ବ୍ରହ୍ମପୁର( ଦ କୁଇଭର):- ମଦ୍ୟପାନ କରି ଗାଡି ଚାଳନା ଏବଂ ତିନିଜଣ ଥାଇ ଗାଡି ଚାଳନା କରିବା ବିରୁଦ୍ଧରେ ଅଭିଯାନରେ, ବ୍ରହ୍ମପୁର ପୋଲିସ ସମେତ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଗତ ଦୁଇ ଦିନ ଧରି ସ୍ୱତନ୍ତ୍ର ଅଭିଯାନ ଚଳାଇଛି।ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ୨୬ଜଣ ବ୍ୟକ୍ତିଙ୍କୁ ଅନୁମତି ପ୍ରାପ୍ତ ସୀମାଠାରୁ ଅଧିକ ମଦ୍ୟପାନ କରି ଗାଡି ଚାଳନା କରୁଥିବା ଧରାପଡ଼ିଛି। ଏହି ଆରୋହୀମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇଛି ଏବଂ ସେମାନଙ୍କ ଯାନବାହନ ଜବତ କରାଯାଇଛି।ସେହିପରି ତିନିଜଣ ଥିବା ଗାଡି ଚାଳନା ବା ଗୋଟିଏ ମୋଟର ସାଇକେଲରେ ତିନିଜଣ ବସାଇ ଗାଡି ଚଳାଇବା ଏବଂ ଗାଡି ଚାଳନା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ବିରୁଦ୍ଧରେ ଏକକାଳୀନ ଅଭିଯାନ କରା ଯାଇଥିଲା।ଏହି ପ୍ରକାରର ମୋଟ ୪୭ ଟି ଉଲ୍ଲଂଘନ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ ଅପରାଧ ମାମଲା ପଞ୍ଜିକୃତ ହୋଇଛି ଏବଂ ଯାନବାହନ ଜବତ କରାଯାଇଛି।
ସେହିପରି କେବଳ ୨ ଦିନରେ, ଟ୍ରାଫିକ ପୋଲିସ ୯ ଟି ମଦ୍ୟପାନ କରି ଗାଡି ଚାଳନା ମାମଲା ଚିହ୍ନଟ କରିଛି, ବଡବଜାର ପୋଲିସ ୫ ଟି,ଟାଉନ ପୋଲିସ ୪ ଟି,ଜରଡା ପୋଲିସ ୩ ଟି, ଦିଗପହଣ୍ଡି ପୋଲିସ ୨ ଟି ମଦ୍ୟପାନ କରି ଗାଡି ଚାଳନା ମାମଲା ଚିହ୍ନଟ କରିଛି। ଟ୍ରାଫିକିଙ୍ଗ ସମୟରେ ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ ଟ୍ରାଫିକ୍ ଆଇନକୁ ସମ୍ମାନ ଦିଅନ୍ତୁ ଏବଂ ସମସ୍ତଙ୍କ ପାଇଁ ସୁରକ୍ଷିତ ରାସ୍ତା ସୁନିଶ୍ଚିତ କରିବା ପାଇଁ ପୋଲିସ ପ୍ରଶାସନର ପ୍ରୟାସକୁ ସମର୍ଥନ କରନ୍ତୁ ବୋଲି ପୋଲିସ ସୂଚନା ଦେଇଛି l
No comments yet.
State
ଦ କୁଇଭର ବ୍ୟୁରୋ:- ୭୯ ଜଣ ଡିଏସପି ରାଙ୍କ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର । ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞିପ୍ତି । ୭୯ ଡିଏସପି ଓ ଏସଡିପିଓ ସ୍ତରରେ ଅଦଳବଦଳ । ଭଦ୍ରକ ସିଟି ଡିଏସ୍ ପି ହେଲେ ସୁଧାଂଶୁ ଭୂଷଣ ଜେନା । ଶରତ ଚନ୍ଦ୍ର ପାତ୍ର ହେଲେ ଏସିପି, ପୋଲିସ କମିଶନରେଟ । ସେହିପରି ବିଜୟିନୀ ମଲ୍ଲଙ୍କୁ କମିଶନରେଟ ପୋଲିସରେ ଏସିପି ନିଯୁକ୍ତି ମିଳିଛି । ସତ୍ୟରଞ୍ଜନ ପ୍ରଧାନଙ୍କୁ ପୋଲିସ କମିଶନରେଟ ଏସିପି ଦାୟିତ୍ବ ଦିଆଯାଇଛି । ବିଶ୍ବଜିତ ମନବୋଧା ମଧ୍ୟ ଏସିପି, ପୋଲିସ କମିଶନରେଟ ନିଯୁକ୍ତ ହୋଇଛନ୍ତି । ଅଭିମନ୍ୟୁ ନାୟକ ହେଲେ ଏସିପି, ପୋଲିସ କମିଶନରେଟ । ତ୍ରିପତି ଚୌଧୁରୀଙ୍କୁ ବ୍ରହ୍ମପୁର ଟ୍ରାଫିକ ଡିଏସ୍ ପି ଦାୟିତ୍ବ ଦିଆଯାଇଛି । ଲକ୍ଷ୍ମୀପୁର ଏସଡିପିଓ ହେଲେ ମନୋଜ କୁମାର ବେହେରା ।
State,Shree Jagannath
ଦ କୁଇଭର ବ୍ୟୁରୋ:- ଆଜି ପବିତ୍ର ହେରା ପଞ୍ଚମୀ । ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସାଙ୍ଗରେ ଆଣିନଥିବାରୁ ରଥ କାଠ ଭାଙ୍ଗିବେ ଅଭିମାନିନୀ ମା ଲଷ୍ମୀ । ଭାଇ ଭଉଣୀଙ୍କୁ ରଥରେ ନେଇ ଜନ୍ମବେଦୀକୁ ଆସିଛନ୍ତି । ଅଥଚ ହଟିଆ ଠାକୁର ନିଜ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଥିରେ ଆଣି ନାହାଁନ୍ତି । ଏଣେ ସ୍ବାମୀଙ୍କ ଅନୁପସ୍ଥିତିରେ ବିରହ ବିଧୁରା ଲକ୍ଷ୍ମୀ ଠାକୁରାଣୀ ମନର ବ୍ୟଥା ଭଉଣୀ ସ୍ବରୂପା ମା ବିମଳା ଦେବୀଙ୍କ ନିକଟରେ ବଖାଣିଛନ୍ତି । ପ୍ରତିକାର ବି ଲୋଡ଼ିଛନ୍ତି । ପରାମର୍ଶ ପାଇବା ପରେ ରଥ ନିକଟକୁ ଆସି ଲକ୍ଷ୍ମୀ ଠାକୁରାଣୀ ଗୋଡ଼ ଟେକି ବସିଲେଣି । ହେରା ପଞ୍ଚମୀରେ ମା ଖାଲି ମହାପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରିବେ ନାହିଁ, ବରଂ ଆସିଲା ବେଳେ ଅଭିମାନରେ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଦେଇ ଫେରିବେ । ପତି-ପତ୍ନୀଙ୍କ ମଧ୍ୟରେ ଅଭିମାନ ଓ ରୋଷର ଏହି ମାନବୀୟ ଲୀଳା ଦର୍ଶନ କରିବାକୁ ଭକ୍ତମାନେ ବି ଚାହିଁ ବସିଛନ୍ତି । ଆଜି ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରିବେ । ପରେ ବନକଲାଗି ହୋଇ ପାଟ ଶାଢ଼ି ଏବଂ ଅଳଙ୍କାର ଲାଗି ହୋଇ ବେଶ ବଢ଼େ । ପୂଜାପଣ୍ଡା ସେବକଙ୍କ ଦ୍ବାରା ପନ୍ତି ଭୋଗ କରାଯାଏ । ପରେ ବଟ ବୃକ୍ଷ ତଳେ ଥିବା ବିମାନକୁ ଲକ୍ଷ୍ମୀ ବିଜେ କରିଥାଆନ୍ତି । ମାଁଙ୍କୁ ବିମାନରେ ବିମାନ ବଡ଼ୁ ସେବକମାନେ ଘଣ୍ଟ, କାହାଳି, ଛତା ମଧ୍ୟରେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଖକୁ ଆଣିଥାଆନ୍ତି । ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟ ବିଜୟ ଦ୍ବାର ନିକଟକୁ ଆସିଥାଆନ୍ତି । ଶ୍ରୀଜଗନ୍ନାଥଙ୍କ ଅଙ୍ଗରୁ ଆଜ୍ଞାମାଳ ଆସି ମହାଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢ଼ି ଟେରା ପଡ଼େ । ନୀତି ଶେଷ ହେବା ପରେ ମହାଲକ୍ଷ୍ମୀଙ୍କ ବିମାନ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡେ ଭାଙ୍ଗିବା ପରେ ହେରା ଗୋହିରୀ ବାଟେ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରକୁ ନିଆଯାଏ l
