାଥ, , ମା ବୁଢୀ ଠାକୁରାଣୀ ଙ୍କ ସମେତ ଅନ୍ୟାନ୍ୟ ଦେବାଦେବୀଙ୍କୁ ଏହି ଅବସରରେ ସଜ୍ଜିତ କରାଯାଇ ସ୍ବତନ୍ତ୍ର ପୂଜା କରାଯାଇଥିଲା । ଏହି ଯାତ୍ରାରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବଡ ବଜାର ଥାନା ପୋଲିସ ,ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆ ଯାଇଥିଲା। ମହାନଗର ନିଗମ ଓ ଜିଲ୍ଲାପ୍ରଶାସନ ତରଫରୁ ମଧ୍ୟ ସହଯୋଗ ମିଳିଥିଲା ।

State

ପୋଲିସ ଅଧିକାରୀଙ୍କ ମାଡ ପ୍ରତିବାଦରେ ଥାନା ଭିତରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ

Blog Thumbnail

ହିଞ୍ଜିଳି( ଦ କୁଇଭର ):- ହିଞ୍ଜିଳି ଥାନାର ପୋଲିସ ଅଧିକାରୀଙ୍କ ମାଡ ପ୍ରତିବାଦରେ ଥାନା ଭିତରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ।ଗତରାତିରେ ନଗର ବିଜେପି ସମ୍ପାଦକ ନିତେଶ ପଣ୍ଡା ଓ ଅନ୍ୟ ସାଥୀ ମାନେ ଥାନାକୁ ଆସିଥିବା ବେଳେ ହିଞ୍ଜିଳି ଥାନାର ASI ସୁବାଷ ମିଶ୍ର ନାମକ ଜଣେ ପୋଲିସ ଅଧିକାରୀ ତାଙ୍କୁ ଅସଭ୍ୟ ଭାଷା ରେ ଗାଳିଗୁଲଜ କରିବା ସହିତ ଚାପୁଡ଼ା ମାରିଥିବା ଅଭିଯୋଗ କରିଛନ୍ତି।ଜୁଲୁମକାରୀ ଅଫିସରକୁ ବଦଳି ପ୍ରତିବାଦ ରେ ଥାନା ଭିତରେ ନାରାବାଜି କରିବା ସହିତ ପ୍ରତିବାଦ କରିଛନ୍ତି,ଆଇଆଇସିଙ୍କ ସହିତ ବରିଷ୍ଠ ନେତାଙ୍କ ଆଲୋଚନା ଚାଲିଛି।

State

ଗୋଳନ୍ଥରା ଦିଲ୍ଲୀପ ପାତ୍ର ହତ୍ୟା ଘଟଣା : ଅଭିଯୁକ୍ତ ଗିରଫ

Blog Thumbnail

ଗଞ୍ଜାମ, ଗୋଳନ୍ଥରା ( ଦ କୁଇଭର ):- ଗୋଳନ୍ଥରାରେ ଘରୁ ଡାକିଆଣି ସଙ୍ଘ ବଦ୍ଧ ଭାବେ ହତ୍ୟା କରାଯାଇଥିବା ଘଟଣା ର ପର୍ଦାଫାଶ କରିଛି ପୋଲିସ, ଅଭିଯୁକ୍ତ କୁ ଧରିବାରେ ସଫଳ ହେବା ସହ କୋର୍ଟ ଚାଲାଣ କରିଛି l ସୂଚନା ପ୍ରକାରେ,ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଶିଙ୍ଗାବାଡ଼ିରେ ଦିଲ୍ଲୀପ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ରବିବାର ରାତି ନିଜ ଘରେ ଶୋଇଥିବା ସମୟରେ କିଛି ଦୁବୃର୍ତ୍ତ ଘରେ ପଶି ବଚସା କରିବା ସହ ମାରପିଟ୍‌ କରିଥିଲେ । ଏହାପରେ ଦିଲ୍ଲୀପକଙ୍କୁ ଘରୁ ବାହାରକୁ ବାହାର କରି ଖଣ୍ଡା କାତି ସହ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ଦୁବୃର୍ତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଦିଲ୍ଲୀପଙ୍କୁ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଏମକେସିଜି ମେଡ଼ିକାଲରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଛି । ଘଟଣା ସମ୍ପର୍କରେ ଜାଣିବା ପରେ ଦିଲ୍ଲୀପଙ୍କ ବଡ଼ ଭାଇ ହତ୍ୟା ଘଟଣା ନେଇ ଗୋଳନ୍ଥରା ଥାନରେ ଲିଖିତ ଅଭିଯେଗା ଦେଇଥିଲେ । ଅଭିଯୋଗ ପାଇବା ପରେ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।


ତେବେ ଉକ୍ତ ଘଟଣା ର ଆଜି ପର୍ଦାଫାଶ କରିବା ସହ ଟମଣା ଛକରୁ ପୀତବାସ ସାହୁ ନାମକ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଗୋଳନ୍ଥରା ପୋଲିସ l ପୂର୍ବ ଶତ୍ରୁତା କୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି l କିଛି ଦିନ ପୂର୍ବରୁ କିନିସି ଛକରେ ମୃତକ ଏବଂ ଅଭିଯୁକ୍ତ ଙ୍କ ମଧ୍ୟରେ ବାଇକ ଦୁର୍ଘଟଣା ହୋଇଥିଲା, ପରେ ଅଭିଯୁକ୍ତ ଆହତ ହୋଈ କ୍ଷତିପୂରଣ ଦାବିକରିଥିଲେ କିନ୍ତୁ ପରେ ଦେବି କହି ଚୁପ ରହିଯାଇଥିଲେ ମୃତକ ଦିଲ୍ଲୀପ l ପରେ ସମୟର ସୁଯୋଗ ନେଇ ଅଭିଯୁକ୍ତ ପୀତବାସ ଜଣେ ସହଯୋଗୀଙ୍କ ସହ ମୋଟର ସାଇକେଲ ଯୋଗେ ମୃତକଙ୍କ ଘରକୁ ଯାଇ ପ୍ରଥମେ କ୍ଷତିପୂରଣ ଟଙ୍କା ମାଗିଥିଲେ କିନ୍ତୁ ମୃତକ ସିଧା ମନା କରିଦେବାରୁ ପ୍ରଥମେ ବଚସା ପରେ ଘର ବାହାରକୁ ଆଣି କାତି ଖଣ୍ଡା ମାଧ୍ୟମରେ ହତ୍ୟା କରିଥିଲେ l ପୋଲିସ ଆଗରେ ଅଭିଯୁକ୍ତ ପୀତବାସ ସତ ମାନିବା ସହ କୋର୍ଟ ଚାଲାଣ ହୋଇଥିବା ଗୋଳନ୍ଥରା ପୋଲିସ ପକ୍ଷରୁ ସୂଚନା ମିଳିଛି l ତେବେ ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଚଢାଉ କରାଯାଉଥିବା ଏବଂ ମାମଲାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି l

State

ଆଜିଠୁ ମିଳିବନି ପେଟ୍ରୋଲ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ୬ ଦଫା ଦାବି ନେଇ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି । ସରକାରଙ୍କ ସହ ମହାସଂଘର ମାରାଥନ୍ ବୈଠକ ବିଫଳ ହେଲା ପରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି । ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ରୋକ୍‌ଠୋକ୍ ଶୁଣାଇ ଦେଇଥିଲା । ଆନ୍ଦୋଳନର ଦ୍ୱିତୀୟ ଦିନରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡ୍ରାଇଭର ମହାସଂଘକୁ ଡକାଯାଇ ନଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଯାତ୍ରୀ ଓ ସାମଗ୍ରୀ ପରିବହନ ସଂପୂର୍ଣ୍ଣ ଭାବେ ଠପ୍‌ ହୋଇ ପଡ଼ିଛି । ତୈଳ ପରିବହନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଆଜି ବହୁ ତେଲ ଟାଙ୍କିରୁ ପେଟ୍ରୋଲ୍‌, ଡିଜେଲ୍‌ ସରି ଯାଇଥିବା ଜଣାପଡ଼ିଛି । ଆଜି ପେଟ୍ରୋଲ୍‌, ଡିଜେଲ୍‌ ପରିବହନ ନ ହୋଇ ପାରିଲେ ରାଜ୍ୟରେ ତେଲ ସଙ୍କଟ ଦେଖା ଦେବ । ଫଳରେ ସଙ୍ଗିନ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ତୈଳ ସଙ୍କଟ ନେଇ ଉତ୍କଳ ପେଟ୍ରୋଲିୟମ୍‌ ଡିଲର୍‌ ଅସୋସିଏସନ୍ ସଭାପତି ସଞ୍ଜୟ ଲାଠ୍ କହିଛନ୍ତି ଯେ ପାରାଦୀପ, ବାଲେଶ୍ବର, ଜଟଣୀ, ଝାରସୁଗୁଡ଼ା ଆଦି ପେଟ୍ରୋଲ ଡିପୋରେ ତୈଳ ପରିବହନ କରୁଥିବା ଡ୍ରାଇଭରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଫଳରେ ଦୁଇ ଦିନ ହେଲା ତେଲ ପରିବହନ ବନ୍ଦ ରହିଛି । ଆଜି ବି ତୈଳ ପରିବହନ ନ ‌ହେଲେ ଅଧିକାଂଶ ତେଲ ଟାଙ୍କିରୁ ତେଲ ସରିଯିବ। ସନ୍ଧ୍ୟା ସୁଦ୍ଧା ରାଜ୍ୟର କୌଣସି ଟାଙ୍କିରେ ପେଟ୍ରୋଲ୍‌, ଡିଜେଲ୍‌ ମିଳିବ ନାହିଁ । ତେଣୁ ଆଜି ତେଲ ପରିବହନ ହେବା ଜରୁରୀ।


ଅନ୍ୟପଟେ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ଡ୍ରାଇଭରମାନଙ୍କ ଯେଉଁ ପ୍ରମୁଖ ଦାବି ରହିଛି, ଯେମିତିକି ୱେଲ୍‌ଫେୟାର୍‌ ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯିବା । ଏହି ଦାବିକୁ ବୋର୍ଡ ବୈଠକରେ ସରଳୀକରଣ କରାଯାଇ ଅଟୋ ଡ୍ରାଇଭରମାନଙ୍କୁ ସାମିଲ କରାଯିବ । ସାଧାରଣ ଲୋକଙ୍କ ଆକ୍ରୋଶରୁ ଡ୍ରାଇଭରମାନଙ୍କୁ ସୁରକ୍ଷା ସହ ଆ‌କ୍ରମଣକାରୀଙ୍କ ବିରୋଧରେ ଦୃ‌ଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମସ୍ତ ଜିଲ୍ଲାର ଏସ୍‌ପିଙ୍କୁ ଚିଠି ଲେଖାଯାଇଛି । ଓଡ଼ିଶାରେ ଗଢ଼ି ଉଠିଥିବା ଶିଳ୍ପ ଓ କାରଖାନାମା‌ନଙ୍କରେ ଓଡ଼ିଶାର ଡ୍ରାଇଭରମାନେ ଅଧିକରୁ ଅଧିକ ଯେପରି ନିଯୁକ୍ତି ପାଇବେ, ସେ ନେଇ ସରକାରୀ ନିଷ୍ପତ୍ତି ନିଆଯିବ । ପ୍ରତି ୧୦୦ କିମିରେ ଡ୍ରାଇଭର ସୁବିଧା କେନ୍ଦ୍ର ସ୍ଥାପନ କରାଯିବ । ପୁଲିସର ମାତ୍ରାଧିକ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ନ ହେବା ଲାଗି ନିର୍ଦ୍ଦେଶ ଦିଆଯିବ । ୱେଲ୍‌ଫେୟାର ବୋର୍ଡରେ ପଞ୍ଜୀକରଣ ମାଗଣା କରାଯିବ ଆଦି ନିଷ୍କର୍ଷ ବାହାରିଛି । ଖୁବ୍‌ଶୀଘ୍ର ୱେଲ୍‌ଫେୟ‌ାର ବୋର୍ଡ ବୈଠକ କରାଯାଇ ଡ୍ରାଇଭରମାନଙ୍କ ସବୁ ଦାବି ଶୁଣାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଡ୍ରାଇଭରମାନେ ଆନ୍ଦୋଳନରୁ ହଟିବାକୁ ମନ୍ତ୍ରୀ ନିବେଦନ କରିଥିଲେ । ଏ ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ୫ ବର୍ଷ ହେବ ଆମେ ସରକାରଙ୍କ ନିକଟରେ ଦାବି କରି ଆସୁଛୁ । କିନ୍ତୁ କେହି ଦାବି ପୂରଣ ନେଇ ପଦକ୍ଷେପ ‌ନେଉ ନାହାନ୍ତି । ତେଣୁ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ।


ସବୁଆଡେ ଗାଡି ଚଳାଚଳ ବନ୍ଦ ରହିଥିବା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅଖ ଚକ ସବୁ ବନ୍ଦ ଥିବା ଯୋଗୁଁ ସବୁଠି ଦେଖିବାକୁ ମିଳୁଛି ଉତ୍କଟ ସମସ୍ୟା l ତେଣୁ ଡ୍ରାଇଭରଙ୍କ ଦାବୀକୁ ଶୁଣି କିଛି ସ୍ଥାୟୀ ସମାଧାନ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l

State

ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ

Blog Thumbnail

ଦ କୁଇଭର ବ୍ୟୁରୋ:- ବିଏମସି ଅତିରିକ୍ତ କମିଶନର୍ ଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଶେଷରେ ଜାମିନ ମିଳିଛି | ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜଗନ୍ନାଥଙ୍କୁ ଜାମିନ ମିଳିଛି | ଖୋର୍ଦ୍ଧା ଜିଲା ଓ ଦୌରାଜଜଙ୍କ କୋର୍ଟ ଆଜି ଜଗନ୍ନାଥଙ୍କୁ ଜାମିନ ମିଳିଥିବାବେଳେ ତାଙ୍କ ଓକିଲ ଏହି ସୂଚନା ଦେଇଛନ୍ତି | ଉଲ୍ଲେଖ ଥାଉ କି ବିଏମ୍‌ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା ନେଇ ଜଗନ୍ନାଥ ପ୍ରଧାନ ବିବାଦରେ ଫସିଥିଲେ ।ଏହି ଘଟଣା ପରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲା । ଏହି ଘଟଣା ପରେ ଜଗନ୍ନାଥ ପ୍ରଧାନ ଭୁବନେଶ୍ବର ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ । ତାଙ୍କୁ ପୁଲିସ ଗିରଫ କରିଥିଲା | ତାଙ୍କ ନାମରେ ସଙ୍ଗିନ ଦଫା ଲଗାଇ କମିସନରେଟ୍‌ ପୁଲିସ କୋର୍ଟ ଚାଲାଣ କରିଥିଲା ।


ତାଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତାର ୧୨୧(୧), ୧୨୧(୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪, ୩୩୩, ୩୫୧(୨), ୫୪, ୬୧(୨), ୬୨ ଲାଗିଥିଲା । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା | ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ ଜାମିନ ଖାରଜ କରିବା ପରେ ଶ୍ରୀ ପ୍ରଧାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା । ଏହାପରେ ଜାମିନ ଆବେଦନ କରିଥିଲେ ଜଗନ୍ନାଥ | ଆଉ ଆଜି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି

State

ଗଞ୍ଜେଇ ବୋଝେଇ ଗାଡି ଯାଞ୍ଚ ବେଳେ ବାହାରିଲା ୧୧୦ କେଜି ରୁପା

Blog Thumbnail

ଦ କୁଇଭର ବ୍ୟୁରୋ :- ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ଶାସନ ଟୋଲ ଗେଟ ଠାରେ ଅବକାରୀ ବିଭାଗ ଗଞ୍ଜେଇ ବୋଝେଇ ଗାଡି ଯାଞ୍ଚ ସମୟରେ ବାହାରିଲା ୧୧୦ କେଜି ରୁପା l ରେଙ୍ଗାଲି ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ ହେଇଥିବା ସନ୍ଦେହ ରେ ସ୍କୋର୍ପିଓ ଗାଡି ଯାଞ୍ଚ ସମୟରେ ବାହାରିଲା ରୁପା ଇଟା l ସୂଚନା ଅନୁସାରେ ନାଶିକରୁ ରାଞ୍ଚି ଯାଉଥିଲା ରୁପା lଅବକାରୀ ବିଭାଗ ଯାଞ୍ଚ କରୁଥିବା ସମୟରେ ଗାଡିରେ ଏକ ସିକ୍ରେଟ ଚେମ୍ବର ଭିତରେ ୧୧୦ କେଜି ରୁପା ମିଳିଥିଲା l ତେବେ ଏତେ ପରିମାଣ ରୁପାର କୌଣସି କାଗଜପତ୍ର ମଗାଯିବାରୁ ଗାଡିରେ ଥିବା 2 ଜଣ ବ୍ୟକ୍ତି କୌଣସି କାଗଜ ପତ୍ର ଦେଖେଇ ପାରି ନଥିଲେ l ଫଳରେ ଗାଡିକୁ ଅଟକ ରଖା ଯାଇ ସବୁ ରୁପାକୁ ରେଙ୍ଗାଲି ଅବକାରୀ ବିଭାଗ ଅଫିସକୁ ନିଆଯାଇଥିଲା l ସମ୍ବଲପୁର ସିଟି ଜିଏସଟିର ଏକ ଟିମ ଘଟଣା ସ୍ଥଳକୁ ଯାଇ ଅଟକ ଲୋକଙ୍କୁ ପଚରା ଉଚରା ଜାରି ରଖିଛି lଅବକାରୀ ବିଭାଗ ଅଧିକ୍ଷକ ଅଶୋକ ସେଠଙ୍କ ସୂଚନା ଅନୁସାରେ ଏହି ରୁପା ମହାରାଷ୍ଟ୍ରର ନାଶିକରୁ ରାଞ୍ଚିକୁ ଯାଉଥିଲା l ଅଟକ ଯୁବକ ଜଣକ ହେଲେ ଡ୍ରାଇଭର ସଂଜୟ ପଟେଲ ଓ ସହଯୋଗୀ ଚନ୍ଦ୍ରକାନ୍ତ ପଟେଲ l ଅବକାରୀ ବିଭାଗର ଟିମ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ନିୟମିତି ଯେମିତି ସମ୍ବଲପୁର- ଝାରସୁଗୁଡା ରାସ୍ତା ଓ ସମ୍ବଲପୁର ରେଢ଼ାଖୋଲ ରାସ୍ତାରେ ଗାଡି ଗୁଡିକର ଯାଞ୍ଚ କରିଥାଏ, ସେହିପରି ଆଜି ମଧ୍ୟ ଶାସନ ଟୋଲ ଗେଟ ଠାରେ ଗାଡି ଗୁଡିକର ଯାଞ୍ଚ କରୁଥିଲା l ତେବେ ଏକ ମହିନ୍ଦ୍ର ସ୍କୋର୍ପିଓ ଗାଡିରେ ସନ୍ଦେହ ହେବାରୁ ଅବକାରୀ ଟିମ ଗାଡିଟିର ଯାଞ୍ଚ କରିଥିଲା l

State

ସମର୍ଥ ର ରୋପ୍ୟ ଜୟନ୍ତି ଉତ୍ସଵ : ସମାଜର ମୁଖ୍ୟ ସ୍ରୋତରେ ଭିନ୍ନକ୍ଷମଙ୍କୁ ଅଗ୍ରିମ ଲକ୍ଷ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଦ୍ୱାରା ପରିଚାଳିତ ସମର୍ଥ ମାନସିକ ଅନଗ୍ରସର ଓ ସମର୍ଥ ମସ୍ତିସ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ଦୁଇଟିର ରୌପ୍ୟ ଜୟନ୍ତୀ ପ୍ରତିଷ୍ଠା ଦିବସ ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ଠାରେ ମହାସମାରୋହରେ ବୁଧବାର ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ବିଭାଗର ନିର୍ଦେଶିକା ଶ୍ରୀମତି ନିୟତି ପଟ୍ଟନାୟକ ଯୋଗଦେଇ ଭିନ୍ନକ୍ଷମମାନଙ୍କ ପ୍ରତି ବିଭାଗର ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଓ ସମର୍ଥ ପ୍ରତି ବିଭାଗର ସହଯୋଗିତା ଉପରେ ଆଲୋକପାତ କରିଥିଲେ l ସେହିପରି ମୁଖ୍ୟବକ୍ତା ଭାବେ ବିଭାଗର ଉପ ସଚିବ ତଥା ଓଡ଼ିଶାର ପ୍ରଥମ ଦୃଷ୍ଟିହୀନ ପ୍ରଶାସନିକ ଅଧିକାରୀ ଶ୍ରୀ ସନ୍ୟାସ କୁମାର ବେହେରା ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟର ଆବଶ୍ୟକତା ଓ ଭିନ୍ନକ୍ଷମ ପିଲାଙ୍କ ପ୍ରତି ସମର୍ଥର ଅବଦାନ ଉପରେ ଆଲୋକପାତ କରିଥିଲେ | ଟାଟା ଷ୍ଟିଲ ଫାଉଂଡେସନର CRS ମୁଖ୍ୟ ଶ୍ରୀଯୁକ୍ତ ଅକ୍ଷୟ ନାୟକ, ଛତ୍ରପୁର ଆଇନଜିବି ସଂଘର ସଭାପତି ଶ୍ରୀ ପ୍ରଦୀପ କୁମାର ପାଢି ଓ ବ୍ରହ୍ମପୁର ସ୍ଥିତ ସ୍ଵେଛାସେବି ଅନୁଷ୍ଠାନ ମହାନ ସଂଘର ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାବତ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟଗୁଡିକ ପ୍ରଶଂସା କରିବା ସହ ଦୀର୍ଘ ୨୫ ବର୍ଷ ଧରି ବିଦ୍ୟାଳୟ ଦୁଇଟି କେତେ କଷ୍ଟ କରି ଏହି ସ୍ତରରେ ପହଂଚି ପାରିଛନ୍ତି ତାହା ଉପରେ ଆଲୋକପାତ କରିଥିଲେ |


ଉକ୍ତ କାର୍ଯ୍ୟ କ୍ରମରେ ୨୫ ବର୍ଷର ସମସ୍ତ ପୁରୁଣା ଛାତ୍ର ଛାତ୍ରୀ ଓ ବର୍ତମାନର ଛାତ୍ର ଛାତ୍ରୀ କରାଯିବ ସଙ୍ଗେ ସଙ୍ଗେ ସମର୍ଥର ଯେଉଁ ଛାତ୍ର ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ବିଭିନ୍ନ କ୍ଷେତ୍ରରେ କ୍ଷତି ଅର୍ଜନ କରିଥିବା ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ୱ, ବିଶିଷ୍ଟ ସମାଜସେବୀ ଓ ଛତ୍ରପୁର ପ୍ରେସ୍ର କ୍ଲବ ର ସଭାପତି ଓ ସମ୍ପାଦକଙ୍କୁ ମଧ୍ୟ ସନ୍ନମାନିତ କରାଯାଇଥିଲା I ସମର୍ଥର ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଡାକ୍ତର କେ ଆନନ୍ଦ ରାଓ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମକର୍ତ୍ତାମାନେ ତାଙ୍କୁ ସହଯୋଗ କରିଥିଲେ I ଶେଷରେ ଡାକ୍ତର କେ ଆନନ୍ଦ ରାଓଙ୍କ ୪୪ ବର୍ଷର ସଂଘର୍ଷ ଓ ୨୫ ବର୍ଷର ସମର୍ଥ ରୂପକ ବିଦ୍ୟାଳୟର ଅବଦାନ ଯୋଗୁଁ ସମର୍ଥର ପୂର୍ବତନ ଛାତ୍ର ଛାତ୍ରୀମାନେ ଡାକ୍ତର କେ ଆନନ୍ଦ ରାଓଙ୍କୁ ସମ୍ବର୍ଧନା କରିଥିଲେ I

Farming,State

ଆକାଶ ଛୁଆଁ ପରିବା ଦର

Blog Thumbnail

ଦ କୁଇଭର ବ୍ୟୁରୋ : ଆକାଶ ଛୁଆଁ ପରିବା ଦର। ବ୍ୟବସାୟୀ ପରିବା କିଣିବାକୁ ଡରୁଛନ୍ତି, ବିକିବେ କ'ଣ। ଲଗାଣ ବର୍ଷା ଆଉ ଡ୍ରାଇଭର ସଙ୍ଘର ଧର୍ମଘଟ ଯୋଗୁଁ ବଜାରକୁ ପରିବା ଆସୁନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଯାହାବି ଯେତିକି ଆସୁଛି ତାହା ବାଟରେ ପଚି ନଷ୍ଟ ହେଉଛି । ନିତ୍ୟଦିନ ପରିବା ଆକାଶ ଛୁଆଁ ହୋଇଥିବାରୁ ହାଣ୍ଡିଶାଳରେ ମହଙ୍ଗା ମାଡ଼ ହୋଇଛି । ଅନ୍ୟପକ୍ଷରେ ନିଜେ କ୍ଷତି ସହି କେମିତି କମ ଦାମରେ ବିକିବୁ ବୋଲି ପ୍ରଶ୍ନ କରିଛନ୍ତି ପରିବା ବ୍ୟବସାୟୀ ।ସେପଟେ ବଜାରରେ ବିନସ୍ ୧୨୦ ଟଙ୍କା ଥିବା ବେଳେ ବାଇଗଣ କିଲୋ ୧୦୦ଟଙ୍କା ରହିଛି । ପୋଟଳ କିଲୋ ୮୦ଟଙ୍କା ଏବଂ ଜହ୍ନି, କଲରା, ଭେଣ୍ଡି, ଗାଜର ଆଦି ପରିବାର କିଲୋ ପ୍ରତି ୫୦ ଟଙ୍କା ଉପରେ ରହିଛି । ସେହିପରି ଝୁଡ଼ଙ୍ଗ, ଖମ୍ବଆଳୁ, ସାରୁ, ଟମାଟୋ ଆଦି ପରିବା କିଲୋ ପ୍ରତି ୪୦ ଟଙ୍କା ଉପରେ ରହିଛି ।