ଦ କୁଇଭର ବ୍ୟୁରୋ :- ବାଜି ରାଉତଙ୍କ ଜୀବନ ସ୍ୱଳ୍ପ । କିନ୍ତୁ ତାଙ୍କ ବୀରଗାଥା ଚିରଦିନ ପାଇଁ ପ୍ରେରଣାଦାୟୀ । ବାଜି ରାଉତଙ୍କ ସାହସ ଆମପାଇଁ ପ୍ରେରଣା ହେଉ । ବାଜି ରାଉତଙ୍କ ନାମରେ ହେବ ଯୋଜନା । ଭୁବନେଶ୍ୱରରେ ଏକ ରାସ୍ତା ନାମିତ ହେବ । ଢେଙ୍କାନାଳ ନୀଳକଣ୍ଠପୁରରେ ଅନୁଷ୍ଠିତ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୨୦ କୋଟି ଟଙ୍କାରେ ବାଜି ରାଉତ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୦ ହଜାର କୋଟିର ଶିଳ୍ପ ତଥା ୩୦ ହଜାର କୋଟିର ସୌର ଶିଳ୍ପରେ ଢେଙ୍କାନାଳ ସମୃଦ୍ଧ ହେବ ବୋଲି ସେ କହିଛନ୍ତି । ଢେଙ୍କାନାଳ ଭୁବନରେ ବାଜି ରାଉତଙ୍କ ଜନ୍ମସ୍ଥାନ ନୀଳକଣ୍ଠପୁରରେ ଆୟୋଜିତ ହୋଇଛି ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ସମାରୋହ । କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଭାରତର ଗୌରବ, ଓଡ଼ିଶାର ଗର୍ବ ସହିଦ ବାଜି ରାଉତଙ୍କ ସାହସ ଓ ତ୍ୟାଗ ଓଡ଼ିଆ ଜାତିର ବୀରତ୍ବ ବଖାଣେ । ମାତ୍ର ୧୨ ବର୍ଷ ବୟସରେ ସେ ବ୍ରିଟିଶ ଗୁଳି ଆଗରେ ଛାତି ପତେଇ ଦେଇଥିଲେ । ବାଜି ରାଉତଙ୍କ ସାହସ ଦେଶର ଯୁବଗର୍ବଙ୍କ ଆଦର୍ଶ । ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନରେ ବାଜି ରାଉତଙ୍କ ପଥ ଅନୁସରଣୀୟ । ବାଜି ରାଉତଙ୍କ ଆଦର୍ଶକୁ ଉଜ୍ଜିବିତ ରଖିବାକୁ ଭୁବନେଶ୍ବରରେ ଏକ ରାସ୍ତାକୁ ବାଜି ରାଉତଙ୍କ ନାଁ'ରେ ନାମିତ କରାଯିବ । ଏହା ସହ ବାଜି ରାଉତଙ୍କ ନାଁ'ରେ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯିବ ।ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, "୧୨ ବର୍ଷର ବାଳକର ବୀରତ୍ବ, ସାହସ ଏ ଓଡ଼ିଆ ଜାତିକୁ ଗୌରବାନ୍ବିତ କରିଛି । ପ୍ରଜାମଣ୍ଡଳ ଆନ୍ଦୋଳନ ଢେଙ୍କାନାଳର ବୀରତ୍ବ ବଖାଣେ । ଦେଶର ସ୍ବାଧୀନତା ସଂଗ୍ରାମରେ ସର୍ବାଧିକ ସଂଗ୍ରାମୀ ଓ ଯୋଗଦାନ ରହିଥିବା ରାଜ୍ୟ ଓଡ଼ିଶା । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ତଥା ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ପ୍ରାରମ୍ଭିକ ସୂଚନା ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ଧନ୍ୟବାଦ ଦେଇଛନ୍ତି ।