International,National
ଦ କୁଇଭର ବ୍ୟୁରୋ:- କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏବଂ ତାଙ୍କ ଆକ୍ସିଅମ୍-୪ ଦଳକୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ରେ ସ୍ୱାଗତ କରାଯାଇଥିଲା। ଭାରତର ପ୍ରଥମ ମହାକାଶଚାରୀ ଶୁଭାଂଶୁ ତାଙ୍କ କ୍ରୁ ସହିତ ଅପରାହ୍ନ ୪:୧୦ରେ ସ୍ପେସ୍ଏକ୍ସ ଡ୍ରାଗନ୍ ମହାକାଶ ଯାନରେ ସଫଳତାର ସହ ଡକିଂ କରିଥିଲେ ।ସେମାନଙ୍କୁ ଆଲିଙ୍ଗନ କରି ସ୍ୱାଗତ କରାଯାଇଥିଲା, ଯାହା ଏହି ଐତିହାସିକ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଥିଲା । ଡକିଂ ପରେ, ୧-୨ ଘଣ୍ଟାର ସୁରକ୍ଷା ଯାଞ୍ଚ ସମାପ୍ତ ହେବା ପରେ ହ୍ୟାଚ୍ ଖୋଲାଯାଇଥିଲା ।ଶୁଭାଂଶୁ ଏବଂ ତାଙ୍କ ଦଳକୁ ଆଲିଙ୍ଗନ କରି ସ୍ୱାଗତ କରାଯାଇଥିଲା। ପେଗି ହ୍ୱିଟସନ ଶୁଭାଂଶୁଙ୍କୁ ଆଲିଙ୍ଗନ କରି କହିଥିଲେ ଯେ ଆମର ନୂତନ ବନ୍ଧୁଙ୍କୁ ସ୍ୱାଗତ । ସେ ଶୁଭାଂଶୁଙ୍କୁ ମହାକାଶ କେନ୍ଦ୍ରକୁ ଆସିବା ପାଇଁ ମହାକାଶଚାରୀ ସଂଖ୍ୟା ୬୩୪ର ବ୍ୟାଜ୍ ଦେଇଥିଲେ। ISS କ୍ରୁ ତାଙ୍କୁ ପାଣି ପାଉଚ୍ ଏବଂ ସ୍ୱାଦଯୁକ୍ତ ପାନୀୟ (ଯେପରିକି ଲେମ୍ବୁ ପାଣି) ପ୍ରଦାନ କରିଥିଲେ, ଯାହା ମାଇକ୍ରୋଗ୍ରାଭିଟିରେ ଏକ ଷ୍ଟ୍ର ମାଧ୍ୟମରେ ପିଇ ଦିଆଯାଇଥିଲା ।
ଶୁଭାଂଶୁ କହିଛନ୍ତି ଯେ ମୋ କ୍ରୁ ଏବଂ ISS ଦଳର ଏଭଳି ସ୍ୱାଗତ ଦେଖି ମୁଁ ବହୁତ ଖୁସି । ଏହା ମୋ ଏବଂ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଡକିଂ ପରେ, ଶୁଭାଂଶୁ ଏବଂ ତାଙ୍କ ଦଳ ୧୪ ଦିନ ପାଇଁ ISS ରେ ରହିବେ। ଶୁଭାଂଶୁ କହିଛନ୍ତି ଯେ ମୋର ପ୍ରିୟ ଦେଶବାସୀଗଣ, ଆପଣଙ୍କ ଆଶୀର୍ବାଦରେ, ମୁଁ ଏଠାରେ ସୁରକ୍ଷିତ ଭାବରେ ପହଞ୍ଚିଛି ।ଶୁଭାଂଶୁ ଭାସିବାରୁ ରକ୍ଷା ପାଇବା ପାଇଁ କାନ୍ଥର ହ୍ୟାଣ୍ଡେଲ ଏବଂ ପାଦ ଲୁପ୍ ବ୍ୟବହାର କରିବେ । ସେ ଭେଲ୍କ୍ରୋ ଷ୍ଟ୍ରାପ୍ ସହିତ ଏକ ସ୍ଲିପିଂ ବ୍ୟାଗରେ ଶୋଇବେ । ସେ ଜିମ୍ରେ ଟ୍ରେଡମିଲ୍ ଏବଂ ପ୍ରତିରୋଧ ମେସିନ୍ ବ୍ୟବହାର କରି ତାଙ୍କର ମାଂସପେଶୀକୁ ଶକ୍ତିଶାଳୀ ରଖିବେ। ଶୁଭାଂଶୁ କହିଛନ୍ତି ଯେ ଏଠାକୁ ଆସିବା ସହଜ ଦେଖାଯାଉଛି କିନ୍ତୁ ତାହା ନୁହେ । ମୁଣ୍ଡ ଟିକେ ଭାରୀ । କିନ୍ତୁ ଏହି କାମ ପାଇଁ ଏହା ବହୁତ ଛୋଟ ଜିନିଷ।ଶୁଭାଂଶୁ ତାଙ୍କ ସହିତ ଆମରସ, ଗଜର ହାଲୱା ଏବଂ ମୁଗ ଡାଲ ହାଲୱା ଆଣିଛନ୍ତି, ଯାହାକୁ ସେ କ୍ରୁ ସହିତ ବାଣ୍ଟିବେ। ଫ୍ରିଜ୍-ଶୁଖିଲା ମାଂସ, ଫଳ ଏବଂ ପନିପରିବା ମଧ୍ୟ ISS ରେ ଉପଲବ୍ଧ ହେବ। ଶୁଭାଂଶୁ ଏବଂ ତାଙ୍କ ଦଳ ୭ଟି ଭାରତୀୟ ପରୀକ୍ଷଣ ସମେତ ୬୦ଟି ବୈଜ୍ଞାନିକ ପରୀକ୍ଷଣ କରିବେ।ଶୁଭାଂଶୁ ବିହନ ଚାଷ କରି ମହାକାଶରେ ଚାଷ କରିବାର ସମ୍ଭାବନା ଉପରେ ଅନୁସନ୍ଧାନ କରିବେ। ସେ କଠୋର ପରିସ୍ଥିତିରେ ବଞ୍ଚି ରହିଥିବା କ୍ଷୁଦ୍ର ଜୀବମାନଙ୍କର ଅଧ୍ୟୟନ କରିବେ । ଶୁଭାଂଶୁଙ୍କ ପରୀକ୍ଷଣ ଭାରତର ମହାକାଶ ଭବିଷ୍ୟତକୁ ସୁଦୃଢ଼ କରିବ । ଏଥି ସହ ସେ କିବୋ ଲ୍ୟାବ (ଜାପାନୀ ମଡ୍ୟୁଲ୍)ରେ ମାଇକ୍ରୋସ୍କୋପ୍ ଏବଂ ବାୟୋରିଆକ୍ଟର ବ୍ୟବହାର କରିବେ।
National
କୋଲକାତା( ଦ କୁଇଭର ):- ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଘଟଣା ମନରୁ ଲିଭି ନଥିବାବେଳେ କୋଲକାତାର ଏକ ଲ’ କଲେଜରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଶାସକ ତୃଣମୂଳ କଂଗ୍ରେସର ଛାତ୍ର ସଂଗଠନ ନେତା। ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ୫ଦିନିଆ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ବୁଧବାର ସନ୍ଧ୍ୟା ସାଢ଼େ ୭ଟାରୁ ୧୦ଟା ୫୦ ମଧ୍ୟରେ ସାଉଥ୍ କୋଲକାତା ଲ’ କଲେଜ ପରିସରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଅଭିଯୋଗ ପରେ ୨ ଜଣ ଛାତ୍ର ଓ ଜଣେ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିଲା। କର୍ମଚାରୀଜଣକ କଲେଜର ଜଣେ ପୂର୍ବତନ ଛାତ୍ର ଓ ତୃଣମୂଳ କଂଗ୍ରେସର ଛାତ୍ର ଶାଖା ନେତା। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ବର୍ଷୀୟା ଯୁବତୀ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ କଲେଜରେ ପହଞ୍ଚିଥିଲେ। ସେ ପ୍ରଥମେ କଲେଜ ୟୁନିୟନ୍ ରୁମ୍ ଭିତରେ ବସିଥିଲେ। ପରେ ମୁଖ୍ୟ ଅଭିଯୁକ୍ତ ମୁଖ୍ୟ ଗେଟ୍ରେ ତାଲା ପକାଇ ଅନ୍ୟ ଦୁଇ ଛାତ୍ରଙ୍କ ସହ ମିଶି କ୍ୟାମ୍ପସ୍ରେ ଥିବା ସିକ୍ୟୁରିଟି ଗାର୍ଡ ରୁମ୍ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏତଲା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କଲେଜର ପୂର୍ବତନ ଛାତ୍ର ତଥା ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (ଟିଏମ୍ସିପି)ର ଦକ୍ଷିଣ କୋଲକାତା ଜିଲ୍ଲାର ବର୍ତ୍ତମାନର ସାଧାରଣ ସମ୍ପାଦକ ୩୧ ବର୍ଷୀୟ ମନୋଜିତ ମିଶ୍ର। ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ପ୍ରଥମ ବର୍ଷର ଛାତ୍ର ୧୯ ବର୍ଷୀୟ ଜାଇବ ଅହମ୍ମଦ ଓ ଅନ୍ୟ ଜଣେ ଛାତ୍ର ୨୦ ବର୍ଷୀୟ ପ୍ରମିତ ମୁଖାର୍ଜୀ। ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ମିଶ୍ର ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତାଙ୍କର ଅନ୍ୟ ପ୍ରେମିକ ଥିବା କହି ସେ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ସେ ରାଗି ଯାଇଥିଲେ। ଏହାପରେ ଅଭିଯୁକ୍ତମାନେ ତାଙ୍କୁ ଜୋରଜବରଦସ୍ତ କୋଠରି ଭିତରେ ବନ୍ଦ କରି ଦେଇଥିଲେ ଏବଂ ତାଙ୍କୁ ଓ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିବା ସହ ତାଙ୍କ ପିତାମାତାଙ୍କୁ ଗିରଫ କରାଇବାକୁ ଧମକ ଦେଇଥିଲେ। ଅଭିଯୁକ୍ତମାନେ ଏହି କାର୍ଯ୍ୟର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ ଏବଂ ସହଯୋଗ ନ କଲେ ସେଗୁଡ଼ିକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ପୀଡ଼ିତାଙ୍କ କହିବାନୁସାରେ, ସେ ଲଢ଼େଇ କରି ଖସିଯିବାକୁ ଚେଷ୍ଟା କରିଥିଲେ; କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ହକି ଷ୍ଟିକ୍ରେ ଆକ୍ରମଣ କରି ଆହତ କରିଥିଲେ।
ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ କୋଲକାତାର କସବାସ୍ଥିତ ଏକ ସିଗ୍ନାଲ୍ କ୍ରସିଂରୁ ଦୁଇ ଅଭିଯୁକ୍ତ ମନୋଜିତ ମିଶ୍ର ଓ ଜାଇବ ଅହମ୍ମଦକୁ ଗିରଫ କରାଯାଇଛି। ତୃତୀୟ ଅଭିଯୁକ୍ତ ପ୍ରମିତ ମୁଖାର୍ଜୀକୁ ଗୁରୁବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ତାଙ୍କ ବାସଭବନରୁ ଗିରଫ କରାଯାଇଛି। ଏହି ଘଟଣାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ତୃଣମୂଳ କଂଗ୍ରେସ ଏହି ଘଟଣାକୁ ନିନ୍ଦା କରିବା ସହ ନ୍ୟାୟ ପାଇଁ ପ୍ରତିଶ୍ରୁତି ଦେଇଛି। ସେପଟେ ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସମେତ ଏକାଧିକ ତୃଣମୂଳ ନେତାଙ୍କ ସହ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କ ଫଟୋ ସେୟାର କରି ବିଜେପି ଜବାବ ମାଗିଛି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏହି ଘଟଣା ପାଇଁ ପୁଲିସକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସମଗ୍ର କୋଲକାତା ପୁଲିସକୁ ଦୀଘା (ରଥଯାତ୍ରା ପାଇଁ) ନିଆଯାଇଛି। ସେଠାରେ କ’ଣ କରୁଛି କୋଲକାତା ପୁଲିସ? ମୁଖ୍ୟମନ୍ତ୍ରୀ ତାଙ୍କ ପଦରେ ରହିବାର ନୈତିକତା ହରାଇଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମହିଳା ଆୟୋଗ (ଏନ୍ସିଡବ୍ଲ୍ୟୁ) କୋଲକାତା ପୁଲିସ କମିସନରଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନର ରିପୋର୍ଟ ମାଗିଛନ୍ତି।
State
ଭୁବନେଶ୍ୱର ( ଦ କୁଇଭର ):- BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ ଚାମ୍ବର ଭିତରେ ମରାଣାନ୍ତକ ଆକ୍ରମଣ ହୋଇଥିବା ଭିଡିଓ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲିବାରେ ଲାଗିଛି । BMC ଅଫିସ୍ ଭିତରେ ସୋମବାର ଜନଶୁଣାଣି ଚାଲିଥିବା ବେଳେ ୬ ରୁ ୭ ଜଣ ଦୁର୍ବୃତ୍ତ ଅତି ଅମାନୁଷିକ ଭାବେ ଅତିରିକ୍ତ କମିଶନରଙ୍କୁ ପିଟିଥିଲେ। ତାଙ୍କୁ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାରିବାକୁ ପଛାଇନଥିଲେ। ଏପଟେ ଘଟଣା ପରେ ରତ୍ନାକର ସାହୁ ଥାନାରେ ଏତଲା ଦେଇଛନ୍ତି। ଖାରବେଳ ନଗର ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଘଟଣାର ଅନୁସଂଧାନ କରୁଛି l
ସୂଚନା ଅନୁସାରେ,ସମୟ ଦିନ ପ୍ରାୟ ସାଢ଼େ ୧୧ଟା। ଭୁବନେଶ୍ବର ସତ୍ୟନଗର ସ୍ଥିତ ବିଏମସି ଅଫିସ ଭିତରେ ଚାଲିଥିଲା ଜନଶୁଣାଣି। ଏହି ସମୟରେ ହଠାତ ଅଫିସ ଭିତରକୁ ପଶିଆସି ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ୫ରୁ ୬ ଜଣ ଦୁର୍ବୃତ୍ତ। ଧଳା ସାର୍ଟ୍ ପିନ୍ଧା ଯୁବକମାନେ ସଂଘବଦ୍ଧ ଆକ୍ରମଣ ବେଳେ ଏତେ ହିଂସ୍ର ହୋଇ ପଡ଼ିଥିଲେ ଯେ, ଜଣେ ଓଏଏସ୍ ଅଧିକାରୀଙ୍କୁ ତଳେ ପକାଇ ତାଙ୍କ ମୁହଁକୁ ଗୋଇଠା ମାରିବାକୁ ବି ପଛାଇ ନଥିଲେ। ଲୋକସେବା ଭବନଠୁ ଅଳ୍ପ ଦୂର ଆଉ ଖାରବେଳ ନଗର ଥାନାଠୁ ମାତ୍ର କେଇ ମିଟର ଦୂରରେ ଥିବା ବିଏମସି ଅଫିସ ଭିତରେ ସବୁ ହିତାହିତ ଜ୍ଞାନ ଭୁଲି ଜଣେ ସରକାରୀ ଅଧିକାରୀଙ୍କୁ ଅମଣିଷ ଭଳି ପିଟି ଚାଲିଥିଲେ। ଘଟଣା ପରେ ଥାନାରେ ଏତଲା ଦେଇଛନ୍ତି ଅତିରିକ୍ତ କମିଶନର ରତ୍ନାକର ସାହୁ। ଦର୍ଶାଇଛନ୍ତି, ୬ରୁ ୭ ଜଣ ଅଜଣା ବ୍ୟକ୍ତି ହଠାତ୍ ଅଫିସ୍ ଭିତରକୁ ପଶିଆସି, ଜଗନ୍ନାଥ ପ୍ରଧାନଙ୍କ ସହ କଥା ହୋଇଥିଲେ କି ବୋଲି ବଡ଼ ପାଟିରେ ପଚାରିଥିଲେ। ସେ ଟେଲିଫୋନ୍ରେ କଥା ହୋଇଥିବା କହିବା ପରେ, ହଠାତ୍ ସେମାନେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। ୨୯ ନମ୍ବର ୱାର୍ଡର କର୍ପୋରେଟର ଜୀବନ ରାଉତଙ୍କ ସାମ୍ନାରେ ସେମାନେ ତାଙ୍କୁ ପିଟିଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଯୁବକମାନେ ତାଙ୍କୁ ଜୋରଜବରଦସ୍ତ ଟାଣି ନେଇ ଜଗନ୍ନାଥ ପ୍ରଧାନଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରୁଥିଲେ ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି l
ଅନ୍ୟପଟେ ଅତିରିକ୍ତ କମିଶନରଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଏମସି କର୍ମଚାରୀ। ଯେ ପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ସେପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଘଟଣାକୁ ନିନ୍ଦା କରିବା ସହ ସୁରକ୍ଷା ଦାବି କରିଛନ୍ତି। ସେପଟେ ସ୍ଥିତିକୁ ଦେଖି ବିଏମସି ଅଫିସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି l
ତେବେ ପୋଲିସ ବର୍ତମାନ ୩ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି l
Shree Jagannath
ପୁରୀ ( ଦ କୁଇଭର ):- ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା । ତିନି ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକ ମାନେ ହେଲେ ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଓ ପ୍ରଭାତୀ ଦାସ ।ସୂଚନା ଅନୁସାରେ ଆଜି ଭୋର ୪ ସମୟରେ ଏପରି ଅଘଟଣ ଘଟିଛି । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି । ପ୍ରବଳ ଜନସମାଗମ ଯୋଗୁଁ ଦଳାଚକଟା ହୋଇଛି । ଯେଉଁ ସ୍ଥାନରେ ଦଳାଚକଟା ହୋଇଛି ସେଠାରେ ପ୍ରଶାସନ ତରଫରୁ ପୂର୍ବରୁ କୌଣସି ସୁରକ୍ଷା କିମ୍ବା ପୋଲିସ ବାହନୀ ସେଠାରେ ଉପସ୍ଥିତ ନଥିଲେ । ଯେଉଁ କାରଣରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ଠେଲାପେଲା-ଦଳାଚକଟା ହୋଇଥିଲା ।
ସେହିପରି ରଥଯାତ୍ରା ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ରଥ ନଗଡ଼ିବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଥିଲା । ଯଦିଓ ମହାପ୍ରଭୁଙ୍କ ପହଣ୍ଡିଠୁ ଆରମ୍ଭ କରି ସମସ୍ତ ପ୍ରକାରର ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହୋଇଥିଲେ ମଧ୍ୟ ଭିଡ଼ ନିୟନ୍ତ୍ରଣରେପୋଲିସ କାହିଁକି ବିଫଳ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।ଏହା ପର ଦିନ ମନ୍ଦିର ପ୍ରଶାସନ ପକ୍ଷରୁ ଦ୍ୱିତୀୟ ଦିନରେ ରଥଟଣା କାର୍ଯ୍ୟ ପ୍ରାୟ ସକାଳ ୯ଟା ୫୦ମିନିଟରେ ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ନନ୍ଦିଘୋଷଙ୍କ ରଥ ଦିନ ପ୍ରାୟ ୧ଟା ୧୦ମିନିଟରେ ଶରଧାବାଲିରେ ପହଂଚିଥିଲା । ଏହାପୂର୍ବରୁ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଶରଧାବାଲିରେ ପହଂଚିଥିଲା ।
Shree Jagannath
ପୁରୀ( ଦ କୁଇଭର):- ଆଜି ହେଉଛି ପବିତ୍ର ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା । ସେ କୋଟି ବ୍ରହ୍ମାଣ୍ଡର ମଉଡମଣି । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ବାହାରି ପଡିବେ କାଳିଆ ସାଆନ୍ତେ । ରଥ ପଥ ସବୁ କିଛି ପ୍ରସ୍ତୁତ । ଆକାଶରୁ ଝରି ପଡୁଛି ପୁଷ୍ପରୂପି ବର୍ଷା । ଆଉ ମହାପ୍ରଭୁଙ୍କ ଆଗମନ ପାଇଁ ଯେମିତି ଚାହିଁ ରହିଛି ଏ ଜଗତ ହଜାର ହଜାର ଭକ୍ତଙ୍କ ଲାଗିଲାଣି ଗହଳି । ସେପଟେ ବଡଦାଣ୍ଡ ଭକ୍ତିମୟ ହୋଇ ଉଠିଛି । ଝାଞ୍ଜ, କୀର୍ତ୍ତନ, ଜୟ ଜଗନ୍ନାଥ ଧ୍ବନିରେ ବଡ ଦାଣ୍ଡ କମ୍ପୁଛି । ଅନେକ ଭକ୍ତ ଭଗବାନ ବିଭିନ୍ନ ସ୍ଵରୂପ ବେଶ ହୋଇ ମହାପ୍ରଭୁଙ୍କ ରଥ ଆଗରେ ନୃତ୍ୟ ପରିବେଷଣ କରି ମହାପ୍ରଭୁଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦେଇଛନ୍ତି । ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନେ ମହାପ୍ରଭୁଙ୍କ ରଥ ଆଗରେ ନିଜର ନୃତ୍ୟ ପରିବେଷଣ କରି ନିଜକୁ ଧନ୍ୟ ମନେ କରୁଛନ୍ତି ।
ମହାପ୍ରଭୁଙ୍କ ପାଇଁ ପୁରୀରେ ପ୍ରବଳ ଭିଡ । ଭକ୍ତଙ୍କ ସମାଗମ ଦେଖି ଏମିତି ଲାଗୁଛି ସତେ ଯେମିତି ଜଗା ପାଇଁ ଜନଜୁଆର ବଡଦାଣ୍ଡରେ ଲହଡି ପିଟୁଛି । ଭକ୍ତିର ବଡଦାଣ୍ଡରେ ଭକ୍ତର ଭାବର ଜୁଆର ମହାପ୍ରଭୁଙ୍କ ଆଡକୁ ମାଡି ଯାଉଛି । କିଲୋମିଟର କିଲୋମିଟର ଯାଏଁ ଭିଡ । ଯୁଆଡେ ଚାହିଁଲେ ମାଳମାଳ ମୁଣ୍ଡ । କିଏ ଜଗା ପାଇଁ ଅପେକ୍ଷା କରିଛି ତ କିଏ ଜଗା ପାଇଁ ନାଚୁଛି । ପୁଣି କିଏ ରଥ ଦଉଡି ଛୁଇଁ ପୂଣ୍ୟ ଅର୍ଜିବ ବୋଲି ଅପେକ୍ଷା କରିଛି । ଶ୍ରୀମନ୍ଦିର ଆଗରେ, ତିନି ରଥ ସାମ୍ନାରେ ଏତେ ଭିଡ ଜନଜୁଆର ସୃଷ୍ଟି କରିଛି ।
ଏପଟେ ଆରମ୍ଭ ହୋଇଯାଇଛି ଶ୍ରୀଜିଉଙ୍କ ପହଣ୍ଡି । ଧାଡି ପହଣ୍ଡିରେ ପ୍ରଥମ ପ୍ରଭୁ ସୁଦର୍ଶନ ରଥରେ ବିରାଜମାନ କରିଛନ୍ତି । ପରେ ପରେ ପ୍ରଭୁ ବଡ ଠାକୁର ପହଞ୍ଚି ସାରିଛନ୍ତି । ପଛକୁ ପଛ ମାଆ ସୁଭଦ୍ରା ଆସିଲେଣି ଏବଂ ଶେଷରେ ମହାବାହୁ ଆସୁଛନ୍ତି ଏବଂ ବର୍ତ୍ତମାନ ରଥରେ ବିଜେ କରୁଛନ୍ତି । ଏଥିପାଇଁ ଖାଲି ନନ୍ଦିଘୋଷ ନୁହେଁ କୋଟି କୋଟି ଭକ୍ତ ଅପେକ୍ଷା କରିଛନ୍ତି ମହାବାହୁଙ୍କ ମହାଲୀଳା ଦେଖିବା ପାଇଁ l
Education
ଦ କୁଇଭର ବ୍ୟୁରୋ:- ରାଜ୍ୟର ଶିଶୁବାଟିକାଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା କାର୍ଯ୍ୟର ବୋଝ ହାଲ୍କା କରିବାରେ ସହାୟକ ହେବେ । ତେଣୁ ଶିକ୍ଷକମାନେ କେବଳ ଶିକ୍ଷା ଉପରେ ଦୃଷ୍ଟି କେନ୍ଦ୍ରୀତ କରିପାରିବେ । ଏହାଦ୍ୱାରା ପ୍ରାକ୍-ପ୍ରାଥମିକ ଶ୍ରେଣୀରେ ପିଲାଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ୪୫ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଶିଶୁବାଟିକା ଖୋଲାଯାଇଛି । ଏଥିରେ ୫ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍-ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଶିଶୁବାଟିକାରେ ପିଲାଙ୍କ ସଂଖ୍ୟାକୁ (Enrolment) ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଶିଶୁ ସେବିକା ନିଯୁକ୍ତି ନିଷ୍ପତ୍ତି ନିଆଯିବ ।ଛୋଟ ପିଲାମାନଙ୍କୁ ଶ୍ରେଣୀଗୃହରେ ପରିଚାଳନା କରିବା, ସେମାନଙ୍କ ଯତ୍ନ ନେବା ଏକ ଗୁରୁ ଦାୟିତ୍ୱ । ଶିକ୍ଷକମାନଙ୍କ ଉପରେ ଏ ଦାୟିତ୍ୱ ରହିଲେ ଶିକ୍ଷା କାର୍ଯ୍ୟ ବ୍ୟାହତ ହେବ । ସାରା ରାଜ୍ୟରେ ବିଭିନ୍ନ ଶିଶୁବାଟିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନରୁ (Situational Study of Sishu Vatikas across the state) ଜଣାଯାଇଛି ଯେ, ଶିକ୍ଷକମାନଙ୍କୁ ଅଣଶିକ୍ଷା କାର୍ଯ୍ୟରେ ସହାୟତା କରିବା ପାଇଁ ଶିଶୁବାଟିକା ମାନଙ୍କରେ ଶିଶୁସେବିକାମାନଙ୍କର ଆବଶ୍ୟକତା ରହିଛି ।ନିଷ୍ପତ୍ତି ଅନୁଯାୟୀ, ସରକାରୀ ବିଦ୍ୟାଳୟରେ ନିଯୁକ୍ତ ପାଚିକାମାନଙ୍କ ଯେଉଁ ହାରରେ ଦରମା ଦିଆଯାଉଛି, ଶିଶୁ ସେବିକାମାନଙ୍କୁ ସେହି ହାରରେ ଦରମା ଦିଆଯିବ। ସମଗ୍ର ଶିକ୍ଷାର ବଜେଟରୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ସେବିକାମାନେ ପିଲାମାନେ ଯେପରି ଇଆଡ଼େ ସେଆଡେ ବୁଲିବେ ନାହିଁ, ଶ୍ରେଣୀଗୃହ ଭିତରେ ସୁରକ୍ଷିତ ଭାବେ ରହିବେ, ତା’ଉପରେ ନଜର ରଖିବେ, ପିଲାଙ୍କ ହାତଧୂଆ, ଖାଇବା, ଟଏଲେଟ ଯିବା ଏବଂ ଶ୍ରେଣୀଗୃହରେ ବସିବା ଆଦି କାର୍ଯ୍ୟରେ ସହାୟତା କରିବା,ପିଲା କାନ୍ଦିଲେ କିମ୍ୱା ଅଝଟ ହେଲେ ସେମାନଙ୍କୁ ବୁଝେଇ ସୁଝେଇ ଶାନ୍ତ କରିବା, ପିଲାଙ୍କୁ ବହି, ଖେଳନା ଆଦି ବିଭିନ୍ନ ଶିକ୍ଷା ସହାୟକ ଜିନିଷ ଯୋଗାଇ ଦେବା,ପିଲା ଯଦି ବାହାରକୁ ଯିବେ କିମ୍ୱା ଟଏଲେଟକୁ ଯିିବେ, ତେବେ ସେବିକାମାନେ ପିଲାଙ୍କ ସହିତ ରହି ସେମାନଙ୍କୁ ସାହାଯ୍ୟ କରିବେ,ପିଲା ଯଦି କୌଣସି କାରଣରୁ ଅସୁସ୍ଥ ଥିବ, ମନଦୁଃଖରେ ଥିବ କିମ୍ୱା ଅବୁଝା ହେଉଥିବ ତେବେ ସେ ବିଷୟରେ ଶିକ୍ଷକଙ୍କୁ ଜଣାଇବା,ପ୍ରତ୍ୟେକ ପିଲାଙ୍କ ଦିନ କେମିତି କଟିଲା ସେ ସମ୍ପର୍କରେ ଗୋଟିଏ ଛୋଟ ନୋଟ ପ୍ରସ୍ତୁତ କରିବା, କୌଣସି ପରିସ୍ଥିତିରେ ଶିଶୁ ସେବିକାମାନେ ପିଲାଙ୍କ ପାଠପଢ଼ା ଦାୟିତ୍ୱ ନେବେ ନାହିଁ, ପିଲାମାନଙ୍କୁ ଗାଳି କିମ୍ୱା ଦଣ୍ଡ ଦେଇ ପାରିବେନାହିଁ । ପିଲା ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଜଣାଇବେ, କିନ୍ତୁ ଔଷଧ ଦେବା ବା କୌଣସି ଚିକିତ୍ସା କରିପାରିବେ ନାହିଁ ।
State
ଦ କୁଇଭର ବ୍ୟୁରୋ:- ଗିରଫ ହେଲେ କୋଟିପତି ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକ୍ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କୁ ଗିରଫ କଲା ଭିଜିଲାନ୍ସ । ଯାଞ୍ଚ ବେଳେ ସୁଶୀଲ ମିଳିଛି ଅମାପ ସମ୍ପତ୍ତି। ଭିଜିଲାନ୍ସ ଯାଞ୍ଚ ବେଳେ ଠାବ ହୋଇଛି ଏକ ବହୁତଳ କୋଠା, ଦୁଇଟି ଫ୍ଲାଟ, ୬ ଟି ବହୁମୁଲ୍ୟ ପ୍ଲଟ, ୧୨୬ ଗ୍ରାମର ସୁନା ଗହଣା ସହ ନଗଦ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା। ଏହା ସହିତ ଏକ କୋଟିର ବ୍ୟାଙ୍କ ଓ ଇନସ୍ୟୁରାନ୍ସ ଜମା ଥିବା ଜବତ କରିଛି ଭିଜିଲାନ୍ସ। ଆଉ ୨ ଦିନ ପରେ ଅବସର ନେଇଥାନ୍ତେ ସୁଶୀଲ ପଣ୍ଡା।
State
ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁରରେ ପୁଣି ଏକ ହତ୍ୟା। ପୁଷ୍ପାଞ୍ଜଳି ଲଜରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ପରେ ଥାନାରେ ଅଭିଯୁକ୍ତ ପ୍ରେମିକ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ଜଣକ ବ୍ରହ୍ମପୁର ଲଞ୍ଜିପାଲ୍ଲି ସ୍ଥିତ ଉମା ନାଗର ପ୍ରଥମ ଗଳିର ଅଭୟ କୁମାର ମହାରଣା ବୋଲି ଜଣାପଡିଥିବା ବେଳେ ମୃତ୍ୟୁ ବରଣ କରିଥିବା ପୀଡିତା ହେଉଛନ୍ତି ପ୍ରିୟା କୁମାରୀ ମହାରଣା, ସେ ଲଞ୍ଜିପାଲ୍ଲୀ ଆଉଟପୋଷ୍ଟ ନିକଟର ବୋଲି ସୂଚନା ମିଳିଛି | ତେବେ ଦୁହେଁ ଆଜି ପୁଷ୍ପଞ୍ଜଳି ଗେଷ୍ଟ ହାଉସ୍ କୁ ଯାଇଥିବା ବେଳେ ପ୍ରେମିକ ଅଭୟ ପ୍ରେମିକା ପ୍ରିୟାକୁ ଛୁରୀ ଭୂଷି ହତ୍ୟା କରିବା ସହ ନିଜେ ଯାଇ ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି l ତେବେ କାହିଁକି ଏ ହତ୍ୟା ହୋଇଛି, ହତ୍ୟା ପଛର କାରଣ କ'ଣ, ଏସବୁ ବିଷୟରେ ଅନୁସନ୍ଧାନ କରିବା ସହ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି l
State
ଦ କୁଇଭର ବ୍ୟୁରୋ:- ଦକ୍ଷିଣ-ପଶ୍ଚିମ ବାଂଲାଦେଶ ଓ ଏହାକୁ ଲାଗି ରହିଥିବା ଗାଙ୍ଗେୟ ପଶ୍ଚିମବଙ୍ଗ ଉପରିସ୍ଥ ଘୂର୍ଣ୍ଣିବଳୟ ସେହି ସମାନ ଅଞ୍ଚଳରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତାରେ ରହିଥିବା ବେଳେ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଉତ୍ତର ବଙ୍ଗୋପସାଗର ଏବଂ ଏହାକୁ ଲାଗି ରହିଥିବା ଉପକୂଳ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା, ଝାରଖଣ୍ଡ ଦେଇ ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୩ ଦିନ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷାଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହ ଅବଶିଷ୍ଟ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୧ ତାରିଖ ଯାଏଁ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ। ଏହାପରେ ୨ରୁ ବର୍ଷାର ପରିମାଣ କମିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୪ ତାରିଖ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ। ୨୮ରୁ ୧ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି।
State,Shree Jagannath
ଦ କୁଇଭର ବ୍ୟୁରୋ:- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିୟମ, ନିଷ୍ଠାର ସହ ରଥଯାତ୍ରାରେ ସାମିଲ ହୋଇ ରଥାରୁଢ଼ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି ଆଶୀର୍ବାଦ ଲାଭ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟପାଳ ହରିବାବୁ କମ୍ଭମ୍ପତି ମଧ୍ୟ ମଧ୍ୟ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶାନ୍ତି ଓ ସୁଖ ସମୃଦ୍ଧିର କାମନା କରିବା ସହ ପ୍ରଭୁଙ୍କର ସ୍ବର୍ଗୀୟ ଆଶୀର୍ବାଦ କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।
ସେହିପରି ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇ କୋକିଳାବେନ ଧୀରୁଭାଇ ଅମ୍ବାନୀ ମେଡିକାଲରୁ ଶୁଭେଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସର୍ଜରୀ ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ନବୀନ। ଗତକାଲି ଆଇସିୟୁରୁ ରୁମକୁ ସିଫ୍ଟ ହୋଇଥିଲେ। ରବିବାର ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନ ପଟ୍ଟନାୟକଙ୍କ ସଫଳତାର ସହ ସର୍ଭାଇକାଲ ଆର୍ଥ୍ରାଇଟିସ ଅପରେସନ ହୋଇଥିଲା। ଆଜି ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ବହୁ ଜାତୀୟ ସ୍ତରର ନେତା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
State
ମୟୁରଭଞ୍ଜ( ଦ କୁଇଭର ):- ଆଜି ପାଇଁ ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ଏନେଇ ରବିବାର ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଥିବାରୁ ତିନିଦିନ ପାଇଁ ଅଙ୍ଗନବାଡି ଓ ଦିନକ ପାଇଁ ସ୍କୁଲ ବନ୍ଦ ରହିବ ବୋଲି ଜଣାପଡିଛି । ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ସୋମବାର,ମଙ୍ଗଳବାର ଓ ବୁଧବାର ୩ ଦିନ ବନ୍ଦ ରହିବାକୁ ଥିବାବେଳେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ କେବଳ ସୋମବାର ପାଇଁ ବନ୍ଦ ରହିବ ବୋଲି ଜଣାପଡିଛି।
Shree Jagannath
ଦ କୁଇଭର ବ୍ୟୁରୋ:- ଆଜି ( ସୋମବାର )୫ ଘଣ୍ଟା ବନ୍ଦ ରହିବ ଶ୍ରୀବିଗ୍ରହମାନଙ୍କ ସାଧାରଣ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହୁଥିବାରୁ ଶ୍ରଦ୍ଧାଳୁ ଏହି ସମୟ ପାଇଁ ଦର୍ଶନରୁ ବଞ୍ଚିତ ରହିବେ l ସୂଚନାଯୋଗ୍ୟ ,ଆଜି ସୋମବାର ଆଷାଢ଼ ଶୁକ୍ଳ ଚତୁର୍ଥୀ ଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତ୍ର ଘ.୯.୦୦ ଟିକା ଠାରୁ ବିଳମ୍ବିତ ରାତ୍ର ଘ.୨.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
National,International
ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହୋଇଛନ୍ତି। ଶୁଭାଂଶୁ ବର୍ତ୍ତମାନ ଆକ୍ସମ୍-୪ ମିସନ୍ର ଏକ ଅଂଶ ଭାବରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅଛନ୍ତି। ୧୪୦ କୋଟି ଭାରତୀୟଙ୍କ ତରଫରୁ ମୋଦୀ ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଆପଣ ମାତୃଭୂମିରୁ ସବୁଠାରୁ ଦୂରରେ ଅଛନ୍ତି। କିନ୍ତୁ ଭାରତୀୟଙ୍କ ହୃଦୟର ସବୁଠାରୁ ନିକଟରେ ଅଛନ୍ତି। ଏହାପରେ ଶୁକ୍ଳା ଧନ୍ୟବାଦ ଜଣାଇ କହିଥିଲେ ଯେ ମୋଦୀଙ୍କ ନେତୃତ୍ୱ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଅନେକ ସୁଯୋଗ ପ୍ରଦାନ କରିଛି। ଆଜି ଆପଣ ଆମ ମାତୃଭୂମିଠାରୁ ବହୁତ ଦୂରରେ, କିନ୍ତୁ ଭାରତୀୟଙ୍କ ହୃଦୟର ସବୁଠାରୁ ନିକଟରେ ଅଛନ୍ତି। ‘ଆପକେ ନାମ ମେଁ ଭି ଶୁଭ ହୈ ଔର ଆପ୍କୀ ଯାତ୍ରା ନୟେ ୟୁଗ କା ଶୁଭାରମ୍ଭ ଭି ହୈ’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ‘ଏହି ସମୟରେ କେବଳ ଆମେ ଦୁହେଁ କଥାବାର୍ତ୍ତା କରୁଛୁ, କିନ୍ତୁ ୧୪୦ କୋଟି ଭାରତୀୟଙ୍କ ଭାବନା ମଧ୍ୟ ମୋ ସହିତ ରହିଛି। ମୋ ସ୍ୱରରେ ସମସ୍ତ ଭାରତୀୟଙ୍କ ଉତ୍ସାହ ଓ ଉଦ୍ଦୀପନା ରହିଛି। ମହାକାଶରେ ତ୍ରିରଙ୍ଗା ଉତ୍ତୋଳନ କରିଥିବାରୁ ମୁଁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ସେଠାରେ ସବୁ କିଛି ଠିକ୍ ଅଛି କି? ଆପଣ ଭଲ ଅଛନ୍ତି କି?’ ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ। ଏହାର ଜବାବରେ ଶୁକ୍ଳା କହିଥିଲେ, ଆପଣଙ୍କର ଓ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ। ମୁଁ ଏଠାରେ ଭଲ ଓ ସୁରକ୍ଷିତ ଅଛି। ମୁଁ ବହୁତ ଭଲ ଅନୁଭବ କରୁଛି, ଏହା ଏକ ନୂତନ ଅନୁଭୂତି।ଏହି ଯାତ୍ରା କେବଳ ମୋର ନୁହେଁ, ବରଂ ସମଗ୍ର ଦେଶର ଯାତ୍ରା। ଆପଣଙ୍କ ନେତୃତ୍ୱରେ ଆଜିର ଭାରତ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅନେକ ସୁଯୋଗ ପ୍ରଦାନ କରୁଛି। ଏଠାରେ ଭାରତର ପ୍ରତିନିଧିତ୍ୱ କରି ମୁଁ ଗର୍ବ ଅନୁଭବ କରୁଛି। ଶୁକ୍ଳା ଆହୁରି କହିଛନ୍ତି ଯେ ସେ ତାଙ୍କ ସହ ଅନେକ ଭାରତୀୟ ଖାଦ୍ୟ ଯଥା ଗାଜର ହାଲୁଆ, ମୁଗଡାଲି ହାଲୁଆ ଓ ଆମ୍ବ ରସ ନେଇଥିଲେ। ଅନ୍ୟ ଦେଶରୁ ଯେଉଁମାନେ ତାଙ୍କ ସହିତ ଏ ଅଭିଯାନରେ ସାମିଲ ହୋଇଛନ୍ତି ସେମାନେ ସମସ୍ତେ ଭାରତୀୟ ଖାଦ୍ୟର ମଜା ଉପଭୋଗ କରିଛନ୍ତି। ସେମାନେ ସମସ୍ତେ ଏହାକୁ ବାଣ୍ଟି ଖାଇଥିଲେ ଓ ସମସ୍ତେ ଏହାକୁ ପସନ୍ଦ କରିଥିଲେ ବୋଲି ଶୁକ୍ଳା କହିଛନ୍ତି।
ମହାକାଶରୁ ପୃଥିବୀର ଦୃଶ୍ୟ ବର୍ଣ୍ଣନା କରି ଶୁକ୍ଳା କହିଥିଲେ ଯେ ଏହା ଗୋଟିଏ ଗୋଲାକାର ପିଣ୍ଡ ପରି ଦେଖାଯାଉଛି ଏବଂ ଦେଶ ଦେଶ ଭିତରେ କୌଣସି ସୀମା ନାହିଁ। ମହାକାଶରୁ ଭାରତ ଭବ୍ୟ ଏବଂ ବହୁତ ବଡ଼ ଦେଖାଯାଉଛି। ମାନଚିତ୍ରରେ ଆମେ ଯାହା ଦେଖୁଛୁ, ତା’ଠାରୁ କାହିଁ କେତେ ବଡ଼ ଓ ବିଶାଳ। ଯେତେବେଳେ ଆମେ ପୃଥିବୀକୁ ବାହାରୁ ଦେଖିଲୁ, ସେତେବେଳେ ଲାଗିଲା ଯେ କୌଣସି ସୀମା ନାହିଁ, କୌଣସି ରାଷ୍ଟ୍ର ବା ଦେଶ ନାହିଁ। ଆମେ ସମସ୍ତେ ମାନବିକତାର ଅଂଶ, ପୃଥିବୀ ହେଉଛି ଆମର ଗୋଟିଏ ଘର ଏବଂ ଆମେ ସମସ୍ତେ ଏଥିରେ ଅଛୁ। ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମାଙ୍କ ଐତିହାସିକ ମହାକାଶ ଅଭିଯାନର ୪୧ ବର୍ଷ ପରେ ଶୁକ୍ଳା ହେଉଛନ୍ତି ଦ୍ବିତୀୟ ଭାରତୀୟ ଯିଏ କି ମହାଶୂନ୍ୟକୁ ଯାଇଛନ୍ତି। ଶୁକ୍ଳା ନିଜ ବାର୍ତ୍ତାରେ କହିଛନ୍ତି, ଏହା ମୋର ଆଇଏସ୍ଏସ୍ ଯାତ୍ରାର ଆରମ୍ଭ ନୁହେଁ, ବରଂ ଭାରତର ମାନବ ମହାକାଶ କାର୍ଯ୍ୟକ୍ରମର ଆରମ୍ଭ। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସମେତ ଆକ୍ସମ୍-୪ (ଆକ୍ସ-୪) କ୍ରୁ’ଙ୍କୁ ନେଇ ଯାଇଥିବା ଡ୍ରାଗନ୍ କ୍ୟାପସୁଲ୍ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ସଫଳତାର ସହ ଡକ୍ କରିଛି। ଏହି ଐତିହାସିକ ମୁହୂର୍ତ୍ତରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ, କକ୍ଷପଥରେ ପାଦ ରଖିଛନ୍ତି।
State,Shree Jagannath
ପୁରୀ( ଦ କୁଇଭର ):- ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା l ଆଜି ପବିତ୍ର ରଥଯାତ୍ରାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଆଜି ରଥଯାତ୍ରାରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଝାରସୁଗୁଡା ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ,ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଏହି ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଏହିପରି ବର୍ଷା ଜୁଲାଇ ୨ ତାରିଖ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
National,State
ଦ କୁଇଭର ବ୍ୟୁରୋ:- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୪ରେ ଏମ୍ସ ଭୁବନେଶ୍ୱର ଏବଂ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଜୁଲାଇ ୧୪ରେ ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରଦିନ, ଜୁଲାଇ ୧୫ରେ, ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ରାଷ୍ଟ୍ରପତି ଜୁଲାଇ ୧୫ ତାରିଖରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।
State
ଦ କୁଇଭର ବ୍ୟୁରୋ :- ଆଗାମୀ ୨୯ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି । ଫଳରେ ଆଗାମୀ ୬ ଦିନ ଧରି ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ । ଆସନ୍ତାକାଲି ଠାରୁ ଜୁଲାଇ ୧ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି । ଆଜି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଝଟକା ପବନର ବେଗ ପ୍ରତି ଘଣ୍ଟା ୩୦-୪୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଯହାକୁ ନେଇ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
Shree Jagannath
ପୁରୀ( ଦ କୁଇଭର ):- ଗୁରୁବାର ରାତି ପହୁଡ଼ ହୋଇନଥିଲା। ଏହା ସତ୍ତ୍ବେ ୧ ଘଣ୍ଟା ୧୫ ମିନିଟ୍ ବିଳମ୍ବରେ ଆରମ୍ଭ ହେଲା ନୀତି। ସ୍ଥିତିରେ ସୁଧାର ଆଣିପାରିଲେନି। ପରିଣାମ ହେଲା, ଧାର୍ଯ୍ୟ ସମୟଠାରୁ ପାଖାପାଖି ୫୦ ମିନିଟ୍ ବିଳମ୍ବରେ ଆରମ୍ଭ ହେଲା ପହଣ୍ଡି। ଶେଷରେ ଯାହା ହେଲା ତାହା ଇତିହାସ। ଗତବର୍ଷ ରଥଯାତ୍ରାର ପୁନରାବୃତ୍ତି ହେଲା। ସିଂହଦ୍ବାରରେ ଅଟକିଗଲେ ମହାବାହୁ। ବିଧିରକ୍ଷା ପାଇଁ ସନ୍ଧ୍ୟା ୭ଟା ୪୫ ମିନିଟ୍ରେ ରଥ ଟଣାଗଲା। ଚକେ ଗଡ଼ିଛି, ଶୁକ୍ରବାର ପାଇଁ ବନ୍ଦ ହେଲା ରଥଟଣା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘୋଷଣା କଲେ ଯେ ଏବେ ରଥଟଣା ହେବ ନାହିଁ। ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳ ସାଢ଼େ ୯ଟାରେ ରଥ ଟଣାଯିବ। ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ୍ ଛକ ନିକଟରେ ଅଟକି ରହିଛି। ସରକାରଙ୍କ ସମସ୍ତ ପ୍ରସ୍ତୁତି ପରେ ବି ରଥଟଣାରେ ହୋଇଥିବା ଅବ୍ୟବସ୍ଥା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଭୀଷଣ ଅସନ୍ତୁଷ୍ଟ କରିଛି। କାହା ଭୁଲ୍ ଲାଗି ଏଭଳି ଘଟଣା ଘଟିଲା, ସେ ନେଇ ତର୍ଜମା ଆରମ୍ଭ ହୋଇଛି। ସେପଟେ ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ବଳଭଦ୍ରଙ୍କ ରଥ ବାରମ୍ବାର ମୋଡ଼ ନେବା, ଭିଡ଼ ନିୟନ୍ତ୍ରଣରେ ବିଫଳତାକୁ ଆଇନମନ୍ତ୍ରୀ କାରଣ ଦର୍ଶାଇବା ସହିତ ରିପୋର୍ଟ ଲେଖା ହେବା ବେଳକୁ ପୁରୀରେ ରହି ସ୍ଥିତି ସମୀକ୍ଷା କରୁଛନ୍ତି। ସେପଟେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରଥ ବିଶୃଙ୍ଖଳା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଶ୍ରୀମନ୍ଦିର ପ୍ରଶାସନ ଉପରେ ଭୀଷଣ ବର୍ଷିଛନ୍ତି। ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ରଥଟଣାରେ ସାମିଲ ହୋଇଥିଲେ। ପାଖାପାଖି ୧୦ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଲୋକ ଶ୍ରୀବିଗ୍ରହମାନଙ୍କର ଦର୍ଶନ କରୁଛନ୍ତି। ରଥ ଶୃଙ୍ଖଳା ଓ ସମୟାନୁଯାୟୀ ସବୁ କାର୍ଯ୍ୟ ସମାପନ ଲକ୍ଷ୍ୟ ନେଇ ଗତକାଲିଠାରୁ ନୀତିକାନ୍ତିକୁ ଗୁରୁତ୍ବ ଦିଆଯାଇଥିଲା। ହେଲେ ଆଜି ମଙ୍ଗଳ ଆଳତି ୬ଟା ପରିବର୍ତ୍ତେ ୭ଟା ୧୫ରେ ହୋଇଥିଲା। ସାଢ଼େ ୭ଟାରେ ମଇଲମ ଓ ତଡ଼ପଲାଗି, ୭ଟା ୪୦ରେ ଅବକାଶ ପୂଜା, ସାଢ଼େ ୮ଟାରେ ସୂର୍ଯ୍ୟପୂଜା, ୮ଟା ୪୦ରେ ଦ୍ବାରପାଳ ପୂଜା, ୯ଟାରେ ସକାଳ ଧୂପ ପୂଜା, ପୂର୍ବାହ୍ଣ ୧୦ଟା ୧୫ରେ ମଙ୍ଗଳାର୍ପଣ କରାଯାଇଥିଲା। ପୂର୍ବରୁ ସାଢ଼େ ୯ଟାରେ ଶ୍ରୀଜିଉମାନଙ୍କର ପହଣ୍ଡି ଆରମ୍ଭ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। ବର୍ଷା ସତ୍ତ୍ବେ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତ ଠାକୁରଙ୍କ ଏହି ବିଶେଷ ଦର୍ଶନ ପାଇଁ ଚାହି ବସିଥିଲେ। ହେଲେ ୧୦ଟା ୨୦ରେ ଆରମ୍ଭ ହେଲା ପହଣ୍ଡି। କିନ୍ତୁ ଏହା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସେବକମାନେ ସଅଳ ନୀତି କରିଥିଲେ। ଫଳରେ ସାଢ଼େ ୧୨ଟା ସୁଦ୍ଧା ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇଯାଇଥିଲେ। ୧୨ଟା ୫୦ରେ ମଦନମୋହନ ଓ ରାମକୃଷ୍ଣ ବିଜେ, ୧୨ଟା ୫୦ରେ ରୁନ୍ଧା ଶେଷ, ଦିନ ୨ଟାରେ ଚିତାଲାଗି ସମ୍ପନ୍ନ ହୋଇଥିଲା। ଶଙ୍କରାଚାର୍ଯ୍ୟ ଶ୍ରୀବିଗ୍ରହଙ୍କ ଦର୍ଶନ କରିବା ସହିତ ଗଜପତି ମହାରାଜା ଛେରାପହଁରା କାର୍ଯ୍ୟ ସମାପନ କରିଥିଲେ। ତୁରନ୍ତ ଚାର ଫିଟାଯାଇ ଘୋଡ଼ା ଓ ସାରଥି ଲାଗିଥିଲା। ନିର୍ଦ୍ଧାରିତ ସମୟ ଅର୍ଥାତ୍ ୪ଟା ୧୦ରେ ରଥଟଣା ଆରମ୍ଭ ହୋଇଥିଲା।
ଖରାର ଦାଉ ନଥିଲା, କି ଗୁଳୁଗୁଳିର ଯନ୍ତ୍ରଣା ନଥିଲା। ବରଂ ଦିନତମାମ ଝିପିଝିପି ବର୍ଷା ହେଉଥିଲା। ଅନୁକୂଳ ପାଗ ଯୋଗୁ ଭକ୍ତଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥିଲା। ହେଲେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ଆରମ୍ଭରୁ ଭୀଷଣ ସମସ୍ୟା ଦେଖାଦେଇଥିଲା। ବାରମ୍ବାର ମୋଡ଼ ନେଇଥିଲା। ଫାଳି ଲାଗିବା ପରେ ବି ବିଶେଷ ପରିବର୍ତ୍ତନ ହୋଇ ନଥିଲା। ସ୍ଥିତି ଏତେ ଗମ୍ଭୀର ହେଲା ଯେ ରାଜନଅର ଛୁଇଁବା ବେଳକୁ ଘଣ୍ଟାଏରୁ ଅଧିକ ସମୟ ଲାଗି ଯାଇଥିଲା। ଆରମ୍ଭରୁ ମୋଡ଼ ନେଇଥିଲା, ବାରମ୍ବାର ଫାଳି ଲାଗିଥିଲା। ରଥ ମରିଚିକୋଟ ଛକ ଅତିକ୍ରମ କରିବା ବେଳକୁ ଅଢ଼େଇ ଘଣ୍ଟା ବିତିଯାଇଥିଲା। ସୁଭଦ୍ରାଙ୍କ ରଥ ଅଟକି ରହିଲା। ବିଳମ୍ବରେ ହେଲା ରଥଟଣା। ଯେବେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିବା ନିଷ୍ପତ୍ତି ହେଲା, ସେତେବେଳକୁ ଭିଡ଼ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼ିଲା। ରଥ କର୍ଡନ୍ ଖାଲି କରାଯାଇପାରିଲା ନାହିଁ ଓ ରଥ ସାମନାରେ ହଜାର ହଜାର ଲୋକଙ୍କ ଭିଡ଼ ସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲା। ଫଳରେ ସନ୍ଧ୍ୟାରେ ୬ଟା ୩୫ରେ ରଥଟଣା ଆରମ୍ଭ ହୋଇଥିଲା। ଏହା ସତ୍ତ୍ବେ ପ୍ରଶାସନ ଚେତିଲା ନାହିଁ। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସାମନାରେ ମଧ୍ୟ ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲା। ୭ଟା ୪୫ରେ ବିଧିରକ୍ଷା ପାଇଁ ଚକେ ଗଡ଼ି ଅଟକିଗଲେ ମହାବାହୁ। ରାତିରେ ରଥଟଣା ବିଧିବିରୁଦ୍ଧ ଥିଲେ ହେଁ କେବଳ ବିଧିରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଗଲା।