ପୁରୀ( ଦ କୁଇଭର ):- ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହା ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ଥିଲା। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ ଥିଲା। ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ସାରି ନାକଚଣା ଦ୍ୱାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଥିଲା। ବ୍ୟବସ୍ଥାବଳୀ ମୁତାବକ, ଭକ୍ତମାନେ ଭୋର ୫ଟାରୁ କେବଳ ବାହାରକାଠ ନିକଟରେ ଦର୍ଶନ କରିଥିଲେ। ସନ୍ଧ୍ୟା ଦର୍ଶନ ପାଇଁ ଟିକେଟ୍ଧାରୀ ଗର୍ଭଗୃହକୁ ପ୍ରବେଶ କରିପାରିବାକୁ ବାରଣ କରାଯାଇଥିଲା। ମାତ୍ର ସେବକ ପରିବାରର ମହିଳାମାନଙ୍କୁ ଏହି ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଇଥିଲା। ଦର୍ଶନ ବନ୍ଦ ରହିଲେ ମଧ୍ୟ ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ। ଏଣେ ଶରଧାବାଲି ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଦିନ ତିନି ରଥର ଦକ୍ଷିଣ ମୋଡ଼ ନୀତି ସରିଛି। ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା। ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ମଙ୍ଗଳ ଆଳତି ଓ ଅନ୍ୟ ନୀତି ବଢ଼ିଥିଲା। ସକାଳ ୭ଟାରେ ବେଶ ଶେଷ ସହ ହେବ। ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସଂପନ୍ନ ସହ ଅନ୍ୟ ନୀତି ବଢ଼ିବ। ଅପରାହ୍ଣ ୨ଟାରୁ ସାଢ଼େ ୩ଟା ଦ୍ୱିତୀୟ ଭୋଗମଣ୍ଡପ, ୫ଟାରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ନୀତି ସହ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟାରେ ଭକ୍ତଙ୍କ ଦର୍ଶନ ବନ୍ଦ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ ହେବ। ଆସନ୍ତା ୫ ତାରିଖରେ ବାହୁଡ଼ା ନୀତି ଶେଷ ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା ପରେ ୬ ତାରିଖରେ ସୁନାବେଶ, ୭ ତାରିଖରେ ଅଧରନୀତି, ୮ ତାରିଖରେ ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ।